12/31/2021

ଧୈର୍ଯ୍ୟ ଓ ସହନଶୀଳତାର ଅଭାବ

ଡକ୍ଟର ଲକ୍ଷ୍ମଣ ସାହୁ
          ଧୈର୍ଯ୍ୟ ଓ ସହନଶୀଳତାରେ ସଫଳତା ମିଳେ । ତେଣୁ କାହାର ଧୈର୍ଯ୍ୟ ପରୀକ୍ଷାକରିବା କେବେ ଜରୁରୀକାଳୀନ ପରିସ୍ଥିତିରେ ନୁହେଁ, ଯେତେବେଳେ ଏହାକୁ ଏକ କଷ୍ଟଦାୟକ ନିଷ୍ପତ୍ତି ନିଆଯାଏ, ସେତେବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଏହା ପରୀକ୍ଷା କରାଯାଇଥାଏ । ସତ କହିଲେ ଆଜିର ସମାଜ ଧୈର୍ଯ୍ୟ ହୀନ ସମାଜରେ ପରିଣତ ହେଉଅଛି । ଏହାର ଚାରିପାଖରେ ଏକ ଅଦ୍ଭୁତ ପରିବେଶ ଅଛି ।  ଯେଣେ - ତେଣ- ପ୍ରକାରେଣ ହେଉ, କ୍ରମାଗତ ଭାବରେ ଆଗକୁ ବଢ଼ିବାରେ ଏକ ଖିଆଲି ପ୍ରତିଯୋଗିତା ରୂପେ ଦେଖିବାକୁ ମିଳୁଛି । ସମସ୍ତେ ନିଜକୁ ଅଗ୍ରଭାଗର ଶୀର୍ଷରେ ଦେଖିବାକୁ ଚାହାଁନ୍ତି । ବୋଧହୁଏ ଏହି ମାନସିକ ଭାବନା ସମସ୍ତଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଛି । କାହାର ସାମାନ୍ୟ ତମ ଧୈର୍ଯ୍ୟ ନାହିଁ, ସହନଶୀଳତା ନାହିଁ, ପରିସ୍ଥିତିକୁ ସାମ୍ନା କରିବା ପାଇଁ ।

        ଉଦାହରଣ ସ୍ୱରୂପ ବିଦ୍ୟାଳୟରେ ଗୋଟିଏ ଛାତ୍ର ଦୁଇ କିମ୍ବା ତିନିଥର ପ୍ରଶ୍ନ ପଚାରେ, ତେବେ ଶିକ୍ଷକଙ୍କ ଧୈର୍ଯ୍ୟ ଭାଙ୍ଗିଯାଏ । ସେ ତା' ଉପରେ ବିରକ୍ତି ପ୍ରକାଶ କରନ୍ତି କେବଳ ନୁହେଁ, ଅତି ଜ୍ଞାନୀ ବୁଦ୍ଧ, ବୁଦ୍ଧିଆ ଗଣେଶ ବା ଗୋବର ଗଣେଶ ବା କିଛି ସମସ୍ୟାଗ୍ରସ୍ତ ପିଲା ବୋଲି ତାକୁ ପରିହାସ କରି ଡାକନ୍ତି । କିନ୍ତୁ ଶିକ୍ଷକ ନିଜେ ଏଥିରେ କମ୍ ଦୋଷୀ ନୁହଁନ୍ତି । ଶିକ୍ଷାଦାନର ମୈାଳିକ କର୍ତ୍ତବ୍ୟକୁ ଭୁଲି ଯାଇଥାନ୍ତି । ଅତୀତରେ, ଏହି ଧୈର୍ଯ୍ୟହୀନତା ବହୁତ ଅନୁଭୂତ ହୋଇଥିଲା । ଶିକ୍ଷକମାନଙ୍କୁ ଶିକ୍ଷା ପରିଦର୍ଶକ ପରାମର୍ଶ ଦେବା ସମୟରେ, ସେମାନେ କେବଳ ଅଧିକାର ପାଇଁ ନୁହେଁ, ଅଯୌକ୍ତିକ ଅଧିକାର ପାଇଁ ମଧ୍ୟ ଯୁକ୍ତି ବାଢ଼ିଥିଲେ । ଯେତେବେଳେ ଶିକ୍ଷକମାନେ ସେମାନଙ୍କର ଦାବି ସାବ୍ୟସ୍ତ କରିବା ପାଇଁ ମିଥ୍ୟା ସତ୍ୟ ଦାବି କରୁଥିବା ଦେଖି ପରାମର୍ଶ ଦାତା ଦୁଃଖିତ ହେଉଥିବା ଜଣାଯାଏ । କିନ୍ତୁ ଏହା କେବଳ ଏହି ଶିକ୍ଷକ ଶ୍ରେଣୀର ସମସ୍ୟା ନୁହେଁ, ବରଂ ସମାଜ ଚାରିପାଖରେ ଅନେକ କ୍ଷେତ୍ରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳେ । ବିପଦ ପଡିଲେ ସମସ୍ତେ କହନ୍ତି 'ଧୈର୍ଯ୍ୟ ରଖ, ବିପଦ ଆପେ ଆପେ ଟଳି ଯିବ ।'  ସହନଶୀଳତାର ପରିମାପକ ଧୈର୍ଯ୍ୟ, ଧୈର୍ଯ୍ୟଚ୍ୟୁତ ହେଲେ ସହନଶୀଳତା ଲୋପପାଏ । ଯାହା ଫଳରେ ସହ୍ୟ କରିନପାରି ବ୍ୟକ୍ତି ମନରେ ବିଭ୍ରାନ୍ତି ଓ ଅସୂୟା ଭାବ ଦେଖାଦିଏ ।

       ବାସ୍ତବରେ ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଅଧିକ ଦାୟୀ, ସେ ତାର ମୈାଳକ ଦାୟିତ୍ୱ ସୂଚାରୁ ରୂପେ ତୁଲାଉନାହି । କାରଣ ମୂଲ୍ୟବୋଧର ମୂଳଦୁଆ ପକାଇବା ପାଇଁ ପିତାମାତାଙ୍କ ପରେ ଅଧିକ ଦାୟିତ୍ଵ ବିଦ୍ୟାଳୟ ଉପରେ ଥାଏ ‌। କିନ୍ତୁ ଯେତେବେଳେ ସେମାନଙ୍କର ଶିକ୍ଷା ବିକୃତ ହୁଏ କିମ୍ବା ସେମାନେ ଅସ୍ଥିରତା ଏବଂ ନିରାଶାର ଆଡ଼କୁ ଆକର୍ଷିତ ହୁଅନ୍ତି; ସେତେବେଳେ ସମାଜରେ ଧୈର୍ଯ୍ୟ ଶବ୍ଦର ଅର୍ଥ ବୃଥା ପାଲଟେ । ଜୀବନରେ କରୁଣ ସ୍ୱର ବହୁତ ଶୁଣାଯାଏ, କିନ୍ତୁ ଏଭଳି ଏକ ସମୟ ଆସେ ଯେତେବେଳେ ଧୈର୍ଯ୍ୟ ଜୀବନ ସୁରକ୍ଷା ଦିଏ, ଧୈର୍ଯ୍ୟ ସକଳ ବିପଦକୁ ଅତିକ୍ରମ କରିଦିଏ । ସମାଜରେ କେତେ ଲୋକଙ୍କର ଏପରି ଚିନ୍ତାଧାରା ରହିବାର କ୍ଷମତା ଅଛି ? ଯେଉଁଠି ଆଜି ବିଦ୍ୟାଳୟଗୁଡ଼ିକରୁ ନୈତିକ ଶିକ୍ଷା ଲୋପ ପାଇଛି, ସେଠି ସମାଜରେ ବିଭ୍ରାଟ ଦେଖାଦେଇଛି ।  ଅନେକ ସ୍ଥାନରେ ଶିକ୍ଷକମାନେ ନିଜେ ପରସ୍ପର ମଧ୍ୟରେ ପାଟିତୁଣ୍ଡ ଓ କଳହ କରି ଧରାପଡିଥିବାର ନଜିର ରହିଛି । ଏକଦା କ୍ରିକେଟ୍ ଖେଳ "ଭଦ୍ରଲୋକ"ଙ୍କ ଖେଳ ବୋଲି ଭାବି ନିଆଯାଇଥିଲା । ହେଲେ ସେଠି ଖେଳରେ ଖେଳାଳିଙ୍କ ମଧ୍ୟରେ ଚିତ୍କାର କରିବାର ଦୃଶ୍ୟ ରହିଛି । ଖେଳର ନୂତନ ରଣନୀତିଜ୍ଞମାନେ ଏହାକୁ ଆକ୍ରୋଶ ମୂଳକ କହି କେବେ ପ୍ରଶଂସା କି ନିନ୍ଦା କରନ୍ତି ନାହିଁ । ଏପରିକି କିଛି ସମୟ ପରେ ଟିମ୍ ଅଧିନାୟକ ନିଜ ଟିମ୍ କୁ ନେଇ ଖୁସି ବ୍ୟକ୍ତ କରନ୍ତି, କିନ୍ତୁ ନିଜର ବା ଟିମ୍ ଖେଳାଳିଙ୍କ ତ୍ରୁଟି ଥିଲେ ଦୁଃଖ ପ୍ରକାଶ କରନ୍ତି ନାହିଁ । ଏକଦା ବିଶ୍ୱକପ୍ ଫୁଟବଲ୍ ମ୍ୟାଚ୍ ସମୟରେ ଜଣେ ଖେଳାଳି ବିରୋଧୀ ଖେଳାଳିଙ୍କ କାନକୁ କାମୁଡି ଦେବାର ଦେଖାଯାଇଛି । ଟେନିସରେ ର୍ୟାକେଟ୍ ଫିଙ୍ଗିବାର ଜଣେ ଖେଳାଳିଙ୍କ ଶୈଳୀ ବୋଲି ଏବେ ମଧ୍ୟ ସାଧାରଣରେ ବିବେଚନା କରାଯାଏ । ଅନ୍ତର୍ଜାତୀୟ ସ୍ତରରେ ମ୍ୟାଚ  ଚାଲିଥିବା ବେଳେ ଧୈର୍ଯ୍ୟହରା ହେବା ଖେଳାଳିମାନଙ୍କ ପାଇଁ ଶୁଭଙ୍କର ନୁହେଁ ।

        ବ୍ୟସ୍ତ ବହୁଳ ଜୀବନରେ କେହି କାହାକୁ ଘଡ଼ିଏ ଅପେକ୍ଷା କରେ ନାହିଁ । ଧୀରେ ଧୀରେ ଚାଲିବାକୁ କିଏ ଏବେ ଚାହୁଁଛି ? ବରଂ ସମସ୍ତେ ଅନ୍ୟକୁ ଅତିକ୍ରମ କରି ଯିବାକୁ ତତ୍ପର ହୋଇ ପଡ଼ୁଛନ୍ତି । ଏପରିକି ଟ୍ରାଫିକ ନିୟମ ଉଲ୍ଲଂଘନ କରି ମାଡିଚାଲୁଛନ୍ତି । ପରିସ୍ଥିତି ପ୍ରତି କେହି ଥରେ ଧ୍ୟାନ ନଦେବାରୁ ଅଧାରୁ ଅଧିକ ଦୁର୍ଘଟଣା ଘଟୁଛି । ଅନେକ ଥର, ଏହା ଅନାବଶ୍ୟକ ଦ୍ରୁତ ଗତି କରିବାର କାରଣ ବୋଲି ପ୍ରମାଣିତ ହୋଇଛି, କିନ୍ତୁ କିଏ କେତେ ନିୟମ ମାନି ଧୈର୍ଯ୍ୟ ରଖି ରହିଛି ? କୁହାଯାଏ 'ଧୈର୍ଯ୍ୟବାନ ହୁଅ, ନୋହିଲେ ଜୀବନ ପ୍ରତି ମହାବିପଦ ଅଛି !  କିନ୍ତୁ ନିଜକୁ ବୁଦ୍ଧିମାନ ବୋଲାଉଥିବା ମଣିଷ ଧୈର୍ଯ୍ୟ ହରା ହୋଇ ଜୀବନ ପ୍ରତି ବିପଦକୁ ଟାଣି ଆଣେ । ସୁବିଧାର ସମ୍ମୁଖୀନ ହେବାର ଅଭ୍ୟାସ ହରାଇବସେ । ପିଲାମାନଙ୍କର ସଫଳତା ପାଇଁ ପ୍ରତ୍ୟେକ ପିତାମାତା ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଦୈନନ୍ଦିନ ଛୋଟ କାଟ ବିଫଳତା ପାଇଁ ସେମାନଙ୍କୁ ଧୈର୍ଯ୍ୟର ସହିତ ସଚେତନ କରନ୍ତୁ । ଫଳସ୍ୱରୂପ, ସେମାନଙ୍କ ପାଖରେ ଆଚରଣରେ ଦେଖାଯାଇଥିବା ଏକ ପ୍ରକାର ଅସ୍ଥିରତା ଦୂରେଇ ଦିଆଯାଇପାରିବ । କାରଣ ଅସ୍ଥିରତା ଫଳରେ ସାଇକୋସିସ୍ ବୃଦ୍ଧି ପାଉଛି । ଯଦି ପରୀକ୍ଷାରେ ଗୋଟିଏ ପ୍ରତିଶତ ମାର୍କ ହ୍ରାସ ହୁଏ କିମ୍ବା ପରୀକ୍ଷା ଏକ ମାସ ଘୁଞ୍ଚାଇ ଦିଆଯାଏ, ତେବେ ଦେଖାଯାଏ ପିଲାମାନଙ୍କର ମନୋବଳ ଏକ ସପ୍ତାହ ପାଇଁ ଭଲ ରହେ ନାହିଁ । ଏପରି ଏକ ନୂତନ ପିଢ଼ିକୁ ନିର୍ମାଣ କରୁଛେ, ଯେଉଁ ମାନଙ୍କ ଟିକେ ଧୈର୍ଯ୍ୟ ନାହିଁ । କେବଳ ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ ନୁହେଁ, ରାଜନୈତିକ ନେତାଙ୍କ କ୍ଷେତ୍ରରେ ଏହା ମଧ୍ୟ ପ୍ରଯୁଜ୍ୟ । ରାଜନେତାଙ୍କ ନିନ୍ଦନୀୟ ବିବୃତ୍ତିକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯିବ, ସେମାନଙ୍କ ଧୈର୍ଯ୍ୟ ଓ ସହନଶୀଳତା କେତେ ? ସେମାନେ ଗାଦି ନଛାଡିବା ନିମନ୍ତେ ସବୁ ପ୍ରକାର କଳା କୈାଶଳ ପ୍ରୟୋଗ କରିଥାନ୍ତି ? ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସତ୍ୟକୁ ସାମ୍ନା କରିବାର ଧୈର୍ଯ୍ୟ ନଥାଏ । ଚରିତ୍ରବୋଧରୁ ମହାନ ପୁରୁଷଙ୍କୁ ମଧ୍ୟ କଦର୍ଥ କରି ସେମାନେ ଅଯୌକ୍ତିକ ମନ୍ତବ୍ୟ ଦେବାକୁ ଲଜ୍ଜା ବୋଧ କରନ୍ତି ନାହିଁ । ସେମାନଙ୍କ ଏଭଳି ନୀତି ହୀନ ଅନିର୍ଦ୍ଦିଷ୍ଟ ଭାଷଣର ଦୃଶ୍ୟ ପ୍ରତ୍ୟହ ବିଭିନ୍ନ କ୍ଷେତ୍ରରେ ଓ ମଞ୍ଚରେ ଅନେକ ଦେଖିଛେ । ଯେତେବେଳେ ସମାଜର ନେତାମାନେ ଏପରି ଉଦାହରଣ ଉପସ୍ଥାପନ କରନ୍ତି ସାଧାରଣ ଜନତାଙ୍କୁ ଦୋଷ ଦେବା ଅଦରକାରୀ ମନେହୁଏ ।

      ଏଭଳି ଆଚରଣରେ ଲୋକଙ୍କ ବିଶ୍ୱାସ ମଧ୍ୟ ହଜିଯାଉଛି । କାରଣ ଖୋଜିଲେ ସମାଜରେ ଅନୈତିକ ଓ ଦୁର୍ନୀତିଗ୍ରସ୍ତ ଲୋକମାନେ ଯେପରି ଆଗକୁ ବଢୁଛନ୍ତି, ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ନିରାଶା ଏବଂ ବିରକ୍ତି ବ୍ୟାପୁଛି, ଯାହା ସେମାନଙ୍କୁ ଧୈର୍ଯ୍ୟ ହରା ଆଡକୁ ଠେଲି ଦେଉଛି । ଏଥିପାଇଁ କେବଳ ଜୀବନ ଶୈଳୀକୁ ଉନ୍ନତ କରିବାକୁ ପଡିବ ନାହିଁ, ବରଂ ଜନସାଧାରଣଙ୍କ କାର୍ଯ୍ୟ ପ୍ରଣାଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ । ଏଥିପାଇଁ ଭିନ୍ନ ଏକ ଶାନ୍ତିପୂର୍ଣ୍ଣ ଓ ଯୁକ୍ତି ସଂଗତ ସମାଜ ଗଠନ କରିବାକୁ ପଡ଼ିବ ।  ସମାଜର ଏହି ବୈପ୍ଳବିକ ପରିବର୍ତ୍ତନ ପାଇଁ ମୁଖ୍ୟତଃ ସୋସିଆଲ ମିଡିଆର ଗୁରୁ ଦାୟୀତ୍ବ ରହିଛି । ଗଣମାଧ୍ୟମ ଗୁଡିକରେ ଏସବୁ ବିଷୟରେ ବହୁଳ ଆଲୋଚନା ଆବଶ୍ୟକ ଅଛି । ଧୈର୍ଯ୍ୟ ବିନା କୌଣସି ପ୍ରସଙ୍ଗ ଅନୁଭବ କରିବା ସମ୍ଭବ ନୁହେଁ । ଯେମିତିକି ଛାତ୍ରଛାତ୍ରୀଙ୍କ ବାରମ୍ବାର ପ୍ରଶ୍ନରେ ଶିକ୍ଷକ ଯଦି ଧୈର୍ଯ୍ୟ ହରା ହୁଅନ୍ତି ଉପଯୁକ୍ତ ଶିକ୍ଷାଦାନ ଘଟିପାରେ ନାହିଁ । ଠିକ୍ ସେଭଳି ପ୍ରଶାସନିକ ବା ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟ ହରା ହୋଇ ନିଷ୍ପତ୍ତି ନେଲେ ସାଧାରଣ ଜନତା ବରଦାସ୍ତ କରିବେ ନାହିଁ । କୋରୋନା ସମୟରେ ଡାକ୍ତରମାନେ ଧୈର୍ଯ୍ୟ ସହକାରେ ଯେଭଳି ଚିକିତ୍ସା କରୁଛନ୍ତି, ସେମାନେ ଧନ୍ୟବାଦର ପାତ୍ର । ଯେଉଁମାନଙ୍କ ଧୈର୍ଯ୍ୟ ନାହିଁ ସେମାନଙ୍କ ବିବେକର ବିକାଶ ନାହିଁ । ସେମାନେ ବିବେକ ହୀନ କାର୍ଯ୍ୟ କରି ଅମାନବିକତାର ପରିଚୟ ଦିଅନ୍ତି । ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିବା ଓ ଉପରେ ପଡ଼ି ମନ୍ତବ୍ୟ ଦେବା ସେହି ବ୍ୟକ୍ତିଙ୍କ ଇଚ୍ଛା ପାଲଟେ, ଯେଉଁମାନେ ଲାଳସା ପ୍ରବୃତ୍ତିକୁ ଦୂରେଇ ପାରିନାହାନ୍ତି । ସେମାନଙ୍କର ଆଚରଣରେ ଏକ ପ୍ରକାର ତତ୍ପରତା କେବଳ ନୁହେଁ, ଶବ୍ଦ ଚୟନ ଏବଂ ଭାଷାରେ ମଧ୍ୟ ଦେଖାଯାଏ ।

         ବିଶ୍ୱର ସବୁ ବିକଶିତ ଦେଶମାନେ ଏହି ରୋଗରେ ପୀଡିତ । କିନ୍ତୁ ଆମ ଦେଶ ଅଧିକ ପ୍ରଭାବିତ ହୋଇଛି ।  ରୋଜଗାରର ଅଭାବ, ସ୍ୱାସ୍ଥ୍ୟ ସେବାର ସଙ୍କଟ ଏବଂ ମୁଦ୍ରାସ୍ଫୀତି ପରି ଅନିଶ୍ଚିତତା ହେତୁ ଏହା ହୋଇପାରେ । ଏହି ଅସୁରକ୍ଷିତତା ନାଗରିକମାନଙ୍କ ଧୈର୍ଯ୍ୟ ଓ ସହନଶୀଳତାକୁ ନଷ୍ଟ କରୁଛି..!!!

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
 Email: Laxmansahoo9040@gm

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।