ବସନ୍ତ କୁମାର ପଣ୍ଡା
ବସନ୍ତ ଋତୁ ଯାଇ ଗ୍ରୀଷ୍ମର ଆଗମନ ହେଇଥାଏ।ପ୍ରଥମ କରିଯୌବନରେ ପଦାର୍ପଣ କରିଥିବା କପୋତ ଓ କପୋତୀ ଦ୍ଵୟ ଗତ ମଧୁମୟ ବସନ୍ତର ମଧୁର ଛୁଆଁରେ ପ୍ରଣୟର ଅନ୍ତିମ ଅଙ୍କ ସମାପ୍ତ କରି ସାରି ଥାଆନ୍ତି।ଗର୍ଭବତୀ କପୋତୀ ନିଜର ଗର୍ଭ ଧାରଣ ଜନିତ ଆନ୍ତରିକ ପୀଡାକୁ ଧୀରେ ଧୀରେ ଅନୁଭବ କରି ସ୍ୱାମୀ କପୋତକୁ ଗୋଟିଏ ସୁରକ୍ଷିତ ସ୍ଥାନ ଦେଖି ସୁନ୍ଦର ବସାଟିଏ ବାନ୍ଧିବାକୁ ଅଳି କଲା।କପୋତ ନିଜର ଅତି ପ୍ରିୟ କପୋତୀର ପ୍ରତ୍ୟେକ ଅଳିକୁ ନିଜର ପ୍ରୀତିଅର୍ଘ୍ୟ ସମର୍ପଣ କରି ସମାଧାନ କରି ଦିଏ।ଏଥର ମଧ୍ୟ ତଦ୍ରୁପ ପ୍ରୟାସ କରି କହିଲା; "ହେ ପ୍ରିୟା ତମେ ତ ମୋ'ର କୋଟିଏରୁ ଗୋଟିଏ।ତମର ଟିକିଏ ଖୁସି ପାଇଁ ମୋ' ଜୀବନକୁ ପାଣି ଛଡେଇ କିଛି ବି କରି ପାରିବି।ତା' ଛଡା ତମ ଗର୍ଭସ୍ଥ ଅଣ୍ଡା ଗୁଡିକ ଆମର ବଂଶ ରକ୍ଷକ।ସେମାନଙ୍କର ଜନ୍ମ ଆମ ଉଭୟଙ୍କ ଜୀବନ ପାଇଁ ଆନନ୍ଦର ମହୋତ୍ସବ ହେବ। ଜନ୍ମ ଆଉ ଜନ୍ମ ପରବର୍ତ୍ତୀ ସଠିକ ଲାଳନପାଳନ ପାଇଁ ମୋ'ର ବାପା ହିସାବରେ ଯାହା କର୍ତ୍ତବ୍ୟ ତାହା ଠାରୁ ଶହେ ଗୁଣ ଅଧିକ ପାଇଁ ମୁଁ ନିଶ୍ଚୟ ଚେଷ୍ଟା କରିବି।ତମେ ମାଆ ଆଉ ପିଲାମାନେ କିପରି ସୁଖ ସ୍ୱାଚ୍ଛନ୍ଦ ଏବଂ ବିଳାସ ବ୍ୟସନରେ ରହି ଜୀବନକୁ ଉପଭୋଗ କରିବ ତାହା ମୋ'ର ଦାୟିତ୍ୱ...…..।"
କପୋତ ଏତକ କପୋତୀକୁ କହିବା ପରେ କପୋତୀ ହସିଦେଇ ନିଜର ଚଞ୍ଚୁ କପୋତର ଚଞ୍ଚୁରେ ଥୋଇ ଅନ୍ତ୍ୟନ୍ତ ସନ୍ତୋଷ ଜାହିର କଲା।ଆଉ ତା' ପରେ କପୋତ ନିଜ ସହ ଏ ଗଛରୁ ସେ ଗଛ,ଏ ଡାଳରୁ ସେ ଡାଳକୁ ଉଡିଉଡି ମଉଜ କରିବାକୁ ସବୁଦିନ ପରି ନିବେଦନ କଲା।କପୋତର ଇଚ୍ଛାକୁ ସମ୍ମାନ ଦେଲା କପୋତୀ।ଦୁହେଁ ଆଗପଛ ହେଇ ଫୁର୍ କରି ଉଡିଗଲେ ନୀଳ ଆକାଶକୁ।ଏଇମିତି ମଉଜ ମଜଲିସ୍ କରି କରି ଦିନ ଗୁଡିକ ଉଭୟଙ୍କର ବିତି ଯାଉଥିଲା।
ସେ ପଟରେ କପୋତୀ ଗର୍ଭରେ ଅଣ୍ଡା ଗୁଡିକ ବଡ଼ ହେବାକୁ ଲାଗୁଥା'ନ୍ତି।ତେଣୁ ଦିନ କୁ ଦିନ ସେ ଅଧିକରୁ ଅଧିକ ଗର୍ଭ ଧାରଣର ଯନ୍ତ୍ରଣା ଅନୁଭବ କରି ଅଧିକ ଦୂର ଉଡି ପାରୁ ନଥାଏ।ଏଥର ଅବସ୍ଥା ଅସମ୍ଭାଳ ହେବାରୁ ଆଉ କାଳ ବିଳମ୍ବ ନକରି କୌଣସି ଉପଯୁକ୍ତ ସ୍ଥାନ ଦେଖି କୁଟା କାଠି ସଂଗ୍ରହ କରି ବସାଟିଏ ବାନ୍ଧିବାକୁ କପୋତୀ କପୋତକୁ ବିନମ୍ର ଅନୁରୋଧ କରି କହିଲା..….."ହେ'....ଶୁଣୁଛ.....!ତମେ ଏବେ ପିଲାଳିଆମୀ ଛାଡି ସଂସାର କଥା ଭାବ।ଆମେ ହେଲେ ଶକ୍ତିହୀନ ନିରୀହ ପ୍ରାଣୀ।ଆମ ଚାରି ପାଖରେ ଶତ୍ରୁ।ପାଦ ପାଦକେ ମୃତ୍ୟର ଭୟ ।କଥାରେ ଅଛି ;
"ବୁଝି ବିଚାରି କାମ କଲେ
ପ୍ରମାଦ ନପଡ଼ଇ ଭଲେ "
ରସିକ କପୋତ କେବଳ କପୋତୀକୁ ଆଶ୍ୱାସନା ଦେଇ ଚାଲିଥାଏ।କପୋତୀର ଦୁଃଖ ପ୍ରତି ତିଳେ ମାତ୍ର ଚିନ୍ତା ନଥାଏ ।କାରଣ କପୋତ ପୂର୍ବରୁ ଏକ ନୁଆଁଣିଆ ଚାଳ ଛପର ଘରେ ଅଧା ହୋଇ ରହିଥିବା ବସାର ଅନୁସନ୍ଧାନ କରି ସାରିଥିଲା।ଆଉ ମାତ୍ର ଅଳ୍ପ ପରିଶ୍ରମ କଲେ ବସାଟି ଯଦି ରହିବା ଉପଯୋଗୀ ହୋଇ ପାରିବ ତେବେ ବୃଥା ପରିଶ୍ରମର ଆବଶ୍ୟକ ନାହିଁ ଭାବି ନିଜ ପ୍ରିୟା ସହିତ ମଦନାନନ୍ଦ ରସରେ ରସାଳ ପୂର୍ଣ୍ଣ ସମୟକୁ ନିଶ୍ଚିନ୍ତରେ ଉପଭୋଗ କରୁଥାଏ।ସମୟ ଆସି ଚରମରେ ପହଁଚିଲା।କପୋତୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କଲା।ଏଥର ଆଉ ବିଳମ୍ବ ନକରି ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଥିବା ବସାଟିକୁ ସଜାଡି ବାକୁ ଲାଗିପଡିଲେ।କପୋତ ଖୋଜି ଖୋଜି କାଠି କୁଟା ସଂଗ୍ରହ କରି ଆଣୁଥାଏ ।ଆଉ ବିଚାରୀ କପୋତୀ ବସାଟିକୁ ସଜାଡୁ ଥାଏ।ଅଳ୍ପ ସମୟ କଷ୍ଟ କରିବା ପରେ ବସାଟି ସମ୍ପୂର୍ଣ୍ଣ ହେଇଗଲା।ଆଉ କପୋତୀ ଦୁଇଟି ଅଣ୍ଡା ଦେଇ ନିଜ ଗର୍ଭସ୍ଥ ଯନ୍ତ୍ରଣାରୁ ମୁକ୍ତ ହେଲା।ହେଲେ ଏହି ସ୍ଥାନଟି କପୋତୀକୁ ସୁରକ୍ଷିତ ଲାଗୁ ନଥାଏ।ଏଇ ଦୁଇ ଚାରି ଦିନ ଭିତରେ ଦୁଇ ତିନୋଟି ବିଲେଇ ମୁହଁ ଟେକି ଜିଭ ହଲେଇ ଯିବାର କପୋତୀ ନଜରରେ ଆସିଲାଣି। ସକାଳୁ ସକାଳୁ ପାଖ ଗଛରେ ବସା ବାନ୍ଧି ରହୁଥିବା ବଣି ଚଢେଇ ଆସି କହିଲା ;
" କପୋତୀ ନାନୀ ଏଠି କାହଁକି ରହିଲୁ?ଗତ ବର୍ଷ ପରା ଏହି ବସାଟିକୁ ତିଆରି କରୁ କରୁ ବିଚରା ଦୁଇ ଜଣଙ୍କୁ ବିଲେଇ ଖାଇ ଯାଇଥିଲେ।ହଉ....ଅଣ୍ଡା ତ ଦେଇ ସାରିଲୁଣି, ଆଉ କ'ଣ ଅବା କରି ପାରିବୁ। ଛୁଆ ଦୁଇଟି ଫୁଟେଇ ବଡ଼ ହେବାଯାଏ ସାବଧାନର ସହିତ ରହିବୁ।""
କପୋତୀ ଏକଥା ଶୁଣି ସାରିବା ପରେ ଖୁବ ଡରି ଗଲା।ନିଜ ଜୀବନ ସହିତ ସ୍ୱାମୀ ଆଉ ଦୁଇ ଅଣ୍ଡାର ସୁରକ୍ଷା କେମିତି ହେବ ଏକଥା ଭାବି ଭାବି ଆଖିରୁ ତା'ର ନିଦ ହଜି ଯାଇଥାଏ।ଆଖ ପାଖରେ ବିଲେଇ ମାନଙ୍କର ଆତଯାତ ଦେଖି କପୋତର ବି ଏଥର ବୁଦ୍ଧି ପଶିଲା।ଏବେ ଖିଆ ପିଆ ଭୁଲି ରାତି ଦିନ ଚବିଶ ଘଣ୍ଟା ନିଜ ପରିବାରକୁ ଜଗି ବସିଥାଏ।ଏହିପରି କିଛି ଦିନ ଯାଆନ୍ତେ,ଦିନେ ପାହାନ୍ତିଆ ସମୟରେ କପୋତ ଆଖିକୁ ଟିକିଏ ଛାଇ ନିଦ ଲାଗି ଯାଇଥାଏ।ହଠାତ ଭୂଆ ବିଲେଇଟା କଉଠି ଲୁଚି ବସିଥିଲା ଯେ,ଧୂସ କରି ଆସି ନିଜ ପଞ୍ଝାରେ କପୋତକୁ ଝାମ୍ପି ନେଇଗଲା।କପୋତ ବିଲେଇ ମୁହଁରେ ପଡି ଫଡ଼ଫଡ ହେଉଥାଏ।ତେଣେ କପୋତୀ ନିଜ ଜୀବନ ରଖି ପ୍ରାଣ ବିକଳରେ ବସାରୁ ଦ୍ରୁତ ପଳାୟନ ସମୟରେ ଅଣ୍ଡା ଦୁଇଟି ବସାରୁ ଗଳିପଡି ଆଖି ପିଛୁଳାକେ ଭାଙ୍ଗିଗଲା।ଓଃ.... କି ଦୁଃଖଦ ମୁହୂର୍ତ୍ତ !ତଥାପି ଶକ୍ତିଶାଳୀ ବିଲେଇ ମୁହଁରୁ ନିଜର ସ୍ୱାମୀଙ୍କର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରି ଶେଷରେ କପୋତୀ ହାରିଗଲା।କିଛି କ୍ଷଣ ମଧ୍ୟରେ ବିଲେଇ ନିଜ ସ୍ୱାମୀର ମର ଶରୀରକୁ ନେଇ କୁଆଡେ ଉଭେଇ ଗଲା।ସର୍ବହରା କପୋତୀ ଦିନ ସାରା ଏଠି ସେଠି ହୋଇ ବିକଳରେ ଉଡି ବୁଲୁଥାଏ।ନିମିଷକ ମଧ୍ୟରେ ଆଖି ସାମ୍ନାରେ ସୁନା ସଂସାରର ସ୍ୱପ୍ନ ପାଣି ଫୋଟକାଟିଏ ପରି ମିଳେଇ ଯିବା କଥା ଓ କିଛି ସମୟ ପୂର୍ବର ଖୁସିସବୁ ଏଇ କ୍ଷଣକରେ ଧୂଳିସାତ୍ ହେଇଯିବା କଥା ସେ ବିଶ୍ୱାସ କରି ପାରୁ ନଥାଏ।ହୃଦୟର କୋହ ଛାତିକୁ ଯେମିତି ଫଟେଇ ଦେଉଥାଏ ।ଘଟି ଯାଇଥିବା ଘଟଣା ଏକ ମିଛ ବା ଦୁଃସ୍ବପ୍ନ ଭାବି ବାରମ୍ବାର ସେଇ ବସା ପାଖକୁ ଉଡି ଯାଉଥାଏ କପୋତୀ।ସକାଳରୁ ମଧ୍ୟାହ୍ନ ପୁଣି ମଧ୍ୟାହ୍ନରୁ ସଞ୍ଜ ହେବା ଯାଏ ଏଠି ସେଠି ଉଡି ଉଡି ନିଜର ହଜି ଯାଇଥିବା ଜୀବନର ସାଥିକୁ ଖୋଜି ଖୋଜି ନୟାନ୍ତ ହେଲା ପରେ ଗୋଟିଏ ଝଙ୍କାଳିଆ ଗଛ ଡାଳରେ ବସି ଅତୀତର ସ୍ମୃତି ସବୁ ମନେ ପକାଉ ଥାଏ ସେ।ଜୀବନରେ କେବେହେଲେ ଲୁହ ଛୁଇଁ ନଥିବା ଦୁଇ ଆଖିର ଅନିୟନ୍ତ୍ରିତ ଲୋତକର ଝରକୁ ନିଜେ ନିଜେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥାଏ। ଦୁଃଖ ଜର୍ଜରିତ ମନରେ ସ୍ୱାମୀଙ୍କୁ ଅଭିମାନ କରି ଭାବନାରେ ଏଣୁତେଣୁ ଭାବିବାକୁ ଲାଗିଲା କପୋତୀ " ସେତେବେଳେ କେତେ ବୁଝେଇ କହିଛି।ମୋ ପରାମର୍ଶକୁ ହେୟଜ୍ଞାନ କଲ।କାମ ଅନ୍ଧ ହୋଇ ବିବେକ ଶୂନ୍ୟ ଭାବରେ ସମୟକୁ ବେକାର ବରବାଦ କରିବା ଛଡା ନିଜ ପାଇଁ ନା ମୋ' ପାଇଁ କିଛି କରି ପାରିଲ ନାହିଁ।ସେଦିନ ଯଦି ମୋ ପରାମର୍ଶ ମାନି ବେଳ ଥାଉ ଥାଉ ସୁରକ୍ଷିତ ସ୍ଥାନଟିଏ ନିରୂପଣ କରି ବସାଟିଏ ବାନ୍ଧି ଥା'ନ୍ତ ତେବେ ଆମେ ଦେଖିଥିବା ସୁନା ସଂସାରର ସ୍ୱପ୍ନ ସଫଳ ହେବାକୁ ଯାଉ ଯାଉ ଆଜି ଅଧା ବାଟରେ ଭାଙ୍ଗି ଚୁର୍-ମାର୍ ହେଇ ଯାଇ ନଥାନ୍ତା।" ଏମିତି ଅନେକ କଥା ଭାବୁ ଭାବୁ ସେଦିନର ସୂର୍ଯ୍ୟ ପଶ୍ଚିମ ଆକାଶରେ ବୁଡି ଯାଇଥିଲେ।
ବଇଁଞ୍ଚା,ଇରମ,ଭଦ୍ରକ
8979447036
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।