10/03/2019

🙏ଜୀବନେ ଗୁରୁ ହିଁ ଶ୍ରେଷ୍ଠ 🙏

ସ୍ନିଗ୍ଧା ସାମନ୍ତରାୟ 
        ଆମ ଭାରତ ବର୍ଷରେ ଗୁରୁଙ୍କ ସ୍ଥାନ ଯଥେଷ୍ଟ ଉଚ୍ଚରେ ଥିଲା, ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥାଏ। ଉତ୍ତମ ଜୀବନ ଯାପନ ପାଇଁ ମନୁଷ୍ୟକୁ ଉତ୍ତମ ଗୁରୁ ଆବଶ୍ୟକ ଅଛି, ବୟସର ପ୍ରତି ପାହାଚକୁ ଅତିକ୍ରମ କରାଇବା ଶୁଭ ଚିନ୍ତକ, ପଥ ପ୍ରଦର୍ଶକ, ବୁଦ୍ଧି, ଜ୍ଞାନ ଦେଇ ଯିଏ ଆଦର୍ଶ ଚରିତ୍ର ଗଠନ କରାନ୍ତି ସିଏ ହିଁ ଗୁରୁ  ; ପ୍ରଥମ ଗୁରୁ ମାତା, ପିତା, ଦ୍ୱିତୀୟ ଗୁରୁ ବିଦ୍ୟାଳୟ ଆରମ୍ଭ ହେଲେ ବିଦ୍ୟା ଦାନ କରନ୍ତି ଯିଏ ସିଏ ଶିକ୍ଷା ଗୁରୁ, ତୃତୀୟ ହେଲେ ଦୀକ୍ଷା ଗୁରୁ । ପ୍ରାଚୀନ ଯୁଗରେ ଛାତ୍ରଛାତ୍ରୀ ମାନେ ଗୁରୁ ଆଶ୍ରମରେ ରହି ବିଦ୍ୟା ଅର୍ଜନ କରି ସ୍ବ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ, ବିଦ୍ୟା ସହିତ ସଂସ୍କାର ଶିଖୁଥିଲେ, ସେମାନେ ଗୁରୁଙ୍କ ଠାରୁ ଜ୍ଞାନ ଲାଭ କରି ନିଜର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରୁଥିଲେ । ଗୁରୁଙ୍କ ସଂଜ୍ଞା ନିରୂପଣ କରିବାକୁ ଯାଇ କୁହାଯାଏ   ---
"ଗୁରୁବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ,
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।"

      ଗୁରୁ ଶବ୍ଦ ଅର୍ଥ ---ଗୁ--ଅର୍ଥ ଅନ୍ଧକାର ଓ ରୁ---ଅର୍ଥ  ଅଜ୍ଞାନ । ଛାତ୍ରଛାତ୍ରୀ ମାନଙ୍କ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକକୁ ପ୍ରଦାନ କରିବାରେ ଗୁରୁ ସମର୍ଥ ବୋଲି ଗୁରୁ ଆଖ୍ୟା ପାଇଛନ୍ତି । ଗୁରୁ ଆଶିର୍ବାଦରେ ଶିଷ୍ୟ ଉପଯୁକ୍ତ ମଣିଷ ହୁଏ, ଗୁରୁ କୃପା ହିଁ ସମାଜରେ ଶିଷ୍ୟକୁ ଶୀର୍ଷ ସ୍ଥାନ ପ୍ରଦାନ କରିଥାଏ । ଗୁରୁ ଭକ୍ତି ଓ ଗୁରୁ ସେବା ଉତ୍ତମ ବ୍ୟକ୍ତି ହୋଇ ଦେଶ, ଜାତି ର ମଙ୍ଗଳ କରିବା ସହିତ ପିତାମାତା ର ନାମ ରଖିଥାଏ, ଶିକ୍ଷା ଗୁରୁ ଙ୍କୁ ପୂଜା କରିବା ତାଙ୍କ ଉପଦେଶ ମାନିବା ଦ୍ୱାରା ଛାତ୍ର ଛାତ୍ରୀଙ୍କ ଜୀବନ ଶୈଳୀ ଶୃଙ୍ଖଳିତ ହୋଇଥାଏ ।

      ଯେତେ ଜ୍ଞାନ, ବୁଦ୍ଧି ଧ୍ୟାନ, ଜପ ତପ,ଥିଲେ ମଧ୍ୟ ପ୍ରଭୁଙ୍କୁ ପାଇବା ପାଇଁ ଏକ ମାଧ୍ୟମ ଆବଶ୍ୟକ ରହିଛି ସେହି ମାଧ୍ୟମ ହେଲେ ଗୁରୁ । ଉତ୍ତମ ଗୁରୁ ସାଧନା, ଉପାସନା ଶିଖାଇ ଦୀକ୍ଷା ଗୁରୁ ପରିଚୟ ପାଇ ଶିଷ୍ୟର ପ୍ରାରବ୍ଧର ପାପକୁ ଧୁଆଇ ଦିଅନ୍ତି ,ଗୃହରେ ଥାଇ କିପରି ଭଗବତ ଅନୁଭୂତି ଲାଭ କରିପାରିବା ଗୁରୁ ହିଁ ଶିକ୍ଷା ଦିଅନ୍ତି। ସଂସାର ନୌକାରେ ରହି ପ୍ରଭୁଙ୍କ ନିକଟତର କରାଇବାରେ ଯେଉଁ ସାଧନା ଶିଖାଇ ଦିଅନ୍ତି ସେ ହିଁ ଗୁରୁ । ଜୀବନ ତତ୍ତ୍ୱ, ବ୍ରହ୍ମ ତତ୍ତ୍ୱ ଗୂଢ଼ ରହସ୍ୟ ଯିଏ ଜ୍ଞାନ ଦିଅନ୍ତି ସିଏ ଗୁରୁ ,ମନୁଷ୍ୟ ଭିତରେ କ୍ରୋଧ, ଈର୍ଷା, ଅଂହ ହିଂସାକୁ ଉଚିତ ଜ୍ଞାନ ଦେଇ ପାପ ରୂପକ ଘାସକୁ ଉପାଡି ଦିଅନ୍ତି  । ଜୀବନର ଲକ୍ଷ୍ୟ , ଆତ୍ମ ପରିଚୟ କଅଣ, ଭଗବତ ଦର୍ଶନ, ଜୀବନ ଦର୍ଶନ ଜନ୍ମ ମୃତ୍ୟୁର ରହସ୍ୟ ପୁଙ୍ଖାନୁପୁଙ୍ଖ ଜଣେ ଦୀକ୍ଷା ଗୁରୁ ଦେଇପାରନ୍ତି । ଜୀବନ ଶୈଳୀକୁ ନିମ୍ନରୁ ଉର୍ଦ୍ଧ୍ଵଗାମୀ କରାନ୍ତି, ସେହି ଦୀକ୍ଷା ଗୁରୁ ଯୋଗ କ୍ଷେମ ବହନ କରନ୍ତି । ସେଥିପାଇଁ ଶଙ୍କରାଚାର୍ଯ୍ୟ ଏକ ଶ୍ଳୋକ ରେ କହିଛନ୍ତି----

ମନ୍ମାଥଃ ଶ୍ରୀ ଜଗନ୍ନାଥୋ ମଦ୍ଗୁରୁ ଶ୍ରୀ ଜଗତ ଗୁରୁ ,
ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ।

     ଗୁରୁ ଶିଷ୍ୟ ସମ୍ପର୍କ ଅନନ୍ୟ, ଅତୁଳନୀୟ, ପବିତ୍ରତା ରହିବା ଦରକାର । କ୍ଷୀରରୁ ଘିଅ କରିବାର ତରିକା ଗୁରୁ କେବଳ କରିପାରନ୍ତି, ଭଗବାନ ମଧ୍ୟ୍ୟ ଅବତାର ନେଇ ପ୍ରତି ଯୁଗରେ ଗୁରୁ ଆଶ୍ରମ ଯାଇ ଗୁରୁ ଦୀକ୍ଷା ନେଇଛନ୍ତି । ନିଜ ପରିବାର ମଙ୍ଗଳ କମାନା ପାଇଁ ଓ ଜ୍ଞାନ ଦେବା ପାଇଁ କୁଳ ଗୁରୁ ହିସାବରେ ଜଣେ ରହୁଥିଲେ, ବର୍ତ୍ତମାନ ସମାଜରେ କୁଳ ଗୁରୁ ଦେଖିବାକୁ ମିଳୁ ନାହିଁ । ଆଦର୍ଶ ଗୁରୁ ନ ପାଇ ପାରିଲେ କିଛି ବ୍ୟକ୍ତି ଗୋବିନ୍ଦଙ୍କୁ ବି ଗୁରୁ ଭାବନା କରି କର୍ମ ଫଳ ସମର୍ପଣ କରନ୍ତି । ଗୁରୁ ବିନା ମଣିଷ ଦିଗ ହରା ହୋଇଯିବ ; ତେଣୁ ଗୁରୁ ହିଁ ଜୀବନର ପଥ ପ୍ରର୍ଦଶକ ।
ବୟସର ପ୍ରତି ପାହାଚକୁ ଅତିକ୍ରମ କରିବା ପାଇଁ ଶୁଭ ଚିନ୍ତକ, ପଥ ପ୍ରର୍ଦଶକ ବୁଦ୍ଧିଜ୍ଞାନ ଚରିତ୍ର ଗଠନ ରେ ଗୁରୁଙ୍କ ଅବଦାନ ଅତୁଳନୀୟ ।

   ଗୁରୁ ଚିର ବନ୍ଦନୀୟ, ଆଦରଣୀୟ, ପୂଜ୍ୟସ୍ପଦ, ଗୁରୁଜନ ପଦବାଚ୍ୟ ,ଗୁରୁଙ୍କ ଆସନ ପ୍ରଭୁଙ୍କ ଠାରୁ ବି ବଡ।ସେଥିପାଇଁ ପୂଜାରେ ମନ୍ତ୍ର କରାଯାଏ----ମନ୍ତ୍ର ମୋର ଗୁରୁ ବାକ୍ୟ, ପୂଜା ମୋର ଗୁରୁ ମୂର୍ତ୍ତି, ଧ୍ୟାନ ମୋର ଗୁରୁପଦ ,ମୋକ୍ଷ ମୋର ଗୁରୁ କୃପା ।

ଚୁନଭାଟି-ଗୋପାଳ ଗାଁ-ବାଲେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।