12/31/2021

ରାମ ନାମେ କି ରସ ଅଛି

 ଭାସ୍କର ରାଉତ
ରାମ ନାମେ କି ରସ ଅଛି,
ପଶୁ ପକ୍ଷୀ ଦସ୍ୟୁ ଏକା ଜାଣିଛି।।୦।।
ପଶୁ ରୂପେ ଜାତ ଅଞ୍ଜନାର ସୁତ
ସେ ନାମକୁ ସଦା ହୃଦରେ ଜପି,
ସପତ ସାଗର ହୋଇଗଲା ପାର
ସୀତା ଠାବ କରିଥିଲା ସେ କପି।
ସେ ନାମର ରସ ପାଇଛି ଅବଶ୍ୟ
ତେଣୁ ସେହି ସଦାକାଳେ ଜପୁଛି।।୧।।
ପକ୍ଷୀ କୁଳେ ଜାତ ଭୁଷଣ୍ଡ ସେ କାକ
ଜପୁଥିଲା ଏକା ସେହି ନାମକୁ,
ସେହି ନାମ ଗାଇ ଅମର ସେ ହୋଇ
ରହିଅଛି ସେତ ଯୁଗଯୁଗକୁ।
ପକ୍ଷୀକୁଳ ଗୁରୁ ଅଟେ ମହାମେରୁ
ସେ ନାମର ରସ ସେହି ଜାଣିଛି।।୨।।
କରି ଦସ୍ୟୁ ବୃତ୍ତି ପାଳଇ ସନ୍ତତି
ଦିନେ ପାଇଗଲା ସେହି ନାମକୁ,
ଓଲଟ ସୂତ୍ରରେ ମହା ଆନନ୍ଦରେ
ଲାଗିଲା ତାହାକୁ ସେ ଜପିବାକୁ।
ଉଈ ହୁଙ୍କା ହୋଇ ବଲମୀକ ସେହି
ସେନାମର ରସ ସେହୁ ପାଇଛି।।୩।।

ଆଦି କବିହୋଇ ଲେଖିଗଲା ସେହି
ସେହି ରାମଙ୍କର ଅପୂର୍ବ ଗାଥା,
ସାତ କାଣ୍ଡ କଲେ ଲେଖିଲେ ସେଥିରେ
ଜନ୍ମ ଠାରୁ ମୃତ୍ୟୁ ଲୀଳାର କଥା।
ରାମ ନାମ ରସ କରିଲେ ପ୍ରକାଶ
ଆସ୍ବାଦନ ତହୁଁ କରିଣ କିଛି।।୪।।
********
ଦେବମାୟା ଭବନ,ଶେରଗଡ଼, ଗଞ୍ଜାମ।
୯୭୭୬୪୮୬୬୨୮
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।