ଗୀତା ଦାସ (ଶିକ୍ଷୟିତ୍ରୀ)

ମାତଃ ଦେବୀ ଦୁର୍ଗେ ଦୁର୍ଗତି ନାଶିନୀ
ଆଦ୍ଯାଶକ୍ତି ସନାତନୀ
ପରମମୟୀ ତୁ ଚ଼ିଦାନନ୍ଦମୟୀ
ଚୈତନ୍ଯମୟୀ ତୁ କାତ୍ଯାୟନୀ ।
ଶକ୍ତିମୟୀ ଶକ୍ତି ପ୍ରଦାନ କାରିଣୀ
ମେଧା , ଧୃତି , ସ୍ମୃତି ପ୍ରଦାୟିନୀ
ସତ୍ଯ , ଶାନ୍ତି , ଦୟା , କ୍ଷମା , ତ୍ଯାଗ , ନ୍ଯାୟ
ପ୍ରଦାନୀ ତୁ ଅଜ୍ଞାନ ନାଶିନୀ ।
କେତେ ଶରୀକାନ୍ତି ଧରି ବିରାଜିଛୁ
ସେ ରୂପକୁ କେ' କଳି ପାରିବ
ଯା'ର ଆଦି ଅନ୍ତ ନ ପାଆନ୍ତି କାହିଁ
କେବେହେଲେ ବ୍ରହ୍ମା ବିଷ୍ଣୁ ଶିବ ।
ଜନନୀ , ଭଗିନୀ , ଜାୟା , କନ୍ଯା ରୂପେ
ଅବତରୁ ତୁ ବିଶ୍ବ ଭୁବନେ
ମୁକ୍ତି ପ୍ରଦାୟିନୀ ସୌଭାଗ୍ୟ ଦାୟିନୀ
ସ୍ନେହ ଢ଼ାଳୁ ତୁ ନିର୍ମଳ ମନେ ।
ଦୁଷ୍ଟ ନିବାରିଣୀ ତ୍ରିପାପ ନାଶିନୀ
ଧର୍ମର କରୁ ତୁ ସଂସ୍ଥାପନ
ପଶିଲେ ଶରଣ ସନ୍ତାନ ପଣରେ
କରୁଥାଉ ତୁ ଅଭୟ ଦାନ ।

କରୁଣା କଣିକା ଲଭିବାର ପାଇଁ
କେତେ ଜପି ତପି ଦିବାନିଶି
ଧ୍ଯାଉଥା'ନ୍ତି ତୋର ଦିବ୍ଯ ଚ଼ରଣକୁ
ଦେଖିବାକୁ ତୋ' ବଦନ ଶଶୀ ।
ମା'ଲୋ ତୋ' ରୂପ ଅବତାରୀ ଧାରେ
ଗଢ଼ିଅଛୁ ନାରୀର ଜନମେ
ଚ଼ିନ୍ତେ ଚ଼ରଣରେ ଦିଅ ଦିବ୍ଯଜ୍ଞାନ
ବସି ମୋର ହୃଦ ସିଂହାସନେ ।
ନାରୀ ଜନ୍ମ ମୋର ସାର୍ଥକ କରାଅ
ସୁମାର୍ଗେ ସର୍ବଦା ଚ଼ଳାଇଣ
ଆସିଥିବା ଠାରୁ ଯିବା ଯାଏଁ ପଥ
ହେଉଥାଉ ମୋର ମୂଲ୍ଯବାନ ।
ସମ୍ପାଦିକା - ଶୁଭଶ୍ରୀ ସାରଦା
ବଳରାମପୁର - କୁଜଙ୍ଗ - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।