12/31/2021

ମୋ' ଗାଆଁ

ପ୍ରସାଦିନୀ ଶ୍ରୀଚନ୍ଦନ 
ସୁନେଲି ସୂରୁଯ ବୁଣି  ଦିନକର ଦିନ ମଣି
ପଲଙ୍କେ ପଲକ ଛୁଇଁ ଜ୍ୟୋତି ପ୍ରକାଶେ
କର କରେ କରି ସ୍ପର୍ଶ ପୁଷ୍ପରାଗେ ଭରିଶ୍ଵାଶ
ଆବୋରିଣ ଜଳ ସ୍ଥଳ ବାୟୁ ଆକାଶେ
     କୁଆ କୁମ୍ଭାଟୁଆ ରାବୁଛି
ଉଚ୍ଚାଟେ ଉଷତ ଉଷା ଚକ୍ଷୁ ଖୋଲୁଛି ।

ଶଙ୍ଖନାଦେ ଦେବାଳୟ ଘଣ୍ଟ ଘଣ୍ଟା ଗହ ଗହ
ଓଁକାରେ ସକାଳ ଯହିଁ କିରଣ ଛୁଆଁ
ଲଙ୍ଗଳେ ବଳଦ ଯୋଡ଼ି ଚଷା ପୁଅ ଠେକା ଭିଡ଼ି
ଅଳସ ତେଜି ସଅଳେ ଜୀବିକା ମୁହାଁ
ଦୁଃଖେ ଲେଖା ସୁଖର ନାଆଁ
ଅନ୍ତୁଡିରୁ ଜୁଇ ସାକ୍ଷୀ ସେହି ମୋ ଗାଆଁ ।

ନଦୀ ପଠା ଆମ୍ବ ତୋଟା ପକ୍ଷୀ ଗାନ ଲାଗେ ମିଠା
ବହଳ ବଉଳ ବାସ୍ନା ବାଉଳା ଋତୁ
ବାହୁଡ଼ା ଗୋଠ ଗୋଧୂଳି ଗାଇଆଳ ହମ୍ବାରଡି
ରତ ରତ ରାତି ରଚେ ଅଗ୍ନି ନୈଋତୁ୍ଁ
ସରସ ତା ଶୋରିଷ କ୍ଷେତ
ଶେଷ ଶରତରେ ସଜା ଲକ୍ଷ୍ମୀ ପଣତ
ଡାହୁପୁଆ ବୋହୁଚୋରି ପାଇକ ଖେଳ କବାଡି 

ପଶା ନିଶା ଭାଗବତ ଯାନିଯାତରା
ଦୋଳି ରେ ଦୋଳଗୋବିନ୍ଦ ଆନନ୍ଦ ଅପୁଆ ନନ୍ଦ
ବାରମାସେ ତେର ପର୍ବ ଅଣପାଶୋରା
ପିଠା ମିଠା ଖିରି ଖେଚୁଡ଼ି
ଇଛାହୁଏ ଗାଆଁକୁ ମୋ ଯାନ୍ତି ବାହୁଡ଼ି ।

ବାଲ୍ୟବେଳ ବାଲି ଖେଳ ସୁଲଭ ବାଳ ଚପଳ
ଦହଲା କାଦୁଅ ଭିଜା ତୋଡି ସାଉଁଟା
ଛିଡା ଗୁଡି ନଟୁ ବାଟି ସାଇତା ଖପରା କାତି
ମଧୁର ଦରଜ ସେଇ ବନିଶୀ କଂଟା
ଭୂଲି ପାରୁନି ତା ନାଆଁଟା
ସବୁଠୁ ସୁନ୍ଦର ବୋଧେ ମୋ ଗାଆଁ ଟା ।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।