ଅରୁଣା କର
ଗୋଟିଏ ଦେଶରେ ଜଣେ ରାଜା ଥିଲେ। ତାଙ୍କର ପ୍ରଜା ବତ୍ସଳତା ପାଇଁ ସେ ଖୁବ୍ ଆଦୃତ ଥିଲେ। ସମସ୍ତଙ୍କ ମୁହଁରେ ଭୂରି ଭୂରି ପ୍ରସଂଶା ରାଜାଙ୍କର।ଲୋକେ କହୁଥିଲେ ଆମ ରାଜାଙ୍କ ପରି ରାଜା ନାହାନ୍ତି...। ରାଜାଙ୍କର ଜଣେ ସୁନ୍ଦରୀ, କୋମଳାଂଗୀ ବିଦୁଷୀ ରାଣୀ ଥିଲେ। ରୂପ ଯେମିତି ଗୁଣ ବି ସେମିତି। ରାଜା ଆଉ ରାଣୀଙ୍କ ମଧ୍ଯରେ କ୍ଷୀର ନୀର ସମ୍ପର୍କ। କେହି କାହାକୁ ଛାଡି ମୁହୂର୍ତ୍ତଟିଏ ରହି ପାରନ୍ତିନି। ରାଜା ନ ଖାଇଲେ ରାଣୀ କିଛି ବି ଖାଆନ୍ତି ନାହିଁ। ରାଜାବି ଯେତେ କାମ ଥିଲେ ବି ଖାଇବା ସମୟ ହେଲେ ରାଣୀ ଙ୍କ ପାଖକୁ ଚାଲି ଯାଆନ୍ତି। ଭଲ ପାଇବାର ମିଠା ମିଠା ମୁହୂର୍ତ୍ତ ଗୁଡିକୁ ଦୁହେଁ ମନ ଭରି ଉପଭୋଗ କରନ୍ତି।ଭଲ ପାଇବାର ମନ୍ଦାକିନୀ ନିଇତି ବହେ । ହସ ଖୁସି ରେ ଦିନ କଟିଯାଏ ।କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ରାଜା ସବୁବେଳେ ରାଣୀଙ୍କର ପରାମର୍ଶ ନିଅନ୍ତି। ସମୟ ଗଡି ଚାଲେ...
ରାଜାଙ୍କର ସେନାପତି ରାଜାଙ୍କର ଜଣେ ବନ୍ଧୁ ଥିଲେ। ରାଜା ସେନାପତିଙ୍କୁ ବି ଖୁବ୍ ସମ୍ମାନ ଦିଅନ୍ତି । ତାଙ୍କ ଭଲ ମନ୍ଦ ପଚାରି ବୁଝନ୍ତି । ରାଜ୍ୟର ହିତରେ ତାଙ୍କ ପରାମର୍ଶ ଗ୍ରହଣ କରନ୍ତି।ସେନାପତିଙ୍କ ସହ ଅନେକ ସମୟ କାଟନ୍ତି । କିନ୍ତୁ ଧୀରେ ଧୀରେ ରାଜାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଗଲା। ରାଜା ଆଉ ଠିକ୍ ସମୟରେ ରାଣୀଙ୍କ ପାଖୁ ଫେରିଲେ ନାହିଁ । ଖାଇବା ଜିନିଷ ସେମିତି ଥୁଆ ହେଇ ରହିଲା, ରାଜା ବାହାରେ ଖାଇ ଫେରିଲେ।। ରାଜାଙ୍କୁ ଅପେକ୍ଷା କରି କରି ରାଣୀ ଅଧିକାଂଶ ସମୟ ଭୋକରେ ରହିଲେ। ରାଣୀଙ୍କ ଭଲ ମନ୍ଦ ବିଷୟରେ ରାଜା ବୁଝନ୍ତି ନାହିଁ, ଖାଇଲ କି ବୋଲି ପଚାରନ୍ତି ନାହିଁ। କେବେ କେବେ ନିଜ ଭବନରେ ଶୋଇ ଯାଆନ୍ତି। ରାଣୀ ପ୍ରତୀକ୍ଷା କରି କରି ଉଜାଗର ରୁହନ୍ତି। ଅଳ୍ପ କଥାରେ ସବୁବେଳେ ରାଣୀଙ୍କ ଉପରେ ଚିଡିଚିଡି ହୁଅନ୍ତି। ୟାଡୁ ସ୍ୟାଡୁ ଚାରି କଥା ଶୁଣାନ୍ତି। ରାଣୀ ଦୁଃଖ, ଅଭିମାନ ରେ ଭାଙ୍ଗି ପଡନ୍ତି । ହେଲେ ପଦଟିଏ କିଛି ରାଜାଙ୍କୁ କୁହନ୍ତି ନାହିଁ। ରାଜାଙ୍କ ବଦଳିବାର କାରଣ ଖୋଜନ୍ତି ରାଣୀ। ମନେ ମନେ ସନ୍ତୁଳି ହେଇ ଯାଆନ୍ତି ରାଣୀ। ଏତେ ଭଲ ପାଉଥିବା ମଣିଷ ଏମିତି ବଦଳି ଯାଉଛନ୍ତି କେମିତି ?
ଏକୁଟିଆ ଖାଇବାକୁ ଭଲ ଲାଗେନା ରାଣୀଙ୍କୁ, ରାଜାଙ୍କୁ ଅପେକ୍ଷା କରି ବସନ୍ତି,ରାଜା ନ ଖାଇଲେ ସେ'ବି ଖାଆନ୍ତି ନାହିଁ, ଏମିତି ଦିନ ଧରି ଉପାସରେ ରାଣୀ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲେ। ଦାସୀ ପରିବାରି ରାଣୀଙ୍କ ସେବାରେ ଲାଗିି ପଡିଲେ। ରାଜ ବୈଦ୍ଯ ଆସି ଚିକିତ୍ସା କଲେ, ସବୁ ବୃଥା...ରାଣୀଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା। ମନ ଖୋଜେ ମନର ମଣିଷକୁ.... ଦୁଇ ପଦ ସ୍ନେହ ବୋଳା କଥାକୁ । ଦିନ ଗଡି ଚାଲିଲା । ଇତି ଅବସରରେ ଜଣେ ଦିବ୍ୟ ସନ୍ୟାସୀ ରାଜ ଉଆସକୁ ଆସିଲେ। କିଛି ଦିନ ରାଜ ଆତିଥ୍ଯରେ ରହି ଚତୁର୍ମାସ୍ୟା ବ୍ରତ ପାଳନ କରିବା ପାଇଁ। ରାଜା କୃତ୍ୟ କୃତ୍ୟ,ହୋଇ ପାଦତଳେ ପଡି ତାଙ୍କ ରହିବାର ସମସ୍ତ ବ୍ୟବସ୍ଥା କରି ଦେଇଥିଲେ। ସନ୍ୟାସୀ ରାଣୀ ଙ୍କୁ ଦେଖିବାକୁ ଆସିଲେ। ରାଣୀ ସନ୍ୟାସୀଙ୍କ ପାଦତଳେ ପଡିଗଲେ। କାନ୍ଦି କାନ୍ଦି ସବୁ କଥା କହିଲେ। ସନ୍ୟାସୀ ରାଣୀଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଲେ। ରାଜାଙ୍କର ପରିବର୍ତ୍ତନର କାରଣ ଖୋଜିବାରେ ଲାଗି ପଡିଲେ।
ସନ୍ୟାସୀ ଅନୁସନ୍ଧାନ କଲେ, ରାଜା କାହା ସହିତ ବେଶୀ ମିଶୁଛନ୍ତି?? କାହା କଥା ଅଧିକ ଶୁଣୁଛନ୍ତି?? କାହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି?? ଧୀରେ ଧୀରେ ସନ୍ୟାସୀ ଜାଣିବାକୁ ପାଇଲେ ସେନାପତିଙ୍କ ବିଷୟରେ। ସେ ଖୁବ୍ ଭଲ ଲୋକ ଲାଗିଲେ। କିନ୍ତୁ... ସନ୍ୟାସୀ ସେନାପତିଙ୍କ ଘରକୁ ଗଲେ, ସେନାପତିଙ୍କ ସ୍ତ୍ରୀ ମୁଣ୍ଡିଆ ଟିଏ ମାରି ଚାଲିଗଲେ, ସନ୍ୟାସୀଙ୍କୁ ଲାଗିଲା ସେ ବାଧ୍ୟରେ ଯେମିତି ମୁଣ୍ଡ ନୁଆଁଇଲେ। ଭିତର ଘର ଭିତରୁ ଉଚ୍ଚ ଆବାଜ ସନ୍ୟାସୀ ଙ୍କ କାନରେ ପଡୁଥାଏ। ମୁଁ ଏତେ କାମ କରି ପାରିବିନି, ମୋତେ କଣ ଚାକରାଣୀ କରି ଆଣିଛ?? ନିଜେ ଡାକି ଆଣିଛ ନିଜେ ସତ୍କାର କର ... ମୁଁ କରି ପାରିବିନି, ଇତ୍ଯାଦି...ଇତ୍ଯାଦି.. ଅନେକ କଥା... ସେନାପତିଙ୍କର ଓ ତାଙ୍କ ସ୍ତ୍ରୀ ଙ୍କର କଥା କଟା କଟି ଚାଲିଥାଏ। ଅତିଥିଙ୍କ ଉପସ୍ଥିତିରେ ଏମିତି ସବୁ ବ୍ୟବହାର ନ କରିବାକୁ ସେନାପତି ବାରମ୍ଵାର ବୁଝାଉଥାନ୍ତି, କିନ୍ତୁ ସବୁ ନିଷ୍ଫଳ। ଶେଷକୁ ସେନାପତି ଙ୍କର ଧୈର୍ଯ୍ୟ ଭାଙ୍ଗି ଗଲା, ହାତ ଉଠିଗଲା, ତା' ପର ଅବସ୍ଥା ଆଉ ସନ୍ୟାସୀ ଶୁଣି ବାକୁ ଇଚ୍ଛା କଲେ ନାହିଁ, ଚୁପ୍ ଚାପ୍ ଆପଣା ସ୍ଥାନରୁ ଉଠି ପଦାକୁ ଚାଲି ଆସିଲେ ।
ସନ୍ୟାସୀଙ୍କର ବୁଝିବାରେ ଆଉ କିଛି ବାକି ରହିଲା ନାହିଁ।ସବୁ ତାଙ୍କ ଆଖି ସାମ୍ନାରେ ସୁସ୍ପଷ୍ଟ ହେଇଗଲା। ରାଜା ଙ୍କର ପରିବର୍ତ୍ତନ ର କାରଣ ସନ୍ୟାସୀ ବୁଝିଗଲେ। ଭାରି ଦୟା ଆସିଲା ନିର୍ଦ୍ଦୋଷୀ ରାଣୀ ଙ୍କ ଉପରେ। ସନ୍ୟାସୀ ଚାଲିଲେ ରାଜାଙ୍କ ପାଖକୁ...। ସନ୍ୟାସୀଙ୍କୁ ଦେଖି ରାଜା ଗୋଡ ଧରି ପ୍ରଣିପାତ କଲେ। ନିଉଛାଳି ହେଲେ। ମହାମହିମ.. ରାଜ ଉଆସରେ କିଛି ଅସୁବିଧା ହେଲା କି?? ସନ୍ୟାସୀ କହିଲେ ନା କିଛି ଅସୁବିଧା ନାହିଁ।
କିନ୍ତୁ ମୁଁ ଆପଣଙ୍କୁ କେତେଗୋଟି ବ୍ୟକ୍ତିଗତ ପ୍ରଶ୍ନ ପଚାରିବି, ଆପଣ ସଠିକ ଉତ୍ତର ଦେବେ ବୋଲି ଆଶା କରେ। ରାଜା ହଁ ଭରିଲେ, ପଚାରନ୍ତୁ... ମୁଁ ଆପଣଙ୍କ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ଚେଷ୍ଟା କରିବି।
ଉଆସରୁ ରାଣୀମା'ଙ୍କର ଅସୁସ୍ଥତା ଦେଖିଲି, ଶୁଣିବାକୁ ପାଇଲି... ରାଜାଙ୍କର କ୍ରମାଗତ ଅବହେଳା ଯୋଗୁଁ ରାଣୀ ମା' ଏମିତି ହେଇ ଯାଇଛନ୍ତି... ଏହା କଣ ସତ୍ୟ ?? ରାଜା କହିଲେ ନା, ମୁଁ ରାଣୀଙ୍କର କିଛି କ୍ଷତି କରିନି। ହେଲେ ମହାଭାଗ ସ୍ତ୍ରୀ ଲୋକ ମାନଙ୍କୁ ଏତେ ବିଶ୍ବାସ ଏତେ ଗୁରୁତ୍ୱ ଦେବା ଆଦୌ ଉଚିତ୍ ନୁହେଁ l ସେମାନେ ମୁଣ୍ଡରେ ବସିଯିବେ, ସନ୍ୟାସୀ ମୁରୁକି ମୁରୁକି ହସିଲେ...
ପୁଣି ସନ୍ୟାସୀ ପଚାରିଲେ, ଆପଣ ରାଣୀଙ୍କୁ ଆଗରୁ ଖୁବ୍ ଭଲ ପାଉଥିଲେ, ରାଣୀ ଙ୍କ ବିନା ପତ୍ର ହଲୁ ନଥିଲା, ଏବେ ତାଙ୍କୁ ଏମିତି ବ୍ୟବହାର ର କାରଣ କଣ?? ଆପଣଙ୍କ ଜୀବନରେ କେହି ଅନ୍ୟ ନାରୀଙ୍କ ଆବିର୍ଭାବ ଘଟିଛି କି?? ରାଜା ଙ୍କ ଉତ୍ତର ନା ଥିଲା। ତେବେ??ସ୍ତ୍ରୀ ମାନଙ୍କୁ ଗୁରୁତ୍ଵ ନଦେବାକୁ, ଏତେ ଭଲ ନ ପାଇବାକୁ, ଆପଣଙ୍କୁ କେହି ପରାମର୍ଶ ଦେଇଛି କି ?? ରାଜା... ନିରୁତ୍ତର ହେଲେ। ସନ୍ୟାସୀ ବାରମ୍ବାର ଉତ୍ତର ଆଶା କରୁଥିଲେ। ରାଜା ବାଧ୍ୟ ହୋଇ କହିଲେ, ମୋ ବନ୍ଧୁ ସେନାପତି ମହାଶୟ ଜଣେ ବିଜ୍ଞ ଲୋକ, ଏହା ତାଙ୍କର ମତ। ସନ୍ୟାସୀ ପୁଣି ମୁରୁକି ମୁରୁକି ହସିଲେ। ରାଜା ହସିବାର କାରଣ ଜାଣିବାକୁ ଚାହିଁଲେ।
ସନ୍ୟାସୀ କହିଲେ,ଆପଣଙ୍କ ବନ୍ଧୁ ଏମିତି କହିବାର କାରଣ କେବେ ଜାଣିବାକୁ ଚାହିଁଛନ୍ତି ଆପଣ ?? ରାଜା ନାହିଁ କଲେ। ସନ୍ୟାସୀ ପରମର୍ଶ ଦେଲେ ଆପଣ ଛଦ୍ମବେଶ ରେ ସେନାପତିଙ୍କ ଘରକୁ ଯାଇ ଅନୁଧ୍ଯାନ କରନ୍ତୁ ଓ ମୋତେ ଜଣାନ୍ତୁ କହି ସନ୍ୟାସୀ ଚାଲିଗଲେ । ରାଜାଙ୍କ ଉପରେ ସନ୍ୟାସୀଙ୍କ କହିବା ଗଭୀର ପ୍ରଭାବ ବିସ୍ତାର କରି ଥିଲା। ସେ ଅନ୍ଧାର ରେ ବେଶ ପରିବର୍ତ୍ତନ କରି ସେନାପତି ଙ୍କ ଘରକୁ ଗଲେ। ସବୁ କଥା ବୁଝି ଗଲେ, କାହିଁକି ବନ୍ଧୁ ସ୍ତ୍ରୀ ଲୋକଙ୍କୁ ଗୁରୁତ୍ୱ ଦେବାକୁ ବିରୋଧକିଛି ବ୍ୟଥାର ....କରନ୍ତି ?? ବନ୍ଧୁଙ୍କର ଯୁଗ୍ମ ଜୀବନ ଅସଜଡା ଥିଲା। ରାଜା, ରାଣୀଙ୍କର ଅନାବିଳ ଭଲ ପାଇବାକୁ ସହି ପାରିଲେନିସେ ସେ। ତେଣୁ ସେ ରାଜା ଙ୍କୁ ବାରମ୍ବାର ସ୍ତ୍ରୀ ଲୋକଙ୍କ ଉପରେ କହୁଥିଲେ।
ରାଜା ସନ୍ୟାସୀଙ୍କୁ ଭେଟି ସବୁ କଥା କହିଲେ। ନିଜେ କରିଥିବା ଭୁଲ, ରାଣୀଙ୍କ ପ୍ରତି ଅବିଚାର ତାଙ୍କୁ ବ୍ୟଥିତ କଲା। ସେ ପ୍ରାୟଶ୍ଚିତ କରିବାକୁ ଚାହିଁଲେ। ସନ୍ନ୍ୟାସୀଙ୍କ ପାଦ ତଳେ ପଡିଗଲେ, କହିଲେ ମୁଁ ଅନ୍ୟର କଥାକୁ ନିରୀକ୍ଷଣ ନ କରି, ଗ୍ରହଣ କରି ବହୁତ ଭୁଲ କରି ଦେଇଛି। ମୁଁ ମହାରାଣୀ ଙ୍କୁ ଅବହେଳା କରି ତାଙ୍କୁ ରୋଗାଗ୍ରସ୍ଥ କରି ଦେଇଛି।
ସନ୍ୟାସୀ କହିଲେ ମହାରାଜ! ଗୋଟିଏ ପଥର ଯେତିକି ଆଘାତ ସହି ପାରିବ, ଗୋଟେ ଫୁଲ କଣ ସେତିକି ଆଘାତ ସହି ପାରିବ???? ରାଜା ସନ୍ୟାସୀ ଙ୍କ ପାଖରୁ ସିଧା ଧାଇଁଲେ ରାଣୀ ଅନ୍ତଃପୁର କୁ। ମହାରାଣୀ ଅର୍ଦ୍ଧ ଶୟନ ଅବସ୍ଥାରେ ଆଉଜି ବସି ଥିଲେ। ନିଷ୍ପ୍ରଭ ନୟନରେ କେବଳ ଚାହିଁ ଥିଲେ। ରାଜା ମନକୁ ମନ କହୁଥିଲେ, ଆହା... ମୋରି ପାଇଁ ଆଜି ମୋ ପ୍ରିୟତମା ଙ୍କର ଏ ଅବସ୍ଥା। ମୁଁ ଫେରି ଆସିଛି ରାଣୀ,... ମୋ ଭୁଲ ମୁଁ ବୁଝି ପାରିଛି.... ମୋତେ କ୍ଷମା କରିଦିଅ... ତୁମ କୁ ଆଉ କେବେବି ଅବହେଳା କରିବି ନାହିଁ.... ରାଜା ଙ୍କ ଆଖିରୁ ଲୁହ ଝରି ପଡୁଥିଲା। ସେ ରାଣୀଙ୍କ ମୁହଁକୁ ନିଜ ସାମନା କୁ ଟେକି ଧରିଲେ, ଆଖିରେ ଆଖି ମିଶାଇଲେ.... ରାଣୀ ରାଜାଙ୍କୁ ଚାହିଁଲେ... ଓଠ କୋଣରୁ ହସ ଟିକେ ଉଙ୍କି ମାରିଲା.... ସେ ରାଜାଙ୍କ କୋଳରେ ଢ଼ଳି ପଡିଲେ। କିଛି ସମୟ ପରେ ଉଷୁମ ଦେହଟି ଥଣ୍ଡା ହୋଇ ଗଲା ରାଜା ଭୋ ଭୋ ରଡିଛାଡି କାନ୍ଦିଲେ.... ମୋତେ ପ୍ରାୟଶ୍ଚିତ କରିବାକୁ ନ ଦେଇ ତୁମେ ଯାଇ ପାରିବନି.... କେବେ ଯାଇ ପାରିବନି...କେବେ ନୁହେଁ.....
ସବୁ ବୃଥା.... ଯାହାକୁ କହୁଥିଲେ... ସେ ଆଉ ଶୁଣିବାକୁ ନ ଥିଲା..... ।
ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।