ବସନ୍ତ କୁମାର ପଣ୍ଡା
"ଅର୍ଚ୍ଚନା"......ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଛୋଟ ଘରଟିଏ ଭଡା ନେଇ ରହେ । ସାଥିରେ ତାର ରୋଗଗ୍ରସ୍ତ ସ୍ୱାମୀ,ଆଉ ଦୁଇଟି ଝିଅଙ୍କୁ ନେଇ ପରିବାର।ରୋଗାକ୍ରାନ୍ତ ସ୍ୱାମୀ ତାଙ୍କର କୌଣସି କାମ କରିବା ପାଇଁ ଅକ୍ଷମ ବରଂ ତାଙ୍କ ପାଇଁ ଡାକ୍ତରୀ ଓ ଔଷଧ ଖର୍ଚ୍ଚ ବାବଦକୁ ମାସକୁ ତିନି ହଜାର ଟଙ୍କା ଖର୍ଚ୍ଚ ହେବା ବନ୍ଧା।ତା' ଛଡା ସହରରେ ରହିବା, ଖାଇବା ଏବଂ ଦୁଇ ଝିଅଙ୍କର ପାଠ ପଢ଼ା ସାଙ୍ଗକୁ ଯାବତୀୟ ଖର୍ଚ୍ଚ ନିଜେ ଅର୍ଚ୍ଚନା ହିଁ ତୁଲାଇଥାଏ । ନୟାପଲ୍ଲୀ ଅଞ୍ଚଳରେ ଥିବା ବଡ଼ ଲୁକିଆଙ୍କ ଘରେ ବନ୍ଧା ସୂତ୍ରରେ ପ୍ରତିଦିନ ଅଇଁଠା ବାସନ କୁସନ ଧୋଇବା,ଲୁଗାପଟା ସଫା କରିବା,ଘର ସଫା କରିବା ଆଦି କାମ କରି ଥାଏ ।
ସେହି ଅଞ୍ଚଳରେ ଡଃ ମଦନ ପୁରୋହିତ ଏବଂ ତାଙ୍କର ପତ୍ନୀ କମଳା ଦେବୀ ରହୁଥାଆନ୍ତି । ମଦନ ବାବୁ ଜଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଉ କମଳା ଦେବୀ ମଧ୍ୟ ଅଧ୍ୟାପିକା ଅଟନ୍ତି । ଅର୍ଚ୍ଚନା ତାଙ୍କ ଘରେ ଦୈନନ୍ଦିନ କାମ କରିବା ପାଇଁ ଆଠବର୍ଷ ହେଲାଣି ଲଗାତର ଯାଉଛି । ଅର୍ଚ୍ଚନାକୁ ମଦନ ବାବୁ ଓ କମଳା ଦେବୀ ବହୁତ ଭଲ ପାଆନ୍ତି । ସବୁଦିନ ଆର୍ଚ୍ଚନା କାମ ସାରି ଫେରିବା ସମୟେ, କମଳାଦେବୀ କିଛି ନା କିଛି ତା' ହାତରେ ପିଲା ମାନଙ୍କ ପାଇଁ ଖାଇବା ଜିନିଷ ଦେଇ ପଠାନ୍ତି । ପର୍ବପର୍ବାଣୀରେ ମଦନ ବାବୁ ମଧ୍ୟ ତା ହାତରେ କିଛି ପଇସା ଦେଇ କହନ୍ତି ପିଲା ମାନଙ୍କ ପାଇଁ କିଛି ଭଲ କିଣି ନେବ। ଭାରି ଖୁସି ହୁଏ ଅର୍ଚ୍ଚନା । ଦିନେ ଆଉ ଗୋଟିଏ ବାବୁ ଘରେ ଅଜାଣତରେ କ'ଣ ଟିକିଏ ଭୁଲ କରି ପକେଇ ଥିଲା ଯେ,ବାବୁ ଜଣକ ଅର୍ଚ୍ଚନାର ସତାନି ସାତ ପୁରୁଷ ଉଠେଇ କଟୁ ଭାଷାରେ ଗାଳି କଲେ । ସେଠୁ କାମ ସାରି ମଦନ ବାବୁଙ୍କ ଘର ଅଭିମୁଖେ ଆସିଲା ।
ଅର୍ଚ୍ଚନା, ମୁହଁ ଥନ ଥନ କରି ଗେଟ୍ ଖୋଲି ଆସିଲା ବେଳକୁ, କମଳା ଦେବୀଙ୍କ ନଜର ପଡିଗଲା । ହଠାତ ଅର୍ଚ୍ଚନାର ଦୁଃଖ ଭାବ ଦେଖି ସେ ତାକୁ ପାଖକୁ ଡାକିଲେ ।ସବୁ କିଛି ବୁଝିଗଲା ପରି ଦୁଇ - ଚାରି ପଦ ମିଠା ମିଠା କଥା କହି ତାକୁ ହସାଇବାକୁ ଚେଷ୍ଟା କଲେ । ଏହିପରି କଥା ହଉଁ ହଉଁ ଅର୍ଚ୍ଚନାର ଅଧରରୁ ସ୍ମିତହାସ୍ୟ ଦେଖି କମଳା ଦେବୀ ଘରୁ ଆଣି ଦୁଇଟି କାକରା ପିଠା ଖାଇବାକୁ ଦେଲେ । ନେ' .... ଖା' । ବାବୁ ତୋ' ପାଇଁ ସାଇତି ରଖିଥିଲେ ।ଖାଇଦେ .. ଅର୍ଚ୍ଚନା ଖାଉଥାଏ ଏବଂ ମନେ ମନେ ଭାବୁଥାଏ....ଆଠ - ଦଶ ବର୍ଷ ହେଲା କେତେ ଘର ବୁଲି ବୁଲି ଏହି ଚାକରାଣୀ କାମ କରି ଆସୁଛି । କାହିଁ କେଉଁଠି ହେଲେ ଟିକେ ଆଦର ଶ୍ରଦ୍ଧା ପାଇ ପାରିନି । ଅନ୍ୟ ମାନଙ୍କ ଘରେ ତ କେତେ ଗାଳି , କଟୁ ଭାଷା ଏମିତିକି ବେଳେ ବେଳେ ମାଡ଼ ବି ଖାଇବାକୁ ପଡିଛି । ସତେକି ସଂସାର ସାରା ଲୋକଙ୍କ ହୃଦୟରେ ନିର୍ଦ୍ଦୟତା ବଷା ବାନ୍ଧି ସାରିଛି । ଯେମିତି କାହାରି ଅନ୍ତରରେ ଟିକିଏ ହେଲେ ଦୟା ନାହିଁ । ହେଲେ କେମିତି କେଜାଣି ଏହି ମାଲିକ ମଲିକାଣୀ ଦୁହେଁ ମୋତେ ଏତେ ଆପଣାର କରି ଥା'ନ୍ତି । ଆଗରୁ ମଧ୍ୟ କେତେଥର ଏହି ପ୍ରଶ୍ନ ମନକୁ ଆସିଛି କିନ୍ତୁ କିଛି ଜାଣି ପାରେନାହିଁ ।
କଥାରେ କଥାରେ ବାବୁ ଓ ବାବୁଆଣୀଙ୍କ ଜନ୍ମସ୍ଥାନ, ଅନ୍ୟାନ୍ୟ ପାରିବାରିକ ସମ୍ପର୍କରେ ମଧ୍ୟ ପଚାରି ପରୀକ୍ଷା ନିରୀକ୍ଷା କରି ସାରିଛି । କାହିଁ କେଉଁଠି ବି କୌଣସି ସମ୍ପର୍କର ଡୋରି ଖୋଜି ପାଇନାହିଁ । ତଥାପି ଏତେ ଭଲ ପାଇବା କାହିଁକି? ଏ ପ୍ରଶ୍ନଟିର ଉତ୍ତର ଜାଣିବାର ଇଛା ଆର୍ଚ୍ଚନାକୁ ପ୍ରବଳରୁ ଅତି ପ୍ରବଳ କରୁଥାଏ । ଥରେ ବାବୁ ଓ ବାବୁଆଣୀଙ୍କ କୋପ ପରଖିବା ପାଇଁ ଜାଣିଶୁଣି ଅଭିନୟ ଛଳରେ ରୋଷେଇ ଘରେ ଥିବା ଏକ କାଚ ଗ୍ଲାସକୁ ତଳେ ଖସେଇ ପକାଇ ଦେବାରୁ ଗ୍ଲାସ ଭାଙ୍ଗି ଚୁର୍ମାର ହେଇଗଲା।ବାବୁ ଓ ବାବୁଆଣୀ ଦଉଡି ଆସିଲେ ରୋଷେଇ ଘର ନିକଟକୁ । ଦୁହେଁ ଏକ ସାଙ୍ଗରେ କହି ଉଠିଲେ....କ'ଣ ହେଲା ଅର୍ଚ୍ଚନା ? ମା'.....କାଚଗ୍ଲାସଟି ହାତରୁ ଖସି ପଡିବାରୁ ତଳେ ପଡି ଭାଙ୍ଗିଗଲା ଯେ..... କମଳାଦେବୀ କହି ଉଠିଲେ....ହଉ କାଚ ଗ୍ଲାସକୁ ଛାଡ଼...... ଆଉ ଗୋଟିଏ କିଣି ନେବା । ତୁ ଠିକ ଅଛୁ ତ ? ହଁ...ମା'... ମୋର କିଛି ହେଇନି । ମଦନ ବାବୁ କହିଲେ - ହଉ ଧୀରେ ଧୀରେ ଧ୍ୟାନ ଦେଇ ସେ ଭଙ୍ଗା କାଚ ଗୁଡିକୁ ତୋଳି ଅଲଗା ରଖିବୁ ।
ଅର୍ଚ୍ଚନା, ଆଉ ଡେରି ନକରି ଭଙ୍ଗା କାଚ ଗୁଡିକୁ ତୋଳୁ ଥାଏ । ଆଉ ଭାବୁଥାଏ...ଏତିକି ଯଦି ଆଉ କାହା ଘରେ ଅଜାଣତରେ ଘଟି ଥାଆନ୍ତା, ହୁଏତ ମାଡ଼,ଗାଳି ଆଉ ତା' ସହିତ କାଚ ଗ୍ଲାସଟିର ତଣ୍ଡ ବାବଦକୁ ଦରମାରୁ ପଇସା କାଟି ଦିଆ ଯାଇଥା'ନ୍ତା । ଏମିତି ଦେବୀ - ଦେବତା ରୂପୀ ହୃଦୟବାନ ମଣିଷଙ୍କ କୋଳରେ ବିଧାତା ଯଦି ଜନମ ଦେଇଥାନ୍ତେ....!ଏମିତି କେତେ କଣ ଭାବୁ ଭାବୁ ଅର୍ଚ୍ଚନା ଆଖିରୁ ଲୁହ ଟୋପାଏ ଝରି ଆସିଲା । କାନିରେ ଲୁହକୁ ପୋଛିଦେଇ ନିଜ କାମରେ ଲାଗି ପଡିଲା ଅର୍ଚ୍ଚନା । ଏମିତି ଦିନେ ଅର୍ଚ୍ଚନା ଶୁଣିବାକୁ ପାଇଲା ଯେ, ଆଉ କିଛିଦିନ ପରେ,ବାବୁ ଓ ବାବୁଆଣୀ 'ନୟାପଲ୍ଲୀ' ଛାଡି 'ପଟିଆ' ଅଞ୍ଚଳରେ ନବନିର୍ମିତ ନିଜସ୍ୱ ଘରକୁ ଚାଲିଯିବେ । ଅର୍ଚ୍ଚନାର ମନ ଭାରି ଦୁଃଖ ହେଲା । ଆଉ କ'ଣ ଏତେ ଦୂରକୁ କାମ କରିବାକୁ ଯାଇପାରିବ ? ଆଉ କ'ଣ ଏଇ ଦୁଇ ଠାକୁର - ଠାକୁରାଣୀଙ୍କର ଦର୍ଶନ ତଥା ସେବା କରିବାର ସୁଯୋଗ ପାଇପାରିବ ? ଏମିତି ସେ ମନେ ମନେ ଭାବୁଥାଏ । ଆଉ ଏ ବି ଭାବୁଥାଏ ଯେ, ବାବୁ ଓ ବାବୁଆଣୀ ଏ ଜାଗା ଛାଡିବା ପୂର୍ବରୁ ମନରେ ଥିବା ସବୁଠାରୁ ବଡ଼ ପ୍ରଶ୍ନ ଉତ୍ତର ଜାଣିବାକୁ ସେ ନିଶ୍ଚୟ ସଫଳ ପ୍ରୟାସ କରିବ ।
କିଛିଦିନ ବିତିଗଲା ; ସବୁଦିନ ପରି ସେଦିନ ବି ଅର୍ଚ୍ଚନା ସକାଳୁ କାମ କରିବାକୁ ଆସିଥାଏ । କମଳାଦେବୀ ଅର୍ଚ୍ଚନାକୁ ପାଖକୁ ଡାକିଲେ । ଆଉ ପାଖରେ ବସେଇ କହିଲେ, କାଲି ଠାରୁ ତୋତେ ଦେଖିବାକୁ ଆମର କ'ଣ ସୁଯୋଗ ଆଉ ପାଇବୁନି ? ହଠାତ ଅର୍ଚ୍ଚନା ହୃଦୟରୁ ଦୁଃଖର କୋହଟା ଯେମିତି ଛାତିକୁ ଫଟେଇ ବାହାରକୁ ବାହାରି ଆସୁଥାଏ । ଦୁଇ ଓଠକୁ ଚାପି ଧରି ନିରୁତ୍ତର ରହିଲା ସେ ।
ଆଉ କ'ଣ କିଛି କହିବୁନି?
ଅର୍ଚ୍ଚନା.... ହୁଁ...ମୁଁ ଗୋଟିଏ କଥା ପାଚାରନ୍ତି ମା' ?
ହଁ.. ହଁ..ପଚାର ଅର୍ଚ୍ଚନା ପଚାର ।
ମା'.....ଦୁନିଆ ଆଗରେ, ମୁଁ ଯେତେବେଳେ ଗୋଟିଏ ଚାକରାଣୀ ; ନିର୍ଦ୍ଦୟତା,ନିଷ୍ଠୁରତା,କ୍ରୁରତା,ନିର୍ମମତା ମୋର ଚିର ସାଥି । ହତାଦର,ଘୃଣା,ହତାଶା ମୋର ଆଭୂଷଣ ଆଉ ଦୁଃଖ ଓ ଦରିଦ୍ରତା ମୋ ଜୀବନ ଜାତକ ରେଖା ହୋଇଥିବା ବେଳେ,ଆପଣଙ୍କ ଠାରୁ ଯେଉଁ ଅମୂଲ୍ୟ ଆଉ ଦାରୁଣ ନାଶକ ସ୍ନେହ,ଶ୍ରଦ୍ଧା ଦୀର୍ଘ ବର୍ଷ ହେଲା ପାଇ ଆସୁଛି ଏହାର କାରଣ କ'ଣ ?
ତୁ ବହୁତ ବଡ଼ ପ୍ରଶ୍ନଟିଏ କରିଦେଲୁ ଅର୍ଚ୍ଚନା ! ହଉ ଶୁଣୁ... ତୋରି ପରି ମୁଁ ମଧ୍ୟ ଜଣେ ଦରିଦ୍ର ବିଧବା ଚାକରାଣୀର ଝିଅ ଥିଲି । ମୋ ମା' ଠିକ୍ ତୋରି ପରି ସହରରେ ଘର ଘର ବୁଲି ଚାକରାଣୀ କାମ କରୁଥିଲା ।ଛୋଟିଆ ଝୁମ୍ପୁଡିରେ ମା',ମୁଁ ଓ ମୋର ଗୋଟିଏ ବୋଲି ଛୋଟ ଭାଇ ରହୁଥିଲୁ । ସେଦିନ ମୋ ମା' ସବୁଦିନ ପରି କାମ କରିବାକୁ ଯାଇଥାଏ । ହଠାତ ମୋ ଭାଇକୁ ବହୁତ ଜ୍ୱର ଆସିଲା । ଅସମ୍ଭାଳ ହେବାରୁ ମୁଁ ଖୋଜି ଖୋଜି ଯାଇ ମୋ ମା' କାମ କରୁଥିବା ବାବୁଙ୍କ ଘରେ ପହଞ୍ଚିଲି । ଡରରେ ଚୁପ୍ଚାପ୍ ଝରକା ପାଖରେ ଛିଡା ହୋଇ,ମୋ ମା'କୁ ଆଖେଇବାକୁ ଚେଷ୍ଟା କଲି । ହେଲେ ସେ ଘରଟା ଭିତରେ ମୋ ମା'ର ଅବସ୍ଥା ଯାହା ଦେଖିଲି........!
କହୁଁ କହୁଁ କମଳାଦେବୀଙ୍କ ଆଖିରୁ ଝରି ଆସୁଥାଏ ଲୁହର ଧାର । କିଛି ସମୟ ନିରବ ରହି ପୁଣି କହି ଚାଲିଲେ କମଳା ଦେବୀ - ମୋ ମା'କୁ ସେ ଘର ମାଲିକାଣୀ ଝାଡୁରେ ମାରୁ' ଥାଏ । ମଝିରେ ମଝିରେ ଗୋଇଠା, ବିଧା,ଚାପୁଡା ବି ମାରୁଥାଏ । ଆଉ ଖୁବ ଚିତ୍କାର କରି ଭାରି କଟୁ ଭାଷାରେ ମୋ ମା' କୁ ବହୁତ ଗାଳି ଦେଉଥାଏ।ମୋ ମା' ସବୁ ସହି ଯାଉଥିଲା।
ମୁଁ ସେହି ଝରକା ପାଖରେ ଠିଆ ହୋଇ ସବୁ ଦେଖୁଥାଏ । ହଠାତ୍ ମୋ ମା' ର ନଜର ପଡିଗଲା । ସବୁ କଥାକୁ ମୋତେ ଲୁଚେଇବାକୁ ଚେଷ୍ଟା କରି ତା ଆଖିରୁ ଝରି ପଡିଥିବା ସବୁ ଲୁହକୁ ପାଣି ଛାଟି ଧୋଇ ଦେଲା । ଆଉ ବାହାରକୁ ଆସି ମୋତେ ଆସିବାର କାରଣ ପଚାରିଲା । ମୁଁ ସବୁ କହିଲି । ମୋ ମା' ତା' ଦୁଇ ଆଖିର ପଲକକୁ ଚାପି ଧରି ଦୀର୍ଘ ଶ୍ୱାସଟିଏ ନେଲା । ସତେ ଯେମିତି ସେ ପୁରା ଥକି ଯାଇଛି । ଆଉ ଦୁଃଖର ବୋଝ ବହିବାକୁ ଅକ୍ଷମ ।ମୋତେ ବାହାରେ ଅପେକ୍ଷା କରିବାକୁ କହି ମା' ପୁଣି ଭିତରକୁ ଗଲା । ମାଲିକାଣୀକୁ କିଛି ପଇସା ପାଇଁ ନେହୁରା ହେଲା । ହେଲେ ମାଲିକାଣୀ ଏତେ ରାଗି ଯାଇଥିଲା ଯେ ପଇସା ଦେବା ପରିବର୍ତ୍ତେ ଧକା ଦେଇ ଘରୁ ବାହାର କରିଦେଲା । ମୋ ମା' ଆଉ ବିଳମ୍ବ ନକରି ମୋତେ ସାଥିରେ ଧରି ଧାଇଁ ଧଇଁ ଆମ ଝୁମ୍ପୁଡିକୁ ଆସିଲା । ଆଉ ମୋ ଭାଇକୁ କାନ୍ଧରେ ପକାଇ ସରକାରୀ ଡାକ୍ତରଖାନାକୁ ଆଣିଲୁ । ଡାକ୍ତର ଔଷଧ ଲେଖିଦେଲେ । ହେଲେ ଔଷଧ କିଣିବାକୁ ପାଖରେ ପଇସା ନଥାଏ । ମୋ ମା' ଔଷଧ ଦୋକାନିକୁ ବାକି ଦେବାକୁ କେତେ ନେହୁରା ହେଲା । କେହି ତା କଥା ରଖିଲେନି । ଔଷଧ ନ ପାଇବାରୁ ମୋରି ଆଖି ଆଗରେ ଆଉ ମୋ ମା' ର କାନ୍ଧ ଉପରେ ମୋ ଭାଇଟି ଆର ପାରିକୁ ଚାଲିଗଲା । ମା' ଆଉ ମୁଁ କେତେ କାନ୍ଦିଛୁ.......।ଅର୍ଚ୍ଚନା ସବୁ କଥା ଗୋଟି ଗୋଟି କରି ତଳକୁ ମୁହଁ ପୋତି ଶୁଣୁଥାଏ । କମଳା ଦେବୀ ନିଜ ଆଖି ଲୁହକୁ କାନୀରେ ପୋଛି ହୋଇ ପୁଣି କହିବାକୁ ଲାଗିଲେ ।
........ତାପରେ ମା'ମୋତେ ଏକ କନ୍ୟା ଆଶ୍ରମରେ ଛାଡି ଦେଇ ଆସିଥିଲା । ସେଇଠି ପାଠ ପଢ଼ିଲି । ସେହି ଦୁଃଖ ଦିନରେ ଘଟି ଯାଇଥିବା ଘଟଣା ଗୁଡିକ ମୋ ମନରେ ସେଇମିତି ଅଲିଭା ଚିହ୍ନ ହୋଇ ରହିଛି ।
ଏବେ ସିନା ମୋ ମା' ନାହିଁ ଆଉ ସେହି ଦୁଃଖର ଦିନ ନାହିଁ ; ହେଲେ ତୋ ପରି ଚାକରାଣୀଟିଏ ଦେଖି ସେମାନଙ୍କ ଭିତରେ ମୋ ମାଆକୁ ଦେଖିଥାଏ । ଆଉ ସେ ପୁରୁଣା ଦୁଃଖଦ ଅନୁଭୂତି ସବୁ ଆପେ ଆପେ ମନେ ପଡ଼ିଯାଏ । ଏବେ ତୁ କହ ଅର୍ଚ୍ଚନା... ତୋତେ କ'ଣ ମୁଁ ହତାଦର କଲେ, ଆର ପାରିରେ ଥିବା ମୋ ମା' ମୋତେ କ'ଣ କ୍ଷମା ଦେବ ?
ବଇଞ୍ଚା,ଇରମ,ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।