10/03/2019

ଘରେ ନପଶୁଣୁ ଚ଼ାଳ ବାଜିଲାଣି

ଶିବ ପ୍ରସାଦ ବାହିନୀପତି 
  କେତେ ସୁଖ-ଦୁଃଖ ଓ ଭଲ-ମନ୍ଦର ସ୍ମୃତି ପୁସ୍ତକକୁ ଆମ ହାତରେ ଧରେଇ ଦେଇ ଦୁଇ ହଜାର ଅଠରର ସୂର୍ଯ୍ୟ ଅସ୍ତ ହୋଇ ଦୁଇ ହଜାର ଉଣିଶିର ନବ ଚିତ୍ରଭାନୁ ନୂଆ କରି ପାଦ ଥାପି ଥାଏ ବିଶ୍ବାକାଶରେ । ବିଦେଶୀ ପାର୍ବଣର ମସ୍‌ଗୁଲ୍‌ରୁ ବିରତି ମିଳି ନଥାଏ ବଲ୍ଲୀ ବାସିନ୍ଦାଙ୍କୁ । ଚାରିଆଡେ କୋଳାହଳମୟ ; ପାର୍ଟି-ପିକ୍‌ନିକ୍‌ର ମଜା ଉଠାଉ ଥା'ନ୍ତି ସମସ୍ତେ । ଏଇ କେଇଟା ଦିନ ହେବ ନୂଆବର୍ଷ ଆସିଛି ; ପ୍ରାୟ ଆଠ-ଦଶ ଦିନ ହେବ । ମଦ-ମାଂସର ଗନ୍ଧ ଛାଡ଼ିନି ଏଯାଏଁ ; ସାହିତ୍ୟ ଆସର ଓ ପରିଭ୍ରମଣ ସରିନି । ଆସୁ ଆସୁ ତା'ର ଅସଲ ରୂପ ପ୍ରଦର୍ଶନ କରିଦେଲା ଦୁଇ ହଜାର ଉଣିଶି । ଛୋଟ-ବଡ଼ କମାଲ୍‌ କରି ନିଜକୁ ପରିଚିତ କରିଦେଲା ପ୍ରାଣୀ ଜଗତରେ । କୋଉଠି ହୁଳହୁଳି ଓ ଶଙ୍ଖଧ୍ୱନି ତ ପୁଣି କୋଉଠି କାନ୍ଦ-ବୋବାଳି ଓ ଝାଞ୍ଜ-ମୃଦଙ୍ଗ ମାଡ଼ । କିଏ ଦୁର୍ଘଟଣାରେ ପ୍ରାଣ ହରାଇଲାଣି ତ କିଏ ବାଟବଣା ହୋଇ ଅବାଟରେ ପାଦ ଥାପିଲାଣି । ଘରେ ନପଶୁଣୁ ଚ଼ାଳ ବାଜିଲାଣି ; ଆଗକୁ କ'ଣ ହେବ ସମୟ ହିଁ ଜାଣେ ।

    ଦୁଇ ହଜାର ଉଣିଶି ଏମିତି ଏକ ଘଟଣା ଛିଡ଼ା କରାଇଲା ଆସୁ ଆସୁ ; ଯାହା ଚାଞ୍ଚଲ୍ୟ ଖେଳିଗଲା ଜନ ସମାଜରେ । ସେଦିନ ଥିଲା ରବିବାର ; ନବବର୍ଷର ନବ ରବି ରକ୍ତବର୍ଣ୍ଣ ଧାରଣ କରି ନଭ ପ୍ରଦେଶର ପ୍ରାଚୀ ତଟରୁ ପାଦ ପକାଇ ବାହାରିଲେଣି । ପଲପଲ ହୋଇ ପତଙ୍ଗଗଣ ଡ଼େଣା ଝାଡ଼ି ଖାଦ୍ଯ ଅନ୍ବେଷଣରେ ବାହାରି ଯିବା ସହ ଚାଷୀମାନେ ବି କ୍ଷେତକୁ ବାହାରି ଗଲେଣି । ପୋଖରୀ ତୁଠରେ ଶୁଭିଲାଣି ସ୍ତ୍ରୀ-ଲୋକ ମାନଙ୍କ କୋଳାହଳ ; ଚଳଚଞ୍ଚଳ ହୋଇ ଉଠିଲାଣି ପରିବେଶ । ମୁଁ ବି କେତେବେଳୁ ଶଯ୍ୟା ବର୍ଜି ଉଠି ସାରିଥିଲି ଏବଂ ମୋର ସକାଳ ପ୍ରହର କଫି ପିଇବା କାର୍ଯ୍ଯ ବି ସରି ସାରିଥାଏ । ଅଳ୍ପ ଅଳ୍ପ ଶୀତ ହେଉଥାଏ ; ଚାଦରଟାକୁ ଦେହରେ ଢ଼ାଙ୍କି ଦେଇ ମସିଣା ବିଛାଇ ଦାଣ୍ଡ ଘରଟାରେ ବସି ରହି ମୋବାଇଲରେ ହ୍ବାଟ୍‌ସ୍‌ଆପ୍‌ ଖୋଲି ସାହିତ୍ଯ ଭିତ୍ତିକ ପୋଷ୍ଟ୍‌ ସବୁକୁ ପଢ଼ୁଥାଏ । ପେପରବାଲା ପେପର ଫୋପାଡ଼ି ଚାଲି ଗଲାଣି । ମୁଁ ଅନ୍‌ଲାଇନ୍‌ରୁ ଖବର ସବୁ ପଢ଼େ ବୋଲି ପେପର୍‌ ମଗାଇବା ବନ୍ଦ କରି ଦେଇଛି ।

   ମୋବାଇଲରେ ହଠାତ୍‌ ଆସିଗଲା ସମ୍ବାଦପତ୍ରର ପି ଡ଼ି ଏଫ୍‌ । ଗୋଟି ଗୋଟି କରି ପଢ଼ିଲି ସମ୍ବାଦ, ସମାଜ, ପ୍ରଜାତନ୍ତ୍ର, ଧରିତ୍ରୀ, ନିତିଦିନ ଏବଂ କିଛି ଇଂରାଜୀ ସମ୍ବାଦପତ୍ର ସବୁ । ହଠାତ୍ ନଜର ପରିସରକୁ ଆସିଲା କନ୍ଧମାଳର ଏକ ଚାଞ୍ଚଲ୍ୟକର ସମ୍ବାଦ । ଶୀର୍ଷକଟି ଥିଲା ଅଷ୍ଟମ ଶ୍ରେଣୀ ଛାତ୍ରୀର ମାଆ ହେବା ଘଟଣା ଉପରେ । ଆଶ୍ଚର୍ଯ୍ୟ ଲାଗିଲା ମତେ ; ଅଷ୍ଟମ ଶ୍ରେଣୀର ଛାତ୍ରୀ ମାଆ ହେଲା ! କି ଯୁଗ ହେଲା ଇଏ !! ବଡ଼ ଆଚମ୍ବିତ ସମ୍ବାଦ ତ...। ସମ୍ବାଦଟିକୁ ଭଲ ଭାବରେ ପଢ଼ିଲି ; ଜାଣିଲି ଛାତ୍ରୀ ଜଣକ ଯୌନ ନିର୍ଯାତନାର ଶିକାର ସ୍ବରୂପ ଘଟଣାଟିଏ । ନଅ ଜଣଙ୍କୁ ବହିଷ୍କାର କରା ଯାଇଛି ଚାକିରୀରୁ । ଖାଲି ସେତିକି ନୁହେଁ ; ୟା' ଭିତରେ ଆଉ ଏକ କଥା ଅଛି ଯାହାକି ଲୋମ ଟାଙ୍କୁଳି ଉଠିବ ଏହାକୁ ଶୁଣିଲେ । କଥାଟି ହେଲା - ଘଟଣାଟିକୁ ଚପାଇ ଦେବାକୁ ଏକ ନୂତନ ଷଡ଼ଯନ୍ତ୍ର କରା ଯାଇଥିଲା । ଷଡ଼ଯନ୍ତ୍ରଟି ହେଲା - ପ୍ରସୂତିକୁ ଓ ତା'ର ଛୁଆକୁ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା ।

    ସ୍ଥାନୀୟ ଲୋକଙ୍କ ଜରିଆରେ ମାଆ ଓ ଛୁଆକୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା କରାଗଲା । ବିଦ୍ୟାଳୟ ପରିସରରେ ଲାଗିଲା ହଟଚମଟ ; ଖବର ପାଇ ପହଞ୍ଚିଲେ ନିକଟସ୍ଥ ଥାନା ଅଧିକାରୀ । ପହଞ୍ଚି ଗଲେ ବଡ଼ ବଡ଼ ବାବୁଭାୟା ମାନେ । ଅଶାନ୍ତମୟ ପରିବେଶ ସୃଷ୍ଟି ହେଲା ; ପରିଶେଷରେ ନଅ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଗଲା  । ବାସ୍‌ ; ଏତିକି ସମ୍ବାଦ ବ୍ଯତିତ ମୋତେ ଆଉ କିଛି ପ୍ରାପ୍ତ ହୋଇନି । ତେବେ ଏଠି ପ୍ରଶ୍ନ ଉଠୁଛି ; କାହାକୁ ଆଉ ବିଶ୍ବାସ ? ଜଣେ କନ୍ଯା ସନ୍ତାନ ଏତେ ଅବହେଳିତ ଓ ଯନ୍ତ୍ରଣାସିକ୍ତ କାହିଁକି ? କନ୍ଯା ସନ୍ତାନକୁ ଜନ୍ମ ଦେବାଟା କ'ଣ ପାପ କି ? ଯଦି ବିଦ୍ୟାଳୟରେ ଏଭଳି ଘଟଣା ଘଟି ପାରୁଛି ତେବେ କୋଉ ଭରସାରେ ଆଉ କନ୍ଯାଟିଏ ବିଦ୍ୟାଳୟକୁ ବା ଯିବ ? ସର୍ବତ୍ର "ସର୍ବଶିକ୍ଷା ଅଭିଯାନ" ନିୟମର ସ୍ଲୋଗାନ୍‌ "ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ" ଶୁଭୁଥିବା ବେଳେ ଏଭଳି ଘଟଣା ଏଇ "ସର୍ବଶିକ୍ଷା ଅଭିଯାନ"କୁ ହାସ୍ଯାସ୍ପଦ କରୁନାହିଁ କି ?

     ଏ ଘଟଣାର ଦିନେ-ଦୁଇଦିନ ପରେ ପୁଣି ଏଇଭଳି ଏକ ଘଟଣା ସେହି କନ୍ଧମାଳ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଲା । ମୁଁ ଅନ୍‌ଲାଇନ୍‌ ସମ୍ବାଦଟେ ପ୍ରାପ୍ତ କଲି ସେଦିନ " ଚତୁର୍ଥ ଶ୍ରେଣୀରେ ଅଧ୍ଯୟନ କରୁଥିବା ଜଣେ ଛାତ୍ରୀର ବଳାତ୍କାର ।" କ'ଣ ଏ ସବୁ ? କି ପ୍ରକାର ଏ ପ୍ରହସନ ? କନ୍ଧମାଳର ଶାସନ ବ୍ଯବସ୍ଥା ଏତେ ଢ଼ିଲା କାହିଁକି ?କ'ଣ ପାଇଁ ଏତେ ସବୁ ଅପକର୍ମ ? ସରକାରଙ୍କର ନାରା "ବେଟି ବଚାଓ- ବେଟି ପଢ଼ାଓ" କେତେ ମାତ୍ରାରେ ସଫଳ ଜଳଜଳ ଦୃଶ୍ୟମାନ । ମଣିଷ ଗୁଡ଼ାକ ଏତେ ହିଂସ୍ର କ'ଣ ପାଇଁ ? ସେହି ଝିଅ ଜାଗାରେ ଯଦି ଅପକର୍ମକାରୀର ଭଉଣୀ ଥା'ନ୍ତା ; ଆଉ ତାକୁ ଯଦି ଏଇ ଭଳି କିଏ କରିଥା'ନ୍ତା ? ତେବେ ସେ ଜାଣିଥା'ନ୍ତା କୋଉଟା ଠିକ୍ ଆଉ କୋଉଟା ଭୂଲ୍‌ ।  ଏସବୁ ହୁଗୁଳା ଶାସନ ବ୍ଯବସ୍ଥାର ପରିଣାମ ; କୁମ୍ଭକର୍ଣ୍ଣ ନିଦ୍ରାରେ ନିଦ୍ରିତ ସରକାର । ଓଡ଼ିଶାର ଆଇନ୍‌ କାନୁନ୍‌ "ଅନ୍ଧ ସରକାର ସ୍ଥାଣୁ ପ୍ରଶାସନ" ପରି ପ୍ରତୀୟମାନ ।

     ଇଏ ତ ଗଲା କନ୍ଧମାଳ କଥା । ଏବେ ଆସିବା ଖୋର୍ଦ୍ଧା ଜିଲ୍ଲାକୁ । କନ୍ଧମାଳର ଚତୁର୍ଥ ଶ୍ରେଣୀ ଛାତ୍ରୀର ବଳାତ୍କାର ପରେ ପରେ ଏଭଳି ଏକ ଘଟଣା ଲୋକ ଲୋଚନରେ ଦୃଶ୍ୟମାନ ହେଲା ଯାହାକି ହତଚକିତ ହୋଇଗଲେ ଖୋର୍ଦ୍ଧା ଜିଲ୍ଲାବାସୀ । ଜଣେ ଦୀନ ହୀନ ଲୋକର ଆତ୍ମହତ୍ୟା ଆବିଳତା ସୃଷ୍ଟି କଲା ଜନ ମାନସରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ପଞ୍ଜୀକରଣ ପାଇଁ ବ୍ଲକ୍‌ ଅଫିସ୍‌ ଯାଇଥିଲା ଲଖିଆ ବେହେରା । ଖଣ୍ଡିଆ ଚାଳଘର ସାଙ୍ଗକୁ ମାଟିକାନ୍ଥ ଓ ମାଟି ଚଟାଣ ତା'ର । ଖରା,ବର୍ଷା ଓ ଶୀତ-କାକରରୁ ରକ୍ଷା ପାଇବାକୁ ଛପର ବି ଭରସା ନୁହଁ  । ଅନ୍‌ଲାଇନ୍‌ ସମ୍ବାଦରୁ ଯାହା ଖବର ମିଳିଛି ମୁଁ କ'ଣ ସମସ୍ତ ଜନତା ସ୍ତବ୍ଧ । ଆତ୍ମହତ୍ୟାର ପୂର୍ବଦିନ ଲଖିଆ ବେହେରାର ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ପଞ୍ଜୀକରଣ ନିମନ୍ତେ ପନ୍ଦର ହଜାର ଟଙ୍କା ଦାବି କରିଛନ୍ତି ବି ଡ଼ି ଓ ; ଏକଥା ପ୍ରଚାର ହେବା ପରେ ସ୍ତବ୍ଧ ସମସ୍ତେ । ସେ ବି କହିଛି ପନ୍ଦର ହଜାର ଟଙ୍କା ଯଦି ମୋ ପାଖରେ ଥା'ନ୍ତା ତ ମୁଁ ମାଟି ଘର ସାଙ୍ଗକୁ ଟିଣ ଛପର କରି ଦେଇଥା'ନ୍ତି । ପନ୍ଦର ହଜାର କାହୁଁ ପାଇବି ଯେ ମୁଁ ଲାଞ୍ଚ ଦେବି ? ଆତ୍ମହତ୍ୟା କରିବା ପୂର୍ବରୁ ପ୍ରବଳ ବେଗରେ ଭାଇରାଲ୍‌ ହୋଇଛି ଏଇ ସମ୍ବାଦ ଭିତ୍ତିକ ଭିଡ଼ିଓଟି ଅନ୍ତର୍ଜାଲରେ । ସରକାରଙ୍କ ବ୍ଯବସ୍ଥାକୁ ଓ ଲାଞ୍ଚୁଆ ଅଫିସରକୁ ଚେତାବନୀ ଦେବାକୁ ନିଜ ଜୀବନୋତ୍ସର୍ଗ କରି ଦେଇଛି ଖୋଦ୍‌ ଯମରାଜଙ୍କ କତିରେ ।

    ତେବେ କୁହନ୍ତୁ ତ ; ଏ ସବୁ ଆଇନ୍‌-କାନୁନ୍‌ କାହା ପାଇଁ ? ଆମ ଓଡ଼ିଶାରେ ଆଇନ୍‌-କାନୁନ୍‌ କେବଳ କାଗଜପତ୍ରରେ ? ଏସବୁ ଯେଉଁ ଯୋଜନା - "ଅନ୍ତର୍ଦୋୟ ଅନ୍ନ ଯୋଜନା, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାଳିଆ ଯୋଜନା" ଆଦିର ମୂଲ୍ଯ କ'ଣ କୁହନ୍ତୁ ତ । ମୋ ଭାଷାରେ ଲୋକଙ୍କୁ ଭୁଆଁ ବୁଲେଇ ରାଜଗାଦି ଆରୋହଣ କରିବାର ଲୋଭ ବ୍ଯତିତ ଆଉ କିଛି ନୁହେଁ ।

ସମ୍ପାଦକ - ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ)
ଭାଟପଡ଼ା-ନିରାକାରପୁର-କଣାସ-ପୁରୀ 
୮୯୧୭୪୮୦୫୩୬

📝ଜୟ ସାହିତ୍ଯ ଜୟ ସମାଜ📝 

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।