2/03/2019

ଯମରାଜଙ୍କୁ ପ୍ରଶ୍ନ

ଯଶୋବନ୍ତ ସେଠୀ
"ମୋ ପୁଅର ଏବର୍ଷ ବି.ଟେକ୍ ଶେଷ ବର୍ଷ । ମୋ
ଝିଅର ବିବାହ ପ୍ରସ୍ତାବ ଚୁଡାନ୍ତ ହୋଇ ସାରିଥିଲା । ବାପାଙ୍କ ଦିବିସା ଆଉ ତିନିଦିନ ବାକି ଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ମୋ ବୋଉ ଆଖିରୁ ପଟି ଖୋଲି ନଥିଲା । ମୋଟ ଉପରେ ମୋର ମରିବାର ସମୟ ହୋଇନଥିଲା"- ଅଭିଯୋଗ ଉପରେ ଜନ୍ତୁରାଣ ହସିଦେଇ କହିଥିଲେ--"ସମୟ ନିୟତ - ସୀମିତ । ସଂସାର ମାୟାଜାଲରେ ପଡି ତୁ ବିସ୍ମରି ପକାଇଥିଲୁ ।ଜନ୍ମ ଠାରୁ ମୃତ୍ୟୁ ଯାଏଁ  ତୋତେ ମୁଁ ଦେଇଥିବା ତୋ ପାଇଁ ସମୟର ବ୍ୟବଧାନର ସମାପ୍ତି ଘଟି ସାରିଥିଲା ବୋଲି ।"

              "ମ୍ୟାଲେରିଆ , ଟାଇଫଏଡ୍ , ଶାରିରୀକ ରୋଗଗ୍ରସ୍ତ କିଛି ବି ସହିନେଇ ଥାଆନ୍ତି ,ବିଚ୍ ରାସ୍ତାରେ ମୋର କିଛି ଭୁଲ୍ ନଥାଇ ଦୁର୍ଘଟଣାରେ ମତେ କିଲିବିଲି କରି ମାରିବାଟା କ'ଣ ଠିକ୍ ହେଲା  ?" ଅବିଚଳିତ ବଦନରେ ସୀମିତ ଉତ୍ତର -
"ଘଣ୍ଟାର ବ୍ୟାଟେରୀ ସରିଗଲେ ହଠାତ୍ ଷ୍ଟାଚ୍ୟୁ ହୋଇଯାଏ । ଘଣ୍ଟା, ମିନିଟ୍ , ସେକେଣ୍ଡ କଣ୍ଟା
କିଏ କୋଉଠି ଥାଏ ମୁଁ ଦେଖେନା ।"
  "ମୁଁ ଅମୁକ ଅଫିସରେ ବଡ ହାକିମ ଥିଲି ।
ଅଫିସରେ ପହଞ୍ଚିଲେ କେତେ କେତେ କୁର୍ଣ୍ଣିସ୍ ,
  ନମସ୍କାର, ଦଣ୍ଡବତ, ଓଳିଗି କେତେ ସମ୍ମାନ ଓ ଆଦର ମିଳିଥାଏ । ଏକଥା ଆପଣଙ୍କ ଦୂତମାନେ ଜାଣିବା କଥା । ଅନ୍ୟ ମାନଙ୍କ ପରି ମତେ ଘୋଷାଡି ଘୋଷାଡି ଆଣିବାଟା ମୋ ପଦମର୍ଯ୍ୟାଦାର ହାନୀ ତଥା ଅପମାନ ନୁହେଁ କି !" ଅଟ୍ଟହାସ୍ୟରତ ଜନ୍ତୁରାଣ ନର୍କକୁଣ୍ଡ ଆଡକୁ ମୋର ଦୃଷ୍ଟି ଆକର୍ଷଣ କଲେ ।
ଦେଖିଲି କେଡେ କେଡେ ମନ୍ତ୍ରୀ, ଯନ୍ତ୍ରୀ ଆତ୍ମଘୋଷିତ ସାଧୁ ସନ୍ଥ ତତଲା ତେଲ କଡେଇରେ ଗଡୁଛନ୍ତି-ସଢୁଛନ୍ତି ଏକାକାର ହୋଇ ; ଲକ୍ଷ ଲକ୍ଷ ଅନୁଗାମୀ, ଭକ୍ତ, ଶିଷ୍ୟ, ଚେଲା ଜଣେ କେହି ପାଖରେ ନଥାଇ ।
ପରିଶେଷରେ ହାତଯୋଡି ଅନୁରୋଧ କଲି-"ଏ ଜନ୍ମରେ ନହେଲା ନାହିଁ ପଛକେ ପରଜନ୍ମରେ ଆପାତତଃ ଠିକ୍ ସମୟରେ,ପରିଣତ ବୟସରେ,
 ହରିନାମ ଜପ କଲା ବେଳେ ମୋତେ ଏକ ସ୍ୱାଭାବିକ ମୃତ୍ୟୁ ଦେବ, ନର୍କ ନୁହେଁ, ସ୍ୱର୍ଗରେ ଟିକିଏ ଜାଗା ମୋ ପାଇଁ ସଂରକ୍ଷିତ ରଖିଥିବ ।" ଅନୁଚ୍ଚ ସ୍ୱରରେ ଜନ୍ତୁରାଣ ସ୍ୱାଭାବିକ ଉତ୍ତର ରଖିଥିଲେ
" ତା'ର ମଧ୍ୟ ହିସାବ ସରିଲାଣି ବତ୍ସ !ଏ ଜନ୍ମର କଲା କର୍ମଣି ଜୀବର ପରଜନ୍ମ ପାଇଁ ପଥ ପ୍ରଦର୍ଶକ । ମୁଁ ଓ  ଚିତ୍ରଗୁପ୍ତ ମୂକସାକ୍ଷୀ ମାତ୍ର । ଜନ୍ମ -ମୃତ୍ୟୁ, ସ୍ୱର୍ଗ ଆଉ ନର୍କର ହିସାବ ରକ୍ଷକ । ଜୀବର କଲା କର୍ମଣିର ଫଳ ନିର୍ଣ୍ଣୟ କରିଥାଏ ମୃତ୍ୟୁ ପରେ ସ୍ୱର୍ଗ ଅବା ନର୍କ ।"
(ମୟୁରଭଞ୍ଜ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।