12/31/2021

ପୁରୁଷ ଆଇନାରେ ନାରୀର ପ୍ରତିବିମ୍ବ

                                                                                                ଯଶୋବନ୍ତ ସେଠୀ

ବସ୍ ଚାଲିଥାଏ । ନିରୂପମା ଝରକା କଡ ସିଟରେ ବସିଥିଲା । ଆବଶ୍ୟକ ମୁତାବକ
ଝରକା କାଚଖୋଲି ବାହାରକୁ ଚାହିଁ ଥିଲା । ଆଖିଆଗରେ କେତେକଣ ଦୃଶ୍ୟ କ୍ଷଣିକ ଦେଖାଦେଇ ପଛକୁ ହଟିଯାଉଥା'ନ୍ତି । ଜାତୀୟ ରାଜପଥ ଛାଡି  ବସ୍ ବର୍ତ୍ତମାନ ଗାଁରାସ୍ତାଧରିଥିଲା । ଗାଡିର ବେଗ କମି ଗଲା , କିନ୍ତୁ ନିରୂପମା  ମନର ବେଗ ବଢି ଯାଇଥିଲା ଘରକୁ ଛଅମାସ ପରେ ଆସୁଥିବାରୁ । ନିରୂପମା ମହାପାତ୍ର ; ରାଜ୍ୟ ସଚିବାଳୟର ଜଣେ କନିଷ୍ଠ କିରାଣୀ । ବୟସ ପାଖାପାଖି ତେତିଶି ; ଅବିବାହିତା । ଦଶହରା ଛୁଟିରେ ଘରକୁ ଆସୁଥାଏ । ଅପରାହ୍ନର ସୂର୍ଯ୍ୟ କ୍ରମଶଃ ପଶ୍ଚିମ ଦିଗବଳୟରେ ବିଦାୟ ନେବାର ସମୟ ପାଖେଇ ଆସୁଥାଏ । ନିରୂପମା ବ୍ୟସ୍ତ ହୋଇପଡୁଥାଏ ସନ୍ଧ୍ୟା ଆଗରୁ ଗାଁରେ ଗାଡି ପହଞ୍ଚିବ ନପହଞ୍ଚିବ ଭାବି । ତେବେ ତାଆଖିରେ ପଡୁଥିବା ଗାଁଗଣ୍ଡାର ମନୋରମ ଦୃଶ୍ୟ , ବିଲବାଡିର ସବୁଜିମା  ଆଦିକୁ ଉପଭୋଗ ନକରି ରହିପାରୁ ନଥିଲା । ଆଉ ଦୁଇ ଚାରିଟା ବସଷ୍ଟପ୍ ପାର ହେଲା ପରେ ଛୋଟ ବଜାରଟାଏ ପଡିବ । ନିରୂ ସବାଶେଷ ବସଷ୍ଟେଣ୍ଡରେ ଓହ୍ଲାଇବ । ତା ବୋଉ ଦୁଇତିନିଦିନ ଆଗରୁ ନିଶ୍ଚିତ ଚିଠି ପାଇଥିବ ଆଉ ତାଗୋଡ ତଳେ ପଡୁନଥିବ । ଖାଲି ଖୋଜିଲା ଖୋଜିଲା ଆଖିରେ ଚାହିଁଥିବ । ଗାଁର କୁନି ମୁନି ପିଲାମାନଙ୍କୁ ମଧ୍ୟ ଖବରଟା ଦେଇ ଦେଇଥିବ । ପିଲା ଗୁଡାକ ନିରୂଦିଦି  ଆସିଲେକି ନାହିଁ ନିଜ ନିଜ ଘର ଝରକା ଫାଙ୍କରେ
ଚାହୁଁଥିବେ । ପୁଣି ଭାବୁଥାଏ ବୋଉ ମୋପାଇଁ ବାଢି ରଖିଥିବା ଭାତ ତରକାରୀ ଥଣ୍ଡା ହୋଇ ଯାଉଥିବାରୁ ମନେ ମନେ ଚିଡି ଯାଉଥିବ । ସତରେ ବୋଉ ଆଉ କାହାକୁ ଅପେକ୍ଷା କରନ୍ତା ! ବାପା ତ ଚାଲିଗଲେଣି ଦଶବର୍ଷ ତଳୁ । ଈଶ୍ବରଙ୍କ କୃପାରୁ ଛୋଟ କିରାଣୀ ଚାକିରୀଟିଏ ପାଇଚି  , ଛୋଟ ପରିବାରଟି ସୁରୁଖୁରୁରେ ଚଳିଯାଉଚି । ନିରୂପମା ଚାହିଁଥିଲା ଦିଗନ୍ତବିସ୍ତାରୀ ଧାନକ୍ଷେତ ଆଡେ । ଅଧିକାଂଶ ଧାନଗଛରେ ଥୋର ବାହାରି ନାହିଁ । ଚଢେଇ ଦଳଟେ ବିଲ ଉପରଦେଇ ଉଡି ଯାଉଥିଲେ । ବିଲରେ ସରୁସରୁ ପାଣିର ସୁଅ ଛୁଟିଚାଲିଥିଲା । ଗୋଟେ ଛୋଟ ଷ୍ଟପେଜରେ ଗାଡି ଅଟକିଲା । ପାଖରେ ଦୁଇଚାରିଟା ଦୋକାନ । ଟିକିଏ ପାଖକୁ ଛାଡି ଯୁବ କ୍ଲବଟିଏ । ପୂଜାପାଇଁ ଦୂର୍ଗା , ଲକ୍ଷ୍ମୀ, ଗଣେଶ, କାର୍ତ୍ତିକଙ୍କର ଅଧାଗଢା କାଦୁଅ ଲେସା ମୂର୍ତ୍ତି ତିଆରି ଚାଲିଥାଏ । ପୁଣି ଗାଡି ଆଗକୁ ବଢିଲା । ହେଇ କନ୍ଦରପୁର ବସଷ୍ଟେଣ୍ଡ ଆସିଗଲା । ନିରୂ ବ୍ୟଗ୍ର ହୋଇ ଓହ୍ଲେଇଲା । ନିରୁର କକା ଲେଖାର ଜଣେ ଲୋକ ସାଇକେଲ ନେଇ ଆସିଥିଲେ । ତାଙ୍କ ସହିତ ଘରେ ପହଞ୍ଚିଲା ।
        ପରଦିନ ସକାଳେ ନିରୁ ଗାଁ ଆଡେ ବୁଲି ବାହାରିଲା । ତା' ବୟସର ଝିଅ ଆଉ କେହି ଗାଁରେ ନଥିଲେ ; ସବୁ ବିଦା ହୋଇଗଲେଣି । ତା' ବୟସର ବୋହୂ ମାନଙ୍କ ସାଙ୍ଗରେ ସାଙ୍ଗ ହବାକୁ ବାହାରି ପଡିଲା । ହରି ନନାଙ୍କ ବୋହୂ ସୁମତୀ ଭାଉଜ ଭାରି ଚୁଲୁବୁଲିଟାଏ । ନିରୁ ଯେବେ ବି ଘରକୁ ଆସେ ଆଗ ଡାକରା ଆସେ ତାଙ୍କରି ପାଖରୁ । ଗାଁଆରେ ଅନ୍ୟ ଭାଉଜମାନେ ଈର୍ଷା କରନ୍ତି । ସର୍ବୋପରି ନିରୁ ହେଉଛି ଗାଁ ଯାକ ଭାଉଜଙ୍କର ସୁନାନାକୀ ନଣନ୍ଦ । ସବୁ ଭାଉଜଙ୍କୁ ସେ ଏତେ ନିଜର କରି ପକେଇଚି ଯେ ବସରେ ଚଢି ଭୁବନେଶ୍ଵର ବିଦା ହେଲା ବେଳକୁ ସମସ୍ତେ ଆଖିରୁ ଲୁହ ଝରାନ୍ତି ।  ନିରୁ କିନ୍ତୁ ଆଜି ପର୍ଯ୍ୟନ୍ତ କାହାର ଭାଉଜ ନହୋଇ ସେଇ ନଣନ୍ଦ ହୋଇ ରହିଯାଏ । ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବିନା ସାକ୍ଷାତକାରରେ ଟିପ୍ପଣୀ ବାଢନ୍ତି-- ନିରୁଟା ଦରବୁଢୀ ହେଲାଣି  ; ତା' ବାପ ପବନାଟା ବଞ୍ଚିଥିଲେ ଆଜି ଝିଅଟା ଅଭିଆଡୀ ଥାଆନ୍ତା କି ? ଆଉ ଜଣେ କହେ -- କେଜାଣି ରାଜଧାନୀରେ ରହିଛି ଟୋକୀଟା । ରାଜଧାନୀର କୋଉ ଟୋକା ସହିତ ଟାରେନାରେ କରୁନଥିବ ବୋଲି କଣ କିଛି ମାନେ ଅଛି  ? ଝିଅ ବେଶି ଦିନ ଘରେ ରହିଲେ ଅଡୁଆ, ଘିଅ ବେଶି ଦିନ ରହିଲେ କଡୁଆଟି ! --- ଏହିପରି କେତେ ଲୋକ କେତେ ମନ୍ତବ୍ୟ ସବୁ ଦିଅନ୍ତି । ନିରୁ ସେମାନଙ୍କ ଚର୍ଚ୍ଚାର ବିଷୟ ହୋଇପଡେ । ଗାଁଟା ଯାକର ଟୋକାଏ ବହୁଦିନ ଧରି ନିରୁକୁ ଲୋଭିଲା ଦୃଷ୍ଟିରେ ଚାହିଁ ରହିଥାଆନ୍ତି । ସମସ୍ତଙ୍କ ଆଶା ଥିଲା ନିରୁର ଉଛୁଳା ଯୌବନ ଉପରେ । ମୂରବୀ ନଥିବା ଘରକୁ କାହାର ଅବା ଡର ଥାଏ ! ନିରୁ ଭୁବନେଶ୍ବରରେ ଚାକିରୀ ପାଇ ପଳେଇଲା ପରେ ସବୁ ଟୋକାଏ ନିଜ ନିଜର ପ୍ରେମର ପସରା ଉପରେ ଘୋଡଣି ପକେଇ ରଖି ଦେଲେ । ନିରୁ ଜାଣେ ଏସବୁ ପାଇଁ ତା' ବୋଉ ସବୁଠାରୁ ବେଶି ମନ କଷ୍ଟ କରେ । କୋହ ଅସମ୍ଭାଳ ହେଲେ ବୋଉ ମଝିରେ ମଝିରେ ଚିଡି ଉଠେ -- ଲୋକେ କଣ କହୁଛନ୍ତି ତୋ କାନକୁ ଟିକିଏ ଶୁଭୁନାହିଁ ? ଏତେବଡ ଝିଅଟେ ହେଲୁଣି ; ସବୁବେଳେ ପିଲାଳିଆମିରେ ମାତିଛୁ । ବାହାଘର କଥା ଯେତେବେଳେ କହିଲେ ମୋ ଉପରେ ଗରମ ଖାଉଛୁ । ସମସ୍ତଙ୍କ ଆଖି କଣ ସମାନ  ? ତୋର କଣ ପୋଡି ଯାଉଛି ଯେ ! ସେଇ ତୋ ବାପ ନାଁକୁ ଯୋଡି ଯୋଉ ଅପବାଦ ଲୋକେ ଦଉଚନ୍ତି ସେକଥା ତୋ କାନରେ କାହିଁକି ପଡିବ ? ମୁଁ ଏ ଦୁନିଆରେ କାହିଁକି ଯେ ବଞ୍ଚିଛି ଲୋ ମାଆ......... ବାସ୍ ଆରମ୍ଭ ହେଇଯାଏ ବୋଉର ନାକକାନ୍ଦଣା । ଲୁଗାକାନିରେ ଲୁହପୋଛିବା ପର୍ଯ୍ୟନ୍ତ କଥା ଯାଏ । ବୋଉ ଜାଣେ ନିରୂ ବାହାହେଇ ଚାଲିଗଲେ ବୋଉ ବେସହାରା ହେଇଯିବ ; ତଥାପି ସେ ସ୍ୱାର୍ଥପର ହୋଇ ପାରେନାହିଁ । ମନେ ମନେ କେତେଆଡୁ କେତେ ପ୍ରସ୍ତାବ ଖୋଜିବୁଲେ । ହେଲେ ନିରୂର କି ଗରଜ ପଡିଛି ଯେ କୋଉ ପର ପୁରୁଷକୁ ବାହା ହବ ! ସାହି ପଡିଶା ଗାଁ ଲୋକେ ଯୋଉମାନେ ବାହାରୋଷଣି, ମାଇକ୍ ଶୋଭାଯାତ୍ରା ଦେଖି ଖୁସି ହେଉ ଥାଆନ୍ତି , ସେଇମାନେ ପୁଣି ନାକରେ କାଠି ଦେଇ ହସନ୍ତି ବାହାଘର ପରେ ଯେତେବେଳେ ଦମ୍ପତି ଦ୍ୱୟ ଦୁଃଖ ଦୁର୍ଦ୍ଦିନରେ ଭାସୁ ଥାଆନ୍ତି । 
       
    ଏସବୁ ପରେବି ନିରୁ ହାଡ-ମାଂସରେ ତିଆରି ମଣିଷଟିଏ  , ଯୁବତୀଟିଏ । ତାର ରୂପ ଅଛି , ଯୌବନ ଅଛି , ଧନ ମନ ସବୁକିଛି ଅଛି । ସେ ଚାହିଁଲେ ଗୋରାତକତକ ରାଜକୁମାରର ଚେହେରା ଥିବା ଯୁବକଟିଏର ହାତ ଧରି ବାହା ହେଇ ପାରନ୍ତା । ହସଖୁସିର ସଂସାର ଗଢିପାରନ୍ତା । କୁନି ମୁନି ପୁଅ ଝିଅ ଜନ୍ମ କରି ଗେଲ କରନ୍ତା । ସ୍କୁଲ ପଠାନ୍ତା ; ସ୍କୁଲକୁ ଗଲା ବେଳେ ତାଙ୍କ ଗାଲରେ ଚୁମା ଦେଇ ହାତ ହଲାଇ ବାଏ ବାଏ କରନ୍ତା.... । ଧ୍ୟାତ୍...ଏସବୁ ସେ କଣ ଭାବିଯାଉଛି ! ନିରୁକୁ ଲାଜ ମାଡିଲା । ମନେ ମନେ ହସି ଦେଲା ।ସତରେ କଣ ନିରୂ ସୁନ୍ଦରୀଟିଏ ! ତାର ରୂପ ଯୌବନ ଅନ୍ୟ ମନରେ ରୋମାଞ୍ଚ ଆଣିପାରେ ! ତା ପ୍ରତି ଯୁବକଟିଏ ଆକୃଷ୍ଟ ହୋଇପାରେ  ! ଏକଥା ସେ ଭଲଭାବରେ ଅନୁଭବ କଲା ସେଦିନ ତା' ଅଫିସରେ ସେକ୍ସନ୍ ଅଫିସର ସନ୍ଦୀପବାବୁଙ୍କ ଲୋଭାତୁର ଚାହାଁଣି ଓ ରସିକିଆ କଥାବାର୍ତ୍ତାରୁ । ଆଉ କିଏ ହେଇଥିଲେ ନିରୁ ହୁଏତ ତାର ସିଧାସଳଖ ଜବାବ ଦେଇ ପାରି ଥାଆନ୍ତା, କିନ୍ତୁ ଖୋଦ୍ ସନ୍ଦୀପ ବାବୁ ଯେ କି ନିରୁ ଡିପାର୍ଟମେଣ୍ଟରେ ପାଦ ଦେବାଠାରୁ ଆଜି ପର୍ଯ୍ୟନ୍ତ ତାକୁ ସମ୍ପୂର୍ଣ୍ଣ ରୂପେ ଗାଇଡେନସ୍ ଦେଇ ଆସିଛନ୍ତି, ତାଙ୍କୁ କିଛି କହିବାକୁ ବିବେକ ବାଧାଦେଲା । କିନ୍ତୁ ସନ୍ଦୀପ ବାବୁଙ୍କ ବିବେକ କେମିତି ବାଧା ଦେଲାନି ଗୋଟିଏ ସାନ ଭଉଣୀକୁ ଅନ୍ୟ ଚକ୍ଷୁରେ ଦେଖିଲା ସମୟରେ  ! ଜଏନ୍ କରିବା ପରେ ବର୍ଷେ ପାଖାପାଖି ସବୁ ଠିକଠାକ୍ ଚାଲିଥିଲା । ୟା' ଭିତରେ ଅଫିସରେ ଦୁଇ ତିନି ଜଣ ସିନିୟର୍ ସନ୍ଦୀପ ବାବୁଙ୍କର ମନ କଥାଟା ନିରୁକୁ ଜଣେଇ ମଧ୍ୟ ସାରିଥାନ୍ତି । ଖାଲି ନିରୁର ମତାମତକୁ ଅପେକ୍ଷା ଥିଲା । କଥା ଆଗକୁ ବଢେଇବା ପାଇଁ ମଧ୍ୟ ସମସ୍ତେ ଚେଷ୍ଟା କରୁଥିଲେ । ସନ୍ଦୀପବାବୁ ମଧ୍ୟ ଏ ଭିତରେ ରୂପା ଦିଦିଙ୍କ ମାର୍ଫତରେ ନିରୁ ସହିତ ସାମ୍ନାସାମ୍ନି କଥା ହୋଇ କୌଣସି ଗୋଟାଏ ଶେଷ ନିଷ୍ପତ୍ତି ନେଇ ଯିବାକୁ ପ୍ରସ୍ତାବ ଦେଇଥିଲେ । ବହୁତ କଷ୍ଟରେ ନିରୂ ଶେଷରେ ରାଜି ହୋଇଥିଲା ସନ୍ଦୀପ ବାବୁଙ୍କ ସହିତ ସୋ କଲଡ୍ ସାକ୍ଷାତକାରରେ ଭାଗ ନେବାପାଇଁ ।

         ସେଦିନଟି ଥିଲା ରବିବାର । ସନ୍ଦୀପ ବାବୁ ପୂର୍ବ ନିଷ୍ପତ୍ତି ଅନୁସାରେ ନିରୂର ସରକାରୀ କ୍ୱାର୍ଟାରକୁ ବାହାରି ପଡିଲେ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ଶେଷ ସମାଧାନର ସୂତ୍ର ବାହାର କରିବା ଉଦ୍ଦେଶ୍ୟରେ । ନିରୂ ଗତାନୁଗତିକ ଭାବରେ ନିଜର ନିତିଦିନିଆ ପୋଷାକ ପିନ୍ଧି ସନ୍ଦୀପ ବାବୁଙ୍କୁ ଅପେକ୍ଷା କରିଥାଏ । ରୂପସଜ୍ଜା , ଗୃହସଜ୍ଜା , ଖାଦ୍ୟପେୟ ଆଦିରେ କିଛି ବି ସ୍ୱାତନ୍ତ୍ର୍ୟ ନଥିଲା । କାହିଁକି ବା ରୁହନ୍ତା ! ସନ୍ଦୀପବାବୁ ନିରୂର କୋଉ ପସନ୍ଦଯୋଗ୍ୟ ଲୋକ ଯେ ତାଙ୍କପାଇଁ ସବୁକଥାରେ ଗୁରୁତ୍ବ ଦେଇଥାଆନ୍ତା ! ସନ୍ଦୀପ ବାବୁ ଆସିଲେ । ନିରୂ ନିଜର ବୈଠକ ଘରେ ସନ୍ଦୀପ ବାବୁଙ୍କୁ ବସିବାକୁ ଚୌକି ଅଫର କରି ଚା' ପରଶି ନିଜେ ମଧ୍ୟ ସାମ୍ନାରେ ବସିଲା । ବସୁ ବସୁ ନିରୂ ଆରମ୍ଭ କରିଦେଲା --
--- ଆପଣ ଆଜି ଯାହା କିଛି ପଚାରିବେ ମୁଁ ହୁଏତ ଜାଣିଛି । କାରଣ ଅଧିକାଂଶ ପୁରୁଷ ବିବାହପୂର୍ବ କନ୍ୟାଦେଖା ସମୟରେ ସେୟା ହିଁ ପଚାରନ୍ତି । ଏ ସମାଜଟା ପୁରୁଷସର୍ବସ୍ୱ ନୁହେଁ କି ? ତା' ନହେଲେ 'କନ୍ୟାଦେଖା'ରେ ପୁରୁଷଟି ନିଜେ ଆସୁଥିବା ବେଳେ 'ବରଦେଖା' ପାଇଁ ଝିଅଟିଏ ନିଜେ କଣ ପାଇଁ ଯାଇପାରେ ନାହିଁ  ? ପ୍ରଥମରୁ ସନ୍ଦୀପ ବାବୁ ଅପ୍ରସ୍ତୁତ ହୋଇପଡିଲେ । ନିରୂପମା କଥାଟାକୁ ଏମିତି ଢଙ୍ଗରେ ଆରମ୍ଭ କରିବ ବୋଲି ସେ ଭାବି ନଥିଲେ । ନିଜକୁ ଯଥା ସମ୍ଭବ ଖାପ ଖୁଏଇ ନେଇ ନିରୂ ସହ ଆଗକୁ ଆଗକୁ ଆଲୋଚନାରେ ଭାଗନେଲେ ।
     ନିରୂ ପୁଣି ଆରମ୍ଭ କଲା -- ଦେଖନ୍ତୁ ସାର୍ , ଆମେ ଗୋଟାଏ କାମ କଲେ କିପରି ହୁଅନ୍ତା ! ସବୁ କନ୍ୟାଦେଖା ସାକ୍ଷାତକାରରେ ଝିଅକୁ ବରପକ୍ଷ ଯାବତୀୟ ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରି ପକାନ୍ତି । କିନ୍ତୁ ମୋର କାହିଁକି ଇଚ୍ଛା ହେଉଛି ଆପଣଙ୍କ ପରିବର୍ତ୍ତେ ମୁଁ ମୋ ଆଡୁ ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରନ୍ତି । ଅବଶ୍ୟ ମୁଁ ସେ ଆଈମାଆ କାହାଣୀର ରାଜକୁମାରୀ ନୁହେଁ ,କିମ୍ବା ଆପଣ ବି ରାଜକୁମାର ନୁହଁନ୍ତି ଯେ ସ୍ୱୟମ୍ବରରେ ମୋର ତିନୋଟି ପ୍ରଶ୍ନର ଉତ୍ତର ଦେଇ ନପାରିଲେ ଆପଣ ପରାଜିତ ହୋଇ ଫେରିଯିବେ । ତେବେ ଆପଣ ରାଜି ତ ? ନିରୂ ମୁହଁରେ ସ୍ମିତହାସ୍ୟ । ସନ୍ଦୀପ ବାବୁ ସଙ୍କୁଚିତ ହୋଇ ଯାଉଥିବାର ଅନୁଭବ କଲେ । ହେଲେ ବି ମନର ଭାଷାକୁ ନିରୂକୁ ପଢିବାକୁ ନଦେଇ ସଦର୍ପରେ ହଁ ଭରିଲେ । ନିରୂ ଆରମ୍ଭ କଲା-- ବିବାହ ଠିକ୍ ହୋଇଗଲେ ଆପଣ ଏବଂ ଆପଣଙ୍କ ଘର ତରଫରୁ ଯୌତୁକ ଦାବି କରିବେ କି ନାହିଁ  ?
     
        ନିରୂର ଏଇ ଦୁର୍ବଳତା ପ୍ରତି ସନ୍ଦୀପ ବାବୁ ଆଗରୁ ସଚେତନ ଥିଲେ ;  ଆଉ ତା' ପାଇଁ ଗୋଟେ ସିଧାସଳଖ ଉତ୍ତର ମଧ୍ୟ ଯୋଗାଡ କରି ରଖିଥିଲେ । ସୁତରାଂ ନିରୂର ପ୍ରଶ୍ନ ସରିବା ମାତ୍ରେ ରୋକଠକ୍ ଉତ୍ତର ରଖିଥିଲେ --
   --- ଯେଉଁମାନେ ବିବାହ ପୂର୍ବରୁ ସିଧାସଳଖ କନ୍ୟାପକ୍ଷଠାରୁ ଯୌତୁକ ଦାବି କରନ୍ତି ସେମାନେ ନିର୍ଲଜ୍ଜ । ଆଉ ଯୋଉମାନେ ସିଧାସଳଖ ଦାବି କରିନପାରି ମଧ୍ୟସ୍ଥି ମାଧ୍ୟମରେ ଦାବି କରନ୍ତି ଏବଂ ଦାବି କରାଯାଇଥିବା ଯୌତୁକ କନ୍ୟାପକ୍ଷ ଦେବାରେ ଅସାମର୍ଥ୍ୟ ପ୍ରକାଶ କରିବାରୁ ସମ୍ପର୍କ କଟିଯାଏ , ସେମାନେ ଅତି ନିର୍ଲଜ୍ଜ । ଏଦୁହିଁଙ୍କ ମଝାମଝି ଆଉ ଗୋଟେ ପ୍ରକାର ଲୋକ ଅଛନ୍ତି, ଯୋଉମାନେ କନ୍ୟା ପସନ୍ଦ ହୋଇଥିବାରୁ ଗୋଟେପଟେ ସୁଯୋଗ ହାତଛଡା କରିବାକୁ ଚାହାଁନ୍ତିନି , ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଟଙ୍କାର ଯୌତୁକ ହାତଛଡା ହୋଇ ଯାଉଥିବାର କାରୁଣ୍ୟତା ଭିତରେ ପଡି ଛଟପଟ ହେଉଥା'ନ୍ତି ।
--- ଆପଣଙ୍କ କ୍ୟାଟେଗୋରୀ ଏଥିରୁ ସ୍ପଷ୍ଟ ହେଲାନାହିଁ । ମୋ ହିସାବରେ ସେମାନଙ୍କ ବ୍ୟତୀତ ଆଉ ଏକ ପ୍ରକାର ବିଚିତ୍ର ବ୍ୟକ୍ତି ଅଛନ୍ତି , ଯୋଉମାନେ ବିବାହ ପୂର୍ବରୁ ମୁଖଲଜ୍ଜାରୁ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ  ଯୌତୁକ ଦାବି କରି ପାରନ୍ତି ନାହିଁ ଅଥଚ ଯୌତୁକ ଲାଳସାର ବହ୍ନି ସେମାନଙ୍କ ମନ ଭିତରେ କୁହୁଳୁଥାଏ , ଯାହାର ଲେଲିହାନ ଶିଖା ବିଚାରୀ ନବବଧୂଟିର ସର୍ବାଙ୍ଗକୁ ତିଳ ତିଳ କରି ଆଜୀବନ ଜାଳିପୋଡି ପାଉଁଶ କରିପକାଏ ।

     -- ମୁଁ ଏଥିରୁ କୌଣସି କ୍ୟାଟେଗୋରୀ ଭିତରେ ଯାଏନା । ମୁଁ ସେ ସବୁର ଊର୍ଦ୍ଧ୍ୱରେ । ଆମର କଣ ନାହିଁ  ! ମାସକୁ ପଚାଶ ହଜାର ଦରମା, ଘରେ ଆମର ସମ୍ପୂର୍ଣ୍ଣ ଆଭିଜାତ୍ୟ । ବାପା ଚିଫ୍ ଇଞ୍ଜିନିୟରରେ ଅବସର ନେଇଛନ୍ତି, ମା' ମଧ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ଆଉ ଶୁଣିବେ ?
-- ଥାଉ । ମୋର ଦ୍ବିତୀୟ ପ୍ରଶ୍ନ ଶୁଣନ୍ତୁ । ଆପଣଙ୍କର ବୟସ ହୁଏତ ବୟାଳିଶି ପାଖାପାଖି ।
-- ଚାଳିଶି ବର୍ଷ ଆଠମାସ । 
--- ଏପର୍ଯ୍ୟନ୍ତ ବାହା ନହେବାର କାରଣ ! !
-- ଜଣେ ପୁରୁଷ ଠିକ୍ ସମୟରେ ବାହା ନହୋଇ ପାରିବାର ଶହ ଶହ କାରଣ ଥାଇପାରେ । ଯେମିତିକି ମନ ପସନ୍ଦର ଝିଅ ନମିଳିବା , ପରିବାରର ଚାପ , ନିଜର ପ୍ରେମିକା ଧୋକା ଦେଇ ଅନ୍ୟତ୍ର ବିବାହ କରିଯିବା ପରର ଗ୍ଳାନି, ପସନ୍ଦ ହୋଇଥିବା ଝିଅଟି ପୁଅଟିକୁ ପସନ୍ଦ ନକରିବା , ଜାତକ ମେଳ ନଖାଇବା ....
-- ଥାଉ ଥାଉ । ଆପଣଙ୍କ ପାଇଁ ୟାଭିତରୁ କୋଉ କାରଣଟା ପ୍ରଯୁଜ୍ୟ ?
--- ଆପଣଙ୍କ ମନସ୍ତତ୍ବ କହୁଛି ଆପଣ ମୋ ଉତ୍ତରରେ ସନ୍ତୁଷ୍ଟ ହୋଇ ନପାରନ୍ତି ।
-- ସତଭଳି ଲାଗିଲେ କଣ ପାଇଁ ବିଶ୍ୱାସ ନକରିବି ?
-- ଆପଣ ମୋ ବିବାହ ପ୍ରସ୍ତାବରେ  ମୋଟେ ରାଜି ନାହାଁନ୍ତି ମୁଁ ଜାଣେ । ଆମ ଭିତରେ ଆଜିର ଏ କଥୋପକଥନ ପରେ ମଧ୍ୟ ମୁଁ ଆପଣଙ୍କୁ ଏ ପ୍ରସ୍ତାବରେ ରାଜି କରେଇ ପାରିବି ବୋଲି ମୋର ବିଶ୍ୱାସ ନାହିଁ । କିନ୍ତୁ ମୁଁ ଆପଣଙ୍କୁ, ତଥା ଆପଣଙ୍କ ବ୍ୟକ୍ତିତ୍ୱକୁ  ଭଲଭାବରେ ଚିହ୍ନି ପାରିଛି । ମୋତେ ଉପରେ ଦେଖି ଆପଣ ଯେଉଁ ଧାରଣାରେ ଉପନୀତ ହୋଇଛନ୍ତି,  ମୋର ଭିତରେ ହୁଏତ ଅନ୍ୟ ପ୍ରକାରର । ମୁଁ ଉପରେ ପଡି ଆପଣଙ୍କୁ ପ୍ରସ୍ତାବ ଦେଇଥିବାରୁ ମୁଁ ଆପଣଙ୍କ ଉପର ଅଫିସର୍ ବୋଲି ବାଧ୍ୟହୋଇ ଜଷ୍ଟ୍ ଗୋଟାଏ ସୌଜନ୍ୟ ମୂଳକ ସାକ୍ଷାତକାର ଚାଲିଛି,  ଏହା ବି ସତ୍ୟ ।
   
        ନିରୂର ମୁହଁରେ ପରିବର୍ତ୍ତନର ଢେଉ ଖେଳିଆସୁଥିଲା । ଧୀରେ ଧୀରେ ସେ ସନ୍ଦୀପ ବାବୁଙ୍କର କଥାକୁ କାହିଁକି କେଜାଣି ବିଶ୍ୱାସ କରିବାକୁ ଆରମ୍ଭ କରୁଥିଲା । ୟାର ବାସ୍ନା ମଧ୍ୟ ନିରୂ ପାଇ ପାରିଥିଲା ଏବଂ ଭାବୁଥିଲା-- ସନ୍ଦୀପ ବାବୁ ମୋତେ ଇମୋଶନଲୀ ଟ୍ରାପ୍ କରିବାକୁ ନିଶ୍ଚୟ ଚେଷ୍ଟା କରୁଛନ୍ତି । ସନ୍ଦୀପବାବୁ ପୁଣି କହି ଚାଲିଥିଲେ--
     -- ଏପର୍ଯ୍ୟନ୍ତ ଆପଣ ମୋଠୁଁ ଯଥାର୍ଥ ଉତ୍ତର ପାଇ ପାରୁନଥିବାରୁ ବ୍ୟସ୍ତ ହେଉଛନ୍ତି ନିଶ୍ଚିତ । ତେବେ ଶୁଣନ୍ତୁ , ମୁଁ ଏପର୍ଯ୍ୟନ୍ତ ବାହା ହୋଇ ନ ପାରିବାର କାରଣ --   ନାରୀ ଆଖିର ଅଶ୍ରୁ ।-- ବୁଝି ପାରିଲିନି .....
-- ମୁଁ ତିନିଚାରି ଜଣ ସାଙ୍ଗଙ୍କ ବାହାଘର ବରଯାତ୍ରୀରେ ଯୋଗ ଦେଇଛି । କନ୍ୟା ବିଦାୟ ବେଳର ସେ ହୃଦୟ ବିଦାରକ ଅଭୁଲା ଦୃଶ୍ୟ ଦେଖିଲେ ମୋ ଆଖିରୁ ବି ପାଣି ନିଗିଡି ପଡେ । ସତରେ କନ୍ୟା 'ଦୁହିତା' ଅଟେ । ଝିଅଟିଏର ଅଶ୍ରୁର ମୂଲ୍ୟ ହୀରା-ନୀଳା -ମୋତି-ମାଣିକ୍ୟ ଠାରୁ ଯଥେଷ୍ଟ ଗୁଣରେ ଅଧିକ ବୋଲି ମୁଁ ଭାବେ । ଏ ସମାଜରେ ଝିଅଟିଏ ଜନ୍ମ ହେଲା ମାତ୍ରେ କାହିଁକି କେଜାଣି ଆଜିବି ଏକପ୍ରକାର ଘୃଣାର ବାତାବରଣ ସୃଷ୍ଟି ହୋଇପଡେ !
     ଜେଜେବାପା-ଜେଜେମାଆ -- " କଣ ଆଉ ହେଇଥାଆନ୍ତା ! ନାତୁଣୀଟିଏ ହେଲା ମ !" ବାପା --" ଆଇ ଆମ୍ ଅନଫରଟୁନେଟ୍  , ଝିଅଟିଏ ହେଲା ।" ଡାକ୍ତର,  ନର୍ସ୍ , ହସ୍ପିଟାଲରେ ଉପସ୍ଥିତ ଅନ୍ୟ ଷ୍ଟାଫମାନେ " କଙ୍ଗରାଚୁଲେସନସ୍ , ଲକ୍ଷ୍ମୀ ଆସିଛନ୍ତି " କହିଲା ବେଳେ କିନ୍ତୁ ପୁଅଟିଏ ହବାର ଖୁସିଠାରୁ କମ୍ ଉଦ୍ଦୀପନା ଭରିଥାଏ ସେ ଭାଷାରେ । ପ୍ରକୃତରେ ଝିଅଟିକୁ ଜନ୍ମପୂର୍ବରୁ ମଧ୍ୟ କେହି ଚାହିଁ ନଥାନ୍ତି । ଗର୍ଭାବସ୍ଥାରେ ଥିଲା ବେଳେ ବିଭିନ୍ନ ପୂଜାପାଠ କରିବା ସମୟରେ ମାଆଟି ଉଦ୍ଦେଶ୍ୟରେ "ପୁତ୍ରବତୀ ଭବ" ଶବ୍ଦଟା କେତେ ସହଜରେ ବାହାରି ନଆସେ ସତେ ! ତଥାପି ଝିଅଟିଏ ଘରୁ ବିଦା ବେଳେ ଉପସ୍ଥିତ ଶୁଭାକାଂକ୍ଷୀ , ଆତ୍ମୀୟ ସ୍ୱଜନ , ସାଙ୍ଗସାଥୀ,  ସାହିପଡିଶା , ସର୍ବୋପରି ବାପା-ମାଆ କାହିଁକି ଲୁହ ଗଡେଇ ଥା'ନ୍ତି ! ପ୍ରକୃତରେ ଝିଅ ଜନ୍ମ ହେଲାଠାରୁ ବାହା ହେଲା ପର୍ଯ୍ୟନ୍ତ ଯେତିକି ଦିନ ବାପଘରେ ଥାଏ ତା'ର ସୁବାସରେ ସମସ୍ତଙ୍କୁ ପୁଲକିତ କରିଥାଏ । ନାରୀ ହେଉଛି 'ଶୃଙ୍ଖଳା'ର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶୃଙ୍ଖଳିତ ଜୀବନ ବିତେଇବାକୁ ନାରୀ ହିଁ ଶିକ୍ଷା ଦେଇଥାଏ । ମଣିଷକୁ ଭଲ ବ୍ୟବହାର,  ସ୍ନେହ, ମମତା, ଭଲପାଇବା , ଗୁରୁଜନଙ୍କୁ ଭକ୍ତି,  ସଂସ୍କାର, ଅନ୍ୟର ସେବା, ଅତିଥି ସତ୍କାର,  ମିତବ୍ୟୟିତା , ଈଶ୍ବର ଭକ୍ତି, ସମୟାନୁବର୍ତ୍ତିତା ଆଦି ସମସ୍ତ ପ୍ରକାର ସକାରାତ୍ମକ ଗୁଣ ଜଣେ 'ନାରୀ' ବା ଜନନୀ ହିଁ ଦେଇଥାଏ । ଏକଥା ଝିଅଟିଏ ଘରୁ ଗୋଡ କାଢି ସବୁଦିନ ପାଇଁ ଚାଲିଯିବା ସମୟରେ ସମସ୍ତେ ଉପଲବ୍ଧି କରୁଥିବାରୁ ସମସ୍ତଙ୍କ ଆଖିରେ ଲୁହ ଆସିଥାଏ । ଆଉ ମୁଁ ବି ସେମାନଙ୍କ ଭିତରୁ ଜଣେ । ନାରୀ ଆଖିରେ ଲୁହ ଦେଖିଲେ ମୋର ଭାବାବେଗ ଅସମ୍ଭାଳ ହୋଇପଡେ । ଆଉ ସେଇଥିପାଇଁ ମୁଁ କୌଣସି ବାହାଘରରେ ଯୋଗଦାନ ଦେଲେ ବି ଝିଅବିଦା ବେଳେ ଅନୁପସ୍ଥିତ ଥାଏ .. l
         ନିରୂ ବହୁତ କଷ୍ଟରେ ନିଜର ବାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟାକଲେ ବି ପାରୁନଥିଲା । ଆଖି ପତା ଓଦା ହୋଇ ଆସୁଥିଲା । ତା' ଅଜାଣତରେ ସନ୍ଦୀପ ବାବୁଙ୍କର ବ୍ୟକ୍ତିତ୍ୱ ପ୍ରତି ସମ୍ମାନ ଆସିବାକୁ ଲାଗିଥିଲା । ସନ୍ଦୀପ ବାବୁ କହି ଚାଲିଥିଲେ ---.ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପଦଚାରଣ କରିବା ଆଗରୁ ମୁଁ ଆପଣଙ୍କ ଘରର ଷ୍ଟାଟସ୍ ତଥା ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କିଛି ତଥ୍ୟ ପାଇସାରିଛି । ମୁଁ ଏମିତି ଜଣେ ବ୍ୟକ୍ତିତ୍ୱର ଅନୁସନ୍ଧାନରେ ଥିଲି , ଯୋଉଥି ପାଇଁକି ଜୀବନର ଅଧାରୁ ଅଧିକ ବୟସ ପଛରେ ଫୋପାଡି ଦେଇଆସିଛି , ସେହି ବ୍ୟକ୍ତିର ସନ୍ଧାନ ମୁଁ ଆଜି ପାଇ ପାରିଛି । ଆପଣ ବି  ଆଜିପର୍ଯ୍ୟନ୍ତ ବାହା ନହେବାର ବିଭିନ୍ନ କାରଣ ଭିତରୁ ମୁଁ ଭାବୁଚି  "ଝିଅଟିଏ" ହିଁ ମୁଖ୍ୟ କାରଣ । ଆପଣ ଜଣେ ଆଦର୍ଶ ଝିଅ ହୋଇଥିବାରୁ ଆପଣ ନିଜ ଜୀବନ ଯୌବନକୁ ଗୁରୁତ୍ବୁ ନଦେଇ  ବିଧବା ମାଆଙ୍କୁ ଛାଡି ପରପୂରୁଷର ହାତ ଧରି ଯାଉନାହାନ୍ତି ।  ଗରିବ ପରିବାରରେ  ସାଧାରଣତଃ ଝିଅମାନଙ୍କୁ ପାଠପଢାରୁ ବଞ୍ଚିତ କରୁଥିଲା ବେଳେ ଆପଣ ସେଭଳି ପରିବାର ପାଇଁ ଏକ ମଡେଲ୍ ବା ଆଦର୍ଏଶ ହୋଇ ବାହାରିଛନ୍ତି । ଆପଣ ଶିକ୍ଷାର ମର୍ଯ୍ୟାଦା ବେଶ୍ ରଖି ପାରିଛନ୍ତି  । ସବୁ ତ୍ପୁଅ-ଝିଅମାନେ ଆପଣଙ୍କ ଆଦର୍ଶକୁ ଅନୁସରଣ କରନ୍ତେ କି ! 

       -- ଆପଣ ବାହା ହୋଇ ବିଦା ହେଉଥିବା ନାରୀର ଲୁହରେ ବ୍ୟତିବ୍ୟସ୍ତ ହୁଅନ୍ତି । ମୋ ଆଖିରୁ ବି ଲୁହ ଗଡିବ । ମୋର ବିଦାୟରେ କେବଳ ମୋ ମାଆ କାହିଁକି, ମୋ ଗାଁର କୁନିମୁନି ପିଲାମାନେ, ଗାଁ ସାରାର ଭାଉଜମାନେ ସମସ୍ତେ ଲୁହ ଗଡାଇବେ । ମୋ ଅବର୍ତ୍ତମାନରେ ଆମ ଘର କେମିତି ଚଳିବ ? ମୋ ମାଆ ସମ୍ପୂର୍ଣ୍ଣ ଏକୁଟିଆ ତଥା ଅବହେଳିତ ହୋଇଯିବ । ତାର ଅବଶିଷ୍ଟ ଜୀବନର ଦାୟିତ୍ବ ନେବାକୁ କେହି ନାହାଁନ୍ତି ଯେ !

--- ସବୁ ଝିଅଙ୍କର ଭାବନା ଏୟା ହିଁ ହୋଇଥାଏ । କିନ୍ତୁ ସବୁ ପୁଅଙ୍କ ମନରେ ଏଇ ସମାନ ଭାବ ଉଦ୍ରେକ ହୁଏ ନାହିଁ କଣ ପାଇଁ  ? ଝିଅଟିଏ ଶ୍ୱଶୁର ଘରକୁ ଗଲେ ମଧ୍ୟ ତା ବାପା-ମାଆଙ୍କୁ ସେଇ ସମାନ ସମ୍ମାନ ଦେଇଥାଏ । ସେଥିରେ କେବେ ଊଣା କରେନାହିଁ । କିନ୍ତୁ ସମାଜରେ ଅଧିକାଂଶ ପୁଅ କାହିଁକି ବାହା ହେଲା ପରେ ପରିବର୍ତ୍ତନ ହୋଇଯାଆନ୍ତି  ? ଆଉ ଏସବୁ ସବୁ ବାପା-ମାଆ , ସମାଜର ସବୁ ବର୍ଗର ଲୋକେ ଜାଣି ମଧ୍ୟ ସରକାରଙ୍କ ବେଟି ବଚାଓ ନାରା ପ୍ରତି  ଏତେ ବିତସ୍ପୃହ କାହିଁକି  ? ଦିନ ଦ୍ବିପ୍ରହରରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରି  କନ୍ୟା ସନ୍ତାନମାନଙ୍କୁ ଡଷ୍ଟବିନର ପୂତିମୟ ପରିବେଶରେ ଫୋପାଡି ଦେଇ ଗୋଟେ କାଳଗ୍ରହ ତୁଟିଗଲା ଭାବି ହଜାର ହଜାର ରାକ୍ଷସ ଦମ୍ପତି ଭୃଣହତ୍ୟା ଭଳି ମହାପାପ କରିଚାଲିଛନ୍ତି । ସେମାନେ ଭାବୁନାହାଁନ୍ତି ସେମାନଙ୍କୁ ଏ ସୁନ୍ଦର ପୃଥିବୀରେ ଅସ୍ତିତ୍ଵ ଟିକକ କିଏ ଦେଇଛି ! ସେଇ ନାରୀ ପେଟରୁ ଜନ୍ମ ହୋଇ ସେମାନେ ନାରୀକୁ ହିଁ  ବଧ କରୁଛନ୍ତି-- ନରଟିଏର ଆଶାରେ । ଏହାଠାରୁ ବଳି ଦୁଃଖର କଥା ଆଉ କଣ ଥାଇପାରେ  ! 
    
     ନିରୂପମା ଅନୁଭବ କରୁଥିଲା -- ସନ୍ଦୀପ ବାବୁ  ତା ମନରେ  ଯେଉଁ ସୁସ୍ଥ ଧାରଣା ସୃଷ୍ଟି କରିବାକୁ ସଂକଳ୍ପ ନେଇ ଆସିଥିଲେ ସେଥିରେ ସେ ସଫଳ ହୋଇଛନ୍ତି । ନାରୀଙ୍କୁ ପ୍ରକୃତ ସମ୍ମାନ ଦେଇ ପାରୁଥିବା ପୁରୁଷ ହିଁ ସବୁ ନାରୀଙ୍କର କାମ୍ୟ ହେବା ଚାହି । ଆଉ ମଧ୍ୟ ଆଜିର ଏ ବିସ୍ତୃତ କଥୋପକଥନରୁ ସେ ଶିଖି ପାରିଥିଲା ପୁରୁଷର ବହିଃ ସଂଜ୍ଞା ଭିତରକୁ ପଶି ଖୋଜିଲେ କିଛି କିଛି ପୁରୁଷଙ୍କ କ୍ଷେତ୍ରରେ ଅନ୍ତଃସଂଜ୍ଞା କିଛି ଭିନ୍ନ ପ୍ରକାରର ମିଳିଥାଏ ଏବଂ ସେଥିପାଇଁ ଦରକାର ନାରୀର ବ୍ୟକ୍ତିଗତ ଦୂରଦୃଷ୍ଟିର ସ୍ୱଚ୍ଛ ଲେନସ୍ ।

ଏ ସି ପି ( ନିରାପତ୍ତା ),ପୋଲିସ କମିଶନରେଟ ମୁଖ୍ୟାଳୟ
ଭୁବନେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ

ଗାନ୍ଧିଙ୍କ ପରବର୍ତ୍ତୀ ଗାନ୍ଧୀବାଦୀ ଦର୍ଶନ


                                                                                                                                 କ୍ଟକ୍ଷ୍ମସାହୁ
    ସହସ୍ରାଦ୍ଦର  ଶ୍ରେଷ୍ଠ  ପୁରୁଷ,  ଭାରତୀୟ  ଜାତୀୟ  ଆନ୍ଦୋଳନର ଶ୍ରେଷ୍ଠ  ପୁରୋଧା  , ଜାତିର  ପିତା  ମୋହନ  କରମ  ଚାନ୍ଦ  ଗାନ୍ଧୀ ଭାରତ  ବର୍ଷରେ  ନୁହେଁ , ସମଗ୍ର  ବିଶ୍ୱ  ଦରବାରରେ  ମହାତ୍ମାଗାନ୍ଧୀ  ନାମରେ ପରିଚିତ  ।  ଏକାଧାରରେ  ଜଣେ  ସଂସ୍କାରକ ,  ବିପ୍ଳବୀ  ,  ଦାର୍ଶନିକ  ଓ  ଚିନ୍ତାନାୟକ  ।  ଭାରତ  ତଥା  ବିଶ୍ୱରାଜନୀତିରେ  ତାଙ୍କର  ଅବଦାନ ଏକ   ଯୁଗାନ୍ତକାରୀ  ବିସ୍ମୟାଭିଭୂତ  ଘଟଣା  ।  ଗାନ୍ଧୀବାଦ  ସେଭଳି କୌଣସି  ନିର୍ଦ୍ଦିଷ୍ଟ  ନୀତି  ବା  ଦର୍ଶନ  ଉପରେ  ପର୍ଯ୍ୟବେସିତ  ନୁହେଁ  , ବରଂ  ଏହା  ହେଉଛି  ମହାତ୍ମାଗାନ୍ଧୀଙ୍କର  ଚିନ୍ତାଧାରା  ଓ  ଆଦର୍ଶକୁ ନେଇ  ଗଢିଉଠୁଥିବା  ଏକ  ବିଚାରଧାରା  ଦର୍ଶନ  ।  ଗାନ୍ଧିଜୀ  ନିଜେ କହିଛନ୍ତି - " ଗାନ୍ଧୀବାଦ  "  ବୋଲି  ସେଭଳି   କିଛି  ନାହିଁ   ।   ତେଣୁ  'ଗାନ୍ଧୀ ବାଦ '  କହିଲେ  ତାଙ୍କ  ଦ୍ୱାରା  ପ୍ରବର୍ତ୍ତିତ  ନୀତି  ଓ  ଆଦର୍ଶକୁ ବୁଝାଇଥାଏ  ।
      ଗୁଜରାଟର   କାଥୂୱ।ଡ  ଜିଲ୍ଲାର  ପୋରବନ୍ଦର  ଠାରେ  ଏକ  ସମୃଦ୍ଧ  ବଣିକ  ପରିବାରରେ  ୧୮୬୯  ମସିହା  ଅକ୍ଟୋବର  ୨ ତାରିଖରେ  ଗାନ୍ଧୀଙ୍କ  ଜନ୍ମ  ।   ତାଙ୍କ  ପିତାଙ୍କ  ନାମ  କାବା  ଗାନ୍ଧୀ  ଓ  ମାତାଙ୍କ  ନାମ  ପୁତୁଳି  ବାଈ  । ତାଙ୍କ  ପୂର୍ବ  ପୁରୁଷମାନେ  ଗୁଜରାଟର  ଏକ  ଛୋଟ  ଦେଶୀୟ  ରାଜ୍ୟରେ   କର୍ମଚାରୀ  ଥିଲେ  ।   ବ୍ରିଟେନର  ଏକ  ବିଶ୍ୱବିଦ୍ୟାଳୟରୁ  ସ୍ନାତକ  ଲାଭ  କରିବା  ପରେ  ଗାନ୍ଧୀ  ଆଇନ୍  ବ୍ୟବସାୟ  ଦକ୍ଷିଣ  ଆଫ୍ରିକାରେ  କରିଥିଲେ  ।  ଦକ୍ଷିଣ  ଆଫ୍ରିକାରେ  ନିଷ୍ଠୁର  ବର୍ଣ୍ଣବୈଷ୍ୟମର  ଶିକାର  ପାଲଟି  ଥିବା  ପ୍ରବାସୀ  ଭାରତୀୟ  ମାନଙ୍କର  ଅଧିକାର  ସାବ୍ୟସ୍ତ  କରିବା  ନିମନ୍ତେ  ସେଠାରେ  ସେ ସଂଗ୍ରାମ  ଆରମ୍ଭ  କରିଥିଲେ  ।  ଦକ୍ଷିଣ  ଆଫ୍ରିକାରେ  କରିବାର  ସେଇସବୁ  ବର୍ଷ  ଗୁଡିକରେ  ଗାନ୍ଧିଜୀଙ୍କ  ଦାର୍ଶନିକ   ଓ  ସାମାଜିକ ,  ରାଜନୈତିକ  ଭାବାଦର୍ଶଗୁଡିକ  ମୋଟା  ମୋଟି  ଭାବରେ  ରୂପ  ଲାଭ  କରିଥିଲା  ।  ବିଶେଷ  କରି  ତାଙ୍କ  ଚିନ୍ତା  ଚେତନା  ଉପରେ  ବିଭିନ୍ନ  ବ୍ୟକ୍ତି  ତଥା  ଧର୍ମ  ଗ୍ରନ୍ଥର  ପ୍ରଚୁର  ପ୍ରଭାବ  ପଡିଥିଲା  ।  ମା  ପୁତୁଳି  ବାଈ  ଥିଲେ  ଜଣେ  ଧର୍ମ  ପରାୟଣ  ମହିଳା  ।  ଫଳତଃ  ବାଲ୍ୟାବସ୍ଥାରୁ   ତାଙ୍କ  ମାତାଙ୍କର  ଧର୍ମାନୁସୃତ  ତାଙ୍କ  ଉପରେ  ପ୍ରଭାବ  ପକାଇଥିଲା  ।  ବିଭିନ୍ନ  ଧର୍ମଗ୍ରନ୍ଥ  ଯଥା-  ଭଗବତ୍  ଗୀତ ,  ରାମାୟଣ  ଓ  ମହାଭାରତ ,  ବାଇବେଲ୍  ଓ  କୋରାନ୍  ଦ୍ବାରା  ସେ  ପ୍ରଭାବିତ  ହୋଇଥିଲେ  ।   ବିଶ୍ୱ  ପରିଚିତ ,  ପ୍ରଶଂସିତ ,  ସ୍ୱନାମଧନ୍ୟ   ଡାଭିଡ଼  ଥୋରା  ,  ରସକିନ୍ ,  ବଣ୍ତ ,  ଲିଓ  ଟଲଷ୍ଟୟ ,  ଗୋପାଳ  କୃଷ୍ଣ  ଗୋଖେଲଙ୍କ  ଦ୍ବାରା   ବିଶେଷ  ଭାବରେ  ଅନୁପ୍ରାଣିତ  ହୋଇଥିଲେ  ।  ଗୋପାଳ  କୃଷ୍ଣ  ଗୋଖେଲଙ୍କ  ଉଦାରବାଦୀ  ଚିନ୍ତାଧାରା ,  ସାମ୍ବିଧାନିକ  କଳା  କୌଶଳ  ,  ରାଜନୈତିକ  ସହନଶୀଳତା  ଓ  ସାଲିସ୍  ସୂତ୍ର  ଦ୍ବାରା  ସେ  ଗଭୀର  ଭାବରେ  ପ୍ରଭାବିତ  ହୋଇଥିଲେ  ।  କୁହାଯାଏ  ଗୋପାଳ  କୃଷ୍ଣ  ଗୋଖେଲ  ଥିଲେ    ଗାନ୍ଧିଜୀଙ୍କ  ' ରାଜନୈତିକ  ଗୁରୁ '   ।

      ସ୍ମରଣଯୋଗ୍ୟ  ଯେ ,   ଦକ୍ଷିଣ  ଆଫ୍ରିକାରେ   ଗାନ୍ଧିଜୀଙ୍କ  ଦାର୍ଶନିକ  ତଥା  ସାମାଜିକ- ରାଜନୈତିକ  ଭାବାଦର୍ଶଗୁଡିକ  ପରବର୍ତ୍ତୀ  କାଳରେ   ବିଶେଷ  କରି  ଭାରତରେ  ବ୍ରିଟିଶ୍  ଔପନିବେଶିକ  ଶାସନ  ବିପକ୍ଷରେ  ତାଙ୍କ  ସଂଗ୍ରାମର  କୌଶଳଟି  ନିର୍ଦ୍ଧାରିତ  ହୋଇଥିଲା  ।  ସେ  ଅହିଂସା  ପ୍ରତିରୋଧ  ବା  ସତ୍ୟାଗ୍ରହର  ନୀତିଗୁଡିକୁ  ପ୍ରୟୋଗ  କରିଥିଲେ  ।   ପ୍ରସଙ୍ଗତଃ  ଉଲ୍ଲେଖଯୋଗ୍ୟ  ଯେ  ,  ବିଂଶ  ଶତାବ୍ଦୀର  ପ୍ରାରମ୍ଭରେ  ରୁଷିଆର   ସାମାଜିକ  ଓ  ରାଜନୈତିକ  ଘଟଣାବଳୀର   ପ୍ରଭାବରେ  ମୂଳତଃ  ଏହାର  ଉଦ୍ଭବ  ହୋଇଥିଲା  ।  ରୁଷିଆର  ବିପଦରୁ  ଏବଂ  ବିଶେଷ କରି   ଦେଶବ୍ୟାପୀ  ସଂଘଟିତ   ସାମାଜିକ  ଓ  ରାଜନୈତିକ  ଧର୍ମଘଟରୁ  ଲାଭ  କରିଥିବା  ଅଭିଜ୍ଞତା  ଦ୍ବାରା  ଗାନ୍ଧୀ  ରାଜନୈତିକ  ପ୍ରତିପକ୍ଷ  ଉପ  ଚାପ  ସୃଷ୍ଟି  କରିବାର  ଉପାୟ  ହିସାବରେ  ସଂଗଠିତ  ଗଣ  ଆନ୍ଦୋଳନର  ପ୍ରୟୋଜନୀୟତା  ସଂପର୍କରେ  ନିଜ  ଧାରଣାରେ  ଦୃଢ  ନିଶ୍ଚିତ  ହୋଇଥିଲେ  ।  ରୁଷିଆର   ଘଡିସନ୍ଧି  ଏଭଳି (୧୯୦୫)  ମୁହୂର୍ତ୍ତରେ  ଘଟଣାବଳୀର  ବହୁମୂଲ୍ୟ  ସମୟରେ  ଗାନ୍ଧିଜୀ  ଲେଖିଥିଲେ  ,  ସବୁଠାରୁ  କ୍ଷମତାଶାଳୀ  ଶାସକ  ମଧ୍ୟ  ଶାସିତମାନଙ୍କ  ସାହାଯ୍ୟ  ବ୍ୟତୀତ  ଶାସନ  କାର୍ଯ୍ୟ  ଚଳାଇ  ପାରୁ  ନାହାଁନ୍ତି  ।  ଅହିଂସା  ସଂପର୍କରେ  ତଲସ୍ତୟଙ୍କ  ମୁଲ୍ୟବାନ  ଲେଖା  ଗାନ୍ଧୀଙ୍କ  ଅଂହିସା  ସଂଗ୍ରାମକୁ  ଅନୁପ୍ରାଣିତ  କରିଥିଲା  ।  ଗାନ୍ଧିଜୀ  ପ୍ରଥମେ  ଅସହଯୋଗ  ଆନ୍ଦୋଳନ  ,  ଅର୍ଥାତ  ଗଣ  ସଂଗଠିତ  ଭାବେ  ଦକ୍ଷିଣ  ଆଫ୍ରିକା  ସରକାରଙ୍କ  ଅନୁସୃତ  ବର୍ଣ୍ଣବୈଷମ୍ୟ  ନୀତି  ବିପକ୍ଷରେ  ଆନ୍ଦୋଳନ  ଆରମ୍ଭ  କରିଥିଲେ  ।

     ଗାନ୍ଧିଜୀ  ପ୍ରତ୍ୟେକଟି  ପ୍ରଚାରାଭିଯାନ  ପୂର୍ବରୁ  ବିଶେଷ କରି  କର୍ତ୍ତୃପକ୍ଷଙ୍କ  ସହିତ  ଆଳାପ  ଆଲୋଚନା  କରୁଥିଲେ  ।  ଏପରିକି  ସତ୍ୟାଗ୍ରହ  ଚାଲିଥିବା  ସମୟରେ  କର୍ତ୍ତୃପକ୍ଷଙ୍କ  ସହିତ  ବୁଝାମଣାର  ନିକର୍ଷରେ  ପହଂଚିବାକୁ  ଚେଷ୍ଟା  କରୁଥିଲେ  ।  ଏପରିକି  ସ୍ୱକୀୟ  କାର୍ଯ୍ୟ  ଅହିଂସା ,    ଶାନ୍ତି  ପୂର୍ଣ୍ଣ  ସ୍ୱଭାବ  ପ୍ରତି  ଦୃଷ୍ଟି  ଆକର୍ଷଣ  କରି  ସେ  ବ୍ରିଟିଶ୍    ସରକାରଙ୍କ  ପ୍ରତି  ଯଥାର୍ଥ  ସମ୍ମାନ  ବୋଧକ  ଆନୁଗତ୍ୟ   ଦେଖାଉଥିଲ  ।  ଏପରିକି  ପ୍ରଥମ  ବିଶ୍ୱ  ଯୁଦ୍ଧ  ସମୟରେ  ତାଙ୍କ  ନିଜସ୍ୱ  ପ୍ରଦେଶ  ଗୁଜରାଟର  କୃଷକମାନଙ୍କୁ  ସୈନ୍ୟ  ବାହିନୀରେ  ଯୋଗ  ଦେବାପାଇଁ  ପ୍ରଚାର  କରି  ବ୍ରିଟିଶ୍  ମାନଙ୍କୁ  ସହଯୋଗ  କରିଥିଲେ  ।    ଏପରିକି   ଆଫ୍ରିକାରେ  ଅସହଯୋଗ  ଆନ୍ଦୋଳନର   ସାଫଲ୍ୟ  ବିଭିନ୍ନ  ସଂବାଦ  ପତ୍ରରେ  ପ୍ରକାଶ  ପାଇବା  ଦ୍ଵାରା  ତାଙ୍କର  ସୁନାମ  ବ୍ୟାପିଯାଇଥିଲା  ।   ବିଶେଷକରି   ନିଜ  ଦ୍ବାରା  ପ୍ରକାଶିତ  ଭାରତରେ  ସ୍ୱାୟତ୍ତଶାସନର  ସମର୍ଥକ  "ଇଣ୍ଡିଆନ୍  ଓପିନିଅନ "  ପତ୍ରିକାରେ  ଅସଂଖ୍ୟ  ପ୍ରବନ୍ଧ  ଗାନ୍ଧିଜୀଙ୍କ  ଖ୍ୟାତି  ଓ  ସୁନାମ  ବଢାଇ  ଦେଇଥିଲା  ।   ଗାନ୍ଧିଜୀ  ଯେତେବେଳେ  ସ୍ୱଦେଶ  ପ୍ରତ୍ୟାବର୍ତ୍ତନ  କଲେ  ଓ  ଭାରତରେ    ସତ୍ୟାଗ୍ରହ  ଭାବାଦର୍ଶଗୁଡିକ  ପ୍ରଚାର  କରି   ଆହମଦାବାଦରଜ  " ସତ୍ୟାଗ୍ରହ  ଆଶ୍ରମ "  ନାମରେ  ପ୍ରତିଷ୍ଠାନ  କଲେ,   ସେତେବେଳେ  ଭାରତୀୟ  ମାନଙ୍କ  ଠାରୁ  ତାଙ୍କୁ  ଅଗଣିତ  ଜନ  ସମର୍ଥନ   ମିଳିଥିଲା  ।  ପରାଧୀନ  ଭାରତର  ମୁକ୍ତି  ସଂଗ୍ରାମୀ  ମାନଙ୍କ  ମନରେ  ଆଶାର  ଆଲୋକ  ଦୃଶ୍ୟ  ଦେଖିବାକୁ   ମିଳିଲା  ।  ଏପରିକି  ରାଜକୋଟ  ରାଜ୍ୟରେ  କେତେକ  ଶୁଳ୍କ  ଉଠେଇ  ଦେବାପାଇଁ  ଭାରତ  ବାହାରେ  କାର୍ଯ୍ୟ  କରିବା ପାଇଁ  ଜୁରିମାନଙ୍କୁ  ନିଯୁକ୍ତ  କରିବାର  ଆଦ୍ୟ  ସଂସ୍କାର  ଦାବି  କରିବା ,   ବିହାରରେ  ଦେଖା  ଦେଇଥିବା  ବ୍ରିଟିଶ୍   ବଗିଚାର  ମାଲିକମାନଙ୍କ  ଦ୍ଵାରା  ଚାଷୀମାନଙ୍କୁ  ଶୋଷଣ  ଦାଉରୁ  ରକ୍ଷା  ନିମନ୍ତେ  ଅହିଂସା  ଆନ୍ଦୋଳନ  କରି  ସଫଳ  ହେବା  ଦ୍ଵାରା    ଜନମାନସରେ  ଏସବୁ  ଆନ୍ଦୋଳନ  ଗଭୀର  ରେଖାପାତ  କରି  ସମର୍ଥନ  ଲାଭ  କରିଥିଲା  ।  ଫଳତଃ  ଭାରତୀୟ  ରାଜନୈତିକ  କ୍ଷେତ୍ରର  ଅଗ୍ରଭାଗରେ  ଗାନ୍ଧିଜୀଙ୍କ  ପଦଚିହ୍ନର  ଛାପ  ପଲା 
  କେବଳ  ନୁହେଁ  ଅଗ୍ରଭାଗରେ  ତାଙ୍କୁ  ପ୍ରତିଷ୍ଠା  ଦେଇଥିଲା  ।   ଭାରତୀୟ  ଜନମାନସରେ  ସ୍ୱାଧୀନତାର  ତ୍ରିରଙ୍ଗା  ,  ଜାତୀୟ  ସଙ୍ଗୀତର  ସ୍ୱର   ବଳବତ୍ତର  ହୋଇପାରିଥିଲା  ।   ଔପନିବେଶକ  ସରକାର  ବିପକ୍ଷରେ  ସଂଗ୍ରାମରେ  ଜନସାଧାରଣଙ୍କୁ  ଜଡ଼ିତ  କରିବା  ସ୍ୱକୀୟ  ବକୃତା  ଓ  ରଚନାବଳୀ  ଦ୍ବାରା  ଏକତ୍ରିତ  କରିବାରେ  ସେ  ଥିଲେ  ଶ୍ରେଷ୍ଠ  ନାୟକ  । 

      ବାସ୍ତବରେ   ଗାନ୍ଧିଜୀ   ସର୍ବଦା  ଆଧ୍ୟାତ୍ମିକ  ରାଜନୀତି  ଉପରେ  ଅଧିକ  ଗୁରୁତ୍ୱ  ଦେଉଥିଲେ  ।  ଧର୍ମ  ଓ  ରାଜନୀତି  ମଧ୍ୟରେ  ଆତ୍ମିକ  ସଂପର୍କ  ପାଇଁ  ଧର୍ମ  ମଣିଷକୁ  ଉନ୍ନତ  ଗୁଣଯୁକ୍ତ  କରେ  ଯାହା  ରାଜନୈତିକ  ଜୀବନରେ  ଉନ୍ନତି  ଆଣେ  ବୋଲି  ଦର୍ଶାଉଥିଲେ  ।  ଧର୍ମ  ରାଜନୀତି  ପାଇଁ  ନୈତିକ  ପ୍ରେରଣା  ଦିଏ  ।   ରାଜନୀତିକୁ   ସତ୍ୟ ,  ନ୍ୟାୟ ,  ପ୍ରେମ  ଓ  ଅହିଂସା   ଦ୍ବାରା   ପରିଚାଳନା  କରାଇବା  ତାଙ୍କର   ଥିଲା  ମୁଖ୍ୟ  ଲକ୍ଷ୍ୟ  ।  ସର୍ବଦା  ସେ  ସତ୍ୟ  ,  ନ୍ୟାୟ ,  ଅହିଂସାକୁ  ଗୁରୁତ୍ୱ  ଦେଉଥିଲେ  ।  ସତ୍  ଉପାୟର  ଆଶ୍ରୟ  ନେଇ  ଲକ୍ଷ୍ୟ  ସ୍ଥଳରେ  ପହଞ୍ଚିବା  ଥିଲା  ତାଙ୍କର  ମହାମନ୍ତ୍ର  ।  ଭଲ  ମଞ୍ଜିରୁ  ଭଲ  ଚାରା  ସୃଷ୍ଟି  ହେବା  ଭଳି  ସତ୍   କର୍ମ  ଓ  ସତ୍  ଚିନ୍ତନରୁ   ଉତ୍ତମ  ଫଳ  ମିଳେ  ।  ମଣିଷର  ସଦ୍  ଗୁଣ  ଉପରେ  ତାଙ୍କର  ଥିଲା  ଅଗାଧ  ବିଶ୍ୱାସ  ।  ସତ୍ୟ  ଓ  ନୈତିକତାକୁ  ପ୍ରାଧାନ୍ୟ  ଦେଉଥିବା  ଗାନ୍ଧୀ  ଜନସେବା  ଓ  ମାନବିକତାବାଦ  ଦର୍ଶନର  ଥିଲେ  ପୁରୋଧା  ।    ତାଙ୍କ  ଦର୍ଶନ  ସତ୍ୟ  ଓ  ଅହିଂସା  ଆଧାରିତ  ।  ବିଶେଷ  କରି  ସତ୍ୟ  ଓ  ଅହିଂସାକୁ  ମାଧ୍ୟମ  କରି  ରାଜନୈତିକ ,  ଅର୍ଥନୈତିକ  ଓ  ସାମାଜିକ  କ୍ଷେତ୍ରରେ  ପରିବର୍ତ୍ତନ  ଆଣି  ଏକ  ନୂତନ ସମାଜ  ଗଢିବାର  ସ୍ୱପ୍ନ  ଦେଖୁଥିଲେ  ।  ସତ୍ୟ  ଓ  ଅହିଂସା  ଥିଲା  ତାଙ୍କର  ପରମ  ବ୍ରତ  ।  ବିଶେଷ  କରି   ସତ୍ୟ ,  ନିର୍ଭୀକତା ,  ଅନାସକ୍ତ ,  ତ୍ୟାଗ ,  ଆତ୍ମାଶୁଦ୍ଧି ,  ଅଧ୍ୟବସାୟ  ଆଦି  ଗୁଣରାଶି  ଦ୍ଵାରା  ଅହିଂସାକୁ  ବଳବତ୍ତର  କରି  ସେ  ବିପ୍ଳବର  ଧାରାକୁ   ତ୍ୱରାନ୍ୱିତ  କରୁଥିଲେ  । 
       ସତ୍ୟାଗ୍ରହ  ଗାନ୍ଧିବାଦୀ  ଦର୍ଶନର  ଏକ  ନିଆରା  ପନ୍ଥା  ।  ଏହାର  ଅର୍ଥ  ହେଉଛି  ସତ୍ୟ  ପ୍ରତି  ଆଗ୍ରହ  ।  ରାଜନୀତି  ଓ   ଜାତୀୟ  ଜୀବନକୁ  ସତ୍ୟ  ଓ  ଭଦ୍ରତା  ଦ୍ବାରା  ପ୍ରତିଷ୍ଠା  କରିବା  ସତ୍ୟାଗ୍ରହର  ଆଭିମୁଖ୍ୟ  ।   ଗାନ୍ଧିଜୀ ସତ୍ୟକୁ  ଆତ୍ମା  ଓ  ପ୍ରେମଭାବ  ସହ  ମିଶ୍ରଣ  ସତ୍ୟାଗ୍ରହ  ରୂପକ  ଅସ୍ତ୍ରକୁ  ସାମାଜିକ  ସମସ୍ୟାର  ସମାଧାନରେ  ବ୍ୟୟ  କରୁଥିଲେ   ।  ସେ  ସତ୍ୟାଗ୍ରହକୁ  ଏକ  ତପସ୍ୟା ,  ଅହିଂସାର  ସଂଗ୍ରାମ,  ମାନବୀୟ  ଭ୍ରାତୃତ୍ୱର  ବାହାକ  ଭାବରେ  ଗ୍ରହଣ  କରିଥିଲେ  ।   ବିଶେଷତଃ  ଅସହଯୋଗ ,  ଅନଶନ ,  ହରତାଳ ,  ଧାରଣା ,  ଆଇନ୍  ଅମାନ୍ୟ  ଆଦିକୁ  ସତ୍ୟାଗ୍ରହର  କୌଶଳ  ରୂପେ  ବ୍ୟବହାର  କରୁଥିଲେ  ।  ସେଭଳି  ବାଳଗଙ୍ଗାଧର  ତିଲକ୍ ,  ବିବେକାନନ୍ଦ ,  ଶ୍ରୀଅରବିନ୍ଦ  ଆଦି  ଦାର୍ଶନିକ  ମାନଙ୍କ  ସ୍ୱରାଜର  ଆଧ୍ୟାତ୍ମିକତା  ଓ  ପ୍ରୟୋଜନୀୟତାକୁ  ଉପଲବ୍ଧ  କରି  ଗାନ୍ଧିଜୀ  ସ୍ୱରାଜ୍ୟ  ଉପରେ  ଗୁରୁତ୍ୱ  ଦେଉଥିଲେ  ।   ସମାଜର  ସାର୍ବଜନୀନ  ମଙ୍ଗଳ  ଓ  ବିକାଶ  ପାଇଁ  ଗାନ୍ଧିଜୀ  " ସର୍ବୋଦୟ '  ପରିକଳ୍ପନା  କରିଥିଲେ  ।  ସଂସ୍କୃତ  ଶବ୍ଦ  ' ସର୍ବ '  ଓ  ଉଦୟ ' ରୁ  ' ସର୍ବୋଦୟର  ସୃଷ୍ଟି ,  ଯାହାର  ଅର୍ଥ  ସମସ୍ତଙ୍କ  ବିକାଶ  ସାଧନ  କରାଇବା  ।   ଗାନ୍ଧିଜୀଙ୍କର  ଦୃଷ୍ଟି  ଥିଲା   ସମାଜ  ଭ୍ରାତୃତ୍ୱ   ଓ  ନ୍ୟାୟ  ଉପରେ  ପ୍ରତିଷ୍ଠିତ  ହୋଇ  ସର୍ବୋଦୟ  ସମାଜରେ  ସକଳ  ଲୋକଙ୍କ  ମଙ୍ଗଳ  ଘଟୁ  ।   ପ୍ରତ୍ୟେକ   ମଣିଷ  ନିଜର  ଅଧିକାର  ଅପେକ୍ଷା  କର୍ତ୍ତବ୍ୟକୁ  ଅଧିକ  ଶ୍ରେୟ  ମନେକରି   ଗୁରୁତ୍ୱ  ଦେଉ  ।  ଯାହା  ଫଳରେ  ଅଧିକାର  ଓ  କର୍ତ୍ତବ୍ୟ  ମଧ୍ୟରେ  ଏକ  ସୁସ୍ଥ  ଓ  ଅନ୍ତଃସଂପର୍କ  ହୋଇପାରିବ  ।  ଗାନ୍ଧିଜୀ  ଥିଲେ  ଦୂରଦର୍ଶୀ  ,  ଜାତୀୟ  ଓ  ଆର୍ନ୍ତଜାତୀୟ  ମଧ୍ୟରେ   ସମନ୍ୱୟ   ରକ୍ଷା  ନିମନ୍ତେ  ବ୍ୟକ୍ତିକୁ  ରାଷ୍ଟ୍ର  ପାଇଁ    ଓ  ରାଷ୍ଟ୍ରକୁ  ବିଶ୍ୱ  ପାଇଁ   ନିଜ  ନିଜର  ସ୍ୱାର୍ଥକୁ  ତ୍ୟାଗ   କରିବା  ପାଇଁ    ପରାମର୍ଶ  ଦେଇଛନ୍ତି  ।  ଏହା  ଦ୍ଵାରା  ବିଶ୍ୱ   ଶାନ୍ତି  ପ୍ରତିଷ୍ଠା  ହୋଇ  ପାରିବ   ବୋଲି  ପରାମର୍ଶ    ଦେଇଛନ୍ତି  ।  ଶାରୀରିକ  ଶ୍ରମ  ଉପରେ  ଗୁରୁତ୍ୱ  ଦେଇ  କହିଛନ୍ତି  ଯେକୌଣସି  ଶ୍ରମ/ବୃର୍ତ୍ତି   ଦ୍ବାରା  ଦେଶରୁ    ବେକାରୀ , ଅଭାବ  ଓ  ଅନଟନ  ଭ  ଯିବ  ।
       ଗ୍ରୀକ୍  ଦାର୍ଶନିକ  ପ୍ଳାଟୋଙ୍କ  ଭଳି  ଗାନ୍ଧିଜୀ  ଏକ  ଆଦର୍ଶ  ରାଷ୍ଟ୍ର  " ରାମରାଜ୍ୟ " ର  ପରିକଳ୍ପନା  କରିଥିଲେ  ।  ରାମ  ରାଜ୍ୟ  କୌଣସି  ଏକ  ଧାର୍ମିକ  ବିଧି  ବ୍ୟବସ୍ଥା  ନୁହେଁ    ।  ସତ୍ୟ  ଓ  ଅହିଂସା କୁ  ଆଧାର  କରି  ଏକ  ଶାନ୍ତି  ପୂର୍ଣ୍ଣ  ରାଜ୍ୟ  ବା  ରାଷ୍ଟ୍ର  ଗଠନ  କରିବା  ।  ତାଙ୍କର  କଳ୍ପିତ  ରାମ  ରାଜ୍ୟରେ  ହିଂସାର  ସ୍ଥାନ  ନାହିଁ  ।  କୁହାଯାଇ  ପାରେ   ଗାନ୍ଧିଜୀଙ୍କ  ନୀତି  ଓ  ଆଦର୍ଶ  ଅହିଂସାକୁ  ବିଶ୍ୱର  ଅନେକ   ରାଷ୍ଟ୍ରର   ଜନତା  ସହଜରେ   ଆପଣେଇ  ନେଇଛନ୍ତି  ।  ତାଙ୍କର  ନୀତି  ଓ  ଆଦର୍ଶକୁ  ପାଥେୟ  କରି  ଦକ୍ଷିଣ  ଆଫ୍ରିକାର  ନେଲସନ୍  ମାଣ୍ତେଲା  ଅହିଂସା  ଉପାୟରେ    ବର୍ଣ୍ଣ  ବୈଷମ୍ୟ  ଭଳି  ଘୃଣ୍ୟ  ପ୍ରଥାକୁ  ବିଲୋପ  କରିପାରିଛନ୍ତି  ।  ବାରାକ୍  ହୁସେନ୍  ଓବାମା  ଗାନ୍ଧିଜୀଙ୍କ  ଦ୍ବାରା  ଅନୁପ୍ରାଣିତ  ହୋଇ   ଆମେରିକାର   ରାଷ୍ଟ୍ରପତି    ଭଳି  ଶ୍ରେଷ୍ଠ   ଆସନରେ  ଅଳଙ୍କୃତ  ହୋଇ  ପାରିଛନ୍ତି  ।   ତେଣୁ  ବିଶ୍ୱବିଖ୍ୟାତ  ବୈଜ୍ଞାନିକ  ଆଇନଷ୍ଟାଇନ୍  ଦର୍ଶାଇଛନ୍ତି - " ପରବର୍ତ୍ତୀ  ବଂଶଧର  ବିଶ୍ୱାସ  କରିବେ ନାହିଁ  ଯେ  ଗାନ୍ଧିଜୀଙ୍କ  ପରି  ଜଣେ  ରକ୍ତମାଂସଧାରୀ  ଏପରି  ଏକ  ମନୁଷ୍ୟ  ଏକଦା  ପୃଥିବୀ  ପୃଷ୍ଠାରେ  ବିଚରଣ  କରିଥିଲେ  ।"   ସେହି  ପ୍ରାତଃସ୍ମରଣୀୟ  ଅମର  ଅମ୍ଳାନ  ମହାମହିମ  ବିଶ୍ୱ  ନମସ୍ୟ  ଅହିଂସାର  ପ୍ରତୀକ , ଭାରତୀୟ  ମାନଙ୍କ  ଏ  ଜାତିର  ପିତା  ମହାତ୍ମାଗାନ୍ଧୀ '  ତାଙ୍କ  ଜନ୍ମ  ଦିବସରେ  କୋଟି  କୋଟି  ପ୍ରଣାମ ..!!!

       ●   ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ
             ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ ,  କଟକ -୪
               ଦୂରଭାଷ : ୯୦୪୦  ୧୫୧୪୭୫
            Email : Laxmansahoo9040@gmail.com

ଜୟ ସାହିତ୍ୟ, ଜୟ ସମାଜ

ଜୀବେଦୟା ଆଜି ସ୍ବପ୍ନ

ବୈଜୟନ୍ତୀ ସାହୁ
    ପ୍ରତ୍ଯେକ ପ୍ରାଣୀ ଈଶ୍ବରଙ୍କ ସୃଷ୍ଟି ।ମାନବର ଯେପରି ବଞ୍ଚିବାର ଅଧିକାର ଅଛି,ଜୀବଜନ୍ତୁ,ପଶୁପକ୍ଷୀଙ୍କର ବି ସେମିତି ବଞ୍ଚିବାର ହକ ଅଛି । ସେଥିରୁ ତାଙ୍କୁ ବଞ୍ଚିତ କରିବାର ଅଧିକାର କାହାର ନାହିଁ ।ମନୁଷ୍ଯ ଓ ମନୁଷ୍ୟେତର ଜୀବଜନ୍ତୁ ଈଶ୍ବରଙ୍କ ମହାନ ଅବଦାନ ।ପୃଥିବୀ ପୃଷ୍ଟରେ ଏମାନେ କେଉଁ ପ୍ରାଚୀନ କାଳରୁ ମିଳିତଭାବେ ବାସକରି ଆସୁଛନ୍ତି ।ବୈରତା ଓ ମିତ୍ରତା ଏମାନଙ୍କ ମଧ୍ୟରେ ଆରମ୍ଭରୁ ଦୃଷ୍ଟି ଗୋଚର ହୁଏ ।ସଭ୍ଯତା ଓ ସଂସ୍କୃତିର କ୍ରମୋନ୍ନତି ସହିତ ମନୁଷ୍ଯ ଓ ଜୀବଜନ୍ତୁଙ୍କ ମଧ୍ୟରେ ଦୂରତା କ୍ରମଶଃ ବଢିଯାଇଛି ।ଭାରତୀୟ ପୂଣ୍ଯମୟୀ ସଂସ୍କୃତି ର ଉଦ୍ଦାତ୍ତ ଘୋଷଣା "ଜୀବେଦୟା" ଆଜିସ୍ବପ୍ନ ।
                       ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର ଅନ୍ତରରେ ଜୀବହିଂସା ଆଜି ମାଟିକଣ୍ତେଇ ପରି ସ୍ଥାନପାଇଛି ।ଇତିହାସ ପୃଷ୍ଟାରୁ ଆମେ  ପଢିଛେଯେ, ଆଦିମ ତଥା ପ୍ରସ୍ତରଯୁଗର ମାନବ ପଶୁ ଶୀକାର କରି ପ୍ରଥମେ କଞ୍ଚା ଓ ପରେ ନିଆଁର ବ୍ୟବହାର ଜାଣିବାପରେ ପୋଡିକରି ଖାଇବା ଜଣାଯାଏ ।ସଭ୍ଯତାର କ୍ରମବିକାଶ ସଙ୍ଗେସଙ୍ଗେ ମନୁଷ୍ୟର ମାଂସଲିପସା ଓ ପଶୁବଧ ପ୍ରବୃତ୍ତି ବଢି ବଢି ଚାଲିଛି । ପାଶ୍ଚାତ୍ଯ ସଭ୍ଯତାର  ପ୍ରଭାବ ଓ ଭୌତିକ ଜୀବନର ଆକର୍ଷଣ ମନୁଷ୍ଯକୁ ମାଂସାଶୀ କରିଛି ।ଫଳତଃ ଜୀବବଧ କରିବାକୁ ପ୍ରବୃତ୍ତି ପରିଚାଳିତ ମନୁଷ୍ଯ ଶ୍ରେୟ ମନେ କରୁଛି । ଖାଇବାର ଦୁର୍ବାର ଲୋଭ ଲାଳସା ମନୁଷ୍ଯକୁ ନିର୍ଦ୍ଦୟ କରିଦେଉଛି ।ଏହା ଜୀବମାନଙ୍କ ପ୍ରତି ଘୋର ଅପ୍ରିତୀକର ଓ ନିର୍ଦୟତାର ଏକ ପ୍ରମୁଖ କାରଣ ।ଏତଦ ବ୍ଯତିତ ଅର୍ଥଲୋଲୁପତା ଓ ବ୍ୟବସାୟିକ ମନୋବୃତ୍ତି ଜୀବ ନିର୍ଦ୍ଦୟତାର ଏକ ପ୍ରମୁଖକାରଣ ।
              ଜାତୀୟ ,ଆର୍ନ୍ତଜାତୀୟ ସ୍ତରରେ ଚୋରାବେପାରୀଦଳ  ଏଥିପାଇଁ ବି ଢେର ସକ୍ରିୟ ଅଛନ୍ତି ।ଏପରିକି  ଭୟାରଣ୍ଯଭଳି ପଶୁପକ୍ଷୀ ସଂରକ୍ଷିତ ସ୍ଥଳରୁ ବି ଜୀବଜନ୍ତୁ ବଧ କରାଯିବାର ଆମେ ଟିଭି, ଖବରକଗଜରୁ  ଜାଣୁଛୁ ।ଜୀବଜନ୍ତୁଙ୍କୁ ଯଦି ଅବାଧରେ ହତ୍ଯା କରାଯାଏ,ତେବେ ପ୍ରକୃତି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟିହେବ ।ଜୈବ ସନ୍ତୁଳନ ରକ୍ଷା ହୋଇ ପାରିବନାହିଁ । କାଳକ୍ରମେ ବିଭିନ୍ନ ଜୀବଜନ୍ତୁ ହ୍ରାସପାଇ ଲୋପ ବି ହୋଇଯିବେ ।ବିଭିନ୍ନ ଜୀବ  ବିଭିନ୍ନ ରଙ୍ଗ ଆକୃତିର ସେମାନଙ୍କୁ ଦେଖିଲେ ମନପ୍ରାଣ ପୂରିଉଠେ । ପ୍ରକୃତିକୋଳରେ ସେମାନଙ୍କୁ ଦେଖି ପ୍ରକୃତିପ୍ରେମୀ ମାନବ ବିମଳ ଆନନ୍ଦଲାଭ କରେ । ଭାରତୀୟ ସଭ୍ଯତା ଓ ସଂସ୍କୃତିରେ ,ସାହିତ୍ଯରେ ବିଭିନ୍ନ ଜୀବଜନ୍ତୁଙ୍କୁ ଉଚ୍ଚସ୍ଥାନ ଦିଆଯାଇଛି ।ପଶୁପକ୍ଷୀ ମନୁଷ୍ୟର ବହୁ ଉପକାରୀ । ସୁତରାଂ ପଶୁପକ୍ଷୀଙ୍କ ସହିତ ଆମମାନଙ୍କର  ଆତ୍ମୀୟତା ଓ ଦୟାଭାବ ରହିବା ଉଚିତ ।ବିଭିନ୍ନ ଔଷଧ ଓ ଅତି ଆବଶ୍ଯକ କାର୍ଯ୍ଯ ପାଇଁ ଆମେ ପଶୁପକ୍ଷୀଙ୍କଠାରୁ ବିଭିନ୍ନ  ଉପାଦାନ ପାଉ ।ତେଣୁ ସେମାନଙ୍କୁ ବଞ୍ଚିବାର ଅଧିକାର ଦେବା  ଆମ୍ଭମାନଙ୍କର କର୍ତ୍ତବ୍ୟ ।ଉପକାରୀ ପ୍ରତି ଦୟାପ୍ରଦର୍ଶନ ଓ ତା'ର ସେବା ମଣିଷପଣିଆର ମାପକାଠି ଅଟେ।
                                ବୈଦିକଯୁଗରୁ ଏଯାବତ"ଜୀବେଦୟା" ସପକ୍ଷରେ ସ୍ବର ଉଠୁଛି ।ଜୀବବଧ ପାପର କାରଣ ଓ ଜୀବହତ୍ଯା ନରକ ଭୋଗକରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।ଅଶୋକ,କନିଷ୍କ, ହର୍ଷବର୍ଦ୍ଧନ ଆଦି ପ୍ରାଚୀନ ନରପତିମାନେ ତାଙ୍କ ସାମ୍ରାଜ୍ଯରେ  ଜୀବ ବଧ ନିଷେଦ୍ଧ ଘୋଷଣାକରିଥିଲେ ।ଦେବବ୍ରତଙ୍କର ହଂସ ଶୀକାର, ଗୌତମଙ୍କର ଆହତ ହଂସର ସେବା ଓ ଜୀବଦାନ ଜୀବେଦୟାର ଏକ ଉଦାହରଣ । ଉତ୍କଳୀୟ କବି ଜୟଦେବ ମଧ୍ୟ
ଦଶାବତାର ସ୍ତୋତରେ କହିଛନ୍ତି‐ 
"ନିନ୍ଦସିଯଜ୍ଞବିଧେ ରହହ ଶ୍ରୁତିଜାତଂ
ସଦୟ ହୃଦୟ ଦର୍ଶିତ ପଶୁଘାତଂ
କେଶବଧୃତ ବୁଦ୍ଧଶରୀର 
ଜୟଜଗଦୀଶ ହରେ "।
                        ସବୁଜକବି ବୈକୁଣ୍ଠନାଥ "ଚିଲିକାରେ ପକ୍ଷୁ ବଧକୁ ଲକ୍ଷ୍ଯକରି ଲେଖିଛନ୍ତି‐ 
"ମାନବ ଅନ୍ତରେ ଜଳେ ବର୍ବର ପିପାସା,କିଏବା ଶୁଣିବ ଆଜି ମୁକପକ୍ଷୀଭାଷା "। ସତ୍ଯବାଦୀ ଯୁଗର କବି ପଣ୍ତିତ ଗୋଦାବରୀଶ  "କାଳିଯାଇ ପାହାଡରେ ପରିତ୍ଯକ୍ତ ଛେଳିଛୁଆ ପାଇଁ"ଅନାଥଶିଶୁ" କବିତାରେ ଯେଉଁ ସହାନୁଭୂତି ଝରଣା ଝରାଇଛନ୍ତି ତାହା ବିଚାର୍ଯ୍ଯ ।ତଥାପି ଭାରତବର୍ଷରେ ପ୍ରତିବର୍ଷ "ଜୀବମଙ୍ଗଳ ସପ୍ତାହ" ପାଳନ କରାଯାଉଛି ।ଈଶ୍ବରଙ୍କ ସୃଷ୍ଟିକୁସରସ,ସୁନ୍ଦର ଶୃଙ୍ଖଳିତ କରିବାପାଇଁ ଜୀବ ବଧଠାରୁ ମନୁଷ୍ଯଜାତି ଦୂରରେ ରହିବା ଉଚିତ ।ଇଶ୍ବରସୃଷ୍ଟ ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟତା ପରିହାର କରି ଦୟା,ସ୍ନେହ,ସହାନୁଭୁତି ଦେଖାଇବା ମନୁଷ୍ୟର ମହତଗୁଣର ପରିଚାୟକ । ମନୁଷ୍ଯ ପଶୁତ୍ବରୁ ଦେବତ୍ବ ଆଡକୁ  ନେବାପାଇଁ ଜୀବେଦୟା ହେଉଛି ଏକ ଧର୍ମୀୟ ଶିଡି ।
***୦୦***୦୦**

ପିପିଲି,ପୁରୀ
ଫୋ‐୯୪୩୮୨୨୧୫୯୦
ଜୟ ସାହିତ୍ୟ, ଜୟ ସମାଜ

ନରବୋଲେ ନାରାୟଣ

ଶ୍ରୀମତୀ ବସନ୍ତ ମଞ୍ଜରୀ ଦାସ 
  ସାଗର କୂଳରେ ସାନ୍ଧ୍ୟ ଭ୍ରମଣ କରୁ କରୁ ସମୀରର ତାଣ୍ଡବ ଦେଖି ପାଖକୁ  ଡାକିଥିଲେ ସମୀରକୁ ଭୀଷ୍ମ ାଆଛା କହିବ ସମୀର ! ଏବିଶାଳ ଦ୍ରୁମ ସବୁକୁ ଛିନ୍ ଭିନ୍ କରି ସାଗରକୁ ଭେଟି ଦେବାର କାରଣ କ'ଣ ଥାଇପାରେ ? ଦ୍ରୁମ ମାନଙ୍କ ଉପରେ ଅଦୌତି ସାଜୁଥିବାବେଳେ ଦୁବଘାସ ଉପରେ ଏତେ ଦୟା କାହିଁକି ? ମଥାପୋତି ସମୀର ପ୍ରତ୍ୟୁତ୍ତର ଦେଲେ ମୁଁ ଯେତେବେଳେ ମୋର ଗତିକୁ ବିଧିନିର୍ଦ୍ଦେଶିତ କରେ ସେତେ ବେଳେ ଦ୍ରୁମଗଣ ମୋର ଗତି ଅବରୋଧ କରନ୍ତି କାହିଁକି ଯେ ? କ୍ରୋଧହୁଏ ସେମାନଙ୍କ ଉପରେ ା ମୂଳୋତ୍ପାଟନ କରେ ସେମାନଙ୍କର  l         

   ଦୂବଘାସ ମୋତେ ସମ୍ମାନ ଜଣାଏ,ବିଧିର ନିର୍ଦ୍ଦେଶକୁ ସ୍ବୀକାର କରେ , ତେବେ କୁହନ୍ତୁ,ଦୂବପ୍ରତି କେଉଁ କାରଣରୁ ମୁଁ ନିଷ୍ଠୁର ହେବି ଯେ ? ଶ୍ରଦ୍ଧା ଆଉ ହିଂସା ଦେବାସୁରଙ୍କର ରୂପାନ୍ତରିଣ ଚିତ୍ର ା ଶ୍ରଦ୍ଧାରେ ଦେବାଶୀଷ ପ୍ରାପ୍ତି ହେଉଥିବାବେଳେ ହିଂସା ଆସୁରିକ ପ୍ରକ୍ରିୟାରେ ଜୀବନକୁ ଯନ୍ତ୍ରଣାର ସ୍ତୁପରେ ପରିଣତ କରିଦିଏ ା ଯାହା ବର୍ତ୍ତମାନ ଅଧିକାଧିକ କ୍ଷେତ୍ରରେ ପରିଲକ୍ଷିତ ା ପ୍ରକ୍ଋତିକୁ ନିୟନ୍ତ୍ରଣ କରିବାର ଅଧିକାର କେବଳ ଈଶ୍ବରଙ୍କର ରହିଥିବାବେଳେ ନର ନାରୟଣ ଭାବନାରେ ନିମଜ୍ଜିତ ା ଦ୍ରୁମଗଣଙ୍କ ପରି ଅଥଳ ଜଳଧି ମଧ୍ୟରେ ଲୀନ ହେବା ହିଁ ସାର ହେବ ପରିଶେଷରେ ା ସ୍ଥିତି ଅବସ୍ଥିତିର ଅନୁଧ୍ୟାନ ନକରି "ନର ବୋଲେ ନାରୀୟଣ" ାଏହା କେତେଦୂର ଯୌକ୍ତିକ ତାହା ବିଚାର ସାପେକ୍ଷ ା  ା ମାନବ ଯେ ଈଶ୍ବରଙ୍କର ସନ୍ତାନ ଏହା ଭୁଲଲି ଯାଉଛି ଏକାବେଳକେ ା ଈଶ୍ବରଙ୍କରଶ୍ରେଷ୍ଠ ସନ୍ତାନଭାବେ ପ୍ରକ୍ଋତିକୁ ନିୟନ୍ତ୍ରଣ କରିବା ମାନବର କର୍ମ ା ତ୍ୟାଗପୂତ ଭବନାକୁ ପାଥେୟ କରି ସତ୍ୟ,ଅହିଂସା ପଥରେ ପରିଚାଳିତ ହେବା ମାନବର ଧର୍ମ ା ଜୀବନ ଜୀବିକାର ଦୋଛକିରେ ପାଦରଖିବାବେଳେ ମାନବ ତା'ର ସ୍ଥିତିକୁ ଉର୍ଧ୍ବଗାମୀ କରିବାର ନିଶାନେଇ ସମ୍ଭାବନାର ସ୍ରୋତରେ ସାମିଲ୍ ହୋଇଯାଏ ଖିଆଲିପଣରେ ା ସେଇଥିପାଇଁ ତତାର ପଥ ଅବରୋଧ କରନ୍ତି କୋରୋନା ମହାମାରୀ ପରି ଚେତନଶୀଳ ବ୍ୟାଧିଚୟ ା ମାନବର ଚିନ୍ତା ଚେତନାର ବିକଳ୍ପ ଅନୁଭୁତିରେ ଗୋଲାପ ପରି ମନଲୋଭା ସୌନ୍ଦର୍ଯ୍ୟରାଶି ବେଳେବେଳେ ରକ୍ତଛିଟାର ରୂପ ନେଉଥିବାବେଳେ ପଲାଶବନ ପରିଣତହୁଏ ଅଗ୍ନିର ଲେଲିହାନ ଶିଖାରେ ା ସ୍ବୟଂ ଭଗବାନ ଧରାବତରଣ କରି ପ୍ରକ୍ଋତିର ନିୟମ ଉଲ୍ଲଂଘନ କଲାପରେ ଅନୁତାପାନଳରେ ଦଗ୍ଧିଭୁତ ହୋଇ ନିଜକୁ ନିଃଶେଷ କରିଦେଇଛନ୍ତି ଶିଆଳୀ ଲତାଗହଳରେ ା ଏଣୁ,ନର ନିଜକୁ ନାରାୟଣର ରୂପରେଖ ଦେବା ଅତ୍ୟନ୍ତ ଅଶୋଭନୀୟ ବ୍ୟାପାର ା ମାନବ ସ୍ବୟଂ ସମ୍ପୂର୍ଣ୍ଣ ସାଜିବାରେ ତକୌଣସି ବାଧା ନାହିଁ ା ହେଲେ ନିଜର ସୀମାରେଖାକୁ ଉଲ୍ଲଂଘନ କରିବା ଅତ୍ୟନ୍ତ ଅବିଚାରିତାର ପରିଚାୟକ ା ତ୍ୟାଗପୂତ ଆର୍ଯ୍ୟଭୂମିରେ ଜନ୍ମଗ୍ରହଣ କରିଥିବା ମାନବଗଣ ସଦାସର୍ବଦା ନିଜର ସୀମାରେଖା ମଧ୍ୟରେ ସୀମିତ ରହିବାଏକାନ୍ତ ବିଧେୟ ାାାା

 ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ 
ଜୟ ସାହିତ୍ୟ, ଜୟ ସମାଜ

ନର ବୋଲେ ନାରାୟଣ (ରମ୍ଯରଚନା)

ଜାନକୀ ବଲ୍ଲଭ ସାମନ୍ତରାୟ 

      All world ବୁଲି ବୁଲି ବ୍ରହ୍ମାଙ୍କ ପାଖରେ ପହଞ୍ଚି ଯା'ନ୍ତି ଦେବର୍ଷି ନାରଦ l - ନାରାୟଣ.... ନାରାୟଣ.... ନାରାୟଣ l
-ସୃଷ୍ଟି କର୍ତ୍ତାଙ୍କର ମୁଦ୍ରିତ ନୟନ open ହୁଏ ପୁତ୍ରଙ୍କ ଆଗମନରେ l - Good Morning  Fathar -- l
-ଏତେ ଦିନ ପରେ ହଠାତ୍ ଏପରି ସମୟରେ ଆଗମନ ର କାରଣ କଣ ପୁତ୍ର? 
ଭଗବାନ ବିଷ୍ଣୁ , ଅବା ମହେଶ କାହାର ସମ୍ବାଦ ଆଣିଛ! 
-ନାରାୟଣ ନାରାୟଣ! Father 'ମୁଁ' All Word 'ବୁଲିବାକୁ ଯାଇଥିଲି l
-ସେ ଶବ୍ଦଟି କଣ କହିଲ ପୁତ୍ର!    
-sorry father ଟିକେ ଟିକେ mistake ହେଇଯାଉଛି l କ'ଣ କରିବି ଆପଣ କୁଆଡେ ଯାଉନାହାନ୍ତି ବୋଲି ବୁଝି ପାରୁନାହାନ୍ତି l ଏ ଭାଷା ସବୁ ଆପଣଙ୍କ ସୃଷ୍ଟି ପରା, ଭୁଲିଗଲେଣି ?
-ଆଉ ମନେ ରହୁନି l ବୟସ ହେଲାଣି ନା' l ଏବେ କୁହ କି ସମାଚାର ଆଣିଛ l ଏକଦମ୍ ହଟ୍ news l ଏଇ newsଟା' ଯଦି telicast ହୋଇଗଲା ଆଉ କେହି ବି ମୋତେ କଳିଆ ନାରଦ କହିବେନି l ରାତାରାତି ମୋ' channel super duper hit ହେଇଯିବ l
-କିଛି ବି ବୁଝିପାରୁନି ତୁମ ଭାଷା l ମଝିରେ ମଝିରେ କ'ଣ ସେ ଅଲଗା କଥା ଗୁଡାକ କହିଦେଉଛ ମୁଁ ବୁଝି ପାରୁନି l ମୋତେ କୁହ କଣ ସମାଚାର, - ବୁଝେଇକି କୁହ l

      ନାରାୟଣ... ନାରାୟଣ... ନାରାୟଣ
ଗୋଟେ BP tablet ଆଗ ଖାଇ ଦିଅନ୍ତୁ ନହେଲେ ମୋ' କଥା ଶୁଣି ଆପଣଙ୍କ Blood Pressure ବଢିଯିବ l

        - Father!! ଦୀର୍ଘ ଦିନ ଧରି All World visit ରେ ଯାଇଥିଲି  l ଭାବିଥିଲି all place ବୁଲି ବୁଲି ଶେଷରେ ମୋ' ପ୍ରଭୁ, ମୋ' mothers ମାନଙ୍କୁ meet କରି ଆସିବି l ହେଲେ ଦେଖନ୍ତୁ ମୋ' Face l ଚାରିଆଡ଼େ visite କଲି , କେତେ କଣ ଦେଖିଲି, - ସବୁ କହିଲେ ତ' ଗୋଟେ ଯୁଗ ବିତିଯିବ l କେବଳ India କଥା କହୁଚି l- ବୁଝି ପାରିଲେନି କି, ଭାରତ କଥା!! - ନାରାୟଣ... ନାରାୟଣ - କଣ ଥିଲା କ'ଣ ହେଲାଣି l - ମୋ' God ଙ୍କର Address ପାଇବା କାଠିକର ପାଠ!!! 

       କାହା ନାଁ ବ୍ରହ୍ମାନନ୍ଦ, ତ କାହା ନାଁ ସଚିଦାନନ୍ଦ, କାହା ନାଁ ଶିବ ତ କିଏ ପୁଣି ଶଙ୍କର l କିଏ ପୁଣି ରାମ ନାଁ ରେ ତ କିଏ ପୁଣି କୃଷ୍ଣ ନାଁ ରେ l ସେତିକି କେବଳ  ନୁହଁ ସବୁ God, Goddes ଙ୍କ ନାଁ ପାଇଲି l Buildings ଆଗରେ, shope ଆଗରେ, ଧୂପ କାଠିରେ, ଯୋଉଠି ଦେଖିଲି ସବୁ Place ରେ God Goddes ଅଛନ୍ତି l - ପଣ୍ଡ୍ରୁକ ସିନା ଜଣେ କହୁଥିଲା ମୁଁ ବାସୁଦେବ ହେଲେ ପ୍ରଭୁ ଏବେ ସମସ୍ତେ ବସୁଦେବ l କିଏ କହୁଛି ମୁଁ ଚକ୍ରଧର ତ କିଏ କହୁଛି ମୁଁ ଜଗନ୍ନାଥ, କିଏ କହୁଛି ମୁଁ ବଳଭଦ୍ର l ପାର୍ବତୀ, ସାରଳା ବିମଳା, ମଙ୍ଗଳା, ଦୂର୍ଗା, ଲକ୍ଷ୍ମୀ କେତେ ତାର ହିସାବ ହିସାବ ନାହିଁ l Aadress ପାଇଲିନି କିଛି l ମୋ Brain ଟା' ପୁରା ଟିଣ ହେଇଗଲା l mind କାମ କଲାନି l କାହାକୁ ପଚାରିବି କିଏ କହିବ ଭାବୁଥାଏ 

- Bittle shop କୁ ଗଲି ଗୋଟେ ତୁଳସୀ ପାଟିରେ ପକେଇଲି l You may not Belive my father, ସାଙ୍ଗେ ସାଙ୍ଗେ Mind recharge ହେଇଗଲା l ଆଉ ଚାରିଟା ତୁଳସୀ କିଣି ଆଗକୁ ମାଡି ଚାଲିଲି l ମନେ ମନେ ଖୁସି ହେଲି ଯାହାହଉ ମୋ' ନାଁରେ କେହି ନାହାଁନ୍ତି l - ମୋ' ଭଳି ଚରିତ୍ର ବା ଆସିବେ କୁଆଡୁ l - Daddy Belive କରିବେନି ଗୋଟେ  Handsome Young Man ଆଉ ଅପସରୀ ଭଳି Beautiful Lady ନାରୀ ଆସିଲେ ଭାରି, ତାଙ୍କୁ ଦେଖି ଜଣେ କହିଦେଲା ନାରଦ ଆସିଗଲେ l ପ୍ରଥମେ ଭାବିଲି India ର ଲୋକ ଗୁଡାକ ଦିବ୍ୟ ଚକ୍ଷୁଧାରୀ ବୋଧେ ନହେଲେ ମୁଁ ନାରଦ ବୋଲି ଜାଣିଲା କେମିତି ମୋର get up ବି change କରି ଦେଇଥିଲି l କିନ୍ତୁ ବୁଝିଲା ବେଳକୁ ସେ' ମୋତେ ନକହି ସତେ Young man କୁ କହୁଥିଲା l -ଭାବିଲି ଏଠି ନାରଦଙ୍କ ପାଖରେ ବି ଅପ୍ସରା! ଟିକିଏ Sad ଲାଗିଲା, ମନରେ ସାହାସ ବାନ୍ଧି Educated Young man ଙ୍କୁ ପଚାରିଲି, ନାରଦ ସମ୍ମାନ ପାଇଛନ୍ତି ଯେତେବଳେ ଏହିଁ ମୋତେ ସବୁ କଥା କହିପାରିବ Thinking ଆସିଲା ମନରେ l - ପଚାରିଲି ନାରଦ ତମ ହାତରେ ତ ବୀଣା ନାହିଁ ଏଇଟା କଣ l - ସେ କହିଲା Mike, camera l ଯାଇଁଲେ dad,... କି'wonderfull ଜିନିଷ ଆପଣ ଏଇଠି ଥାଇ କି' ସେଥିରେ କହିଲେ ଇନ୍ଦ୍ର ଙ୍କୁ ଶୁଣା ଯିବ l Sorry.. Sorry dad ସେଥିରୁ ଆଣି ପାରିଲିନି l Wonderful ଜିନିଷ!! ଯାହା ହଉ ନର ରୂପୀ ନାରଦ କହିଲେ ମୋ ଭଳି Folish , - ସ୍ଵର୍ଗ ର ନାରଦକୁ, - ଆରେ ବାବୁ ଏଇଟା କଳି ଯୁଗ ଏଠି ନର ବୋଲେ ନାରାୟଣ l ଏଠି Money ଅଛି ତ ସବୁ ଅଛି ନହେଲେ ନାହିଁ l ଯାହା
 ପାଖରେ Money ଅଧିକ ସେ ନାରାୟଣ I Mean God. , ଯିଏ ଟିକିଏ knowledge ପାଇଲା ସେ ବିଭୂତି ପ୍ରଦାନ କାରୀ ନାରାୟଣ, ଯିଏ କୁବେର ଭଳି Reachest ସେତ ମନେ ମନେ କୃଷ୍ଣ l ଆଉ ଯେତେ Ladies ସବୁ ଏଠି ରମ୍ଭା ମେନକା ଅପ୍ସରୀ  l - ତାଙ୍କୁ ପଚାରିଲି, - Real ରେ ନାରାୟଣ କୋଉଠି?? - କହିଲା Go To Puri ଜଗନ୍ନାଥ Teample l - ଦୁଇଚାରି ହାତେ ତା ପାଖରୁ ଯାଇ ମନ ଯାନରେ ଚାଲିଲି ପୁରୀ l

     ନାରାୟଣ... ନାରାୟଣ... ନାରାୟଣ
କେଡେ ବଡ ଦାଣ୍ଡ  ମୋ' God ଙ୍କର!! କି wonderfull Teample!!, Waha!! l waha wonderfull place. ଖୁସି ମନରେ Teample ଭିତରକୁ ଯାଉ ଯାଉ ପଛରୁ ଗୋଟେ  କିଏ ଧକ୍କା ଦେଲା ଯେ' ଆଣ୍ଠେଇକି ପଡିଲି l ପଇତା ପକା ବ୍ରାହ୍ମଣ ଟାଏ କହିଲା ହେଇ!! ପେଲେଇ ପୁଅ!! କୁଆଡୁ କୁଆଡୁ ସବୁ ଆସୁଛ ବେ'! - ହେଇରେ! ବେଇପୁଅ ତୋତେ କ'ଣ ଦେଖା ଯାଉନି କିରେ , କୋଉଠୁ କୋଉଠୁ ସବୁ ଆଉଚ ବେ!! ମାକେ ଆଗ Twenty Rupees ଦେ ଭିତରକୁ ଯିବୁ l ଜଗା ଆମେ ବେ'!! ନହେଲେ ଜଗା ଦେଖା ଦବନି l -Sad ମନରେ ଫେରିକି ଆସିଲି, Mothres ମାନଙ୍କୁ ବାହାରୁ ଦର୍ଶନ କରି ମନ ଯାନରେ ଚାଲିଲି ଶ୍ରୀ ମନ୍ଦିର, direct ମୋ' ପ୍ରଭୁଙ୍କ ପାଖକୁ l ଯାଇଁଲେ ପାପା, କେତେ କାନ୍ଦିଲେ ମୋ' ଠାକୁର l ମୁଁ ଭାବିଲି ଏତେ ଦିନ ପରେ ମୋତେ ଦେଖିକି କାନ୍ଦୁଛନ୍ତି ବୋଧେ l - ପଚାରିଲି ପ୍ରଭୁ କାହିଁକି କାନ୍ଦୁଛନ୍ତି l - କହିଲେ ମୋ' ଖାତା ଖତିଆନା ର ମାଲିକ' ମୁଁ ନାଁକୁ ମାତ୍ର l ସବୁ ସିନା ମୋର ବଡ ହେଲେ କରମ ଛୋଟ l 'ମୁଁ' ଶାନ୍ତିରେ ନାହିଁ ଏଠି l I Am Very Unhappy. ଚାହିଁଲେ ବି କିଛି କରିପାରୁନି l ଦୁଃଖ କଷ୍ଟରେ ଜୀବନ ଯାଉଛି l

     - 'ମୁଁ' ଆଶ୍ଚର୍ଯ୍ୟ ହେଇଗଲି Father l ଏତେ ସବୁ ସୁବିଧା ଥାଇକି ଦୁଃଖ କଣ!! l ପ୍ରଭୁ ମୋର କହିଲେ - ଆରେ ଯାହା ଦେଖୁଛୁ ଠିକ୍ ହେଲେ ସବୁ କ'ଣ ମୋ' ପାଇଁ!! ଆରେ 'ମୁଁ' ପରା ଲୋକଙ୍କ ଇଚ୍ଛାରେ ଅଛି l ମୋ' wish ର କିଛି ମୂଲ୍ୟ ନାହିଁ lନର ବୋଲେ ନାରାୟଣ 'ମୁଁ'!! l ତାଙ୍କ ଦୟାରେ ଅଛି, ତାଙ୍କ wish ଯଦି ହୁଏ ମୋ' ଖାଇବା ବି ବନ୍ଦ କରିଦିଅନ୍ତି l ସବୁ ସେମାନେ କରନ୍ତି, ଦୋଷ ଦିଅନ୍ତି ମୋତେ l ନା କହି ପାରୁଛି, ନା ସହି ପାରୁଛି l - ପ୍ରଭୁଙ୍କ କଥା ଶୁଣି 'ମୁଁ' ବି କାନ୍ଦିଲି l ବହୁତ୍ ବହୁତ୍ crying father l ଆଉ ରହିବାକୁ ମନ ହେଲା ନାହିଁ ସେଠାରେ l 

      ପ୍ରଣାମ କରି ବାହାରୁଥିଲି ପ୍ରଭୁ କହିଲେ, ନାରଦ ତୁମେ World Father ଙ୍କୁ କହିବ "ମର୍ତ୍ତ୍ୟରେ ନର ବୋଲେ ନାରାୟଣ, ତେଣୁ ଯଥା ଶୀଘ୍ର 'ଉପଯୁକ୍ତ ପନ୍ଥା କରିବେ ଗ୍ରହଣ" l "ମହେଶଙ୍କୁ କହିବ ବୁଝେଇ, ତୁମ ଆତ୍ମା କାନ୍ଦୁଛନ୍ତି ଗମ୍ଭିରାରେ ଥାଇ" l ନର ଏଠି  ବୋଲାଏ ନାରାୟଣ , ନର ବୋଲରେ ବି 'ମୁଁ' ବିବସ ନାରାୟଣ l

       Fathar ଆପଣ ତ ସ୍ରଷ୍ଟା l ମୋ ପ୍ରଭୁଙ୍କର ଦୁଃଖ ଦୂର କର l ମର୍ତ୍ତ୍ୟlରେ 'ନର ବୋଲେ ନାରାୟଣ' ଚିନ୍ତା ଚେତନାକୁ
ବିନାଶ କର l ପୃଥିବୀ ମାଆ ର ଦୁଃଖ ବି ଲାଘବ କର l - ଯଜ୍ଞ ପୁରୁଷଙ୍କୁ Order ଦିଅନ୍ତୁ ଆପଣ, କଳ୍କୀ ଅବତାର ପାଇଁ ପଥ
ପ୍ରସ୍ତୁତ କରନ୍ତୁ l ତାଙ୍କ Order ନ ପାଇଲେ ମୋ ପ୍ରଭୁ ଧରିବେ କେମିତି କଳ୍କୀ ଅବତାର l - ନର ବୋଲେ ଯଦି ନାରାୟଣ ଠିକ୍ ଭାବିବ ତେବେ ଆପଣଙ୍କ ପୁତ୍ର suicide କରିବାକୁ ବାଧ୍ୟ ହେବ l
   
  - ଧର୍ଯ୍ୟ ଧର ପୁତ୍ର, ସମୟ ନିକଟ ହେଲାଣି l ନା' ନର ଆଉ ନାରାୟଣ ବୋଲେଇବେ, ନା' ନରଙ୍କ ବୋଲରେ ନାରାୟଣ ରହିବେ l ଯାଅ ପୁତ୍ର ଶାନ୍ତି ରେ ବିଶ୍ରାମ କର l 'ମୁଁ' ଏହାର ପଥ ପ୍ରସ୍ତୁତ କରୁଛି l
     
Thank you Father, ନାରାୟଣ... ନାରାୟଣ... ନାରାୟଣ l

      
ଚମ୍ପାବସ୍ତ, ବାଲିପାଟଣା, ଖୋର୍ଦ୍ଧା
ଜୟ ସାହିତ୍ୟ, ଜୟ ସମାଜ

ମୋ' ଗାଆଁ

                     ଚୋଖୀ
       ବୀରକିଶୋର ଶତପଥୀ
ଯାହାର କୋଳରେ ମୁହିଁ       ଜନମ ହୋଇଛି ଯହିଁ
            ଯାହାର ପାଣି ପବନେ ଗଢ଼ା ଶରୀର,
    ଯାହାର ଶାକ ତଣ୍ଡୁଳ        ଦେଇଛି ଶରୀରେ ବଳ
            ଯା'ର ପରିତ ପୂରିତ ରୂପ ସମ୍ଭାର,
                 ଚତୁଃପାର୍ଶ୍ଵେ ପ୍ରକୃତି ରାଣୀ,
        ଶୋଭାର ଓଢ଼ଣୀ ସତେ ଦେଇଛି ଟାଣି।୧।
    କଳ କଳ ନାଦ କରି             ଝରଣା ଯାଉଛି ଝରି
             ମଥାରେ ଝାଞ୍ଜପାହାଡ ମୁକୁଟ ସରି,
   ଏକ ପାର୍ଶ୍ଵେ ପୁଷ୍କରିଣୀ        ଅପରେ ଶ୍ଯାମ ବନାନୀ
            ଅପରୂପ,କେ' ବର୍ଣ୍ଣିବ ତା'ଶୋଭା ଶିରି,
                    ପ୍ରକ୍ଷାଳେ ତଟିନୀ ପୟର,
              ମୁନି ମନ ଜିଣା ତା'ର ରୂପ ସମ୍ଭାର।୨।
   ପାରୁଶେ ସରୋବରର         ମହାଦେବଙ୍କ ମନ୍ଦିର
          ତା'ସୁନ୍ଦର ଶୋଭା ରାଜି ମନକୁ ମୋହେ,
   ଗାଆଁ ମଝିରେ ମନ୍ଦିର          ଦଧିବାମନ ଠାକୁର
           ପତିତପାବନ ବାନା ଦୂରରୁ ଶୋହେ, 
                 ସେ ମୋ ପ୍ରାଣ ପ୍ରିୟ ଗାଆଁଟି,
             ସାରସମଲ ତାହାର ଅଟେ ନାଆଁଟି।୩।
  ପାହାଡ଼ର ନାଭି ଦେଶେ        ଗ୍ରାମ ଦେବତୀ ହରଷେ
              ବିରାଜମାନ, ବୁଢ଼ାରଜା ସଙ୍ଗତେ,
  ଯାନି ଯାତରାରେ ଆଗ        ତା'ଙ୍କ ପାଇଁ ଭୋଗରାଗ
              ନଦେଖିଲେ ତାହା କିଏ ଯିବ ପରତେ,
                   ହରିବୋଲ ଓ ହୁଳହୁଳି,
          ଭକ୍ତିଭାବେ ଗାଆଁ ଦାଣ୍ଡ ପଡ଼େ ଉଛୁଳି ।୪।
  ଆମ ଗାଆଁ ପାଠାଗାର         ସୁଭାଷ ନାଆଁଟି ତା'ର
          ବେଦ, ପୁରାଣ, ଗ୍ରନ୍ଥର ଅଟେ ଭଣ୍ଡାର,
  କାବ୍ୟ,ଗଳ୍ପ, ଉପନ୍ୟାସ         କରନ୍ତି ତହିଁ ବିଶ୍ଲେଷ
            ଗାଆଁର ବିଦ୍ଵାନଗଣ କରି ଆସର,
                ଆହରି ସେ ସାହିତ୍ୟ ରସ,
           ଗ୍ରାମ ଗ୍ରାମବାସୀ ସର୍ବେ ହ୍ଵନ୍ତି ହରଷ ।୫।
  ଜନମ ହୋଇଛି ଏଠି            ଏଠି ଅଛି ମୋର ଷଠୀ
           ମୋ ଚିତା ଜଳିବ ଦିନେ ଗାଆଁ ଶ୍ମଶାନେ,
 ‌ ବେଢିଥିବେ ପରିଜନ             କାନ୍ଦୁଥିବେ ପ୍ରିୟଜନ
            ନଶ୍ବର କାୟା ତେଜିବ ମୋ ଗାଆଁ ଦିନେ,
                 ଆତ୍ମା ମୋର ବୁଝୁନଥିବ,
 (ହେ ପ୍ରଭୁ)ଏ ମାଟିରେ ପୁଣିଥରେ ଜନମ ଦେବ।୬।

ସାରସମାଲ , ବରଗଡ଼
୯୮୬୧୪୯୦୦୩୮       
ଜୟ ସାହିତ୍ୟ, ଜୟ ସମାଜ

ମୋ' ଗାଆଁ

ପ୍ରଜ୍ଞାଲୀନ ସାହୁ
========

ମୋ ଗାଁ ପରା ମୋ ମାତୃଭୂମି 
ଯାହା କୋଳେ ମୁଁ ଜନମ ନେଇଛି 
ଦେଖିବାକୁ ରୂପ ତା'ର ମନୋହର 
ସେଇ ରୂପ ସହ କେହି ନୁହେଁ ସମତୁଲ ||
ଶସ୍ୟ ସମ୍ପଦ ଭରା ମୋ ମାଟି 
ସ୍ନେହ ମମତାରେ କେହି ନୁହେଁ ତା'ସରି 
ପାଖା ପାଖି ଗାଁ'ରେ ଦେଖି ତା'ର ରୂପ 
ତା' ଗୁଣ ଗାରିମା ଗାନ କରନ୍ତି ||
ସକାଳରୁ ସଞ୍ଜ
ମୋ ଗାଁ ପଲ୍ଲୀର ଦୃଶ୍ୟ 
ଯିଏ ବି ଥରେ ଦେଖିଛି 
ମନରୁ କ୍ଲାନ୍ତ ତା'ର ଅପସରି ଯାଇଛି ||
ସକାଳୁ ସକାଳୁ କାକ ଓ ଗଂଜାର ରାବ 
ନବବଧୂ ମାନଙ୍କର ଦାଣ୍ଡ ଝାଡୁ ଲଗା 
ଚଷା ଭାଇ  ହଳଲଙ୍ଗଳ ଯୋଚିବା 
ଦେଖି ସେଇ ମନୋହର ଚାଞ୍ଚଲ୍ୟ ଦୃଶ୍ୟ 
ଆଖିରୁ ନିଦ  ଯାଏ ଅପସରି ||
ଗାଁ'ର ପର୍ବ ପର୍ବାଣୀରେ 
ଥାଏ ଗୋଟେ ନିଆରା ଖୁସି 
ମିଳିମିଶି ସବୁ ଗ୍ରାମବାସୀ 
କରି ଭିନ୍ନ ପିଠା ମିଠା ପଣା 
ପାଳନ କରନ୍ତି ହାତରେ ହାତ ରଖି||
ଗାଁ'ର ପଖାଳ ଭାତ ସହ ଶାଗଭଜା 
ଅପରାହ୍ନେ ତାସ ଖେଳିବାର ମଜା 
କୋକିଳର କୁହୁ କୁହୁ ତାନ 
ଆଉ ମୃଦୁ ମଳୟର ଶୀତଳ ତାଣ୍ଡବ 
ଜୀବନେ ଭରିଦିଏ ଖୁସିର ଆନନ୍ଦ ||
ସନ୍ଧ୍ୟାବେଳ ଗାଁ'ର ଦୃଶ୍ୟ 
ଛୋଟ ପିଲାଙ୍କ ବୋହୁଚୋରୀ ଖେଳ 
ଆଉ ଗୋରୁ ଗୋଠକୁ ଫେରିବାର ଦୃଶ୍ୟ
ଦେଖିଦେଲେ ମନେ ଛବି ଆଙ୍କି ହୁଏ  
ନିଜର ସବୁ ଚଗଲାମୀ ଦୃଶ୍ୟ ||
ମୋ ଗାଁ' ବାତ୍ସଲ୍ୟ ସ୍ନେହ ଅମାପ 
ସୁଝିବାକୁ ଲାଗିବ ଜନ୍ମ ଜନ୍ମ
ତଥାପି ତା'ସେବାରେ ରହିବି ମୁଁ ରତ
ଜୀବନର ଶେଷ ରକ୍ତ ବିନ୍ଦୁ ଥିବାଯାଏ ||
===================
ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

ସବୁଠୁ ସୁନ୍ଦର ଆମ ଗାଁ

                                    କଳ୍ପନା ରାୟ
ଆମ ଗାଁ ନଈ ବଙ୍କାଟଙ୍କା ହୋଇ
ଯାଏ ବହି ବହି ସାଗରେ ମିଶିବା ପାଇଁ
ଧାରେ ଧାରେ ପୁଣି ସୁଶୋଭିତ
ଧାନ କ୍ଷେତ, ଯତନେ ଗଢିଛି ଯା'କୁ ଚଷା ଭାଇ

କୀର୍ତ୍ତି କିରୀଟିନୀ ପୁଣି ରତ୍ନଗର୍ଭା
ଯହିଁ ଦେଖ ତହିଁ ଫଳ ପୁଷ୍ପେ ଶୋଭା
ଦେଖିବାର ଅଛି ଯେବେ ଝିଅ ହୁଏ ଵିଭା
ମମତା ମଧୁ ସେଠି କି ଉପମା ଦେବା


ରାସ୍ତା ନାଲି ନାଲି ବଙ୍କେଇ ଟଙ୍କେଇ
ଅପାସୋରା କଥାସବୁ ଯାଏ ଗଳ୍ପ ହୋଇ
ଜେଜେମା ଖାଏ ପାନ ଧିମେଇ ଧିମେଇ
ଗପ ଶୁଣୁ ଶୁଣୁ କୋଳେ ଯାଏ ମୁଁ ଘୁମେଇ

ଗାଁ ପିଲା କେତେ କୂଜି ରାଜନେତା
ପାଖେ କେହି କହେ ନାହିଁ ଡରି କିଛି କଥା
କଥା କଥା କେ କାଢନ୍ତି ଦୁଇନମ୍ବରି ବାର୍ତ୍ତା
ଲାଙ୍ଗୁଡ ଜାକନ୍ତି ଦେଖି ସାଆନ୍ତଙ୍କ ଛତା

ମନ୍ଦିମାଆ ପରି ଲୋକ ଦୁଆରେ ଥାଆନ୍ତି
ଯାଉଣୁ ଆସୁଣୁ କିଛି ପଚାରି ବସନ୍ତି
ସମୟର ଅଭାଵୀକୁ ସିଏ ବୁଝନ୍ତିନି
ନ କହିଲେ ଅଭିଶାପ କେଵେ ଦିଅନ୍ତିନି

ଗାଁ ମୁଣ୍ଡରେ ଆମ ପୂର୍ବପୁରୁଷଙ୍କ ମଠ
ଚଉଁରାଗୁଡେ ଭିତରେ ସେ କରୁଥାନ୍ତି ନାଟ
ଦିନେ ଦିନେ ସେମାନଙ୍କ ଦିନ ପୁଣି ହୁଏ
କ୍ଷୀରି ଖେଚୁଡି ଖାଇକି ଦିନଟା ତ ଯାଏ

ତା ଆଗକୁ ପଡେ ପୁଣି ସିନାଦାସ ମଠ
ପିଲାମାନେ ଯାଇ ଵୁଲି କରନ୍ତି ତ ନାଟ
ଜାତି ଜାତି କୋଳି ଆଉ ଫଳମୂଳମାନ
ଯତନେ ଲଗାଇଥାନ୍ତି ଦେଇ ତାକୁ ଧ୍ୟାନ

ରଜ, ଖୁଦୁରୁକୁଣୀ ଆଦି ଓଷାମାନଙ୍କରେ
ଝିଅମାନଙ୍କ ଖୁସିକୁ ଦେଇ ତ ଧ୍ୟାନରେ
ଡକାଡକି ହୋଇ ଯେତେ ମଜ୍ଜା କରିଥାନ୍ତି
ନ ମିଳିବ କାହିଁ ଆଉ ସେହି ସୁଖ ଶାନ୍ତି

 ସହକାରୀ ଶିକ୍ଷୟିତ୍ରୀ,ଲଇଡା, ସମ୍ବଲପୁର
ଜୟ ସାହିତ୍ୟ, ଜୟ ସମାଜ

ମୋ' ଗାଆଁ

ପ୍ରସାଦିନୀ ଶ୍ରୀଚନ୍ଦନ 
ସୁନେଲି ସୂରୁଯ ବୁଣି  ଦିନକର ଦିନ ମଣି
ପଲଙ୍କେ ପଲକ ଛୁଇଁ ଜ୍ୟୋତି ପ୍ରକାଶେ
କର କରେ କରି ସ୍ପର୍ଶ ପୁଷ୍ପରାଗେ ଭରିଶ୍ଵାଶ
ଆବୋରିଣ ଜଳ ସ୍ଥଳ ବାୟୁ ଆକାଶେ
     କୁଆ କୁମ୍ଭାଟୁଆ ରାବୁଛି
ଉଚ୍ଚାଟେ ଉଷତ ଉଷା ଚକ୍ଷୁ ଖୋଲୁଛି ।

ଶଙ୍ଖନାଦେ ଦେବାଳୟ ଘଣ୍ଟ ଘଣ୍ଟା ଗହ ଗହ
ଓଁକାରେ ସକାଳ ଯହିଁ କିରଣ ଛୁଆଁ
ଲଙ୍ଗଳେ ବଳଦ ଯୋଡ଼ି ଚଷା ପୁଅ ଠେକା ଭିଡ଼ି
ଅଳସ ତେଜି ସଅଳେ ଜୀବିକା ମୁହାଁ
ଦୁଃଖେ ଲେଖା ସୁଖର ନାଆଁ
ଅନ୍ତୁଡିରୁ ଜୁଇ ସାକ୍ଷୀ ସେହି ମୋ ଗାଆଁ ।

ନଦୀ ପଠା ଆମ୍ବ ତୋଟା ପକ୍ଷୀ ଗାନ ଲାଗେ ମିଠା
ବହଳ ବଉଳ ବାସ୍ନା ବାଉଳା ଋତୁ
ବାହୁଡ଼ା ଗୋଠ ଗୋଧୂଳି ଗାଇଆଳ ହମ୍ବାରଡି
ରତ ରତ ରାତି ରଚେ ଅଗ୍ନି ନୈଋତୁ୍ଁ
ସରସ ତା ଶୋରିଷ କ୍ଷେତ
ଶେଷ ଶରତରେ ସଜା ଲକ୍ଷ୍ମୀ ପଣତ
ଡାହୁପୁଆ ବୋହୁଚୋରି ପାଇକ ଖେଳ କବାଡି 

ପଶା ନିଶା ଭାଗବତ ଯାନିଯାତରା
ଦୋଳି ରେ ଦୋଳଗୋବିନ୍ଦ ଆନନ୍ଦ ଅପୁଆ ନନ୍ଦ
ବାରମାସେ ତେର ପର୍ବ ଅଣପାଶୋରା
ପିଠା ମିଠା ଖିରି ଖେଚୁଡ଼ି
ଇଛାହୁଏ ଗାଆଁକୁ ମୋ ଯାନ୍ତି ବାହୁଡ଼ି ।

ବାଲ୍ୟବେଳ ବାଲି ଖେଳ ସୁଲଭ ବାଳ ଚପଳ
ଦହଲା କାଦୁଅ ଭିଜା ତୋଡି ସାଉଁଟା
ଛିଡା ଗୁଡି ନଟୁ ବାଟି ସାଇତା ଖପରା କାତି
ମଧୁର ଦରଜ ସେଇ ବନିଶୀ କଂଟା
ଭୂଲି ପାରୁନି ତା ନାଆଁଟା
ସବୁଠୁ ସୁନ୍ଦର ବୋଧେ ମୋ ଗାଆଁ ଟା ।

ଜୟ ସାହିତ୍ୟ, ଜୟ ସମାଜ

ସାହିତ୍ଯ ବେପାର

ଶିବ ପ୍ରସାଦ ବାହିନୀପତି 

     "ସାହିତ୍ଯ ସମାଜର ଦର୍ପଣ" - ଏ ଉକ୍ତିଟି ପ୍ରତ୍ଯେକଟି ସାହିତ୍ୟିକର ସୈକତେ ଶୋଭା ବର୍ଦ୍ଧନ କରେ । ଦର୍ପଣରେ ଆମେ ଆମର ନିଜ ମୁଖ ଦର୍ଶନ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ଲଗାଇ ମୁଖମଣ୍ଡଳକୁ ସୌନ୍ଦର୍ଯ୍ୟ କରୁ । ଠିକ୍‌ ସେହିପରି ଏ ସମାଜ ନିଜେ ସୁନ୍ଦରତା ପ୍ରାପ୍ତ୍ଯର୍ଥେ ଅର୍ଥାତ୍ ନିଜ ମୁଖମଣ୍ଡଳକୁ ସୌନ୍ଦର୍ଯ୍ୟ କରିବାକୁ ସାହିତ୍ଯର ଦର୍ପଣକୁ ବ୍ଯବହାର କରେ । ସାହିତ୍ଯ ସ୍ବରୂପ ଦର୍ପଣରେ ସମାଜ ନିଜର ମୁଖକୁ ଦେଖି ସୁନ୍ଦର କରିନିଏ । ଆମର ଯେପରି ସ୍ନୋ , ପାଉଡ଼ର , କ୍ରିମ୍‌ , ଆଦି ଅନେକ ପ୍ରସାଧନ ସାମଗ୍ରୀ ଅଛି ; ଠିକ୍‌ ସେମିତି ଭାବ, ଅଳଙ୍କାର, ଶିକ୍ଷା, ଚ଼େତାବନୀ ଆଦି ପ୍ରସାଧନ ସାମଗ୍ରୀରେ ସମାଜ ନିଜକୁ ସଜ୍ଜିତ କରେ ସାହିତ୍ଯ ରୂପୀ ଦର୍ପଣ ଅବଲୋକନରେ । ଅନ୍ଯର୍ଥେ କହିବାକୁ ଗଲେ ସାହିତ୍ଯ ସମାଜର ହିତ ସାଧନ । ସମାଜର ହିତ ଯେ କରେ , ସେ ସାହିତ୍ଯ । ଆଉ ଏକ ଅର୍ଥ "ସ - ହିତ = ସାହିତ୍ଯ" । ଅର୍ଥାତ୍ ଯେ ସବୁବେଳେ ହିତ ହିଁ କେବଳ ଚ଼ାହିଁଥାଏ , ସେ ସାହିତ୍ଯ ପଦବାଚ୍ୟ । "ସହିତ"ରୁ ସାହିତ୍ଯର ରୂପାନ୍ତର । ଯେ ସବୁବେଳେ ନିଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ; ସେ ଆଉ କେହି ନୁହେଁ , ସେ ସାହିତ୍ଯ । ସଂକ୍ଷେପରେ କହିବାକୁ ଗଲେ ସମାଜର ଗୁରୁ , ସମାଜର ହୀତାକାଂକ୍ଷୀ ବନ୍ଧୁ , ମାଜର ସତ୍‌ ସରଣୀ ପ୍ରଦର୍ଶକ ଭାବରେ ସାହିତ୍ଯ ହିଁ ପରିଚ଼ିତ । 

     ସମସ୍ତେ ସାହିତ୍ଯ ଅନୁରାଗୀ ହେବା ଉଚିତ୍ । ସାହିତ୍ଯ ବିନା ଏହି ସମାଜ କେବେ ତିଷ୍ଠି ପାରିବ ନାହିଁ । ସୃଷ୍ଟି ଆରମ୍ଭରୁ ସାହିତ୍ଯ ସମାଜ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସାହିତ୍ଯ ବୈରାଗୀ ହୋଇ କେହି ବି କେବେ ସମାଜରେ ତିଷ୍ଠି ପାରିନି କି ନିଜର ସୁରକ୍ଷା କରି ପାରିନି । ସାହିତ୍ଯ ଅଛି , ରହିଛି ଆଉ ରହିଥିବ ମଧ୍ଯ । ଯେଉଁ ସାହିତ୍ଯ ସମାଜର ହିତ ପ୍ରତି ଉତ୍ସର୍ଗିକୃତ , ସେ ହିଁ କାଳଜୟୀ ସାହିତ୍ଯ ଏବଂ ଉତ୍ତମ ସାହିତ୍ଯ । ଅନ୍ଯ ଅର୍ଥରେ ପ୍ରକୃତ ସାହିତ୍ଯ ସିଏ , ଯିଏ ସମାଜର ମଙ୍ଗଳ ବିଧାନ କରିବାରେ ସକ୍ଷମ । ନିର୍ଭୂଲ୍‌ ମାତ୍ରାକ୍ଷର , ଉତ୍ତମ ଶବ୍ଦ ସଂଯୋଜନା , ସୁନ୍ଦର ଭାବ , ଉପଯୁକ୍ତ ବ୍ଯଞ୍ଜନା , ଉତ୍ତମ ଓ ନିଃସ୍ବାର୍ଥପର ମନୋଭାବର ଅଳଙ୍କାର , ସମାଜ ମଙ୍ଗଳ ବିଧାନର ବାର୍ତ୍ତା , ଅହଂଭାବର ରହିତ, ସେବା ଓ ସମର୍ପଣର ରଚନା ହିଁ ବାସ୍ତବିକ କାଳଜୟୀ ଓ ପ୍ରକୃତ ସାହିତ୍ଯ । ଯଦି ଏ ସବୁ ନାହିଁ , ତେବେ ସେ ସାହିତ୍ଯର ମୂଲ୍ଯ ହିଁ ନାହିଁ । ନିଜର ସାହିତ୍ଯ ପ୍ରତି ରୁଚି ହିଁ ନିଜକୁ ସାହିତ୍ୟିକର ମାନ୍ୟତା ପ୍ରଦାନ କରେ । ଖାଲି ଗଳ୍ପ - ପ୍ରବନ୍ଧ - କବିତା - ନିବନ୍ଧ ଲେଖିଦେଲେ କି ରମ୍ଯ ରଚନାରେ କାହାକୁ ଇଙ୍ଗିତ କରି କେଇ ଧାଡ଼ି ଗାରେଇ ଦେଲେ କିମ୍ବା ସମାଜର ମଙ୍ଗଳ ପାଇଁ ବାର୍ତ୍ତା ଦେଇ ଲେଖି ନିଜେ ସେଇ ବାର୍ତ୍ତାନୁରାଗୀ ନ ହେଲେ , ସେ କେବେ ସାହିତ୍ୟିକ ପଦବାଚ୍ୟ ହୁଏ ନାହିଁ । ସାହିତ୍ଯିକଟିଏ ହେବାକୁ ହେଲେ ସେତିକି ନିଷ୍ଠା, ସାଧନା ଓ ରୁଚି ଦରକାର । ଲେଖା ମାଧ୍ଯମରେ ସମାଜକୁ ଦେଉଥିବା ବାର୍ତ୍ତାକୁ ଯିଏ ନିଜେ ସୂଚାରୁରୂପେ ପାଳନ କରିପାରେ କିମ୍ବା କୌଣସି ଏକ ସ୍ରଷ୍ଟାଙ୍କର ସୃଷ୍ଟିକୁ ଦେଖି ବା ପଠନ କରି କି ଶୁଣି ଯଦି ଉତ୍ତମ ଜ୍ଞାନ ଆହରଣ କରିପାରନ୍ତି ଯିଏ ଏବଂ ତାକୁ ସେଇ ଅନୁସାରେ ପାଳନ କରନ୍ତି ସେ ହିଁ ପ୍ରକୃତରେ ସାହିତ୍ୟିକ ପଦବାଚ୍ୟ ହୁଅନ୍ତି । ସଂକ୍ଷେପରେ କହିବାକୁ ଗଲେ , ଜଣେ ପାଠକ ବି ଜଣେ ସୁସାହିତ୍ୟିକ ହୋଇପାରିବ । 

    ପ୍ରକୃତ ସାହିତ୍ଯ ସାଧକ କେବେ ପଦପଦବୀର ଆଶାୟୀ ନଥାଏ । ପ୍ରତ୍ଯେକ ସାହିତ୍ଯିକ ବି ଜଣେ ଜଣେ ସମାଜ ସେବକ । ସମାଜର ସେବା କରିବା , ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଜଣେ ସାହିତ୍ଯିକର ଲକ୍ଷ୍ୟ ହେବା ଦରକାର । ସମାଜ ପାଇଁ ହିଁ ସାହିତ୍ୟିକର ସୃଷ୍ଟି ; ସମାଜ କଲ୍ଯାଣ ପାଇଁ ହିଁ ସାହିତ୍ୟିକର କଲମ ଚ଼ାଳନା ଅବିଶ୍ରାନ୍ତ ଗତିରେ । ସମାଜର ସେବା କରିବାର ମନୋବୃତ୍ତି ଯା'ର ଥାଏ , ତା'ର ପଦପଦବୀର ଆବଶ୍ୟକତା ନଥାଏ । ଜଣେ ପଦବୀରେ ରହିଲେ ଯେ ସମାଜ ପାଇଁ କିଛି କରିବ , ଏକଥା ଭାବିବା ଭୂଲ୍‌ । ପଦବୀର ଏଠି କୌଣସି ଆବଶ୍ଯକତା ନାହିଁ । ସେବା ଓ ସମର୍ପଣର ମନୋବୃତ୍ତି ଏବଂ ନିଜର କାର୍ଯ୍ଯକଳାପ ହିଁ ନିଜର ପଦ ମର୍ଯାଦା ବୃଦ୍ଧି କରେ । ହିଂସା , ଦ୍ବେଷ , ଅହଂଭାବ, ସ୍ବାର୍ଥ , ମିଥ୍ୟା , ଅନୀତି ଆଦି ନିଜର ପଦ ମର୍ଯାଦା କ୍ଷୁର୍ଣ୍ଣ କରେ ଏବଂ ସମାଜରେ ନିନ୍ଦା ଓ ଘୃଣାର ଡ଼ିଣ୍ଡିମ ପିଟେ । ସାହାଯ୍ୟ ଓ ସହାନୁଭୂତି ନ ରହିଲେ ଜଣେ ସାହିତ୍ଯିକ ପଦବାଚ୍ୟ କିପରି ହୋଇ ପାରିବ ? ଶବ୍ଦରେ ଅଶାଳୀନତା , ଅଯୌକ୍ତିକ ଯୁକ୍ତି , କାର୍ଯ୍ଯରେ ଅସଂଯମତା ଓ ଅକ୍ଷମତା , ସ୍ବାର୍ଥ ହାସଲ ପାଇଁ ସଦା ପ୍ରଚେଷ୍ଟା , ଶିକ୍ଷା କରିବା ବଦଳରେ ନିଜକୁ ସର୍ବଗୁଣ ସମ୍ପନ୍ନ ମନେ କରି ସର୍ବଦା ଶିକ୍ଷକ ହେବା ମଧ୍ଯ ନିଜକୁ ସାହିତ୍ଯିକ ଆସନରୁ ବିତାଡ଼ିତ କରେ । ଦୀକ୍ଷା ଦେବା ଅପେକ୍ଷା ଦୀକ୍ଷା ଗ୍ରହଣ କରିବା ମନୋବୃତ୍ତି ହିଁ ଜଣେ ବ୍ଯକ୍ତିକୁ ସାହିତ୍ୟିକର ଆସନ ପ୍ରଦାନ କରେ । 

     କିନ୍ତୁ ଏବେ ସର୍ବତ୍ର ବିପରୀତ ଦୃଶ୍ୟମାନ । ଅଧୁନା ଯୁଗର କିଛି ସ୍ରଷ୍ଟା ଏବେ ଏସବୁର ଓଲଟା । ଦୀକ୍ଷା ନ ନେଇ ଦୀକ୍ଷା ଦେବା ପାଇଁ ପ୍ରସ୍ତୁତ , ଶିକ୍ଷା ଗ୍ରଣ କରିବା ପରିବର୍ତ୍ତେ ଶିକ୍ଷା ଦେବା ପାଇଁ ପ୍ରସ୍ତୁତ । କାହାର ଉପଦେଶ କଣ୍ଟା ପରି ଫୋଡ଼ି ହୋଇଯାଏ ସର୍ବାଙ୍ଗରେ ; କିନ୍ତୁ ଉପଦେଶ ଦେବାରେ ପାରଙ୍ଗମ । ଦେଉଥିବା ଉପଦେଶକୁ ନିଜେ ହେଲେ ପାଳନ କରନ୍ତେ ; ନା, ସେତକ ନାହିଁ । ପାଳନକାରୀ କେହି ନୁହେଁ ; ପ୍ରଦାନକାରୀ ସମସ୍ତେ । ତା' ଛଡ଼ା ପଦପଦବୀର ଆଶାରେ ମସ୍‌ଗୁଲ୍‌ ସମସ୍ତେ । ସମସ୍ତେ ସମ୍ମାନ ପାଇବା ପାଇଁ ଉତ୍ସୁକ, ସମ୍ମାନ ଦେବା ପାଇଁ ନୁହେଁ । ଜାଣିବା ଉଚିତ୍ ସମ୍ମାନ ଦେଇଥିଲେ ସମ୍ମାନ ପାଇ ପାରିବା ; ଯଦି ସମ୍ମାନ ଦେଇ ପାରିବାନି ତେବେ ସମ୍ମାନ ପାଇବାର ଆଶା କରିବା ନିରର୍ଥକ । ପ୍ରଥମେ ନିଜର ମାତୃଭୂମି, ମାତୃଭାଷାକୁ ନିଃସ୍ବାର୍ଥପର ଭାବରେ ଓ ନିର୍ବିକାର ଭାବରେ ଭଲପାଇବା ଦରକାର । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ - 

       "ମାତୃଭୂମି ମାତୃ     ଭାଷାରେ ମମତା
                 ଯା' ହୃଦେ ଜନମି ନାହିଁ 
          ତାକୁ ଯଦି ଜ୍ଞାନୀ     ଗଣରେ ଗଣିବା
                  ଅଜ୍ଞାନ ରହିବେ କାହିଁ ?" 
ତେଣୁ , ଯାହାର ମାତୃଭୂମି - ମାତୃଭାଷା ପ୍ରତି ଶ୍ରଦ୍ଧା-ସମ୍ମାନ ଓ ଭଲପାଇବା ନାହିଁ ସେ ଯଦି ଜ୍ଞାନୀ ପଦବାଚ୍ୟ ହୁଏ , ଅଜ୍ଞାନ ତେବେ କିଏ ? ନିଜକୁ ପ୍ରତିଷ୍ଠିତ କରିବାକୁ ସ୍ବାର୍ଥ ପୂର୍ଣ୍ଣ ଭାବରେ ଭଲପାଇବାର ନାଟକ ରଚନା କଲେ ଜଣେ ପ୍ରକୃତ ସାହିତ୍ଯିକ କି ମାତୃଭକ୍ତ ପାଲଟି ଯାଏନି । 

    ସାହିତ୍ଯରେ ସେବା ଓ ସମର୍ପଣର ଭାବ ରହିବା ଦରକାର । ସମାଜ ପାଇଁ ଜୀବନୋତ୍ସର୍ଗ କରିବା ଦରକାର । ଗୋପବନ୍ଧୁ, ମଧୁସୁଦନ, ଫକିରମୋହନ, ଗଙ୍ଗାଧର, ରାଧାନାଥ ; ଏମାନେ ଅନୁକରଣୀୟ ହେବା ଉଚିତ୍ । ସେମାନେ ସମାଜ ସଂସ୍କାର ପାଇଁ ନିଜ ଜୀବନକୁ ତିଳତିଳ କରି ଜାଳି ଦେଇଛନ୍ତି । ତାଙ୍କ କଲମ ମୁନରେ ସୃଷ୍ଟି କରି ଯାଇଛନ୍ତି ଯେଉଁ କାଳଜୟୀ ସାହିତ୍ଯ, ତାହା ଏବେ ବି ସୁଦ୍ଧା ପ୍ରତ୍ଯେକ ପାଠକ ପ୍ରାଣକୁ ମନ୍ତ୍ରମୁଗ୍ଧ କରେ । ଥରାଇ ଦିଏ ଜନତାଙ୍କ ହୃଦତନ୍ତ୍ରୀ । ଖେଳାଇ ଦିଏ ଶିହରଣ ପାଠକ ପ୍ରାଣରେ । ଗୋପବନ୍ଧୁଙ୍କ ଭାଷାରେ :-

       "ମିଶୁ ମୋର ଦେହ ଏ ଦେଶ ମାଟିରେ
        ଦେଶବାସୀ ଚ଼ାଲି ଯାଆନ୍ତୁ ପିଠିରେ
        ଦେଶର ସ୍ବରାଜ ପଥେ ଯେତେ ଗାଢ଼
        ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"

ତେଣୁ ଚିନ୍ତା କଲେ , ସମାଜ ପ୍ରତି ତାଙ୍କର ଏ ତ୍ଯାଗ କେତେ ମହାନ ସତରେ ! ତାଙ୍କର ଏ ରଚନାରେ ସମାଜ ପ୍ରତି ଉତ୍ସର୍ଗୀକୃତ ଜୀବନର ନିଚ୍ଛକ ଛବି ପ୍ରତିଫଳିତ ହେଉଛି । ସେ କେବେ ଗାଦି ଉତ୍ସୁକ ଥିଲେ କି ? ପଦପଦବୀ ଅପେକ୍ଷା ନିଜର କର୍ମମୟ ଜୀବନ ଯାହା ସମାଜକୁ ଉତ୍ସର୍ଗୀକୃତ ; ତା'ରି ଉପରେ ସେ ଚଳଚଞ୍ଚଳ । ସମାଜରେ ଶାନ୍ତି ପ୍ରତିଷ୍ଠା ଥିଲା ତାଙ୍କର ମୂଳ ଲକ୍ଷ୍ୟ । ସେ ଲେଖି ଥିଲେ -

         "ମାନବ ଜୀବନ      ନୁହଁଇ କେବଳ 
                   ବର୍ଷ-ମାସ-ଦିନ-ଦଣ୍ଡ
         କର୍ମେ ଜୀଏଁ ନର      କର୍ମ ଏକା ତା'ର 
                    ଜୀବନର ମାନଦଣ୍ଡ ।"

     ଏମିତି ଅନେକ ଉଦାହରଣ ଆମ ପାଖରେ ଅଛନ୍ତି । ଆମେ ସେମାନଙ୍କୁ ଅନୁକରଣ କରିବା ଉଚିତ୍‌ । କିନ୍ତୁ ଆମେ ତାହା ନ କରି ନିଜର ପ୍ରତିଷ୍ଠା ଏବଂ ପ୍ରତିପତ୍ତି ବିସ୍ତାର ପାଇଁ ପ୍ରାଣପଣେ ପ୍ରଚେଷ୍ଟା କରି ସମାଜରେ ହାସ୍ଯାସ୍ପଦ ହେବା ସାର ହେଉଛି । ପଦପଦବୀ ମଣ୍ଡନ ପାଇଁ ରଣ କୌଶଳ ପ୍ରସ୍ତୁତି ଅହରହ । ଖାଲି ସେତିକି ନୁହେଁ ତୁଚ୍ଛା ସମ୍ମାନପତ୍ର ପଛରେ ପାଗଳଙ୍କ ପରି ଧାବନ କରି ମିଛ ସମ୍ମାନ ସାଉଁଟିବାରେ ପାରଙ୍ଗମ ଆମେ । ନିଜେ ତ ନିନ୍ଦିତ ହେଉଛେ , ତାଙ୍କୁ ବି ଅସମ୍ମାନ କରିବାକୁ ପଛାଉ ନାହେଁ । ସେମାନେ ସାହିତ୍ଯ ସୃଷ୍ଟି କରି କେତେ ଅର୍ଥ ଉପାର୍ଜନ କରୁଥିଲେ ? ଟଙ୍କା ଦେଇ କେତେ ମାନପତ୍ର ଗୋଟେଇ ଥିଲେ ସେମାନେ ? କିନ୍ତୁ ଆମେ ଆଜି ଅର୍ଥ ପାଇଁ ଅନର୍ଥର ନର୍କ ଦ୍ବାରରେ ଦଣ୍ଡାୟମାନ । ମାନପତ୍ର ପାଇଁ ଅପର୍ଯ୍ଯାପ୍ତ ଅର୍ଥ ବ୍ଯୟ କରି ଚ଼ାଲିଛେ । ଘରେ ବୁଢ଼ା ବାପ ଔଷଧ ନ ପାଇ ବିଛଣା ଉପରେ ବେଦନାରେ ଛଟପଟ ହୋଇ ମରଣ ସହ  ଲଢ଼େଇ କରୁଥିବ, କିନ୍ତୁ ଆମେ ଟଙ୍କା ଦେଇ ମାନପତ୍ର କିଣିବା ପାଇଁ ଦୂରଦୂରାନ୍ତରୁ ସୁଅ ଛୁଟାଇ ଥିବା ମାନପତ୍ର ମିନି ବଜାରକୁ । ବାପ ମଲେ କେତେ ଗଲେ କେତେ ଆମର କ'ଣ ଯାଏ ? ଆମର ସମ୍ମାନ ଦରକାର । ବାପ ବୁଢ଼ା ହେଲାଣି , ରୋଗରେ ପଡ଼ିଲାଣି ; ଅଯଥା ଟଙ୍କା ବ୍ଯୟ କାହିଁକି ହେବ ? ମଲେ ମରୁ ; କିନ୍ତୁ ଆମେ ମାନପତ୍ର ଖଣ୍ଡେ କିଣିବୁ । 

    କେହି ବି ବୁଝି ପାରୁନାହାନ୍ତି ମାତୃଭୂମି ଆମ ମାଆ ହେଲେ ମାତୃଭାଷା ତା'ର ମୁଖ ନିଃସୃତ ଭାଷା । ଛୁଆଟିଏ ଜନ୍ମ ନେଲେ ମାଆ ପ୍ରଥମେ ତାକୁ ଶିଖାଏ - "ଧନ ! କହିଲୁ, ମା' ।" ବାରମ୍ବାର କହିବା ଦ୍ବାରା ପିଲାଟି ମା' ଶବ୍ଦ ଶୁଣି ଶୁଣି ପ୍ରଥମେ ମା' ହିଁ କହିଥାଏ । ସେଇ ମାତୃଭାଷା ହିଁ ଆମ ସାହିତ୍ୟ । ମାଆ ଠାରୁ ମାତୃଭାଷା ସୃଷ୍ଟି । ତେବେ ଏଠି ବିଚ଼ରଯୋଗ୍ଯ ମାତୃଭାଷା ଆମ ସମ୍ପର୍କରେ କ'ଣ ହେବ । ମାଆ ଠାରୁ ଜନ୍ମ ସେ , ତେଣୁ ମାଆଠୁ ଜନ୍ମିତ ସନ୍ତାନ ଆମର ଭାଇ-ଭଉଣୀ । ତେବେ ଆମେ କେଇଟା ଅର୍ଥର ଲାଳସାରେ ଭାଇ-ଭଉଣୀଙ୍କୁ ପଣ୍ଯ ଦ୍ରବ୍ଯ ସଜେଇ ବିକ୍ରିବଟା କରିବା କି ପ୍ରକାର ମାନସିକତା ଇଏ ? ମାଆ - ଭଉଣୀ - ଭାଇଙ୍କୁ ନିଲାମ କରିବା କି ପ୍ରକାର ମାନସିକତା ? ଆଜି ଯଦି ଏସବୁ କରି ପାରିଲେ ତେବେ କାଲି ଆମେ ନିଜର ମାଆ - ଭଉଣୀ - ଭାଇଙ୍କୁ କିଛି ଅର୍ଥ ଉପାର୍ଜନ ଆଶାରେ ବଜାରରେ ପଣ୍ଯ ଦ୍ରବ୍ଯ ସଜେଇ ବିକ୍ରି କରିବା କି ନିଲାମ କରିବାକୁ ତ ପଛେଇବାନି । ଏସବୁ କରି ନ ପାରିବା ବୋଲି କିଛି କହି ହେବ କି ? ଏଭଳି କରୁଥିବା ଲୋକ ବିକୃତ ମାନସିକ ରୋଗୀ କି ନା , ଏହି ବିଚ଼ାର ବୁଦ୍ଧିଜୀବୀ ମାନେ କରନ୍ତୁ । 

      ଆଉ ଗୋଟିଏ କଥା, ଆମେ ସମ୍ମାନ କ'ଣ ଏଯାଏଁ ବୁଝିନେ । ସମ୍ମାନର ଅର୍ଥ ଯଦି ବୁଝି ଥା'ନ୍ତେ ତେବେ ଟଙ୍କା ଦେଇ ମାନପତ୍ର କିଣିବାକୁ ପୂର୍ଣ୍ଣ ପ୍ରସ୍ତୁତିର ସହ ଆସି ସମ୍ମାନ ସହର ପେଣ୍ଠସ୍ଥଳୀରେ ପହଞ୍ଚି ନଥା'ନ୍ତେ । ନିଷ୍ଠା,ସାଧନା, କାର୍ଯ୍ଯଦକ୍ଷତା ଆଦିକୁ ଉପଯୁକ୍ତ ବିଚ଼ାରକୁ ନେଇ ଜଣଙ୍କୁ ସମ୍ମାନ ଦିଆଯାଏ । ଯିଏ ସମ୍ମାନ ପାଏ ସେ ଆମ ଅତିଥି ପାଲଟି ଯାଏ ; ଆମେ ତା'ର ସେବକ । ଏଠି ବଡ଼-ସାନ, ଜାତିଭେଦର ପ୍ରାର୍ଥକ୍ଯ ନଥାଏ । ଅତିଥିଙ୍କୁ ନିମନ୍ତ୍ରଣ କଲା ପରେ ଆମେ ତାଙ୍କୁ ଯଥାସମ୍ଭବ ସମ୍ମାନ ଦେବା ଉଚିତ୍ । ତାଙ୍କଠୁଁ ଅର୍ଥ ନେଇ ଖଣ୍ଡେ ମାନପତ୍ର ଯାହା କିଛି ସମ୍ମାନ ଜନକ ବାକ୍ଯ ଗାରେଇ ଦେଇଥିବା ଶସ୍ତା କାଗଜ ଖଣ୍ଡେ ଧରେଇ ଦେଲେ, କୋଉ ସମ୍ମାନରେ ଗଣତି ହେଲା ?  ବରଂ କୁହାଯିବ ଏଠି ସମ୍ମାନର କିଣାବିକା କରାଗଲା । ଅତିଥିଙ୍କୁ ସମ୍ମାନ ଦେବାକୁ ଡ଼ାକି ଅର୍ଥ ଆଦାୟ କରି ବେସମ୍ମାନ କରିବାର ଅଧିକାର ଆମକୁ କିଏ ଦେଲା ? ଏସବୁ ବିକୃତ ବିକାରଗ୍ରସ୍ତ ମାନସିକତା ନୁହେଁ ତ ଆଉ କ'ଣ ?

      ସମସ୍ତେ ଲେଖକ ହେବାକୁ ଚ଼ାହାନ୍ତି , ପାଠକ ହେବାକୁ କେହି ପ୍ରସ୍ତୁତ ନୁହନ୍ତି । ଦଶଟା ଲେଖା ପଢ଼ିବା ପରେ ଯେଉଁ ଗୋଟିଏ ଲେଖା ସୃଷ୍ଟି ହୁଏ , ସେଇ ଗୋଟିଏ ଲେଖା ହିଁ ଉତ୍ତମ ଲେଖାର ମାନ୍ଯତା ପାଏ । କିନ୍ତୁ ଗୋଟିଏ ମାତ୍ର ଲେଖା ପଢ଼ି ବା ମୂଳରୁ ନ ପଢ଼ି ଯେଉଁ ଦଶଟା ଲେଖା ସୃଷ୍ଟି ହୁଏ , ସେହି ଦଶଟା ଯାକ ଲେଖା ଆବର୍ଜନା କୁଣ୍ଡ ଠାରୁ ବି ଆହୁରି ଅଦରକାରୀ ଓ ବର୍ଜ୍ଯ ପାଲଟି ଯାଏ । ଏକଥା ପ୍ରଥମେ ସ୍ମରଣ ରହିବା ଉଚିତ୍‌ । ଯିଏ ଯାହା ପାରିଲା ଗାରେଇ ଚ଼ାଲିଲା , ଆତ୍ମଘୋଷିତ ଉପାଧି ବହନ କରି ନିଜକୁ ସର୍ବଶ୍ରେଷ୍ଠ ସ୍ରଷ୍ଟା ଭାବରେ ଡ଼ିଣ୍ଡିମ ପିଟି ଚ଼ାଲିଲା । ଏ ହେଉଛି ଅଧୁନା ସ୍ରଷ୍ଟା ମହଲର ଦୁଃସ୍ଥ ମାନସିକତା । ସାମାଜିକ ଗଣମାଧ୍ୟମ ଏବେ ମାଧ୍ୟମ ପାଲଟିଛି ଏଭଳି କିଛି ଦୁଃସ୍ଥ ମାନସିକତା ସମ୍ପନ୍ନ ଶସ୍ତା ସ୍ରଷ୍ଟା ମାନଙ୍କର । ପଣ ପଣ ପରିଦୃଷ୍ଟ ଆତ୍ମଘୋଷିତ ସ୍ରଷ୍ଟା ଆଉ ପୁଳା ପୁଳା ସାହିତ୍ଯ ସଂସଦ ଓ ଆସର । କିଏ ପଞ୍ଜୀକୃତ ତ ପୁଣି କିଏ ବିନା ପଞ୍ଜୀକରଣରେ ପରିଚ଼ାଳିତ । ଅର୍ଥ ଉପାର୍ଜନର ମାଧ୍ୟମ ଏସବୁ କିଲେ କିଛି ଅତ୍ଯୁକ୍ତି ହେବନି ଭାବୁଛି । ପର୍ଯ୍ୟାପ୍ତ ପ୍ରମାଣେ ସାହିତ୍ଯ ପତ୍ରିକା ପ୍ରକାଶିତ , ସୃଷ୍ଟି ସହିତ ଅର୍ଥ ଦିଅ । ହଗିଲା-ମୁତିଲା-ପାଡ଼ିଲା-ଛିଙ୍କିଲା ଯାହା ହେଲେ ବି ଚ଼ଳିବ ; ଆମେ ପ୍ରକାଶ କରିବୁ । ଆମର ଟଙ୍କା ଦରକାର ; ଟଙ୍କା ପାଇଲେ ବିଷ୍ଟାକୁ ଅମୃତ ମାନି ନେଇ ଚ଼ାଟି ପକେଇବୁ । ଏ ସବୁ ଦୁଃସ୍ଥ ମାନସିକତା କି ନୁହେଁ କୁହନ୍ତୁ ତ । ଆଉ କିଛି ସ୍ରଷ୍ଟା ଅଛନ୍ତି ; ଯାହାକୁ ଲେଖା ମାଗିଲେ ଅର୍ଥ ଦାବି କରନ୍ତି । ଅର୍ଥାତ୍‌ ; ନିଜ ସୃଜନୀ ବିକ୍ରି କରିବା ତାଙ୍କର ମୂଳ ଉଦ୍ଦେଶ୍ଯ । ନିଜ ସୃଜନୀ ନିଜର ସନ୍ତାନ ; ସ୍ରଷ୍ଟା ଏଠି ଜନକ ବା ଜନନୀ । ଯଦି ବାପ-ମାଆ ନିଜ ଛୁଆକୁ ବିକ୍ରି କରନ୍ତି ତେବେ ଏ ଦୁଃସ୍ଥ ମାନସିକତା କି ନୁହେଁ ? 
      
       ସରକାରୀ ସ୍ତରରେ ପଞ୍ଜୀକୃତ ହୋଇ ନଥିବା ଅନେକ ସାହିତ୍ଯ ସଂସଦ ବା ଅନୁଷ୍ଠାନର କାର୍ଯ୍ଯନିର୍ବାହୀ ମାନେ ନିଜ ନିଜ ଭିତରେ ମାନପତ୍ର ସାଉଁଟିବାରେ ବେଶ୍‌ ଧୁରନ୍ଧର । କେଉଁଠି କେବେ ଦେଖିଛନ୍ତି ଅନୁଷ୍ଠାନର କାର୍ଯ୍ଯନିର୍ବାହୀ ମାନେ ନିଜ ଅନୁଷ୍ଠାନରୁ ସମ୍ମାନୀତ ହେବା ? ଧଳା କାଗଜରେ ରଙ୍ଗୀନ କାଳିରେ କିଛି ଗାରେଇ ଦେଇ ନିଜ ନିଜ ଭିତରେ ବାଣ୍ଟି ନେଇ ଏବଂ ଅର୍ଥ ଫୋପାଡ଼ି ଛପା କାଗଜର ମାନପତ୍ର କିଣି ଅନ୍ତର୍ଜାଲରେ ଉପସ୍ଥାପନ କରି ନିଜକୁ ମହାନ କହି ବୁଲୁଥିବା କିଛି ସ୍ରଷ୍ଟା ବିକୃତ ମାନସିକ ରୋଗୀ ବୋଲି ବୁଝିବାକୁ ଆଉ ବାକି କୋଉଠି ରହିଲା ? ଖାଲି ସେତିକି ନୁହେଁ , ଆହୁରି ମଧ୍ୟ ବିକୃତ ବିକାରଗ୍ରସ୍ତର ସୂଚନା ମିଳେ , ଯେତେବଳେ ଆମ ପୂର୍ବ ସ୍ରଷ୍ଟା ତଥା ମହାପୁରୁଷଙ୍କ ମ୍ମାନ ଉପରେ ପ୍ରଶ୍ନବାଚକ ଚିହ୍ନଟିଏ ଲାଗେ । ତାଙ୍କ ନାମକୁ ପାଥେୟ କରି ଅନୁପଯୁକ୍ତଙ୍କୁ ସମ୍ମାନପତ୍ର ପ୍ରଦାନ ବହୁତ ବଡ଼ ଲଜ୍ଜାର ବିଷୟ ନିଶ୍ଚୟ ; ପୁଣି ଅଧିକ ଲଜ୍ଜାକର ଯେତେବେଳେ ସେ ନାମ ସୂଚୀତ ଛପା କାଗଜ ଖଣ୍ଡିକ ପାଲଟି ଯାଏ ପଣ୍ଯ ଦ୍ରବ୍ଯ । ସେହି ପୂର୍ବ ସ୍ରଷ୍ଟା ଏବଂ ସେହି ମହାପୁରୁଷଙ୍କ ଭଳି ସୂଚୀତ ବ୍ଯକ୍ତିଙ୍କୁ ହିଁ ସେମାନଙ୍କ ନାମ ଲଗା ଫଳକ ବା ସମ୍ମାନପତ୍ର ପ୍ରଦାନ କରାଯାଏ । ଅଧୁନା ଯୁଗରେ ସେମାନଙ୍କ ସମସାମୟିକ ହେବା ପାଇଁ ଆମେ ସକ୍ଷମ ହୋଇ ପାରିଛେ କି ? ତାଙ୍କ ବିଷୟରେ ବା ଆମେ କେତେ ଜାଣିଛେ ? ତାଙ୍କୁ ସାରା ଜନସମାଜ ସମ୍ମାନ ଦେଉଥିବା ବେଳେ ପରୋକ୍ଷରେ ଆମେ ତାଙ୍କୁ ଅପମାନିତ କରୁନେ କି ? ଏ କଥାର ବିଚ଼ାର ବୁଦ୍ଧିଜୀବୀ ମହଲରେ ହେବା ଦରକାର । 

     ସାହିତ୍ଯ ଆସର କଥା କହିଲେ ଆପେ ଆପେ ମୁଣ୍ଡ ନଇଁ ଯାଏ ଲାଜରେ । ସାହିତ୍ଯ ଆସର ନାମରେ କିଛି ପ୍ରହସନ ଓ ଅର୍ଥ ଉପାର୍ଜନ କରି ନିଜକୁ ପ୍ରତିଷ୍ଠିତ ଓ ନିଜେ ଲାଭବାନ ହେବାରେ ଲାଗିଛନ୍ତି । ନିୟମ କାନୁନ ଜଣା ଥିଲେ ତ ? କେମିତି ଆସର ହୁଏ , ସେ କଥା ଆଗ ପୁଙ୍ଖାନୁପୁଙ୍ଖ ବିଚ଼ାର ବିମର୍ଷ ଓ ଚିନ୍ତନ ପରେ ଆସର ଆୟୋଜନ ହେବା ଉଚିତ୍‌ । ସ୍ବାର୍ଥ, ହିଂସା ଓ ଅହଂଭାବ ପୂର୍ଣ୍ଣ ଆସର ଏବଂ ଅର୍ଥ ଉପାର୍ଜନର ଲାଳସାରେ ହେଉଥିବା ଆସର ପ୍ରହସନ ନୁହେଁ ତ ଆଉ କ'ଣ ? ଆସରରେ କେଉଁମାନେ ମୁଖ୍ୟ ଆସନ ଅଳଙ୍କୃତ କରନ୍ତି ଏ ଜ୍ଞାନ ଥିଲେ ତ ? ବୟୋଜ୍ୟେଷ୍ଠ ବ୍ଯକ୍ତି ବାପା କିମ୍ବା ମାଆ , ଗୁରୁଜନ ପଦବାଚ୍ୟ ବୋଲି ଶାସ୍ତ୍ର ଅନୁମୋଦିତ ; ଏକଥା ଭୁଲିଯିବା ଅନୁଚିତ । କନିଷ୍ଠ ବ୍ଯକ୍ତି ବୟୋଜ୍ୟେଷ୍ଠଙ୍କୁ ସେତିକି ସମ୍ମାନ ଦେବା ଦରକାର , ଯେତିକି ସନ୍ତାନଟିଏ ଅର୍ଥାତ୍ ପୁଅ-ଝିଅ ମାନେ ତାଙ୍କ ବାପ-ମାଆଙ୍କୁ ଦିଅନ୍ତି  । ବାପା-ମାଆ ଘରର ପ୍ରକୃତ ମାଲିକ ଏବଂ ମୂଳଦୂଆ । ଆସରରେ ସେହି ଭାବ ରହିବା ଉଚିତ୍‌ । ବାପର ଅସମ୍ମାନ ପୁଅର ଅସମ୍ମାନ ନୁହେଁ କି ? ପୁଅର ଅସମ୍ମାନ ବି ବାପର ଅସମ୍ମାନ ନୁହେଁ କି ? ସେ ଜାଗାରେ ଯଦି ନିଜ ବାପା ବସି ଥା'ନ୍ତେ ; କୋଉ ପୁଅ ନିଜ ବାପକୁ ପଛରେ ପକେଇ ନିଜେ ସେଠି ସର୍ବେସର୍ବା ହେବାର ପ୍ରୟlସ କରିଥା'ନ୍ତା କି ?  ଜଣଙ୍କୁ ଘରକୁ ଖାଇବାକୁ ଆମନ୍ତ୍ରଣ କରାଗଲା ; ସମସ୍ତଙ୍କୁ କୁହାଗଲା ମୋ' ଘରକୁ ଆଜି ଅମୁକ ବ୍ଯକ୍ତି ମହାଶୟ ଆସୁଛନ୍ତି । ମୁଁ ତାଙ୍କୁ ଭୋଜନାର୍ଥେ ଡ଼ାକିଛି ; ତାଙ୍କ ଠାରୁ କିଛି ଶିକ୍ଷା ପ୍ରାପ୍ତ କରିବା ଉଦ୍ଦେଶ୍ଯରେ ଅଛି । ସେ ଆସିବା ପରେ ହାତ ଧୋଇବାକୁ ପାଣି ନ ଦେଇ ଖାଇବାକୁ ବାଢ଼ି ବସାଇ ଦେବା ; ସେ ପୁଣି ଆନ୍ତରିକତା ହୀନରେ । ୟା' ଅର୍ଥ ତାଙ୍କୁ ଅସମ୍ମାନିତ କରିବା ସହ ସମାନ । ପରୋକ୍ଷରେ ଥାପଡ଼ ମାରିଲନି କି ? କେଉଁମାନେ ମୁରବି ହୁଅନ୍ତି ସେ ଜ୍ଞାନ ଥିବା ଦରକାର । ଯିଏ ଜ୍ଞାନୀ, ଗୁଣୀ ଓ ବୟୋଜ୍ୟେଷ୍ଠ ଏବଂ ନିଜଠୁ ଅଧିକ ଉଚ୍ଚ ପଦାଧିକାରୀ ; ସେଇମାନେ ଆସରରେ ମୁରବି ହୁଅନ୍ତି । କାରଣ ସେମାନଙ୍କ ଠାରୁ ଆମେ କିଛି ଶିଖିବା ଓ ଜାଣିବା । ତାଙ୍କ ବିନାନୁମତିରେ ଆମେ ମନମୁଖୀ ଶାସନ ଚଳାଇବା ନିଜକୁ ଲଜ୍ଜିତ କରୁନି କି ? ଆସର କେମିତି ହୁଏ ଆଗ ଭଲଭାବରେ ଶିକ୍ଷା କରି ଆୟୋଜନ କଲେ ଏସବୁ ଅବ୍ଯବସ୍ଥାରେ ସୁଧାର ଆସି ପାରନ୍ତା । ସବୁ ଦିଗକୁ ଦୃଷ୍ଟି ନିକ୍ଷେପ ପୂର୍ବକ ଉତ୍ତମ ବୁଝାମଣା ଓ ନିୟମାନୁଯାୟୀ ସଚ୍ଚୋଟ ଭାବରେ କାର୍ଯ୍ୟ କଲେ ଆମ ସମାଜ ତଥା ଭାଷା - ସାହିତ୍ଯର ଉନ୍ନତି ହୋଇ ପାରନ୍ତା ।

      ମାନପତ୍ର ପଛରେ ଆମେ କାହିଁକି ଗୋଡ଼ାଇବା ? ବରଂ ଆମ ପଛରେ ମାନପତ୍ର ଗୋଡ଼ାଇବା ଦରକାର । ଏ ଶସ୍ତା ଛପା କାଗଜର ମାନପତ୍ର ହଜାର ହଜାର ପ୍ରାପ୍ତ କରି ବା କ୍ରୟ କରି କି ଲାଭ ? ସବୁଠୁ ଦାମିକା ମାନପତ୍ର ତ ନିଜର ଚରିତ୍ର । "character is best certificate of your life." "ଚରିତ୍ର ହିଁ ସବୁଠାରୁ ଭଲ ମାନପତ୍ର ।" ଆଗ ନିଜର ଚ଼ାରିତ୍ରିକ ମାନପତ୍ର ସାଉଁଟିବାକୁ ଚେଷ୍ଟା କର ; ଏ ମାନପତ୍ରର ମୂଲ୍ଯ କିଛି ନାହିଁ । ବୁଦ୍ଧିଜୀବୀଙ୍କୁ ବିନମ୍ର ଅନୁରୋଧ ; ଏ ଦିଗରେ ବିଚ଼ାର କରି ଉପଯୁକ୍ତ ନ୍ଯାୟ ଦିଅନ୍ତୁ । ପଞ୍ଜୀକୃତ ଓ ବିନା ପଞ୍ଜୀକୃତ ସାହିତ୍ଯାନୁଷ୍ଠାନ ସସ୍ର ସସ୍ର ମଥା ଟେକିଛି ; ଅନେକ ସ୍ରଷ୍ଟାଙ୍କୁ ସମ୍ମାନୀତ କରୁଛି । କିନ୍ତୁ ଯୋଉ ସମ୍ମାନର ମୂଲ୍ଯ ନାହିଁ , ସେ ସମ୍ମାନ ପାଇବାକୁ ଧାଉଁଥିବା ସ୍ରଷ୍ଟାଙ୍କର ଅଭାବ ନାହିଁ କି ଦେଉଥିବା ସଂସ୍ଥାର ବି ଅଭାବ ନାହିଁ । ଏସବୁର ମୂଳୋତ୍ପାଟନ କରିବା ଅର୍ଥାତ୍ ସାହିତ୍ଯରେ ଅର୍ଥର ଦେଣନେଣକୁ ଉଚ୍ଛେଦ କରିବା ଆମ ପରି ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନଙ୍କର କ'ଣ କର୍ତ୍ତବ୍ୟ ନୁହେଁ କି ? ଆମ ଭାଷା ସାହିତ୍ଯର ସୁରକ୍ଷା ଓ ତାକୁ ଯଥୋଚିତ ସମ୍ମାନ ଦେଇ ଆମ ଉତ୍କଳର ଶ୍ରୀ ବୃଦ୍ଧି କରିବା ଆମ ପରି ସନ୍ତାନଙ୍କର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ୍‌ ନୁହେଁ କି ? ହେଇଯାଉ ଆନ୍ଦୋଳନ ; ବଳି ପଡ଼ିବା ଦରକାର ଦୁଃସ୍ଥ ମାନସିକ ବିକାରଗ୍ରସ୍ତ ରୋଗୀ ମାନେ । ଦମନ ହେବା ଦରକାର ଦୁଷ୍ଟ ପ୍ରକୃତିର ଦାନବଗଣ । 

     ଏ ସୃଷ୍ଟି ମୋର କାହାକୁ ଆକ୍ଷେପ ମୂଳକ ଭାବରେ ନୁହେଁ ; ବରଂ ସମାଜରେ କିଛି ସୁଧାର ଆଣିବା ଉଦ୍ଦେଶ୍ଯରେ । ସ୍ରଷ୍ଟା-ସ୍ରଷ୍ଟା ମଧ୍ୟେ ଟାଙ୍କ ଟଣାଟଣି, କିଛି ନ ଜାଣି ବା ସତ୍ୟତାର ସନ୍ଧାନ ନ କରି ଅମୂଳକ ଭାବରେ ସାମାଜିକ ଗଣମାଧ୍ୟମରେ କାହାର ଚରିତ୍ର ସଂହାର , ଅର୍ଥ ଦେଇ ମାନପତ୍ର କିଣା, ସାରସ୍ବତ ସୃଷ୍ଟିର ବେପାର ବଣିଜ ଏବଂ ପରିଶେଷରେ ଅଶାଳୀନ ବ୍ଯବହାର ଏସବୁ କ'ଣ ସାରସ୍ବତ ସାଧକର ପରିଚୟ ନଷ୍ଟ କରୁନାହିଁ କି ? ଯୋଡ଼ହସ୍ତରେ ବିନମ୍ର ପ୍ରାର୍ଥନା ବୁଦ୍ଧିଜୀବୀ ମାନଙ୍କର ଶ୍ରୀପୟରେ ; ଏସବୁର ଯଥୋଚିତ ବିଚ଼ାର କରି ଆମ ଭାଷା ସାହିତ୍ଯ ଓ ଆମ ସମାଜର କଲ୍ଯାଣ ପାଇଁ କିଛି ଆଇନ କାନୁନ ହେଉ ଅବା କିଛି ନିୟମ ଯୋଡ଼ି ପାରିଲେ ଆମ ଉତ୍କଳ ମହାନତାର ଶେଷ ସୋପାନରେ ଗର୍ବର ସହ ଛିଡ଼ା ହୋଇପାରନ୍ତା । ଆଶା କରେ ସମସ୍ତ ବୁଦ୍ଧିଜୀବୀ ମୋର ଏହି ବିନମ୍ର ପ୍ରାର୍ଥନାକୁ ହୃଦୟର ସହିତ ସ୍ବୀକାର କରି ମୋ' ଉତ୍କଳ ମାଆ ପାଇଁ ଉଚିତ୍ ପଥଟିଏ ନିର୍ଦ୍ଧାରଣ କରି ପାରିବେ । 

ସମ୍ପାଦକ - ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ)
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬
ଜୟ ସାହିତ୍ୟ, ଜୟ ସମାଜ

ମାନବିକତା

 ବିଜୟଲକ୍ଷ୍ମୀ ଭୋଇ 
ଆଜିର ସମାଜରେ                                                         
         ହଜିଯାଇଛି, ମାନବିକତା                                     
ସ୍ୱାର୍ଥଲୋଭି ମଣିଷ ଖୋଜେ 
           କେବଳ ଟଙ୍କା ହିଁ ଟଙ୍କା ।
ମୂଲ୍ଯହୀନ ହୋଇ ପଡିଛି 
      ସ୍ନେହ ,ପ୍ରେମ ,ଭଲପାଇବା ।
ଅହଂକାର ଗର୍ବରେ ବୁଡିଛି 
         ସଂପର୍କର ମୋହମାୟା ।
   ଦୁଃଖୀ ପାଇଁ ଦୁଃଖ 
              ବଢିଚାଲେ  ଏଠି ,
 ମଣିଷ କରୁଛି  ଖେଳ ।
  ମାନବ ମହତ୍ତ୍ବ ଏଠି 
          କିଏ ସେ ବୁଝିବ ,
  ଲୋଭକୁ କରି ଆପଣାର 
  ମଣିଷ ଖେଳୁଛି ଖେଳ ।
  ସଂସାରଟା ଆଜି 
           ଉବୁଟୁବୁ ହୁଏ, 
   ମହାମାରୀ କବଳରେ ।
ମାନବିକତା ଏଠି  ମରିଯାଇଛି ,
ସମୟର ଗତି ପଥରେ ।
ଛଳନା ଆଳରେ 
          ମୋର ମୋର କହି 
  ଲୁଟିବାରେ ଲାଗିଛନ୍ତି । , 
ଧନ୍ୟ ତୁ ମଣିଷ, 
ଧନ୍ୟ ତୋ ଲୋଭ, 
ଏ ସମାଜକୁ ନଷ୍ଟ କରେ ।  
  ନାହଳପୁର, କଟକ
ଜୟ ସାହିତ୍ୟ, ଜୟ ସମାଜ

ଘରର ଘରଣୀ ମୋ' ମାଲିକାଣୀ

ଅନୁପମା ଦାସ
ଦଶ ଦିଗପାଳ ହୋମ ସାକ୍ଷୀ ରଖି                                             ଆଣିଲି ଘରକୁ ଗୋରୀ
ଶାଢ଼ୀ ଅଳଙ୍କାରେ ଟ୍ରଙ୍କ ଭରଇ
      ପକେଟରୁ କରି ଚୋରି ।0।
ବନ୍ଧୁ ପରିଜନ ସବୁ ବିଦା କଲି
ବୁଦ୍ଧିରେ ତାହାର ପଡି
ନେଡି ଗୁଡ଼ ଏବେ କହୁଣୀରେ ଉଭା
ପଡିଛି ଦାନ୍ତ କାମୁଡି ।1।

ସଭିଙ୍କ ଆଖିରେ ନାଲି ଟୁକୁ ଟୁକୁ
ସାଧବ ବୋହୂର ଛବି
ମୁହିଁ ଏକା ଜାଣେ ମହାକାଳ ଫଳ
କୋହ ଉଠେ ଭାବି ଭାବି ।2।

ଇଉଟ୍ୟୁବ୍ ଦେଖି ବ୍ୟଞ୍ଜନ କରଇ
ଭୁଞ୍ଜଇ ମୁହିଁ ଯତନେ
ପୋଡା ଜଳା ଯଦି ଲୁଣିଆ କହିବି
ଖାଦ୍ୟ ନ ମିଳିବ ଦିନେ ।3।

କେଉଁ ଦେବତାଙ୍କ ପାଦ ଧୂଳି ସମ
ହେଇ ସିନା ପାରିନାଇଁ
ଏ ଦେବୀ ଆଗରେ ଚଣ୍ଡୀ ଚାମୁଣ୍ଡା ଯେ
ଲାଜରେ ପଡିବେ ନଇଁ ।4।

ଘର ଓଳା ଠାରୁ ବାସନ ମାଜିବା
ଆଦେଶ ଯେପରି ସାରେ
ଟିକେ ଉଣା ହେଲେ ଅଦିନିଆ ଝଡ଼
ସୁନାମି ବି ଆସିପାରେ ।5।

ଦୁନିଆ ଦାଣ୍ଡରେ ମୁଁ ସିନା ମାଲିକ
ପୋଷା କୁକୁରଠୁ ହୀନ
ଘରର ଘରଣୀ ପରା ମାଲିକାଣୀ
କାନ୍ଦି କାନ୍ଦି ବିତେ ଦିନ ।6।

ଜୟ ସାହିତ୍ୟ, ଜୟ ସମାଜ