ସ୍ମିତା ମହାନ୍ତି

ନାଁଟି ଓଡ଼ିଆରେ ଟିକିଏ ଅଜବ ଲାଗୁଥିଲେ ମଧ୍ୟ ଗୋଟିଏ ସ୍ତ୍ରୀ ଲୋକର ନାଁଟିଏ । ଉପାଧି ମିଳିଛି "ସାଲୁମରଡ"। "ସାଲୁମରଡ଼" ଶବ୍ଦର ଅର୍ଥ ଧାଡି ଧାଡି ଗଛ (କନ୍ନଡ ଭାଷାରେ )। ତେବେ ଏ ଦୁଇଟି ଶବ୍ଦର ସମ୍ପର୍କ କ'ଣ ?ବହୁତ ନିବିଡ଼ ଥିଲା ଥିମକ୍କାର ଗଛ ମାନଙ୍କ ସହ ସମ୍ପର୍କ ।ତେବେ ଏ ସମ୍ପର୍କ ଏତେ ନିବିଡ ହେଲା କିପରି କାହା ଯୋଗୁଁ ? ଅଭାବୀ ସଂସାରରେ ଜନ୍ମିତା ଥିମକ୍କା ବିଚାରି ଶ୍ରୀ ଅକ୍ଷର ବର୍ଜିତା ଥିଲା ସିନା ହେଲେ ମନ ଭିତରେ ବହୁ ବଡ଼ ବଡ଼ ସ୍ୱପ୍ନ ଦେଖିବାରେ ପିଲାଟି ଦିନରୁ ଅଭ୍ୟସ୍ତ । ପାଠ ପଢ଼ିବାର ଅଭିଳାଷ ଆଗରେ ପ୍ରତିବନ୍ଧକ ସାଜିଥିଲା ଧନ । ଯେଉଁ ବୟସରେ ବହିବସ୍ତାନି ଧରି ସାଙ୍ଗସାଥି ମେଳରେ ସ୍କୁଲ ଯିବା କଥା ସେ ବୟସରେ ସେ ଉଠାଇ ଥିଲା ସଂସାରର ବୋଝ ; ହେଲେ ଭାଙ୍ଗି ପଡ଼ିନାହିଁ ସେ । ବରଂ ତା'ର ମନୋବଳ ହେଇଚି ଦୃଢରୁ ଦୃଢତର । ନୂଆ କରି କିଛି କରି ଦେଖାଇବାର ଜିଜ୍ଞାସା ତଥାପି ମରିନି ତା' ହୃଦୟରୁ ।
ଏମିତି ଅନେକ ଦିନ ପରିବାରର ଆର୍ଥିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆଣିବାର ଚେଷ୍ଟା କରୁ କରୁ କେତେବେଳେ ବିବାହ ସମୟ ଉପନୀତ ହୋଇଛି ଜାଣି ପାରିନି ସେ । ଏବେ ସଂସାର ରୂପକ ଜୁଆଳି ତା' ବେକରେ ଛନ୍ଦିବାକୁ ବାପା ମା'ଙ୍କ ଜିଦ୍ । ଥିମକ୍କାର ବାହା ନ ହେବାର ଜିଦ୍ ଫିକା ପଡ଼ିଯାଏ ସେମାନଙ୍କ ଜିଦ୍ ପାଖେ । ବାଧ୍ୟ ହୋଇ ହସି ହସି ସ୍ଵାଗତ କରେ ସେମାନଙ୍କ ନିଷ୍ପତ୍ତିକୁ । ଜାଣିବାକୁ ପାଇଲା ଯାହାକୁ ନେଇ ସଂସାର କରିବ ସେ , ନା ହେଲା ତା'ର ଚିକ୍କୟା । ଅସୁମାରୀ ସ୍ୱପ୍ନ ଦେଖିଲା ଚିକ୍କୟାକୁ ନେଇ । ଚିକ୍କୟା ସହ ସଂସାର କରିବ ; ତା' ଘରଦ୍ୱାର ଲିପାପୋଛା କରି ସୁନ୍ଦର କରିବ । ଚିକ୍କୟା କାମରୁ ଫେରିବା ବାଟକୁ ଚାହିଁ ବସିବ । କୁନା - କୁନି ଆସିବେ ତା' କୋଳକୁ । ଘର ତା'ର ପୂରି ଉଠିବ । ଏହିପରି ଅନେକ ସ୍ବପ୍ନ । ଏହିପରି ସ୍ୱପ୍ନ ଦେଖୁ ଦେଖୁ ବିବାହର ଦିନ ଆସି ପହଞ୍ଚି ଯାଇଛି ତା' ସାମ୍ନାରେ । ଚିକ୍କୟାର ଜୀବନ ସାଥୀ ହୋଇ ଯାଇଛି ଥିମ୍ମକା । ତା' ଛୋଟ ଘରକୁ ଆପଣାର ମନେ କରି ସଫାସୁତୁରା କରି ବେଶ ସୁନ୍ଦର କରିଛି । ଚିକ୍କୟାର ସାଧାରଣ ଘରଟି ଥିମ୍ମକାକୁ ରାଜଉଆସ ପରି ମନେ ହେଉଛି । କିନ୍ତୁ ଥିମକ୍କାର ଖୁସିରେ ଦିନେ ପଡିଗଲା ପୂର୍ଣ୍ଣଛେଦ । ବିବାହର କିଛି ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ କୋଳକୁ ଛୁଆଟେ ଆସିଲା ନାହିଁ । ସଂସାରରେ ପୂର୍ଣ୍ଣତା ଅନୁଭବ ସେତେବେଳେ ହୁଏ ଯେତେବେଳେ ଘରକୁ ଶିଶୁଟିଏ ଆସେ । ତା' କାର୍ଯ୍ୟକଳାପ ଦେଖି ଉଭୟ ବାପା-ମା'ଙ୍କ ସହ ପରିବାରର ଅନ୍ୟମାନେ ବି ବେଶ ଖୁସି ଅନୁଭବ କରନ୍ତି । କିନ୍ତୁ ବିଧିର ଵିଧାନ ଥିଲା ତା'
ପାଇଁ ସମ୍ପୂର୍ଣ୍ଣ ଭିନ୍ନ । ଅନେକ ଟାହିଟାପରାର ଶିକାର ହେବାକୁ ପଡିଲା ତାକୁ । ହେଲେ ଏହି ବିପରୀତ ପରିସ୍ଥିତିରେ ଭାଙ୍ଗି ପଡିବା ପରିବର୍ତ୍ତେ ସେ ଅସୀମ ମନୋବଳ ନେଇ ସ୍ୱାମୀ ସହ ପଥର ହାଣିବା କାର୍ଯ୍ୟ କରିବା ସହ ଅନ୍ୟ ଘରେ ମଧ୍ୟ କାମ କରୁଥିଲା । ନିଜର ଗୁଜୁରାଣ ମେଣ୍ଟିବା ସହ ସମୟର ସଦୁପଯୋଗ ପାଇଁ ସେ ଏହି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଲା । କିନ୍ତୁ ଖରାଦିନେ ଯେତେବେଳେ ସେ ପଥର ହାଣିବା ପାଇଁ ଚିକ୍କୟା ସହ ଯାଏ ସେ ଲକ୍ଷ କଲା ଯେ ତା' ଗାଁରୁ ପାଖ ଗାଁକୁ ଲମ୍ବିଥିବା ରାସ୍ତାର ଦୁଇ ପାର୍ଶ୍ଵରେ ବୃକ୍ଷ ଛ।ୟା ଅଭାବରୁ ସେ ନିଜେ ବହୁତ ହାଲିଆ ହୋଇ ଯାଉଛି ଓ ଅନ୍ୟ ବଟୋଇ ମାନେ ହନ୍ତସନ୍ତ ହେଉଛନ୍ତି ; ସେ ସମସ୍ୟାର ସମାଧାନ ପାଇଁ ସେ ସମୟରେ ତା' ମନରେ ନୂଆ ଚିନ୍ତାଧାରା ଉଙ୍କି ମାରିଲା ।
ମଣିଷକୁ ଜୀବଦାନ ଦେବାରେ ଅସମର୍ଥ ହେଲେ କଅଣ ହେଲା , ଅନ୍ୟ କାହାକୁ ତ ଜୀବଦାନ ଦେଇ ପାରିବ ।ଛୁଆଟିଏ ଆସିଥିଲେ ହୁଏତ ତା' ପରିବାର ଲୋକ ଖୁସି ହୋଇ ଥାଆନ୍ତେ । ହେଲେ ଏହି ଯୋଉ ଚିନ୍ତା ତା' ମନରେ ଆସିଛି ତା' ଦ୍ୱାରା ଲକ୍ଷାଧିକ ଲୋକଙ୍କ ମନରେ ଖୁସି ଆଣି ପାରିବ ଓ ସେମାନଙ୍କ ଜୀବନ ବଞ୍ଚିବା ସହ ପୃଥିବୀ ମାତା ମଧ୍ୟ ଖୁସି ହେବ । ଏହି ମହାନ ଚିନ୍ତା ସହ ସେ ଘରେ କିଛି ବରଗଛର ଚାରା ପ୍ରସ୍ତୁତ କଲା । ମଠିଆରେ ବୋହି ପାଣି ଦେଇ ବର୍ଷା ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିଲା । ନିଷ୍ପତ୍ତି ନେଲା ଯେ ବର୍ଷା ଋତୁରେ ସେଗୁଡିକ ନେଇ ତା' ଗାଁରୁ ଲମ୍ବିଥିବା ରାସ୍ତାରେ ରୋପଣ କରିବ । ଯାହାଦ୍ୱାରା ଗଛ ଗୁଡିକୁ ପାଣି ଦେବା ପାଇଁ ପଡିବ ନାହିଁ । ସେଗୁଡିକ ଆରାମରେ ବଢି ଯିବେ । ଏହି ଅଭିନବ ପ୍ରୟାସ ଦ୍ୱାରା ପାଖାପାଖି ୪୦୦ରୁ ଉର୍ଦ୍ଧ୍ଵ ଗଛ ରୋପଣ କରିବାରେ ସେ ସଫଳ ହେଲା ।
ଉନ୍ନତ ଚିନ୍ତାଧାରା ଯୋଗୁଁ ସେ ଆଜି ସାରା ବିଶ୍ୱରେ ଏକ ଶ୍ରେଷ୍ଠ ପରିବେଶବିତ୍ ଭାବେ ମାନ୍ୟତା ହାସଲ କରିଛି । ୮୦୦୦ ପାଖାପାଖି ବୃକ୍ଷ ରୋପଣ କରିବାର ଗୌରବ ମଣ୍ଡନ କରିସାରିଛି । ଯାହା ପାଇଁ (ବି ବି ସି) ତାଙ୍କୁ ବିଶ୍ୱର ୧୦୦ ମହିଳାଙ୍କ ଭିତରୁ ଜଣେ ବୋଲି ବାଛି ତାଙ୍କୁ ସମ୍ମାନିତ କରିଛି । ଏହିପରି ଅନେକ ସମ୍ମାନରେ ସେ ଭୂଷିତା ଯେପରିକି (Mother of tree , Sahara India purshkar ,Green India ,Green mother award ,ଏବଂ ଗତ ବର୍ଷ National citizen award ) । ୧୦୬ ବର୍ଷ ବୟସରେ ପଦାର୍ପଣ କରିଥିଲେ ହିଁ ସ୍ୱପ୍ନ ଦେଖିବା ବନ୍ଦ କରିନି ସେ । "ମାନବ ସେବା ହିଁ ଇଶ୍ୱର ସେବା" ଏହି ଉକ୍ତିକୁ ଜୀବନର ମନ୍ତ୍ର ରୂପେ ପାଳନ
କରି ଆସିଥିବା ଥିମକ୍କା ; ନିଜ ଗାଁରେ ଏକ ବିରାଟ ପାଣିଟାଙ୍କି କରିଛି ଯାହାକି ଖରାଦିନେ ପାଣିର ଅଭାବ ଦୂର କରିବା ସହ ମେଳା ବା ଯାତ୍ରା ସମୟରେ ଖୁବ୍ ଦରକାରୀ ହୋଇପାରିଛି । ସ୍ୱାମୀ ନାଁରେ ଏକ ହସ୍ପିଟାଲ ଖୋଲିବାର ଇଚ୍ଛା ରଖିଛି , ଯାହା ଦ୍ୱାରା ନିଜ ଆଖପାଖ ଗାଁର ଗରିବ ଲୋକମାନେ ନିଃଶୁଳ୍କ ସେବା ପ୍ରାପ୍ତ କରି ପାରିବେ । ଭଗବାନ ସେହି ମହିୟସୀ ମହିଳାଙ୍କ ଇଚ୍ଛା ପୂରଣ କରନ୍ତୁ ; ଯିଏକି ସମଗ୍ର ନାରୀ ସମାଜ ପାଇଁ ଜଣେ ଜ୍ୱଳନ୍ତ ଉଦାହରଣ ହୋଇ ପାରିଛନ୍ତି । ବିଶ୍ଵ ପରିବେଶ ଦିବସରେ ଭଗବାନଙ୍କ ନିକଟରେ ଏତିକି କାମନା । ରାଉରକେଲା
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।