2/03/2019

ଫେରିଆରେ.....ସୁଭାଷ !!

ନାରାୟଣ ଚନ୍ଦ୍ର ସେନାପତି
ଆଖିରୁ କ୍ରନ୍ଦନାଶ୍ରୁ ବିଗଳିତ ହେଉଛି ଅସୀମାର।ରାତି ପାହିଲେ ନେତାଜୀ ଜୟନ୍ତୀ,ବକ୍ତୃତା ପ୍ରତିଯୋଗୀତାରେ ସେ ନେଇଛି ଭାଗ । ମାତ୍ର ତା'ର ଦୁର୍ଭାଗ୍ୟ ଯେ ତା' ପ୍ରସଙ୍ଗର ଭାଷଣ କିଏ ବା ଶିଖାଇବ ତାକୁ ? ଯାହା ସହାୟତା ଲୋଡିଲା ସେମାନଙ୍କୁ ତାହା ଜଣା ନାହିଁ । ଯାହା କିଛି ଜାଣିଥିଲା ତାକୁ ହିଁ ଆଶ୍ରାକରି ସେ ପ୍ରତିଯୋଗୀତା ଜିତି ପାରିବନି । ଜିଣିବା ମୋ ଭାଗ୍ୟରେ ନାହିଁ କହି ଶୋଇପଡିଲା ନିଘୋଡ ନିଦରେ । ନିଶା ଗର୍ଜ୍ଜନ ସାଙ୍ଗକୁ ଶୀତର ପ୍ରକୋପ ବଢୁଥାଏ । ସପନରାଣୀ ସତେ ଯେମିତି ତା ଆଖିରୁ ଲୁହ ପୋଛି ତାକୁ ଆଉଁସୁ ଥାଏ । ତା ସମ୍ମୁଖେ ଦଣ୍ଡାୟମାନ ରାଣୀ ଲକ୍ଷ୍ମୀବାଈ ବେଶଧାରିଣୀ ମା' ଭାରତମାତା । ହୀରକ ସମ ଚକ୍‌ ଚକ୍‌ କରୁଥାଏ ସେ ଆସ୍ଥାନ। ଆଖିରୁ ଝରି ପଡୁଥାଏ ଦୁଃଖ ଅସହାୟର ଲୁହ ଧାର । ମା'ର ଆଖିରୁ ଲୁହ ପୋଛୁଥାଏ ଅସୀମା । ପ୍ରଣାମ ଜଣାଇ ଧୀର ଗମ୍ଭୀର ସ୍ୱରରେ ପଚାରିଲା, ମା' ! ତୁମେ..କାନ୍ଦୁଛ ? ତୁମ ଆଖିରେ କ'ଣ ଅଶ୍ରୁ ? କୁହ ମା' ...କାହିଁକି ??? ମା' ଅସୀମାର ମୁଣ୍ଡ ଆଉଁସୀ..ଛଳଛଳ ଆଖିରେ କହିଲେ...ଶୁଣିବୁ ଧନ ! ଆଜି ପାକିସ୍ଥାନ, ବାଂଲାଦେଶ ମୋ ନିରୀହ ସନ୍ତାନ ମାନଙ୍କୁ କଲବଲ କରି ମାରୁଛି।ତାଙ୍କର ଅସହାୟତା ଓ ଆର୍ତ୍ତ ଚିତ୍କାରେ ମୋ ଛାତି ଫାଟି ଯାଉଛି । ଚୀନ୍ ବାରମ୍ବାର ଧମକ ଦେଉଛି । ମୋ ଦେଶ ଆଜି ଟଳମଳ ହେଉଛି । ଆଜି ମୋ ସନ୍ତାନସନ୍ତତିଗଣ  ସ୍ୱାର୍ଥପର ଅବିବେକୀ ହୋଇ ଗୋଲାମର ଗୋଲାମ ହୋଇ ଗଲେଣି ।ଗାନ୍ଧୀର ଅହିଂସାକୁ ପୋଡି ଦେଲେଣି ହିଂସା ନିଆଁରେ । ଚାଚାର ହୃଦୟକୁ ଭଲପାଇବା ବାଣୀ ବନ୍ଧୁକ ଗୁଳିର ମୁଣିରେ ରହିଲାଣି । ଥିଲା ମୋର ଗୋଟେ ପୁଅ । ସେ ଯଦି ଆଜି ଥାଆନ୍ତା ମୋ ଆଖିରୁ କ'ଣ ଲୁହ ଗଡାଇ ଦେଇ ଥାଆନ୍ତା ! ଅସୀମା କହିଲା .. ମା' ..କିଏ ସେ ? କ'ଣ ତାଙ୍କ ନାମ ? ସେ କ'ଣ ଏଡେ ବୀର ଥିଲେ ? କୁହନା ମା'...ତାଙ୍କ ବିଷୟରେ ? ହଁ ରେ ଧନ ମୁଁ ନିଶ୍ଚୟ କହିବି।ମନଦେଇ ଶୁଣୁ ।                 
    
      ଓଡିଶା ବୋଲି ଥିଲା ଏକ ବୀରଭୂଇଁ..ଧର୍ମ ଭୂଇଁ । ସେହି ରାଜ୍ୟର ଏକ ଐତିହାସିକ ସହର..ନାଁ ତା'ର କଟକ। ସେହି କଟକର ଓଡିଆ ବଜାରରେ ଜନ୍ମହୋଇଥିଲା ଇଂରାଜୀ ବର୍ଷ ପ୍ରଥମ ମାସ ୨୩ ତାରିଖରେ । ତାଙ୍କ ବାପା ଥିଲେ ଜଣେ ବଡ ଓକିଲ, ମା' ଥିଲେ ଜଣେ ଧର୍ମପ୍ରାଣା ମହିୟସୀ ମହିଳା । ଦିବ୍ୟ ଚେହେରା, ସାକ୍ଷାତ ରାଜ କୁମାର । ବୁଦ୍ଧି-ଜ୍ଞାନ- ବିଚକ୍ଷଣତାରେ ସାକ୍ଷାତ ବିଜୁଳି। ପାଠ ପଢିଲା.. ବିଦ୍ୟାଳୟର ଗୁରୁଜୀ ଗୁରୁମା ଆଶ୍ଚର୍ଯ୍ୟଚକିତ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ବାଃ ବାଃ ରେ କି ଅଦ୍ଭୂତ ପିଲା !! କି ଯାଦୁ ! କି ଧୀଶକ୍ତି ! ଭବିଷ୍ୟତରେ  ନିଶ୍ଚୟ ହେବ ଏକ ମହାପୁରୁଷ ।
   
         ଦିନକର କଥା ପରୀକ୍ଷା ସରଥାଏ,କୌତୁହଳ କେତେ ନମ୍ବର ସେ ରଖିଛି। ଶିକ୍ଷକଙ୍କୁ ପଚାରିବାରୁ କହିଲେ ସବୁ ଫେଲ୍..ମାତ୍ର ଜଣେ ପାଶ୍ । ଦମ୍ଭରେ ସେ କହିଲା ସାର୍ ଯଦି ଜଣେ ପାଶ୍..ତେବେ ସେ ଜଣକୁ ମୁଁ । ଶିକ୍ଷକ ଅବାକ୍..କି ଆତ୍ମବିଶ୍ୱାସ.. କୁଣ୍ଢେଇ ପକାଇ ପିଠି ଥାପୁଡାଇ ଦେଲେ ତା'ର ।ଖାଲି ପାଶ୍ ନୁହଁ..ସବୁଥିରେ ଫାଷ୍ଟ କ୍ଲାସ୍ ଫାଷ୍ଟ।
   ଗଲେ ଇଂଲଣ୍ଡ...ବାପାଙ୍କ ଇଚ୍ଛା ସିଭିଲ୍ ସର୍ଭିସ୍ କରୁ । ଚମକାଇ ଦେଲେ ସେ ।ଆଇ.ସି.ଏସ୍. ପରୀକ୍ଷାରେ ଚତୁର୍ଥ ସ୍ଥାନ ମାତ୍ର ଓଡିଆ ପିଲା ହୋଇ ଇଂରାଜୀରେ ପ୍ରଥମ । ମିଳିଲା ଅଧିକାରୀ ପଦବୀ ।ଶୁଣିଲେ, ନୃଶଂସ ଇଂରେଜ ପ୍ରିୟ ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ମନ ଏବଂ  ବିବେକ କହିଲା ତୁ ଏ ସୈତାନ୍‌ଙ୍କ ଗୋଲାମୀ ହେବୁ..ଚାକିରୀ କରି ତାଙ୍କ ଚାକର ହେବୁ । ଛି.. କରିଦେଲେ.. ପରିତ୍ୟାଗ କଲେ ଆଇ.ସି.ଏସ୍.ପଦବୀ । ଫେରିଲେ ଭାରତ, କଲେ ଦେଶବାସୀଙ୍କୁ ଏକଜୁଟ୍। ରଚିଲେ ବିଦ୍ରୋହ ; ବିପ୍ଳବ ସଂଗ୍ରାମର ଚକ୍ରବ୍ୟୁହ। କି ବଜ୍ର ବାଣୀ.. କି ବୀର ଚାହାଣୀ.. ସତରେ ବଜ୍ରଠୁ କଠିନ.. ଆଉ ବିଜୁଳିଠୁ ବି ତେଜିୟାନ୍ । ଦେଖିଲେ ଗାନ୍ଧୀ ବୋଲି ଜଣେ ମହାନ ବ୍ୟକ୍ତି ଅହିଂସା ପଥରେ ଲୋକଙ୍କୁ ଏକଜୁଟ୍ କରି ସ୍ୱାଧୀନ ପାଇଁ ଲଢୁଛନ୍ତି ।ସହାୟତା କଲେ.. ମାତ୍ର ଆନ୍ତରିକତା ନ ଥିଲା।୧୯୧୯ ମସିହା।ପଞ୍ଜାବ ଅମୃତସରର ଜାଲିୱାନାବାଗ୍ । ଚାଲିଥିଲା ସମ୍ମିଳନୀ.. କେମିତି ଲଢିବେ । ନୃଶଂସ ବ୍ରିଟିଶ୍ ବାହିନୀଙ୍କ ଅତର୍କିତ ଗୁଳିମାଡରେ ମରିଗଲେ ହଜାର ହଜାର ସରଳ ନିରୀହ ଲୋକ । ଛାତି ଫାଟିଗଲା ତାଙ୍କର।ପ୍ରାଣ କାନ୍ଦି ଉଠିଲା..ଲାଗୁଥିଲା ଏଇନେ ଯାଇ ଗୁଳି କରନ୍ତେ କି । ଭୁଲିଗଲେ ଗାନ୍ଧିଙ୍କର ବାଣୀ"ତୁମ ଏ ଗାଲକୁ ଯେ ମାରୁଛି.. ଆର ଗାଲ ଦେଖାଅ" ।ପ୍ରତିବଦଳରେ ସେ ଗର୍ଜି କହି ଉଠିଲେ..ତୁମକୁ ଯେ ଆଙ୍ଗୁଳି ଦେଖାଉଛି  ତାକୁ ବନ୍ଧୁକ ଦେଖାଅ । ତୁମ ଉପରକୁ ଯେ ଟେକା ପକାଉଛି ତା ଉପରେ ପଥର ପକାଅ, କଥାର ଜବାବ୍‌ ଗୁଳିରେ ଦିଅ । ଆମେ କା'ର ଗୋଲାମ ନୁହଁ । ଆମ ଭାରତ ଇଂରେଜଙ୍କ ବୋପା ସମ୍ପତ୍ତି ନୁହଁ । ମୋତେ ରକ୍ତ ଦିଅ ମୁଁ ସ୍ୱାଧିନତା ଦେବି । ତାତି ଉଠିଲେ ବୀର ଭାରତୀୟ । ମିଳାଇଲେ ତାଙ୍କ ହାତରେ ହଜାର ହଜାର ଶକ୍ତ ହାତ । ମନୋବଳ ଶରୀର ବଳ ନୈତିକ ବଳ ବଢିଲା । ମାତ୍ର ତାଙ୍କ ଏ ନୀତି ସେତେବେଳର ଆଗ ଧାଡିର ନେତାଙ୍କୁ ସୁହାଇଲା ନାହିଁ । ତେଣୁ ତାଙ୍କ ପ୍ରାଣ କାନ୍ଦିଲା । ବନ୍ଦୀ..ବନ୍ଦୀ ପରେ ତା'ଙ୍କ ଚରମପନ୍ଥୀ ନୀତି ପାଇଁ ଆଙ୍କୁଶ ବୀରକୁ ଦୁର୍ବଳ କି ହତାଶ କଲା ନାହିଁ କାରଣ ସେ ସାଧାରଣ ନେତା ନ ଥିଲେ, ଥିଲେ ନେତାଙ୍କର ନେତାା । ଚାଲିଲେ ଜାପାନ୍  ଜର୍ମାନ.. ନେଲେ ତାଙ୍କ ସହାୟତା । ବୀର ବୀରକୁ ଚିହ୍ନେେ । ହିଟଲର୍ ପରି ବୀର ତାଙ୍କ ବୀରତ୍ୱକୁ ସାଲୁଟ୍ କରିଥିଲେ।ଅସଂଖ୍ୟ ବୀର ଫଉଜ ମେଳରେ ଗଢିଲେ ଆଜାଦ୍ ହିନ୍ଦ୍ ଫୌୌଜ ।ସ୍ଳୋଗାନ୍ ଦେଲେ ଦିଲ୍ଳୀ ଚଲୋ।ଭାରତ ମାତା କୀ ଜୟ । ଗଗନ ପବନ ପ୍ରକମ୍ପିତ ହେଲା । ଚାଲିଲେ ଦିଲ୍ଲୀ ଅଭିମୂଖେ ..। ଥରି ଉଠିଲା ବ୍ରିଟିଶ୍ ସୈନ୍ୟ ।ମଥା ନଇଁଗଲା ଏପରି ବୀରର ବୀରତ୍ୱରେ । ମାତ୍ର ଆବଶ୍ୟକ ହେଉଥିଲା ଆହୁରି କିଛି ସମୟ ଓ ବୀରତ୍ୱର ସୁଯୋଗ । ବିଶ୍ୱ ଚକିତ ହୋଇ କହୁଥାଏ ହେ ଆନ୍ତର୍ଜାତିକ ନାୟକ..! ତୁମକୁ ସାଲ୍ୟୁଟ୍ ।
    
                   ଚାଲିଲା ବୀରଙ୍କ ପ୍ରଚେଷ୍ଟା । ହେଲେ ସବୁବେଳେ ଆକାଶ ଚାନ୍ଦିନୀ ରାତି ଦେଖେ ନାହିଁ ।ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ । ଜାପାନର ଏକ ବିମାନରେ ଆସୁଥାନ୍ତି ସେ ବୀର । ଆମେରିକା ନିକ୍ଷେପ କଲା ଜାପାନର ହିରୋସୀମା ନାଗାସାକି ଉପରେ ପରମାଣୁ ବୋମା । ସେଇ ବିସ୍ଫୋରଣରେ ଉଭାନ୍ ହୋଇଗଲା ମୋ ଗେହ୍ଲା ବୀର ପୁଅ । ଏତେ ଦୂରକୁ ଚାଲିଗଲା ଯେ ସେଇଦିନୁ ତା ଏ ହତଭାଗିନୀ ମାଆର କୋଳରେ ସେଭଳି ବୀର ପୁତ୍ର ସ୍ଥାନ ପାଇନି । ସେ ଥିବା ପର୍ଯ୍ୟନ୍ତ ମୋ ଆଖିରୁ କେବେ ବି ଲୁହ ଝରେଇ ଦେଇନି ।
  
          ମା' ତାଙ୍କ ନାଆଁ ତ କହିଲନି..? ହଁ ରେ ଧନ ସେ ପରା ନେତାଙ୍କର ନେତା... ଆନ୍ତର୍ଜାତିକ ମହାନାୟକ.. ମହାଯୋଦ୍ଧା... ଭାରତୀୟ ସ୍ୱାଧିନତାର ଜନ ନାୟକ ନେତାଜୀ ସୁଭାଷ ବୋଷ । ଫେରିଆ ଧନ... ଫେରିଆରେ.. ସୁଭାଷ... ତୋ ମା' ଡାକ କ'ଣ ଶୁଭୁନି ? ତୋ ମା' ଆଖିର ଲୁହ କ'ଣ ତୁ ପୋଛିବୁ ନାହିଁ ? ମୋ ସୁନାଟା ପରା ଏବେର ଗୋଲାକୁ କିଛି ଶିଖାଇ ତୁ ଚାଲିଯା' ଧନ ।ମା' କ'ଣ ମାତୃଭୂମି କ'ଣ ସନ୍ତାନର କର୍ତ୍ତବ୍ୟ କ'ଣ ଟିକେ ଶିଖେଇ ଯା' । ଫେରିଆରେ... ଧନ, ଫେରିଆ.. ସୁଭାଷ । ଏଭଳି ଚିତ୍କାରରେ ଅସୀମାର ନିଦ ଭାଙ୍ଗିଗଲା... ସ୍ୱପ୍ନ ସରିଗଲା।ବାଉଳି ହୋଇ ସେ ଖୋଜୁଥିଲା କାହାକୁ। କିଛିକ୍ଷଣ ସ୍ଥିତପ୍ରଜ୍ଞ ହୋଇ ସେ କଳ୍ପନା ଦୁନିଆଁରେ ହଜିଗଲା । ଦେହ,ମନ, ଆତ୍ମା ସିନା ପ୍ରକମ୍ପିତ ହେଲା, ହେଲେ ଅନ୍ତରରେ ଲୁଚିଥିବା ମୂରୁକି ହସି ଚୁପ୍‌ଚୁପ୍‌ କହିଲା,ମିଳିଗଲା  ମୋତେ ମିଳିଗଲା । ଫେରିଆରେ..ସୁଭାଷ।
ଜମ୍ଭରା,
କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ

ଏଇ ଆମ ଗାଁ ଜନ୍ମଭୂମି

ସନ୍ଦୀପା ମହାପାତ୍ର 
                               

ଏଇ ଆମ ଗାଆଁ ଜନ୍ମଭୂମି  
ଯେଉଁଠି ଜନ୍ମ ନେଇଛି ମୁହିଁ 
ମୋ ପିଲାଦିନୁ ହେଇଛି ବଡ
ଏଇ ଆମ ଗାଆଁ ଜନ୍ମଭୂମି.....

କେତବଳେ ଯେ ବିତେ ସମୟ
କେହି ବି ତ ନ ପାରନ୍ତି ଜାଣି
ଏଇ ଆମ ଗାଆଁ ଜନ୍ମଭୂମି.....

ଗାଆଁ ନଈକୂଳିଆ ପବନ
ଆନନ୍ଦେ ଝୁମି ଯାଏ ମନ
ସହଜେକି ତା'ହେବ ଭୁଲି
ପ୍ରାଣ ନଯିବା ଯାଏଁ ଚାଲି ।

ବରଷା ବେଳେ ପାଦପ ଦେହେ
ଫୁଲ ଫଳ କେତେ ମନ ମୋହେ
ସୁନ୍ଦର ଦିଶେ ବାଡ଼ି ବଗିଚା 
ଶ୍ଯାମଳ  ରଙ୍ଗ ଧରଇ ମହୀ.....

ଦାଣ୍ଡ ଦୁଆର ବର୍ଷା ପାଣିରେ
ଭାସେ କାଗଜ ଡଙ୍ଗା ଜଳରେ
ସତେ ଆନନ୍ଦ ତୁହାକୁ ତୁହା
କେବେ ମୁଁ ଭୁଲି ପାରିବି ନାହିଁ.....

ଗାଆଁର ସେ ପଖାଳ କସାଂକୁ
ଶୁଖୁଆ ପୋଡା ଆଳୁଚୋଖାକୁ
ଖାଇବା ପାଇଁ ବାଡ଼ିଆ ପିଟା
ମିଛ କଳିରେ ଭଉଣୀ ଭାଇ.....

ଖରାଦିନେ ଦ୍ବିପହର କାଳେ
କାହା ବାଡ଼ିରେ ସାଥିଙ୍କ ମେଳେ
ଖେଳିବା ପାଇଁ ଲୁଡୁ ଓ ତାସ
ସରବେ ଆମେ ଥାଉଟି ଜମି.....

ନଈ ତୁଠରେ ଜମଇ ଗପ 
ଗାଧେଇବାକୁ ବେଳ ନିଅଣ୍ଟ 
ବୁଢ଼ୀମା' ଆସି ଛାଡଇ ରଡି.....

ଆମେ ସ୍କୁଲ୍‌ ଯିବା ବେଳ କଥା
ପାଣି କାଦୁଅର ମାଟି ରାସ୍ତା
ତାହା ସାଙ୍ଗକୁ ଅଖା ପଖିଆ
ସ୍ମୃତି ଅଦ୍ଯାପି ଅଛି ସଜାଡି.....

ଭୋଜି ଭାତ ହେଲେ ମିଳିମିଶି 
କାମ କରିନେଉ ହସିହସି
ଦେଉନାହୁଁ ଜାଣିବାକୁ କଷ୍ଟ 
କାହିଁ ହଜିଗଲା ସ୍ନେହ ପ୍ରୀତି...
ଏଇ ଆମ ଗାଆଁ ଜନ୍ମଭୂମି
କେନ୍ଦ୍ରାପଡା 
 ଜୟ ସାହିତ୍ୟ, ଜୟ ସମାଜ

ରତ୍ନ ଆଜି ବିପଦରେ

ଆଲୋକ ଚନ୍ଦ୍ର ନାୟକ

    ଝିଅକୁ ବଞ୍ଚାନ୍ତୁ - ଝିଅକୁ ବଢ଼ାନ୍ତୁ - ଝିଅକୁ ପଢ଼ାନ୍ତୁ 
 ଏ ନାରା ପାଇଁ ଆମ ଦେଶ ଭାରତ ଚର୍ଚ୍ଚିତ ବିଶ୍ବେ । କିନ୍ତୁ ବାସ୍ତବରେ ଏହା କେତେ ଦୂର୍‌ ଠିକ୍‌ କିଛି ବିଶେଷ ଘଟଣା ଅନୁଧ୍ୟାନ କଲେ ଜଣା ପଡ଼େ । ସେ କେନ୍ଦ୍ରାପଡାର ଛବିରାଣୀ କି ପିପିଲିର ବେବିନା ହେଉ  ଅବା ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ହେଉ କି ସାଙ୍ଗ ଜନ୍ମଦିନରୁ ଫେରୁଥିବା କୋଡ଼ିଏ ବର୍ଷିଆ ଯୁବତୀ ହେଉ ; ଏମାନେ ଜଣେ ଜଣେ ରତ୍ନ ନୁହଁନ୍ତି କି ? ତେବେ ଏମାନେ କାହିଁକି ଏକ ନିନ୍ଦନିୟ, ଲଜ୍ଜାକର ଓ ଅପ୍ରୀତିକର ଘଟଣା ଦୁଷ୍କର୍ମର ଶିକାର ହେଲେ ? ଏମାନଙ୍କର ବଞ୍ଚିବାର ଅଧିକାର ନ ଥିଲା କି? ଏମାନଙ୍କ ସହିତ କାହିଁକି ଏମିତି ହେଲା ?
  
     ଜାତିସଂଘର ପ୍ରକାଶିତ ଏକ ରିପୋର୍ଟ କହେ ଯେଭାରତର କନ୍ଯାରତ୍ନ ମାନଙ୍କ ଉପରେ ଘଟୁଥିବା ଯାହା ବି ଘଟଣା ପାଇଁ ଅଧିକାଂଶ ଭାରତୀୟ ଯୁବ ସନାଜ ହିଁ ଦାୟୀ । ଜାତିସଂଘର ରିପୋର୍ଟକୁ ଭଲ ଭାବେ ନିରୀକ୍ଷଣ କଲେ ନିଶ୍ଚୟ ଜାଣି ହେବ ବଭାରତର ଯୁବ ସମାଜ ଜାଣି ରସାତଳ ଗାମୀ ଓ ଯୁବ ସମାଜର କେତେ ଆଉ କିଭଳି ପରିବର୍ତ୍ତନ ଜାତିସଂଘର ରିପୋର୍ଟ ହିଁ କହିବ । ଏ ପୁଣ୍ଯ ଭୂମି ଭାରତ ନିନ୍ଦନିୟ କାହିଁକି ଜାତିସଂଘର ରିପୋର୍ଟ ହିଁ କହିବ । ଦୁଷ୍କର୍ମ ହେଉ କି ସେ ଏସିଡ୍‌ ମାଡ ; ଭାରତର କନ୍ଯାରତ୍ନ ମାନଙ୍କ ଦୟନୀୟ ଅବସ୍ଥା। କିଛି ଘଟଣାର ଅନୁଧ୍ୟାନ ଆମକୁ ଆମ କ୍ଷତିର ହିସାବ ଦେଇଦିଏ । 

     ଛବିରାଣୀ, ବେବିନା ଓ ଇତିଶ୍ରୀ ସହିତ ଅତି ଅମାନବୀୟ ଘଟଣା ଘଟି ସାରିବା ପରେ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ କନ୍ଯାରତ୍ନ ମାନଙ୍କ ସୁରକ୍ଷା ପାଇଁ ଦାବି ବଢ଼ାଗଲା । ଯେଉଁମାନେ ରତ୍ନ ମାନଙ୍କ ଏ ଅବସ୍ଥା ପାଇଁ ଚିନ୍ତିତ ଥିଲେ ସେଇମାନେ ଜାଗି ବସିଲେ ଆଶା । ସେ ଓଡ଼ିଶା ସରକାର ହେଉ ଅବା ଭାରତ ସରକାର ; ଏ ଘଟଣାକୁ ରୋକିବାର ଆଇନ୍‌ ତିଆରି କଲେ । ଠିକ୍‌ ସେହି ସମୟରେ ଆଉ ଏକ ଦୁଃଖଦ ଘଟଣାର ସୂତ୍ରପାତ ହେଲା ଯାହା ଅମାନବୀୟ ଓ ଅପ୍ରୀତିକର ଥିଲା । ସାରା ଦେଶରେ କ୍ଷିପ୍ର ବେଗରେ ଖେଳିଗଲା ଯେ ବନ୍ଧୁ ଜନ୍ମ ଦିନରୁ ଫେରିବା କାଳରେ ଆସାମର ଜଣେ କୋଡ଼ିଏ ବର୍ଷିଆ ଯୁବତୀର ବଳାତ୍କାର ; ପୁଣି ସର୍ବସାଧାରଣ ରାସ୍ତାରେ । ଜଣକ ପରେ ଜଣେ ଖୁମ୍ପି ଚାଲିଲେ ଯୁବତୀର ସୁଆଦିଆ କଅଁଳ ମାଂସ । ରାସ୍ତାରେ ଯାତାୟତ ଯାତ୍ରୀମାନେ ବିରୋଧ କରିବେ କ'ଣ, ମୋବାଇଲ୍‌ରେ ଭିଡ଼ିଓ ଉତ୍ତୋଳନ କରିବା ଦୃଶ୍ଯ ସତରେ ଆଶ୍ଚର୍ଯ୍ୟ ଜନକ ଥିଲା । କି ପ୍ରକାର ଏ ଦୁନିଆ ଆଉ କେମିତି ଏ ଜନତା ; ଧନ୍ୟ ଏ ଯୁବ ସମାଜ । 

       ସେବେଳେ ଇତିଶ୍ରୀ ଓ ବେବିନା ଭଳି ଯୁବତୀଙ୍କ ଗଣ ଦୁଷ୍କର୍ମର ଆନ୍ଦୋଳନ ପୂର୍ଣ୍ଣ ରୂପ ନେଲା । ଜନ ସମାଜରେ ଆଶା ଜାଗିଲା ଏଥର ଦୋଷୀ ଦଣ୍ଡ ପାଇବା ସହ ଯୁବ ସମାଜ ନିଶ୍ଚୟ ବଦଳିବେ ; ଆନ୍ଦୋଳନ ଶିଥିଳ ପଡ଼ିଲା । ସରକାରଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ଥିଲା ଉଚିତ୍ ନ୍ଯାୟ ମିଳିବ ବୋଲି । କିନ୍ତୁ ନ୍ଯାୟ ଏତେ ଉତ୍ତମ ନଥିଲା । ଏକତରଫା ପ୍ରେମର ପରିଣାମ ସ୍କୁଲ ଓ କଲେଜରେ ଏସିଡ୍‌ ମାଡ ; ଏ ଘଟଣା ବି ବୁଦ୍ଧିଜୀବି ମହଲେ ସମାଲୋଚନାର ବିଷୟବସ୍ତୁ ପାଲଟି ଗଲା । ସେଠୁ ଆହୁରି ତୀବ୍ର ରୂପ ଧାରଣ କଲା କନ୍ଯାରତ୍ନ ମାନଙ୍କ ସୁରକ୍ଷାର ଚିନ୍ତା । ପ୍ରଣୟନ ହେଲା ଆଇନ୍‌ ;ଏଥିରେ ବି ଜାତିସଂଘ ଉଦ୍‌ବେଗ ପ୍ରକାଶ ପୂର୍ବକ ଯୁବ ସମାଜକୁ ହିଁ ଦାୟୀ କଲା । ଏସିଡ୍‌ ମାଡ ପାଇଁ ଆସିଥିବା ଆଇନ୍‌ ସବୁ କ'ଣ କନ୍ଯାରତ୍ନ ମାନଙ୍କୁ ବର୍ତ୍ତାଇ ପାରିଛି ନା ଯୁବ ସମାଜକୁ ପରିବର୍ତ୍ତନ କରି ପାରିଛି ? ପରେ ପରେ ଶିଶୁ ମାଂସ ଭକ୍ଷଣ କୋକୁଆ ଭୟ ସୃଷ୍ଟି କରିଲା ; ଅବଶ୍ଯ ଆଇନ୍‌ର ଅଡୁଆ ଜାଲ ତାକୁ ଛନ୍ଦଣୀରେ ପକାଇ ଦଣ୍ଡିତ କରିଥିଲା । କିନ୍ତୁ ତା' ବୟାନ ଥିଲା ଚିନ୍ତା ଓ ମାର୍ମିକ ବିଷୟ । ତା' କହିବାନୁସାରେଣ ସେ ଭକ୍ଷଣ କରୁଥିବା ଶିଶୁ ମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ କନ୍ଯାରତ୍ନ । ଏ ଘଟଣାକୁ ନେଇ ବି ବହୁ ତର୍କ ବିତର୍କ ପରିଲକ୍ଷିତ । 

       ଏହା ପରେ ଆଉ ଏକ ଦୁଃଖଦ ଘଟଣା - ଦ୍ବିଲ୍ଲୀର ପାରା ମେଡ଼ିକାଲ ଛାତ୍ରୀ ନିର୍ଭୟା ନାମକ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବସ୍‌ରେ ଆସିବା ବେଳେ ଗଣ ଦୁଷ୍କର୍ମର ଶିକାର । ଚର୍ଚ୍ଚା ଜୋର୍‌ ଧରିଲା ଏବଂ ମେଡିକାଲ ବେଡ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ନିର୍ଭୟା ଲଜ୍ଜା ଓ ଅପମାନରେ ସଢ଼ି ଆଖି ବୁଜି ଦେଲା ଶେଷରେ । ଯେଉଁମାନେ ଏ ଘଟଣା ଘଟାଇ ଥିଲେ ସେଇମାନେ ସବୁ ଯୁବକ ଥିଲେ ; ଆଉ ସେମାନଙ୍କ ମଧ୍ୟରୁ ଜଣେ ନାଁ ବାଳକ ।  ଏ ଘଟଣାର ଆଲୋଡ଼ନ ତୀବ୍ରତାରେ ଭାରତୀୟ ଆଇନ୍‌ ବ୍ଯବସ୍ଥା ବି ନତାନନ ହୋଇ ପଡ଼ିଲା । ଆସାମୀ ମାନଙ୍କୁ ଗିରଫ କରାଗଲା ଓ କେହି ଜଣେ ଫାଶୀ ପାଇବା ସହ ନାଁ ବାଳକକୁ ପଠାଇ ଦିଆଗଲା ବାଳକ ସୁଧାର ଗୃହକୁ । ସମସ୍ତେ  ଆଶାୟୀ ଏଥର ସୁଧୁରିବ ଯୁବ ସମାଜ । ଦ୍ବିଲ୍ଲୀର ବାଗନାରେ କଢ଼ରୁ ଫୁଲ ହେବାକୁ ଯାଉଥିବା ଯୁବତୀ କଣ୍ଢେଇ , ଯାହାର ଯତ୍ନ ଦାୟିତ୍ବ ଦୁଇ ଦୁଇ ଜଣ ମାଳୀଙ୍କର । ଦୁଇ ଦୁଇ ଜଣ ମାଳୀଙ୍କଠୁଁ ସ୍ନେହ ଆଦର ପାଇ ପାଞ୍ଚ ବର୍ଷରେ ପଦାର୍ପଣ କରି କଣ୍ଢେଇ ଖୁସିରେ ଖେଳୁଥିଲା, ନାଚୁଥିଲା ଓ ବୁଲୁଥିଲା । ପରୀ ପରି ମନ ଈଚ୍ଛା କାମ କରୁଥିବା କଣ୍ଢେଇ କି ଜାଣିଥିଲା ତା' ଭାଗ୍ୟରେ ଅଲଗା କିଛି ରଚିତ ? ଦିନେ ମାଳିର ଅନୁପସ୍ଥିତରେ ଏକ ଯୁବକ ଭ୍ରମର ଯାଇ ମିଷ୍ଟ ବଚନରେ ଆପ୍ଯାୟିତ କରି କଣ୍ଢେଇକୁ ନିଜ ଆଡ଼କୁ ଆକର୍ଷିତ କଲା । କଅଁଳ କୁସୁମ କଢ଼ି କଣ୍ଢେଇ ବା ଜାଣେ କ'ଣ ? ଆକର୍ଷିତ ହୋଇ ଚାଲି ଆସିଲା ଭ୍ରମରର ସନ୍ନିକଟେ । ନିଷ୍ଠୁର ଭ୍ରମରଟି ଦଳି ମକଚି ପକାଇଲା ତାକୁ ; ଶେଷରେ ମେଡିକାଲ ଯାଏଁ ଗଲା କଣ୍ଢେଇ । ଦେଶ ଭିତରୁ ଓ ଦେଶ ବାହାରୁ ଚିକିତ୍ସକ ଆସି ଚିକିତ୍ସା କରିବା ସହ ଚବିଶି ଘଣ୍ଟିଆ ଅନୁଧ୍ୟାନରେ ରଖିବା ପରେ ଭାରତୀୟ ମେଡିକାଲର ସୂଚନା ଏ ଘଟଣା ସର୍ବବୃହତ ଘଟଣା ଅଟେ । ଏହା ପରେ ପୁନରପି ଆଶା ଜାଗ୍ରତ ଏ ଯୁବ ସମାଜ ନିଶ୍ଚୟ ଏଥର ସୁଧୁରିବ ।
ସବୁ ଆଶା ଆଶାରେ ମଳିନ , କୁନ୍ଦୁଲି ଗଣ ଦୁଷ୍କର୍ମ ପୁଣି ଥରେ ସମସ୍ତ ମନକୁ ଚହଲେଇ ଦେଲା । ଗଣ ଦୁଷ୍କର୍ମର ଶିକାର ହୋଇଥିବା କୁନ୍ଦୁଲି ପୀଡିତାଟି ଉଚିତ୍ ନ୍ଯାୟ ନ ପାଇ ଘଟଣାର ସାତ ମାସ ପରେ ଗଳାରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ଜଗତଟା ସାରା ଶୋକ ହୋଇ ଖେଳିଗଲା । ଏହା ଉପରେ ଗଣମାଧ୍ୟମ ଓ  କିଛି ଯୁବ ଗୋଷ୍ଠୀର ମତାମତ ଲୋଡ଼ିବାରୁ ଯାହା ମତ ଆସିଲା ତାହା ଚକିତ ଜନକ ଥିଲା । ମତାମତ ଥିଲା  ଏ ଘଟଣା ପାଇଁ ପାଶ୍ଚାତ୍ଯ ସଭ୍ୟତା ଦାୟୀ ;ପାଶ୍ଚାତ୍ଯ ଡ୍ରେସ୍‌ ଆଜି ଏ ଘଟଣାର ମୂଳ । ଏହା ଠିକ୍‌ ନା ଭୁଲ୍‌ ଏ ଘଟଣା ପରେ ଘଟିଥିବା ଆଉ କିଛି ଘଟଣାରୁ ବେସ୍‌ ଜଣାପଡେ  । ପରେ ପରେ ଆଉ ଜଣେ ରାଷ୍ଟ୍ରପତି ପୁରସ୍କାର  (ଗୋଲ୍ଡ ମେଡାଲ) ପାଇଁ ଯାଉଥିବା ବେଳେ ଜଣେ ଯୁବତୀର ଭଣ୍ଡ ଚିନ୍ତାଧାରାର କିଛି ଯୁବକ ମାନଙ୍କ ଦ୍ବାରା ଗଣ ଦୁଷ୍କର୍ମ ଆହୁରି ତତାଇଲା ସମସ୍ତଙ୍କୁ । ସେ ଜଣେ ମେଧାବୀ ଛାତ୍ରୀ । ତାଙ୍କର ଯେଉଁ ସବୁ ଫଟୋ ସୋସିଆଲ ମିଡିଆ ରୁ ପ୍ରାରମ୍ଭ ଈଲେକ୍‌ଟ୍ରୋନିକ୍‌ ମିଡ଼ିଆ ଯାଏଁ ଦେଖିବାକୁ ମିଳେ କୋଉଠି ବି ପାଶ୍ଚାତ୍ଯ ସଭ୍ୟତାର ଛିଟା ନାହିଁ । ଏଠି ପ୍ରଶ୍ନବାଚୀ ପୂର୍ବ ପ୍ରକାଶିତ ମତାମତ କେତେଦୂର ଠିକ୍‌? ଆପଣମାନେ ବିଚାରନ୍ତୁ ତ ଏହା । ଇତି ମଧ୍ୟରେ ଦୁଇରୁ ଦଶ ବର୍ଷ ଯାଏଁ ଅନେକ ରତ୍ନ ଗଣ ଦୁଷ୍କର୍ମର ଶିକାର  । ଏବେ ବି କନ୍ଯାରତ୍ନ ଅସୁରକ୍ଷିତ । ଉଦ୍ଭଟ ଚିନ୍ତାଧାରାର ଯୁବକ ମାନଙ୍କ ଉନ୍ମୁକ୍ତ କାଣ୍ଡରେ ଗୋଟାଏ ପରେ ଗୋଟାଏ ନିଶ୍ଚିହ୍ନ  ।  ବୁଦ୍ଧିଜୀବିମାନେ ବିଚାରନ୍ତୁ ତ ଯଦି ଯୁବ ସମାଜର ପରିବର୍ତ୍ତନ ଘଟିଥା'ନ୍ତା ତେବେ ଗୁଜୁରାଟ ପରି ଏକ ଅଗ୍ରଣୀ ରାଜ୍ଯରେ ଚୌଦ ମାସର ଏକ ଶିଶୁ କନ୍ଯାରତ୍ନ ହୋଇ ନ ଥାଆନ୍ତା ଗଣ ଦୁଷ୍କର୍ମର ଶିକାର । ଏବେ ପ୍ରଶ୍ନବାଚୀ ଯେ ଦ୍ବିଲ୍ଲୀର ସେ ଛଅ  ବର୍ଷର ରତ୍ନ ହେଉ କି ଗୁଜୁରାଟର ସେ ଚୌଦ ମାସର ରତ୍ନ ; ଏମାନେ ପାଶ୍ଚାତ୍ଯ ସଭ୍ୟତାକୁ ତ ଆପଣେଇ ନ ଥିଲେ । ଏମାନେ କ'ଣ ପାଇଁ ଗଣ ଦୁଷ୍କର୍ମର ଶିକାର ହେଲେ ? ଏବେ ଆମର ଓ ବୁଦ୍ଧିଜୀବିଙ୍କର ବିଚାରର ସମୟ ଆଗତ । ଏବେ ସରକାରଙ୍କୁ ପ୍ରଶନ ଏଭଳି ଘଟଣା ଦୁର୍ଘଟଣା ପରେ କଠୋର ଆଇନ୍‌ କରାଯାଉନି କାହିଁକି ? ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉନି କାହିଁକି  ? ଯୁବ ସମାଜର ଏଭଳି ଅମାନୁଷିକ କାର୍ଯ୍ଯ ଉପରେ ଅଙ୍କୁଶ ଲଗା ଯାଉନି କାହିଁକି ? କେବେ ବଦଳିବେ ଯୁବ ସମାଜ ? ସରକାର ସବୁକିଛି କରିଦେଲେ ହେବନି, ଯୁବ ସମାଜର ସଚେତନ ହେବା ଉଚିତ୍‌ । ସ୍ବାଧୀନତା ଦିବସ , ସାଧାରଣତନ୍ତ୍ର ଦିବସାଦିରେ ଲମ୍ବା ଭାଷଣ ମାରୁଥିବା ଲୋକ ଯାହା କହେ ତାହାର ଓଲଟା କରେ । ସେଇଦିନ ଆମେ ସ୍ବାଧୀନ ଜାଣିବା ଯୋଉଦିନ ଜଣେ ନାରୀ ବା କନ୍ଯାରତ୍ନ ରାତି ଅଧରେ ରାସ୍ତାରେ ବିଚରଣ କରି ପାରିବ ନିର୍ଭୟରେ । 

     ଜଣେ ନାରୀ ଜନନୀ, ଜାୟା ଭଗିନୀ ହୋଇପାରେ ; କନ୍ଯାରତ୍ନ ସୁରକ୍ଷାର ଚିନ୍ତା କଲେ ତାକୁ ଝିଅ ବା ଭଗିନୀ ରୂପରେ ଦେଖି ପାରିଲେ ଆମର ରତ୍ନ ସୁରକ୍ଷିତ ରହି ପାରିବ ।
ଜୟ ସାହିତ୍ୟ, ଜୟ ସମାଜ

ବ୍ୟାସକବି

କମଳିନୀ ଦେବୀ
ଭାଷା ସାହିତ୍ୟର ଗଢିଲ କୋଣାର୍କ     
ଶିଳ୍ପୀ ସାଜି ଉତ୍କଳର 
ସେନାପତି ପଦେ ବିଭୂଷିତ ତୁମେ 
ଅସ୍ତ୍ର ଥିଲା ଲେଖନୀର ।।
ଅସୀ ଠାରୁ ମସୀ ବଡ ବୋଲି ଯାହା 
ଜନଶ୍ରୁତି ଥିଲା ରହି 
ଓଡ଼ିଆ ଗୋଟିଏ ସମୃଦ୍ଧ ଭାଷା 
ଲେଖାରେ ଦେଲ ଦେଖାଇ ।।
ବରପୁତ୍ର ତୁମ୍ଭେ ଉତ୍କଳ ମାଟିର 
କରିଛ ତା' ଯୋଗ୍ଯ ପୂଜା 
ଫକୀର ମୋହନ ସେନାପତି ନାମେ 
ଉଡୁଅଛି ଦେଶେ ଧ୍ବଜା ।।
ମଲ୍ଲିକାଶପୁରୁ ମହକି ଉଠିଛି 
ଓଡିଶାର ପୁରପଲ୍ଲୀ 
ବାଣୀ ଭଣ୍ଡାରକୁ ଭରି ଦେଇ ଗଲ 
ଗଳ୍ପ, ଉପନ୍ୟାସ ବଳି ।।
ନାରୀଶିକ୍ଷା, କୁସଂସ୍କାର ଭାବନା 
ଜାତିପ୍ରଥା ଲୋକମନେ 
ଦୂର କରିବାକୁ କରିଛ ପ୍ରୟାସ 
ମନ ଦେଇ କାନେ କାନେ ।।
ରେବତୀ, ଲଛମା, ମାମୁଁ , ପ୍ରାୟଶ୍ଚିତ                                                                                              
ରାଣ୍ଡିପୁଅ ଯେ ଅନନ୍ତା 
ଛଅମାଣ ଆଠଗୁଣ୍ଠ,ଲୋକପ୍ରିୟ 
ପେଟେଣ୍ଟ ମେଡିସିନ କଥା ।।
ରାମାୟଣ ଗ୍ରନ୍ଥ ଅନୁବାଦ କଲ 
ମହାଭାରତ ଗାଥା 
ସେଥିପାଇଁ ତୁମ୍ଭେ ଲଭିଛ ଉପାଧି 
ବ୍ୟାସକବି ଭାବେ ଯଥା ।।
ପିତୃ, ମାତୃହରା ଥିଲ ଶୈଶବରୁ 
ରୋଗକ୍ଲିଷ୍ଟ ଶରୀରରେ 
ତଥାପି ମନରେ ଅଦମ୍ୟ ସାଧନା 
ବାଣୀ ସେବା କରିବାରେ ।।
ସଂକ୍ରାନ୍ତି ପୁରୁଷ କୁହନ୍ତି ତୁମକୁ 
ଯେତେ ତୁମ ପ୍ରିୟଜନ 
ସଂକ୍ରାନ୍ତିରେ ଜନ୍ମ ସଂକ୍ରାନ୍ତିରେ ଲୀନ 
ତୁମ୍ଭେ ଅଟ ଭାଗ୍ୟବାନ ।।
ତୁମ୍ଭ ଜନ୍ମ ତିଥି ମକର ସଂକ୍ରାନ୍ତି 
ଏହି ପୂଣ୍ଯ ଦିବସରେ 
ଭକତି ଅନ୍ତରେ କରେ ପ୍ରଣିପାତ 
ତୁମ୍ଭରି ପୂତ ପୟରେ ।।

ଜୟ ସାହିତ୍ୟ, ଜୟ ସମାଜ

ପାଶ୍ଚାତ୍ୟ ପରମ୍ପରାର ଓଡ଼ିଆ ପୁଜକ- ଇଂରାଜୀ ନବବର୍ଷ ପାଳନ

ମନୋଜ କୁମାର ପଣ୍ଡା
ପୁଣି ଥରେ ଜାନୁଆରୀ ୧ ଅର୍ଥାତ ଇଂରାଜୀ ନବବର୍ଷ ଆସିଛି । ଦେଶବାସୀ ମାନେ ଏହି ଇଂରାଜୀ ନବ ବର୍ଷକୁ ପାଳନ କରିବାରେ ବ୍ୟସ୍ତ ଅଛନ୍ତି । ଗତ କିଛି ଶତାବ୍ଦୀ ଧରି ଇଂରେଜ, ଫ୍ରେଂଚ, ଡଚ, ପର୍ତୁଗୀଜ  ଭଳି ଲୋକ ମାନଙ୍କ ସହ ଓ ଅନ୍ୟ ଖ୍ରୀଷ୍ଟ ମତାବଲମ୍ବୀ ମାନେ ବିଶ୍ୱର ଅନେକ ଦେଶ ଉପରେ  ଅଧିକାର କରି ଉପନିବେଶ ସ୍ଥାପନା କରିବା ଫଳରେ ଖ୍ରୀଷ୍ଟାବ୍ଦ ଏକ ରକମ ସମଗ୍ର ବିଶ୍ୱରେ ପ୍ରଚଳିତ ହୋଇଯାଇଛି । ସମଗ୍ର ବିଶ୍ୱରେ ଖ୍ରୀଷ୍ଟାବ୍ଦ କ୍ୟାଲେଣ୍ଡରକୁ ସରକାରୀ ଭାବେ ମଧ୍ୟ ଏକ ପ୍ରକାର ମାନ୍ୟତା ପ୍ରଦାନ କରାଯାଇଛି । ଭାରତ ଏହା ମଧ୍ୟରୁ ଅନ୍ୟତମ । ଇଂରେଜ ମାନଙ୍କ ଦ୍ୱାରା ପରାଧୀନ ହେବା ପରେ ଏବଂ ଇଂରେଜ ମାନଙ୍କର ଶିକ୍ଷାନୀତି ଦ୍ୱାରା ପରିଚାଳିତ ହୋଇ ଭାରତ ମଧ୍ୟ ଇଂରାଜୀ ଅର୍ଥାତ ଖ୍ରୀଷ୍ଟୀୟ  କ୍ୟାଲେଣ୍ଡର ସରକାରୀ ଭାବେ ଅନୁସରଣ କରୁଛି । ତେବେ ଭାରତ ବର୍ଷର ନିଜସ୍ୱ କ୍ୟାଲେଣ୍ଡର ରହିଛି । ଇଂରାଜୀ କ୍ୟାଲେଣ୍ଡରରେ ମଧ୍ୟ ଭାରତୀୟ ମାସ ଏବଂ ତିଥି ରହିଥାଏ ।

ଭାରତୀୟ ଲୋକ ମାନେ ଇଂରାଜୀ କ୍ୟାଲେଣ୍ଡରକୁ ସ୍ୱୀକାର କରି ଇଂରାଜୀ ନବବର୍ଷ ପାଳନ କରୁଥିଲେ ସୁଦ୍ଧା ସେମାନଙ୍କର ବିବାହ, ବ୍ରତ ଓ ଅନ୍ୟ ଶୁଭ କାମ ପାଇଁ ଭାରତୀୟ କ୍ୟାଲେଣ୍ଡର ଉପରେ ନିର୍ଭର କରିଥାନ୍ତି । ଇଂରାଜୀ ଭାଷାରେ ପାଣ୍ଡିତ୍ୟ   ଅର୍ଜନ କରିବା ସତ୍ୱେ ସେମାନେ ଶୁଭ କାମରେ ସଂସ୍କୃତ  ଶ୍ଲୋକର ହିଁ  ଉଚ୍ଚାରଣ କରିଥାନ୍ତି ।


ଭାରତୀୟ ସଂସ୍କୃତି ଓ ପାଶ୍ଚାତ୍ୟ ସଂସ୍କୃତି ମଧ୍ୟରେ କିଛି ମୌଳିକ ପ୍ରଭେଦ ରହିଛି । ଏହି ମୌଳିକ ପ୍ରଭେଦ ମଧ୍ୟରେ  ଉଭୟ ସଂସ୍କୃତିରେ ଉତ୍ସବ ଓ ପର୍ବ ପର୍ବାଣୀ ପ୍ରତି ରହିଥିବା ଦୃଷ୍ଟିକୋଣରେ ପ୍ରଭେଦ । ଭାରତୀୟ ମାନଙ୍କର ଉତ୍ସବ ମନାଇବାର ପଦ୍ଧତି ଖୁବ ନିଆରା । ଭାରତୀୟ ପରମ୍ପରାରେ  ଯେଉଁ ପର୍ବପର୍ବାଣୀ ରହିଛି  ତାହା ଦ୍ୱାରା ମନରେ ସାତ୍ୱିକତା  ଜାଗ୍ରତ ହୋଇଥାଏ । ଏହି ପର୍ବ ପର୍ବାଣି କିମ୍ବା ଉତ୍ସବ ଦିନରେ ପାଳନ କରାଯାଉ କିମ୍ବା ରାତ୍ରୀରେ ପାଳନ କରାଯାଉ, ମନରେ ସାତ୍ୱିକତାର ଭାବ ରହିଥାଏ । ଭାରତୀୟ ସଂସ୍କୃତିରେ ଉତ୍ସବ ପାଳନ ବେଳେ ପାଳନ କରୁଥିବା ବ୍ୟକ୍ତି ଭଗବାନଙ୍କର ଶରଣକୁ ଯାଇଥାଏ ।

କିନ୍ତୁ ପାଶ୍ଚାତ୍ୟ ଉତ୍ସବ ପାଳନ ଅବସରରେ ଏହା ସାଧାରଣତଃ  ଦେଖାଯାଏ ନାହିଁ । ଖାସ କରି ଇଂରାଜୀ ନବ ବର୍ଷ ଭଳି ଉତ୍ସବ ପାଳନ କଲା ବେଳେ ନିଶା ଆଦି ସେବନ କରିବା ସହ ବିଦେଶୀ ସଙ୍ଗୀତର ତାଳେ ତାଳେ ଲୋକ ମାନେ ନାଚିଥାନ୍ତି ତଥା ଏହି ପର୍ବର ସ୍ୱାଗତ କରିଥାନ୍ତି । ନିଶା ସେବନ କରିବା ଦ୍ୱାରା ସେମାନେ ଚରିତ୍ରହୀନତା ଆଡକୁ ଯିବା ସହ ଅପରାଧ ଆଡକୁ ଚାଲିଯିବାର ସମ୍ଭାବନା ଥାଏ । ଏହି ପର୍ବରେ ତିଳେ ହେଲେ ସାତ୍ୱିକତାର ଭାବ ନ ଥାଏ । କେବଳ ଉତ୍ସୃଙ୍ଖଳାର ଭାବ ରହିଥାଏ ।

ତେବେ ଯାହା ଜଣା ପଡୁଛି ଭାରତବାସୀ ଇଂରାଜୀ ନବ ବର୍ଷ ପାଳନ କଲା ବେଳେ ମଧ୍ୟ ସେମାନେ ନିଜର ଇଂରେଜିକରଣ ନକରି ଏହି ଉତ୍ସବର ଭାରତୀୟକରଣ କରି ଦେଉଛନ୍ତି । ଯଦିଓ କିଛି ତାରକା ହୋଟେଲରେ କିଛି ଲୋକ ମଧ୍ୟ ରାତ୍ରୀରେ ପାଶ୍ଚାତ୍ୟ ଉପାୟରେ ଏହି ଉତ୍ସବ ପାଳନ କରୁଛନ୍ତି ତେବେ ଏମାନଙ୍କ ସଂଖ୍ୟା ଖୁବ କମ । ପାଶ୍ଚାତ୍ୟ ପଦ୍ଧତିରେ ଇଂରାଜୀ ନବ ବର୍ଷ ପାଳନ କରୁଥିବା ଲୋକ ମାନଙ୍କ ସଂଖ୍ୟା ଖୁବ କମ ହୋଇଥିବାରୁ ଏମାନଙ୍କୁ ଭାରତର ପ୍ରତିନିଧି ବୋଲି ମାନିବା ଭୁଲ ହେବ ।

ତେବେ ସାଧାରଣ ମଧ୍ୟବିତ ଏବଂ ନିମ୍ନମଧ୍ୟବିତ ଭାରତୀୟମାନେ ଇଂରାଜୀ ନବ ବର୍ଷକୁ କିଭଳି ଭାବେ ପାଳନ କରୁଛନ୍ତି ତାହା ଅାଲୋଚନାର ବିଷୟ । ଗୋଟିଏ ଉଦାହରଣ ଦେଲେ ପ୍ରସଙ୍ଗଟିକୁ ଭଲ ଭାବରେ ବୁଝି ହେବ । ଇଂରାଜୀ ନବ ବର୍ଷ ଅବସରରେ ପୁରୀର ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ପୋଲିସ ପ୍ରଶାସନର କହିବା ଅନୁସାରେ ଭକ୍ତ ମାନଙ୍କ ପ୍ରବଳ ଭୀଡ ହେବାର ସମ୍ଭାବନା ଥିବାରୁ ଅନେକ ପୋଲିସ ପ୍ଲାଟୁନ ଭୀଡକୁ ନିୟନ୍ତ୍ରିତ କରିବା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିୟୋଜିତ  କରାଯାଇଥିଲା ଏବଂ ଇଂରାଜୀ ନବ ବର୍ଷ ଦିନ ପୁରୀ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ୫  ଲକ୍ଷରୁ ଉର୍ଧ ଲୋକ ହେବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଏତେ ସଂଖ୍ୟାରେ ଅର୍ଥାତ ଲକ୍ଷ ଲକ୍ଷ ଲୋକ ଇଂରାଜୀ ନବ ବର୍ଷ ଦିନ ଉପସ୍ଥିତ ହୋଇ   ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେବା  ଘଟଣା କେଉଁ ଦିଗକୁ ଇଙ୍ଗିତ କରୁଛି । ଏଠାରେ ମନେ ରଖିବାକୁ ହେବ ଯେ ଯେଉଁ ଲୋକ ମାନେ କୌଣସି କାରଣ ବଶତଃ ପୁରୀ ଯାଇ ପାରୁ ନାହାନ୍ତି ଅତ୍ୟନ୍ତ ସାତ୍ୱିକତାର ଭାବ ନେଇ  ସେମାନେ ସକାଳୁ ସ୍ଥାନୀୟ ମନ୍ଦିରରେ ପହଂଚି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଏହି ଘଟଣା କେଉଁ ଦିଗକୁ ସୂଚିତ କରୁଛି ।

ଏହି ଘଟଣା ଗୋଟିଏ କଥାକୁ ସ୍ପଷ୍ଟ କରୁଛି ଯେ ଯଦିଓ ଭାରତୀୟ ମାନେ ଇଂରାଜୀ ଅଥବା ଖ୍ରୀଷ୍ଟାବ୍ଦ ଆଧାରିତ ନବବର୍ଷ ପାଳନ କରୁଛନ୍ତି, ତେବେ ସେମାନେ ଏହି ପାଶ୍ଚାତ୍ୟ ପର୍ବକୁ ପାଶ୍ଚାତ୍ୟ ପଦ୍ଧତିରେ ପାଳନ କରୁ ନାହାନ୍ତି ଅର୍ଥାତ ନିଶା ଆଦି ସେବନ କରିବା ସହ ବିଦେଶୀ ସଙ୍ଗୀତର ତାଳେ ତାଳେ ଲୋକ ମାନେ ନାଚି ନାହାନ୍ତି । ସେମାନେ ଏହି ପାଶ୍ଚାତ୍ୟ ପର୍ବକୁ ସମ୍ପୂର୍ଣ ଭାରତୀୟ ପରମ୍ପରାରେ ଅର୍ଥାତ ସାତ୍ୱିକ ଉପାୟରେ ପାଳନ କରୁଛନ୍ତି । ଇଂରାଜୀ ନବ ବର୍ଷର  ଭାରତୀୟକରଣ ହୋଇ ଯାଇଛି । ଏହି ଘଟଣା  ପ୍ରମାଣିତ କରୁଛି ଯେ  ପାଶ୍ଟାତ୍ୟ ପର୍ବ ଭାରତରେ  ଆସିବା ପରେ ପାଶ୍ଚାତ୍ୟ ସଂସ୍କୃତି ଭାରତୀୟ ସଂସ୍କୃତି ଆଗରେ ମୁଣ୍ଡ ନୁଆଁଇଛି ।

ଏହି ଘଟଣା ସ୍ପଷ୍ଟ କରେ ଯେ ଭାରତ ନିକଟରେ ବିଦେଶୀ ଓ ବିଜାତୀୟ ସଂସ୍କୃତିକୁ ଆତ୍ମସାତ କରିବାର କ୍ଷମତା ରହିଛି ।  କୌଣସି ପାଶ୍ଚାତ୍ୟ ପର୍ବ ଯଦି ଭାରତରେ କୌଣସି କାରଣରୁ ପ୍ରବେଶ କରେ ତେବେ ତାହା ସେହି ଭଳି ଭାବେ ପାଳିତ ନ ହୋଇ ଭାରତୀୟ ପରମ୍ପରା ଓ ସଂସ୍କୃତି ଆଧାରରେ ପାଳିତ ହୋଇଥାଏ । ଇଂରାଜୀ ନବ ବର୍ଷର ଭାରତୀୟକରଣ ହେଉଛି ଏହାର  ଜ୍ୱଳନ୍ତ ଉଦାହରଣ ।

ଅତୀତର ପୃଷ୍ଠାକୁ ଯଦି ଆମେ ଓଲଟାଇବା ତେବେ ଦେଖିବା ଯେ ଶକ, ହୁଣ ପରି ଜାତି, ଯେଉଁ ମାନେ ବିଦେଶରୁ ଆସିଥିଲେ ସେମାନେ ଭାରତର ମୁଖ୍ୟସ୍ରୋତରେ ଲୀନ ହୋଇଯାଇଛି । ଆଜି ସେମାନଙ୍କର ଚିହ୍ନ ବର୍ଣ ନାହିଁ । ଆଜି ଯଦି ଆମେ ତାଙ୍କୁ ଖୋଜିବା ତେବେ ତାଙ୍କୁ ପାଇବା ନାହିଁ । ଏହା ଭାରତୀୟତା ବା ହିନ୍ଦୁତ୍ୱର ବିଶେଷତ୍ୱ । ହିନ୍ଦୁତ୍ୱ ବା ଭାରତୀୟତା ହେଉଛି ସର୍ବ ସମାବେଶୀ । ସମସ୍ତଙ୍କୁ  ସାମିଲ କରିବାର  କ୍ଷମତା ଭାରତୀୟତା ବା ହିନ୍ଦୁତ୍ୱ ମଧ୍ୟରେ ରହିଛି । ଏହା ହିଁ ହେଉଛି ଭାରତୀୟତାର ମହାନତା ।

ପରିବର୍ତନ ପ୍ରକୃତିର ନିୟମ । ସମୟ ଅନୁସାରେ ପରିବର୍ତନ ଘଟିବା ଅବଶ୍ୟମ୍ଭାବୀ । ଭାରତୀୟ ସଂସ୍କୃତିକୁ ସନାତନ ବୋଲି କହିବା ପଛରେ ମଧ୍ୟ ଏହି କାରଣ ରହିଛି ।  ଭାରତୀୟ ସଂସ୍କୃତିରେ  ସମସ୍ତଙ୍କୁ ଆତ୍ମସାତ କରିବାର କ୍ଷମତା ରହିଛି । ଏହି କାରଣରୁ ଇକବାଲ ଥରେ କହିଥିଲେ  ରୋମ, ୟୁନାନ, ମିଶର ମିଟ ଗୟେ ଜହାଁ , କୁଛ ବାତ ଏଇସି ହୈ କି ହସ୍ତି ମିଟତି ନହିଁ ହମାରୀ । ଅର୍ଥାତ ଦିନ ଥିଲା ରୋମ, ଗ୍ରୀସ ଓ ଇଜିପ୍ଟରେ  ମଧ୍ୟ କେବେ ମହାନ ସଭ୍ୟତା ଠିଆ ହୋଇଥିଲା । ମାତ୍ର ସେମାନଙ୍କର ମଧ୍ୟରେ ଆତ୍ମସାତ କରିବାର କ୍ଷମତା ନ ଥିବା କାରଣରୁ ସେହି ସଭ୍ୟତା ଗୁଡିକ ଲୋପ ପାଇଯାଇଥିଲା ।  ତେବେ ଭାରତର ସଭ୍ୟତା ସେହି ଭଳି ଅକ୍ଷୁର୍ଣ ରହିଛି । କାରଣ ଭାରତ ନିକଟରେ ସମସ୍ତଙ୍କୁ ଏପରି ବାହାର ସଂସ୍କୃତିକୁ ମଧ୍ୟ ଆତ୍ମସାତ କରିବାର ମହାନ କ୍ଷମତା ରହିଛି । ସେଇଥି ପାଇଁ ଭାରତୀୟତା ବା ହିନ୍ଦୁତ୍ୱ କାଳଜୟୀ ।

ଇଂରାଜୀ ନବ ବର୍ଷର ଆରମ୍ଭର ଇତିହାସ କେବେ:-
          ପାଶ୍ଚାତ୍ୟ କାଳଗଣନାର ବର୍ଷର ମୂଳ ରୋମାନ ବର୍ଷ ଅଟେ, ଯାହା ଇଶା ପୂର୍ବ ୭୫୩ରେ ରୋମ ନଗରର ସୂଚନାଠାରୁ ଆରମ୍ଭ ହୋଇଥିଲା। ରୋମାନ ବର୍ଷ ୩୦୪ ଦିନର ହୋଇଥାଏ।ଯାହା ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଏ।ଏଥିରେ ମୋଟ ୧୦ ମାସ ହୋଇଥାଏ।ଧିରେ ଧିରେ ଏଥିରେ ବଡ଼ ସମସ୍ୟା ଉପୁଜିଲା ଓ ଏହାକୁ ସଠିକ୍ କରିବା ଲାଗି ଇଶାପୂର୍ବ ୪୬ରେ ଜୁଲିୟସ ସୀଜର ନିଜର ୪୫୫ ଦିନର ଏକ ବର୍ଷ ଘୋଷଣା କଲେ।ପରେ ଆଗକୁ ଏହ ୩୬୫ ଦିନରେ ରୁପାନ୍ତରିତ ହେଲା।ସେ ନିଜର ନାମାନୁସାରେ ଜୁଲାଇ ମାସ ଯୋଡ଼ି ଦେଇ ବର୍ଷକୁ ୧୧ ମାସ କରି ଦେଇଥିଲେ।ପରେ ଆଗକୁ ଏହା ୩୬୫ ଦିନରେ ରୁପାନ୍ତରିତ ହେଲା।ସେ ନିଜର ନାମାନୁସାରେ ଜୁଲାଇ ମାସ ଯୋଡ଼ି ଦେଇ ୧୧ ମାସ କରି ଦେଇଥିଲେ । ପରେ ରାଜା ଅଗଷ୍ଟସ ନିଜ ନାମରେ ୧୨ ତମ ମାସ ଯୋଡ଼ି ଦେଇଥିଲେ ।ତଥା ବର୍ଷର ମାସ ଗୁଡ଼ିକର ନାମ ଓ ଦିନ ନିଶ୍ଚିତ କରିଥିଲେ । ପୁଣି ମଧ୍ୟ ଏଥିରେ ଅନ୍ତର ପଡ଼ିଥିଲା।୧୫୮୨ ଖ୍ରୀଷ୍ଟାବ୍ଦରେ ଏହି ଗଣନାରେ ୧୧ ଦିନର ଅନ୍ତର ହୋଇ ଯାଇଥିଲା ।କୁହାଯାଏ ସେହି ବର୍ଷ ପୋପ ଗ୍ରେଗରୀ ନିଜ ଆଜ୍ଞାରେ ଅକ୍ଟୋବର ୪କୁ ଅକ୍ଟୋବର ୧୫ କରି ଦେଇଥିଲେ।ତଥା ୪ ଓ ୪୦୦ରେ ବିଭାଜିତ ହେଉଥିବା ବର୍ଷରେ ୨୯ ଦିନର ଫେବୃଆରୀକୁ ମାନିବାକୁ ଆଜ୍ଞା ଦେଇଥିଲେ।ଏଥିପାଇଁ ଏହାକୁ ଗ୍ରେଗେରିଆନ କ୍ୟାଲେଣ୍ଡର କୁହାଯାଏ।ଏହି ନୂତନ ପଞ୍ଜିକା ଅନୂସାରେ ମାର୍ଚ୍ଚ ମାସରେ ନବବର୍ଷ ପାଳନ କରୁଥିବା ୟୁରୋପୀୟ ସମାଜ ଜାନୁଆରୀ ୧କୁ ନବବର୍ଷ ରୂପେ ପାଳନ କରିବା ଆରମ୍ଭ କଲା । ଧିରେ ଧିରେ ସମସ୍ତ ରାଷ୍ଟ୍ର ଗୁଡ଼ିକ ଏହାକୁ ସ୍ବୀକାର କରିନେଲେ ଓ ପରେ ଇଂରେଜମାନଙ୍କ ବିଶ୍ବବ୍ୟାପି ରାଜତ୍ବ ଏହାକୁ ବିଶ୍ବ ପ୍ରସିଦ୍ଧ କରିଦେଲା ।

ଭାରତରେ ଆଞ୍ଚଳିକ ନବବର୍ଷ:-
ଭାରତର ବିଭିର୍ଣ୍ଣ ରାଜ୍ୟ ତଥା ପ୍ରାନ୍ତରେ ସେମାନଙ୍କର ନିଜସ୍ୱ କ୍ୟାଲେଣ୍ଡର ଅନୁଯାୟୀ ନବ ବର୍ଷ ପାଳନ କରିଥାନ୍ତି।ଯେପରି ଓଡ଼ିଶାରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରେ ପାଳନ ହୋଇଥାଏ ଓଡ଼ିଆ ନୂଆବର୍ଷ।ଏହି ଦିନ ଠାରୁ ନୂଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ।ସେହିପରି ଦେଶର ବିଭିର୍ଣ୍ଣ ପ୍ରାନ୍ତରେ ଭିର୍ଣ୍ଣ ଭିର୍ଣ୍ଣ ଦିନ ସେମାନଙ୍କ ପାଞ୍ଜି ଅନୁଯାୟୀ ପାଳନ ହୋଇଥାଏ ନବବର୍ଷ।ତେବେ ନିଜ ନିଜ କ୍ୟାଲେଣ୍ଡର ଅନୁଯାୟୀ କେତେକ ଚୈତ୍ର ମାସର ପ୍ରଥମ ଦିନକୁ ନବବର୍ଷ ରୂପେ ପାଳନ୍ତି।ମରାଠୀ ମାନେ ଗୁଡି ପଡ଼ୱା ନାମରେ ନବବର୍ଷ ପାଳନ୍ତି।ସେହିପରି ପଞ୍ଜାବୀ ମାନେ ବୈଶାଖୀ ଭାବରେ, ତାମିଲ ମାନେ ପୁଥାଣ୍ଡୁ ନାମରେ,ଆସାମରେ ବୋହାଗ ବିହୁ ନାମରେ,ବଙ୍ଗଳାରେ ପୋହଲା ବୈଶାଖ ନାମରେ,ତେଲଗୁରେ ପୋଙ୍ଗଲ ଭାବରେ, ଗୁଜରାଟରେ ବେସ୍ତୁ ବରଷ ନାମରେ,ମାଲାୟଲମ ମାନେ ଭିସୁ ନାମରେ ସିକିମରେ ଲୁସୁଙ୍ଗ ନାମରେ ଏବଂ କାଶ୍ମୀରରେ ନଉରେଶ ନାମରେ ନବ ବର୍ଷ ପାଳିତ ହୋଇଥାଏ।ତେବେ ମାରୁଆଡ଼ି ମାନେ ଦୀପାବଳୀକୁ ନୂଆ ବର୍ଷ ରୂପେ ପାଳନ କରି ଥାଆନ୍ତି।

           ପାଶ୍ଚାତ୍ୟ କାଳଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବଭାବନାର କୌଣସି ସମ୍ବନ୍ଧ ନଥାଏ ।ଯେପରି ଋତୁର ପରିବର୍ତ୍ତନ, ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ, ବିତ୍ତୀୟ ବର୍ଷର ପରିବର୍ତ୍ତନ, ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷରେ ଦେଖା ଯାଇଥାଏ । କିନ୍ତୁ ୧ ଜାନୁଆରୀ ରେ ଏପରି କଛି ଦେଖା ଯାଇନଥାଏ । ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି ଚିନ୍ତନ ।ଶୀତ ଋତୁର ବିବର୍ଣ୍ନ ଧରିତ୍ରୀର ଦୃଶ୍ୟଠାରୁ ବସନ୍ତର ନବପଲ୍ଲବ ନବବର୍ଷର ଉତ୍ସବ ପାଇଁ ଅଧିକ ଉପଯୋଗୀ ପରିବେଶ ପ୍ରଦାନ କରିଥାଏ ।ଭାରତୀୟ କାଳଗଣନା ପଦ୍ଧତି ଓ ନବବର୍ଷ ଉଭୟ ସ୍ବଦେଶର ମାଟି, ପାଣି, ପବନ ସହ ଜଡ଼ିତ । ଆମେ ଆମ ପାରିବାରିକ ଜୀବନର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ଯେପରି ବିବାହ, ବ୍ରତ, ଜନ୍ମ ଜାତକ, ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ସମ୍ବତ ଅନୁସାରେ କରିଥାଉ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ନବବର୍ଷ ପାଳନ କରିବା ସମୟରେ ଜାନୁଆରୀ ୧କୁ ପସନ୍ଦ କରିଥାଉ । ଭାରତବର୍ଷ ସାଂସ୍କୃତିକ ଦାସତାରୁ ମୁକ୍ତ ହୋଇ ସତ୍ୟକୁ ଅନ୍ବେଷଣ କରିବାକୁ ଆଗଭରା ହେଉଛି । ଏହା ସବୁଠାରୁ ଆନ୍ଦର ବିଷୟ । ସତ୍ୟର କଣ୍ଠ କିଛିକ୍ଷଣ ଅବରୋଧ କରାଯାଇପାରେ ସବୁଦିନ ପାଇଁ ନୁହେଁ । ସେଥିପାଇଁ ସର୍ବପୁରାତନ ଓ ବିଜ୍ଞାନ ଆଧାରିତ ଭାରତୀୟ କାଳଗଣନା ପଦ୍ଧତି ନିଜର ପ୍ରକୃତ ସ୍ବରୂପ ସହ ସମାଜ ସମ୍ମୁଖରେ ପ୍ରତିଭାତ ହେଉଛି । 

ଆସନ୍ତୁ ପାଳିବା ଆମ ନିଜସ୍ୱ ନୂଆବର୍ଷ, ଚୈତ୍ରଶୁକ୍ଳ ପ୍ରତିପଦା

ନୂଆବର୍ଷ  ଅଭିନନ୍ଦନ 

ପାଶ୍ଚାତ୍ୟ କାଳଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବଭାବନାର କୌଣସି ସମ୍ବନ୍ଧ ନଥାଏ ।ଯେପରି ଋତୁର ପରିବର୍ତ୍ତନ, ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ, ବିତ୍ତୀୟ ବର୍ଷର ପରିବର୍ତ୍ତନ, ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷରେ ଦେଖା ଯାଇଥାଏ । କିନ୍ତୁ ୧ ଜାନୁଆରୀ ରେ ଏପରି କଛି ଦେଖା ଯାଇନଥାଏ । ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି ଚିନ୍ତନ । ଶୀତ ଋତୁର ବିବର୍ଣ୍ନ ଧରିତ୍ରୀର ଦୃଶ୍ୟଠାରୁ ବସନ୍ତର ନବପଲ୍ଲବ ନବବର୍ଷର ଉତ୍ସବ ପାଇଁ ଅଧିକ ଉପଯୋଗୀ ପରିବେଶ ପ୍ରଦାନ କରିଥାଏ ।ଭାରତୀୟ କାଳଗଣନା ପଦ୍ଧତି ଓ ନବବର୍ଷ ଉଭୟ ସ୍ବଦେଶର ମାଟି, ପାଣି, ପବନ ସହ ଜଡ଼ିତ । ଆମେ ଆମ ପାରିବାରିକ ଜୀବନର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ଯେପରି ବିବାହ, ବ୍ରତ, ଜନ୍ମ ଜାତକ, ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ସମ୍ବତ ଅନୁସାରେ କରିଥାଉ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ନବବର୍ଷ ପାଳନ କରିବା ସମୟରେ ଜାନୁଆରୀ ୧କୁ ପସନ୍ଦ କରିଥାଉ । ଭାରତବର୍ଷ ସାଂସ୍କୃତିକ ଦାସତାରୁ ମୁକ୍ତ ହୋଇ ସତ୍ୟକୁ ଅନ୍ବେଷଣ କରିବାକୁ ଆଗଭରା ହେଉଛି । ଏହା ସବୁଠାରୁ ଆନ୍ଦର ବିଷୟ । ସତ୍ୟର କଣ୍ଠ କିଛିକ୍ଷଣ ଅବରୋଧ କରାଯାଇପାରେ ସବୁଦିନ ପାଇଁ ନୁହେଁ । ସେଥିପାଇଁ ସର୍ବପୁରାତନ ଓ ବିଜ୍ଞାନ ଆଧାରିତ ଭାରତୀୟ କାଳଗଣନା ପଦ୍ଧତି ନିଜର ପ୍ରକୃତ ସ୍ବରୂପ ସହ ସମାଜ ସମ୍ମୁଖରେ ପ୍ରତିଭାତ ହେଉଛି । 


ଜୟ ସାହିତ୍ୟ, ଜୟ ସମାଜ

ଶୁଭ ସକାଳ

କଲ୍ୟାଣୀ ନନ୍ଦ
ଏଇ ଶୁଭ ସକାଳରେ
ବନ୍ଧୁ ହେ,,,,
ଅରପି ଦେଲି ମୋ
ମନର ମୁକୁତା ଫୁଲ
ଆଶା ବି କରିନି
ସପନ ବି ଦେଖିନି         
ଦେଵ କି ନ ଦେବ ମୁଲ,,,
                 ମୋ ପ୍ରେମ ଫଲ୍ଗୁରେ
                ସେଇ ସୁନେଲି ସ୍ୱପ୍ନରେ
                    ଚୁପଚାପ ଆସି
                  ମୋ ପାଖରେ ବସି   
                  ଭଲ ପାଅ ବୋଲି 
                ନିରବେ ଇଙ୍ଗିତ ଦେଲ
                                            ସେ ଶୁଭ ଲଗନ
                                              ଝୁରି ହୁଏ ମନ
                                         ସାଥେ ନେଇ ଆସ
                                              ଆଉ ଥରେ
                                          ସୁନେଲି କିରଣେ
                                         ସେ ବର୍ଣ୍ଣ ବିଭାରେ
                                      ରଞ୍ଜାଅ ଅନୁରାଗରେ
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
ଜୟ ସାହିତ୍ୟ, ଜୟ ସମାଜ

ଅତୀତ ଗୌରବରାଜି

ଲୋରୀ ସ୍ବାଇଁ
ଘନ କୁହୁଡ଼ି ଭିତରେ ପ୍ରତିବିମ୍ବ ସାଉଁଟିବାରେ ଲାଗିଥାଏ କେଶବ । ଆଖିରେ ନାଚୁଥାଏ ବୀରଦର୍ପର କାହାଣୀ । ତା'ରି ଭିତରେ ପରଖୁ ଥାଏ ଆଜି-କାଲିର ତଫାତ । କାଲିକାର ଖାଦ୍ଯାଭାବ -ଅନାହା - ଭୋକର ଅଭିଯୋଗକୁ ଚାପି ଦିଏ ମାଆର କାନି ତଳେ । ବାପାଙ୍କ ଆସିବା ପଥର ପ୍ରତିକ୍ଷାରେ ; ବାପା ଆସିଲେ ବୋଧେ କ୍ଷୁଧା କ୍ଳିଷ୍ଟର ପରିସମାପ୍ତି ଘଟିବ । କିନ୍ତୁ ଅନତି ଦୂରରୁ କର୍ଣ୍ଣପାତ ହୁଏ -
  "କାଇଁ ଶୋଇଗଲ ବୀର ହେ ଉଠ ଉଠ ଚଞ୍ଚଳ
    ବୀରଗତି ଲଭି ଯାଉଛ ଆଜି କାନ୍ଦେ ଉତ୍କଳ
      ଅଧୁରା ସ୍ଥଗିତ ସପନ ଏଇ ଭାରତବର୍ଷେ
ପରାଣ ପ୍ରଦୀପ ଲିଭାଇ ତୁମେ ଶୋଇଲ ଶେଷେ ।"
      ମା' ଦୌଡ଼ି ଯାଇ କାନ ପାରେ ଏରଣ୍ଡାବନ୍ଧ ଏପଟେ । ଦୂରରୁ ଭାସି ଆସୁଥିବା ହୃଦ ବିଦାରଣକାରୀ ସଙ୍ଗୀତ ଆନ୍ଦୋଳନ ସୃଷ୍ଟି କରେ ପ୍ରତି ଓଡିଆ ପ୍ରାଣରେ ; ଥରାଇ ଦିଏ ଓଡ଼ିଆ ତନ୍ତ୍ରୀ । ଜାଗ୍ରତ କରାଏ ଓଡ଼ିଆଙ୍କୁ ଏବଂ ଶୀତଳ ଶୋଣିତକୁ ଉତ୍ତପ୍ତ କରାଇ ଦିଏ । ସେହି ସମୟରେ ଶ୍ବେତ ଚାଦର ତଳେ ଶୋଇଥିବା ବ୍ଯକ୍ତିଟେ ଆସି ପହଞ୍ଚେ ଘର ସାମ୍ନାରେ । କେତେଜଣ ଭାରତୀୟ ସେନା ପୋଷାକଧାରୀ ବ୍ଯକ୍ତିମାନେ ଗାଡ଼ି ଭିତରୁ ବାହାର କରି ଦାଣ୍ଡଦ୍ବାର ପାଖରେ ରଖିଦେଲେ । ଚାହୁଁ ଚାହୁଁ ଜନ ସମୁଦ୍ର ; ଅଶାନ୍ତ ପରିବେଶ ତତ୍‌କ୍ଷଣାତ୍‌ । ସବୁରି ଆଖିରେ ଲୁହ । ଜନଗହଳି ଦେଖି ଧାଇଁ ଆସେ ନାକେ ଓଢ଼ଣା ଢ଼ାଙ୍କି କେଶବର ମାଆ । ଚାଦର କାଢ଼ି ଦେଖେ ତ ନିଦ୍ରିତାବସ୍ଥାରେ କେଶୁର ବାପା । 
- ଏ କ'ଣ ! ଇଏ କି ଅସନା ଲୋକଟାଏ ମ ! କି ଅସନା ହୋଇ ଶୋଇଛନ୍ତି ଦେଖ ବା..... କେଶୁ ବାପା ! କେଶୁ ବାପା ! 
ଦୁଇ ପଦ ଡ଼ାକିବା ପରେ.......
-ଏ କେଶବ ! ଦେଖିଲୁ ତୋ ବାପା କେମିତି ଶୋଇଛନ୍ତି !! ଆଇଲୁ ଆଇଲୁ.. ଧଇଲୁ ; ନେଇଯିବା ଘର ଭିତରକୁ । 
ସେଠାରେ ଉପସ୍ଥିତ ଥିଲେ ପଞ୍ଚଷଠୀ ବର୍ଷର ବୃଦ୍ଧ ସାଧୁ ଅଜା ; ମୁଣ୍ଡ ବାଳ ଛେତା ପଡ଼ି ଗଲାଣି । ଆଖିରେ ଆଖିଏ ଲୁହ ; ଧୀର ଗମ୍ଭୀର କଣ୍ଠରୁ ଭାସି ଆସିଲା ନମ୍ର ସ୍ବର ପଦେ -
- କେଶୁରେ !! ତୋ ବାପା ଆଉ ଏ ଦୁନିଆରେ ନାହିଁ  । 
         "ଆଖୁ କିଆରୀରେ    ଦନ୍ତା ପଶିଥିଲା
                  ଯାଇଥିଲା ବିଦା କରି
           ବିଦା କରିସାରି    ଫେରନ୍ତା ପଥରେ
                  ଶାଗୁଣା ଗଲେକ ଘେରି । 
                  ଆଉ ନଆସିବ ଫେରି....
                        କେଶୁରେ.....
                  ଆଉ ନଆସିବ ଫେରି....;
            ରକ୍ତ-ମାଂସ ତା'ର     ଝୁଣି ଖାଇଗଲେ
                   ବିଧାତା ହେଲା ବଇରୀ ।"
ଭୋ-ଭୋ ହୋଇ କାନ୍ଦି ଉଠିଲା କେଶବ । ଲୋଟି ପଡ଼ିଲା ଶରୀରଟି ନିଶ୍ଚିତରେ ଶୋଇ ରହିଥିବା ଧଳା ଚାଦର ଢ଼ଙ୍କା ବ୍ଯକ୍ତିଟି ଉପରେ । କେଶବର ଆଖିରେ ଅମାପ ଅଶ୍ରୁର ବନ୍ଯା ।I  ନା ବୁଝିଛି ସେ ମୃତ୍ୟୁର ଅର୍ଥ ନା ବୁଝେ ସେ ଏ ଛଳ ସଙ୍ଗୀତ । ମା'ର ଲୁହରେ, ଗାଁର ଲୁହରେ ଫାଟି ପଡ଼ୁଥିଲା ତା' ହୃଦୟ ; କେଞ୍ଚି ହୋଇ ଝରି ଯାଉଥିଲା ପେନ୍ଥା ପେନ୍ଥା ହୋଇ ନୟନାଶ୍ରୁ । କଅଁଳ ହାତରେ ବାପାଙ୍କୁ ମୁଖାଗ୍ନି ଦେବା ବେଳେ ସାଧୁ ଅଜାଙ୍କୁ ବାରି ହୋଇ ପଡୁଥିଲା ସ୍ପଷ୍ଟ  କେଶବ ଆଖିତଳର କୁଢ଼ କୁଢ଼ ସ୍ବପ୍ନ ସବୁକୁ । 

       କ୍ଷିପ୍ରବେଗେ ବଢ଼ି ଚ଼ାଲିଲା ବୟସ ସମୟ ସହ ତାଳ ଦେଇ ; ବାଳରୁ ଯାଇ ଯୁବ ଅବସ୍ଥାରେ ଅବତୀର୍ଣ୍ଣ ହୁଏ କେଶବ । ତା' ଦକ୍ଷତା ଓ ନିର୍ଭୀକତା ନିକଟେ ପରାଜୟ ବରନ୍ତି  ଭାରତ ସରକାର । ତା' ନିଷ୍ଠାପର କାର୍ଯ୍ଯକୁ ସାଲ୍ୟୁଟ୍ ମାରି ଯୋଡ଼ କରେ ଆମନ୍ତ୍ରନ୍ତି କାର୍‌ଗିଲ୍‌ ସମର କ୍ଷେତ୍ରକୁ । ଭାଗବତର ବାଣୀ -" କର୍ମ ମୋର ନିଜ ଗୁରୁ । ଉଦ୍ଧବ କେତେ ତୁ ପଚାରୁ ।।" ଅନୁସରଣ ପୂର୍ବକ କର୍ମକୁ ଭଗବନ୍‌ ମଣି କର୍ତ୍ତବ୍ୟ ପରାୟଣ ହୋଇଉଠେ କେଶବ । ଆହ୍ଵାନ ଦିଏ ପ୍ରତିପକ୍ଷକୁ ଯୁଦ୍ଧକ୍ଷେତ୍ରକୁ ; ସ୍ଲୋଗାନ ଛାଡ଼େ କର୍କଶ କଣ୍ଠରେ "ଭାରତ ମାତାକି ଜୟ... ଭାରତ ମାତାକି ଜୟ ।" ଗାଁର କେତେଗୁଡ଼େ ଲୋକ ମୁଖରୁ କେଶବର ମା' କେଶବର ପ୍ରଶଂସା ଶୁଣେ - " କେଶବ ଆମର ବୀର ଯୋଦ୍ଧା ।" କେଶବର ମା' ଆଖିରେ ଅଶ୍ରୁର ନିର୍ଝର । କାରଣ ସେ ଅନୁଭବ କରିଛି ତା' ଯୋଦ୍ଧା ପତି ପରମେଶ୍ବରଙ୍କୁ । କୌଣସି ମାଆ ଚାହେଁନି ତା' ସନ୍ତାନକୁ ହରେଇବା ପାଇଁ । ହେଲେ, ଜଣେ ବୀର ଯୋଦ୍ଧାର ଜାୟା , ବୀର ଯବାନର ଜନନୀ କିପରି ପଛଘୁଞ୍ଚା ଦେଇ ପାରିବ ? 
         "ପଛଘୁଞ୍ଚା ନାହିଁ ବୀରର ଜାତକେ
          ନମରେ ସେହୁଁ ପରାଣ ଆତଙ୍କେ ।"
ହୃଦ ଅମାରରେ ନିଜ କୋହକୁ ଚାପି କେଶୁର କପାଳଚକ୍ରର ମଧ୍ୟଭାଗରେ ବିଜୟ ବଳିଷ୍ଠ ତିଳକ ଲେପନ କରି ବନ୍ଦାପନା କରି କୁରୁକ୍ଷେତ୍ରକୁ ଯିବା ପାଇଁ ଅନୁମତି ଦିଏ । ଲୋଚନାଶ୍ରୁକୁ ଲୁଚାଇ କେଶୁକୁ କାନେ କାନେ ଚେତାଇ କହୁଥାଏ :-
        "ଘୋରାରଣ୍ଯେ ଯାଉ    ମୃଗମାରି ଧନ
                   ଯିବୁନିରେ ବହୁଦୂର 
          ସଅଳ ସଅଳ     କାର୍ଯ୍ଯ ଶେଷ କରି
                  ପ୍ରତ୍ୟାବର୍ତ୍ତିବୁ କୁଟୀର ।
                   ରାଣ ରହିଲା କୁମର ;
           ଦେଖି ଡ଼ରିବୁନୁ    ଅମା ଅନ୍ଧକାର 
                ଚିନ୍ତିବୁ ତୋ ତାତ ବୀର ।"

               ମାଆର ଆଶିଷ ଭିକ୍ଷା ଗାଣ୍ଠିଲି ମୁଣ୍ଡାଇ ଯୁଦ୍ଧକ୍ଷେତ୍ର ପାଦ ବଢ଼ାଏ କେଶବ ; ପହଞ୍ଚି ଦେଖେ ଭାରତ- ପାକିସ୍ତାନର କୁରୁ-ପାଣ୍ଡବ ମହାସମର । ଭାରତର ଅଗଣିତ ଜନତାଙ୍କ ପାକିସ୍ତାନର ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କଠୁଁ ରକ୍ଷାର୍ଥେ ନିଜ ଜୀବନୋତ୍ସର୍ଗ କରିଦେଇ ଥିଲା କେଶବ ; ଅନୁପ୍ରବେଶକାରୀ ଓ ଉଗ୍ରବାଦୀଙ୍କୁ ଦମନ କରିବାକୁ ଯାଇ ମାଇଲ୍‌-ମାଇଲ୍ ଗିରିପଥ ଦେଇ ଗତି କରିବାକୁ ପଡ଼େ କେଶବକୁ । ଗୁଳିଗୋଳାର କର୍କଶ ସ୍ବରରେ ପ୍ରକମ୍ପିତ କାର୍‌ଗିଲ୍‌ ପାର୍ବତ୍ୟାଞ୍ଚଳ । ଚାରିଆଡ଼େ ଧୂଆଁ,ଖାଲି ଧୂଆଁ ।ଜୀବନ-ମରଣର ଲୁଚକାଳି ଖେଳରେ ଉଭୟ ପକ୍ଷର ସୈନିକ ; କେଶବ ବି ସାମିଲ୍‌ । 

                  ଚାରୋଟି ବୁଲେଟ୍‌ ଅଙ୍ଗବିଦ୍ଧ ହେବା ପରେ ବି ସେ ଜାଗ୍ରତ କରାଉଥାଏ ଆପଣା ସାଥି ମାନଙ୍କୁ ; କଣ୍ଠ ଫଟାଇ ଚିତ୍କାର କରେ -
      "ଜାଗି ଉଠ ଜାଗି-     ଉଠରେ ଭାରତ
             ବେଗେ ଉଠ ନିଦ୍ରା ତେଜି
       ରଣକ୍ଷେତ୍ର ଆଜି     ତୃଷାରେ ମରୁଛି 
               ଲଗାଅ ପରାଣ ବାଜି ।।
        ଶରୀରରେ ସଞ୍ଚି     ଶତ ସିଂହ ଶକ୍ତି 
                ଆୟୁଧ ଧର ହାଥରେ
      ହିଂସ୍ର ପାକିସ୍ତାନ     ଶୋଣିତେ ସ୍ନାହାନ
              କର କାର୍ଗିଲ୍‌ ମାଟିରେ ।"
ହାଡ଼ଭଙ୍ଗା ଜାଡ଼ରେ ତୁଷାର ବୁକୁ ପଥରେ ପେଟେଇ ପେଟେଇ ରଣହୁଙ୍କାର ଦେବା ସହିତ ଶତ୍ରୁ ନେତ୍ରେ ନିରେଖୁ ଥାଏ ଆପଣାର ପ୍ରତିବିମ୍ବ । ତା'ରି ମଧ୍ଯରେ ନିଜକୁ ସୁରକ୍ଷିତ ସ୍ଥାନକୁ ନେଇ ରାଶିଏ ଭାବନାରେ ବଶୀଭୂତ ହୁଏ ; ଭାବେ ସେ ବି ଗୋଟେ ମା'ର ପୁଅ ନା...। ହେଲେ କ'ଣ ହେବ ; କର୍ତ୍ତବ୍ୟରେ ସେ ତ ବଶ । 

      ମନେପଡ଼େ ମହାଭାରତ ଯୁଦ୍ଧରେ କେଉଁପରି
ବିଷାଦ ହଟାଇ ସାହସ ଭରିଥିଲେ କୃଷ୍ଣ । ସେପରି ନିଜକୁ ବିଷାଦ ମୁଖୁଁ ଓହରାଇ ଦେଇ ମା' କତିକୁ ପତ୍ରଟେ ଲେଖି ବସେ କେଶବ :-
        "ଫେରିବାକୁ କହି    ଯଦି ମୁଁ ନ ଫେରେ
                   ଧରିବୁନି ମୋର ଦୋଷ 
           ଭାରତ ମାତାର     ବଳିଷ୍ଠ ବୁକୁରେ
                 ତେଜିବି ଶେଷ ନିଃଶ୍ବାସ ।
          କେବେ କାନ୍ଦିବୁନି     ନେତ୍ରୁ ଢ଼ାଳି ପାଣି
                    ମୁଁ ପରା ବୀର କୁମର 
             ଗରବେ ଛାତିକୁ    ଫୁଲାଇ ଚାଲିବୁ
                       ଗାଆଁ ଗଣ୍ଡାରେ ଆମର  l"

ଚିଠିଟିକୁ କେଶବ ତା'ର କ୍ଯାପ୍‌ଟେନ୍‌ ହାତକୁ ବଢ଼ାଆଇ ଦେଇ କହିଲା -
- ଦେଖନ୍ତୁ ସାର୍‌ ; ଏ ଚିଠିଟି ଡ଼ାକରେ ପଠାଇ ଦେବେ । ଯେପରି ମୋ ମାଆ ହାତରେ ପଡ଼େ । 
ଏତିକି କହି ଆସିବା ବାଟରେ କାବୁ କରି ପକାନ୍ତି କେଶବକୁ ପ୍ରତିପକ୍ଷ ପାକିସ୍ତାନ ସେନା ; ସାଂଘାତିକ ଅତ୍ୟାଚାରରେ ତାଙ୍କର ଅତିଷ୍ଠ  ହୋଇପଡ଼େ କେଶବ ; ତଥାପି ଦମ୍ଭହରା ନୁହେଁ ସେ । ନିର୍ମମ ପ୍ରହାର ପରେ ବି ଛୁଟି ଆସେ ସ୍ଲୋଗାନ -
-"ବନ୍ଦେ ଉତ୍କଳ ଜନନୀ"       
-ଅଖଣ୍ଡ ଭାରତ ମାତାକି ଜୟ"
ଅନନ୍ଯୋପାୟ ନପାଇ ଶେଷରେ କପଟତାର ସହ ଲୁଚକାଳି ଖେଳିବା ଆରମ୍ଭ କରେ କେଶବ ; ଭାବେ ଯୁଦ୍ଧରେ ନୁହଁ ବୁଦ୍ଧିରେ ପରାସ୍ତ କରିବା ଅନିର୍ବାର୍ଯ୍ଯ ଅବିକା । ନିଚ୍ଛକ ଛଳାଭିନୟରେ ଉତ୍ତୀର୍ଣ୍ଣ ହୋଇ ଅତି ବିଶ୍ବସ୍ତ ହୋଇପଡ଼େ କେଶବ ପାକିସ୍ତାନ ଯବାନ ମାନଙ୍କ ପାଖରେ । ତାଙ୍କରି ପାରୁଶେ ରହି ତାଙ୍କ ପାଇଁ ରଚେ ଅଭିନବ ଷଡ଼ଯନ୍ତ୍ର । ଛଳନାତ୍ମକ ଉପଦେଶ ଦିଏ ପାକିସ୍ତାନକୁ ଏବଂ ଚିତ୍ରକର ସାଜି ମନ ମୋହିନିଏ । ନଜର ଅମୋଘ ଜ୍ଞାନ ବଳରେ ବନିଯାଏ ପାକିସ୍ତାନ କ୍ଯାପ୍‌ଟେନ୍‌ର ଦକ୍ଷିଣ ହସ୍ତ । ମନ୍ଥରା ପରି କୁମନ୍ତ୍ରଣା ଦେଇ ଚାଲେ ; ଶକୁନି ଚରିତ୍ରକୁ ବେଶ୍‌ ଭଲ ଭାବରେ ପ୍ରଷ୍ଫୁଟିତ କରେ କେଶବ । ପାକିସ୍ତାନର ନିଜ ଦ୍ବାରା ବିଛା ଯାଇଥିବା ଜାଲର ଫାନ୍ଦରେ ନିଜେ ପଡ଼ିବାର ଉପାୟ ଖୋଜି ପ୍ରୟୋଗ କରେ । 

        ଏକଦିନେ ପାକିସ୍ତାନର କ୍ଯାପ୍‌ଟେନ୍‌କୁ ମନ୍ଥରା ମାୟାରେ ବଶ କରି ଅନୁପ୍ରବେଶକାରୀ ହାତରେ ପ୍ରେରଣ କଲା ପୁଳା ପୁଳା ପୋଷ୍ଟର୍‌ ; ଯା' ଥିଲା ପାକିସ୍ତାନକୁ ନିହତ କରିବାର ରାମବାଣ । ଅଭିମନ୍ୟୁ ପରି ଚକ୍ରବ୍ଯୁହରେ ପ୍ରବେଶ କରି ଯାଇଖି ସିନା କିନ୍ତୁ କର୍ତ୍ତବ୍ୟରୁ କଦାଚନ ନିବୃତ ହୋଇନି କେଶବ । ତା' ଆରଦିନ ପ୍ରାତଃ ପ୍ରହରେ ପୋଷ୍ଟର୍‌ ପଢ଼ି ତାଜୁବ୍ ଭାରତୀୟ ସେନା ; ଯାହା ସେଠି ଉପସ୍ଥାପିତ ଥାଏ । 

      "ଯଦି ତୁମେ ଅଟ     କାପୁରୁଷ ସବୁ
               ଲୁଚିକି ମାର ଆମକୁ
       ଯଦି ବୀରପଣ     ଦେଖାଅ ବରଫ
               ଉଖାରି ପଶ ଗଡ଼କୁ ।
        ବାରୁଣୀର ଦିଶେ    ଗଚ୍ଛିତ ବାରୁଦ
                ବିଧ୍ୱଂସ ଆମେ କରିବୁ
      ଆମେ ବି ଦେଖିବୁ     ପ୍ରତୀଚୀରୁ ଆସି
              କେସନେ କରିବ କାବୁ ।
         ଗିରି ଗହ୍ବରରେ     ଶସ୍ତ୍ରାସ୍ତ୍ର ଅମାର
                  ଜଗନ୍ତି ସୈନିକ ସବୁ
     ଏଡ଼େ ବୋକା ତମେ     ରଣ କର ହେଲେ
                  ନିରେଖନା ଉପରକୁ ।
ଏସନେକ ଛଳନାମୟ ତଥ୍ଯ ପ୍ରଦାନି ଭାରତବର୍ଷକୁ ବିଜୟ ପଥରେ ଆଗେଇ ନିଏ କେଶବ । ତହିଁ ପରଦିନ ଭରତ ସେନା ପକ୍ଷରୁ ଜାରି ହୁଏ ସର୍ଚ୍ଚ ଅପରେସନ୍ । ଯେପରି ଚମ୍ପକ ପ୍ରଷ୍ଫୁଟିତେ ଚଉଦିଶ ବାସ ବିଚ୍ଛୁରେ ସେପରି ବିଜୟର ଶଙ୍ଖନାଦରେ ପ୍ରକମ୍ପିତ ହୁଏ ଭାରତବର୍ଷ । ସର୍ବଶେଷରେ ପାକିସ୍ତାନ ପରାଜୟତା ବରଣ କରେ ଓ ବିଜୟ ତିଳକ ପରିଧାନ କରେ ଭାରତ । କାର୍‌ଗିଲ୍‌ ଘାଟୀ ଉପରୁ ତ୍ରିରଙ୍ଗା ନିଶାନ ଉଡ଼ାଇ ଏକସଙ୍ଗେ ଏକସ୍ବରରେ ଗାଇ ଉଠନ୍ତି ଭାରତ ସେନା - "ବନ୍ଦେ ମାତାରମ୍" ଓ "ଜୟ ଭାରତ"। ଶୁଭେ ଜାତିର ସଙ୍ଗୀତ.....

         "ଫରଫର ଉଡ଼େ ଜାତି ନିଶାନ
          ଘନଘନ ଶୁଭେ ଭେରି କମାଣ 
           ମୁକ୍ତ ଭାରତ     ମୁକ୍ତ ଗଗନେ
                ରଙ୍ଗ ଅରୁଣ ଜୟ ;
               ମୁକ୍ତ ଭାରତ ଜୟ ।"

             ଆଜି କିନ୍ତୁ ସବୁକିଛି ପରିବର୍ତ୍ତନଶୀଳ  । ରାଜନୀତିର ପଶାପାଲିରେ ପାଞ୍ଚାଳ ରାଜକୁମାରୀର ବାସ ଲୁଣ୍ଠନ ସମ ଭାରତ ମାତା ବି ବାଜିରେ ଲାଗିଛି । କିଏ ବା କାହିଁକି ଏଠି ରକ୍ତ ଦେବ ବିନା ସ୍ବାର୍ଥରେ ? ଆଉ କିଏ ବା କାହିଁକି ସ୍ଲୋଗାନ ଛାଡ଼ି ନିଜକୁ ଅସୁସ୍ଥ କରିବ? ଏଠି ଦେ'-ନେ'ର କାରବାର । ମୁଣ୍ଡ କ୍ରୟ- ବିକ୍ରୟର ବଜାର ଏ ଭାରତବର୍ଷ । ସଦା ସମ୍ବାଦପତ୍ରର ଶୀର୍ଷରେ ସ୍ଥାନିତ ଶତ ଶତ ସୀତା ହରଣ , ଶତ ସତୀର ସତୀତ୍ୱ ଲୁଣ୍ଠନ, ଭ୍ରୁଣହତ୍ଯା ପରି ଜଘନ୍ୟ କାଣ୍ଡ, ରକ୍ଷକ ଭୂମିକାରେ ଭକ୍ଷକର ଅଭିନୟ । କୁନ୍ଦୁଲି ପରି କେତେ କେତେ ନାରୀଙ୍କର ଗଣ ବଳାତ୍କାର ଏବଂ ରାଜନୀତିର ରଣକ୍ଷେତ୍ରରେ ଛବିରାଣୀ ପରି କେତେ କେତେ ନିରୀହ ନାରୀଙ୍କର ଅକାଳ ବୀରଗତି ଭାରତବର୍ଷକୁ କଳଙ୍କିତ କରିବାରେ ଲାଗଛି । ରାଜନୀତିର ଚନ୍ଦ୍ରହସ୍ତ ଖଡ୍ଗର ପ୍ରହାର ଛିନ୍ନ କରୁଛି କେତେ ନିରୀହ ଜନ ଜୀବନ । ମିଛ ସମ୍ମାନର କିଣା-ବିକା ଓ ଉଚ୍ଚାସନ ପ୍ରାପ୍ତିର ପ୍ରତିଯୋଗୀତା ସହ ଲୁଣ୍ଠନ, ଅହଂଭାବ ଓ ସ୍ବାର୍ଥରେ ବ୍ରତୀ ସମାଜର ବଡ଼ପଣ୍ଡା ବୋଲାଉ ଥିବା ଅନେକ ହିଂସ୍ର ବଣିକ ଓ ରାଜନେତା । 

            ବସୁ ବୁକୁ ବିଦାରି ପୁନରାୟ ଚେଇଁ ଉଠ ବୀର ସୈନିକ ; ଆବାହନ ସ୍ବୀକାର କର ଆହେ ପୂର୍ବଜ । ତୁମ ଅନୁପସ୍ଥିତିରେ ଅବନୀ ଅବହେଳିତ । ପୁନରାୟ ଫେରିଆସ ତୁମେ ; ଆଉ ଥରେ ଶୁଭୁ ହେ ଗୋଦାବରୀଶ ତୁମର ସେ ତନ୍ତ୍ରୀ ଥରା ଆହ୍ବାନ -   
"ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ !
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର !
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।
  ଓସ୍ତପୁର,କାକଟପୁର (ପୁରୀ)
"ଜୟ ସାହିତ୍ୟ, ଜୟ ସମାଜ

ପାନ

ଶିବ ପ୍ରସାଦ ବାହିନୀପତି

         ପିଲାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଭଲ ଭାବରେ ଜାଣନ୍ତି ଏହି "ପାନ" ପତ୍ରଟିକୁ । ପ୍ରାୟ ଶହେରୁ ନବେ ଭାଗ ଲୋକ "ପାନ" ଖାଇବାରେ ଅଭ୍ଯସ୍ତ । ଘରକୁ କୁଣିଆ ଆସିଲେ ପ୍ରଥମେ ଖୋଜାପଡ଼େ "ପାନ"; ତା'ପରେ ଅନ୍ୟକିଛି । ପ୍ରତ୍ଯେକ ଶୁଭ କାର୍ଯ୍ୟରେ "ପାନ"ର ଭୂମିକା ବି ନିହିତ । ବିଭାଘରରେ ବନ୍ଧୁ ଚଳେଇବା ବେଳେ ଯଦି ପାନ, ଗୁଆ, ଗୁଣ୍ଡି ଆସି ନଥାଏ, ତେବେ ଚର୍ଚ୍ଚା ପରିସରରେ ଉପନୀତ ହୋଇ ଯାଆନ୍ତି ପ୍ରତିପକ୍ଷ ବନ୍ଧୁ । "ଯେତେ ଦେଲେ କ'ଣ ହେବ ? ପାନ ତ ଆସିନି ।" ଏଭଳି ମନ୍ତବ୍ୟ ବି ଶୁଣିବାକୁ ମିଳେ । ଏଥିରୁ ଜଣାଯାଏ ଯେ ପାନର ମହତ୍ତ୍ୱ କେତେ । ଭାରତୀୟ ସଂସ୍କୃତିରେ ପାନର ଭୂମିକା ଗୁରୁତ୍ବପୂର୍ଣ୍ଣ କହିଲେ କିଛି ଅତ୍ଯୁକ୍ତି ହେବନି । ଇତିହାସରେ ଏହି 'ପାନ'କୁ ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଇଛି । ଖାଇ ସାରିବା ପରେ ଖଣ୍ଡେ ପାନ ନ ଖାଇଲେ ପାଟିଟା ଜମା ଭଲ ଲାଗେନି । ତେଣୁ ପାନ ପ୍ରାୟ ସବୁରି ଦରକାରୀ ଚିଜଟିଏ । ଗରିଷ୍ଠ ଖାଦ୍ଯର ପାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ "ପାନ" । ମୁଖକୁ ବି ସୁବାସିତ କରେ ଇଏ । ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ଯବହାର କରାଯାଏ । ତେଣୁ ପାନ ବି ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା ଗୁଆ, ଚୂନ, ଜରଦା(ତମାଖୁ) ସହିତ ଖିଆଯାଏ । ପାନକୁ ଅଧିକ ସୁବାସିତ କରିବା ପାଇଁ ସେଥିରେ ଗୁଜୁରାତି, ଅଳେଇଚ,ଜାଇଫଳ, ଜାଇପତ୍ରୀ, ଲବଙ୍ଗ, ଖଇର ଓ ଚଟଣି ଆଦି ପକାଇ ଖିଆଯାଏ । ଆମ ଦେଶରେ ଅନେକ ସ୍ଥାନର ନାମାନୁସାରେ "ପାନ" ମିଳେ, ଯେପରି- ବଙ୍ଗାଳୀ ପାନ, ଜଗନ୍ନାଥ ପାନ, ବନାରସୀ ପାନ, ରଜ ପାନ, ଚନ୍ଦନପୁରିଆ ପାନ, କଟକି ପାନ ଯାହା ସ୍ବାଦନୁସାରେ ପରସ୍ପର ଠାରୁ ଭିନ୍ନ । ପୂର୍ବ କାଳରେ ପାନଛେପ ପକାଇବା ପାଇଁ ସ୍ବତନ୍ତ୍ର ପାତ୍ର ଥିଲା ; ଯାହାର ନାମ "ପିକଦାନି" । ଏବେ ବିଶେଷ ଭାବରେ ତା'ର ବ୍ଯବହାର ଆଉ ନାହିଁ କହିଲେ ଚଳେ । 
             
        ପାନପତ୍ର ହଜମଶକ୍ତି ବୃଦ୍ଧିର କାରଣ ; କିନ୍ତୁ ତମାଖୁଯୁକ୍ତ ମସଲା ମିଶା ପାନ ମୁଖ କର୍କଟ ରୋଗର ମୁଖ୍ୟ କାରଣ । ଏହା ରକ୍ତ ଅପରିଷ୍କାର କରେ ଏବଂ 'ଗୁଆ' ଦାନ୍ତ ମାଢ଼ିକୁ ଦୁର୍ବଳ କରିପକାଏ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମତାନୁସାରେ ଗୁଆଯୁକ୍ତ ତମାଖୁ ଓ ତମାଖୁ ବିହୀନ ପାନ ଦ୍ବାରା କର୍କଟର ସମ୍ଭାବନା ଯଥାକ୍ରମେ ୯. ୯ ଓ ୮. ୪ ଗୁଣ ଥାଏ  । ତେଣୁ ଭାରତ ତଥା ବିଶ୍ବର ସମସ୍ତ ସ୍ବାସ୍ଥ୍ୟ ସଂସ୍ଥା ପାନ ଖାଇବାକୁ ବାରଣ କରିଥା'ନ୍ତି । ଗର୍ଭବତୀ ମହିଳାଙ୍କ ଉପରେ ବି ପାନ ଖାଇବା ଦ୍ବାରା କୁପ୍ରଭାବ ପଡେ । ଭାରତ, ତାଇବାନ, ମାଲେସିଆ ଓ ପପୁଆରେ ବହୁ ସ୍ଥାନରେ ଏହା ଦୃଶ୍ଯମାନ ଯେ ଗର୍ଭବତୀ ମହିଳା ତମାଖୁ ଓ ଗୁଆଯୁକ୍ତ ପାନ ସେବନ ଦ୍ବାରା ତାଙ୍କ ମାନଙ୍କ ପିଲାଙ୍କ ଅସମ୍ପୂର୍ଣ୍ଣ ବିକାଶ ହୋଇଥାଏ । ସେପରି ଯିଏ ମାଦକଦ୍ରବ୍ଯ ଓ ତମାଖୁ ସେବନକାରୀ ; ସେ ମଧ୍ଯ ସମରୂପ ସମସ୍ୟାର ସମ୍ମୁଖୀନ ହୁଏ । କେବଳ ମୁଖ ଗହ୍ୱର ନୁହେଁ ଦେହର କୌଣସି ବି ଅଙ୍ଗରେ ଆବୁ(ଟିଉମର) ସୃଷ୍ଟି କରିପାରେ ମସଲା, ତମାଖୁ ଯୁକ୍ତ ପାନ । ବେକାରୀ ସମସ୍ୟାକୁ ଲକ୍ଷ୍ୟ କଲେ ଓଡ଼ିଶାରେ ପାନ ବ୍ଯବସାୟ ଅନେକ ଲୋକଙ୍କର ପେଟ ପୋଷିବାରେ ସହାୟକ ହୋଇପାରିଛି । 
    
         ଇତିହାସରୁ ଜଣାଯାଏ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗୀନ କରିବାକୁ ପାନ ସେବନ କରୁଥିଲେ ; ଏହା ଥିଲା ତାଙ୍କର ପ୍ରାକୃତିକ ରଙ୍ଗ । ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲୟେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ଭାବେ ବ୍ଯବହାର କରୁଥିଲେ । ସବୁ ଦେଶରେ ସବୁକାଳେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ, ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନ ବ୍ଯବହୃତ ହୁଏ । ଗୁଆ ଓ ପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ ।ଚୂନ-ପାନ ଗୋ-ଦୁଗ୍ଧ ସହ ସମାନ ବୋଲି କୁହାଯାଏ । ବିଡ଼ିଆ ପାନ ବା ଖିଲିପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ଯ ପାଚକ ଓ ଅମ୍ଳ ନାଶକ  । ପାନପତ୍ରରେ ଥିବା ହରିତକଣା ଜୀବନିକା 'ଖ' ଓ 'ଗ'ରେ ଭରପୂର । ଏହା ଦାନ୍ତ ମାଢ଼ି ମଜବୁତ କରିବା ସହ ମସ୍ତିଷ୍କ, ଯକୃତ ଓ ହୃତ୍‌ପିଣ୍ଡକୁ ସତେଜ କରେ ଏବଂ ଦେହ ଓ ମନରେ ହରଷତା ଆଣେ । କେହି କେହି ପାନରେ ବ୍ଯବହୃତ ମସଲା ଘରେ ତିଆରି କରନ୍ତି । ଧଣିଆ, ପାନମଧୁରୀ,ତମାଖୁ(ଦୋକ୍ତାପତ୍ର) ଆଦିକୁ ଭାଜି ସେଥିରେ ସପରକଚୁ ଓ ଚୁଆତୈଳ ପକାଇ ଘରେ ତିଆରି କରାଯାଏ ସୁଗନ୍ଧିତ ମସଲା ; ଯାହାର ନାମ ଗୁଣ୍ଡି । କେହି କେହି ସାଧା ଖଇର ବ୍ଯବହାର କରନ୍ତି ତ ଆଉ କେହି କେହି ଖଇରକୁ ଆଉଟି କିଆ ପୁଷ୍ପର କେଶର ପକାଇ ସୁଗନ୍ଧିତ ଖଇର ପ୍ରସ୍ତୁତ କରିଥା'ନ୍ତି । ପୁରୀ ସହରର ଏକ ସ୍ଥାନୀୟ ମସଲା ଯାହାର ନାମ "ଧୂଳିଗୁଣ୍ଡି", ପାନଖିଆ ଲୋକ ମାନଙ୍କର ଅତିପ୍ରିୟ । ବ୍ରହ୍ମପୁରର "ହରିଡ଼ାଖଣ୍ଡି" ମସଲା ଶହେ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ; ଦକ୍ଷିଣ ଭାରତର ଲୋକ ମାନଙ୍କର ଅତି ପ୍ରିୟ ଅଟେ । ଶ୍ରୀ ପାଣ୍ଡିଆ ସୁବୁଦ୍ଧି ଏହି "ହରିଡ଼ାଖଣ୍ଡି" ମସଲାକୁ ପ୍ରଥମେ ଆରମ୍ଭ କରିଥିଲେ । ପାଣ୍ଡିଆ ସୁବୁଦ୍ଧିଙ୍କ ଦେହାନ୍ତ ପରେ ତାଙ୍କ ପିଲାମାନେ ଏଥିରେ ମନ ନଦେବାରୁ ସେହି ଗ୍ରାମର ଶ୍ରୀ ଅର୍ଜୁନ ସାହୁ ନିଜ ଗ୍ରାମରେ ଏ ମସଲା ପ୍ରସ୍ତୁ ଆରମ୍ଭ କରିଥିଲେ । ହରିଡ଼ାଖଣ୍ଡ ଗାଁର ଲକ୍ଷ୍ମୀ ନାରାୟଣ ନୃସିଂହ ମନ୍ଦିରର ନାମ ଅନୁସାରେ ଏହି ମସଲାର ନାମକରଣ ହୋଇଥିଲା "ଶ୍ରୀ ଲକ୍ଷ୍ମୀ ନୃସିଂହ କେତକୀ ଖାରା ମସଲା"; କିନ୍ତୁ ଏହା ହରିଡ଼ାଖଣ୍ଡି ମସଲା ନାଁରେ ଖ୍ଯାତ ।ଏଥିରେ କିଆ ଫୁଲ ପଡ଼ୁଥିବାରୁ ଏହାକୁ ଖାରା ମସଲା କୁହାଯାଏ । ଏଥିରେ ୨୫ ଶତାଂଶ ତମାଖୁ ଓ ଅନ୍ୟାନ୍ୟ ମସଲା ପଡ଼େ । ଏହା ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗରେ ଲୋକପ୍ରିୟ । 

              କୋଣାର୍କ ଦେଉଳ ଗଢ଼ଣ କାହାଣୀରେ ଉଲ୍ଲେଖ ଅଛି - ନିପୁଣ ଶିଳ୍ପୀ ଅଭିନିବିଷ୍ଟ ହୋଇ ମୂର୍ତ୍ତି ଗଢ଼ି ଚାଲିଥିବା ବେଳେ, କ୍ଳାନ୍ତି ମେଣ୍ଟାଇବା ପାଇଁ ଯେତେବେଳେ ଅନ୍ଯମନସ୍କ ଭାବେ ହାତ ପଛକୁ ବଢ଼ାଇ ଦେଉଥିଲେ ପାନଖଣ୍ଡେ ପାଇଁ, ସେତେବେଳେ ସ୍ବୟଂ ରାଜା ନରସିଂହ ଦେବ ତାଙ୍କ ହାତରେ ବଢ଼ାଇ ଖିଲେ ଭଙ୍ଗାପାନ । ଆମ ଦେଶରେ ତାମ୍ବୁଳ ସହିତ ଦୁଇ ପ୍ରକାରର ଗୁଆ ବ୍ଯବହୃତ ହୁଏ । ଗୋଟିଏ ହେଲା ଦେଶୀ ଗୁଆ ଓ ଅନ୍ୟଟି ହେଲା ଦକ୍ଷିଣୀ ଗୁଆ ; ଦକ୍ଷିଣୀ ଗୁଆକୁ ବି ଆରଙ୍ଗୀ ଗୁଆ ବୋଲି କୁହାଯାଏ । ଦକ୍ଷିଣୀ ଗୁଆର ଏକ ବିଶେଷତ୍ୱ ଅଛି । ଦକ୍ଷିଣୀ ଗୁଆର ଗୁଣ୍ଡ ୧ ଗ୍ରାମ୍‌ରୁ ୨ ଗ୍ରାମ୍‌ ନେଇ ସେଥିରେ ୧ ରୁ ୨ ଚାମଚ ଚିନି ଓ ୧ ଗ୍ଲାସ୍‌ କ୍ଷୀର ମିଶାଇ ନିୟମିତ ସେବନ କରିଲେ ଅଳ୍ପଦିନ ମଧ୍ଯେ ରତିଶକ୍ତି ବର୍ଦ୍ଧିତ ହୁଏ । ଓଡ଼ିଆ ଘରର ସମସ୍ତ ପୂଜାରେ ଗୋଟା ଗୁଆ ଏକ ଅତ୍ଯାବଶ୍ଯକୀୟ ସାମଗ୍ରୀ ଅଟେ । ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ଯଲତା, ସପ୍ତଲତା, ନାଗବଲ୍ଲୀ ଆଦି ନାମରେ ନାମିତ କରାଯାଇଛି । ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ବି ରହିଛି । ତେଣୁ ଏହାର ନାମ ରଖାଯାଇଥିଲା "ପ୍ରାଣ" । କାଳକ୍ରମେ ଏହା ଅପଭ୍ରଂଶ ହୋଇ "ପାନ" ନାମରେ ଅଭିହିତ ହୋଇଛି । ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଅସମୀୟା,ଗୁଜୁରାଟୀ ଓ ପଞ୍ଜାବୀ ଭାଷାରେ ଏହାର ନାମ ପାନ ଥିବାବେଳେ ମରାଠୀ ଭାଷାରେ ନାଗବଲ୍ଲୀ, ତାମିଲ୍‌ ଭାଷାରେ ଭେଟିଲଇ, କନ୍ନଡ଼ରେ ଭିଲ୍ଯାଡ଼ା ଏଲେ, ତେଲୁଗୁରେ ତମାଳପାକୁ ଏବଂ ମାଲୟାଲମ୍‌ରେ ଭେଟିଲା କୋଡ଼ି ବୋଲି କୁହାଯାଇଥାଏ ।

ପାନ ଏକ ଗ୍ରୀଷ୍ମ ମଣ୍ଡଳୀୟ ବହୁବର୍ଷୀୟ (୧୦-୫୦), ପୃଥକ ଲିଙ୍ଗୀ ବା ଏକ ଲିଙ୍ଗୀ, ଚିରହରିତ, କୋମଳ (ମାଂସଳ) ଆରୋହୀ ଲତା ବିଶେଷ  । ପ୍ରତିଟି ଗଣ୍ଠିରୁ(ଆଖିରୁ) ଅଠା ଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡ଼େମ୍ଫ) ବାହାରେ ଯାହା କୌଣସି ଆଧାର ବା ରଞ୍ଜା ସାହାଯ୍ୟରେ ମାଡ଼ିଥାଏ । ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଓ ଗୋଟିଏ ଆସ୍ଥାନିକ ଚେର ଥାଏ । ପାନପତ୍ରଟି ଦେଖିବାକୁ ହୃଦୟ(ହାର୍ଟ୍‌) ପରି । ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗରେ ମାଡ଼ି ଥାଏ । ପାନ ଫୁଲ ନେନ୍ଥା ଉପକର୍ଣ୍ଣ ଘେରରେ ଥାଏ । ଏ ନେନ୍ଥାର ମୂଳ ଭାଗରେ ଏକ ଲିଙ୍ଗୀ ମାଇ ଫୁଲ ଓ ଉପର ଭାଗରେ ଏକ ଲିଙ୍ଗୀ ଅଣ୍ଡିରା ଫୁଲ ଥାଏ । ପାନ ମଞ୍ଜିଟି ଆକାରରେ ଛୋଟ ଓ ଏହାର ବାହାର ଭାଗେ ଟାଣ ଆବରଣ ଏବଂ ଭିତର ଅଂଶଟି ମାଂସଳ ହୋଇଥାଏ । ପାନ ଗଛରେ କ୍ବଚିତ୍‌ ଫୁଲ-ଫଳ ଧରିବା କାରଣରୁ ଏହାର ବଂଶ ବିସ୍ତାର ମଞ୍ଜି ପରିବର୍ତ୍ତେ ତା'ର ଡ଼ଙ୍କରୁ ହୁଏ । ଓଡ଼ିଶାରେ ଦୁଇ କିସମର ପାନ ଦେଖାଯାଏ ; "ଛାଚି ପାନ" ବା "ସାରୁଆ ପାନ" ଓ ଅନ୍ୟଟି ହେଉଛି "ମେଳକ"(ଉନ୍ନତ)ପାନ । "ଛାଚି ପାନ" କମ୍‌ ଅମଳକ୍ଷମ ହେଲେ ବି ସ୍ବାଦ ଯୁକ୍ତ  ; ଏହା ଗଛ ଛାଇରେ ପ୍ରାକୃତିକ ପରିବେଶରେ ବଢ଼େ । ସାଧାରଣତଃ ଅଗସ୍ତି ଗଛରେ ଲଟିଥାଏ । ଗଞ୍ଜାମ ଜିଲ୍ଲାର ଚିକିଟି, ଗୋଳନ୍ଥରା, ଶିକିରି, ବୁରୁପୋଡ଼ା ଆଦି ଅଞ୍ଚଳରେ ଏହି ପାନ ଦୃଶ୍ଯମାନ  ।

       "ମେଳକ"(ଉନ୍ନତ) ପାନକୁ ତିନି ପ୍ରକାରରେ ବିଭକ୍ତ କରାଯାଇଛି, ଯଥା - "ନାଉଆ", "ଆଳୁପତ୍ରିଆ" ଏବଂ "ରାଶି ମେଳକ" । ଅଞ୍ଚଳ ଭେଦରେ ଏହାର ନାଁ ଭିନ୍ନ ଭିନ୍ନ । ଏ ସବୁ ପାନ ଭିତରୁ "ରାଶି" ପାନର ରଙ୍ଗ, ଆକାର, ସ୍ବାଦ  ଓ ରହିବା ଗୁଣ ସର୍ବାଧିକ  । "ମେଳକ" ପାନକୁ ସାଲେପୁର ଅଞ୍ଚଳରେ "ପାଗା" ଏବଂ ମଧୁବନ ଓ ସିଙ୍ଗାପୁର ଅଞ୍ଚଳରେ "ରାଶି" କୁହାଯାଉଥିବା ବେଳେ ବାଲେଶ୍ବର ଓ ଭୋଗରାଇ ଅଞ୍ଚଳରେ "ବିରିକୋଳି" ଓ "ମାଟିଆଳି" କହନ୍ତି । ବାଲିଆପାଳ ଅଞ୍ଚଳରେ "ବାଲିପାନ" ନାମରେ ଚିହ୍ନନ୍ତି ସମସ୍ତେ । "ନାଉଆ" ଓ "ଆଳୁପତ୍ରିଆ" ପାନର ଆକାର ବଡ, ଗାଢ଼ ସବୁଜ ରଙ୍ଗ, ଲମ୍ବ ଡ଼େମ୍ଫ, ରାଗୁଆ ସ୍ବାଦ, ରସୁଆଳ ଓ ସାମାନ୍ୟ ପାରୁଆ ; ଏହାକୁ ଚୋବାଇଲେ ଦାନ୍ତରେ ପାରୁ ଲାଗି ରହେ । ଏହାର ରହିବା ଓ ରୋଗ ସହଣୀ ଗୁଣ କମ୍‌ ଅଟେ । ଦେଶୀ ପାନ, ମିଠାପତ୍ର ପାନ, ମଘୀ ପାନ ଓ ଚନ୍ଦ୍ରକଣା ପାନ ଭେଦରେ ମଧ୍ୟ ଚା଼ରିଗୋଟି କିସମ ଅଛି । ଦେଶୀ ପାନ ବ୍ଯାପକ ଭାବେ ଓଡ଼ିଶାରେ ଚ଼ାଷ ହେଉଥିବା ବେଳେ ମିଠାପତ୍ର ପାନ କିନ୍ତୁ ଓଡ଼ିଶାରେ ପ୍ରାୟ ଚ଼ାଷ କରାଯାଏନି ; କାରଣ ଓଡ଼ିଶାର ଜଳବାୟୁରେ ମିଠାପତ୍ର ପାନ ଭଲ ହୁଏନି । ମଘୀ ପାନ ଆମ ଓଡ଼ିଶାରେ ବିରଳ ଅଟେ । ମଘୀ ଓ ଚନ୍ଦ୍ରକଣା ପାନ ଚ଼ାଷ ପାଇଁ ଓଡ଼ିଶାରେ ଉଦ୍ଯମ କରି ଚ଼ାଷୀ ମାନେ ବିଫଳ ହେବାରୁ ଏ ପାନକୁ ବରଜୀ ମାନେ  ଚ଼ାଷ କରନ୍ତି ନାହିଁ  । ପାନ ଚ଼ାଷୀ ମାନଙ୍କ କହିବା ଅନୁଯାୟୀ ବଙ୍ଗାଳୀ ପାନର ମଞ୍ଜି ପ୍ରଥମେ ବଙ୍ଗଳାରୁ ଆସିଥିବାରୁ ଏହାର ଏପରି ନାମକରଣ ହୋଇଛି । ପାନପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରେ ବିକ୍ରୀ ହୁଏ । ପାନକୁ ଝୁଡ଼ିରେ ସଜାଇ ଏକ ଆବଦ୍ଧ ଘରେ ରଖାଯାଏ । ଏ ଘରର ତାପମାତ୍ରାକୁ ହିଟର ଦ୍ବାରା ବାରମ୍ବାର ବୃଦ୍ଧି କରି ପୁଣି ମଝିରେ ମଝିରେ ହ୍ରାସ କରି ଦିଆଯାଏ । ଏହାଦ୍ବାରା ଟୁକୁରିରେ ଥିବା ପାନପତ୍ର ସବୁ ପାଚି ହଳଦିଆ ପଡ଼ିଯାଏ  ; ଏହି ପାଚିଲା ପାନ ପତ୍ରର ବଜାର ମୂଲ୍ଯ ବେଶି । 

        ଓଡ଼ିଆରେ ଏକ ପ୍ରବାଦ -"ଷୋହଳ ଚ଼ାଷେ ମୂଳା, ତା'ର ଅର୍ଦ୍ଧେକ ତୁଳା, ତା'ର ଅର୍ଦ୍ଧେକ ଧାନ, ବିନା ଚ଼ାଷେ ପାନ ।" ପୂର୍ବକାଳେ ବୃକ୍ଷ ଛାୟାରେ, ବନର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମାଟିରେ "ପାନ" ଜଙ୍ଗଲୀ ଲତା ରୂପେ ବଢ଼ୁଥିଲା । ଅନ୍ୟାନ୍ୟ ପତ୍ର ମିଶ୍ରଣରେ ଏହା ଶାଗ ଭାବରେ ବ୍ଯବହାର ହେଉଥିଲା । ଏହାର କଫ ଓ ଶ୍ଳେଷା ନାଶ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚ଼ାଷ କରାଗଲା । ପାନଚାଷ ଏକ ସୂକ୍ଷ୍ମ କଳା ; ଏ ଲାଗି ନିଗିଡ଼ା ବାଲିଆ ଦୋରସା ମାଟି ତଥା ସବୁଦିନିଆ ଜଳସେଚନ ବ୍ଯବସ୍ଥା ଆବଶ୍ୟକ । ବର୍ଷାଋତୁ ବ୍ଯତୀତ ଅନ୍ୟ ସବୁ ଋତୁରେ ପାନଚାଷ ଆରମ୍ଭ ହୋଇଥାଏ । ଶୀତ ଦିନେ ପାନଚାଷ କରିବା ବ୍ଯୟାଧିକ । ବର୍ଷରେ ଦୁଇଥର ପାନ ଚ଼ାରା ରୋପଣ ହୁଏ । ନଭେମ୍ବର ଓ ମାର୍ଚ୍ଚ ମାସରେ ରୋପିଲେ ଭଲ ପାନ ଗଛ ହୋଇଥାଏ  । ଗଛ ଲଗାଇବାର ୨୫ ଦିନ ପରେ ସାର ଦିଆଯାଏ । ସୋରିଷ, ରାଶି, ଚିନାବାଦାମ ବା କରଞ୍ଜ ପିଡ଼ିଆ ପାନ ଗଛ ମୂଳେ ଦିଆଯାଇ ଥାଏ । ପାନ ଗଛ ୩୫ରୁ ୪୫ ସେ.ମି ହୋଇଗଲେ ଏହାର ଡ଼ଙ୍କକୁ ଖଡ଼ିକାଠି ବା ରଞ୍ଜା ଦେହରେ ଜୁଣରେ ବାନ୍ଧି ଦିଆଯାଏ । ପାନ ଗଛ ଉପରକୁ ଉଠିଗଲେ ମୂଳ ଆଡ଼ୁ ପାନ ତୋଳି ନେଇ ମୂଳକୁ ମାଟିରେ ପୋତି ଦିଆଯାଏ ; ଏହାକୁ କହନ୍ତି "ଲ" ଓହ୍ଲାଇବା । 

           ପାନ ଗଛରେ ହେଉଥିବା ନାନାଦି ରୋଗ ମଧ୍ୟରୁ ପ୍ରମୁଖ ରୋଗ ହେଲେ "କଳାଦୋଷ", "ଦହିଆ", "ଘାଡ଼ମଗରା" ଓ "ମଇନା" । ବୈଶାଖ ଓ ଜ୍ଯେଷ୍ଠ ମାସରେ ପାନ ଗଛରେ "କଳାଦୋଷ" ଓ "ଦହିଆ"ରୋଗ ବ୍ଯାପକ ଭାବେ ଦେଖାଯାଏ । ଅକସ୍ମାତ୍‌ ଗଛ ମୂଳ ଆଡ଼ୁ ପ୍ରାୟ ଚାଖଣ୍ଡେ ଖଣ୍ଡ କଳା ପଡ଼ି ଗଛ ମରିଯାଏ ; ଏହାକୁ "କଳାଦୋଷ" ରୋଗ ବୋଲି କହନ୍ତି । ମୂଳ ପାଖରୁ ଗଛ ଲାଳୁଆ ହୋଇ ପଡ଼ିଯାଏ, ଲୋକେ କୁହନ୍ତି ପାନ ଗଛରେ "ଦହିଆ" ରୋଗ ଲାଗିଗଲା । ଏ ରୋଗ ଦେଶୀ ପାନ ଗଛରେ ବେଶି ହୁଏ । ଏ ରୋଗ ହେଲେ ଗୋଟିଏ ରାତିରେ ପୂରା ପାନ ବରଜର ସମସ୍ତ ଗଛ ଆକ୍ରାନ୍ତ ହୋଇଯା'ନ୍ତି । ଏହାର ନିରାକରଣାର୍ଥେ ପ୍ରାଥମିକ ଅବସ୍ଥାରେ ସୋଡ଼ା ବ୍ଯବହାର କରାଯାଏ । ଏହା ବ୍ଯତୀତ କୁମାୟଲ, ଡ଼ାଇଥେନ ଏମ୍‌ - ୪୫ ଓ ଇଣ୍ଡୋଫିଲ୍‌ ପରି ଔଷଧ ପ୍ରୟୋଗ କରାଯାଏ । ଗଛର ଅଗ କଳା ପଡ଼ିଯାଇ, ଗଛ ଆଉ ଆଗକୁ ନ ଲଟି ଗଳି ପଡ଼ିବାକୁ "ଘାଡ଼ମଗରା" ରୋଗ କୁହାଯାଏ । "ମଇନା" ରୋଗ ଆକ୍ରାନ୍ତ ହେଲେ ଗଛ ଆଉ ନ ବଢ଼ି ମୁଣ୍ଡିଆ ହୋଇଯାଏ ; ଫଳରେ ଆଉ ପତ୍ର କଅଁଳେ ନାହିଁ  । ଏ ରୋଗ ପାଇଁ ପ୍ରତିଷେଧକ ଏ ଯାଏଁ ଉପଲବ୍ଧ ହୋଇନି । ଏ ରୋଗ ହେଲେ ଗଛର ତଳି ଉଠାଇ ନେଇ ସାନି ଗଛ ଲଗାଯାଏ ।

                 ଚ଼ାରା ରୋପଣର ଛଅମାସ ଭିତରେ ପାନ ଅମଳ ହୁଏ ; ପ୍ରତି ପନ୍ଦର ଦିନରେ ପ୍ରାୟ ଗୋଟେ ଥର ପାନ ତୋଳାଯାଏ ଓ ଡ଼ଙ୍କକୁ ମାଟି ପିନ୍ଧେଇ ଦିଆଯାଏ । ପାନପତ୍ରକୁ ଭଲକରି ଧୋଇ ସାନ-ବଡ଼ କ୍ରମେ ସଜାଇ ବାଉଁଶ ଝୁଡ଼ିରେ ରଖି ଓଦା ଅଖା, କଦଳୀ ପୁଟୁକା, ଓଦା କୁଟା କିମ୍ବା ଇଙ୍କଡ଼ ପତ୍ରରେ ଘୋଡ଼େଇ ବିଭିନ୍ନ ସ୍ଥାନକୁ ପଠାଯାଏ । ଓଡ଼ିଶାରୁ ପାନଝୁଡ଼ି ବନାରସ, ଆଗ୍ରା, ଟାଟାନଗର, ମୁମ୍ବାଇ, କାନପୁର, ଆଲ୍ଲାହାବାଦ, ଦିଲ୍ଲୀ ଓ ବାଙ୍ଗାଲୋର ଆଦି ଜାଗାକୁ ଯାଇ ପହଞ୍ଚେ । ବ୍ରହ୍ମପୁର ଅଞ୍ଚଳର ପାନ ବନାରସ ଯାଏ । ବ୍ରହ୍ମପୁର ପାନର ଆକାର ସାନ ଏବଂ ବେଶିଦିନ ରହଣୀ କ୍ଷମତା ହେତୁ ବାହାର ବେପାରୀଙ୍କର ଈଏ ଭାରି ପସନ୍ଦ । ଓଡ଼ିଶାର ଚନ୍ଦନପୁର ଅଞ୍ଚଳରୁ ମଧ୍ୟପ୍ରଦେଶକୁ ପାନ ପଠାଯାଏ । ବାଲେଶ୍ବରର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଉଭୟ କଞ୍ଚା ଓ ପାଚିଲା ପାନ ବାହାରକୁ ପ୍ରେରଣ ହୁଏ । ଓଡ଼ିଶା ପାନର ବଜାର ଦିନକୁ ଦିନ କମିବାରେ ଲାଗିଛି । ପ୍ରଥମେ ପ୍ରଥମେ ବ୍ରହ୍ମପୁର ଅଞ୍ଚଳରୁ ବର୍ଷକୁ ୩୦୦ ଟ୍ରକ୍‌ ପାନ ପଠାଯାଉଥିବା ବେଳେ ଅବିକା କେବଳ ୩୦ ଟ୍ରକ୍‌  ବା ତା'ଠୁ କମ୍‌ ପାନ ପଠା ଯାଉଛି । ଏବେ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଦ୍ବାରା ପାନର ଗୁଣବତ୍ତା ହ୍ରାସ ପାଇବାରୁ ଓ ସ୍ବାଦଯୁକ୍ତ ପାକଳ ପାନ, ଯାହା ବନାରସରେ ସର୍ବାଧିକ ଲୋକପ୍ରିୟ ଥିଲା ତା'ର ପୂର୍ବ ଚାହିଦା ଆଉ ନାହିଁ ।

ପାନ ରସରେ ବହୁ ପରିମାଣରେ ଅମ୍ଳ, ଧାତବ ଲବଣ,ଜୀବନିକା ରହିଥାଏ । ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ଯାପକ । ପାନରସ ବାତ, ପିତ୍ତ, କଫ ବିନାଶକ ; ପାନ ତୈଳ ଶ୍ଳେଷ୍ମା, ଯକ୍ଷ, ଆମାଶୟ, ଅତିସାର, ସନ୍ନିପାତ, କଣ୍ଠରୋଗ ଓ ଫୁସ୍‌ଫୁସ୍‌ ରୋଗର ପ୍ରଶମକ ; ପାନପତ୍ର ଚର୍ବଣରେ ମୁଖ ଦୁର୍ଗନ୍ଧର ବିନାଶ ହୁଏ । ଏହାଛଡା ପାନରସରୁ ଅନେକ ପ୍ରକାରର ଔଷଧ, ରଙ୍ଗ, ଲଜେନସ, ଚକୋଲେଟ୍‌, ଥଣ୍ଡାପାନୀୟ ଓ ସୋମରସ ପରି ମୃଦୁ ମାଦକ ମଧ୍ୟ ପ୍ରସ୍ତୁତ କରାଯାଏ । ଖ୍ରୀଷ୍ଟପୂର୍ବ ୩୪୦ରେ  ଦକ୍ଷିଣ   ପୂର୍ବ ଏସିଆରେ ପାନର ଜନ୍ମ ହୋଇଥିଲା । ଗ୍ରୀକ୍‌ ଐତିହାସିକ ହେରୋଡ଼ଟସ୍‌ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ ; ତାଙ୍କ ହସାବରେ ପାନର ଜନ୍ମସ୍ଥାନ ମାଳୟ ଅଟେ । କିନ୍ତୁ ମହାଭାରତ ଯୁଗ(ଖ୍ରୀ. ପୂ. ୮୦୦ରୁ ୩୫୦ ଅବ୍ଦ)ରେ ପାନ ମୁଖବାସ ରୂପେ ବ୍ଯବହାର କରା ଯାଉଥିବାର ସୂଚନା ମିଳେ । ଏତତ୍‌ ବ୍ଯତୀତ ଧାନର ଜନ୍ମସ୍ଥାନ ଜୟପୁର ପରି ଗଞ୍ଜାମର ହିଞ୍ଜିଳିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି  ଉଦ୍ଭିଦବିତ୍‌ ମାନେ ମତ ପୋଷଣ କରିଥା'ନ୍ତି । କଟକର ନିଆଳୀ ଅଞ୍ଚଳ ବି ପାନଚାଷର ପେଣ୍ଠସ୍ଥଳୀ । ନିଆଳୀ ବଜାରରେ ବହୁମାତ୍ରାରେ ପାନ ବିକ୍ରୀ ହୁଏ ଏବଂ ଓଡିଶା ବାହାରକୁ ବି ରପ୍ତାନୀ ହୁଏ । 

    ଉତ୍କଳରେ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରାତଃକାଳରେ  ବୋଇତ ଭସାଣରେ ପାନର ଭୂମିକା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଆଙ୍କ ତୁଣ୍ଡରେ "ଆ କା ମା ବୈ - ପାନ ଗୁଆ ଥୋଇ, ପାନ ଗୁଆ ତୋର - ମାସକ ଧରମ ମୋର" ଗୀତଟି ପାନକୁ ଏକ ବିଶେଷ ଭୂମିକା ଦେବାରେ ସହାୟକ ସାଜି ପାରିଛି । ଏଥିରୁ ଅନୁମେୟ ଯେ ପୂର୍ବେ ଉତ୍କଳୀୟ ନୌବାଣିଜ୍ୟରେ ପାନ,ଗୁଆ ଆଦି ମୁଖ୍ଯ  ପଣ୍ଯ ଦ୍ରବ୍ଯ ଥିଲା । ଶ୍ରୀମନ୍ଦିରରେ ପାନର ବ୍ୟବହାର ବି ଅଛି । ଓଡ଼ିଆଙ୍କ ପ୍ରାଣର ଦେବତା ଶ୍ରୀ ଜଗନ୍ନାଥଙ୍କୁ ପାନ ଅର୍ପଣ କରି ଏ ଓଡ଼ିଆ ଜାତି ପରମ ବିଷ୍ଣୁଙ୍କ ପରମପଦ ପୂଜନରେ ଏକ ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛି । ଶ୍ରୀମନ୍ଦିରରେ ପ୍ରଚଳିତ ତାମ୍ବୁଳ ସେବା (ହଡ଼ପ ସେବା) ବିଧିରୁ ଏହା ସ୍ପଷ୍ଟ  ବାରି ହୋଇଯାଏ । ବଡ଼ଠାକୁରଙ୍କ ବଡ଼ସିଂହାର, ପହୁଡ଼, ଚାପ, ଚନ୍ଦନଯାତ୍ରାଦିରେ ତାମ୍ବୁଳ ଅର୍ପଣ ବିଧି ଶ୍ରୀମନ୍ଦିରର ମୁଖ୍ୟାଙ୍ଗ । ଶ୍ରୀ ଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବାକୁ ଗୋଟିଏ ସ୍ବର୍ଣ୍ଣଥାଳରେ ପୂଜକ ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ବରୀ ମା' ବିମଳାଙ୍କୁ ଅର୍ପଣ କରିଥା'ନ୍ତି । ମକରବେଢ଼ା ପରିକ୍ରମା ବେଳେ ହଡ଼ପ ସେବକ ମାନଙ୍କ ଦ୍ବାରା ବିବିଧ ପାନ ପ୍ରସ୍ତୁତ କରାଯାଇ ଏକ ଆଳିରେ ମନ୍ଦିରାକୃତିରେ ସଜାଇ ବେଢ଼ା ପରିକ୍ରମା କରା ଯାଇଥାଏ । ଜଗନ୍ନାଥଙ୍କ ପାନ ପ୍ରସ୍ତୁତି ଶୈଳୀ ନିଆରା । ସଦ୍ଯ ତୋଳା ଯାଇଥିବା ଗୋଟା ପାନରେ ସୁବାସିତ ଚନ୍ଦନ ଲେପ ଦିଆଯାଇ ତାକୁ ଚାରି ଚଉଠ କରି ଭାଙ୍ଗି ଏକ ନିଖୁଣ ଲବଙ୍ଗ ଫୋଡ଼ି ବିଡ଼ିଆ ପ୍ରସ୍ତୁତ ହୁଏ । ପୂର୍ବେ ଗଜମୁକ୍ତା ସଂଗ୍ରହ କରାଯାଇ ତା' ଚୂର୍ଣ୍ଣ ଜୀଉଙ୍କ ପାନରେ ଦିଆ ଯାଉଥିଲା । ସତ୍ଯନାରାୟଣ ପୂଜା, ମେଳା ମଉଚ୍ଛବ ଆଦିରେ ପ୍ରଥମେ ପାନ ଲୋଡ଼ା । ସାଧାରଣରେ ବିଶ୍ବାସ ଅଛି - ଘରୁ ବାହାରିଲା ବେଳେ ପାନ ଖଣ୍ଡେ ଖାଇ ବାହାରିଲେ ଯାତ୍ରା ଶୁଭ ହୁଏ । ତନ୍ତ୍ର କର୍ମରେ ବଶୀକରଣରେ ପାନର ବ୍ଯବହାର ହୁଏ ।

                  ଓଡ଼ିଆ ଜୀବନରେ ପାନର ଭୂମିକା ଓଡ଼ିଆ ସାହିତ୍ଯ, ଲୋକକଥାଦିରେ ସ୍ପଷ୍ଟ ଦୃଶ୍ଯମାନ  । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରୁ :-
"ମଲ୍ଲୀମାଳ ଶ୍ଯାମଙ୍କୁ ଦେବି, ମନ ତୋଷିବି
ସେ ଯେବେ କରିବେ ମାନ,ଭାଙ୍ଗି ଭୁଞ୍ଜାଇବି ପାନ
ଗଣ୍ଡରେ ଦେଇ ଚୁମ୍ବନ ହରଷ କରାଇବି ।।"
ସୁଖ-ଦୁଃଖ, ହସ-କାନ୍ଦ, ଅଭିମାନ ଆକ୍ରୋଶ ଆଦି ସମସ୍ତ ଭାବର ସାକ୍ଷୀ ଏଇ ପାନ । ପଲ୍ଲୀ ଗୀତରେ ଏହାର ଚଟୁଳ ଚିତ୍ର ଦେଖିବାକୁ ମିଳେ । 
          "ମୁଣ୍ଡିଆ ଉପରେ ଗାଡ଼ିଆଟିଏ
          ମାଛ ମାରିଗଲା ଭେଣ୍ଡିଆଟିଏ
            ମୋଡ଼ିମାଡ଼ି କରି ଖାଇଲା
           ରକତ ଟୋପାଏ ପଡ଼ିଲା ।।"

ଅନ୍ୟ ଏକ ଚାଟୁ ଚିତ୍ରର ଲୋକକଥାରେ :-
        
          "ଚାରି ଜାତି ମିଳି ଏକ ହୁଅଇ
           ବେଳକାଳ ଜାଣି ରଙ୍ଗ ବହଇ
          ପାଞ୍ଚରେ ଗଣନା କେବେ ନୁହଁଇ
          ତା' ନ ଚିହ୍ନି କେହି ମଣିଷ ନାହିଁ ।।"

ପାନ ଓ ପ୍ରୀତିର ସମ୍ପର୍କକୁ ଦର୍ଶାଉ ଥିବା ତାଳଚେର ଅଞ୍ଚଳର "ସଜନୀଗୀତ" ବି ପାନର ମହତ୍ତ୍ୱକୁ ଉଜ୍ଜୀବିତ କରେ । 

"ଧନ କରିବା ପାନ ଖରଚ, ସଜନୀ ଗୋ କଟକରୁ ଗୁଆକାତି
ଜଙ୍ଘରେ ବସାଇ ପାନ ଖୁଆନ୍ତି ଗୋ,
ହସି ପୁହାଇ ଦିଅନ୍ତି ରାତି, ସଜନୀ ଗୋ ।।"

ପାନ ଓ ପ୍ରୀତିକୁ ନେଇ ବଲାଙ୍ଗୀର ଅଞ୍ଚଳର "ଦୋଳିଗୀତ" ମନେପଡ଼େ । 

             "ଥାଳିରେ ରଖିଲି ପାନ,
       ତୋହର ମୋହର ଗୋଟେ ଜୀବନ,
      ଜାତି ହେଲା ଭିନ୍ନ ଭିନ୍ନ ସଜନୀରେ ।।"

ମିଳନ ପରି ବିରହ ସଙ୍ଗୀତରେ ମଧ୍ୟ ପାନ ଅଛି । କେନ୍ଦୁଝର ଅଞ୍ଚଳର କାନ୍ଦଣା ଗୀତଟିଏ ମନକୁ ଆସେ - 

           "ଆଳୁ ପତରିଆ ମହତା ପାନ,
            ତୁମ କଥା ସବୁ ହେବ ସପନ,
       ଜାତି ହେଲା ଭିନ୍ନ ଭିନ୍ନ ସଜନୀରେ ।।"

ଶାଶୂ-ବୋହୂ,ଦିଅର-ଭାଉଜ,ଭାଇ-ଭଉଣୀ, ସ୍ବାମୀ - ସ୍ତ୍ରୀ ଆଦି ପାରିବାରିକ ସମ୍ପର୍କ ମଧ୍ଯେ ପାନର ପ୍ରବେଶ । ବୋହୂର ଚାଲି ଚଳଣକୁ ଆକ୍ଷେପ କରି  ଶାଶୂ କହିବା କଥାରେ ପରଖି ନିଅନ୍ତୁ  ଥରେ ପାନର ଉପସ୍ଥିତି  -

                "ଶେଯରେ ନଣଠଣ ହୁଅନ୍ତି,
               ବରମାନଙ୍କ ମୁଖ ଦେଖିବା ପାଇଁ,
              ଶେଯରେ ପିକଦାନି ଧୁଅନ୍ତି ନେଇ,
              ରାତିରେ ପାନପିକ କାଢ଼ିବା ପାଇଁ 
+         +            +         +           +     +
           କଳାଲୋ ଧଳା ଲୁଗା ଦେହକୁ ମୋଟା
          ବାଛି  ପିନ୍ଧିଲେ ବୋହୂ ବଙ୍ଗାଳୀ ଫେଟା
           ବଙ୍ଗାଳୀ ଫେଟାକୁ ଲୋ ଏ ପାନଖିଆ
           ଏକାଳ ବୋହୂଙ୍କୁ ଲୋ ମାନିଲା ଏହା
           ବୋହୂଙ୍କଠୁଁ ମରା ଇଂଗୋଜି ନେଲା
           ରୂପେଲି ପିକଦାନି ବଟୁଆ ଦେଲା
           ମହତ ପାନକୁ ଲୋ ଏ କଲିଚୂନ
          ବୋହୂଙ୍କ ପାନଖିଆ କଲା ଉଚ୍ଛନ୍ନ
         ଜାହାଜୀ ଗୁଆକୁ ଲୋ ଏ ଗୁଜୁରାତି
        ବୋହୂଙ୍କ ପାନଖିଆ ବଡ଼ ଅନୀତି ।।"

ବିବାହ ଗୀତିକାନ୍ତର୍ଗତ ସୀତା ବିଭା ଗୀତରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ବିବାହ କରି ସ୍ବ-ଆଳୟକୁ ପ୍ରତ୍ଯାବର୍ତ୍ତନ ସମୟେ ପାନର ବର୍ଣ୍ଣନା - 
    
        "ବାର ଯେ ବରଷ କରି ବଢ଼ାଇଣ ଅଛି
        କ୍ଷଣକ ମାତ୍ରକେ ରାମ ଘେନି ଯାଉଛନ୍ତି 
     ଏତେ ବୋଲିରେ ସେ ରାମ ପାଲିଙ୍କି ଚଢ଼ିଲେ
     ପାଲିଙ୍କିରେ ଚଢ଼ି ରାମ ତାମ୍ବୁଳ ଭୁଞ୍ଜିଲେ ।।"

         ତେବେ ଏବେ ଜଣାପଡ଼େ ପୁରାଣ ଯୁଗରେ ବି ପାନର ବ୍ୟବହାର ଥିଲା । 'ପାନ' -ଏକ ଛୋଟିଆ ଶବ୍ଦ ହେଲେ ବି ତା'ର ମହତ୍ତ୍ବ ଅମାପ କହିଲେ କିଛି  ଅତି ଉକ୍ତି ହେବ ନାହିଁ  ।

      ଭାଟପଡ଼ା, ନିରାକାରପୁର,କଣାସ, ପୁରୀ
ଜୟ ସାହିତ୍ୟ, ଜୟ ସମାଜ