ପୁଣି ଥରେ ଜାନୁଆରୀ ୧ ଅର୍ଥାତ ଇଂରାଜୀ ନବବର୍ଷ ଆସିଛି । ଦେଶବାସୀ ମାନେ ଏହି ଇଂରାଜୀ ନବ ବର୍ଷକୁ ପାଳନ କରିବାରେ ବ୍ୟସ୍ତ ଅଛନ୍ତି । ଗତ କିଛି ଶତାବ୍ଦୀ ଧରି ଇଂରେଜ, ଫ୍ରେଂଚ, ଡଚ, ପର୍ତୁଗୀଜ ଭଳି ଲୋକ ମାନଙ୍କ ସହ ଓ ଅନ୍ୟ ଖ୍ରୀଷ୍ଟ ମତାବଲମ୍ବୀ ମାନେ ବିଶ୍ୱର ଅନେକ ଦେଶ ଉପରେ ଅଧିକାର କରି ଉପନିବେଶ ସ୍ଥାପନା କରିବା ଫଳରେ ଖ୍ରୀଷ୍ଟାବ୍ଦ ଏକ ରକମ ସମଗ୍ର ବିଶ୍ୱରେ ପ୍ରଚଳିତ ହୋଇଯାଇଛି । ସମଗ୍ର ବିଶ୍ୱରେ ଖ୍ରୀଷ୍ଟାବ୍ଦ କ୍ୟାଲେଣ୍ଡରକୁ ସରକାରୀ ଭାବେ ମଧ୍ୟ ଏକ ପ୍ରକାର ମାନ୍ୟତା ପ୍ରଦାନ କରାଯାଇଛି । ଭାରତ ଏହା ମଧ୍ୟରୁ ଅନ୍ୟତମ । ଇଂରେଜ ମାନଙ୍କ ଦ୍ୱାରା ପରାଧୀନ ହେବା ପରେ ଏବଂ ଇଂରେଜ ମାନଙ୍କର ଶିକ୍ଷାନୀତି ଦ୍ୱାରା ପରିଚାଳିତ ହୋଇ ଭାରତ ମଧ୍ୟ ଇଂରାଜୀ ଅର୍ଥାତ ଖ୍ରୀଷ୍ଟୀୟ କ୍ୟାଲେଣ୍ଡର ସରକାରୀ ଭାବେ ଅନୁସରଣ କରୁଛି । ତେବେ ଭାରତ ବର୍ଷର ନିଜସ୍ୱ କ୍ୟାଲେଣ୍ଡର ରହିଛି । ଇଂରାଜୀ କ୍ୟାଲେଣ୍ଡରରେ ମଧ୍ୟ ଭାରତୀୟ ମାସ ଏବଂ ତିଥି ରହିଥାଏ ।
ଭାରତୀୟ ଲୋକ ମାନେ ଇଂରାଜୀ କ୍ୟାଲେଣ୍ଡରକୁ ସ୍ୱୀକାର କରି ଇଂରାଜୀ ନବବର୍ଷ ପାଳନ କରୁଥିଲେ ସୁଦ୍ଧା ସେମାନଙ୍କର ବିବାହ, ବ୍ରତ ଓ ଅନ୍ୟ ଶୁଭ କାମ ପାଇଁ ଭାରତୀୟ କ୍ୟାଲେଣ୍ଡର ଉପରେ ନିର୍ଭର କରିଥାନ୍ତି । ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ସତ୍ୱେ ସେମାନେ ଶୁଭ କାମରେ ସଂସ୍କୃତ ଶ୍ଲୋକର ହିଁ ଉଚ୍ଚାରଣ କରିଥାନ୍ତି ।
ଭାରତୀୟ ସଂସ୍କୃତି ଓ ପାଶ୍ଚାତ୍ୟ ସଂସ୍କୃତି ମଧ୍ୟରେ କିଛି ମୌଳିକ ପ୍ରଭେଦ ରହିଛି । ଏହି ମୌଳିକ ପ୍ରଭେଦ ମଧ୍ୟରେ ଉଭୟ ସଂସ୍କୃତିରେ ଉତ୍ସବ ଓ ପର୍ବ ପର୍ବାଣୀ ପ୍ରତି ରହିଥିବା ଦୃଷ୍ଟିକୋଣରେ ପ୍ରଭେଦ । ଭାରତୀୟ ମାନଙ୍କର ଉତ୍ସବ ମନାଇବାର ପଦ୍ଧତି ଖୁବ ନିଆରା । ଭାରତୀୟ ପରମ୍ପରାରେ ଯେଉଁ ପର୍ବପର୍ବାଣୀ ରହିଛି ତାହା ଦ୍ୱାରା ମନରେ ସାତ୍ୱିକତା ଜାଗ୍ରତ ହୋଇଥାଏ । ଏହି ପର୍ବ ପର୍ବାଣି କିମ୍ବା ଉତ୍ସବ ଦିନରେ ପାଳନ କରାଯାଉ କିମ୍ବା ରାତ୍ରୀରେ ପାଳନ କରାଯାଉ, ମନରେ ସାତ୍ୱିକତାର ଭାବ ରହିଥାଏ । ଭାରତୀୟ ସଂସ୍କୃତିରେ ଉତ୍ସବ ପାଳନ ବେଳେ ପାଳନ କରୁଥିବା ବ୍ୟକ୍ତି ଭଗବାନଙ୍କର ଶରଣକୁ ଯାଇଥାଏ ।
କିନ୍ତୁ ପାଶ୍ଚାତ୍ୟ ଉତ୍ସବ ପାଳନ ଅବସରରେ ଏହା ସାଧାରଣତଃ ଦେଖାଯାଏ ନାହିଁ । ଖାସ କରି ଇଂରାଜୀ ନବ ବର୍ଷ ଭଳି ଉତ୍ସବ ପାଳନ କଲା ବେଳେ ନିଶା ଆଦି ସେବନ କରିବା ସହ ବିଦେଶୀ ସଙ୍ଗୀତର ତାଳେ ତାଳେ ଲୋକ ମାନେ ନାଚିଥାନ୍ତି ତଥା ଏହି ପର୍ବର ସ୍ୱାଗତ କରିଥାନ୍ତି । ନିଶା ସେବନ କରିବା ଦ୍ୱାରା ସେମାନେ ଚରିତ୍ରହୀନତା ଆଡକୁ ଯିବା ସହ ଅପରାଧ ଆଡକୁ ଚାଲିଯିବାର ସମ୍ଭାବନା ଥାଏ । ଏହି ପର୍ବରେ ତିଳେ ହେଲେ ସାତ୍ୱିକତାର ଭାବ ନ ଥାଏ । କେବଳ ଉତ୍ସୃଙ୍ଖଳାର ଭାବ ରହିଥାଏ ।
ତେବେ ଯାହା ଜଣା ପଡୁଛି ଭାରତବାସୀ ଇଂରାଜୀ ନବ ବର୍ଷ ପାଳନ କଲା ବେଳେ ମଧ୍ୟ ସେମାନେ ନିଜର ଇଂରେଜିକରଣ ନକରି ଏହି ଉତ୍ସବର ଭାରତୀୟକରଣ କରି ଦେଉଛନ୍ତି । ଯଦିଓ କିଛି ତାରକା ହୋଟେଲରେ କିଛି ଲୋକ ମଧ୍ୟ ରାତ୍ରୀରେ ପାଶ୍ଚାତ୍ୟ ଉପାୟରେ ଏହି ଉତ୍ସବ ପାଳନ କରୁଛନ୍ତି ତେବେ ଏମାନଙ୍କ ସଂଖ୍ୟା ଖୁବ କମ । ପାଶ୍ଚାତ୍ୟ ପଦ୍ଧତିରେ ଇଂରାଜୀ ନବ ବର୍ଷ ପାଳନ କରୁଥିବା ଲୋକ ମାନଙ୍କ ସଂଖ୍ୟା ଖୁବ କମ ହୋଇଥିବାରୁ ଏମାନଙ୍କୁ ଭାରତର ପ୍ରତିନିଧି ବୋଲି ମାନିବା ଭୁଲ ହେବ ।
ତେବେ ସାଧାରଣ ମଧ୍ୟବିତ ଏବଂ ନିମ୍ନମଧ୍ୟବିତ ଭାରତୀୟମାନେ ଇଂରାଜୀ ନବ ବର୍ଷକୁ କିଭଳି ଭାବେ ପାଳନ କରୁଛନ୍ତି ତାହା ଅାଲୋଚନାର ବିଷୟ । ଗୋଟିଏ ଉଦାହରଣ ଦେଲେ ପ୍ରସଙ୍ଗଟିକୁ ଭଲ ଭାବରେ ବୁଝି ହେବ । ଇଂରାଜୀ ନବ ବର୍ଷ ଅବସରରେ ପୁରୀର ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ପୋଲିସ ପ୍ରଶାସନର କହିବା ଅନୁସାରେ ଭକ୍ତ ମାନଙ୍କ ପ୍ରବଳ ଭୀଡ ହେବାର ସମ୍ଭାବନା ଥିବାରୁ ଅନେକ ପୋଲିସ ପ୍ଲାଟୁନ ଭୀଡକୁ ନିୟନ୍ତ୍ରିତ କରିବା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିୟୋଜିତ କରାଯାଇଥିଲା ଏବଂ ଇଂରାଜୀ ନବ ବର୍ଷ ଦିନ ପୁରୀ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ୫ ଲକ୍ଷରୁ ଉର୍ଧ ଲୋକ ହେବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଏତେ ସଂଖ୍ୟାରେ ଅର୍ଥାତ ଲକ୍ଷ ଲକ୍ଷ ଲୋକ ଇଂରାଜୀ ନବ ବର୍ଷ ଦିନ ଉପସ୍ଥିତ ହୋଇ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେବା ଘଟଣା କେଉଁ ଦିଗକୁ ଇଙ୍ଗିତ କରୁଛି । ଏଠାରେ ମନେ ରଖିବାକୁ ହେବ ଯେ ଯେଉଁ ଲୋକ ମାନେ କୌଣସି କାରଣ ବଶତଃ ପୁରୀ ଯାଇ ପାରୁ ନାହାନ୍ତି ଅତ୍ୟନ୍ତ ସାତ୍ୱିକତାର ଭାବ ନେଇ ସେମାନେ ସକାଳୁ ସ୍ଥାନୀୟ ମନ୍ଦିରରେ ପହଂଚି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଏହି ଘଟଣା କେଉଁ ଦିଗକୁ ସୂଚିତ କରୁଛି ।
ଏହି ଘଟଣା ଗୋଟିଏ କଥାକୁ ସ୍ପଷ୍ଟ କରୁଛି ଯେ ଯଦିଓ ଭାରତୀୟ ମାନେ ଇଂରାଜୀ ଅଥବା ଖ୍ରୀଷ୍ଟାବ୍ଦ ଆଧାରିତ ନବବର୍ଷ ପାଳନ କରୁଛନ୍ତି, ତେବେ ସେମାନେ ଏହି ପାଶ୍ଚାତ୍ୟ ପର୍ବକୁ ପାଶ୍ଚାତ୍ୟ ପଦ୍ଧତିରେ ପାଳନ କରୁ ନାହାନ୍ତି ଅର୍ଥାତ ନିଶା ଆଦି ସେବନ କରିବା ସହ ବିଦେଶୀ ସଙ୍ଗୀତର ତାଳେ ତାଳେ ଲୋକ ମାନେ ନାଚି ନାହାନ୍ତି । ସେମାନେ ଏହି ପାଶ୍ଚାତ୍ୟ ପର୍ବକୁ ସମ୍ପୂର୍ଣ ଭାରତୀୟ ପରମ୍ପରାରେ ଅର୍ଥାତ ସାତ୍ୱିକ ଉପାୟରେ ପାଳନ କରୁଛନ୍ତି । ଇଂରାଜୀ ନବ ବର୍ଷର ଭାରତୀୟକରଣ ହୋଇ ଯାଇଛି । ଏହି ଘଟଣା ପ୍ରମାଣିତ କରୁଛି ଯେ ପାଶ୍ଟାତ୍ୟ ପର୍ବ ଭାରତରେ ଆସିବା ପରେ ପାଶ୍ଚାତ୍ୟ ସଂସ୍କୃତି ଭାରତୀୟ ସଂସ୍କୃତି ଆଗରେ ମୁଣ୍ଡ ନୁଆଁଇଛି ।
ଏହି ଘଟଣା ସ୍ପଷ୍ଟ କରେ ଯେ ଭାରତ ନିକଟରେ ବିଦେଶୀ ଓ ବିଜାତୀୟ ସଂସ୍କୃତିକୁ ଆତ୍ମସାତ କରିବାର କ୍ଷମତା ରହିଛି । କୌଣସି ପାଶ୍ଚାତ୍ୟ ପର୍ବ ଯଦି ଭାରତରେ କୌଣସି କାରଣରୁ ପ୍ରବେଶ କରେ ତେବେ ତାହା ସେହି ଭଳି ଭାବେ ପାଳିତ ନ ହୋଇ ଭାରତୀୟ ପରମ୍ପରା ଓ ସଂସ୍କୃତି ଆଧାରରେ ପାଳିତ ହୋଇଥାଏ । ଇଂରାଜୀ ନବ ବର୍ଷର ଭାରତୀୟକରଣ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ।
ଅତୀତର ପୃଷ୍ଠାକୁ ଯଦି ଆମେ ଓଲଟାଇବା ତେବେ ଦେଖିବା ଯେ ଶକ, ହୁଣ ପରି ଜାତି, ଯେଉଁ ମାନେ ବିଦେଶରୁ ଆସିଥିଲେ ସେମାନେ ଭାରତର ମୁଖ୍ୟସ୍ରୋତରେ ଲୀନ ହୋଇଯାଇଛି । ଆଜି ସେମାନଙ୍କର ଚିହ୍ନ ବର୍ଣ ନାହିଁ । ଆଜି ଯଦି ଆମେ ତାଙ୍କୁ ଖୋଜିବା ତେବେ ତାଙ୍କୁ ପାଇବା ନାହିଁ । ଏହା ଭାରତୀୟତା ବା ହିନ୍ଦୁତ୍ୱର ବିଶେଷତ୍ୱ । ହିନ୍ଦୁତ୍ୱ ବା ଭାରତୀୟତା ହେଉଛି ସର୍ବ ସମାବେଶୀ । ସମସ୍ତଙ୍କୁ ସାମିଲ କରିବାର କ୍ଷମତା ଭାରତୀୟତା ବା ହିନ୍ଦୁତ୍ୱ ମଧ୍ୟରେ ରହିଛି । ଏହା ହିଁ ହେଉଛି ଭାରତୀୟତାର ମହାନତା ।
ପରିବର୍ତନ ପ୍ରକୃତିର ନିୟମ । ସମୟ ଅନୁସାରେ ପରିବର୍ତନ ଘଟିବା ଅବଶ୍ୟମ୍ଭାବୀ । ଭାରତୀୟ ସଂସ୍କୃତିକୁ ସନାତନ ବୋଲି କହିବା ପଛରେ ମଧ୍ୟ ଏହି କାରଣ ରହିଛି । ଭାରତୀୟ ସଂସ୍କୃତିରେ ସମସ୍ତଙ୍କୁ ଆତ୍ମସାତ କରିବାର କ୍ଷମତା ରହିଛି । ଏହି କାରଣରୁ ଇକବାଲ ଥରେ କହିଥିଲେ ରୋମ, ୟୁନାନ, ମିଶର ମିଟ ଗୟେ ଜହାଁ , କୁଛ ବାତ ଏଇସି ହୈ କି ହସ୍ତି ମିଟତି ନହିଁ ହମାରୀ । ଅର୍ଥାତ ଦିନ ଥିଲା ରୋମ, ଗ୍ରୀସ ଓ ଇଜିପ୍ଟରେ ମଧ୍ୟ କେବେ ମହାନ ସଭ୍ୟତା ଠିଆ ହୋଇଥିଲା । ମାତ୍ର ସେମାନଙ୍କର ମଧ୍ୟରେ ଆତ୍ମସାତ କରିବାର କ୍ଷମତା ନ ଥିବା କାରଣରୁ ସେହି ସଭ୍ୟତା ଗୁଡିକ ଲୋପ ପାଇଯାଇଥିଲା । ତେବେ ଭାରତର ସଭ୍ୟତା ସେହି ଭଳି ଅକ୍ଷୁର୍ଣ ରହିଛି । କାରଣ ଭାରତ ନିକଟରେ ସମସ୍ତଙ୍କୁ ଏପରି ବାହାର ସଂସ୍କୃତିକୁ ମଧ୍ୟ ଆତ୍ମସାତ କରିବାର ମହାନ କ୍ଷମତା ରହିଛି । ସେଇଥି ପାଇଁ ଭାରତୀୟତା ବା ହିନ୍ଦୁତ୍ୱ କାଳଜୟୀ ।
ଇଂରାଜୀ ନବ ବର୍ଷର ଆରମ୍ଭର ଇତିହାସ କେବେ:-
ପାଶ୍ଚାତ୍ୟ କାଳଗଣନାର ବର୍ଷର ମୂଳ ରୋମାନ ବର୍ଷ ଅଟେ, ଯାହା ଇଶା ପୂର୍ବ ୭୫୩ରେ ରୋମ ନଗରର ସୂଚନାଠାରୁ ଆରମ୍ଭ ହୋଇଥିଲା। ରୋମାନ ବର୍ଷ ୩୦୪ ଦିନର ହୋଇଥାଏ।ଯାହା ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଏ।ଏଥିରେ ମୋଟ ୧୦ ମାସ ହୋଇଥାଏ।ଧିରେ ଧିରେ ଏଥିରେ ବଡ଼ ସମସ୍ୟା ଉପୁଜିଲା ଓ ଏହାକୁ ସଠିକ୍ କରିବା ଲାଗି ଇଶାପୂର୍ବ ୪୬ରେ ଜୁଲିୟସ ସୀଜର ନିଜର ୪୫୫ ଦିନର ଏକ ବର୍ଷ ଘୋଷଣା କଲେ।ପରେ ଆଗକୁ ଏହ ୩୬୫ ଦିନରେ ରୁପାନ୍ତରିତ ହେଲା।ସେ ନିଜର ନାମାନୁସାରେ ଜୁଲାଇ ମାସ ଯୋଡ଼ି ଦେଇ ବର୍ଷକୁ ୧୧ ମାସ କରି ଦେଇଥିଲେ।ପରେ ଆଗକୁ ଏହା ୩୬୫ ଦିନରେ ରୁପାନ୍ତରିତ ହେଲା।ସେ ନିଜର ନାମାନୁସାରେ ଜୁଲାଇ ମାସ ଯୋଡ଼ି ଦେଇ ୧୧ ମାସ କରି ଦେଇଥିଲେ । ପରେ ରାଜା ଅଗଷ୍ଟସ ନିଜ ନାମରେ ୧୨ ତମ ମାସ ଯୋଡ଼ି ଦେଇଥିଲେ ।ତଥା ବର୍ଷର ମାସ ଗୁଡ଼ିକର ନାମ ଓ ଦିନ ନିଶ୍ଚିତ କରିଥିଲେ । ପୁଣି ମଧ୍ୟ ଏଥିରେ ଅନ୍ତର ପଡ଼ିଥିଲା।୧୫୮୨ ଖ୍ରୀଷ୍ଟାବ୍ଦରେ ଏହି ଗଣନାରେ ୧୧ ଦିନର ଅନ୍ତର ହୋଇ ଯାଇଥିଲା ।କୁହାଯାଏ ସେହି ବର୍ଷ ପୋପ ଗ୍ରେଗରୀ ନିଜ ଆଜ୍ଞାରେ ଅକ୍ଟୋବର ୪କୁ ଅକ୍ଟୋବର ୧୫ କରି ଦେଇଥିଲେ।ତଥା ୪ ଓ ୪୦୦ରେ ବିଭାଜିତ ହେଉଥିବା ବର୍ଷରେ ୨୯ ଦିନର ଫେବୃଆରୀକୁ ମାନିବାକୁ ଆଜ୍ଞା ଦେଇଥିଲେ।ଏଥିପାଇଁ ଏହାକୁ ଗ୍ରେଗେରିଆନ କ୍ୟାଲେଣ୍ଡର କୁହାଯାଏ।ଏହି ନୂତନ ପଞ୍ଜିକା ଅନୂସାରେ ମାର୍ଚ୍ଚ ମାସରେ ନବବର୍ଷ ପାଳନ କରୁଥିବା ୟୁରୋପୀୟ ସମାଜ ଜାନୁଆରୀ ୧କୁ ନବବର୍ଷ ରୂପେ ପାଳନ କରିବା ଆରମ୍ଭ କଲା । ଧିରେ ଧିରେ ସମସ୍ତ ରାଷ୍ଟ୍ର ଗୁଡ଼ିକ ଏହାକୁ ସ୍ବୀକାର କରିନେଲେ ଓ ପରେ ଇଂରେଜମାନଙ୍କ ବିଶ୍ବବ୍ୟାପି ରାଜତ୍ବ ଏହାକୁ ବିଶ୍ବ ପ୍ରସିଦ୍ଧ କରିଦେଲା ।
ଭାରତରେ ଆଞ୍ଚଳିକ ନବବର୍ଷ:-
ଭାରତର ବିଭିର୍ଣ୍ଣ ରାଜ୍ୟ ତଥା ପ୍ରାନ୍ତରେ ସେମାନଙ୍କର ନିଜସ୍ୱ କ୍ୟାଲେଣ୍ଡର ଅନୁଯାୟୀ ନବ ବର୍ଷ ପାଳନ କରିଥାନ୍ତି।ଯେପରି ଓଡ଼ିଶାରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରେ ପାଳନ ହୋଇଥାଏ ଓଡ଼ିଆ ନୂଆବର୍ଷ।ଏହି ଦିନ ଠାରୁ ନୂଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ।ସେହିପରି ଦେଶର ବିଭିର୍ଣ୍ଣ ପ୍ରାନ୍ତରେ ଭିର୍ଣ୍ଣ ଭିର୍ଣ୍ଣ ଦିନ ସେମାନଙ୍କ ପାଞ୍ଜି ଅନୁଯାୟୀ ପାଳନ ହୋଇଥାଏ ନବବର୍ଷ।ତେବେ ନିଜ ନିଜ କ୍ୟାଲେଣ୍ଡର ଅନୁଯାୟୀ କେତେକ ଚୈତ୍ର ମାସର ପ୍ରଥମ ଦିନକୁ ନବବର୍ଷ ରୂପେ ପାଳନ୍ତି।ମରାଠୀ ମାନେ ଗୁଡି ପଡ଼ୱା ନାମରେ ନବବର୍ଷ ପାଳନ୍ତି।ସେହିପରି ପଞ୍ଜାବୀ ମାନେ ବୈଶାଖୀ ଭାବରେ, ତାମିଲ ମାନେ ପୁଥାଣ୍ଡୁ ନାମରେ,ଆସାମରେ ବୋହାଗ ବିହୁ ନାମରେ,ବଙ୍ଗଳାରେ ପୋହଲା ବୈଶାଖ ନାମରେ,ତେଲଗୁରେ ପୋଙ୍ଗଲ ଭାବରେ, ଗୁଜରାଟରେ ବେସ୍ତୁ ବରଷ ନାମରେ,ମାଲାୟଲମ ମାନେ ଭିସୁ ନାମରେ ସିକିମରେ ଲୁସୁଙ୍ଗ ନାମରେ ଏବଂ କାଶ୍ମୀରରେ ନଉରେଶ ନାମରେ ନବ ବର୍ଷ ପାଳିତ ହୋଇଥାଏ।ତେବେ ମାରୁଆଡ଼ି ମାନେ ଦୀପାବଳୀକୁ ନୂଆ ବର୍ଷ ରୂପେ ପାଳନ କରି ଥାଆନ୍ତି।
ପାଶ୍ଚାତ୍ୟ କାଳଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବଭାବନାର କୌଣସି ସମ୍ବନ୍ଧ ନଥାଏ ।ଯେପରି ଋତୁର ପରିବର୍ତ୍ତନ, ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ, ବିତ୍ତୀୟ ବର୍ଷର ପରିବର୍ତ୍ତନ, ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷରେ ଦେଖା ଯାଇଥାଏ । କିନ୍ତୁ ୧ ଜାନୁଆରୀ ରେ ଏପରି କଛି ଦେଖା ଯାଇନଥାଏ । ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି ଚିନ୍ତନ ।ଶୀତ ଋତୁର ବିବର୍ଣ୍ନ ଧରିତ୍ରୀର ଦୃଶ୍ୟଠାରୁ ବସନ୍ତର ନବପଲ୍ଲବ ନବବର୍ଷର ଉତ୍ସବ ପାଇଁ ଅଧିକ ଉପଯୋଗୀ ପରିବେଶ ପ୍ରଦାନ କରିଥାଏ ।ଭାରତୀୟ କାଳଗଣନା ପଦ୍ଧତି ଓ ନବବର୍ଷ ଉଭୟ ସ୍ବଦେଶର ମାଟି, ପାଣି, ପବନ ସହ ଜଡ଼ିତ । ଆମେ ଆମ ପାରିବାରିକ ଜୀବନର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ଯେପରି ବିବାହ, ବ୍ରତ, ଜନ୍ମ ଜାତକ, ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ସମ୍ବତ ଅନୁସାରେ କରିଥାଉ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ନବବର୍ଷ ପାଳନ କରିବା ସମୟରେ ଜାନୁଆରୀ ୧କୁ ପସନ୍ଦ କରିଥାଉ । ଭାରତବର୍ଷ ସାଂସ୍କୃତିକ ଦାସତାରୁ ମୁକ୍ତ ହୋଇ ସତ୍ୟକୁ ଅନ୍ବେଷଣ କରିବାକୁ ଆଗଭରା ହେଉଛି । ଏହା ସବୁଠାରୁ ଆନ୍ଦର ବିଷୟ । ସତ୍ୟର କଣ୍ଠ କିଛିକ୍ଷଣ ଅବରୋଧ କରାଯାଇପାରେ ସବୁଦିନ ପାଇଁ ନୁହେଁ । ସେଥିପାଇଁ ସର୍ବପୁରାତନ ଓ ବିଜ୍ଞାନ ଆଧାରିତ ଭାରତୀୟ କାଳଗଣନା ପଦ୍ଧତି ନିଜର ପ୍ରକୃତ ସ୍ବରୂପ ସହ ସମାଜ ସମ୍ମୁଖରେ ପ୍ରତିଭାତ ହେଉଛି ।
ଆସନ୍ତୁ ପାଳିବା ଆମ ନିଜସ୍ୱ ନୂଆବର୍ଷ, ଚୈତ୍ରଶୁକ୍ଳ ପ୍ରତିପଦା
ନୂଆବର୍ଷ ଅଭିନନ୍ଦନ
ପାଶ୍ଚାତ୍ୟ କାଳଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବଭାବନାର କୌଣସି ସମ୍ବନ୍ଧ ନଥାଏ ।ଯେପରି ଋତୁର ପରିବର୍ତ୍ତନ, ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ, ବିତ୍ତୀୟ ବର୍ଷର ପରିବର୍ତ୍ତନ, ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷରେ ଦେଖା ଯାଇଥାଏ । କିନ୍ତୁ ୧ ଜାନୁଆରୀ ରେ ଏପରି କଛି ଦେଖା ଯାଇନଥାଏ । ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି ଚିନ୍ତନ । ଶୀତ ଋତୁର ବିବର୍ଣ୍ନ ଧରିତ୍ରୀର ଦୃଶ୍ୟଠାରୁ ବସନ୍ତର ନବପଲ୍ଲବ ନବବର୍ଷର ଉତ୍ସବ ପାଇଁ ଅଧିକ ଉପଯୋଗୀ ପରିବେଶ ପ୍ରଦାନ କରିଥାଏ ।ଭାରତୀୟ କାଳଗଣନା ପଦ୍ଧତି ଓ ନବବର୍ଷ ଉଭୟ ସ୍ବଦେଶର ମାଟି, ପାଣି, ପବନ ସହ ଜଡ଼ିତ । ଆମେ ଆମ ପାରିବାରିକ ଜୀବନର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ଯେପରି ବିବାହ, ବ୍ରତ, ଜନ୍ମ ଜାତକ, ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ସମ୍ବତ ଅନୁସାରେ କରିଥାଉ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ନବବର୍ଷ ପାଳନ କରିବା ସମୟରେ ଜାନୁଆରୀ ୧କୁ ପସନ୍ଦ କରିଥାଉ । ଭାରତବର୍ଷ ସାଂସ୍କୃତିକ ଦାସତାରୁ ମୁକ୍ତ ହୋଇ ସତ୍ୟକୁ ଅନ୍ବେଷଣ କରିବାକୁ ଆଗଭରା ହେଉଛି । ଏହା ସବୁଠାରୁ ଆନ୍ଦର ବିଷୟ । ସତ୍ୟର କଣ୍ଠ କିଛିକ୍ଷଣ ଅବରୋଧ କରାଯାଇପାରେ ସବୁଦିନ ପାଇଁ ନୁହେଁ । ସେଥିପାଇଁ ସର୍ବପୁରାତନ ଓ ବିଜ୍ଞାନ ଆଧାରିତ ଭାରତୀୟ କାଳଗଣନା ପଦ୍ଧତି ନିଜର ପ୍ରକୃତ ସ୍ବରୂପ ସହ ସମାଜ ସମ୍ମୁଖରେ ପ୍ରତିଭାତ ହେଉଛି ।

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।