12/31/2021

ନାରୀ-ସେତ ଅନନ୍ୟା

ପ୍ରତାପ କିଶୋର ରାଉତ
ସେ ତ କଥା କୁହା କଣ୍ଢେଇ                                           ଯାହାର ଇସାରାରେ
ଜହ୍ନ ଓହ୍ଲାଏ ମାଟି ର ଅଗଣାକୁ
ପବନ ଦିଗ ବଦଳାଏ ,
ମମତାର ନିଆଁ ରେ
ଦାଉ ଦାଉ ଜଳୁଥିବା ଅପରୁପା
ସମ୍ମୋହିନୀ ଦେବୀ ଟିଏ,

ତାପାଇଁ ରୂପ ରସ ଗନ୍ଧ
ଋତୁ ବଦଳି ବା ପରି ବଦଳେ
କେବେ ରାଜନନ୍ଦିନୀ ର ଶିରପା
କେବେ ବିବସ୍ତ୍ରା ପାଞ୍ଚାଳୀ
କେବେ ଅଶୋକ ବନର ଅପହୃତା
କେବେ ବାଲ୍ମୀକି ଉପବନ ର ପରିତ୍ୟକ୍ତା
ଶତ ଭଗୀରଥ ର ତପସ୍ୟା ବଳେ
ଅମରାବତୀ ରୁ ଓହ୍ଲାଇ ଆସିଥିବା
ପ୍ରୀତି ପ୍ରଣୟିନୀ ଗଙ୍ଗା,


ବେଦନା ର ହଳାହଳ ପିଇ
ସେ ହିଁ ହସ ର ଜୁଆର ସୃଷ୍ଟିକରି ପାରେ
ମାଟି ଆକାଶ ର ବ୍ୟବଧାନ ଭିତରେ
ସର୍ବତ୍ର ପରିବ୍ୟାପ୍ତ ଅନନ୍ୟା ରୂପସି
କାଚ କାଞ୍ଚନ ର ମୂଲ୍ୟାୟନ କୁ
ନା ଥାଏ ଆଶକ୍ତି ନା ଥାଏ 
ପ୍ରାପ୍ତି ର ସୌଭାଗ୍ୟ ,
ମିଛ ଦୁନିଆରେ ସତ ସାଉଁଟିବା
ତାର ଯେମିତି ବିଧିଲିପି
ଲୁହ ଲହୁ ଦେଇ ସମସ୍ତଙ୍କ ପାଇଁ 
ସୁଖ ସୌଭାଗ୍ୟ କିଣି ପାରୁଥିବା 
ଅନେକ କଳା ର ସାଧବାଣୀ,

କିଏ କଣ ବୁଝେ କେଜାଣି
ତା ପାଇଁ ଦରବାର ବସେ
କମିଶନ ର ନ୍ୟାୟ ପାଇବା ପାଇଁ
ବୟସ ହିଁ ତାକୁ ସୁଯୋଗ ଦିଏନା
କେଉଁ ଅପନ୍ତରା ର 
ଝରାଫୁଲ ଟିଏ ହୋଇ
ଝରି ପଡିଥାଏ ମାଟି ମଶାଣୀ ରେ ,

ତା ପାଇଁ ଶ୍ରାବଣ ହାର୍ ମାନେ
ପାହାଡ଼ ମଥା ନୁଆଁଇ ଅଶ୍ରୁ ଝରାଏ
ଆକାଶ ମୁକ ପାଲଟି ଯାଏ
ସାଗର ସ୍ଥିର ହୋଇ ସଲାମ କରେ 
ତେତିଶ କୋଟି ଦେବତା ଓହ୍ଲାନ୍ତି
ମାଟି ପରେ ଦେଖିବାକୁ
ମମତାର ଶାନ୍ତ ସ୍ନିଗ୍ଧ ଅପୁର୍ବ ଲୀଳା
ସେ ହିଁ ସର୍ବଂ ସହା- 
ମା ,ମାଟି, ମମତା ।
----------///////////////////--------
ତେନ୍ତୁଳିପଦୀ,ହାଟଡିହି ,କେନ୍ଦୁଝର
ମୋ-8327725033
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।