ରଙ୍କନିଧି ସେଠୀ
ଦୁର୍ଗତି ନାଶିନୀ ଜଗତ ଜନନୀ ଧରାପୃଷ୍ଠକୁ ତୁ ଆ.....
ଧରଣୀ ରାଣୀ ମୋ ଅନେଇ ରହିଛି
ସବୁଜ ରଙ୍ଗରେ ସଜେଇ ହୋଇଛି
ନାନା ଜାତି ଫୁଲେ ପସରା ମେଲିଛି
ମୃଦୁ ସମୀରଣ ବନ୍ଦନା କରୁଛି
କରିବାକୁ ପାଦ ପୂଜା.....
ଆ...ଲୋ...ମାଆ...ତୁ ଆ...
କାଶତଣ୍ଡୀ ଫୁଲେ ଆସ ଅବତରୀ
ଆବାହନ କରୁ ହସ୍ତେ ପୁଷ୍ପ ଧରି
ମନ ହୃଦୟରେ ତୋ ନାମ ସୁମରି
ଡାକୁଅଛୁ ମାଆ ଶୁଣ ତୁ ଗୁହାରି
ମାଆ ଦଶଭୁଜା ଆ.....
ଆ...ଲୋ...ମାଆ...ତୁ ଆ...
ଭକ୍ତିପୁଷ୍ପ ଦେଇ ତୋ ସେବା କରିବୁ
ନୟନ ଅଶ୍ରୁରେ ପାଦକୁ ଧୋଇବୁ
ହୃଦ ସିଂହାସନେ ସ୍ଥାପନ କରିବୁ
ଆତ୍ମା ଶୁଦ୍ଧି କରି ତୋତେ ଲୋ ଧ୍ୟାୟିବୁ
ଧରାକୁ ଓହ୍ଲାଇ ଆ.....
ଆ...ଲୋ...ମାଆ...ତୁ ଆ...
ରାଗ ହିଂସା ଲୋଭ ମୋହ କ୍ରୋଧ କାମ
ଷଡ ରିପୁ ଯେତେ ଭରି ଅଛି ମନ
କରି ବିସର୍ଜନ କରିବୁ ମା ଧ୍ୟାନ
ନିରୀହ ଭକତ ଅଟେ ତୋ ସନ୍ତାନ
ଦୟାକରି ଦେଇ ଯା.....
ଆ...ଲୋ...ମାଆ...ତୁ ଆ...
ପାପର ଭାରରେ ଧରା ଭାରାକ୍ରାନ୍ତ
ଅସହ୍ୟ ହେଲାଣି ଏ ପ୍ରାଣୀ ଜଗତ
ନାରୀଙ୍କୁ କଷଣ କରେ କଳୁଷିତ
ପାପୀଙ୍କର ପାପ ହେଲା କଣ୍ଠାଗ୍ରତ
କେମିତି ସହୁଛୁ ମାଆ.....
ଆ...ଲୋ...ମାଆ...ତୁ ଆ...
ଧରି ତୋ ଖଡଗ କର ତୁ ବିନାଶ
ସଂହାର କରିଦେ ଅସଭ୍ୟ ମଣିଷ
ମାନବ ରୂପରେ ମହିଷ ରାକ୍ଷସ
ତୋ ପାଦେ ମିନତି ରଖିଛୁ ବିଶ୍ୱାସ
ଉଦ୍ଧାର କରିଦେ ମାଆ.....
ଆ...ଲୋ...ମାଆ...ତୁ ଆ...
କୁନି କୁନି ହାତେ ଧରି ଜବା ହାର
ଗଳାରେ ଦେବୁ ମା ସେବି ତୋ ପୟର
ତୁହି ଏକା ସାହା ଭରସା ଆମର
ଦୁଷ୍ଟଙ୍କୁ ନିବାରି କର ତୁ ଉଦ୍ଧାର
ରକ୍ଷା କରିଦେ ଲୋ ମାଅ.....
ଆ...ଲୋ...ମାଆ...ତୁ ଆ...
ସେକ୍ଟର-୧୪,ଘ.ନ-ଏ/୧୨୧
ରାଉରକେଲା
ମୋ.୯୩୩୭୨୫୦୫୭୨
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।