
ଥିମ୍ ବର୍ଷା ଉପରେ.....ପ୍ରତିଯୋଗିତା ପାଇଁ ପଦେ.....
'ବର୍ଷା' - ଏ ଶବ୍ଦର ଅର୍ଥ ବ୍ଯାପକ । ବର୍ଷା କ'ଣ କେବଳ ପ୍ରକୃତିରେ ଆସେ ??? ଆସେନି ମଣିଷର ଦୁଃଖରେ ! କାହାର ଶରୀର ପ୍ରେମରେ ଅବା ବହୁ ଅନୁଭବରେ ? ବର୍ଷା ଥିମ୍କୁ ନେଇ କ'ଣ କେବଳ ପ୍ରକୃତି ବର୍ଣ୍ଣନା ସମ୍ଭବ ? ମଣିଷ ଜୀବନରେ ଏ ଶବ୍ଦର ବ୍ଯାପକତାକୁ କ'ଣ ଏକ ସୃଜନଶୀଳ ଲେଖନୀ ପ୍ରକାଶ କରି ପାରନ୍ତାନି ?
ସେଇ ଭାବନା କାହିଁ ? ସେଇ ଅନୁଭବ କାହିଁ ? ଏକ ସୃଜନଶୀଳ ଲେଖନୀରୁ ମୁଁ ସେଇ ସୃଜନଶୀଳତା ଚାହେଁ ଯାହା ଲେଖକ ବା ଲେଖିକାର ସ୍ବକୀୟ ଆବିଷ୍କାର । ତା'ର ଏକ ନିଜସ୍ବ ସତ୍ତାକୁ ପରିପ୍ରକାଶ କରିବ । ଯାହା ଅଛି , ଯାହା ସମସ୍ତେ ଜାଣନ୍ତି ସେଇ କଥାକୁ ହିଁ ଆପଣମାନେ ଆପଣଙ୍କ ଲେଖା ମାଧ୍ଯମରେ ଏପଟ ସେପଟ କରି କହିବେ ; ଏକଥା ପାଠକ ପାଇଁ ନୂଆ କ'ଣ ? ଏ କୌଣସି text syllabus ହୋଇନି ଯେ ଏଥିରେ ଆମେ data ଦେବା । data based ଲେଖା ନଲେଖି creativity ଉପରେ ଧ୍ଯାନ ଦେଇଥିଲେ ଭଲ ହୋଇଥା'ନ୍ତା ।
ଏଥର ଆସିଥିବା ସମସ୍ତ ଲେଖା ପ୍ରାୟ ଗୋଟେ ପ୍ରକାରର । ସମସ୍ତେ ସେଇ ବର୍ଷା ଋତୁର ପ୍ରକୃତି ବର୍ଣ୍ଣନା କରିଛନ୍ତି । data based.... Creativ କାହିଁ !
ମୋର ଲେଖାର ଅର୍ଥକୁ ପ୍ରତିଯୋଗୀ ମାନେ ଆଗାମୀ ପ୍ରତିଯୋଗୀତାରେ ଆପଣେଇଲେ ଅନ୍ତତଃ ବିଚାରକୁ ଆସିଥିବା ଲେଖା ପଢ଼ିବା ବେଳେ ବିଚାର ସହଜ ହୁଅନ୍ତା ।
ଆସନ୍ତା ଗଳ୍ପ ପ୍ରତିଯୋଗିତାରେ ପୁଣିଥରେ ଗଳ୍ପର ଥିମ୍ 'ବର୍ଷା' ରହିବ । ସୃଜନ କର୍ମରେ ସୃଜନଶୀଳତାକୁ ସ୍ଫୁଟନ କରିବାକୁ ପ୍ରାୟାସ ହୁଅନ୍ତୁ ।
:- ଏକ ଛୋଟ ଉଦାହରଣ ପାଇଁ ଗଳ୍ପାଂଶଟିଏ ଉଦ୍ଧୃତ କରିବାକୁ ସମୀଚୀନ ମନେ କରୁଛି ।
[ ଅମରର କୋହ ତା' ଆଖିରେ ଶ୍ରାବଣ ହୋଇ ଝରୁଥିଲା । ଭିତରର କୋହ , ଘର୍ମାକ୍ତ ସ୍ଥିତି ଓ ବାହାରେ ବର୍ଷାର ତୀବ୍ରତାର ଆଲିଙ୍ଗନ ଭିତରେ ସେ ଆକ୍ତାମାକ୍ତା ।
ତଥାପି ବାହାରେ ବର୍ଷାର ତାଣ୍ଡବ ।
ତା' ଭିତରର ଶ୍ରାବଣର କୋହ ଓ ବାହାରେ ବର୍ଷାର ନୃତ୍ଯ ଏକାକାର । ଆଖିରୁ ଝରୁଥିବା ଲୁହ ଆଉ ଆଖିପତାରୁ ଟପ୍ ଟପ୍ ଖସୁଥିବା ପାଣି ଏକାକାର । ମାନସୀ ଦେଖିଲା ଅମର ମୁହଁରେ ହସ । ବର୍ଷାରେ ତିନ୍ତିବାକୁ ଉପଭୋଗ କରିବାର ପ୍ରବଣତା ।
ଭିତରଟାକୁ ଲୁଚେଇ ଦେବାରେ , ଛପେଇ ଦେବାରେ ବର୍ଷା ମାହିର୍ । ମାନସୀ ଚାଲିଯାଉଥିଲା । ତା' ଯିବା ବାଟକୁ ଅନେଇ ବର୍ଷାକୁ ଧନ୍ଯବାଦ ଦେଉଥିଲା ଅମର । ]
ସମସ୍ତ ସାରସ୍ବତ ସ୍ରଷ୍ଟାଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ସମସ୍ତେ ସୁସ୍ଥ ଓ ନିରାପଦ ରୁହନ୍ତୁ ।
ବିଚାରକ- ଉଦୟ ଭାନୁ

ପଦ୍ମାଳୟା ମିଶ୍ରଙ୍କ "ନିରାକାର" ; ଏକ ସଫଳ ସୃଷ୍ଟି
କଣ୍ଡୁରୀ ଚରଣ ରାଉତ
କିନ୍ନରମାନଙ୍କ ପ୍ରତି ଥିବା ସାମାଜିକ ଦୃଷ୍ଟିକୋଣ ଓ ଆଭିମୁଖ୍ୟର କଳଙ୍କିତ ପରମ୍ପରା ବିରୁଦ୍ଧରେ ଏକ ପ୍ରଚଣ୍ଡ ବିଦ୍ରୋହ ଗାଳ୍ପିକା ପଦ୍ମାଳୟା ମିଶ୍ରଙ୍କ ଗଳ୍ପ 'ନିରାକାର' ।ଗଳ୍ପଟିରେ ସାମାଜିକ ବିଧି ବ୍ୟବସ୍ଥାରେ ଘଟୁଥିବା ଅନେକ ଅବ୍ୟବସ୍ଥିତ କରୁଣ ପରିସ୍ଥିତିକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି , ଯାହାକି ପାଠକମାନଙ୍କୁ କିନ୍ନରମାନଙ୍କ ପ୍ରତି ସମାଜରେ ଥିବା ଦୃଷ୍ଟଭଙ୍ଗୀ ପ୍ରତି ସଜାଗ କରାଇଛି ।
ନିଜ ବୃଥା ଅହଙ୍କାର,ଆତ୍ମସମ୍ମାନ ଓ ପ୍ରତିପତ୍ତିକୁ ବଞ୍ଚାଇବାକୁ ଯାଇ ମଣିଷ କେଉଁ ସ୍ତରକୁ ଯାଇପାରେ ତା'ର ଏକ ଜ୍ବଳନ୍ତ ଉଦାହରଣ ନିରାକାରର ବାପା ଓରଫ୍ ମନ୍ତ୍ରୀ ବନମାଳୀ ସାମଲ । ସଂପ୍ରତି ଏକବିଂଶ ଶତାଦ୍ଦୀରେ ପୁରୁଷ ପ୍ରଧାନ ସମାଜରେ , ପାରିବାରିକ ଜୀବନ ଭିତରେ ପ୍ରତ୍ୟହ ନିଜ ଇଚ୍ଛା ଅନିଚ୍ଛାକୁ ବଳି ପକେଇ ଉତ୍ତପ୍ତ ଦୀର୍ଘଶ୍ବାସରେ ବଞ୍ଚୁଥିବା ନାରୀମାନଙ୍କର ପ୍ରତିନିଧିତ୍ବ କରିଛନ୍ତି ନିରାକାର ଓରଫ୍ ନୀଲମ ଦେବୀଙ୍କ ମାଆ ମମତା ।ଆଖିର ଲୁହକୁ ଓଠରେ ପିଇ,ମାତୃ ହୃଦୟ ତାଙ୍କର ବିଳପି ଉଠିଛି ।ଅଧିକାଂଶ ନାରୀ ଚରିତ୍ର ପରି ପଦ୍ମାଳୟାଙ୍କ ମମତା ବି ମାତୃତ୍ବର ଅଭିମାନରେ ପୁତ୍ର ସପକ୍ଷରେ ନିଜ ପତିର ଭାବାନ୍ତରର ପ୍ରତିବାଦ କରି ପାରିନି ।
ଗଳ୍ପର ମୁଖ୍ୟ ଚରିତ୍ରକୁ ସ୍ବୟଂସଂପୂର୍ଣ୍ଣ କରି ଗଢି ତୋଳିଛନ୍ତି ଗାଳ୍ପିକା । ପ୍ରତିକୂଳ ପରିସ୍ଥିତିରେ ଜୀବନ ଯୁଦ୍ଧରେ ହାରି ନ ଯାଇ ଜିଇବାର କଳା ନିରାକାରର ବନ୍ଧୁର ଜୀବନ ପଥକୁ ଅବଲୋକନ କଲେ ସ୍ପଷ୍ଟ ପ୍ରତୀୟମାନ ହୁଏ । ସମାଜର ଉପେକ୍ଷା ଓ ଅବମାନନା ବିଶେଷକରି ନିଜ ବାପାଙ୍କର ତା' ପ୍ରତି ଥିବା ଘୃଣା ଯୋଗୁଁ ପ୍ରାରମ୍ଭିକ ଜୀବନରେ କିନ୍ନରର ଅର୍ଥ ବୁଝି ନ ଥିବା ନିରାକାର ହୀନମନ୍ୟତାର ଗ୍ଲାନିରେ ଅସୀମ ଯନ୍ତ୍ରଣା ଓ ଅପମାନ ଭୋଗ କରିଛି ।
ଆତ୍ମୀକ ସୌନ୍ଦର୍ଯ୍ଯ ଦୃଷ୍ଟିରୁ ଦେଖିଲେ ମାନବୀୟ ମୂଲ୍ୟବୋଧ ପ୍ରତି ବେଶି ଢଳିଛନ୍ତି ଗାଳ୍ପିକା । କ୍ରୂରତା,ପାଶବିକତା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ନୀଲମ ଚରିତ୍ର ମାଧ୍ୟମରେ ।
ଶେଷ ଆଡକୁ କାହାଣୀଟିର ନାଟକୀୟତା ବହୁତ ଭଲ ଲାଗିଛି ।ଯେଉଁ ବାପା ଦିନେ ତା'କୁ କିନ୍ନର ବୋଲି ଘୃଣା କରିଥିଲେ ,ନିଜର ସନ୍ତାନ ବୋଲି ସ୍ବୀକାର କରି ନ ଥିଲେ ; ବରଂ ଅକଥନୀୟ ନିର୍ଯାତନା ଦେଇଥିଲେ ତାଙ୍କର ଡାକରା ପାଇ ଖୁସିରେ ଆତ୍ମହରା ହୋଇ ଉଠିଛି ନୀଲମ ଦେବୀ ।ଜନ୍ମମାଟିର ଡାକରାରେ ଅତ୍ୟଧିକ ଭାବପ୍ରବଣ ହୋଇ ଧାଇଁ ଯାଇଛି ଗାଁ' କୁ ।ଆଶା ଥିଲା ବାପା ତା'କୁ ଆପଣେଇ ନେବେ ।କିନ୍ତୁ ନିଜର ଆଶା ଆଶାରେ ରହିଯାଇଛି । କୁପଥଗାମୀ ବଳାତ୍କାରୀ ପୁତ୍ରର ଆଭିଜାତ୍ୟକୁ ଜାବୁଡ଼ି ଧରିଥିବା ଜଣେ ଅହଙ୍କାରୀ ପିତା ତଥା ରାଜନେତାର ସ୍ବାର୍ଥପରତା ଓ ଅସହାୟତାକୁ ଲକ୍ଷ୍ୟ କରି ନିରାଶ ହୋଇଛି ।ଫେରି ଆସିଛି ନିଜ କର୍ମସ୍ଥଳୀକୁ ।
ପରିଶେଷରେ ଏତିକି କହିବି 'ନିରାକାର' ସାମାଜିକ ଚେତନାଭିତ୍ତିକ ଗଳ୍ପ ଭାବେ ଏକ ନିର୍ଦ୍ଦିଷ୍ଟ ପାଠକୀୟ ପ୍ରଶଂସା ଦାବି କରେ ।ବିଚାରକ ମଣ୍ଡଳୀର ନିଷ୍ପତ୍ତି ଯେ ଯଥାର୍ଥ ଏଥିରେ ଦ୍ବିମତ ନାହିଁ ।ସମସ୍ତ ପ୍ରତିଯୋଗିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଗାଳ୍ପିକା ପଦ୍ମାଳୟା ମିଶ୍ରଙ୍କୁ ସାରସ୍ବତ ସମ୍ମାନ ସହ ଅଭିନନ୍ଦନ ଜଣାଉଛି ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
⭐ତ୍ରିପାଦ⭐
ଡକ୍ଟର ଲକ୍ଷ୍ମଣ ସାହୁ
ସମାଜରେ କିନ୍ନର ଏକ ଅବହେଳିତ ଚରିତ୍ର । ସେମାନଙ୍କ ପାଇଁ ଆଇନ୍ କାନୁନ୍ ଯେତେ ପରିବର୍ତ୍ତନ କରାଗଲେ ମଧ୍ୟ ସହଜରେ ତାକୁ ସମାଜ ଗ୍ରହଣ କରେ ଭାବିବା ଠିକ ନୁହେଁ । ହୁଏତ ସେମାନଙ୍କ ଥଇଥାନ ବ୍ୟବସ୍ଥା ପାଇଁ ସରକାରଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ । ତା' ସତ୍ତ୍ୱେ ବି ଅନ୍ଧ ସମାଜରେ କିନ୍ନରଙ୍କୁ ଉପହାସ କରାଯାଏ ! ଏହାକୁ ସାମ୍ନାରେ ରଖି କରାଯାଇଥିବା ପ୍ରତିଯୋଗିତାର ସମସ୍ତ ଗଳ୍ପ ଉପଭୋଗ୍ୟ ହୋଇଛି । ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ନଦେଇ ରହିପାରୁନି । ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ପ୍ରତ୍ୟେକ ଗଳ୍ପ ଉପସ୍ଥାପନ କରି ସମାଜର ଅନ୍ଧ ବିଶ୍ବାସ ଓ ଭ୍ରାନ୍ତ ଧାରଣାକୁ ବଦଳାଇ ଦେବାକୁ ଚେଷ୍ଟା କରିଛନ୍ତି , ନୂଆ ଦିଶା ଦେଇଛନ୍ତି । ବିଶେଷ ଆଲୋଚନାକୁ ନନେଇ ଗାଳ୍ପିକ/ଗାଳ୍ପିକାମାନଙ୍କ ମନଛୁଆଁ ଗଳ୍ପର କିୟତାଂଶକୁ ଏଠାରେ ଦର୍ଶାଇବାକୁ ଯାଉଛି ।
ଗାଳ୍ପିକା ସ୍ମିତା ମହାନ୍ତିଙ୍କ ଗଳ୍ପରେ :-
ଏପରିକି କାହା ଘରେ କିନ୍ନର ପିଲାଟିଏ ଜନ୍ମ ହେଲେ ପିତା ମାତାଙ୍କୁ ସମାଜରେ ଅନେକ ଟାହିଟାପରା ଶୁଣିବାକୁ ପଡିଥାଏ, ସମାଜରୁ ବାସନ୍ଦ ହେବା ଡରରେ ନିଜ ସନ୍ତାନକୁ କିନ୍ନର ସମାଜକୁ ପଠେଇବା ପାଇଁ ତିଳେ ହେଲେ ହେଳା କରି ନଥାନ୍ତି । ସ୍ରଷ୍ଟାଙ୍କ ବିଚିତ୍ର ସୃଷ୍ଟିକୁ ଆମେ ଅମର୍ୟ୍ୟାଦା କରିବା କେତେଦୂର ଯଥାର୍ଥ ?
ଥରେ କିନ୍ନର ବସ୍ତିକୁ ସ୍ତ୍ରୀଟିଏ ଦଉଡ଼ି ଆସି ଭିକ୍ଷା ସ୍ୱରୂପ ମାଗି ଆସେ କୌଣସି କିନ୍ନରର ପାଲଟା ଲୁଗା । କେହି କିଛି ଭାବିବା ଆଗରୁ ରୁମକୁ ପଶି ଆସି ଲୁଗାପଟା ଥାକରୁ ଭିଡିନିଏ ଶାଢୀଟିଏ । ପ୍ରତିଦାନ ସ୍ୱରୂପ ୫୦୦୦ ଟଙ୍କା ଥୋଇଦେଇ ଦଉଡ଼ି ପଳାଏ । ତା ପଛରେ ଅସ୍ମିତ ଧାଇଁ ଯାଏ ତା' ଟଙ୍କା ଫେରାଇବାକୁ ଯାଇ ଦେଖେ ତ ସେ ଆଉ କେହିନୁହେଁ । ତା ସାନ ଭାଇର ସ୍ତ୍ରୀ । ପଛକୁ ଫେରି ଆସେ । ବାଟରେ ଥିବା ମନ୍ଦିରରେ ମୁଣ୍ଡିଆ ମାରି କୁହେ ହେ ଭଗବାନ ତୁମେ କଣ ସତରେ ଅଛ ? ଯେଉଁ ପରିବାର ପାଇଁ ମୁଁ ଅଭିଶାପ ସାଜିଥିଲି ଆଜି ମୋ ଆଶୀର୍ବାଦ ସେ ପରିବାର ପାଇଁ ନିତାନ୍ତ ଲୋଡ଼ା ? ସମୟର ଚକ୍ର କେଡେ ବିଚିତ୍ର ବୋଲି ପ୍ରଶ୍ନର ଚକ୍ରବ୍ୟୁହରେ ଛନ୍ଦି ହୋଇପଡେ ଅସ୍ମିତ ! ....
ଗାଳ୍ପିକ ଦ୍ୱାରିକା ନାଥ ଦାଶଙ୍କ ଗଳ୍ପରେ :-
ଦିନେ ହଠାତ୍ ମୋହନ ବାବୁ ଅଫିସ୍ରୁ ଫେରି ଦେଖନ୍ତି, ମହିଳା କୋଳରେ ମଥା ରଖି ଶୋଇଛି ତାଙ୍କ ଅବୋଧ ପୁତ୍ର ଦିବ୍ୟ । ମହିଳା ତାକୁ କୋଳେଇ ନେଇଛି । ପରପାରିରେ ଥିବା ପତ୍ନୀ କଥା ମନେପଡ଼ି ଯିବାରୁ , ବାବୁଙ୍କ ନେତ୍ରରୁ ବହି ଚାଲିଲା ଅମାନିଆ ଅଶ୍ରୁ । ଦେଖିଦେଲେ ମହିଳା ଜଣକ, ପଚାରିଲେ-ଆପଣ କାନ୍ଦୁଛନ୍ତି! ମୁଁ କ'ଣ କିଛି ଭୁଲ୍ କଲି କି ? ତାଙ୍କ ଆଖିରେ ଥିଲା ପ୍ରେମ ଭରା ଇସାରା । ନା-ନା ତୁମେ ନୁହେଁ..... ବିଚରା ମାଆ ଛେଉଣ୍ଡ ପୁଅକୁ ଦେଖି ତା' ମାଆ କଥା ମନେ ପଡିଗଲା। ବିଚାରି ଆମ ଦୁଇଜଣଙ୍କୁ ଛାଡ଼ି ପର ପାରିରେ ଶାନ୍ତିରେ ଅଛି । ଆଉ ଆମେ ..... କୋହ ସମ୍ଭାଳି ପାରିଲେନି ମୋହନ ବାବୁ ।
ନ୍ୟାୟଧୀଶଙ୍କ ସମ୍ମୁଖରେ ବାସନ୍ତୀକୁ ପତ୍ନୀ ରୂପେ ଗ୍ରହଣ କଲେ ମୋହନ ରାଉତରାୟ। ନ୍ୟାୟଧୀଶ ସେ ଦୁହିଁକୁ ଆଶୀର୍ବାଦ କଲେ । ବାସନ୍ତୀ ସଜ୍ଜଳ ନିୟନରେ ଚାହିଁଥିଲା ମୋହନ ବାବୁଙ୍କୁ । ତା'ର ଅନୁଭବ ହେଉଥିଲା ସତେ ଯେପରି ସ୍ୱୟଂ ଜଗନ୍ନାଥ ତା' ସମ୍ମୁଖରେ ଦଣ୍ଡାୟମାନ । ମୋହନ ବାବୁଙ୍କ ପାଦକୁ ଜାବୁଡି ଧରିଲା ଏକ ନିର୍ଭୟ ଆଶ୍ରୟ ପାଇ । କିନ୍ତୁ ମୋହନ ବାବୁ ଅନୁଭବ କରୁଥିଲେ ସର୍ବ ଗୁଣା ସଂମ୍ପନ୍ନା ବାସନ୍ତୀକୁ, ତା ହୃଦୟରେ ଭରି ରହିଥିବା ବାତ୍ସଲ୍ୟ ମମତାକୁ ଏବଂ ସ୍ରଷ୍ଟାର ଅନବଦ୍ୟ ସୃଷ୍ଟିକୁ ।......
ଗାଳ୍ପିକା ପଦ୍ମାଳୟା ମିଶ୍ରଙ୍କ ଗଳ୍ପରେ :-
ବାପା କ'ଣ ଜାଣନ୍ତି ତାଙ୍କ ପ୍ରଥମ ସନ୍ତାନ ନିରାକାର, ଯାହାକୁ ସେ କିନ୍ନର ବୋଲି କେବେ ବି ଗ୍ରହଣ କରି ପାରି ନାହାନ୍ତି , ସେ ହିଁ ଆଜିର ପ୍ରଖ୍ୟାତ ସମାଜସେବୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କିନ୍ନର ନୀଲମ୍ ଦେବୀ ।
ଏକ ନିଛାଟିଆ ଯାଗାରେ ଚଉ' ବର୍ଷର ଝିଅ ସାଙ୍ଗେ ଛ' ଜଣ ଗଣଦୁଷ୍କର୍ମ କରୁଥିଲେ । ସେ ଝିଅକୁ ଉଦ୍ଧାର କରିବା ସହ ନୀଲମ୍ ଦେବୀ ଓ ତାଙ୍କ ସାଥି ମାନେ ସେ ଛ' ଜଣ ଅପରାଧୀଙ୍କୁ ଧରି ଥାନାରେ ଦେଇଥିଲେ ।
ନୈତିକ ଫଟୋ ଦେଖିଲା ପରେ ବାପାଙ୍କ ଭେଟିବାର ଇଚ୍ଛା କାରଣ ଜାଣି ପାରିଲେ । ସେ ଛ' ଜଣ ଅପରାଧୀ ମଧ୍ୟରେ ଜଣେ ନୈତିକ ।
କେତେ ଟଙ୍କା ନେଲେ ତୁମ ସଂସ୍ଥା ଏ କେସରୁ ଓହରି ଯିବ ?
ମତେ କ୍ଷମା କରିବେ ..
ନିଜ ଭାଇକୁ ବଞ୍ଚା ।
ନୈତିକ ସହ ସେ ଝିଅକୁ ସାବାଳିକା ହେଲା ପରେ ବିବାହ କରାଇବେ ବୋଲି ଗଣମାଧ୍ୟମରେ ପ୍ରତିଶ୍ରୁତି ଦେଇ ପାରିବେ । "
ନୀଲମ୍ ଦେବୀ ଚାଲି ଯାଉଥିଲେ । ମନ୍ତ୍ରୀ ବନମାଳୀ ସାମଲଙ୍କୁ ନିରାକାର ମଧ୍ୟରେ ସେହି ପରଂବ୍ରହ୍ମଙ୍କ ଆକାର ଦିଶୁଥିଲା ।
ଗାଳ୍ପିକା ସ୍ମିତା ମହାନ୍ତିଙ୍କ ଗଳ୍ପରେ- ପଳାୟନ ପନ୍ଥୀ , ପରଂପରାର ଅନ୍ଧ ବିଶ୍ୱାସକୁ ବାନ୍ଧି ରଖିଥିବା ବେଳେ ପୁନର୍ବାର ତାହାର ପୁନରାବୃତ୍ତି ନଘଟିବ କିଏ କହିବ ? ଦ୍ଵାରିକାନାଥଙ୍କ ଗଳ୍ପରେ ପରଂପରାରର ଲକ୍ଷ୍ମଣ ରେଖା ଡେଇଁ ଆଶ୍ରୟ ଭିନ୍ନ ଢ଼ଙ୍ଗରେ ଦେବା ସମାଜକୁ ନୂଆ ବାର୍ତ୍ତା କେତେଦୂର ସହାୟତା ଦେବ ବିଚାର୍ୟ୍ୟ ଯୋଗ୍ୟ, ଭବିଷ୍ୟ ଅନେକ ପ୍ରଶ୍ନବାଚୀ ପ୍ରସ୍ତୁତ କରିପାରେ ? ଗାଳ୍ପିକା ପଦ୍ମାଳୟା ମିଶ୍ରଙ୍କ ଗଳ୍ପରେ . ଆତ୍ମନିର୍ଭରଶୀଳତାର ନୂତନ ବାର୍ତ୍ତା, ସମାଜ ସେବା , ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ, ମାନବିକତାର ସ୍ୱଊ ନିକଟରେ ରକ୍ତ ସଂପର୍କ ବି ଫିକା ପଡିଯାଇଛି । ବାସ୍ତବରେ ଏହି ତ୍ରିପାଦ ବିଶେଷ ଗଳ୍ପର ମାନସ ମନ୍ଥନ କରିବାର ବେଳ ଉପଗତ ..!!!
ତାରା ନିଳୟ , ପ୍ଳଟ ନମ୍ବର - ୮୫୪/ଏ
ଚାଚରା ଶବରସାହି, ମୁକୁନ୍ଦ ପ୍ରସାଦ
ଖୋର୍ଦ୍ଧା-୫୫ , ଦୂରଭାଷ- ୯୦୪୦୧୫୧୪୭୫
(ଦେବଯାନୀ ଦାସ,ବିଚାରକ)
ଭଲ ଗଳ୍ପଟିଏ ପଢିବାର ଇଚ୍ଛା ସବୁବେଳେ ଥାଏ ମୋର ଜଣେ ଗାଳ୍ପିକା ଭାବରେ। ରଚନାତ୍ମକ ଶୈଳୀ ପ୍ରତି ବେଶୀ ଧ୍ୟାନ ଦେଇଥାଏ ମୁଁ। ବିଷୟବସ୍ତୁ ଯାହା ହେଇଯାଉ ନା କାହିଁକି ରଚନାର ଚାତୁର୍ଯ୍ୟତା ଓ ଏକ suspenseରହିଲେ ସେ ଗଳ୍ପ ପାଠକ ମନକୁ ଛୁଇଁଯାଏ।
ଏଥର ଆମର ବିଷୟବସ୍ତୁ ଖୁବ୍ ଭଲ ଥିଲା "କିନ୍ନର"। ଏ ଶବ୍ଦଟି ସହିତ ଜଡିତ ଅନେକ କିଛି ଈଶ୍ବରଙ୍କ ଅନନ୍ୟ ସୃଷ୍ଟି ଠାରୁ ଆରମ୍ଭ କରି ମାନସିକ ତାଡନା , ସାମାଜିକ ତାଡନା , ଅସହାୟ ବୋଧ ଠାରୁ ସଂଘର୍ଷର ଉର୍ଦ୍ଧ୍ଵକୁ ଉଠିବାର ପ୍ରୟାସ। ଏ ଶବ୍ଦ ସହ କାହାଣୀମାନ ଯେମିତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ,ଏ ଶବ୍ଦ ସହ ବଞ୍ଚୁଥିବା ମଣିଷମାନେ ଯେମିତି ପ୍ରତ୍ୟେକ ଗୋଟିଏ ଗୋଟିଏ କାହାଣୀ। ଏ କାହାଣୀ ସବୁକୁ କଲମ ମୁନରେ କେତେ ମାର୍ମିକ କରି ଉତାରି ପାରିବ ଜଣେ ଲେଖକ ତା'ଚାତୁର୍ଯ୍ୟତା ଉପରେ ନିର୍ଭର କରେ। ଶଦ୍ଦ ସବୁ ମାର୍ମିକ ,ଶାଣିତ ,ଓ ହୃଦୟ ନିରୃତ ସ୍ଥାନକୁ ସ୍ପର୍ଶ କରିବା ଦରକାର।
ସବୁଥର କହୁଛି ଗଳ୍ପ--ଗଳ୍ପର ଶୈଳୀରେ ଉତୁରିବା ଦରକାର । ପ୍ରବନ୍ଧ ଭଳି ନୁହେଁ କି ଘଟଣାକୁ ବର୍ଣ୍ଣନା କଲାଭଳି ନୁହେଁ। ପ୍ରତିଯୋଗୀମାନେ ଏ ବିଷୟରେ ଧ୍ୟାନ ଦିଅନ୍ତୁ। ଆସିଥିବା ଗଳ୍ପ ମାନଙ୍କ ମଧ୍ୟରୁ ବିଜୟିନୀ ପଦ୍ମାଳୟା ମିଶ୍ରଙ୍କ ଗଳ୍ପ ଏଇ ଶୈଳୀକୁ ଛୁଇଁ ପାରିଛି ଓ ଏମିତି ଏକ ସ୍ଥିତି ରହିଛି ଗଳ୍ପଟି ମଧ୍ୟରେ ଯାହାକୁ ମୁଁ କହୁଛି suspenseତାହାହିଁ ଗଳ୍ପକୁ ରୁଚିକର କରାଏ। ଏ ସବୁରେ ପୃଷ୍ଟ ତାଙ୍କ ଗଳ୍ପ।
ଆଉ କେତେକଙ୍କର କାହାଣୀ ଥିଲେ ମଧ୍ୟ ରଚନା ଶୈଳୀ ପ୍ରବନ୍ଧକୁ ସୂଚାଏ। କାହାଣୀ ଯାହା ଥିଲେ ବି ଗଳ୍ପ ଲେଖାର ଆରମ୍ଭ କାହାଣୀ ମଝିରୁ ହିଁ ଆରମ୍ଭ କରନ୍ତୁ ଓ ପୂର୍ବାପର ପ୍ରସଙ୍ଗକୁ ସେଇ ମଧ୍ୟରେ ଉପସ୍ଥାପନା କରନ୍ତୁ। ଯେଉଁମାନେ ବି ଗଳ୍ପ ପଠାଇଛନ୍ତି ସମସ୍ତ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ। ସମସ୍ତଙ୍କର ଚେଷ୍ଟା ପ୍ରଶଂସନୀୟ। ସମସ୍ତଙ୍କୁ ଧନ୍ୟବାଦ। ସୁସ୍ଥ ଓ ନିରାପଦ ରୁହନ୍ତୁ। ଶୁଭକାମନା ସହ..........
ବସନ୍ତ ମଞ୍ଜରୀ ଦାସଙ୍କ ରମ୍ୟ ରଚନା "ଅଗାଣ୍ଡିଆ ରଜାକୁ ପାଳଚୁଣ୍ଟା ମନ୍ତ୍ରୀ":- ଏକ ସମୀକ୍ଷା
==============
କଣ୍ଡୁରୀ ଚରଣ ରାଉତ,ଶିକ୍ଷକ
ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟୀ ହୋଇଥିବାରୁ ସର୍ବ ପ୍ରଥମେ ଲେଖିକା ବସନ୍ତ ମଞ୍ଜରୀ ଦାସଙ୍କୁ ସାଦର ଅଭିନନ୍ଦନ ଜଣାଉଛି । ଉଦୟ ଭାନୁ ପରିବାରଦ୍ବାରା ଆୟୋଜିତ ତଥା ସଦ୍ୟ ସମାପ୍ତ ସାପ୍ତାହୀକ ସାହିତ୍ୟ ପ୍ରତିଯୋଗିତା କ୍ରମରେ ଏ ସପ୍ତାହର ବିଷୟ ବସ୍ତୁ ଥିଲା ରମ୍ୟରଚନା ଓ ପ୍ରସଙ୍ଗ ଥିଲା 'ଅଗାଣ୍ଡିଆ ରଜାକୁ ପାଳଚୁଣ୍ଟା ମନ୍ତ୍ରୀ' । ଏଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ସାରସ୍ବତ ସାଧକଙ୍କୁ ଯଥାମାନ୍ୟ ।
ରମ୍ୟ ରଚନା କହିଲେ ପ୍ରଧାନତଃ ଲଘୁ ବିଷୟ ଅବଲମ୍ବନରେ ଲିଖିତ ହାସ୍ୟରସାଶ୍ରିତ ସୁଖପାଠ୍ୟ ରଚନାକୁ ବୁଝାଏ । ବିଭିନ୍ନ ଦିଗ ସଂପର୍କୀୟ ତତ୍ତ୍ବ ସହିତ ତଥ୍ୟର ସୁଷମ ସମନ୍ବୟ ରମ୍ୟ ରଚନାର ଉପସ୍ଥାପନା ଶୈଳୀକୁ ଅଧିକ ମାର୍ଜିତ କରେ । ସେମିତି ଲେଖିକା ବସନ୍ତ ମଞ୍ଜରୀ ଦାସ ନିଜସ୍ବ ଲେଖାରେ ଭରପୂର ମନୋରଞ୍ଜନ ଦେବାର ଚେଷ୍ଟା କରିଛନ୍ତି । ଅନେକତ୍ର ସାବଲୀଳ କାବ୍ୟିକ ପ୍ରବାହ ଲେଖିକାଙ୍କ ଉତ୍କୃଷ୍ଟ କଳ୍ପନାବିଳାସର ପରିଚୟ ପ୍ରଦାନ କରେ ।
ସଂପ୍ରତି କରୋନା ମହାମାରି କବଳରେ ସମଗ୍ର ବିଶ୍ବ କବଳିତ ହେଇଥିଲା ବେଳେ ମଣିଷର ଦ୍ବିଧାଗ୍ରସ୍ତ ସ୍ଥିତି, ଯମରାଜ ଓ ଚିତ୍ରଗୁପ୍ତଙ୍କ ମର୍ତ୍ତ୍ୟଭୁମିରେ ଅସହାୟତା ଏବଂ ମଣିଷ ମାନଙ୍କର ସ୍ବାର୍ଥପରତାକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି । ଏହା ବ୍ୟତୀତ ଦୁଇ ଷଣ୍ଢଙ୍କର ଲଢେଇ ସଂପ୍ରତି ଭାରତୀୟ ସହର ମାନଙ୍କର ଟ୍ରାଫିକ୍ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।ସାଂପ୍ରତିକ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ନ୍ୟାୟ ଅନ୍ୟାୟର ଲଢେଇରେ ସେନାପତି ସାଜିଲେ ତଥାକଥିତ ଅଗାଣ୍ଡିଆ ରାଜା ଓ ପାଳଚୁଣ୍ଟା ମନ୍ତ୍ରୀ ମାନଙ୍କର ଦୌରାତ୍ମ୍ୟରୁ ସମଗ୍ର ବିଶ୍ବକୁ ରକ୍ଷା କରାଯାଇ ପାରିବ ବୋଲି ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।
କିନ୍ତୁ କାବ୍ୟକଳାଗତ ସୂକ୍ଷ୍ମ କଳାବୋଧ ଭିତରେ ରମ୍ୟ ରଚନାର ଧର୍ମକୁ ରକ୍ଷା କରିପାରିଥିଲେ ଲେଖାଟି ଅଧିକ ପ୍ରାସଙ୍ଗିକ ହୋଇଥା'ନ୍ତା । ରଚନାଟିରେ ହାସ୍ୟରସାତ୍ମକ କାହାଣୀର ଏକ ଅନ୍ତଃସଲିଳା ଫଲ୍ଗୁ ପ୍ରବାହିତ ହେଲା ପରି ଲାଗିଲା । ଏହା ବ୍ୟତୀତ ଯମରାଜଙ୍କ ବାହନକୁ ମହିଷ ବଦଳରେ ବୃଷଭ ଭାବେ ଉପସ୍ଥାପନା କରିବାରେ ଲେଖିକାଙ୍କ ଉଦ୍ଦେଶ୍ୟ ବୁଝି ହେଲାନି ।
ସେ ଯାହା ବି ହେଉ ରମ୍ୟ ରଚନାର ଗତାନୁଗତିକ ଶଗଡ଼ଗୁଳାରୁ ଖସି ପରିବେଷଣର ସ୍ବତନ୍ତ୍ର କୌଶଳ ଏକାନ୍ତ ଭାବେ ସୁନ୍ଦର ଓ ଅଭିନବ । ପରିଶେଷରେ ଲେଖିକାଙ୍କୁ ଅଜସ୍ର ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
ସତ୍ୟବାଦୀ ହାଇସ୍କୁଲ,
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ରମ୍ୟାର୍ଥ ପ୍ରତିଦାୟକ
==============
® ଡକ୍ଟର ଲକ୍ଷ୍ମଣ ସାହୁ
ଉଦୟ ଭାନୁ ସାହିତ୍ୟ ସଂସଦର ଆୟୋଜିତ 'ଅଗାଣ୍ତିଆ ରଜାକୁ ପାଳଚୁଣ୍ଟା ମନ୍ତ୍ରୀ' ଶୀର୍ଷକ ରମ୍ୟରଚନା କୈାତୁହଳ ଥିଲା । ସମସ୍ତ ପ୍ରତିଯୋଗୀ ବେଶ୍ ନାଟକୀୟ ଢଙ୍ଗରେ ନିଜ ନିଜର ସର୍ଜନାକୁ ଗଳ୍ପ ମାଧ୍ୟମରେ ପ୍ରକାଶ କରିଛନ୍ତି । ଶୀର୍ଷକ ଉପରେ ସୂକ୍ଷ୍ମ ଦୃଷ୍ଟି ରଖି ଆଲୋଚନା କରିଥିଲେ ହୁଏତ ସର୍ଜନା ଗୁଡିକ ରମ୍ୟରଚନାର ଯଥାର୍ଥତା ପ୍ରତିପାଦନ କରିପାରିଥା'ନ୍ତା । ଶୀର୍ଷକର ଭାବାର୍ଥ ପ୍ରତି ଦୃଷ୍ଟି ଦେଇ ଆଲୋଚନାରେ ସାଂପ୍ରତିକ ଘଟଣାବଳୀକୁ ଉପସ୍ଥାପନ ଛଳରେ କଟାକ୍ଷ କରାଯାଇଥିଲେ ତାହା ରମ୍ୟରଚନାର ପୂର୍ଣ୍ଣାଙ୍ଗ ରୂପ ନେଇ ପାରିଥା'ନ୍ତା ।
ସୂଚେଇ ଦେବାକୁ ଚାହେଁ ଯେ ରମ୍ୟରଚନା ଗଦ୍ୟ ସାହିତ୍ୟର ଅନ୍ୟତମ ବଳିଷ୍ଠ ବିଭାଗ । ସାଧାରଣ ମନ୍ମୟ ପ୍ରବନ୍ଧ ବା ବ୍ୟକ୍ତିନିଷ୍ଠ ପ୍ରବନ୍ଧକୁ ରମ୍ୟରଚନା କୁହାଯାଇଥାଏ । ଏହା ଏପରି ରମଣୀୟ ଗଦ୍ୟ ରଚନା ଯେଉଁଥିରେ ଲେଖକର ବୌଦ୍ଧିକତା ଅପେକ୍ଷା ଆବେଗ- ଉଚ୍ଛ୍ୱାସ ମୁଖ୍ୟ ଅଟେ । ଗୁରୁ ଗମ୍ଭୀର ପ୍ରସଙ୍ଗକୁ ଏଥିରେ ପରିହାସ ମଧୁର ଭାଷା ଛଳରେ ବ୍ୟକ୍ତ କରିହୁଏ । ଏଠାରେ କହିବାର ଢଙ୍ଗଟି ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ । ଯେଭଳି କୁହାଯାଏ କହି ଜାଣିଲେ କଥା ସୁନ୍ଦର , ବାନ୍ଧି ଜାଣିଲେ ମଥା ସୁନ୍ଦର । କହି ଜାଣିଲେ ଏହା ସୁନ୍ଦର ଭାବରେ ପାଠକର ଅନ୍ତରକୁ/ମର୍ମସ୍ଥଳକୁ ଛୁଇଁଯାଏ ।
ରମ୍ୟରଚନାରେ ଆବେଗ ସଂଚାରିତ ଭାବ, କାବ୍ୟିକ ଶୈଳୀ, ନାଟକୀୟତା, ବୋୖଦ୍ଧିକତା, ଲେଖକର ଦର୍ଶନ ସହିତ ରମ୍ୟାର୍ଥ ଏଭଳି ଭାବରେ ବାନ୍ଧି ହୋଇଥାଏ, ଯାହାକୁ ପଢିଦେଲେ ପାଠକର ପ୍ରାଣ ପୁଲକିତ ହୋଇଯାଏ । ଅବଶ୍ୟ ପ୍ରତିଯୋଗୀମାନେ ଗଳ୍ପ ମାଧ୍ୟମରେ ରସିକତାର ପୁଟ ଦେଇ ରମ୍ୟରଚନାରେ ପରିଣତ କରିବାକୁ ପ୍ରୟାସ କରିଛନ୍ତି, ତାହା ସ୍ୱାଗତ ଯୋଗ୍ୟ । ସମସ୍ତ ପ୍ରତିଯୋଗୀଙ୍କ ସହ ବିଜେତା ସମ୍ମାନନୀୟା ବସନ୍ତ ମଞ୍ଜରୀ ଦାସଙ୍କୁ ଅଭିନନ୍ଦନ ଓ ପ୍ରଣାମ ଜ୍ଞାପନ କରୁଛି ।
® ଡକ୍ଟର ଲକ୍ଷ୍ମଣ ସାହୁ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ ,
କଟକ -୪
ବ୍ୟକ୍ତ ମନ୍ତବ୍ୟ
ଦେବଯାନୀ ଦାସ
ଗତଥର ରମ୍ଯରଚନାରେ ଯେମିତି ନିରାଶ ହୋଇଥିଲୁ , ଏଥର କିନ୍ତୁ କିଛିଟା ଉପାଦାନ ମିଳିଛି । ରମ୍ଯରଚନାକୁ ସଠିକ୍ ଭାବରେ ବୁଝି ଲେଖାଟିଏ ପ୍ରସ୍ତୁତ କରିବା ଜରୁରୀ । ଏଥର ପ୍ରତିଯୋଗୀ ମାନେ ଚେଷ୍ଟା କରିଛନ୍ତି । ଅନେକ ରାଜା ମନ୍ତ୍ରୀ ଉପାଖ୍ୟାନ ଭିତରେ ରମ୍ଯ ପ୍ରଦର୍ଶନ କରିଛନ୍ତି ।
ଆମ ସାହିତ୍ୟରେ ଅନେକ ରମ୍ଯରଚନା ହୋଇଛି ; ରଚନାକାର ମଧ୍ୟ ଅଛନ୍ତି । ତେବେ ବହୁ ଚର୍ଚ୍ଚିତ ଗୋପାଳ ଭାଣ୍ଡ (ଗୋପାଳ ରହସ୍ୟ) କାହାଣୀ ଅନୁଧ୍ଯେୟ । ଅନୁରୋଧ ଏ କାହାଣୀ ଗୁଡ଼ିକୁ ଆପଣମାନେ ପଢ଼ନ୍ତୁ । ସେଥିରେ ଥିବା କଟାକ୍ଷ ଓ ରମ୍ଯକୁ ଅନୁଭବ କରନ୍ତୁ । ତା' ଭିତରେ ଥିବା ଶିକ୍ଷା ଓ ସାମାଜିକ ସନ୍ଦେଶକୁ ମଧ୍ୟ ବୁଝନ୍ତୁ । ରମ୍ଯରଚନାଟି ମଧ୍ୟରେ ରହିବ କଟାକ୍ଷ , ବିନୋଦନ , ଶିକ୍ଷା , ସାମାଜିକ ସନ୍ଦେଶ । ତା'ହେଲେ ସେ ଯାଇ ହୋଇପାରିବ ସ୍ବୟଂସମ୍ପୂର୍ଣ୍ଣ ।
ଯାହାହେଉ ଆସିଥିବା ଲେଖା ମାନଙ୍କ ମଧ୍ୟରୁ ହିଁ ଆମକୁ ଶ୍ରେଷ୍ଠ ଲେଖାଟିଏ ବାଛିବାକୁ ପଡ଼ିବ । ସେୟା କରିଛୁ । ବସନ୍ତ ମଞ୍ଜରୀ ଦାସଙ୍କ ଲେଖା ମଧ୍ୟରେ ଏସବୁର ଆଭାସ ମିଳେ । ସୀମିତ ଶବ୍ଦ ମଧ୍ଯରେ ତାଙ୍କର ଉପସ୍ଥାପନା ରୁଚିଶୀଳ ।
ଧନ୍ୟବାଦ ସମସ୍ତଙ୍କୁ । ସମସ୍ତେ ସୁସ୍ଥ ଓ ନିରାପଦ ରୁହନ୍ତୁ ; ଶୁଭକାମନା ସହ..........
ବିଚାରକ
ଉଦୟ ଭାନୁ
ଦିଗବାରେଣୀ.....
ଡକ୍ଟର ଲକ୍ଷ୍ମଣ ସାହୁ
ଉଦୟଭାନୁ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ମୂଳକ ଶୀର୍ଷକ 'ନାରୀ ଶିକ୍ଷାର ଯଥାର୍ଥତା' ଅତି ଚମତ୍କାର ବିଷୟ ଚୟନ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଭିନନ୍ଦନ । ପ୍ରତ୍ୟେକଙ୍କ ଉପସ୍ଥାପିତ ପ୍ରବନ୍ଧ ଗୁଡ଼ିକ ଉଚ୍ଚକୋଟୀର ଓ ମନନଧର୍ମୀ । ନାରୀ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଯେଉଁ ସବୁ ତଥ୍ୟ ବାଢି଼ଛନ୍ତି ତାହା ଅପରିହାର୍ଯ୍ୟ, ଅସ୍ୱୀକାର କରିହେବ ନାହିଁ । ନାରୀ ସ୍ଥିତି ସମ୍ବନ୍ଧରେ ଅବଗତ ଥିବା ସକଳ ପ୍ରତିଯୋଗୀଙ୍କ ସନ୍ନିବେଶିତ ତଥ୍ୟ ପ୍ରଶଂସନୀୟ । ବିଶେଷ କରି ସୁନାମଧନ୍ୟା ସୁଲେଖିକା ବସନ୍ତ ମଞ୍ଜରୀ ଦାସ, ନିବେଦିତା ମହାପାତ୍ର , ସୈାଭାଗ୍ୟ ରଞ୍ଜନ ମହାପାତ୍ର , ଜନ୍ମଜୟ ନାୟକ, ଚିନ୍ମୟୀ ମହାପାତ୍ର , ପ୍ରତାପ ଚନ୍ଦ୍ର ମିଶ୍ର , ସଂଯୁକ୍ତା ସାହୁ , ପ୍ରିୟଦର୍ଶିନୀ ସାମନ୍ତରାୟ , ଜାନକୀ ବଲ୍ଲଭ ସାମନ୍ତରାୟ , ବିଷ୍ଣୁପ୍ରିୟା ଦାସ , ସ୍ବର୍ଣ୍ଣ ପତି , ନିହାରିକା ପଣ୍ଡା, ଶୁଭ୍ରାଂଶୁ ମେହେର , ଜୟନ୍ତୀ ନନ୍ଦ ଧନ୍ୟବାଦର ପାତ୍ର/ପାତ୍ରୀ । ଆପଣମାନଙ୍କ ତଥ୍ୟର ସଂକ୍ଷେପ ରୂପ କେବଳ ଉପସ୍ଥାପନ କରୁଛି..।
ନାରୀଶିକ୍ଷା ପ୍ରତି ରୂଢିବାଦୀ ସମାଜ ବ୍ୟବସ୍ଥା କ୍ଷେତ୍ରରେ ପ୍ରଧାନ ସମସ୍ୟା । କିଛି ରକ୍ଷଣଶୀଳ ମଣିଷ ନାରୀଶିକ୍ଷାକୁ ତୀବ୍ର ବିରୋଧ କରିଆସୁଛନ୍ତି । ସେମାନଙ୍କ ଦୃଷ୍ଟି 'ଝିଅ ଜନମ ଚୂଲି ମୁଣ୍ଡକୁ' ଓ 'ଝିଅ ଜନମ ଶାଶୂ ଘରକୁ'। ଘରେ ଝିଅଟି ରନ୍ଧାବଢ଼ା, ସ୍ୱାମୀ ସେବା, ଶାଶୂ ଶ୍ୱଶୁରଙ୍କ ସେବା ଇତ୍ୟାଦି ଶିକ୍ଷା କରିବ। ଏଭଳି ଧାରଣା ଅମୂଳକ । ଗତ ତିନି ଦଶନ୍ଧି ଧରି ଭାରତ ସରକାର ନାରୀଶିକ୍ଷା ପ୍ରତି ସମସ୍ତ ଯୋଜନା କରି ଆସୁଛନ୍ତି । ୨୦୧୧ ମସିହା ସର୍ଭେରୁ ଜଣାଯାଏ ପୁରୁଷ ସାକ୍ଷରତାହାର ୮୨.୧୪ ମହିଳା ସାକ୍ଷରତା ହାର ୬୫. ୪୬ ରହିଛି । ମହିଳା ଶିକ୍ଷା ନିମନ୍ତେ ଜାତୀୟ କମିଟି (ଦୁର୍ଗା ବାଇ ଦେଶମୁଖ କମିଟି ), ଜାତୀୟ ଶିକ୍ଷାନୀତି, ଅନ୍ତର ନିବେଶୀ ନୀତି କାର୍ଯ୍ୟକାରିତା ଉପରେ ଜୋର ଦିଆଯାଇଛି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ମହିଳା ସଶକ୍ତିକରଣ କରାଯାଇଛି । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସ୍ଥାପନ କରାଯାଇଛି । ପୁରୁଷ ସାକ୍ଷରତା ହାର ତୁଳନାରେ ନାରୀ ସାକ୍ଷରତା ତୁଳନା କମ୍ ରହିଥିବା ଦୃଷ୍ଟିରୁ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ଯଥେଷ୍ଟ ରହିଛି ।
ଯେଉଁ ଦେଶର ନାରୀ ଯେତେ ଶିକ୍ଷିତା, ସେ ଦେଶର ପ୍ରଗତି ସେତେ ଅଧିକ । ନାରୀଶିକ୍ଷା ବିନା ସମାଜର ଉନ୍ନତି ଅସମ୍ଭବ । ଦେଶର ସାମାଜିକ ଓ ଅର୍ଥନୀତିର ବିକାଶ କ୍ଷେତ୍ରରେ ନାରୀ ଶିକ୍ଷା ଏକାନ୍ତ ଆବଶ୍ୟକ । ନାରୀଶିକ୍ଷା କ୍ଷେତ୍ରରେ ଥିବା ସମସ୍ୟା କେବଳ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରେନାହିଁ, ବରଂ ଜାତୀୟ ବିକାଶକୁ ପ୍ରଭାବିତ କରେ । ଶିକ୍ଷିତା ନାରୀଟି ନିଜର ପରିବାରକୁ ଶିକ୍ଷିତ କରିବା ସହିତ ନିଜ ଜାତି ଓ ଦେଶକୁ ଗଢି଼ ତୋଳିବ । ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ସାମାଜିକ ସଭ୍ୟତା, ସଂସ୍କୃତି ଓ ନୀତିଗତ ଭାବର ଏକାନ୍ତ ଆବଶ୍ୟକ । ତେଣୁ ନାରୀଶିକ୍ଷାର ଯଥାର୍ଥତା ଏଇଥି ପାଇଁ ଯେ, ନାରୀ ଜାୟା, ଜନନୀ, ଭଗୀନୀ । ସେ ଆଦିଶକ୍ତି, ସେ ଲୋକମାତା, ସେ ପ୍ରେରଣା ଦାୟୀ, ସେ ଯୋଗମାୟା ଓ ସେ ଅର୍ଦ୍ଧନାରୀଶ୍ୱର । ଯେଉଁଠି ଶିବ ସେଇଠି ପାର୍ବତୀଙ୍କ ଆବିର୍ଭାବ । ତେଣୁ ସେ ସନ୍ତାନ ବତ୍ସଳା, ଗୁରୁଜନଙ୍କ ସେବା ଓ ଭକ୍ତି, ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ ଶିକ୍ଷା ସାହାଯ୍ୟ କରିବ । ଏହା ଦ୍ୱାରା ଗଠିତ ହେବ ସୁସ୍ଥ ସମାଜ । ଯେଉଁଠି ନାରୀ ଓ ପୁରୁଷ ଉଭୟେ କାନ୍ଧକୁ କାନ୍ଧ ମିଶାଇ ସମାଜର ଅଗ୍ରଦୂତ ସାଜି ଠିଆ ହୋଇପାରିବେ ସେଠି ସମାଜର, ଦେଶର ଓ ସର୍ବୋପରି ବିଶ୍ବର ପରିବର୍ତ୍ତନ ଘଟିବ । ନାରୀ ପାଲଟେ ଦିଗବାରେଣୀ... । ନାରୀର ସମ୍ମାନାର୍ଥେ କୁହାଯାଇଛି- 'ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗା ଦପି ଗରୀୟସି' ।
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ
କଟକ-୪
ଜନ୍ମଜୟ ନାୟକଙ୍କ ପ୍ରବନ୍ଧ "ନାରୀ ଶିକ୍ଷାର ଯଥାର୍ଥତା;ଏକ ମୂଲ୍ୟାୟନ
================
କଣ୍ଡୁରୀ ଚରଣ ରାଉତ
ସଦ୍ୟ ସମାପ୍ତ ହୋଇଥିବା ଉଦୟଭାନୁ ପ୍ରବନ୍ଧ ପ୍ରତିଯୋଗିତାର ସମସ୍ତ ପ୍ରାବନ୍ଧିକଙ୍କୁ ଶୁଭ କାମନା ସହିତ ବିଜୟ ଲାଭ କରିଥିବା ସାରସ୍ବତ ସ୍ରଷ୍ଟା ଜନ୍ମଜୟ ନାୟକଙ୍କୁ ଅଭିନନ୍ଦନ ଜଣାଉଛି ।ବାସ୍ତବରେ ଶ୍ରୀ ନାୟକଙ୍କ ଲିଖିତ ପ୍ରବନ୍ଧ 'ନାରୀ ଶିକ୍ଷାର ଯଥାର୍ଥତା' ଅତ୍ୟନ୍ତ ସୁଖପାଠ୍ୟ ହୋଇଛି ।
ଫକୀରମୋହନଙ୍କ ରେବତୀ ଗଳ୍ପଟି ନାରୀ ଶିକ୍ଷାର ପୃଷ୍ଠଭୂମିରେ ସମକାଳର କୁସଂସ୍କାର, ସାମାଜିକ ଚଳଣି,ପ୍ରାଚୀନ ଓ ନୂତନର ସଂଘର୍ଷକୁ ସରଳ ଅଭିବ୍ୟକ୍ତି ଦେଇ କଳାତ୍ମକ ରୀତିରେ ପ୍ରକାଶ କରିଥିଲେ । ସେ ସମୟରେ ନାରୀଶିକ୍ଷାର ଆବଶ୍ୟକତାକୁ ଫକୀରମୋହନ ଅନୁଭବ କରିଥିଲେ । କିନ୍ତୁ, ସମୟ ବଦଳିଛି,ସ୍ଥିତି ବଦଳିଛି ।ଏବେ ପ୍ରତି କାର୍ଯ୍ୟରେ ନାରୀ ପୁରୁଷ ଅପେକ୍ଷା ଅଧିକ ଅଗ୍ରଗତି କରୁଛି । ସଂପ୍ରତି ପୁରୁଷ ପ୍ରଧାନ ସମାଜରେ ନାରୀ ଅପୂର୍ବ ସାଫଲ୍ୟ ପ୍ରଦର୍ଶନ କରିବାରେ ସମର୍ଥ ହୋଇ ପାରିଛି ।
ନାରୀ ସ୍ନେହମୟୀ,ବାତ୍ସଲ୍ୟମୟୀ ,ସେ ପୁଣି ସ୍ନେହ, ପ୍ରେମ,ତ୍ୟାଗ,ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ । ଅନୁରାଗର ଫଲ୍ଗୁ ପ୍ରବାହିତ ହୁଏ ନାରୀ ହୃଦୟର ନିଭୃତ କନ୍ଦରରେ । ତେଣୁ ପ୍ରବନ୍ଧର ଆରମ୍ଭରେ ନାରୀ ଶବ୍ଦର ଯଥାର୍ଥତା ପ୍ରତିପାଦନ ସହିତ ସମାଜର ସମୃଦ୍ଧିରେ ପୁରୁଷ ସହିତ ନାରୀର ଭୂମିକା ଯେ ଅନସ୍ବୀକାର୍ଯ୍ୟ ସେ ବିଷୟରେ ଆଲୋକପାତ କରିଛନ୍ତି ପ୍ରାବନ୍ଧିକ ।ବିଖ୍ୟାତ କବି ଅନ୍ନଦାଶଙ୍କର ରାୟଙ୍କ ଏକ କବିତାର ଉଦ୍ଧୃତି ପ୍ରଦାନ କରି ନାରୀ କେବଳ ଇନ୍ଦ୍ରିୟ ବିଳାସର ବସ୍ତୁ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି ।
ପ୍ରାଚୀନ କାଳର ଗାର୍ଗୀ,ଅପାଲାଙ୍କ ଠାରୁ ଆରମ୍ଭ କରି ଆଧୁନିକ ଯୁଗର କୁନ୍ତଳାକୁମାରୀ, ରମାଦେବୀ,ନନ୍ଦିନୀ ଶତପଥୀ ଆଦି ମହୀୟସୀ ମହିଳାଙ୍କ ଉଦାହରଣ ଦେଇ ସାହିତ୍ୟ,ସମାଜ ସେବା,ଶିକ୍ଷା,ରାଜନୀତି ଆଦି କ୍ଷେତ୍ରରେ ପୁରୁଷମାନଙ୍କ ଅପେକ୍ଷା ସେମାନେ କୌଣସି ଗୁଣରେ ନ୍ୟୁନ ନୁହଁନ୍ତି ବୋଲି ଦର୍ଶାଇଛନ୍ତି ।
ଶୃଙ୍ଖଳିତ ସମାଜ ଗଠନ ପାଇଁ ନାରୀ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ । ଶିକ୍ଷା ଦ୍ବାରା ମହିୟସୀ ମାତୃଶକ୍ତିର ଉତ୍ଥାନ କରି ଗୌରବୋଜ୍ଜଳ ଭାରତୀୟ ସଂସ୍କୃତିର ମହାନତା ପ୍ରତିପାଦନ କରିବାକୁ ଖୁବ୍ ସୁନ୍ଦର ପରାମର୍ଶ ଦେଇଛନ୍ତି ପ୍ରାବନ୍ଧିକ ।ଅଳ୍ପ କଥନରେ ଅନେକ କିଛି କହିବାର କଳା ପ୍ରାବନ୍ଧିକଙ୍କୁ ବେଶ୍ ଜଣା ।ସରଳ,ସୁନ୍ଦର ଭାଷାରେ ରଚିତ ପ୍ରବନ୍ଧଟି କିପରି ସବୁ ବର୍ଗର ପାଠକଙ୍କୁ ସ୍ପର୍ଶ କରିବ ସେ ଦିଗରେ ଶ୍ରୀ ନାୟକଙ୍କ ଉଦ୍ୟମ ପ୍ରଶଂସନୀୟ ।
*****
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ମୋ.୮୯୧୭୩୯୭୩୪୮
ସମ୍ୟକ ବୈଚାରିକଧାରା
ଏକ ସନ୍ତୋଷ ଜନକ ଆଲେଖ୍ଯ ସମସ୍ତଙ୍କ ଲେଖନୀରେ । ପ୍ରବନ୍ଧରେ ଯେମିତି ସମସ୍ତ ପ୍ରତିଯୋଗୀ ସିଦ୍ଧହସ୍ତ ।
କିନ୍ତୁ କେତେଜଣ ପ୍ରତିଯୋଗିତାରେ ପ୍ରଦତ୍ତ ଶବ୍ଦ ସଂଖ୍ୟାର ସୀମା ଅତିକ୍ରମ କରି ଯାଇଛନ୍ତି ଯାହା ଫଳରେ ସେସବୁ ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରିବା ସମ୍ଭବ ହୋଇ ପାରୁନି । ଆସନ୍ତା ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ ।
ଏବେ ବିଜେତାଙ୍କ ଲେଖା ସମ୍ପର୍କରେ କିଛି ଲେଖିବି....... ତାଙ୍କ ଉକ୍ତି - "ନାରୀ ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି....... ବାହ୍ଯ ଜଗତ ସହ ତା'ର ସମୃଦ୍ଧି ସ୍ଥାପନ କରି ତା'ର ଲୁକ୍କାୟିତ ପ୍ରତିଭାର ବିକାଶ କରିବା ।" ତା'ପରେ ପୁଣି ସେ ଲେଖିଛନ୍ତି - "ନାରୀକୁ ଯଥାର୍ଥ ଶିକ୍ଷା ଯୋଗାଇ ଦେବା ଦ୍ବାରା ହିଁ ନାରୀର ବ୍ଯକ୍ତିତ୍ବ ଜାଗ୍ରତ ହେବା ସଙ୍ଗେ ସଙ୍ଗେ ଅନ୍ତର୍ନିହିତ ସୃଜନଶୀଳତାର ପରିପ୍ରକାଶ କରିବା ।"
କେତେ ସୁନ୍ଦର ଓ ଗଭୀର ଅନ୍ତରଦୃଷ୍ଟିରେ ପୂର୍ଣ୍ଣ ଅଭିବ୍ଯକ୍ତି । ଲେଖାଟି ସ୍ବୟଂସମ୍ପୂର୍ଣ୍ଣ , ପ୍ରଦତ୍ତ ବିଷୟବସ୍ତୁକୁ ସ୍ପର୍ଶ କରି ବର୍ଣ୍ଣନା ସୁଦୃଢ ଆଉ ପ୍ରଦତ୍ତ ଶବ୍ଦ ସଂଖ୍ୟା ମଧ୍ୟରେ ସୀମିତ । ଧନ୍ୟବାଦ ଜନ୍ମଜୟ ।
ଏଥର ରମ୍ଯରଚନା ରଖାଯାଇଛି । ଗତଥର ରମ୍ଯରଚନାରେ ଆମେ ନିରାଶ ହୋଇଥିଲୁ । ଆଶା କରୁଛି ଏଥର ବିଷୟବସ୍ତୁକୁ ଠିକ୍ରେ ବୁଝି ପ୍ରଦତ୍ତ ଶବ୍ଦ ସଂଖ୍ୟା ମଧ୍ଯରେ ସମସ୍ତେ ଲେଖା ପଠାଇବେ । ସମସ୍ତଙ୍କୁ ଶ୍ରଦ୍ଧା , ସମ୍ମାନ , ଭଲପାଇବା । ସୁସ୍ଥ ଓ ନିରାପଦ ରୁହନ୍ତୁ ।
ବିଚାରକ
ଉଦୟ ଭାନୁ
ଦୃଷ୍ଟି ଆଢ଼ୁଆଳେ ଦ୍ୱନ୍ଦ ;ଋତୁ ବସନ୍ତ...ମାସ ଫଗୁଣ
==================
ଡକ୍ଟର ଲକ୍ଷ୍ମଣ ସାହୁ
'ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ' ଶୀର୍ଷକ କବିତାକୁ ଭିତ୍ତି କରି ' ଉଦୟ ଭାନୁ ସାହିତ୍ୟ ସଂସଦ ' ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିବା କବି ଶ୍ରୀମାନ୍ ଦେବଦତ୍ତ ପ୍ରଧାନ , ପ୍ରସାଦିନୀ ଶ୍ରୀଚନ୍ଦନ , ଅନୁପମା ଦାସ, କାଦମ୍ବିନୀ ଖୁଣ୍ଟିଆ , ଚିନ୍ମୟୀ ମହାପାତ୍ର , ଦୁଷ୍ମନ୍ତ ସାହୁ , ଜୟନ୍ତୀ ନନ୍ଦ , ପ୍ରିୟଦର୍ଶିନୀ ସାମନ୍ତରାୟ , କେଶବ ଚନ୍ଦ୍ର ବେହେରା ,ଦେବେନ୍ଦ୍ର ରାଜୁ, ନରେଶ ଚନ୍ଦ୍ର , ଶିବ ହାତୀ , ସାର ସାମଲ, ସସ୍ମିତା ସାହୁ ଓ ବିଷ୍ଣୁପ୍ରିୟା ଦାସଙ୍କୁ ଅଭିନନ୍ଦନ । 'ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ' ପ୍ରତ୍ୟେକ କବିଙ୍କ କବିତା ବେଶ୍ ମନଛୁଆଁ ।
କବିଙ୍କ ମଧ୍ୟରେ ଆନ୍ତର ସାଦୃଶ୍ୟ ହେତୁ ଭାବ ଧର୍ମର ସାଦୃଶ୍ୟ ଦେଖା ଦେଇପାରେ । କିନ୍ତୁ କବିର ମନୋଧର୍ମ ସମାନ ହେତୁ ଜଣେ ଅନ୍ୟ ଜଣଙ୍କ ଠାରୁ କମ୍ ନୁହେଁ । ସମତୁଳନାତ୍ମକ ବିଚାର କରି ଶେଷ ସିଦ୍ଧାନ୍ତରେ ଉପନୀତ ହେବା ଅତି ସହଜ ନୁହେଁ । ହୁଏତ ପ୍ରତ୍ୟେକ ପ୍ରତିଯୋଗୀ ନିଜକୁ ବିଜେତା ସ୍ତରରେ ଥିବା ବେଳେ ବିଚାରକ ମାନଙ୍କ ଶେଷ ନିଷ୍ପତ୍ତିକୁ ଗ୍ରହଣ କରିବା କେତେକଙ୍କ କ୍ଷେତ୍ରରେ ସମ୍ଭବ ହୋଇନପାରେ । ତଥାପି ପ୍ରତିଯୋଗିତାର ମନୋବୃତ୍ତି ରଖି ଆଗକୁ ସାମ୍ନା କରିବାର ଧୈର୍ଯ୍ୟ ରହିବା ଆବଶ୍ୟକ । ପ୍ରତିଯୋଗିତାରେ ଭାଗ ନେବା ସହଜ , କିନ୍ତୁ ଫଳାଫଳ ନିର୍ଣ୍ଣୟର ଗୁରୁଦାୟିତ୍ଵ ବହନ କରୁଥିବା ବିଚାରକ ମାନେ ସେମାନଙ୍କ ଦୃଷ୍ଟିଭଙ୍ଗୀରେ ଯାହା ବିଚାର କରନ୍ତି ସହୃଦୟତାର ସହ ଗ୍ରହଣ କରି ନେବା ପ୍ରତିଯୋଗୀ ମାନଙ୍କ ଚିନ୍ତନ ଅନୁକୂଳ ହେବାର ଆବଶ୍ୟକ ରହିଛି । ବିଚାରଧାରାରେ ବିଚାରକମାନେ ତୀକ୍ଷ୍ଣ ଅସି ଧାରରେ ପାଦ ଥାପି ସୂକ୍ଷ୍ମଦୃଷ୍ଟିରେ ଯେଉଁ ମନ୍ତବ୍ୟ ଦିଅନ୍ତି ହୁଏତ କୈାଣସି ପ୍ରତିଯୋଗୀଙ୍କୁ ଅସ୍ୱାଭାବିକ ଲାଗିପାରେ , କିନ୍ତୁ ପ୍ରତିଯୋଗିତାରୁ ପଳାୟନ ପନ୍ଥୀ ହେବା ଯଥାର୍ଥ ନୁହେଁ । ନିଜକୁ ଆତ୍ମ-ସମୀକ୍ଷା କରିବାର ବେଳ... , ଆଗାମୀ ସକାଳ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇପାରେ.. । ନମ୍ରତା ସହ କହିରଖେ କେବେ ସମସ୍ତ ପ୍ରତିଯୋଗୀଙ୍କୁ ନିରପେକ୍ଷ ସମ୍ମାନ ଦେବାରେ କୃପଣ ହୋଇନାହିଁ କି ଅବହେଳା କରିନାହିଁ । ଯଦି କେବେ ଅଜାଣତରେ ତ୍ରୁଟି ଘଟିଥାଏ ତେବେ ତ୍ରୁଟି ମାର୍ଜନା କରିବା ମାନବିକତାର ଧର୍ମ ।
ଅଜସ୍ର ସ୍ୱପ୍ନ ଦେଖିବା ପ୍ରତ୍ୟେକ କବିର ପ୍ରବୃତ୍ତି । ସ୍ୱପ୍ନ ସତ୍ୟ ନହୋଇ ପାରେ , ମାତ୍ର ସେଥିରେ ମୋହ ଅଛି , ମାଦକତା ଅଛି , ନିଶା ଅଛି , ନିଜକୁ ଭୁଲିବାର , ଦୁଃଖ ଦୈନ୍ୟ , ସମକାଳକୁ ଭୁଲିବାର ଉପାଦାନ ଅଛି । ତେଣୁ ସୃଜନ ସ୍ୱପ୍ନ ' ରୋମାଣ୍ଟିକ ପ୍ରେମ ଭାବନାରେ ଥାଏ ମୁକ୍ତିର ଆନନ୍ଦ , ସେ ପ୍ରେମ ବାନ୍ଧି ରଖେନି , ଚିତ୍ତ-ପ୍ରସାର ଘଟିଥାଏ । ରୋମାଣ୍ଟିକ ପ୍ରେମ ପ୍ରାଣଧର୍ମରେ ଗତି ଅଛି ,ବହିଯିବା , ଅଗ୍ରସର ହେବା , ବନ୍ଧନ ଚ୍ଛିନ୍ନ କରିବା , ବିଦ୍ରୋହ , ପ୍ରାଣ ଚାଞ୍ଚଲ୍ୟ , ଗତାନୁଗତିକତାର ବିରୋଧ - ଏସବୁ ରୋମାଣ୍ଟିକ ପ୍ରେମ ପ୍ରବଣତା । ଯାହା ନେତ୍ରରେ ମାୟାଂଜନ ବୋଳିଦିଏ । ପ୍ରିୟା ରୂପେ ଶଶୀ , ପ୍ରାଣେ ଅମର ପ୍ରୀତି , ସେ କେଉଁ ଉର୍ବଶୀ , ପାରେ ଜିଣି ଗରବିଣୀ.. ଏମିତି କେତେ । ପୁଣି ତୁମ ଚାଲିଲେ ପଦୁଅଁ ଫୁଟେ , ଯୌଵନ ମର୍କଟୀ ରମ୍ୟା ଦିଶେ , ହାଡୁଆ ଦେହେ ମାଉଁସ ଲାଗେ , ଆହା ପଥର ହେଲାଣି ଦେହ , କୁନ୍ଦବତୀ ତମ ଚପଳା ଚମକ , ସରଗ ରାଇଜ ପରି ମରତେ ଆସିଛ ଭୁଲି , ସ୍ୱପ୍ନ ଅସରାଏ ପରି , ଷୋଡଶୀ ଭାବନା ..ଋତୁ ବସନ୍ତ , ମାସ ଫଗୁଣ .. ଚମତ୍କାର କବିର ଭାବନା .... ଯାହା ପାଠକଙ୍କୁ ଆକୃଷ୍ଟ କରେ ।
ପ୍ରିୟାକୁ ବୁଝିବାକୁ ଚେଷ୍ଟା ନକରି ଅବୋଧ୍ୟ ରଖିବାରେ ଆନନ୍ଦ । ପାଖକୁ ନଆଣି ଦୂରରେ ରଖିବାରେ ପ୍ରାପ୍ତିର ବ୍ୟାକୁଳତା । ରୋମାଣ୍ଟିକ ପ୍ରେମ ଏକ ସ୍ୱପ୍ନ , ସ୍ୱପ୍ନ-ପ୍ରୟାସୀ କବି ସ୍ୱପ୍ନଧୃତାକୁ ପାଇ ହରାଇବାରେ ଆନନ୍ଦ- ବେଦନା ଲାଭ କରନ୍ତି । ଯାହା କବି ମାନଙ୍କ କବିତାରେ ପ୍ରତିଫଳିତ । 'ବୟସର କୃଷ୍ଣଚୂଡା ରଙ୍ଗ ତୁମ ମନ୍ଦ ନୁହେଁ' ଶୀର୍ଷକ ଶସ୍ତା , ହୁଏତ ଅସଙ୍ଗତ ମନେ ହେଲେ ବି ରୋମାଣ୍ଟିକ କବି ଆତ୍ମଚାରୀ , ଆତ୍ମଭୋଳା , ଆତ୍ମରତି ପରାୟଣ । ନିଜ ଭିତରେ ରମଣ ବା ଲୀଳା ତାହା ମଧ୍ୟ ଭଗବାନଙ୍କର ଉର୍ଣ୍ଣନାଭ ଲୀଳା ସହିତ ସମାନ ହୋଇଯାଏ । ତେଣୁ ରୋମାଣ୍ଟିକ କବି ରହସ୍ୟର , ଅଧରାର ପଛରେ ଧାଇଁ ମିଷ୍ଟିକ୍ ପାଲଟେ । ଅସ୍ପଷ୍ଟତା , ସ୍ନିଗ୍ଧତି ଓ କମନୀୟତା - ରୋମାଣ୍ଟିକ୍ ରୂପ - ସୈାନ୍ଦର୍ଯ୍ୟ - ପ୍ରଣୟର ଚିହ୍ନ । ପଠିତ କବିତା ଗୁଡ଼ିକର ଅନ୍ତଃସ୍ୱର ପାଲଟିଛି ।
ଯୌବନ ନିର୍ଭୀକ , ଯୌବନର ଉଦୟାଚଳେ ଜଳି ଉଠୁ ମହାଦୀପ । ଏତିକି କାମନା...
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ
କଟକ - ୪ , ଦୂରଭାଷ: ୯୦୪୦ ୧୫୧୪୭୫
ସସ୍ମିତା ସାହୁଙ୍କ କବିତା "ବୟସର କୃଷ୍ଣଚୂଡ଼ାରେ.." ; ଏକ ଅନ୍ତର୍ଦୃଷ୍ଟି
=============
କଣ୍ଡୁରୀ ଚରଣ ରାଉତ
ନାରୀକୁ ସର୍ବଦା ଅବଳା କହିବା ଠିକ୍ ନୁହେଁ । ନାରୀର କୋମଳ ସମ୍ବେଦନା ବିନା କେବଳ ଜୀବନ ନୁହେଁ, ବରଂ ଏ ଜଗତ ମଧ୍ୟ ଅପୂର୍ଣ୍ଣ ।ତା'ଠାରେ ପ୍ରତିଭା, କୌଶଳ,ବଳିଦାନ ଓ ତପତ୍ୟାଗର ଅଭାବ ନାହିଁ । ଯେତେବେଳେ ତାକୁ ଅବସର ମିଳିଛି , ସେତେବେଳେ ସେ ନୂତନ ଦୃଷ୍ଟାନ୍ତ ଉପସ୍ଥାପନା କରିଛି । ସେମିତି ନାରୀ କବୀ ସସ୍ମିତା ସାହୁ ତାଙ୍କର କବିତା 'ବୟସର କୃଷ୍ଣଚୂଡ଼ାରେ' ଦାମ୍ପତ୍ୟ ପ୍ରେମର ପ୍ରକୃତ ସ୍ବରୂପ ଓ ନାରୀ ମନସ୍ତତ୍ତ୍ବ ବିଶ୍ଳେଷଣରେ ସୁନ୍ଦର ଦୃଷ୍ଟିକୋଣର ପରିଚୟ ପ୍ରଦାନ କରିଛନ୍ତି । ଉଦୟଭାନୁ ସାପ୍ତାହିକୀ ପ୍ରତିଯୋଗିତାରେ କବିତାଟି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି ।
ପ୍ରେମ ଏକ ଅଦ୍ଭୁତ ଋତୁ । ବୟସର କୃଷ୍ଣଚୂଡ଼ା ରଙ୍ଗ ଲାଗିଲେ ପ୍ରେମିକ ପ୍ରେମିକା ତାଙ୍କର ସ୍ବପ୍ନରେ ସ୍ବପ୍ନାକ୍ତ ହୋଇପଡ଼ନ୍ତି । ଅସରନ୍ତି ସ୍ବପ୍ନ ନେଇ ଦୁଇଟି ପ୍ରେମ ପକ୍ଷୀ ପ୍ରୀତିର ଆକାଶରେ ହଜିଯିବାକୁ ସର୍ବଦା ଚଳଚଞ୍ଚଳ ।ସବୁ ଋତୁ ଯେମିତି ତାଙ୍କରି ପାଇଁ । ବର୍ଷାର କଦମ୍ବ,ବସନ୍ତର ମଳୟ ଓ ନିଦାଘର କୃଷ୍ଣଚୂଡ଼ା ସେମାନଙ୍କୁ ପ୍ରଲୁବ୍ଧ କରେ । ମାତ୍ର ଯୌବନର ଜୟଯାତ୍ରାରେ ପ୍ରେମାସ୍ବାଦନର ଚିତ୍ର ଓ ମନସ୍ତତ୍ତ୍ବରେ ପରିବର୍ତ୍ତନ ଆସେ । ଲାବଣ୍ୟମୟୀ ରୂପସୀ ତନ୍ବୀ ପ୍ରେମିକାଟିର ପ୍ରେମମୟୀ ଓ ରସମୟୀ ରୂପ ବଦଳି ଯାଏ । ପ୍ରେମିକାର କୋକିଳ କଣ୍ଠର କୁହୁ ପରିବର୍ତ୍ତିତ ହୁଏ କାକର କର୍କଶ ସ୍ବରରେ । ପ୍ରଜାପତୀୟ ମନ ପୁଣି ଲେପଟେଇ ପଡ଼େ ସଁବାଳୁଆ ପରି ନିଜର ଏକ ସୀମାବଦ୍ଧ ସଂକୀର୍ଣ୍ଣ ସ୍ଥିତିରେ । ଉଭୟେ ପାରିବାରିକ ଜୀବନ ଜଞ୍ଜାଳ ଭିତରେ ଭୟଙ୍କର ବାସ୍ତବତାକୁ ସାମ୍ନା କରିବା ସହ ପରିସ୍ଥିତି ସହିତ ନିଜକୁ ସାଲିସ୍ କରି ନିଅନ୍ତି । ଏତେ ପରେ ବି ସେମାନଙ୍କ ଦାମ୍ପତ୍ୟ ପ୍ରେମରେ ଭଟ୍ଟା ପଡେନି ବୋଲି କବୟିତ୍ରୀ କହିଛନ୍ତି । ବୟସ ବଢିବା ସହିତ ନିଜ ବୟସ୍କା ପ୍ରିୟତମା ପ୍ରତି ପ୍ରେମ ଅତୁଟ ରହିଥାଏ । କୃଷ୍ଣଚୂଡ଼ାର ରଙ୍ଗ ଭଳି ଝଲସି ଉଠୁଥାଏ ସେମାନଙ୍କ ଉତ୍ତର ଜୀବନ । ବାସ୍ତବରେ ସୁନ୍ଦର ଭାବଧାରାର ଲେଖାଟିଏ ।
ଶେଷରେ ଏତିକି କହିବି କବିତାଟିରେ ସସ୍ମିତାଙ୍କର କଞ୍ଚା ହାତର ସ୍ପର୍ଶ ରହିଛି । ଶବ୍ଦ ସଂଯୋଜନା ଓ ଗଠନ ଶୈଳୀରେ ଠାଏ ଠାଏ ଅପରିପକ୍ବତା ପରିଲକ୍ଷିତ ହୋଇଛି । କାବ୍ୟିକ ରେଖାଚିତ୍ର ଅସ୍ପଷ୍ଟ । ଆଶା ଆଗାମୀ ଦିନରେ ଏ ସବୁର ସୁଧାର ହେବ । ତାଙ୍କର ଉଜ୍ଜଳ ସାରସ୍ବତ ସମୃଦ୍ଧି କାମନା କରୁଛି ।
****
ସତ୍ୟବାଦୀ ହାଇସ୍କୁଲ୍,ଧଣ୍ଡାମାଳ
ଦେଓଗାଁ, ବଲାଙ୍ଗିର

ମୋ' ଦୃଷ୍ଟିରେ..........
ମୁଁ ଅତ୍ୟନ୍ତ ଖୁସି ଓ ସନ୍ତୁଷ୍ଟ ଯେ ଏଥର ପ୍ରତିଯେଗିତାରେ ଯେତେ ଗୁଡ଼ିଏ କବିତା ଆସିଥିଲା ପ୍ରାୟ ସମସ୍ତ କବିତା ଖୁବ୍ ସୁନ୍ଦର ଓ ମର୍ମସ୍ପର୍ଶୀ । ସମସ୍ତେ ନିଜ ସାଧ୍ୟମତେ ଶୀର୍ଷକକୁ ଛୁଇଁ କବିତା ରଚନା କରିଛନ୍ତି । ପ୍ରଚୁର କାବ୍ୟିୟ ପ୍ରତିଭା ଲୁଚି ରହିଛି ସମସ୍ତଙ୍କ ଭିତରେ । ତା'ରି ମଧ୍ୟରୁ କେତେଗୁଡିଏ ଦିଗକୁ ଦୃଷ୍ଟିରେ ରଖି ଆମେ ଶ୍ରେଷ୍ଠ କବିତାଟିଏ ନିର୍ବାଚନ କରିଛୁ ଯାହା ସତରେ ଅନେକ ପ୍ରଶଂସନୀୟ । ଶ୍ରଦ୍ଧେୟା ସସ୍ମିତା ସାହୁଙ୍କୁ ଅଭିନନ୍ଦନ ।
A true pen is awarded not the person... କଲମକୁ ମାନ୍ଯତା ଦିଆଯାଉ , ବ୍ଯକ୍ତିକୁ ନୁହେଁ । ଏହା ହିଁ ପ୍ରତିଯୋଗିତାର ଆଧାର ହେଲେ ସାହିତ୍ଯ କ୍ଷେତ୍ରରେ ନ୍ଯାୟ ହେଇପାରିବ ।
ଆଉ ଗୋଟେ ଅନୁରୋଧ ରଖିବି ଆଗାମୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ପ୍ରତିଯୋଗୀ ମାନଙ୍କ ପାଇଁ....... ଯେକୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କଲା ସମୟରେ ଜିତିବାର ଆଶା ସହ ହାରିବାକୁ ଗ୍ରହଣ କରିବାର ହୃଦୟଟିଏ ରଖନ୍ତୁ । ଆଉ ଯିଏ ଜିତିଲା ତାକୁ ଅଭିନନ୍ଦନ ଦେବା ଭଳି ଉଦାର ମନଟିଏ ରଖି ତା' ଲେଖାଟିକୁ ମାନ୍ଯତା ଦିଅନ୍ତୁ । ଅସହିଷ୍ଣୁତା ସାହିତ୍ଯର ଆଧାର ନୁହେଁ । ସାହିତ୍ଯ ଆତ୍ମସନ୍ତୋଷର ଉପାଦାନ ହେଉ । ପରସ୍ପର ମଧ୍ୟରେ ସହଭାଗିତା ଓ ସହଯୋଗିତା ରହୁ । ଏ କାମନା ସହ ସମସ୍ତେ ସୁସ୍ଥ ଓ ନିରାପଦ ରୁହନ୍ତୁ । ଶୁଭକାମନା.........
ବିଚାରକ
ଉଦୟ ଭାନୁ
ଦୃଷ୍ଟିପାତ
+++++++
ଡକ୍ଟର ଲକ୍ଷ୍ମଣ ସାହୁ
ନିକଟରେ ଉଦୟଭାନୁ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଗଳ୍ପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀ ସମ୍ମାନନୀୟା ଜୟନ୍ତୀ ନନ୍ଦ ,ପଦ୍ମାଳୟା ମିଶ୍ର, ପ୍ରିୟଦର୍ଶିନୀ ସାମନ୍ତରାୟ ,ବିଷ୍ଣୁପ୍ରିୟା ଦାସ ,ସାରଙ୍ଗଧର ସାହୁ, କୈଳାସ ଚନ୍ଦ୍ର ଜେନା , ଚିକୁନ୍ ପଣ୍ଡା , ଅନୁରାଧା ବେହେରା , ଦେବଦତ୍ତ ପ୍ରଧାନ , କାଦମ୍ବିନୀ ଖୁଣ୍ଟିଆ , କ୍ଷୀରୋଦ୍ର ସାହୁ , ନିବେଦିତା ମହାପାତ୍ର ଓ ଲୋରୀ ସ୍ବାଇଁଙ୍କୁ ଅଭିନନ୍ଦନ । ବ୍ୟକ୍ତିଗତ ଭାବରେ ଗାଳ୍ପିକମାନଙ୍କ ଗଳ୍ପ ଆଲୋଚନା କରିବା ସୀମିତ ଭିତରେ ସମ୍ଭବ ନୁହେଁ ।
କେବଳ ସଂକ୍ଷେପରେ କହିପାରେ ପ୍ରତ୍ୟେକଙ୍କ ଗଳ୍ପ ଭିନ୍ନ ଦୃଷ୍ଟିଭଙ୍ଗୀରେ ଲିଖିତ , ଯାହା ବେଶ୍ ହୃଦୟସ୍ପର୍ଶୀ ହୋଇଛି । ମନୁଷ୍ୟ ହୃଦୟର ଗଭୀରତମ ପ୍ରଦେଶରେ ପ୍ରବେଶ କରି ଜୀବନର ଅନନ୍ତ ରହସ୍ୟକୁ ଉଦ୍ଘାଟନ କରିବାରେ ସଫଳ ହୋଇଛନ୍ତି । ସାଂପ୍ରତିକ ସମସ୍ୟାକୁ ଭିତ୍ତି କରି ପ୍ରତ୍ୟେକ ଗାଳ୍ପିକ ନିଜ ନିଜର ଗଳ୍ପକୁ ଅତ୍ୟନ୍ତ ନାଟକୀୟ ଭଙ୍ଗୀରେ ପ୍ରକାଶ କରିଛନ୍ତି । ଆତ୍ମିକ ଓ ଆଙ୍ଗିକ ଦୃଷ୍ଟିରୁ ଗଳ୍ପ ଗୁଡ଼ିକ ବର୍ଣ୍ଣନା ଧର୍ମୀ ନହୋଇ ବେଶ୍ ବାସ୍ତବ ଧର୍ମୀ ହୋଇପାରିଛି , ସେଥିପାଇଁ ସକଳେ ଧନ୍ୟବାଦର ପାତ୍ର
ୟା' ପୂର୍ବରୁ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ଏତେ ଭଲ ଲେଖିଥିଲେ ଯେ ତା' ମଧ୍ୟରୁ କାହାକୁ ବିଜେତା ବାଛିବା କଷ୍ଟକର ହୋଇ ପଡୁଥିଲା । ସମସ୍ତଙ୍କ ଲେଖାରେ ଥିଲା ଆତ୍ମସନ୍ତୋଷର ଉପାଦାନ । ମାତ୍ର ଏଥର ଗଳ୍ପରେ ତା'ର ବିପରୀତ । ଗଳ୍ପର କଥନ ଓ ପ୍ରକୃତ ରଚନା ଶୈଳୀକୁ କେବଳ ମାତ୍ର ଦୁଇ-ତିନି ଜଣ ଆପଣେଇ ପାରିଛନ୍ତି । ଅନ୍ୟାନ୍ୟ ଗଳ୍ପରେ ପ୍ରବନ୍ଧର ଛାପ ବାରି ହୋଇ ପଡୁଛି । ତା' ଛଡ଼ା ଯେଉଁ ଥିମ୍ (theme) ଦିଆଯାଇଥଲା ଗଳ୍ପରେ ଯଦି ସେଇ ଥିମ୍ ସ୍ପଷ୍ଟ ନହେଲା , ତେବେ ତାହାକୁ ବିଚାରକୁ ଆଣିବା କାଠିକର ହୋଇଥାଏ । ଆମ ପାଇଁ ମଧ୍ଯ କିଛି guideline ଥାଏ ।
ଗଳ୍ପର ଥିମ୍ (theme) ଥିଲା ନିଜର ପ୍ରେମ ଓ ଭବିଷ୍ୟତକୁ ପରିବାରର ସ୍ନେହ - ପ୍ରେମ ପାଇଁ ତ୍ଯାଗ କରିବା । ଏଠାରେ ଉଭୟ ପକ୍ଷର ପ୍ରେମ ଓ ଭଲପାଇବାର ଗଭୀରତା ଦର୍ଶେଇବାରେ ଏମିତି ଶବ୍ଦ ପ୍ରୟୋଗ କରିବାର ଥିଲା ଯେମିତି ପାଠକକୁ ସେଇ ସବୁ ଶବ୍ଦର ଅନୁଭବ ନିଃଶବ୍ଦ କରିଦେବ । ଏ ନେଇ ମୁଁ ଜଣଙ୍କର ଗଳ୍ପକୁ ଉଲ୍ଲେଖ କରିବାକୁ ଚାହିଁବି ; ପ୍ରିୟଦର୍ଶିନୀ ସାମନ୍ତରାୟ । ତାଙ୍କ ଲେଖାର ଶୈଳୀ ଖୁବ୍ ଭଲ ଓ ଆକର୍ଷଣୀୟ କିନ୍ତୁ ସେ ଗୋଟେ ପକ୍ଷର ସ୍ନେହ ପ୍ରେମର ଗଭୀରତାକୁ ଦର୍ଶେଇଥିବା ସ୍ଥଳେ ଅନ୍ଯ ପକ୍ଷର ଗଭୀରତାକୁ ଦର୍ଶେଇବାରେ ବିଫଳ ହୋଇଛନ୍ତି । ନାୟକ-ନାୟିକାଙ୍କର ଗଭୀର ପ୍ରେମ , ଆକର୍ଷଣ ଓ ଭଲପାଇବା ଯଦି ନାହିଁ ତାହାଲେ ତ୍ଯାଗ ଶବ୍ଦ ସେଠି କାହିଁ ! ନାୟକ ଓ ନାୟିକା ପରସ୍ପରର ହୃଦୟର ବନ୍ଧନକୁ ଦୃଢ଼ କରିବାର ଥିଲା । ଯାହାକୁ ନାୟକ ପରିବାରର ସ୍ନେହ ପ୍ରେମ ପାଇଁ ତ୍ଯାଗ କରିଥା'ନ୍ତା । ତେଣୁ ଥିମ୍(theme)କୁ ଛୁଇଁ ପାରିଲାନି ଗଳ୍ପଟି । ବାସ୍ ସେତିକି ଦର୍ଶେଇ ପାରିଥିଲେ ରଚନାତ୍ମକ ଶୈଳୀ ଦୃଷ୍ଟିରୁ ତାହା ସଫଳ ଗଳ୍ପ ହୋଇ ପାରିଥା'ନ୍ତା । ସକରାତ୍ମକ ସନ୍ଦେଶ ଦେଉଥିବା ଗଳ୍ପଟିଏ ଥିଲା ତାହା । ଅନ୍ଯ କେତେଜଣଙ୍କ ଗଳ୍ପ ଛୁଇଁଛି । ତା' ମଧ୍ୟରୁ ଅନ୍ଯାନ୍ଯ ଦୃଷ୍ଟିକୋଣକୁ ବିଚାର କରି ଆମେ ଡକ୍ଟର ବିଷ୍ଣୁପ୍ରିୟା ଦାସଙ୍କୁ ବିଜେତା ଘୋଷଣା କରିଛୁ ।
ଆପଣ ସମସ୍ତଙ୍କୁ ଅନୁରୋଧ ପ୍ରତିଯୋଗିତା ପାଇଁ ଗଳ୍ପ ଓ କବିତାରେ ଛୋଟ କଳେବରଟିଏ ବାଛନ୍ତୁ ଓ ବିଷୟବସ୍ତୁକୁ ଯେତେ ସମ୍ଭବ ସ୍ବଳ୍ପ ଶବ୍ଦ ମାଧ୍ଯମରେ ପରିପ୍ରକାଶ କରନ୍ତୁ । ଏଥର ଆମେ ଶବ୍ଦର ସୀମା ରଖିବୁ ।
ଧନ୍ୟବାଦ ସମସ୍ତଙ୍କୁ । ଈଶ୍ୱରଙ୍କୁ ପ୍ରାର୍ଥନା ସମସ୍ତେ ସୁସ୍ଥ ଓ ନିରାପଦ ରୁହନ୍ତୁ ।
ଶ୍ରୀନିକ୍ସ ଇଞ୍ଜିନିୟରିଂ କଲେଜ ପାଖ ,
ଚୁନଭାଟି , ଶ୍ରୀକଣ୍ଠପୁର (ବାଲେଶ୍ବର)
**********************************
ଡଃ ବିଷ୍ଣୁପ୍ରିୟା ଦାସଙ୍କ ଗଳ୍ପ "ମୋ ପରିବାର : ମୋ ଅସ୍ମିତା" ; ଏକ ଆଲୋଚନା
କଣ୍ଡୁରୀ ଚରଣ ରାଉତ,ଶିକ୍ଷକ
**********************************
ଶେଷତମ ପତ୍ର ଉପରେ ବି ଭରସା ଅଛି ।ସେ ଥିବା ଯାଏଁ ଜୀବନ ଅଛି,ସମ୍ଭାବନା ଅଛି,ଆଶା ଅଛି । ଏଭଳି ଆଶାଟିଏ ନେଇ ଆସିଛନ୍ତି ଗାଳ୍ପିକା ଡଃ ବିଷ୍ଣପ୍ରିୟା ଦାସ । ସବା ସାନ ଝିଅ ବି ବଡ଼ ପୁଅର ଭୂମିକା ସୂଚାରୁ ରୂପେ ନିର୍ବାହ କରିପାରେ ସେପରି ଏକ ଭାବନାରେ ଭରପୂର ହେଇଛି ସଂପ୍ରତି ଶେଷ ହୋଇଥିବା ଉଦୟ ଭାନୁ ଗଳ୍ପ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଗଳ୍ପ 'ମୋ ପରିବାର : ମୋ ଅସ୍ମିତା' । ଝିଅ ହେଉ ବା ପୁଅ ; ଯୌବନର ଉତ୍ତାଳ ତରଙ୍ଗରେ ନିଜର ଶିକ୍ଷାଦୀକ୍ଷା ସଂସ୍କୃତିକୁ ଭୁଲି ପ୍ରେମର ଖସଡ଼ା ପଥରେ ଭାସିଯିବାକୁ ନାପସନ୍ଦ କରିଛନ୍ତି ଗାଳ୍ପିକା । ଝିଅ ଜନମ ପର ଘରକୁ ।ଏହା ତ ସାଧାରଣ ପନ୍ଥା । ଏଇ ସ୍ବାଭାବିକ ପନ୍ଥା ଛାଡ଼ି ଜୀବନକୁ ଯେ ବିଶାଳ ଓ ପ୍ରଶସ୍ତ କରାଯାଇପାରେ , ନିଜ ପରିବାରର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବ୍ୟକ୍ତିଗତ ସୁଖସ୍ବାଚ୍ଛନ୍ଦ୍ୟ ଓ ସ୍ବାର୍ଥକୁ ବଳି ଦିଆଯାଇପାରେ , ତା'ର ଏକ ଚମତ୍କାର ଉଦାହରଣ ହେଉଛି ତାଙ୍କ ଗଳ୍ପ ନାୟିକା ସୁଜାତା ।
ପ୍ରଥମେ କରୋନା ଯୋଗୁଁ ସାଂପ୍ରତିକ ବିଶ୍ବର ପରିବର୍ତ୍ତିତ ସାମାଜିକ , ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଉପରେ ଆଲୋକପାତ କରିଛନ୍ତି ଗାଳ୍ପିକା । ସାଧାରଣ ମଣିଷଟିଏ ନିତି ମରି ମରି ବଞ୍ଚୁଛି , ନିଜ ଜୀବନ ସହିତ ସାଲିସ୍ କରୁଛି । ସରକାରଙ୍କ ଯୋଜନା ପ୍ରତି ବି କଟାକ୍ଷ କରିଛନ୍ତି ସେ ।
ଏକ ସାଧାରଣ ମଧ୍ଯବିତ୍ତ ଓଡ଼ିଆ ପରିବାରର କଥା କହିଛନ୍ତି ଗପଟିରେ । ଇଂରାଜୀ ସାହିତ୍ୟରେ ପି.ଜି.କରୁଥିବା ସୁଜାତା ହିଁ ଗଳ୍ପର ମୁଖ୍ୟ ଚରିତ୍ର ।ବାପା ମାଆ ଦୁହେଁ ଶିକ୍ଷକତାକୁ ବୃତ୍ତି କରି ନିଜର ତିନୋଟି ସନ୍ତାନକୁ ଉଚ୍ଚ ଶିକ୍ଷିତ କରାଇ ଭଲ ସଂସ୍କାର ଦେବାର ପ୍ରଯତ୍ନ କରିଛନ୍ତି । କିନ୍ତୁ ଘରର ଏକମାତ୍ର ପୁଅ ଓ ବଡ ଝିଅ ପ୍ରେମ ବିବାହ କରି ଅଣଓଡ଼ିଆ ପୁଅଝିଅଙ୍କୁ ବିବାହ କରି ନିଜ ସୁବିଧା ନିଜେ କରି ନେଇଛନ୍ତି । ଉଚ୍ଚ ଶିକ୍ଷିତ ହେଲା ପରେ ବର୍ତ୍ତମାନର ପୁଅଝିଅମାନେ ବିଚାରହୀନ ଓ ଅବିବେକୀ ହୋଇଯାଉଛନ୍ତି । ସେମାନଙ୍କ ପ୍ରେମ ବିବାହ ଓ ନିଜ ପରିବାର ପ୍ରତି ଉଦାସୀନତା ବୃଦ୍ଧ ପିତାମାତାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଛି ।ସେତିକିବେଳେ ନିଜର ପରିବାର ପ୍ରତି ନିଜର କର୍ତ୍ତବ୍ୟବୋଧ ପ୍ରତି ସଚେତନ ହୋଇଛି ଘରର ସାନ ଝିଅ ସୁଜାତା । ଗାଳ୍ପିକା ସୁଜାତା ଚରିତ୍ରରେ ଦେହରୁ ଦେହୋତ୍ତର , ମନରୁ ମନୋତ୍ତର , ପ୍ରେମରୁ ପ୍ରେମୋତ୍ତର ଓ ଜୀବନରୁ ଜୀବନୋତ୍ତରର ସ୍ବାଦ ଚଖେଇଛନ୍ତି ଗଳ୍ପଟିରେ ।ତା' ପରି ଗୋଟେ ସାଧାରଣ ଝିଅ ନିଜର ସମସ୍ତ କାମନା ବାସନାକୁ ,ପ୍ରେମ ପ୍ରତିଜ୍ଞାକୁ ଭୁଲି ନିଜ ଘର ପରିବାର , ବାପା - ବୋଉ , ବଡ଼ବାପା ବଡ଼ବୋଉ , ଗାଁ ଲୋକଙ୍କ ପାଇଁ ଅସାଧାରଣ ପାଲଟି ଯାଇଛି । ସାରା ଜୀବନ ଅବିବାହିତ ରହି ନିଜ ବାପା - ବୋଉଙ୍କ ସ୍ବପ୍ନକୁ ସାକାର କରିବାର ଚେଷ୍ଟା କରିଛି । ଆଉ ଏଇ ପରିବର୍ତ୍ତନ ମୂଳରେ ରହିଛି ଆମର ସଂସ୍କୃତି , ଐତିହ୍ୟ ଓ ପୌରାଣିକ ମୂଳଦୁଆ । ଟିଭି ଧାରାବାହିକ ଶ୍ରୀକୃଷ୍ଣରେ ଦେବ ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ , କଳିଯୁଗରେ ମଣିଷର ଆସୁରିକ ପ୍ରବୃତ୍ତିର ଉଦ୍ରେକ ସଂପର୍କରେ ଚେତେଇଛନ୍ତି । ଶ୍ରୀକୃଷ୍ଣ ଓ ରୁକ୍ମଣୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ପ୍ରଭାବିତ ହୋଇ ସୁଜାତାର ଜୀବନ ଶୈଳୀରେ ପରିବର୍ତ୍ତନ ଟିଭି ସିରିଏଲର ସକାରାତ୍ମକ ଭାବନା ପ୍ରତି ଲେଖିକାଙ୍କ ଦୃଷ୍ଟିକୋଣର ପରିଚୟ ଦିଏ ।
ଏହା ବ୍ୟତୀତ ପ୍ରେମ ବିବାହ ପ୍ରତି ସମାଜର ଦୃଷ୍ଟିକୋଣକୁ ବି ଦର୍ଶେଇଛନ୍ତି ଗାଳ୍ପିକା । ତା'ଙ୍କ ମତରେ ସଂପ୍ରତି ପ୍ରେମ କେବଳ ଦୈହିକ, ଯୌନ ଲାଳସା ଚରିତାର୍ଥ କରିବାରେ ସୀମାବଦ୍ଧ । ଏଠି ଶାଶ୍ବତ ପ୍ରେମର ଚିହ୍ନବର୍ଣ୍ଣ ନାହିଁ । ଏଥିପାଇଁ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ ବି ଦାୟୀ କରିଛନ୍ତି ସେ ।
ନିଜ ବାପା - ବୋଉ ଓ ପରିବାରର ସୁଖ ସମ୍ମାନ ପାଇଁ ପ୍ରେମ ବିବାହ କରିବାରେ ପଛଘୁଞ୍ଚା ଦେଇଛି ସୁଜାତା । ଏପରିକି ନିଜ ମନର ମଣିଷ ଅର୍ଣ୍ଣବକୁ ସାରା ଜୀବନ ଭୁଲିଯିବାର ତ୍ୟାଗରେ ମହିମାମଣ୍ଡିତ ଗଳ୍ପଟିର ବିଷୟବସ୍ତୁ ।
ଅବଶ୍ୟ ଗଳ୍ପଟିରେ ଆଉ ଟିକେ ଆବେଗ , ସାବଲୀଳତା ଓ ନାଟକୀୟତା ରହିଥିଲେ ଅଧିକ ରସାସ୍ବାଦୀ ହୋଇଥା'ନ୍ତା । କେତେକ କ୍ଷେତ୍ରରେ କିଛି ଉଦାହରଣ ଅପ୍ରାସଙ୍ଗିକ ମନେହୁଏ ।ଯେମିତି କି ବିରି ମାଡ଼ ଦେଖି କୋଳଥ ଚେପଟା ହେବା ନୀତିରେ ସୁଜାତାର ପରିବର୍ତ୍ତନ କାହାଣୀରେ ତା'ର ମହାନତାକୁ ସଂକୁଚିତ କରୁଛି ।
ପ୍ରାସଙ୍ଗିକତା ଦୃଷ୍ଟିରୁ ବିଚାର କଲେ ଗଳ୍ପଟି ଏକ ସାର୍ଥକ ସୃଷ୍ଟି । ପାରିବାରିକ ଜୀବନରେ ଶାନ୍ତି , ପ୍ରୀତି ଓ ଭାଇଚାରାର ସ୍ବପ୍ନ ଦେଖିଛନ୍ତି ଗାଳ୍ପିକା । ଏଥିପାଇଁ ସାମାଜିକ ଶୃଙ୍ଖଳା ଓ ନିୟମାନୁବର୍ତ୍ତିତା ତଥା କର୍ତ୍ତବ୍ୟ ପାଳନର ଆବଶ୍ୟକତାକୁ ସେ ଅନୁଭବ କରିଛନ୍ତି । ସମାଜ ପାଇଁ ଏକ ସୁନ୍ଦର ଆତ୍ମତ୍ୟାଗର ବାର୍ତ୍ତା ରହିଛି କାହାଣୀଟିରେ । ଡଃ ଦାସଙ୍କର ସାରସ୍ବତ ଜୀବନର ଉତ୍ତରୋତ୍ତର ସମୃଦ୍ଧି କାମନା କରୁଛି ।
******
ସତ୍ୟବାଦୀ ହାଇସ୍କୁଲ୍,ଧଣ୍ଡାମାଳ
ବଲାଙ୍ଗିର .ମୋ.୮୯୧୭୩୯୭୩୪୮
ପ୍ରାବନ୍ଧିକ ଜାନକୀବଲ୍ଲଭ ସାମନ୍ତରାୟଙ୍କ ପ୍ରବନ୍ଧ " ଭାରତୀୟ ସଂସ୍କୃତିରେ ଗଣେଶ ପୂଜା " ଏକ ଆଲୋଚନା
******************************************
ସଦ୍ୟ ସମାପ୍ତ ହୋଇଥିବା ଉଦୟଭାନୁ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରାବନ୍ଧିକଙ୍କୁ ମୋର ଶୁଭେଚ୍ଛା ଓ ଶୁଭ କାମନା । ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରାବନ୍ଧିକ ଜାନକୀବଲ୍ଲଭ ସାମନ୍ତରାୟଙ୍କୁ ଅଭିନନ୍ଦନ ଜଣାଉଛି । ସେ' ଜଣେ ସଂସ୍କାରଧର୍ମୀ ଚିନ୍ତାନ୍ବେଷୀ ପ୍ରାବନ୍ଧିକ । ପ୍ରବନ୍ଧରୁ ହିଁ ପ୍ରାବନ୍ଧିକଙ୍କ ଉଚ୍ଚକୋଟୀର ବ୍ୟକ୍ତିତ୍ବର ଆକଳନ କରିହୁଏ । ଆଲୋଚ୍ୟ ପ୍ରବନ୍ଧରେ ଲେଖକଙ୍କ ଭାରତୀୟ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ସହିତ ବିଭିନ୍ନ ପୂଜା ଆରାଧନାରେ ସଂସ୍କାର ପ୍ରୟାସ ମନୋବୃତ୍ତିର ଅପୂର୍ବ ସମନ୍ବୟ ପରିଲକ୍ଷିତ । ଭକ୍ତି ନାମରେ ଶଠତା, ବିଧି ବ୍ୟବସ୍ଥା ନାମରେ ବୌଦ୍ଧିକ ଅନ୍ଧବିଶ୍ବାସ ଓ ଗଣନାଥଙ୍କ ପୂଜା ନାମରେ ପ୍ରକୃତ ଭକ୍ତି ବଦଳରେ ଅଯଥା ବାହ୍ୟ ଆଡ଼ମ୍ବର ଓ ବିଜ୍ଞାପିତ ମନୋଭାବକୁ ନାପସନ୍ଦ କରିଛନ୍ତି ସେ' ।
ପ୍ରଥମରେ ମହାଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ସେ ଆଲୋକପାତ କରିଛନ୍ତି ।ଗଣେଶଙ୍କ ଜନ୍ମର ଉଦ୍ଦେଶ୍ୟ, ଅଗ୍ରପୂଜ୍ୟ ହେବାର ଇତିବୃତ୍ତ,ପୂଜାର ମାହାତ୍ମ୍ୟ ତଥା ତାଙ୍କ ନାମର ମହତ୍ତ୍ବ ସଂପର୍କରେ ତର୍ଜମା ବହୁତ ଭଲ ଲାଗିଲା ।
ସାଂପ୍ରତିକ ସମୟରେ ଲୋକମାନଙ୍କ ମନରେ ଆଧ୍ୟାତ୍ମିକ ଚେତନାର ଅଭାବ ଦେଖି ସେ ବ୍ୟଥିତ ହୋଇଛନ୍ତି । ଏବେ ସର୍ବତ୍ର ଭକ୍ତହୀନତା ରାଜପଣ କରୁଛି । ବିଘ୍ନବିନାଶନ ଥାଉଁ ଥାଉଁ ଲୋକର ଏ ଦୁଃଖଦୁର୍ଦ୍ଦଶା ହେବା ଓ ବିଘ୍ନ ନ ହଟିବା ଶୋଭନୀୟ ନୁହେଁ ବୋଲି ପ୍ରାବନ୍ଧିକ ଖେଦୋକ୍ତି ପ୍ରକାଶ କରିଛନ୍ତି । ତା'ଙ୍କ ଭାଷାରେ -
"ବିପଥଗାମୀ ମଣିଷର ଆଚାରହୀନ, ଭାବଭକ୍ତିହୀନ ପୂଜାରେ ଅତିଷ୍ଠ ହୋଇ ବୋଧହୁଏ ମହାପ୍ରଭୁ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମଣିଷକୁ ପହଞ୍ଚେଇ ଦେଇ ନୀରବଦ୍ରଷ୍ଟା ସାଜିଛନ୍ତି ।"
ଗାଁ ଗହଳିର ପୁରୁଖା ଲୋକଙ୍କୁ ଆଜିର ସଂସ୍କୃତି ଓ ସଭ୍ୟତା ବିଷୟରେ ପ୍ରଶ୍ନ କଲେ ସେଥିପାଇଁ ସେମାନେ କହନ୍ତି- 'ଏ ଆଉ ବେଶି ଦିନ ନୁହେଁ ।'
ଶ୍ରଦ୍ଧା,ବିଶ୍ବାସ,ତ୍ୟାଗ,ସଂଯମ,ସେବା,କର୍ମ ଓ ଐଶ୍ବରିକ ଚେତନା ହିଁ ଆଧ୍ୟାତ୍ମୀକ ଜୀବନ ଧାରଣର ଗୋଟିଏ ଗୋଟିଏ ମୁଖ୍ୟ ସୋପାନ ।ଏଇ ସୋପାନ ମଧ୍ୟ ଦେଇ ଜଣେ ଭଗବାନଙ୍କ ଅସ୍ତିତ୍ବ ଉପଲବ୍ଧି କରି ପାରିବ । କିନ୍ତୁ ଅଜ୍ଞାନ ବ୍ୟକ୍ତି ଅଜ୍ଞତା ଓ ଅଭକ୍ତି ହେତୁ ଭଗବାନ ଶ୍ରୀଗଣେଶଙ୍କୁ ଅବମାନନା କରେ , ତାଙ୍କର ମହତ୍ତ୍ବ ହୃଦୟଙ୍ଗମ କରିପାରେ ନାହିଁ ।
ଭଗବାନଙ୍କୁ ଭୁଲି ଧନ,ମାନ,ଯଶ,ଗୌରବ ପାଇଁ ନିରନ୍ତର ବ୍ୟାକୁଳତା ପ୍ରକୃତ ଭକ୍ତିର ପରିଚୟ ନୁହେଁ । ହୃଦୟକୁ ସରସ,ସରଳ ଆଉ ସୁନ୍ଦର କଲେ ଏପରି ବୁଦ୍ଧି ଆଉ ରହେ ନାହିଁ । ଏଥିରୁ ସୁସ୍ଥ ସମାଜ ଗଠନ ପାଇଁ ଓ ଆମ ସଂସ୍କୃତିର ସୁରକ୍ଷା ପାଇଁ ଜାନକୀବଲ୍ଲଭଙ୍କ ବ୍ୟାକୁଳତା ଅନୁଭବ କରିହୁଏ ।
ପ୍ରବନ୍ଧଟି ମୂଳରୁ ଶେଷ ପର୍ଯ୍ୟନ୍ତ ପାଠକଙ୍କୁ ଆତ୍ମୀୟତା ସୂତ୍ରରେ ବାନ୍ଧି ରଖିଛି । ନିଜ କବିତ୍ବପୂର୍ଣ୍ଣ ମନୋଭାବର ପରିପ୍ରକାଶ ପାଇଁ ଶେଷରେ କବିତାର ଉଦ୍ଧୃତି ଦେବାକୁ ଭୁଲି ନାହାନ୍ତି ଯଦିଓ ଏହା ଏକ ପ୍ରବନ୍ଧ । ମୋଟ ଉପରେ କହିବାକୁ ଗଲେ ପ୍ରବନ୍ଧଟିକୁ ସୁଖପାଠ୍ୟ କରି କିପରି ପାଠକଙ୍କ ଆଗରେ ଉପସ୍ଥାପନ କରାଯାଇ ପାରିବ ସେ ବାବଦରେ ପ୍ରାବନ୍ଧିକଙ୍କ ନିଷ୍ଠା ପ୍ରଶଂସନୀୟ ।
*****
କଣ୍ଡୁରୀ ଚରଣ ରାଉତ,ଶିକ୍ଷକ
ସତ୍ୟବାଦୀ ହାଇସ୍କୁଲ୍,ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର .ମୋ.୮୯୧୭୩୯୭୩୪୮
ଚୁମ୍ବକରେ କିଛି......×××.....
ଉଦୟ ଭାନୁ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ତୃତୀୟ ପ୍ରବନ୍ଧ ପ୍ରତିଯୋଗିତା ' ଭାରତୀୟ ସଂସ୍କୃତିରେ ଗଣେଶ ପୂଜା ' ଶୀର୍ଷକ ଥିଲା ଆଧ୍ୟାତ୍ମିକ ଚେତନା ମୂଳକ ଆଲୋଚନା । ପ୍ରତ୍ୟେକ ପ୍ରତିଯୋଗୀଙ୍କ ପ୍ରବନ୍ଧ ବେଶ୍ ଉଚ୍ଚକୋଟୀର ଓ ମନୋଜ୍ଞ ଥିଲା । ପ୍ରାବନ୍ଧିକମାନଙ୍କ ଦୃଷ୍ଟିରେ ସେଇ ଗତାନୁଗତିକ ଧାରା ଯାହା ଭାରତୀୟ ସଂସ୍କୃତିକୁ ସ୍ମରଣ କରାଇଦିଏ । ତଥାପି ଏଠାରେ ପୁନର୍ବାର କିଛି ମନେ ପକାଇ ଦେଉଛି ।
ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି, ବିଘ୍ନ ବିନାଶକ ଗଣନାଥଙ୍କ ପୂଜା ଆରାଧନାର ପବିତ୍ର ଦିନ । ସାରା ଭାରତରେ , ଏହି ଦିନରେ ଗଣପତିଙ୍କୁ ପୂଜା କରାଯାଏ । ଶ୍ରୀ ଗଣେଶ ଜ୍ଞାନଦାତା , ବିଦ୍ଯାଦାତା ଓ ବିଘ୍ନ ବିନାଶକ । ସେ ମହାବିନାୟକ , ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକ । ଶିବ - ପାର୍ବତୀ ଗଣେଶଙ୍କ ପିତା - ମାତା ହୋଇଥିଲେ ମଧ୍ୟ ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଏ । ସେ ସର୍ବଦେବତାଙ୍କ ଦ୍ବାରା ପୂଜିତ । ବ୍ରହ୍ମା , ବିଷ୍ଣୁ , ମହେଶ୍ୱରଙ୍କ ପୂର୍ବରୁ ସେ ବିଦ୍ଯମାନ । ତାଙ୍କୁ ଆରାଧନା ନକରି ବ୍ରହ୍ମା ସୃଷ୍ଟି ପ୍ରକ୍ରିୟାରେ ପ୍ରବୃତ୍ତ ହେବାରୁ , ସୃଷ୍ଟି ବିଘ୍ନିତ ହେଲା । ସୁତରାଂ ବିଘ୍ନେଶ୍ବରଙ୍କୁ ଯଥୋଚିତ ବନ୍ଦନା ପରେ , ସେ ସୃଷ୍ଟି ସର୍ଜନା କରିଥିଲେ । ଶ୍ରୀ ଗଣେଶଙ୍କ ପ୍ରତିମା ଦୁଇ ପ୍ରକାରର - ବଲମପୁରୀ ବିନାୟକ ; ଯାହାଙ୍କ ଶୁଣ୍ଢ ଡାହାଣକୁ ବକ୍ର । ଅନ୍ଯଟି ଉଦାମପୁରୀ ବିନାୟକ ; ଯାହାଙ୍କ ଶୁଣ୍ଢ ବାମକୁ ବକ୍ର । ଶ୍ରୀ ଗଣେଶ ଗଣ ଦେବତା । ଗଣେଶଙ୍କୁ ରକ୍ତଚନ୍ଦନ ଓ ପୁଷ୍ପରେ ପୂଜା କଲେ ସର୍ବସିଦ୍ଧି ହୁଏ । ବାଳକ - ବାଳିକାଙ୍କ ବିଦ୍ଯା ଆରମ୍ଭର ଏହା ଶୁଭ ଦିନ । ପ୍ରତ୍ଯେକ ହିନ୍ଦୁ ଘରେ ଅନ୍ନପ୍ରାଶନ , ଗୃହପ୍ରବେଶ , ଉପନୟନ , ବିବାହ ଆଦି ମାଙ୍ଗଳିକ କାର୍ଯ୍ଯରେ ଶ୍ରୀ ଗଣେଶ ପ୍ରଥମେ ଆରାଧିତ । ହିନ୍ଦୁମାନଙ୍କର ସେହିଁ କେବଳ ମାତ୍ର ପରମ ଆରାଧ୍ୟ ଦେବତା ଶ୍ରୀ ଗଣେଶ ବିଘ୍ନବିନାଶକ । ସେ ଏକର ନୁହଁନ୍ତି । ସେ ଅନେକଙ୍କର, ଗଣଙ୍କର, ସେ ଦେବ, ଦାନବ ଓ ମାନବଙ୍କର । ତେଣୁ ଗଣମାନଙ୍କର ସେ ଗଣପତି । “ଗ’ର ଅର୍ଥ “ଗଣ’, “ଗ’ର ଅର୍ଥ ମଧ୍ୟ “ଗତି’ । “ଣ’ର ଅର୍ଥ ଜ୍ଞାନ । “ଈ’ର ଅର୍ଥ ଶକ୍ତି ଓ ମୁକ୍ତି, “ଶ’ର ଅର୍ଥ ସୁଖ ଓ ଶାନ୍ତି । ଏଭଳି ଭାବରେ ଶ୍ରୀଗଣେଶ ହେଲେ ଜ୍ଞାନଦାତା, ଶକ୍ତିଦାତା, ସୁଖଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ, ଗଣଙ୍କର ପତି, ଅଗ୍ରପୂଜ୍ୟ ଦେବତା । ଅନ୍ୟ ଅର୍ଥରେ ଗଣ ଶବ୍ଦର “ଗ’ ଅର୍ଥ ହେଉଛି “ବୁଦ୍ଧି’ ଓ “ଣ’ ହେଉଛି “ବିଜ୍ଞାନ’ର ପ୍ରତୀକ । ଏଣୁ ଗଣପତି ହେଲେ ବୁଦ୍ଧି ଓ ବିଜ୍ଞାନର ଦେବତା ।
ଏହି ଗଣେଶ ଚତୁର୍ଥୀ ଦିବସଟିକୁ ମଧ୍ୟ “ଗଣଶକ୍ତି ଜାଗୃତି ଦିବସ’, “କୃଷି ବିକାଶର ତିଥି’ ଭାବରେ ପାଳନ କରାଯାଏ । ଶିବଙ୍କ ପରିବାର ମଧ୍ୟରେ ଶ୍ରୀଗଣେଶ ଚରିତ୍ର ଜୀବନ ଜୀଇଁବାର ଏକ ଉକ୍ରୃଷ୍ଟ କଳାର ପ୍ରତୀକ ଭାବେ ଧରି ନିଆଯାଇପାରେ। କାରଣ ଶ୍ରୀଗଣେଶ ପିତାମାତାଙ୍କ ଆଶୀର୍ବାଦରୁ ଅଗ୍ରପୂଜ୍ୟ । ତେଣୁ ପ୍ରତ୍ୟେକ ଜୀବ ଶିବ ବ୍ୟତିରେକ “ଶବ’ରେ ପରିଣତ ହୋଇଥାଏ । ଶିବ ଏ ଜୀବମାନଙ୍କର ସ୍ରଷ୍ଟା, କିନ୍ତୁ ପାର୍ବତୀ ଶକ୍ତି ପ୍ରଦାନ କରିଥାନ୍ତି । ଶିବ ପରିବାରରେ ଖାଦ୍ୟ ଖାଦକ ଭିତରେ କିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି , ତାହା ବିଶ୍ୱ ପାଇଁ ଅନୁକରଣୀୟ । ଶିବଙ୍କ ବାହନ ବୃଷଭ, ଶକ୍ତିଙ୍କ ବାହନ ସିଂହ, ଶିବଙ୍କ ଗଳାର ଭୂଷଣ ସର୍ପ, କାର୍ତ୍ତିକେୟଙ୍କ ବାହନ ମୟୂର ଓ ଗଣେଶଙ୍କ ବାହନ କ୍ଷୁଦ୍ର ମୂଷିକ । ଏ ସମସ୍ତେ ଖାଦ୍ୟ-ଖାଦକର କଥା ଭୁଲି ପିତାମାତା ତଥା ଶ୍ରୀଗଣେଶଙ୍କ ଏକ ସୁନ୍ଦର ଶୃଙ୍ଖଳିତ ପରିଚାଳନା ମାଧ୍ୟମରେ ପରସ୍ପର ପ୍ରତି ସମ୍ପୂର୍ଣ୍ଣ ଅହିଂସକ ଓ ଅନୁରାଗ ହୋଇ ବନ୍ଧୁତାର ଡୋରିରେ ବାନ୍ଧି ହୋଇ ରହିଛନ୍ତି ।
ସେଭଳି ଉଦୟଭାନୁ ପରିବାର ଭିତରେ ବାନ୍ଧି ହୋଇ ରହିଥିବା ସକଳ ସଦସ୍ୟ ଶିବ ପରିବାର ଭଳି ପ୍ରତ୍ୟୟ ହୁଏ । ଏଠି ପ୍ରତିଯୋଗିତା କେବଳ କାର୍ତ୍ତିକ ଓ ଗଣେଶଙ୍କ ଭଳି । ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଯାହା କରାଯାଏ , ତାହା କେବଳ କେତେକ ସର୍ତ୍ତାନୁସାରେ କରାଯାଏ । ବିଜେତାଙ୍କ ଠାରୁ କୈାଣସି ପ୍ରତିଯୋଗୀ କେବେ କମ୍ ନୁହନ୍ତି । ସହୃଦୟତାର ସହ ପ୍ରତ୍ୟେକ ପ୍ରତିଯୋଗୀ ବିଚାରକୁ ନେଇ ଧ୍ୟାନ ଦିଅନ୍ତୁ , ଆଗାମୀ ପ୍ରତିଯୋଗିତାରେ ସକ୍ରିୟ ଭାଗନେଇ ନିଜର ଲେଖକୀୟ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହିତ ନିଜ ସୃଷ୍ଟିକୁ ରୁଦ୍ଧିମନ୍ତ କରିବା ହେବେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶ୍ରୀଯୁକ୍ତ ଶିବ ହାତୀ , ଦେବଦତ୍ତ ପ୍ରଧାନ , ମୈତ୍ରେୟୀ କମିଳା , ଜାନକୀ ବଲ୍ଲଭ ସାମନ୍ତରାୟ , ଦୁଷ୍ମନ୍ତ ସାହୁ , ଚିକୁନ୍ ପଣ୍ଡା ଓ ନିବେଦିତା ମହାପାତ୍ରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ଆଗାମୀ ପ୍ରତିଯୋଗିତା ସେମାନଙ୍କ ଅଂଶଗ୍ରହଣକୁ ଅପେକ୍ଷା କରି ରହୁଛି ..! ଶେଷରେ ଗଜେନ୍ଦ୍ର ବଦନ , ଗଣନାୟକ ସାରା ଜଗତ୍କୁ ସୌଭାଗ୍ୟ ମଣ୍ଡିତ କରନ୍ତୁ ଓ ବିଶ୍ବର କଲ୍ଯାଣ କରନ୍ତୁ..!!!
® ଡକ୍ଟର ଲକ୍ଷ୍ମଣ ସାହୁ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ-୪
ଦୂରଭାଷ: ୯୦୪୦ ୧୫୧୪୭୪
ମୁଁ ଅନେକ ଖୁସି ଓ ସନ୍ତୁଷ୍ଟ ଯେ "ଭାରତୀୟ ସଂସ୍କୃତିରେ ଗଣେଶ ପୂଜା" ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନେ ଅତ୍ଯନ୍ତ ସୁନ୍ଦର ଓ ରୋଚକ ଭାବେ ନିଜର ଲେଖନୀ ଚାଳନା କରିଛନ୍ତି ।
ଶିବ ହାତୀ , ଦେବଦତ୍ତ ପ୍ରଧାନ , ମୈତ୍ରେୟୀ କମିଳା , ଜାନକୀବଲ୍ଲଭ ସାମନ୍ତରାୟ , ଦୁଷ୍ମନ୍ତ ସାହୁ , ଚିକୁନ୍ ପଣ୍ଡା ଓ ନିବେଦିତା ମହାପାତ୍ର ସମସ୍ତଙ୍କର ପ୍ରୟାସ ପ୍ରଶଂସନୀୟ । ଅନେକ ତଥ୍ୟ ସଂଗ୍ରହ କରି ସମସ୍ତେ ଉପସ୍ଥାପନ କରିଛନ୍ତି , ସମସ୍ତଙ୍କୁ ଧନ୍ୟବାଦ ।
ଉଣିଶ୍ ବିଶ୍ର ଫରକ ମଧ୍ୟରେ ଜାନକୀବଲ୍ଲଭ ସାମନ୍ତରାୟଙ୍କ ପ୍ରବନ୍ଧକୁ ଅଗ୍ରାଧିକାର ଦେଇଛୁ ମାତ୍ର ଅନ୍ୟ ପ୍ରତିଯୋଗୀମାନେ ଜିତିବାକୁ ମନରେ ନଧରି ପ୍ରତିଯୋଗିତା ନିଜକୁ ମାର୍ଜିତ କରିବାର ଏକ ମାଧ୍ୟମ ବୋଲି ବିବେଚନା କରନ୍ତୁ ଓ ଆହୁରି ଉତ୍ସାହିତ ହୋଇ ପରବର୍ତ୍ତୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ ।
ଭାରତୀୟ ଭାବେ ଆମେ ସମସ୍ତେ ସମସାମୟିକ ସମୟକୁ ନେଇ ପରବର୍ତ୍ତୀ ସମୟ ପାଇଁ ସଂସ୍କୃତି ଉପରେ କିଛି ଛାପ ଛାଡ଼ିବାରେ ଏକ ମାଧ୍ୟମ ହେବା..... ଏ ମନୋବୃତ୍ତି ସମସ୍ତଙ୍କର ରହୁ । ସମସ୍ତେ ସୁସ୍ଥ ରୁହନ୍ତୁ ଓ ନିରାପଦ ରୁହନ୍ତୁ । ଶୁଭକାମନା ସହ........
ବିଚାରକ
ସମ୍ୟକ୍ କଥନ

ଉଦୟ ଭାନୁର ଫେସବୁକ ସଂଗୋଷ୍ଠୀରେ ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ଅନଲାଇନ ସାହିତ୍ୟ ଆସରର କବିତା ପ୍ରତିଯୋଗିତା ଶୀର୍ଷକ "ମୋ' ଗାଆଁ" ପ୍ରତ୍ୟେକ ପ୍ରତିଯୋଗୀଙ୍କ ଉପସ୍ଥାପିତ ଆଲେଖ୍ୟ ବେଶ୍ ହୃଦୟସ୍ପର୍ଶୀ । ପ୍ରତ୍ଯେକ ପ୍ରତିଯୋଗୀ ଗାଁ'ର ବାସ୍ତବ ଚିତ୍ରକୁ ଚିତ୍ରାଙ୍କନ କରିବାର ଅନୁଭୂତି ବଳିଷ୍ଠ ଥିଲା , ଯାହାକୁ ମାପ ଦଣ୍ତରେ ମାପିବା ସହଜ ନୁହେଁ । ତଥାପି ସଂସଦ ନିୟମାନୁସାରେ ଜଣଙ୍କର କୃତିକୁ ନିର୍ବାଚିତ କରିବାକୁ ପଡ଼ିବ । ସେହି ଦୃଷ୍ଟିରୁ ସମସ୍ତଙ୍କ କବିତାକୁ ଅନୁଧ୍ୟାନ କରି ଜଣଙ୍କୁ ନିର୍ବାଚିତ କରିବା କଷ୍ଟ ହୋଇପଡ଼ିଥିଲେ ମଧ୍ୟ ପଠନ , ମନନ ଓ ଚିନ୍ତନ ପୂର୍ବକ ଜଣେ ସ୍ରଷ୍ଟାଙ୍କୁ ବିଜେତା ଘୋଷଣା କରାଯାଇଛି ।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୨ ଜଣ ପ୍ରତିଯୋଗୀ କ୍ଷୀରୋଦ୍ର ସାହୁ , ସୁଧାଞ୍ଜଳୀ ମିଶ୍ର , କବିଚନ୍ଦନ ଦେବଦତ୍ତ ପ୍ରଧାନ , ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀ , ମୃଣ୍ମୟୀ ବେହେରା , କଲ୍ଯାଣୀ ହୋତା , କେଶବ ଚନ୍ଦ୍ର ନାୟକ , ଷ୍ଟାଲିନ୍ ସାମନ୍ତରାୟ , କାଦମ୍ବିନୀ ଖୁଣ୍ଟିଆ , ଶିବ ହାତୀ , ରାମଚନ୍ଦ୍ର ପ୍ରଧାନ , ବିଜୟଶ୍ରୀ ନାଥ , ଅରୂପ କୁମାର ବିଶ୍ବାଳ , ନିବେଦିତା ମହାପାତ୍ର , ଦୁଷ୍ମନ୍ତ ସାହୁ , ସୁରଥ କୁମାର ରାଉତ , ପ୍ରଜ୍ଞାଲିନ ସାହୁ , ଜାନକୀ ବଲ୍ଲଭ ସାମନ୍ତରାୟ , ବୀରକିଶୋର ଶତପଥୀ , କୈଳାସ ଚନ୍ଦ୍ର ଜେନା , କଳ୍ପନା ରାୟ , ପ୍ରସାଦିନୀ ହରିଚନ୍ଦନ ବେଶ୍ ନିଖୁଣ ଭାବରେ ଗାଁ ଚିତ୍ରକୁ କଲମ ମୁନରେ ଅଙ୍କନ କରି ପାଠକ ମାନଙ୍କୁ ପରଷି ପାରିଥିଲେ । ସମସ୍ତଙ୍କ ଲେଖାରେ ଗ୍ରାମ୍ୟ ପ୍ରକୃତିର ଶୋଭା ବେଶ୍ ଆକର୍ଷଣୀୟ । ବିଚାର ଦୃଷ୍ଟିରୁ ଡକ୍ଟର ଦେବଯାନୀ ଦାସ ମହୋଦୟା ତାଙ୍କର ସୁଚିନ୍ତିତ ମନ୍ତବ୍ୟ ଦେଇ ସାରିଛନ୍ତି , ତାଙ୍କୁ ଧନ୍ୟବାଦ ଜଣାଉଛି । ସେଭଳି ଉଦୀୟମାନ ସମୀକ୍ଷକ ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ରାଉତ ମହୋଦୟ ବି ବିଜେତାଙ୍କ ସୃଜନୀକୁ ସମୀକ୍ଷା କରି ବେଶ୍ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତିି , ମହାଶୟଙ୍କୁ ଶତ ଧନ୍ୟବାଦ ଜଣାଉଛି, । ପୁନର୍ବାର ସେହି ସମବାର୍ତ୍ତା ମୂଳକ ସମୀକ୍ଷା ଦୋହରେଇବାକୁ ଇଚ୍ଛା କରୁନାହିଁ । ସମୟର ଅଭାବ ହେତୁ ମୁଖ୍ୟ ବିଚାରକ ଭାବରେ କିଛି କହିବା ଉଚିତ ମନେ କରି ଅତି ସଂକ୍ଷେପରେ ଉକ୍ତିଟିଏ ରଖୁଛି ।
ଏହି କବିତା ପ୍ରତିଯୋଗିତା ଆଜି ମନେ ପକାଇ ଦେଉଛି ପଲ୍ଲୀକବି ନନ୍ଦକିଶୋର ବଳ ଏବଂ ଆଧୁନିକ ଯୁଗର ପଦ୍ମଶ୍ରୀ ଉପାଧି ପ୍ରାପ୍ତ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ । ନନ୍ଦକିଶୋରଙ୍କ କବିତା ପୁସ୍ତକ "ନିର୍ଝରିଣୀ" ଗ୍ରାମ୍ଯ ପରିବେଶ ଓ ଗ୍ରାମୀଣ ଭାଷାର ସ୍ମୃତିଚାରଣ କରେ । ଆସ ଆସ ପାରା ଯୋଡ଼ିକ......../ଡ଼ାମରା କାଉରେ ଡ଼ାମରା କାଉ...... ଆଦି ଗ୍ରାମ୍ଯ ପରିବେଶ ଓ ଗ୍ରାମୀଣ ଭାଷାର ମଧୁରତାକୁ ପ୍ରତିପାଦନ କରେ । ସେଥିରେ ଗାଆଁର ନିଚ୍ଛକ ମନଲୋଭା ଚିତ୍ର ଦେଖିବାକୁ ମିଳେ । ପଲ୍ଲୀ କବିତାରୁ ପ୍ରଗତିବାଦୀ ଆଡ଼କୁ ମୁହାଁଇ ଶେଷରେ ଆଧୁନିକ ଶୈଳୀର କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚନାକୁ ଭିତ୍ତିକରି କବି ଓ କବୟିତ୍ରୀ ଗ୍ରାମ୍ଯ ସୌନ୍ଦର୍ଯ୍ଯକୁ ବର୍ଣ୍ଣନା କରିଥିବାରୁ ଆଲେଖ୍ଯ ଗୁଡ଼ିକ ଅଧିକ ପ୍ରାଣସ୍ପର୍ଶୀ ହୋଇପାରିଛି । ଅନେକ କବି/କବୟିତ୍ରୀ ନିଜ ଗାଆଁର ବାସ୍ତବ ଚିତ୍ରକୁ ପ୍ରକାଶ କରିଥିବାରୁ ପାଠକଙ୍କ ନିକଟରେ ସେହି ଗାଁର ମଞ୍ଜୁଳ ପ୍ରକୃତିକୁ ଅନୁଭବ କରିହୁଏ । ଗାଆଁ ଆଉ ଗାଆଁ ହୋଇ ନାହିଁ , ସହର ହୋଇଗଲାଣି - ଏପରି ସୂଚନାତ୍ମକ ଚିତ୍ରଣ ଥିବା କିଛି କବିତା ବି ଗ୍ରାମ୍ଯ ପ୍ରକୃତି ଓ ଗ୍ରାମୀଣ ସୁଖରୁ ବଞ୍ଚିତ ହେବାର ଦୁଃଖକୁ ଅନୁଭବ କରାଉଛି ।
ସକଳେ ଗାଆଁ ମାଟିର ସନ୍ତାନ ଓ ସନ୍ତତି । ପରସ୍ପର ସ୍ନେହ - ଶ୍ରଦ୍ଧା - ଭଲପାଇବା ରହିଲେ ସହର ବି ଗାଁ ପରି ପ୍ରତୀୟମାନ ହେବ । ଗାଆଁ ବିଷୟରେ ଯେତେ ବର୍ଣ୍ଣନା କଲେ ବି କମ୍ ପଡ଼ିବ । ତା'ର ସୌନ୍ଦର୍ଯ୍ୟ , ଚାଲିଚଳଣି , ଭାଷା ସବୁଠୁ ନିଆରା ଓ ମଧୁର । ସଂସ୍କାର , ସଂସ୍କୃତି , ପର୍ବପର୍ବାଣୀ ଆଦିରେ ଯୋଉ ମାଦକତା , ଆତ୍ମୀୟତା , ଐକାନ୍ତିକଭାବ ରହିଛି, ତାହା ସତରେ ମନମୁଗ୍ଧକର ଓ ପରମ ସୁଖପ୍ରଦ ।
ଉଦୟ ଭାନୁ ପରିବାରରେ ଉପସ୍ଥାପିତ ପ୍ରତ୍ଯେକ ଲେଖା ବିଷାଦିତ ମାନସରେ ଆନନ୍ଦର ବାତାବରଣ ସୃଷ୍ଟି କରିବା ସହ ପାଠକୀୟ ଆଦୃତି ଲାଭ କରିପାରିଛି ବୋଲି ପ୍ରଦତ୍ତ ମନ୍ତବ୍ୟ ସବୁରୁ ବେଶ୍ ବାରି ହୋଇପଡ଼େ । ସମସ୍ତ ପ୍ରତିଯୋଗୀ ଯଥାସାଧ୍ୟ ଚେଷ୍ଟା କରିଛନ୍ତି ଗ୍ରାମ୍ଯର ମନଲୋଭା ସୌନ୍ଦର୍ଯ୍ଯକୁ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ । ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଆଶାକରେ ଏହିପରି ଆଲେଖ୍ଯ ଦ୍ବାରା ପାଠକଙ୍କ ପ୍ରାଣରେ ଆହ୍ଲାଦ ଭରି ସବୁରି ସ୍ନେହଭାଜନ ହେବା ସହ ଓଡ଼ିଆ ଭାଷା ସାହିତ୍ଯର ସରଣୀକୁ ସମୃଦ୍ଧ କରିବାରେ ସହାୟକ ହୋଇପାରିବେ ।
🌿🌿🌿🌿🌿
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ , କଟକ-୪
ଦୂରଭାଷ: ୯୦୪୦୧୫୧୪୭୫
ବିଚାରକଙ୍କକୌଣସି ପ୍ରତିଯୋଗିତାରେ ବିଚାର କରିବା ନିଶ୍ଚୟ ଏକ କଠିନ କାର୍ଯ୍ୟ । ପୁଣି ଯେତେବେଳେ କି ପ୍ରତିଯେଗୀମାନେ ଏକୁ ଆରେକ ବଳି ହୋଇଥା'ନ୍ତି , ଏକ ଦ୍ବନ୍ଦାତ୍ମକ ସ୍ଥିତି ଉପୁଜେ । ତଥାପି ନିୟମାନୁଯାୟୀ ଜଣକୁ ତ ବିଜେତା କରିବା ପାଇଁ ପଡ଼ିବ । ଅନ୍ଯ ମାନଙ୍କ ସହ ଉଣିଶ୍ ବିଶ୍ର ଫରକ ମାତ୍ର । "ମୋ' ଗାଆଁ" ଶୀର୍ଷକ ଏ ଯେଉଁ କବିତାରେ ସମସ୍ତ ପ୍ରତିଯୋଗୀଙ୍କ ପ୍ରୟାସ ଖୁବ୍ ସୁନ୍ଦର ।
କେତେଜଣଙ୍କ କବିତାରେ ଗ୍ରାମ୍ୟ ପ୍ରକୃତି ବର୍ଣ୍ଣନା ସୁନ୍ଦର ଭାବରେ ଚିତ୍ରିତ ଥିବା ବେଳେ ଆଉ କେତେଜଣଙ୍କ କବିତାରେ ସମସାମୟିକ ପ୍ରତିଫଳନ ପରିଲକ୍ଷିତ ହୁଏ । ପ୍ରକୃତି ବର୍ଣ୍ଣନା ଥିବା କବିତା ଗୁଡ଼ିକ ଖୁବ୍ ମନଛୁଆଁ ମାତ୍ର ଯେହେତୁ ସାହିତ୍ଯ ସମାଜର ପ୍ରତିଫଳନ ଓ ଲେଖାଟିଏର ରଚନା କାଳରୁ ସେହି ସମୟର ସମାଜର ଚିତ୍ର ଆକଳନ କରାଯାଏ । ତେଣୁ ସେଭଳି ରଚନାକୁ ମୁଁ ଗୁରୁତ୍ୱ ଦେଇଛି । ଯେଉଁ କେତେଜଣ ଏ ଧରଣର କବିତା ପଠେଇଥିଲେ ସେ ମଧ୍ୟରୁ କବିତାରେ ଥିବା ଅନ୍ୟାନ ଆଳଙ୍କାରିତା , ଉପକ୍ରମଣିକାରୁ ଶେଷ କଥା ଯାଏଁ ଶବ୍ଦ ସଂଯୋଜନା , ଉପସ୍ଥାପନାକୁ ବିବେଚନା କରି ଦୁଷ୍ମନ୍ତ ସାହୁଙ୍କ କବିତାକୁ ଅଗ୍ରାଧିକାର ଦେଇଛି ।
ଏଇଠି ଗୋଟିଏ ମାତ୍ର କଥା ଉଲ୍ଲେଖ କରିବାକୁ ସମୀଚୀନ ମନେ କରୁଛି ଜାନକୀ ବଲ୍ଲଭଙ୍କ କବିତାର ଆରମ୍ଭ ଓ ଭାବ ଭିନ୍ନ ଶୈଳୀର ଥିଲା । ବେଶ୍ ସୁନ୍ଦର ଭାବ ସେ ଆରମ୍ଭ କରିଥିଲେ ମାତ୍ର ଯଦି ସେ ଆଉ ଟିକେ ଧ୍ଯାନ ଦେଇଥା'ନ୍ତେ ତେବେ କବିତାଟି ସର୍ବୋତ୍ତମ ହୋଇ ପାରିଥା'ନ୍ତା ।ତେବେ ପ୍ରତିଯୋଗୀମାନେ ନିରୁତ୍ସାହିତ ନହୋଇ ପରବର୍ତ୍ତୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ । ଆମର ସବୁ ବିଭାଗ ରହିଛି । କବିତା , ଗଳ୍ପ , ପ୍ରବନ୍ଧ , ରମ୍ଯରଚନା ; କିଏ କେଉଁଥିରେ ଟିକେ ଉଣା ଥିଲେ ଆଉ କେଉଁଥିରେ ପାରଙ୍ଗମ ଥିବେ । ସେହି ବିଭାଗରେ ନିଜର ପ୍ରତିଭା ପ୍ରତିପାଦନ କରନ୍ତୁ । ସମସ୍ତ ପ୍ରତିଯୋଗୀ ପ୍ରତିଭାଙ୍କୁ ଶୁଭକାମନା , ସୁସ୍ଥ ଓ ନିରାପଦ ରୁହନ୍ତୁ ।
-----------------------------------------------------------
ଶ୍ରୀନିକ୍ସ ଇଞଜିନିୟରିଂ କଲେଜ ପାଖ , ଚୁନଭାଟି , ଶ୍ରୀକଣ୍ଠପୁର (ବାଲେଶ୍ବର)
----------------------------------------------------------

କବି ଦୁଷ୍ମନ୍ତ ସାହୁଙ୍କ କବିତା "ମୋ ଗାଆଁ" ;ଏକ ଦୃଷ୍ଟିପାତ
****************
ପାଶ୍ଚାତ୍ୟ ସଂସ୍କୃତି,ସହରୀ ସଭ୍ୟତାର ପ୍ରଭାବରେ ସାଂପ୍ରତିକ ଗ୍ରାମାଞ୍ଚଳର ଦୁରବସ୍ଥା,ଶ୍ରୀହୀନତା,ସଂକୀର୍ଣ୍ଣତା,ଅବକ୍ଷୟିଷ୍ଣ ଜ୍ବଳନମୁଖୀ ଅପସଂସ୍କୃତିର ଲୋମଶ ହିଂସ୍ରତା କିପରି ଅମୃତମୟ ପଲ୍ଲୀ ଜୀବନକୁ ବିପର୍ଯ୍ୟସ୍ତ କରୁଛି ତାହାର ଏକ ସୁନ୍ଦର ଉଚ୍ଚାରଣ କବି ଦୁଷ୍ମନ୍ତ ସାହୁଙ୍କ କବିତା 'ମୋ ଗାଆଁ' । କବିତାଟି ଉଦୟଭାନୁ କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କବିଙ୍କୁ ଅଭିନନ୍ଦନ ଜଣାଉଛି ।
କବିତାଟିରେ ଗାଆଁ ହିଁ ମୁଖ୍ୟ ସ୍ବର । ଏହା ପୁଣି ଅତୀତ ସ୍ମୃତିରେ ସଂପୂର୍ଣ୍ଣ ବିଧୂରିତ । ଗାଆଁର ଖାଦ୍ୟ ପାନୀୟ, ବେଶ ପୋଷାକ,ଆଚାର ବ୍ୟବହାର, ଚାଲିଚଳଣି, ପବିତ୍ର ସଂପର୍କ ଓ ତା'ର ପର୍ବପର୍ବାଣୀର ମଧୁର ଆକର୍ଷଣ କବିଙ୍କୁ ସ୍ବପ୍ନ ସଞ୍ଚାରୀ କରି ଦେଇଛନ୍ତି । ଶୈଶବ ବିଜଡ଼ିତ ଅତୀତର ମଧୁମୟ ସ୍ମୃତିରେ କବିଙ୍କ ଲେଖନୀ ଜଡ଼ସଡ଼ ହେଇ ଉଠିଛି ।
କବି ଭଲ ପାଇଛନ୍ତି ନିଜର ଗାଁ ମାଟିକୁ ।ଧୂଳିଧୂସରିତ ନାନାବାୟା ଗୀତ ଗାଉଥିବା ଚିର ପରିଚିତ ମାଟିର ଅଗଣାକୁ । କବି ବିଭୋର ହୋଇଛନ୍ତି ତା'ର ଆପଣାପଣରେ । ତେଣୁ ଅତୀତ ସ୍ମୃତିକୁ ରୋମନ୍ଥନ କରି ସେ ଗାଇଛନ୍ତି -:
"ମୋ ଗାଆଁ କୋଳରେ ଜୀବନ କାଳରେ
ବିତାଇଛି ଯେତେ ଦିନ
ସେ ସୁଦିନ ଯଦି ଆସନ୍ତା ବାହୁଡ଼ି
ମୋ ଜୀବ ହୁଅନ୍ତା ଧନ୍ୟ ।"
ସଚ୍ଚି ରାଉତରାୟଙ୍କ 'ଛୋଟ ମୋର ଗାଆଁଟି'ରେ ଗ୍ରାମ୍ୟ ଭୂମିର ମଞ୍ଜୁଳ ବର୍ଣ୍ଣନା ହୋଇଥିବା ବେଳେ, ଏହି କବିତାରେ ଗ୍ରାମ୍ୟ ଭୁମିର ଶୋଷିତ ସ୍ବରୂପ ପ୍ରଦର୍ଶିତ । ସଭ୍ୟତାର ଅଗ୍ରଗତି ସହିତ ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ଯୋଗୁଁ କାଳ ସହ ତାଳ ଦେଇ ଚାଲିବାର ଆସ୍ଥା ଓ ବିଶ୍ବାସ ଟିକକ ହରେଇଛି ଗାଁ ର ପବିତ୍ର ମାଟି ।ବିଜ୍ଞାନ ଓ ଶିଳ୍ପ ବଦଳେଇ ସାରିଛି ତା'ର ମୂଳ ସ୍ଥିତିକୁ । ସଂପ୍ରତି ପଲ୍ଲୀର ସରଳ ନିରୀହ ମଣିଷ ଆଧୁନିକତାର ରଥ ଚକ ତଳେ ପେଷି ହେଇ ଯାଇଛି ; ଆଉ ନଷ୍ଟ ହେଇଯାଇଛି ସ୍ନେହସଂପ୍ରୀତିର ମଧୁର ସଂପର୍କ ।କବି ଭାଙ୍ଗି ପଡ଼ୁଛନ୍ତି ଏଇ ସବୁ ଦୃଶ୍ୟ ଅବଲୋକନ କରି ।
ଗୀତା ଭାଗବତରେ ଉଇ ଲାଗିଲେଣି । ଟିଭି , କମ୍ପ୍ୟୁଟର ଓ ମୋବାଇଲ୍ ଫୋନ୍ ଏବେ ସବୁରି ପ୍ରିୟ ।ଭାଗବତ ଘର ତା'ର ସତ୍ତା ହରେଇଲାଣି ।ଧୋତି,ଶାଢୀ ଆଦି ଓଡ଼ିଆ ପୋଷାକ ଚିରାଫଟା ଜିନ୍ ପେଣ୍ଟ୍ ପାଖରେ ଅସହାୟ । ମସଲା ବଟା ଶିଳ,ଚୁଲି ଆଜି ଗ୍ରାଇଣ୍ଡର ଓ ଗ୍ୟାସ୍ ଚୁଲା ପାଖରେ ଅଦରକାରୀ ।ଗାଁ ଉନ୍ନତି କରୁ,ଲୋକେ ଶିକ୍ଷିତ ହୁଅନ୍ତୁ , କିନ୍ତୁ ପ୍ରଗତି ନାମରେ ମଣିଷପଣିଆ ହଜି ନ ଯାଉ ବୋଲି କବି ଆଶା ପୋଷଣ କରିଛନ୍ତି ।
ବଙ୍ଗଳାଶ୍ରୀ ଛନ୍ଦରେ ଓ ବୃତ୍ତ୍ୟାନୁପ୍ରାସରେ ଲିଖିତ କବିତାଟି ଯେତିକି ଶ୍ରୁତିମଧୁର ସେତିକି ଭାବୋଦ୍ଦୀପକ ଓ ହୃଦୟସ୍ପର୍ଶୀ ।ଏପରି କାଳଜୟୀ ସୃଷ୍ଟି ପାଇଁ କବିଙ୍କୁ ଶୁଭ କାମନା ଜଣାଇବି ନିଶ୍ଚୟ ।
*****
ଶିକ୍ଷକ - ସତ୍ୟବାଦୀ ହାଇସ୍କୁଲ୍,
ଧଣ୍ଡାମାଳ - ବଲାଙ୍ଗିର
ମୋ.୮୯୧୭୩୯୭୩୪୮
ଯତ୍ କିଞ୍ଚିତ କଥା

ଗତ ସପ୍ତାହରେ ଉଦୟ ଭାନୁ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସାଂପ୍ରତିକ ଘଟଣା ଉପରେ ଆଧାରିତ ଗଳ୍ପ ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀମାନଙ୍କୁ ମୋ' ତରଫରୁ ତଥା ସଂସଦ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ସହ କୃତଜ୍ଞତା ଜ୍ଞାପନ କରୁଛି । ଭାଗ ନେଇଥିବା ପ୍ରତ୍ୟେକ ସ୍ରଷ୍ଟାଙ୍କ ସୃଷ୍ଟି ସାଂପ୍ରତିକ ଘଟଣାବଳୀ ଉପରେ ଆଧାରିତ ଗଳ୍ପ ଗୁଡ଼ିକ ଏତେ ଚମତ୍କାର ଥିଲା ଯାହା ପଢିବା ସମୟରେ ମୋତେ ଅଭିଭୂତ କରିଛି , ଭାଷାରେ ବର୍ଣ୍ଣନା କରିବା ବାସ୍ତବରେ ସମ୍ଭବ ନୁହେଁ । ତେବେ ସରୋଜ ମହାପାତ୍ରଙ୍କ ଗଳ୍ପ ,' କିଏ ପାଇଛ କି ?' ଯେଭଳି ମନଛୁଆଁ ଠିକ୍ ରାଜେଶ ବାରିକଙ୍କ ସମ୍ପର୍କୀୟ ' ଗଳ୍ପ ସଂପର୍କର ମଧୁର ଭାବକୁ କଥା ଛଳରେ ଅମୃତର ପରଶ ଦେଇଛି । ଗାଳ୍ପିକା କଳ୍ପନା ରାୟଙ୍କ ରାକ୍ଷୀ ବନ୍ଧନରେ ନୂଆ ସଂପର୍କ ଯୋଡି ଦେଉଥିବା ବେଳେ ହରିପଦ ପରିଡାଙ୍କ 'ଦାଦନ ' ପାଠକଙ୍କ ଆଖିରେ ଅଶ୍ରୁ ସିକ୍ତ କରେ । ସେଭଳି ଗାଳ୍ପିକା ସୁଚିତ୍ରା ପ୍ରଧାନଙ୍କ ଗଳ୍ପ 'କରୋନା'ର ଭୟଭୟତା କିଭଳି ସମାଜର ଭିନ୍ନ ରୂପ ନେଇ ଆତଙ୍କ ସୃଷ୍ଟି କରିଛି ବେଶ୍ ହୃଦୟଙ୍ଗମ କରିହୁଏ । ଅନୁରାଧା ବେହେରାଙ୍କ ' ଜୀବନ ଯନ୍ତ୍ରଣା' ଗଳ୍ପ ସାଂପ୍ରତିକ ମଣିଷ ମନକୁ ଖଣ୍ତିତ କରୁଥିବା ବେଳେ ମନୋରମା ମହାନ୍ତିଙ୍କ ଗଳ୍ପ ' ଅପେକ୍ଷାର ଫଳ ମିଠା ' ବଞ୍ଚିବାର ବିଶ୍ବାସ ଭରି ଦେଇଛି ।
ପରଦା ପଛରେ ଚେହେରା ' ଗଳ୍ପରେ ଗାଳ୍ପିକା ନିବେଦିତା ମହାପାତ୍ର ମୁଖା ପିନ୍ଧା ମଣିଷର ଅସଲ ରୂପକୁ ଚିହ୍ନାଇ ଦେଉଥିବା ବେଳେ ଦ୍ୱିଲ୍ଲୀପ କୁମାର ନନ୍ଦୀଙ୍କ 'ଏମିତି ଜୀବନ ସେମିତିକା ଜୀବିକା' ମଣିଷ ମନକୁ କିଭଳି ହନ୍ତସନ୍ତ କରେ ବୋଧହୁଏ ଭାଗ୍ୟ ହୀନ ମଣିଷର ପୂର୍ବ ଅର୍ଜିତ କର୍ମ ଫଳ ନା ଆଉ କିଛି ସୂଚେଇ ଦିଏ ? ସେମିତି ଗାଳ୍ପିକା ରୋଜାଲିନ ରଥଙ୍କ 'ଭୟଙ୍କର ସମୟ' ର କରାଳ ରୂପ ମଣିଷ ମନକୁ ଦୁର୍ବଳ କରି ଦେଉଥିବା ବେଳେ 'ଶିବାନନ୍ଦ ବନଛୋର'ଙ୍କ 'ନିରୀହର ଦଣ୍ଡ' ହୃଦୟକୁ ବିଦାରି ଦିଏ । ପ୍ରିୟ ସତ୍ୟରଞ୍ଜନ ମିଶ୍ରଙ୍କ ସ୍କୁଟି କିଣା କଲେଜ ମସ୍ତି ହୁଏତ ଗାଳ୍ପିକ ଜାନକୀ ବଲ୍ଲଭ ସାମନ୍ତରାୟଙ୍କ ' ମନି ' ଖୋରାକ ଯୋଗାଇ ଦେବ ସନ୍ଦେହ ନାହିଁ । ଅର୍ଥ ଅନର୍ଥର ମୂଳ କାରଣ ଏହା ବିହୁନେ ମଣିଷ ମନରେ ଅନେକ ' ଅବସୋସ ' ରହିଯାଏ ଗାଳ୍ପିକ ତପନ ଦାସଙ୍କୁ ଭେଟୁ ଭେଟୁ ଗାଳ୍ପିକା ସ୍ୱର୍ଣ୍ଣ ପତିଙ୍କ ଗଳ୍ପ ' ଟିଉସନ ' ନୂଆ ରାସ୍ତା ଦେଖାଇ ମନକୁ ଟିକେ ସରସ କରିଦିଏ । ନୋହିଲେ ଗାଳ୍ପିକ ସତ୍ୟଜିତ୍ ସ୍ୱାଇଁଙ୍କ ଗଳ୍ପ ' ଥୁଣ୍ତା ଗଛ ' ପରି ମଣିଷ ପଡିରହିଥିବା ବେଳେ ପ୍ରାବନ୍ଧିକ ଦୁଷ୍ମନ୍ତ ସାହୁଙ୍କ ଯୈାତୁକ ଜନିତ ଯାତନାରୁ ମୁକ୍ତି ବା କାହି ??
ସତରେ ଏ ' କରୋନା ' ସମୟରେ ଭାଇ ହାତରେ ରାକ୍ଷୀ ବାନ୍ଧିବାର ପ୍ରବଳ ଇଚ୍ଛାଶକ୍ତି , ଦାଦନ ' ର ' ଜୀବନ ଯନ୍ତ୍ରଣା ' ଏମିତି ଜୀବନ ସେମିତି ଜୀବିକା ' ଗ୍ରହଣ କରି ନିଃସଂଗ ପଦାତିକ ସାଜିଥିବା ମଣିଷ ଜୀବନ ଯନ୍ତ୍ରଣା ଭିତରେ ଗତି କରୁ କରୁ ଗାଳ୍ପିକ କ୍ଷୀରୋଦ୍ର ସାହୁଙ୍କ ' ଯେସାକୁ ତେସା ' ନୀତି ' ଆବୋରି ନେଇଥିବା ଏକ ବିକଳ୍ପ ପନ୍ଥା ଦର୍ଶାଇ ଦିଏ । କହିବା ବାହୁଲ୍ୟ ଅନେକ ଗାଳ୍ପିକ/ ଗାଳ୍ପିକା ସ୍ୱକୀୟ ଗଳ୍ପ ଶୈଳୀ ନାଟକୀୟ ଢଙ୍ଗରେ ପ୍ରକାଶ କରିଥିବାରୁ ତାହା ବେଶ୍ ମନୋଜ୍ଞ ଓ ଏକାଙ୍କିକା ଭଳି ହୃଦବୋଧ ହୁଏ ।
ବିଜେତା ସମ୍ମାନନୀୟ କେଶବ ଚନ୍ଦ୍ର ନାୟକଙ୍କ ଗଳ୍ପ ' ମାଳତୀ ' ସଂପର୍କରେ ଦୁଇ ଧାଡି ଲେଖିବା ଉଚିତ ମନେ କରୁଛି । ଗାଳ୍ପିକ ସାଂପ୍ରତିକ ଘଟଣା ଭିତରେ କୋୟା ସଂପ୍ରଦାୟର ବାସ୍ତବ ଚିତ୍ରକୁ ଆଙ୍କିବା ଭିତରେ ସେମାନଙ୍କ ଜୀବନ ଶୈଳୀ , ଡୁମା ପ୍ରତି ଥିବା ଗଭୀର ବିଶ୍ୱାସ , ପୂଜା ଅର୍ଚ୍ଚନା , ବଳି ଭଳି କୁପ୍ରଥା , ଅନ୍ଧ ବିଶ୍ବାସ , କୁସଂସ୍କାରକୁ ନିଖୂଣ ରୂପେ ବର୍ଣ୍ଣନା କରିଛନ୍ତି । ମହୁଲି ମଦ , ସଲପ ପିଇ ଦେହର ମଜରା ଛଡାଉ ଛଡାଉ ତା'ର କୁପରିଣତି ଦର୍ଶାଇଛନ୍ତି । ଗଳ୍ପକୁ ଗତିମୁଖର କରିବା ଭିତରେ ସୋମା ମାଳତୀର ଅନାବିଳ ଭଲ ପାଇବା , ଅନଟନ ଭିତରେ ଥାଇ ସୋମା ଓ ମାଳତୀ ନିଜର ପୁଅ ଝିଅର ଭବିଷ୍ୟତ କଳନା କରି ଇଂରାଜୀ ଶିଖାଇବା ବେଳେ ଅଚାନକ ସୋମାର ମୃତ୍ୟୁ ମାଳତୀକୁ ହତବିମ୍ବ ହତଚକିତ ହତଶ୍ରୀ କରି ଦେଇଛି । ବାସ୍ତବତା ନିକଟରେ ମାଳତୀ ହାରିଯାଇଛି , ନା ଅଛି ଶାଶୁର ଆଦର , ନା ଅଛି ସାମାଜିକ ସହଯୋଗ । ପଳାୟନ ପନ୍ଥି ମାଳତୀର ଆତ୍ମହତ୍ୟା ସମାଜ ପାଇଁ ଏକ ଧକ୍କା କୁହାଯାଇପାରେ । ବାପ-ମା' ଛେଉଣ୍ଡ ବେବି ମା'କୁ ଖୋଜୁଥିବା ବେଳେ ବୁଢୀ ଆଖିରେ ଲୁହ , କୋଳେଇ ନେଇଥିବା ରଇବାରୀ ପିଲା ଦୁଇଟିଙ୍କ ଭବିଷ୍ୟ ଗାଳ୍ପିକ ଚତୁରତା ସହ ସମାଜ ଆଗରେ ପ୍ରଶ୍ନବାଚୀ କରି ଠିଆ କରାଇଦେଇଛନ୍ତି ..???
ତନ୍ମୟର ସହ ପଢ଼ିବା ବେଳେ ଲକ୍ଷ୍ୟ କରିଛି ପ୍ରତ୍ୟେକଟି ସ୍ରଷ୍ଟାଙ୍କ ସୃଷ୍ଟି ସାମାଜିକ ଆବେଦନକୁ ଅପେକ୍ଷା କରେ । ବିଚାର ଆଲୋଚନା ଦୃଷ୍ଟିରୁ ପ୍ରତ୍ୟେକ ସ୍ରଷ୍ଟାଙ୍କ ସୃଷ୍ଟିକୁ ସମୀକ୍ଷା କରିବା ସଂକ୍ଷିପ୍ତତା ଦୁଷ୍ଟିରୁ ସମ୍ଭବ ହୋଇପାରି ନାହିଁ, ସେଥିପାଇଁ କ୍ଷମା ମାଗିନେଉଛି । କେବଳ ସୃଷ୍ଟି ସମୂହର ନାମକୁ ପାଥେୟ କରି ଓ ଗଳ୍ପ ଗୁଡ଼ିକର ଆଙ୍ଗିକ ରୂପ ବୈଭବକୁ ଦୃଷ୍ଟିରେ ରଖି ଯତ୍ କିଞ୍ଚିତ କୁହାଯାଇଛି । ଆଶା ଓ ବିଶ୍ବାସ ପ୍ରତିଯୋଗୀଗଣ ସହୃଦୟତାର ସହ ବିଚାରକୁ ନେଇ ପରବର୍ତ୍ତୀ ପ୍ରତିଯୋଗିତାରେ ଅଧିକରୁ ଅଧିକ ଭାବରେ ଉତ୍ସାହିତ କରିବା ହେଵାର ଆଶା ପୋଷଣ କରୁଛି ।
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ,
କଟକ -୪
ଯୋଗାଯୋଗ - ୯୪୩୭୭୪୦୨୮୦ଗାଳ୍ପିକ-କେଶବ ଚନ୍ଦ୍ର ନାୟକଙ୍କ ଗଳ୍ପ "ମାଳତୀ"; ଏକ ଆଲୋଚନା
*****************************************
ଗାଳ୍ପିକ କେଶବ ଚନ୍ଦ୍ର ନାୟକଙ୍କ ଗଳ୍ପ 'ମାଳତୀ' ରେ ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଜୀବନଚର୍ଯ୍ୟା ସହିତ କୋୟା ସମାଜର ଦାରିଦ୍ର୍ୟର ବିକଳ ଚିତ୍ର ରହିଛି ।ଗଳ୍ପଟିର ଚରିତ୍ର ଅନେକାଂଶରେ ଅସହାୟ,ରୋଗାକ୍ରାନ୍ତ ଓ ନିୟତି ହାତରେ କ୍ରୀଡ଼ନକ ।ସଂପ୍ରତି ରଇବାରୀ ଓ ମାଳତୀ ପରି ଗଳ୍ପର ନାରୀ ଚରିତ୍ର ନିତିଦିନିଆ ଜୀବନରେ ସବୁଠି ଦେଖିବାକୁ ମିଳନ୍ତି ।ଠିକ୍ ସେହିପରି ଶୁକ୍ରୁ ଜାନୀ ,ଆଦି ଓ ସୋମା ପରି ପୁରୁଷ ଚରିତ୍ରମାନଙ୍କୁ ପାଠକ ପ୍ରାୟତଃ ସାକ୍ଷାତ କରିଥାଏ ଜୀବନ ରଙ୍ଗମଞ୍ଚରେ ।
ଆଦିବାସୀଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ସହିତ ସେମାନଙ୍କର ସାମାଜିକ , ସାଂସ୍କୃତିକ , ଅର୍ଥନୈତିକ ଓ ଧର୍ମବିଶ୍ବାସ ତଥା ପରମ୍ପରା ଉପରେ ପ୍ରଥମେ ଆଲୋକପାତ କରିଛନ୍ତି ଗାଳ୍ପିକ । ସେମାନେ ଅତି ସରଳ ଓ ନିରୀହ । ସେମାନଙ୍କ ଜୀବନରେ ଛନ୍ଦ କପଟ ନ ଥାଏ । ତାଙ୍କର ଜୀବନଚର୍ଯ୍ୟା ଉନ୍ମୁକ୍ତ ଝରଣା ପରି । ଶ୍ରାନ୍ତ , କ୍ଲାନ୍ତ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଢେମସାର ତାଳେ ତାଳେ ନୃତ୍ୟଗୀତରେ ମାତି ଯାଆନ୍ତି କୋୟା ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ।ମହୁଲି ମଦରୁ ଟିକେଟିକେ ଓ ମାଂସ ସହିତ ଚାଖଣା ତା'ଙ୍କର ଅତି ପ୍ରିୟ । ଯେମିତି ଗାଳ୍ପିକ ଲେଖିଛନ୍ତି -" କୋୟା ତରୁଣୀମାନେ ଦଳବଦ୍ଧ ହୋଇ ଢେମସା ନାଚ ନାଚନ୍ତି । ଧାଙ୍ଗିଡ଼ୀମାନଙ୍କ ମଧୁର କଣ୍ଠରୁ କେତେ ପ୍ରେମର କବିତା ଛୁଟେ,କେତେ ବିରହ ସଙ୍ଗୀତର ମୂର୍ଚ୍ଛନା ତୋଳେ । ଧଙ୍ଗଡ଼ା ଧାଙ୍ଗଡ଼ିର ପ୍ରେମ ସଂଗୀତରେ ମତୁଆଲା ହୁଏ ବନ ଭୂମି ।"
ପ୍ରଥମରୁ ଗଳ୍ପଟି ପ୍ରବନ୍ଧ ପରି ଲାଗୁଥିଲେ ବି ସାଧାରଣ ପାଠକ ପାଇଁ କାହାଣୀଟିଏ ପରବର୍ତ୍ତୀ ପର୍ଯ୍ୟାୟରେ ଶୁକ୍ରା ମାଡ଼କାମିର ଜୀବନ କାହାଣୀରୁ ଆରମ୍ଭ ହୁଏ । ପତ୍ନୀ ରଇବାରୀ ଓ ଦୁଇ ପୁଅ, ଆଦି ଓ ସୋମାକୁ ନେଇ ଛୋଟ ସଂସାରଟି ତା'ର ଏକପ୍ରକାରେ କଷ୍ଟେମଷ୍ଟେ ଚାଲୁଥାଏ । ପୁଅ ଦୁଇଜଣ ବଡ଼ ହେବା ପରେ ତା'ର ଦୁଃଖ ଅପସରିଯିବ ବୋଲି ଭାବିଥିଲା ।କିନ୍ତୁ ସବୁ ବାପାଙ୍କ ଚରିତ୍ର ପରି ତା'କୁ ବି ତ୍ୟାଗର ଦେବତା ଓ ଅବହେଳାର ଶିକାର ଭାବେ ଚିତ୍ରଣ କରିଛନ୍ତି ଗାଳ୍ପିକ । ନିଜ ବଡ଼ ପୁଅ ଆଦି ଉଦୁଲିଆ ବାହା ହେବା ପରେ ତା'ର ଶଶୁର ଘରେ ରହିଲା ।ବାପାମାଆଙ୍କୁ ପଚାରିଲାନି ।ସାନ ପୁଅ ବି ସେମିତି ଭଲ ପାଇ ବାହା ହେଲା ।କିନ୍ତୁ ତା'ର ସ୍ତ୍ରୀ ମାଳତୀ ଭଲ ସ୍ବଭାବର ଥିଲା । ମାଳତୀକୁ ନେଇ ହିଁ ଗଲ୍ପଟିର କାହାଣୀ ଗତିଶୀଳ ।ବିଦେଶରେ ଦାଦନ ଖଟୁଥିବା ସ୍ବାମୀ ଓ ରୋଗୀଣା ଶଶୁର , ଶାଶୁ ଏବଂ ଛୁଆ ଦୁଇଟାଙ୍କ ଭିତରେ ସେ ହିଁ ସଂପର୍କର ସେତୁ ଥିଲା । ନିଜ ସ୍ବାମୀ ହାଇଦ୍ରାବାଦରେ ମିସ୍ତ୍ରୀ କାମ କରୁଥିଲେ ବି ତା' ସହିତ ନ ଯାଇ ଗାଁରେ ରହିଲା ଓ ନିଜ ଶାଶୁ ଶ୍ବଶୁରଙ୍କ କଥା ବୁଝିଲା । ସୋମା ମାସକୁ ମାସ ଟଙ୍କା ପଠେଇଲେ ବି ଚାଳ ଘର ଖଣ୍ଡିକରୁ ବର୍ଷା ଦିନେ ପାଣି ଝରେ ଓ ଅନ୍ୟ ଋତୁରେ ରାତିରେ ଜହ୍ନ ଆଲୁଅ ପଡ଼େ । ନିଜେ ସହରରେ ବହୁତଳ ପ୍ରାସାଦ ଅନ୍ୟ ମାନଙ୍କ ପାଇଁ ତିଆରି କରୁଥିଲେ ବି ନିଜର ଛପର ଘରଟିକୁ ପକ୍କା କରି ନ ପାରିବାର ଅସହାୟତା ତା'କୁ ବହୁତ କଷ୍ଟ ଦେଉଥିଲା ।ମୋର ଏକ କବିତାର ଭାଷାରେ -
"ଆମେ ତୋଳୁଛୁ ରାଜପ୍ରାସାଦ
ଦିବସ ନିଶି ଖଟି
ଆମ କୁଟୀରେ ଛପର ନାହିଁ
ଶୋଉଛୁ ପାରି ପଟି ।"
ଦାଦନର ଦୁଃଖ ସହିତ ସହରର ଚାକଚକ୍ୟ ଜୀବନ ସହିତ ଆଦିବାସୀ ପଲ୍ଲୀର ଏକ ତୁଳନାତ୍ମକ ଚିତ୍ର ଦେଇଛନ୍ତି କଥାକାର ତା'ଙ୍କ କାହାଣୀଟିରେ । ସବୁ ନାରୀଙ୍କ ପରି ମାଳତୀ ଆଖିରେ ବି ନିଜ ସ୍ବାମୀ ସହିତ ମିଶି ବଡ଼ ହେବାର ସ୍ବପ୍ନ ଦେଖାଇଛନ୍ତି ସେ । ସେ ବି ଯାଇ ସହର ରେ ରହିବ । ନିଜ ପିଲାଙ୍କୁ ଇଂରେଜୀ ବିଦ୍ୟାଳୟରେ ପାଠ ପଢେଇ ଶିକ୍ଷିତ କରେଇବ ।କିନ୍ତୁ ସେମାନଙ୍କର ସ୍ବପ୍ନ ସ୍ବପ୍ନରେ ରହିଯାଇଛି ।ସୋମାର ଅସୁସ୍ଥତା ସେମାନଙ୍କ ଜୀବନରେ କାଳବୈଶାଖୀ ସଦୃଶ ପ୍ରତୀୟମାନ ହେଇଛି ।ନିଜର ସବୁ ସଞ୍ଚିତ ଅର୍ଥ ତା'ର ଚିକିତ୍ସାରେ ଖର୍ଚ୍ଚ କରି ବି ବଞ୍ଚାଇ ପାରିନି ନିଜ ସ୍ବାମୀକୁ ମାଳତୀ ।ଏପରିକି ନିଜ କୋୟା ସଂପ୍ରଦାୟର ଦେବୀ ଦେବତାଙ୍କ ପାଖରେ ମାନସିକ ବି କରିଚି । ସ୍ବାମୀ ଭଲ ହେଇଗଲେ ବୋଦା ଓ କୁକୁଡ଼ା ବଳି ଦେବ ବୋଲି କହିଛି । ସେ କଥାକୁ ବର୍ଣ୍ଣନା କରିବାକୁ ୟାଇ ଶ୍ରୀ ନାୟକ ଲେଖନ୍ତି, "ମାଉଲୀ ମାଆକୁ ସୁମରଣା କଲା । ସୋମାକୁ ଭଲ କରିଦେଲେ ମାଆକୁ ପାଞ୍ଚଟା ନାଲି କୁକୁଡ଼ା ବଳି ଦେବ ।ମାନ୍ୟମକୋଣ୍ଡର ପ୍ରତ୍ୟକ୍ଷ ଦେବୀ ମୁତ୍ୟାଲିମା ଠାକୁରାଣୀଙ୍କୁ ମଧ୍ୟ ମାନସିକ କଲା ......ଆଇଲା ବରଷକୁ ଗୁଟେ କାଳିଆ ନିଖୁଣ ବୁଦା ଛେଦ ପକେଇବ ବୋଲି ସଂକଳ୍ପ କଲା ।" ହେଲେ ତା'ର ପ୍ରାର୍ଥନା ଦେବତା ବି ଶୁଣି ନାହାଁନ୍ତି । ଏଠାରେ ଗାଳ୍ପିକ ଆଦିବାସୀଙ୍କ ଧାର୍ମିକ ବିଶ୍ବାସ ଉପରେ ଆଲୋକପାତ କରିଛନ୍ତି ।
ଚିକିତ୍ସା ଓ ଉଚ୍ଚ ଶିକ୍ଷାରେ ଅର୍ଥ ହିଁ ମୁଖ୍ୟ ପ୍ରତିବନ୍ଧକ ହୋଇ ଠିଆହେଇଛି ମାଳତୀ ଜୀବନରେ । ନିଜ ସ୍ବାମୀକୁ ବଞ୍ଚେଇ ନ ପାରିବାର ଦୁଃଖ ଓ ଛୁଆ ଦୁଇଟାଙ୍କୁ ମୁଠାଏ ଖାଇବାକୁ ଦେଇ ନ ପାରିବାର ଅସମର୍ଥତା ହିଁ ପରିଶେଷରେ ମାଳତୀକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ।
ମୁଖ୍ୟତଃ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ସଂପ୍ରଦାୟର ଚଳଣୀ , ଜୀବନଜୀବିକା , ସଂସ୍କୃତି , ପରମ୍ପରା , ଭୌଗୋଳିକ ପରିବେଶ , ସମସ୍ୟା ଏବଂ ପରିସ୍ଥିତିର ଚିତ୍ରାବତାରଣାରେ 'ମାଳତୀ' ଗଳ୍ପର କଥାବସ୍ତୁ ଗତିଶୀଳ ହୋଇଛି । ଗୌଡ଼ଗୁଡ଼ା ଗାଁ ହେଉଛି ସଂପ୍ରତି ଉଜୁଡ଼ି ଯାଉଥିବା ଗାଁର ପ୍ରତୀକ , ଯେଉଁଠି ସୋମା ପରି ଯୁବକମାନେ କାମଧନ୍ଦା ନ ପାଇ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଗାଁ,ପରିବାରରୁ ବିଚ୍ଛିନ୍ନ ହୋଇ ଖଟିଖଟି ରୋଗାକ୍ରାନ୍ତ ହୋଇ ଫେରୁଛନ୍ତି ଭିଟାମାଟିକୁ । ମାଳତୀ ପରି ପତ୍ନୀ ମାନଙ୍କ ଉପରେ ଭାଙ୍ଗିପଡ଼ୁଛି ଦୁଃଖର ପାହାଡ଼ । ପୁରୁଷ ପରି ସଂଘର୍ଷପୂର୍ଣ୍ଣ ଜୀବନଯାପନ କରି ଦୁଃଖକଷ୍ଟରେ ବଞ୍ଚୁବଞ୍ଚୁ ମାଳତୀ ପରି ଆଦିବାସୀ ମହିଳାମାନେ ଜୀବନର ସ୍ବର ସନ୍ଧାନ କରୁକରୁ ଆଗକୁ ଆଗେଇ ନ ପାରି ଅସହାୟ ହୋଇ ସେମାନେ ଆତ୍ମହତ୍ୟାକୁ ଆପଣେଇ ନେଉଛନ୍ତି ।ସଂପ୍ରତି ସମାଜର ଏକ ନିଚ୍ଛକ ପ୍ରତିଛବି ରହିଛି କାହାଣୀଟିରେ । ଶୋଷିତ , ଅବେହେଳିତଙ୍କ ପ୍ରତି ଲେଖକଙ୍କର ହୃଦୟର ସ୍ନେହ ସଂବେଦନା ଓ ତା'ର ଉତ୍ତରଣ ପାଇଁ ଗଭୀର ଆଶାବାଦ ହିଁ ଗଳ୍ପଟିର ଉପଜୀବ୍ୟ ପ୍ରତ୍ୟୟ ।
*****
ଶିକ୍ଷକ - ସତ୍ଯବାଦୀ ହାଇସ୍କୁଲ୍,ଧଣ୍ଡାମାଳ
ବଲାଙ୍ଗିର ,ମୋ.୮୯୧୭୩୯୭୩୪
ଅତି ସୁନ୍ଦର ସମୀକ୍ଷା।।
ReplyDeleteଲେଖାସବୁ ର ମାନ ଉନ୍ନତ।
ନିରପେକ୍ଷ ସମୀକ୍ଷା ଆଗମୀ ଲେଖକୀୟ ଉନ୍ନତି ପାଇଁ ବିଶେଷ ସାହାଯ୍ୟ ନିଶ୍ଚୟ କରିବ !
ReplyDeleteଖୁବ୍ ସୁନ୍ଦର ଭାବରେ ସମୀକ୍ଷା କରିଛନ୍ତି। ଗଳ୍ପଟି ଯେମିତି ହୃଦୟସ୍ପର୍ଶୀ ହୋଇଥିଲା ସମୀକ୍ଷା ବି ସେହିପରି ଉନ୍ନତ ହେଇଛି।
ReplyDeleteBhabodhipok samikhya.only he canbe a leader who never loses hope.
ReplyDeleteCongratulations to all
ReplyDeleteବହୁତ ସୁନ୍ଦର ପ୍ରୟାସ ବହୁତ ବହୁତ ଅଭିନନ୍ଦନ।
ReplyDeleteବିଚାର ଓ ସମୀକ୍ଷା ଉଚ୍ଚକୋଟୀର ତଥା ନିରପେକ୍ଷ l ଧନ୍ୟବାଦ ଓ ଶୁଭ କାମନା କୃତୀ ପ୍ରତିଯୋଗୀମାନଙ୍କ ପାଇଁ l
ReplyDeleteହୃଦୟରୁ ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଉଛି ସାର। ଆପଣଙ୍କ ସୁଚିନ୍ତିତ ତଥା ଦୂରଦୃଷ୍ଟି ସମ୍ପନ୍ନ ସମୀକ୍ଷା ବାସ୍ତବିକ ଖୁବ୍ ପ୍ରଣିଧାନ ଯୋଗ୍ୟ। ଜଣେ ସାହିତ୍ୟିକ ସାଧାରଣ ମଣିଷ ଠାରୁ ଦୃଷ୍ଟିଭଙ୍ଗୀରେ ସ୍ଵତନ୍ତ୍ର। ତେଣୁ ସାହିତ୍ୟିକ ଓ ସାହିତ୍ୟ ପ୍ରତି ରୂଚି ରଖୁଥିବା ବକ୍ତି ଭିତରେ ସହନଶୀଳତା ଓ ଅନ୍ୟ ପ୍ରତି ସମ୍ମାନବୋଧ ପର୍ଯ୍ୟାପ୍ତ ପରିମାଣରେ ରହିବାର ଆବଶ୍ୟକତା ଅଛି। ଏହା ଦ୍ବାରା ସାହିତ୍ୟ ସମୃଦ୍ଧ ହୁଏ। ସୁସ୍ଥ ସମାଜ ଗଠନ ସମ୍ଭବ ହୁଏ।
ReplyDelete