ପିଲାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଭଲ ଭାବରେ ଜାଣନ୍ତି ଏହି "ପାନ" ପତ୍ରଟିକୁ । ପ୍ରାୟ ଶହେରୁ ନବେ ଭାଗ ଲୋକ "ପାନ" ଖାଇବାରେ ଅଭ୍ଯସ୍ତ । ଘରକୁ କୁଣିଆ ଆସିଲେ ପ୍ରଥମେ ଖୋଜାପଡ଼େ "ପାନ"; ତା'ପରେ ଅନ୍ୟକିଛି । ପ୍ରତ୍ଯେକ ଶୁଭ କାର୍ଯ୍ୟରେ "ପାନ"ର ଭୂମିକା ବି ନିହିତ । ବିଭାଘରରେ ବନ୍ଧୁ ଚଳେଇବା ବେଳେ ଯଦି ପାନ, ଗୁଆ, ଗୁଣ୍ଡି ଆସି ନଥାଏ, ତେବେ ଚର୍ଚ୍ଚା ପରିସରରେ ଉପନୀତ ହୋଇ ଯାଆନ୍ତି ପ୍ରତିପକ୍ଷ ବନ୍ଧୁ । "ଯେତେ ଦେଲେ କ'ଣ ହେବ ? ପାନ ତ ଆସିନି ।" ଏଭଳି ମନ୍ତବ୍ୟ ବି ଶୁଣିବାକୁ ମିଳେ । ଏଥିରୁ ଜଣାଯାଏ ଯେ ପାନର ମହତ୍ତ୍ୱ କେତେ । ଭାରତୀୟ ସଂସ୍କୃତିରେ ପାନର ଭୂମିକା ଗୁରୁତ୍ବପୂର୍ଣ୍ଣ କହିଲେ କିଛି ଅତ୍ଯୁକ୍ତି ହେବନି । ଇତିହାସରେ ଏହି 'ପାନ'କୁ ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଇଛି । ଖାଇ ସାରିବା ପରେ ଖଣ୍ଡେ ପାନ ନ ଖାଇଲେ ପାଟିଟା ଜମା ଭଲ ଲାଗେନି । ତେଣୁ ପାନ ପ୍ରାୟ ସବୁରି ଦରକାରୀ ଚିଜଟିଏ । ଗରିଷ୍ଠ ଖାଦ୍ଯର ପାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ "ପାନ" । ମୁଖକୁ ବି ସୁବାସିତ କରେ ଇଏ । ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ଯବହାର କରାଯାଏ । ତେଣୁ ପାନ ବି ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା ଗୁଆ, ଚୂନ, ଜରଦା(ତମାଖୁ) ସହିତ ଖିଆଯାଏ । ପାନକୁ ଅଧିକ ସୁବାସିତ କରିବା ପାଇଁ ସେଥିରେ ଗୁଜୁରାତି, ଅଳେଇଚ,ଜାଇଫଳ, ଜାଇପତ୍ରୀ, ଲବଙ୍ଗ, ଖଇର ଓ ଚଟଣି ଆଦି ପକାଇ ଖିଆଯାଏ । ଆମ ଦେଶରେ ଅନେକ ସ୍ଥାନର ନାମାନୁସାରେ "ପାନ" ମିଳେ, ଯେପରି- ବଙ୍ଗାଳୀ ପାନ, ଜଗନ୍ନାଥ ପାନ, ବନାରସୀ ପାନ, ରଜ ପାନ, ଚନ୍ଦନପୁରିଆ ପାନ, କଟକି ପାନ ଯାହା ସ୍ବାଦନୁସାରେ ପରସ୍ପର ଠାରୁ ଭିନ୍ନ । ପୂର୍ବ କାଳରେ ପାନଛେପ ପକାଇବା ପାଇଁ ସ୍ବତନ୍ତ୍ର ପାତ୍ର ଥିଲା ; ଯାହାର ନାମ "ପିକଦାନି" । ଏବେ ବିଶେଷ ଭାବରେ ତା'ର ବ୍ଯବହାର ଆଉ ନାହିଁ କହିଲେ ଚଳେ ।
ପାନପତ୍ର ହଜମଶକ୍ତି ବୃଦ୍ଧିର କାରଣ ; କିନ୍ତୁ ତମାଖୁଯୁକ୍ତ ମସଲା ମିଶା ପାନ ମୁଖ କର୍କଟ ରୋଗର ମୁଖ୍ୟ କାରଣ । ଏହା ରକ୍ତ ଅପରିଷ୍କାର କରେ ଏବଂ 'ଗୁଆ' ଦାନ୍ତ ମାଢ଼ିକୁ ଦୁର୍ବଳ କରିପକାଏ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମତାନୁସାରେ ଗୁଆଯୁକ୍ତ ତମାଖୁ ଓ ତମାଖୁ ବିହୀନ ପାନ ଦ୍ବାରା କର୍କଟର ସମ୍ଭାବନା ଯଥାକ୍ରମେ ୯. ୯ ଓ ୮. ୪ ଗୁଣ ଥାଏ । ତେଣୁ ଭାରତ ତଥା ବିଶ୍ବର ସମସ୍ତ ସ୍ବାସ୍ଥ୍ୟ ସଂସ୍ଥା ପାନ ଖାଇବାକୁ ବାରଣ କରିଥା'ନ୍ତି । ଗର୍ଭବତୀ ମହିଳାଙ୍କ ଉପରେ ବି ପାନ ଖାଇବା ଦ୍ବାରା କୁପ୍ରଭାବ ପଡେ । ଭାରତ, ତାଇବାନ, ମାଲେସିଆ ଓ ପପୁଆରେ ବହୁ ସ୍ଥାନରେ ଏହା ଦୃଶ୍ଯମାନ ଯେ ଗର୍ଭବତୀ ମହିଳା ତମାଖୁ ଓ ଗୁଆଯୁକ୍ତ ପାନ ସେବନ ଦ୍ବାରା ତାଙ୍କ ମାନଙ୍କ ପିଲାଙ୍କ ଅସମ୍ପୂର୍ଣ୍ଣ ବିକାଶ ହୋଇଥାଏ । ସେପରି ଯିଏ ମାଦକଦ୍ରବ୍ଯ ଓ ତମାଖୁ ସେବନକାରୀ ; ସେ ମଧ୍ଯ ସମରୂପ ସମସ୍ୟାର ସମ୍ମୁଖୀନ ହୁଏ । କେବଳ ମୁଖ ଗହ୍ୱର ନୁହେଁ ଦେହର କୌଣସି ବି ଅଙ୍ଗରେ ଆବୁ(ଟିଉମର) ସୃଷ୍ଟି କରିପାରେ ମସଲା, ତମାଖୁ ଯୁକ୍ତ ପାନ । ବେକାରୀ ସମସ୍ୟାକୁ ଲକ୍ଷ୍ୟ କଲେ ଓଡ଼ିଶାରେ ପାନ ବ୍ଯବସାୟ ଅନେକ ଲୋକଙ୍କର ପେଟ ପୋଷିବାରେ ସହାୟକ ହୋଇପାରିଛି ।
ଇତିହାସରୁ ଜଣାଯାଏ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗୀନ କରିବାକୁ ପାନ ସେବନ କରୁଥିଲେ ; ଏହା ଥିଲା ତାଙ୍କର ପ୍ରାକୃତିକ ରଙ୍ଗ । ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲୟେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ଭାବେ ବ୍ଯବହାର କରୁଥିଲେ । ସବୁ ଦେଶରେ ସବୁକାଳେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ, ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନ ବ୍ଯବହୃତ ହୁଏ । ଗୁଆ ଓ ପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ ।ଚୂନ-ପାନ ଗୋ-ଦୁଗ୍ଧ ସହ ସମାନ ବୋଲି କୁହାଯାଏ । ବିଡ଼ିଆ ପାନ ବା ଖିଲିପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ଯ ପାଚକ ଓ ଅମ୍ଳ ନାଶକ । ପାନପତ୍ରରେ ଥିବା ହରିତକଣା ଜୀବନିକା 'ଖ' ଓ 'ଗ'ରେ ଭରପୂର । ଏହା ଦାନ୍ତ ମାଢ଼ି ମଜବୁତ କରିବା ସହ ମସ୍ତିଷ୍କ, ଯକୃତ ଓ ହୃତ୍ପିଣ୍ଡକୁ ସତେଜ କରେ ଏବଂ ଦେହ ଓ ମନରେ ହରଷତା ଆଣେ । କେହି କେହି ପାନରେ ବ୍ଯବହୃତ ମସଲା ଘରେ ତିଆରି କରନ୍ତି । ଧଣିଆ, ପାନମଧୁରୀ,ତମାଖୁ(ଦୋକ୍ତାପତ୍ର) ଆଦିକୁ ଭାଜି ସେଥିରେ ସପରକଚୁ ଓ ଚୁଆତୈଳ ପକାଇ ଘରେ ତିଆରି କରାଯାଏ ସୁଗନ୍ଧିତ ମସଲା ; ଯାହାର ନାମ ଗୁଣ୍ଡି । କେହି କେହି ସାଧା ଖଇର ବ୍ଯବହାର କରନ୍ତି ତ ଆଉ କେହି କେହି ଖଇରକୁ ଆଉଟି କିଆ ପୁଷ୍ପର କେଶର ପକାଇ ସୁଗନ୍ଧିତ ଖଇର ପ୍ରସ୍ତୁତ କରିଥା'ନ୍ତି । ପୁରୀ ସହରର ଏକ ସ୍ଥାନୀୟ ମସଲା ଯାହାର ନାମ "ଧୂଳିଗୁଣ୍ଡି", ପାନଖିଆ ଲୋକ ମାନଙ୍କର ଅତିପ୍ରିୟ । ବ୍ରହ୍ମପୁରର "ହରିଡ଼ାଖଣ୍ଡି" ମସଲା ଶହେ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ; ଦକ୍ଷିଣ ଭାରତର ଲୋକ ମାନଙ୍କର ଅତି ପ୍ରିୟ ଅଟେ । ଶ୍ରୀ ପାଣ୍ଡିଆ ସୁବୁଦ୍ଧି ଏହି "ହରିଡ଼ାଖଣ୍ଡି" ମସଲାକୁ ପ୍ରଥମେ ଆରମ୍ଭ କରିଥିଲେ । ପାଣ୍ଡିଆ ସୁବୁଦ୍ଧିଙ୍କ ଦେହାନ୍ତ ପରେ ତାଙ୍କ ପିଲାମାନେ ଏଥିରେ ମନ ନଦେବାରୁ ସେହି ଗ୍ରାମର ଶ୍ରୀ ଅର୍ଜୁନ ସାହୁ ନିଜ ଗ୍ରାମରେ ଏ ମସଲା ପ୍ରସ୍ତୁ ଆରମ୍ଭ କରିଥିଲେ । ହରିଡ଼ାଖଣ୍ଡ ଗାଁର ଲକ୍ଷ୍ମୀ ନାରାୟଣ ନୃସିଂହ ମନ୍ଦିରର ନାମ ଅନୁସାରେ ଏହି ମସଲାର ନାମକରଣ ହୋଇଥିଲା "ଶ୍ରୀ ଲକ୍ଷ୍ମୀ ନୃସିଂହ କେତକୀ ଖାରା ମସଲା"; କିନ୍ତୁ ଏହା ହରିଡ଼ାଖଣ୍ଡି ମସଲା ନାଁରେ ଖ୍ଯାତ ।ଏଥିରେ କିଆ ଫୁଲ ପଡ଼ୁଥିବାରୁ ଏହାକୁ ଖାରା ମସଲା କୁହାଯାଏ । ଏଥିରେ ୨୫ ଶତାଂଶ ତମାଖୁ ଓ ଅନ୍ୟାନ୍ୟ ମସଲା ପଡ଼େ । ଏହା ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗରେ ଲୋକପ୍ରିୟ ।
କୋଣାର୍କ ଦେଉଳ ଗଢ଼ଣ କାହାଣୀରେ ଉଲ୍ଲେଖ ଅଛି - ନିପୁଣ ଶିଳ୍ପୀ ଅଭିନିବିଷ୍ଟ ହୋଇ ମୂର୍ତ୍ତି ଗଢ଼ି ଚାଲିଥିବା ବେଳେ, କ୍ଳାନ୍ତି ମେଣ୍ଟାଇବା ପାଇଁ ଯେତେବେଳେ ଅନ୍ଯମନସ୍କ ଭାବେ ହାତ ପଛକୁ ବଢ଼ାଇ ଦେଉଥିଲେ ପାନଖଣ୍ଡେ ପାଇଁ, ସେତେବେଳେ ସ୍ବୟଂ ରାଜା ନରସିଂହ ଦେବ ତାଙ୍କ ହାତରେ ବଢ଼ାଇ ଖିଲେ ଭଙ୍ଗାପାନ । ଆମ ଦେଶରେ ତାମ୍ବୁଳ ସହିତ ଦୁଇ ପ୍ରକାରର ଗୁଆ ବ୍ଯବହୃତ ହୁଏ । ଗୋଟିଏ ହେଲା ଦେଶୀ ଗୁଆ ଓ ଅନ୍ୟଟି ହେଲା ଦକ୍ଷିଣୀ ଗୁଆ ; ଦକ୍ଷିଣୀ ଗୁଆକୁ ବି ଆରଙ୍ଗୀ ଗୁଆ ବୋଲି କୁହାଯାଏ । ଦକ୍ଷିଣୀ ଗୁଆର ଏକ ବିଶେଷତ୍ୱ ଅଛି । ଦକ୍ଷିଣୀ ଗୁଆର ଗୁଣ୍ଡ ୧ ଗ୍ରାମ୍ରୁ ୨ ଗ୍ରାମ୍ ନେଇ ସେଥିରେ ୧ ରୁ ୨ ଚାମଚ ଚିନି ଓ ୧ ଗ୍ଲାସ୍ କ୍ଷୀର ମିଶାଇ ନିୟମିତ ସେବନ କରିଲେ ଅଳ୍ପଦିନ ମଧ୍ଯେ ରତିଶକ୍ତି ବର୍ଦ୍ଧିତ ହୁଏ । ଓଡ଼ିଆ ଘରର ସମସ୍ତ ପୂଜାରେ ଗୋଟା ଗୁଆ ଏକ ଅତ୍ଯାବଶ୍ଯକୀୟ ସାମଗ୍ରୀ ଅଟେ । ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ଯଲତା, ସପ୍ତଲତା, ନାଗବଲ୍ଲୀ ଆଦି ନାମରେ ନାମିତ କରାଯାଇଛି । ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ବି ରହିଛି । ତେଣୁ ଏହାର ନାମ ରଖାଯାଇଥିଲା "ପ୍ରାଣ" । କାଳକ୍ରମେ ଏହା ଅପଭ୍ରଂଶ ହୋଇ "ପାନ" ନାମରେ ଅଭିହିତ ହୋଇଛି । ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଅସମୀୟା,ଗୁଜୁରାଟୀ ଓ ପଞ୍ଜାବୀ ଭାଷାରେ ଏହାର ନାମ ପାନ ଥିବାବେଳେ ମରାଠୀ ଭାଷାରେ ନାଗବଲ୍ଲୀ, ତାମିଲ୍ ଭାଷାରେ ଭେଟିଲଇ, କନ୍ନଡ଼ରେ ଭିଲ୍ଯାଡ଼ା ଏଲେ, ତେଲୁଗୁରେ ତମାଳପାକୁ ଏବଂ ମାଲୟାଲମ୍ରେ ଭେଟିଲା କୋଡ଼ି ବୋଲି କୁହାଯାଇଥାଏ ।
ପାନ ଏକ ଗ୍ରୀଷ୍ମ ମଣ୍ଡଳୀୟ ବହୁବର୍ଷୀୟ (୧୦-୫୦), ପୃଥକ ଲିଙ୍ଗୀ ବା ଏକ ଲିଙ୍ଗୀ, ଚିରହରିତ, କୋମଳ (ମାଂସଳ) ଆରୋହୀ ଲତା ବିଶେଷ । ପ୍ରତିଟି ଗଣ୍ଠିରୁ(ଆଖିରୁ) ଅଠା ଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡ଼େମ୍ଫ) ବାହାରେ ଯାହା କୌଣସି ଆଧାର ବା ରଞ୍ଜା ସାହାଯ୍ୟରେ ମାଡ଼ିଥାଏ । ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଓ ଗୋଟିଏ ଆସ୍ଥାନିକ ଚେର ଥାଏ । ପାନପତ୍ରଟି ଦେଖିବାକୁ ହୃଦୟ(ହାର୍ଟ୍) ପରି । ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗରେ ମାଡ଼ି ଥାଏ । ପାନ ଫୁଲ ନେନ୍ଥା ଉପକର୍ଣ୍ଣ ଘେରରେ ଥାଏ । ଏ ନେନ୍ଥାର ମୂଳ ଭାଗରେ ଏକ ଲିଙ୍ଗୀ ମାଇ ଫୁଲ ଓ ଉପର ଭାଗରେ ଏକ ଲିଙ୍ଗୀ ଅଣ୍ଡିରା ଫୁଲ ଥାଏ । ପାନ ମଞ୍ଜିଟି ଆକାରରେ ଛୋଟ ଓ ଏହାର ବାହାର ଭାଗେ ଟାଣ ଆବରଣ ଏବଂ ଭିତର ଅଂଶଟି ମାଂସଳ ହୋଇଥାଏ । ପାନ ଗଛରେ କ୍ବଚିତ୍ ଫୁଲ-ଫଳ ଧରିବା କାରଣରୁ ଏହାର ବଂଶ ବିସ୍ତାର ମଞ୍ଜି ପରିବର୍ତ୍ତେ ତା'ର ଡ଼ଙ୍କରୁ ହୁଏ । ଓଡ଼ିଶାରେ ଦୁଇ କିସମର ପାନ ଦେଖାଯାଏ ; "ଛାଚି ପାନ" ବା "ସାରୁଆ ପାନ" ଓ ଅନ୍ୟଟି ହେଉଛି "ମେଳକ"(ଉନ୍ନତ)ପାନ । "ଛାଚି ପାନ" କମ୍ ଅମଳକ୍ଷମ ହେଲେ ବି ସ୍ବାଦ ଯୁକ୍ତ ; ଏହା ଗଛ ଛାଇରେ ପ୍ରାକୃତିକ ପରିବେଶରେ ବଢ଼େ । ସାଧାରଣତଃ ଅଗସ୍ତି ଗଛରେ ଲଟିଥାଏ । ଗଞ୍ଜାମ ଜିଲ୍ଲାର ଚିକିଟି, ଗୋଳନ୍ଥରା, ଶିକିରି, ବୁରୁପୋଡ଼ା ଆଦି ଅଞ୍ଚଳରେ ଏହି ପାନ ଦୃଶ୍ଯମାନ ।
"ମେଳକ"(ଉନ୍ନତ) ପାନକୁ ତିନି ପ୍ରକାରରେ ବିଭକ୍ତ କରାଯାଇଛି, ଯଥା - "ନାଉଆ", "ଆଳୁପତ୍ରିଆ" ଏବଂ "ରାଶି ମେଳକ" । ଅଞ୍ଚଳ ଭେଦରେ ଏହାର ନାଁ ଭିନ୍ନ ଭିନ୍ନ । ଏ ସବୁ ପାନ ଭିତରୁ "ରାଶି" ପାନର ରଙ୍ଗ, ଆକାର, ସ୍ବାଦ ଓ ରହିବା ଗୁଣ ସର୍ବାଧିକ । "ମେଳକ" ପାନକୁ ସାଲେପୁର ଅଞ୍ଚଳରେ "ପାଗା" ଏବଂ ମଧୁବନ ଓ ସିଙ୍ଗାପୁର ଅଞ୍ଚଳରେ "ରାଶି" କୁହାଯାଉଥିବା ବେଳେ ବାଲେଶ୍ବର ଓ ଭୋଗରାଇ ଅଞ୍ଚଳରେ "ବିରିକୋଳି" ଓ "ମାଟିଆଳି" କହନ୍ତି । ବାଲିଆପାଳ ଅଞ୍ଚଳରେ "ବାଲିପାନ" ନାମରେ ଚିହ୍ନନ୍ତି ସମସ୍ତେ । "ନାଉଆ" ଓ "ଆଳୁପତ୍ରିଆ" ପାନର ଆକାର ବଡ, ଗାଢ଼ ସବୁଜ ରଙ୍ଗ, ଲମ୍ବ ଡ଼େମ୍ଫ, ରାଗୁଆ ସ୍ବାଦ, ରସୁଆଳ ଓ ସାମାନ୍ୟ ପାରୁଆ ; ଏହାକୁ ଚୋବାଇଲେ ଦାନ୍ତରେ ପାରୁ ଲାଗି ରହେ । ଏହାର ରହିବା ଓ ରୋଗ ସହଣୀ ଗୁଣ କମ୍ ଅଟେ । ଦେଶୀ ପାନ, ମିଠାପତ୍ର ପାନ, ମଘୀ ପାନ ଓ ଚନ୍ଦ୍ରକଣା ପାନ ଭେଦରେ ମଧ୍ୟ ଚା଼ରିଗୋଟି କିସମ ଅଛି । ଦେଶୀ ପାନ ବ୍ଯାପକ ଭାବେ ଓଡ଼ିଶାରେ ଚ଼ାଷ ହେଉଥିବା ବେଳେ ମିଠାପତ୍ର ପାନ କିନ୍ତୁ ଓଡ଼ିଶାରେ ପ୍ରାୟ ଚ଼ାଷ କରାଯାଏନି ; କାରଣ ଓଡ଼ିଶାର ଜଳବାୟୁରେ ମିଠାପତ୍ର ପାନ ଭଲ ହୁଏନି । ମଘୀ ପାନ ଆମ ଓଡ଼ିଶାରେ ବିରଳ ଅଟେ । ମଘୀ ଓ ଚନ୍ଦ୍ରକଣା ପାନ ଚ଼ାଷ ପାଇଁ ଓଡ଼ିଶାରେ ଉଦ୍ଯମ କରି ଚ଼ାଷୀ ମାନେ ବିଫଳ ହେବାରୁ ଏ ପାନକୁ ବରଜୀ ମାନେ ଚ଼ାଷ କରନ୍ତି ନାହିଁ । ପାନ ଚ଼ାଷୀ ମାନଙ୍କ କହିବା ଅନୁଯାୟୀ ବଙ୍ଗାଳୀ ପାନର ମଞ୍ଜି ପ୍ରଥମେ ବଙ୍ଗଳାରୁ ଆସିଥିବାରୁ ଏହାର ଏପରି ନାମକରଣ ହୋଇଛି । ପାନପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରେ ବିକ୍ରୀ ହୁଏ । ପାନକୁ ଝୁଡ଼ିରେ ସଜାଇ ଏକ ଆବଦ୍ଧ ଘରେ ରଖାଯାଏ । ଏ ଘରର ତାପମାତ୍ରାକୁ ହିଟର ଦ୍ବାରା ବାରମ୍ବାର ବୃଦ୍ଧି କରି ପୁଣି ମଝିରେ ମଝିରେ ହ୍ରାସ କରି ଦିଆଯାଏ । ଏହାଦ୍ବାରା ଟୁକୁରିରେ ଥିବା ପାନପତ୍ର ସବୁ ପାଚି ହଳଦିଆ ପଡ଼ିଯାଏ ; ଏହି ପାଚିଲା ପାନ ପତ୍ରର ବଜାର ମୂଲ୍ଯ ବେଶି ।
ଓଡ଼ିଆରେ ଏକ ପ୍ରବାଦ -"ଷୋହଳ ଚ଼ାଷେ ମୂଳା, ତା'ର ଅର୍ଦ୍ଧେକ ତୁଳା, ତା'ର ଅର୍ଦ୍ଧେକ ଧାନ, ବିନା ଚ଼ାଷେ ପାନ ।" ପୂର୍ବକାଳେ ବୃକ୍ଷ ଛାୟାରେ, ବନର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମାଟିରେ "ପାନ" ଜଙ୍ଗଲୀ ଲତା ରୂପେ ବଢ଼ୁଥିଲା । ଅନ୍ୟାନ୍ୟ ପତ୍ର ମିଶ୍ରଣରେ ଏହା ଶାଗ ଭାବରେ ବ୍ଯବହାର ହେଉଥିଲା । ଏହାର କଫ ଓ ଶ୍ଳେଷା ନାଶ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚ଼ାଷ କରାଗଲା । ପାନଚାଷ ଏକ ସୂକ୍ଷ୍ମ କଳା ; ଏ ଲାଗି ନିଗିଡ଼ା ବାଲିଆ ଦୋରସା ମାଟି ତଥା ସବୁଦିନିଆ ଜଳସେଚନ ବ୍ଯବସ୍ଥା ଆବଶ୍ୟକ । ବର୍ଷାଋତୁ ବ୍ଯତୀତ ଅନ୍ୟ ସବୁ ଋତୁରେ ପାନଚାଷ ଆରମ୍ଭ ହୋଇଥାଏ । ଶୀତ ଦିନେ ପାନଚାଷ କରିବା ବ୍ଯୟାଧିକ । ବର୍ଷରେ ଦୁଇଥର ପାନ ଚ଼ାରା ରୋପଣ ହୁଏ । ନଭେମ୍ବର ଓ ମାର୍ଚ୍ଚ ମାସରେ ରୋପିଲେ ଭଲ ପାନ ଗଛ ହୋଇଥାଏ । ଗଛ ଲଗାଇବାର ୨୫ ଦିନ ପରେ ସାର ଦିଆଯାଏ । ସୋରିଷ, ରାଶି, ଚିନାବାଦାମ ବା କରଞ୍ଜ ପିଡ଼ିଆ ପାନ ଗଛ ମୂଳେ ଦିଆଯାଇ ଥାଏ । ପାନ ଗଛ ୩୫ରୁ ୪୫ ସେ.ମି ହୋଇଗଲେ ଏହାର ଡ଼ଙ୍କକୁ ଖଡ଼ିକାଠି ବା ରଞ୍ଜା ଦେହରେ ଜୁଣରେ ବାନ୍ଧି ଦିଆଯାଏ । ପାନ ଗଛ ଉପରକୁ ଉଠିଗଲେ ମୂଳ ଆଡ଼ୁ ପାନ ତୋଳି ନେଇ ମୂଳକୁ ମାଟିରେ ପୋତି ଦିଆଯାଏ ; ଏହାକୁ କହନ୍ତି "ଲ" ଓହ୍ଲାଇବା ।
ପାନ ଗଛରେ ହେଉଥିବା ନାନାଦି ରୋଗ ମଧ୍ୟରୁ ପ୍ରମୁଖ ରୋଗ ହେଲେ "କଳାଦୋଷ", "ଦହିଆ", "ଘାଡ଼ମଗରା" ଓ "ମଇନା" । ବୈଶାଖ ଓ ଜ୍ଯେଷ୍ଠ ମାସରେ ପାନ ଗଛରେ "କଳାଦୋଷ" ଓ "ଦହିଆ"ରୋଗ ବ୍ଯାପକ ଭାବେ ଦେଖାଯାଏ । ଅକସ୍ମାତ୍ ଗଛ ମୂଳ ଆଡ଼ୁ ପ୍ରାୟ ଚାଖଣ୍ଡେ ଖଣ୍ଡ କଳା ପଡ଼ି ଗଛ ମରିଯାଏ ; ଏହାକୁ "କଳାଦୋଷ" ରୋଗ ବୋଲି କହନ୍ତି । ମୂଳ ପାଖରୁ ଗଛ ଲାଳୁଆ ହୋଇ ପଡ଼ିଯାଏ, ଲୋକେ କୁହନ୍ତି ପାନ ଗଛରେ "ଦହିଆ" ରୋଗ ଲାଗିଗଲା । ଏ ରୋଗ ଦେଶୀ ପାନ ଗଛରେ ବେଶି ହୁଏ । ଏ ରୋଗ ହେଲେ ଗୋଟିଏ ରାତିରେ ପୂରା ପାନ ବରଜର ସମସ୍ତ ଗଛ ଆକ୍ରାନ୍ତ ହୋଇଯା'ନ୍ତି । ଏହାର ନିରାକରଣାର୍ଥେ ପ୍ରାଥମିକ ଅବସ୍ଥାରେ ସୋଡ଼ା ବ୍ଯବହାର କରାଯାଏ । ଏହା ବ୍ଯତୀତ କୁମାୟଲ, ଡ଼ାଇଥେନ ଏମ୍ - ୪୫ ଓ ଇଣ୍ଡୋଫିଲ୍ ପରି ଔଷଧ ପ୍ରୟୋଗ କରାଯାଏ । ଗଛର ଅଗ କଳା ପଡ଼ିଯାଇ, ଗଛ ଆଉ ଆଗକୁ ନ ଲଟି ଗଳି ପଡ଼ିବାକୁ "ଘାଡ଼ମଗରା" ରୋଗ କୁହାଯାଏ । "ମଇନା" ରୋଗ ଆକ୍ରାନ୍ତ ହେଲେ ଗଛ ଆଉ ନ ବଢ଼ି ମୁଣ୍ଡିଆ ହୋଇଯାଏ ; ଫଳରେ ଆଉ ପତ୍ର କଅଁଳେ ନାହିଁ । ଏ ରୋଗ ପାଇଁ ପ୍ରତିଷେଧକ ଏ ଯାଏଁ ଉପଲବ୍ଧ ହୋଇନି । ଏ ରୋଗ ହେଲେ ଗଛର ତଳି ଉଠାଇ ନେଇ ସାନି ଗଛ ଲଗାଯାଏ ।
ଚ଼ାରା ରୋପଣର ଛଅମାସ ଭିତରେ ପାନ ଅମଳ ହୁଏ ; ପ୍ରତି ପନ୍ଦର ଦିନରେ ପ୍ରାୟ ଗୋଟେ ଥର ପାନ ତୋଳାଯାଏ ଓ ଡ଼ଙ୍କକୁ ମାଟି ପିନ୍ଧେଇ ଦିଆଯାଏ । ପାନପତ୍ରକୁ ଭଲକରି ଧୋଇ ସାନ-ବଡ଼ କ୍ରମେ ସଜାଇ ବାଉଁଶ ଝୁଡ଼ିରେ ରଖି ଓଦା ଅଖା, କଦଳୀ ପୁଟୁକା, ଓଦା କୁଟା କିମ୍ବା ଇଙ୍କଡ଼ ପତ୍ରରେ ଘୋଡ଼େଇ ବିଭିନ୍ନ ସ୍ଥାନକୁ ପଠାଯାଏ । ଓଡ଼ିଶାରୁ ପାନଝୁଡ଼ି ବନାରସ, ଆଗ୍ରା, ଟାଟାନଗର, ମୁମ୍ବାଇ, କାନପୁର, ଆଲ୍ଲାହାବାଦ, ଦିଲ୍ଲୀ ଓ ବାଙ୍ଗାଲୋର ଆଦି ଜାଗାକୁ ଯାଇ ପହଞ୍ଚେ । ବ୍ରହ୍ମପୁର ଅଞ୍ଚଳର ପାନ ବନାରସ ଯାଏ । ବ୍ରହ୍ମପୁର ପାନର ଆକାର ସାନ ଏବଂ ବେଶିଦିନ ରହଣୀ କ୍ଷମତା ହେତୁ ବାହାର ବେପାରୀଙ୍କର ଈଏ ଭାରି ପସନ୍ଦ । ଓଡ଼ିଶାର ଚନ୍ଦନପୁର ଅଞ୍ଚଳରୁ ମଧ୍ୟପ୍ରଦେଶକୁ ପାନ ପଠାଯାଏ । ବାଲେଶ୍ବରର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରୁ ଉଭୟ କଞ୍ଚା ଓ ପାଚିଲା ପାନ ବାହାରକୁ ପ୍ରେରଣ ହୁଏ । ଓଡ଼ିଶା ପାନର ବଜାର ଦିନକୁ ଦିନ କମିବାରେ ଲାଗିଛି । ପ୍ରଥମେ ପ୍ରଥମେ ବ୍ରହ୍ମପୁର ଅଞ୍ଚଳରୁ ବର୍ଷକୁ ୩୦୦ ଟ୍ରକ୍ ପାନ ପଠାଯାଉଥିବା ବେଳେ ଅବିକା କେବଳ ୩୦ ଟ୍ରକ୍ ବା ତା'ଠୁ କମ୍ ପାନ ପଠା ଯାଉଛି । ଏବେ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଦ୍ବାରା ପାନର ଗୁଣବତ୍ତା ହ୍ରାସ ପାଇବାରୁ ଓ ସ୍ବାଦଯୁକ୍ତ ପାକଳ ପାନ, ଯାହା ବନାରସରେ ସର୍ବାଧିକ ଲୋକପ୍ରିୟ ଥିଲା ତା'ର ପୂର୍ବ ଚାହିଦା ଆଉ ନାହିଁ ।
ପାନ ରସରେ ବହୁ ପରିମାଣରେ ଅମ୍ଳ, ଧାତବ ଲବଣ,ଜୀବନିକା ରହିଥାଏ । ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ଯାପକ । ପାନରସ ବାତ, ପିତ୍ତ, କଫ ବିନାଶକ ; ପାନ ତୈଳ ଶ୍ଳେଷ୍ମା, ଯକ୍ଷ, ଆମାଶୟ, ଅତିସାର, ସନ୍ନିପାତ, କଣ୍ଠରୋଗ ଓ ଫୁସ୍ଫୁସ୍ ରୋଗର ପ୍ରଶମକ ; ପାନପତ୍ର ଚର୍ବଣରେ ମୁଖ ଦୁର୍ଗନ୍ଧର ବିନାଶ ହୁଏ । ଏହାଛଡା ପାନରସରୁ ଅନେକ ପ୍ରକାରର ଔଷଧ, ରଙ୍ଗ, ଲଜେନସ, ଚକୋଲେଟ୍, ଥଣ୍ଡାପାନୀୟ ଓ ସୋମରସ ପରି ମୃଦୁ ମାଦକ ମଧ୍ୟ ପ୍ରସ୍ତୁତ କରାଯାଏ । ଖ୍ରୀଷ୍ଟପୂର୍ବ ୩୪୦ରେ ଦକ୍ଷିଣ ପୂର୍ବ ଏସିଆରେ ପାନର ଜନ୍ମ ହୋଇଥିଲା । ଗ୍ରୀକ୍ ଐତିହାସିକ ହେରୋଡ଼ଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ ; ତାଙ୍କ ହସାବରେ ପାନର ଜନ୍ମସ୍ଥାନ ମାଳୟ ଅଟେ । କିନ୍ତୁ ମହାଭାରତ ଯୁଗ(ଖ୍ରୀ. ପୂ. ୮୦୦ରୁ ୩୫୦ ଅବ୍ଦ)ରେ ପାନ ମୁଖବାସ ରୂପେ ବ୍ଯବହାର କରା ଯାଉଥିବାର ସୂଚନା ମିଳେ । ଏତତ୍ ବ୍ଯତୀତ ଧାନର ଜନ୍ମସ୍ଥାନ ଜୟପୁର ପରି ଗଞ୍ଜାମର ହିଞ୍ଜିଳିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିତ୍ ମାନେ ମତ ପୋଷଣ କରିଥା'ନ୍ତି । କଟକର ନିଆଳୀ ଅଞ୍ଚଳ ବି ପାନଚାଷର ପେଣ୍ଠସ୍ଥଳୀ । ନିଆଳୀ ବଜାରରେ ବହୁମାତ୍ରାରେ ପାନ ବିକ୍ରୀ ହୁଏ ଏବଂ ଓଡିଶା ବାହାରକୁ ବି ରପ୍ତାନୀ ହୁଏ ।
ଉତ୍କଳରେ କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରାତଃକାଳରେ ବୋଇତ ଭସାଣରେ ପାନର ଭୂମିକା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଆଙ୍କ ତୁଣ୍ଡରେ "ଆ କା ମା ବୈ - ପାନ ଗୁଆ ଥୋଇ, ପାନ ଗୁଆ ତୋର - ମାସକ ଧରମ ମୋର" ଗୀତଟି ପାନକୁ ଏକ ବିଶେଷ ଭୂମିକା ଦେବାରେ ସହାୟକ ସାଜି ପାରିଛି । ଏଥିରୁ ଅନୁମେୟ ଯେ ପୂର୍ବେ ଉତ୍କଳୀୟ ନୌବାଣିଜ୍ୟରେ ପାନ,ଗୁଆ ଆଦି ମୁଖ୍ଯ ପଣ୍ଯ ଦ୍ରବ୍ଯ ଥିଲା । ଶ୍ରୀମନ୍ଦିରରେ ପାନର ବ୍ୟବହାର ବି ଅଛି । ଓଡ଼ିଆଙ୍କ ପ୍ରାଣର ଦେବତା ଶ୍ରୀ ଜଗନ୍ନାଥଙ୍କୁ ପାନ ଅର୍ପଣ କରି ଏ ଓଡ଼ିଆ ଜାତି ପରମ ବିଷ୍ଣୁଙ୍କ ପରମପଦ ପୂଜନରେ ଏକ ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛି । ଶ୍ରୀମନ୍ଦିରରେ ପ୍ରଚଳିତ ତାମ୍ବୁଳ ସେବା (ହଡ଼ପ ସେବା) ବିଧିରୁ ଏହା ସ୍ପଷ୍ଟ ବାରି ହୋଇଯାଏ । ବଡ଼ଠାକୁରଙ୍କ ବଡ଼ସିଂହାର, ପହୁଡ଼, ଚାପ, ଚନ୍ଦନଯାତ୍ରାଦିରେ ତାମ୍ବୁଳ ଅର୍ପଣ ବିଧି ଶ୍ରୀମନ୍ଦିରର ମୁଖ୍ୟାଙ୍ଗ । ଶ୍ରୀ ଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବାକୁ ଗୋଟିଏ ସ୍ବର୍ଣ୍ଣଥାଳରେ ପୂଜକ ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ବରୀ ମା' ବିମଳାଙ୍କୁ ଅର୍ପଣ କରିଥା'ନ୍ତି । ମକରବେଢ଼ା ପରିକ୍ରମା ବେଳେ ହଡ଼ପ ସେବକ ମାନଙ୍କ ଦ୍ବାରା ବିବିଧ ପାନ ପ୍ରସ୍ତୁତ କରାଯାଇ ଏକ ଆଳିରେ ମନ୍ଦିରାକୃତିରେ ସଜାଇ ବେଢ଼ା ପରିକ୍ରମା କରା ଯାଇଥାଏ । ଜଗନ୍ନାଥଙ୍କ ପାନ ପ୍ରସ୍ତୁତି ଶୈଳୀ ନିଆରା । ସଦ୍ଯ ତୋଳା ଯାଇଥିବା ଗୋଟା ପାନରେ ସୁବାସିତ ଚନ୍ଦନ ଲେପ ଦିଆଯାଇ ତାକୁ ଚାରି ଚଉଠ କରି ଭାଙ୍ଗି ଏକ ନିଖୁଣ ଲବଙ୍ଗ ଫୋଡ଼ି ବିଡ଼ିଆ ପ୍ରସ୍ତୁତ ହୁଏ । ପୂର୍ବେ ଗଜମୁକ୍ତା ସଂଗ୍ରହ କରାଯାଇ ତା' ଚୂର୍ଣ୍ଣ ଜୀଉଙ୍କ ପାନରେ ଦିଆ ଯାଉଥିଲା । ସତ୍ଯନାରାୟଣ ପୂଜା, ମେଳା ମଉଚ୍ଛବ ଆଦିରେ ପ୍ରଥମେ ପାନ ଲୋଡ଼ା । ସାଧାରଣରେ ବିଶ୍ବାସ ଅଛି - ଘରୁ ବାହାରିଲା ବେଳେ ପାନ ଖଣ୍ଡେ ଖାଇ ବାହାରିଲେ ଯାତ୍ରା ଶୁଭ ହୁଏ । ତନ୍ତ୍ର କର୍ମରେ ବଶୀକରଣରେ ପାନର ବ୍ଯବହାର ହୁଏ ।
ଓଡ଼ିଆ ଜୀବନରେ ପାନର ଭୂମିକା ଓଡ଼ିଆ ସାହିତ୍ଯ, ଲୋକକଥାଦିରେ ସ୍ପଷ୍ଟ ଦୃଶ୍ଯମାନ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରୁ :-
"ମଲ୍ଲୀମାଳ ଶ୍ଯାମଙ୍କୁ ଦେବି, ମନ ତୋଷିବି
ସେ ଯେବେ କରିବେ ମାନ,ଭାଙ୍ଗି ଭୁଞ୍ଜାଇବି ପାନ
ଗଣ୍ଡରେ ଦେଇ ଚୁମ୍ବନ ହରଷ କରାଇବି ।।"
ସୁଖ-ଦୁଃଖ, ହସ-କାନ୍ଦ, ଅଭିମାନ ଆକ୍ରୋଶ ଆଦି ସମସ୍ତ ଭାବର ସାକ୍ଷୀ ଏଇ ପାନ । ପଲ୍ଲୀ ଗୀତରେ ଏହାର ଚଟୁଳ ଚିତ୍ର ଦେଖିବାକୁ ମିଳେ ।
"ମୁଣ୍ଡିଆ ଉପରେ ଗାଡ଼ିଆଟିଏ
ମାଛ ମାରିଗଲା ଭେଣ୍ଡିଆଟିଏ
ମୋଡ଼ିମାଡ଼ି କରି ଖାଇଲା
ରକତ ଟୋପାଏ ପଡ଼ିଲା ।।"
ଅନ୍ୟ ଏକ ଚାଟୁ ଚିତ୍ରର ଲୋକକଥାରେ :-
"ଚାରି ଜାତି ମିଳି ଏକ ହୁଅଇ
ବେଳକାଳ ଜାଣି ରଙ୍ଗ ବହଇ
ପାଞ୍ଚରେ ଗଣନା କେବେ ନୁହଁଇ
ତା' ନ ଚିହ୍ନି କେହି ମଣିଷ ନାହିଁ ।।"
ପାନ ଓ ପ୍ରୀତିର ସମ୍ପର୍କକୁ ଦର୍ଶାଉ ଥିବା ତାଳଚେର ଅଞ୍ଚଳର "ସଜନୀଗୀତ" ବି ପାନର ମହତ୍ତ୍ୱକୁ ଉଜ୍ଜୀବିତ କରେ ।
"ଧନ କରିବା ପାନ ଖରଚ, ସଜନୀ ଗୋ କଟକରୁ ଗୁଆକାତି
ଜଙ୍ଘରେ ବସାଇ ପାନ ଖୁଆନ୍ତି ଗୋ,
ହସି ପୁହାଇ ଦିଅନ୍ତି ରାତି, ସଜନୀ ଗୋ ।।"
ପାନ ଓ ପ୍ରୀତିକୁ ନେଇ ବଲାଙ୍ଗୀର ଅଞ୍ଚଳର "ଦୋଳିଗୀତ" ମନେପଡ଼େ ।
"ଥାଳିରେ ରଖିଲି ପାନ,
ତୋହର ମୋହର ଗୋଟେ ଜୀବନ,
ଜାତି ହେଲା ଭିନ୍ନ ଭିନ୍ନ ସଜନୀରେ ।।"
ମିଳନ ପରି ବିରହ ସଙ୍ଗୀତରେ ମଧ୍ୟ ପାନ ଅଛି । କେନ୍ଦୁଝର ଅଞ୍ଚଳର କାନ୍ଦଣା ଗୀତଟିଏ ମନକୁ ଆସେ -
"ଆଳୁ ପତରିଆ ମହତା ପାନ,
ତୁମ କଥା ସବୁ ହେବ ସପନ,
ଜାତି ହେଲା ଭିନ୍ନ ଭିନ୍ନ ସଜନୀରେ ।।"
ଶାଶୂ-ବୋହୂ,ଦିଅର-ଭାଉଜ,ଭାଇ-ଭଉଣୀ, ସ୍ବାମୀ - ସ୍ତ୍ରୀ ଆଦି ପାରିବାରିକ ସମ୍ପର୍କ ମଧ୍ଯେ ପାନର ପ୍ରବେଶ । ବୋହୂର ଚାଲି ଚଳଣକୁ ଆକ୍ଷେପ କରି ଶାଶୂ କହିବା କଥାରେ ପରଖି ନିଅନ୍ତୁ ଥରେ ପାନର ଉପସ୍ଥିତି -
"ଶେଯରେ ନଣଠଣ ହୁଅନ୍ତି,
ବରମାନଙ୍କ ମୁଖ ଦେଖିବା ପାଇଁ,
ଶେଯରେ ପିକଦାନି ଧୁଅନ୍ତି ନେଇ,
ରାତିରେ ପାନପିକ କାଢ଼ିବା ପାଇଁ
+ + + + + +
କଳାଲୋ ଧଳା ଲୁଗା ଦେହକୁ ମୋଟା
ବାଛି ପିନ୍ଧିଲେ ବୋହୂ ବଙ୍ଗାଳୀ ଫେଟା
ବଙ୍ଗାଳୀ ଫେଟାକୁ ଲୋ ଏ ପାନଖିଆ
ଏକାଳ ବୋହୂଙ୍କୁ ଲୋ ମାନିଲା ଏହା
ବୋହୂଙ୍କଠୁଁ ମରା ଇଂଗୋଜି ନେଲା
ରୂପେଲି ପିକଦାନି ବଟୁଆ ଦେଲା
ମହତ ପାନକୁ ଲୋ ଏ କଲିଚୂନ
ବୋହୂଙ୍କ ପାନଖିଆ କଲା ଉଚ୍ଛନ୍ନ
ଜାହାଜୀ ଗୁଆକୁ ଲୋ ଏ ଗୁଜୁରାତି
ବୋହୂଙ୍କ ପାନଖିଆ ବଡ଼ ଅନୀତି ।।"
ବିବାହ ଗୀତିକାନ୍ତର୍ଗତ ସୀତା ବିଭା ଗୀତରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ବିବାହ କରି ସ୍ବ-ଆଳୟକୁ ପ୍ରତ୍ଯାବର୍ତ୍ତନ ସମୟେ ପାନର ବର୍ଣ୍ଣନା -
"ବାର ଯେ ବରଷ କରି ବଢ଼ାଇଣ ଅଛି
କ୍ଷଣକ ମାତ୍ରକେ ରାମ ଘେନି ଯାଉଛନ୍ତି
ଏତେ ବୋଲିରେ ସେ ରାମ ପାଲିଙ୍କି ଚଢ଼ିଲେ
ପାଲିଙ୍କିରେ ଚଢ଼ି ରାମ ତାମ୍ବୁଳ ଭୁଞ୍ଜିଲେ ।।"
ତେବେ ଏବେ ଜଣାପଡ଼େ ପୁରାଣ ଯୁଗରେ ବି ପାନର ବ୍ୟବହାର ଥିଲା । 'ପାନ' -ଏକ ଛୋଟିଆ ଶବ୍ଦ ହେଲେ ବି ତା'ର ମହତ୍ତ୍ବ ଅମାପ କହିଲେ କିଛି ଅତି ଉକ୍ତି ହେବ ନାହିଁ ।
ଭାଟପଡ଼ା, ନିରାକାରପୁର,କଣାସ, ପୁରୀ
ଜୟ ସାହିତ୍ୟ, ଜୟ ସମାଜ