ଷ୍ଟାଲିନ୍ କୁମାର ସାମନ୍ତରାୟ
%%%%%%%%%%%%%
ଗାଁ ସେ ମୋ ମାଆ କି ସୁନ୍ଦର ତା'ର ନାଁ
ଯେଉଁଠି ଜନମି ହୋଇଛି ମୁଁ ଧନ୍ୟ
ଯା ପାଣି ପବନେ ଗଢ଼ା ମୋ ଜୀବନ
ସିଏ ମୋ ଶେଷ ଠିକଣା।।୧।
ଗାଆଁର ମଝିରେ ପ୍ରଭୁ ଗ୍ରାମେଶ୍ଵର
ପଶ୍ଚିମ ଦିଗରେ ବିଦ୍ୟାର ମନ୍ଦିର
ଦକ୍ଷିଣେ ରହିଲେ ମାଆଲୋ ତାରିଣୀ
ହୁଅନ୍ତି ଆମକୁ ସାଆ।।୨।
ମାଆ ହରଚଣ୍ଡୀ ପୂରୁବ ଦିଗରେ
ଛୋଟିବୁଢୀ ମାଆ ରହିଲେ ଉତ୍ତରେ
ଦେବା ଦେବୀଙ୍କର କରୁଣା ଅପାର
ଚଳାନ୍ତି ଜୀବନ ନାଆ।।୩।
ମକରା ନଦୀର ପାଦଦେଶେ ଠିଆ
ଚିଲିକା ପବନ କେଡ଼େ ମନଛୁଆଁ
କଶତଣ୍ଡି ଫୁଲ ଝଲମଲ କରେ
ମନକୁ କରେ କିମିଆଁ।।୪।
ଖରାଦିନ ଯାକ ନଦୀର ବକ୍ଷରେ
ନିତି ମୁଁ ବୁଡଇ ସାଙ୍ଗ ସାଥି ମେଳେ
ଏବେ ଆଉ ନାହିଁ ପିଲାବେଳ କଥା
ଲାଗିଲାଣି ଏବେ ନୂଆ।।୫।
କାହିଁ କେତେ ଦୂରୁ ଆସିଛି ସେ ନଈ
ପାହାଡ଼ ଜଙ୍ଗଲ ବଣ ବୁଦା ଡେଇଁ
ଧାରା ଶ୍ରାବଣରେ ଦୁଇ କୂଳ ଖାଏ
ତା' କୂଳେ ମୋହରି ଗାଆଁ।।୬।
କୁଆଁର ପୁନେଇ ଖୁଦୁରୁକୁଣୀରେ
ରଜରେ ଖେଳିଛି କେତେ ମୁଁ ଦୋଳିରେ
କେତେ ମୁଁ ଗଡିଛି ତା' ଧୂଳି ବାଲିରେ
ଗାଆଁ ପରା ମୋର ମାଆ।।୭।
କାହିଁକି କେଜାଣି ମୋତେ ଲାଗିଲାଣି
ପ୍ରିୟ ପରିଜନ ବଦଳି ଗଲେଣି
ତଥାପି ହସୁଛି ତା'ର ପରିବେଶ
ସୁନ୍ଦର ଲାଗେ ମୋ ଗାଆଁ
ଗାଆଁ ସେ ମୋ ମାଆ
କି ମଧୁର ତା'ର ନାଆଁ।।୮।
-----------------------------
ଓଗାଳପୁର , କଣାସ (ପୁରୀ)
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।