10/03/2019

ତୋ' ବିନା ବଞ୍ଚିବା କଷ୍ଟ

ଜଗନ୍ନାଥ ଜେନା (ଶିକ୍ଷକ)



ତୋ' କୋଳରେ ବଢ଼ି ବଡ଼ ମୁଁ ହୋଇଛି
ଦେଖିଛି ସାରା ଦୁନିଆ
ଆଜି କହ କାହିଁ ନିରବେ ଶୋଇଛୁ
ଡାକିଲେ ଶୁଣୁନୁ ମାଆ ।

ଯେଉଁ ମୁହଁ ଦେଖି ସକଳ ଦୁଃଖକୁ
ଭୁଲି ଯାଉଥିଲି ମାଆ
ଆଜି କହ ମତେ କେମିତି ସତେ ମୁଁ
ସେ ମୁହଁରେ ଦେଵି ନିଆଁ ।

ଖେଳୁ ଖେଳୁ କେବେ ପଡ଼ିଗଲେ ଟିକେ
ଲାଗିଲେ ମତେ ଆଘାତ
ମୋ' ଦେହରୁ ରକ୍ତ ଝରୁଥିଲା ମାଆ
ତତେ ହେଉଥିଲା କଷ୍ଟ ।

ସ୍କୁଲ୍‌ରୁ ଫେରିବା ଡେରି ହୋଇଗଲେ
ବ୍ୟସ୍ତ ହୋଇକରି ତୁହି
କଳି ତୁ ଲଗାଇ ବାପାଙ୍କ ସାଥିରେ
ବାଟକୁ ଦେଉ ପଠାଇ ।

ଏବେ ଯଦି ମୋର ବିଳମ୍ବ ହୋଇବ
କହ କିଏ  ପଚାରିବ
ଫାଟକ ପାଖରେ ବ୍ୟସ୍ତ ହୋଇ କରି
ଆଉ କେ' ବାଟ ଚାହିଁବ ।

ସକାଳୁ ସକାଳୁ ନିଦରୁ ଉଠାଇ
ମୋ' ମୁହଁକୁ ଧୋଇ ଦେଇ
ମାଗିବା ଆଗରୁ ହାତକୁ ମୋହର
ଚା' କପ୍ ଦେଉ ବଢ଼ାଇ ।

ଯେତେ ଡ଼େରି ଯାକେ ଶୋଇଲେ ଏବେ ଲୋ
କିଏ ମତେ ଉଠାଇବ
ଚା' ପିଆ ଏବେ ଭୁଲି ମୁଁ ଗଲିଣି
ତୋ' ପରି ଆଉ କେ ଦେବ।

ମୁଁ ରାତି ଡେରି ଯାକେ ନ ଚେଇଁବାକୁ
ତାଗିଦ୍‌ କରିବ କିଏ
ଯେତେ ଡେରି ହେଲେ ଅଖିଆ ଅପିଆ
ବାଟକୁ ଚାହିଁବ କିଏ ।

ମୋ' ଜୀବନରେ ତୁ ଥିଲୁ ସବୁକିଛି
ତୋ' ପାଇଁ ମୋ' ଜୀବନ
ଛାଡ଼ି ଚାଲିଗଲେ ଏକା କରି ମତେ
ବଞ୍ଚିବା ମଲା ସମାନ ।

ତୋ' ବିନା ମାଆଲୋ ବଞ୍ଚିବାଟା କଷ୍ଟ
ଗୋଟିଏ ମୁହୂର୍ତ୍ତ ଏଠି
ସହି ମୁଁ  ପାରୁନି , କ୍ଷମା କରିଦେବୁ
ଯିବି ତୁ ଅଛୁ ଯେଉଁଠି ।

ଆନନ୍ଦପୁର-କେନ୍ଦୁଝର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।