10/03/2019

କେବଳ ଗାନ୍ଧୀମୁଣ୍ଡ ଦରକାର

ସନ୍ତୋଷ କୁମାର

                 ହେ ଗାନ୍ଧୀଜୀ ଟିକେ ଦେଖି ଯାଅ ତୁମର ଅଲୋଡ଼ା ଭାରତକୁ । ଏଇ ଦୁଇ ଦିନ ଏକ ନଟଙ୍କି ଚାଲିବ । ସମସ୍ତେ ଏବେଠୁ ସଜବାଜ କରି ଦେଲେଣି ତୁମ ଧଧରିଆ ମୂର୍ତ୍ତିକୁ । ତୁମ ନାଁରେ ଏକ ମିଛ ନାଟ୍ୟକାର ଝଲକ ଦେଖିବାକୁ ମିଳିବ । ଅଭିନୟ କେତେ ଯେ କରିବେ ତା'ର କଳନା କରିବା ଅସମ୍ଭବ । ଦେଖି ଆସ କେମିତି ମିଛ ଆନ୍ଦୋଳନ ଚାଲିବ ।ହଁ ମାନୁଛୁ ଦେଶକୁ ସ୍ଵାଧୀନତା ମିଳିବା ପାଇଁ ତୁମର ପ୍ରତିଦାନ ଥିଲା । ଭାରତ ପାଇଁ ଏକ ପାଦ ଆଗକୁ ବଢ଼େଇ ଥିଲ । ତୁମ ନାଁ ପାଇଁ ଦେଶ ଗର୍ବିତ । ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲ । ନାରୀକୁ ସୁରକ୍ଷିତ ରଖିବା ପାଇଁ କହି ଥିଲ । ସତ୍ୟକୁ ଆଧାର କରି ଲଢିବ ବୋଲି ପରାମର୍ଶ ଦେଇଥିଲ । ତୁମର ତ ଆବଶ୍ୟକ ଥିଲା ସେହି ସମୟରେ ଯେବେ ଦେଶରେ ଅଶାନ୍ତି ଥିଲା । କିନ୍ତୁ ଏବେ ତୁମର ଆବଶ୍ୟକ ରହିଚି ।  

                        ଦେଶ ଏବେ କଳୁଷିତ ଅବସ୍ଥାରେ । ତୁମ ନାଁ ନେଇ ରାଜନୀତି ଅଙ୍କକଷା ଆରମ୍ଭ ହୋଇ ଯାଇଛି । ମିଛ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରତିବାଦ କରିବାକୁ କେହି ବି ନାହାନ୍ତି । କିଏ ବା କାହିଁକି ପ୍ରତିବାଦ କରିବ ; ତୁମ ମୁଣ୍ଡ ଥିବା ନୋଟ ସମସ୍ତ ପାଟି ଚୁପ କରି ଦଉଛି । ତୁମେ ଆଉ କାହାର କାମରେ ଦରକାର ଆସିବ ନାହିଁ । ତୁମ ମୁଣ୍ଡ ସବୁଠାରୁ ମୂଲ୍ୟବାନ୍ । ସେହି ଖଣ୍ଡି ମୁଣ୍ଡ ପାଇଁ ତୁମ ପ୍ରତିମୂର୍ତ୍ତିକୁ ମଧ୍ଯ ପାଦରେ ଦଳି ଦେବେ । ହେ ଗାନ୍ଧୀ ଟିକେ ଦେଖି ଯାଅ ହିଂସା କେମିତି ଲାଗି ରହିଛି ଦେଶରେ । ଆମ ଦେଶ ଏତେ ଆଗକୁ ଯାଇଚି ଯେ ପ୍ରତି ଦିନ ଗୋଟେ ନାରୀ ବଳାତ୍କାର ହଉଚି । ଭାଇ ଭାଇ ମଧ୍ୟରେ ହଣାକଟା । ପରିବାର ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଏ କ'ଣ ଶାନ୍ତିର ଭାରତ ? ତୁମ ସ୍ଵପ୍ନ ସାକାର କରିବା ପାଇଁ ତୁମ ପରି ହେବାକୁ ପଡ଼ିବ । ତୁମେ ଥିଲ ଶାନ୍ତିର ପରିଚୟ । ତୁମେ ଥିଲ ସତ୍ୟର ପୂଜକ - ଦୟାର ପ୍ରତୀକ। ତୁମେ ଚାଲିଯିବା ପରେ ଦେଶରେ କଳଙ୍କ ଭରି ରହିଛି । ସମସ୍ତଙ୍କୁ କହି ଥିଲ ଜାତି ଧର୍ମରେ କୌଣସି ମତଭେଦ ନାହିଁ । ଏବେ ଦେଖ ମୁସଲମାନ, ଖ୍ରୀଷ୍ଟିଆନ, ହିନ୍ଦୁ ସବୁ ଅଲଗା । ଧର୍ମକୁ ନେଇ ଲଢ଼େଇ ଚାଲିଚି । ନାରୀ ଇଜ୍ଜତ ଯାଇଥିଲେ ମଧ୍ୟ ତୁମ ମୁଣ୍ଡ ଥିବା କାଗଜ ଲୋଭରେ ଇଜ୍ଜତର ମୂଲ୍ୟ ନାହିଁ ।ହତ୍ୟାକାରୀ ହୋଇ ଥିଲେ ମଧ୍ୟ ତୁମ କଟାମୁଣ୍ଡ ନୋଟ ନିର୍ଦ୍ଦୋଷ ପ୍ରମାଣିତ କରି ଦେବ । ନ୍ୟାୟ ପାଇଁ ପୋଲିସ୍ ପାଖକୁ ଗଲେ ସେହି ମୁଣ୍ଡ ଲଗା କାଗଜ ଦରକାର ।  ତୁମକୁ ନୁହେଁ ତୁମ କଟା ମୁଣ୍ଡକୁ ଅଧିକ ଗୁରୁତ୍ବ ଦିଆ ଯାଉଚି । ତୁମେ ଆଜି ଅଲୋଡ଼ା ; କେବଳ ତୁମ ମୁଣ୍ଡ ଥିବା ସେହି କାଗଜ ଦରକାର । ହେ ଗାନ୍ଧୀ ! ଥରେ ଆସି ଦେଖି ଯାଅ ତୁମର ବିଖଣ୍ଡିତ ଭାରତକୁ.....!!
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।