10/03/2019

ତୁମ ବିନା ପ୍ରାଣ ରହିବ ନାହିଁ


    ⭕ମାଧବାନନ୍ଦ ଭୋଇ

କାହିଁ ଗଲେ ମୋର ପରାଣ ବନ୍ଧୁ ,
ବିରହ ବେଦନା ପାରୁନି ସହି ,
କେଳି କୁଞ୍ଜ ଆଉ ଯିବିନି ସଜନୀ
ପ୍ରିୟ ବିନା ପ୍ରାଣ ରଖିବି ନାହିଁ   ।।

ବାଜୁ ଯେତେ ପଛେ ନିନ୍ଦା ବାଜଣା ,
ସହିବି ମୁଁ ତା' ଲାଗି ନିତି ଗଞ୍ଜଣା ,
ଦିବା - ନିଶି ତା'ର ନାମ ଚିନ୍ତୁଥିବି ,
ଲଭି ମାୟା ଭବେ ଦୁଃଖ ଯାତନା  ।।

ମରମ ଦହୁଛି ପ୍ରୀତି ପ୍ରେମାନଳେ ,
ଅନ୍ତର ବେଦନା ବୁଝୁଛି କିଏ ?
ଗରଳ ପରାୟେ ଲାଗୁଛି ଜୀବନ ,
ବିଷୟା ରସରେ ବୁଡିଛି ଯିଏ ।।

କଣ୍ଟକ ବନେ ଭ୍ରମାଉଛ ତେଣେ ,
ମାୟାଧର ବଡ କପଟୀ ତୁମେ ,
ରୁଧିର ବହିଲେ ଶାନ୍ତ ହେବ ରୋଷ ,
ଶରଣ କି ଦେବ ତୁମ ଚରଣେ  ?

କମଳ ଚରଣେ ଆଘାତ ଲଭିଲେ ,
କମ୍ପି ଉଠେ ପ୍ରାଣ ତୁମରି ପାଇଁ ,
ସୁଚିତ୍ତେ ବିଚାର କର ଚିତ୍ତ ଚୋର ,
ନାମ କି ବହିଛ ଜଗତ ସାଇଁ ?

ଛାଡି ସବୁ ଆଶା କରିଛି ଭରସା ,
କୃପା ନେତ୍ରେ ଦିଅ ଟିକେ ଅନାଇ ,
କରୁଣା ସାଗର ଦୟାର ଭଣ୍ଡାର ,
ତୁମ ବିନା ପ୍ରାଣ ରହିବ ନାହିଁ  ।।

   📝 କାର୍ଯ୍ୟ ନିର୍ବାହୀ ସମ୍ପାଦକ 📝
ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ)
ପାଟସୁନ୍ଦରପୁର-ବ୍ରାହ୍ମଣ ସାଇଲୋ-୦୧୮
ସମ୍ପର୍କ -୯୨୩୮୫୮୯୧୦୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।