ଶିବ ପ୍ରସାଦ ବାହିନୀପତି
"ସାହିତ୍ଯ ସମାଜର ଦର୍ପଣ" - ଏ ଉକ୍ତିଟି ପ୍ରତ୍ଯେକଟି ସାହିତ୍ୟିକର ସୈକତେ ଶୋଭା ବର୍ଦ୍ଧନ କରେ । ଦର୍ପଣରେ ଆମେ ଆମର ନିଜ ମୁଖ ଦର୍ଶନ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ଲଗାଇ ମୁଖମଣ୍ଡଳକୁ ସୌନ୍ଦର୍ଯ୍ୟ କରୁ । ଠିକ୍ ସେହିପରି ଏ ସମାଜ ନିଜେ ସୁନ୍ଦରତା ପ୍ରାପ୍ତ୍ଯର୍ଥେ ଅର୍ଥାତ୍ ନିଜ ମୁଖମଣ୍ଡଳକୁ ସୌନ୍ଦର୍ଯ୍ୟ କରିବାକୁ ସାହିତ୍ଯର ଦର୍ପଣକୁ ବ୍ଯବହାର କରେ । ସାହିତ୍ଯ ସ୍ବରୂପ ଦର୍ପଣରେ ସମାଜ ନିଜର ମୁଖକୁ ଦେଖି ସୁନ୍ଦର କରିନିଏ । ଆମର ଯେପରି ସ୍ନୋ , ପାଉଡ଼ର , କ୍ରିମ୍ , ଆଦି ଅନେକ ପ୍ରସାଧନ ସାମଗ୍ରୀ ଅଛି ; ଠିକ୍ ସେମିତି ଭାବ, ଅଳଙ୍କାର, ଶିକ୍ଷା, ଚ଼େତାବନୀ ଆଦି ପ୍ରସାଧନ ସାମଗ୍ରୀରେ ସମାଜ ନିଜକୁ ସଜ୍ଜିତ କରେ ସାହିତ୍ଯ ରୂପୀ ଦର୍ପଣ ଅବଲୋକନରେ । ଅନ୍ଯର୍ଥେ କହିବାକୁ ଗଲେ ସାହିତ୍ଯ ସମାଜର ହିତ ସାଧନ । ସମାଜର ହିତ ଯେ କରେ , ସେ ସାହିତ୍ଯ । ଆଉ ଏକ ଅର୍ଥ "ସ - ହିତ = ସାହିତ୍ଯ" । ଅର୍ଥାତ୍ ଯେ ସବୁବେଳେ ହିତ ହିଁ କେବଳ ଚ଼ାହିଁଥାଏ , ସେ ସାହିତ୍ଯ ପଦବାଚ୍ୟ । "ସହିତ"ରୁ ସାହିତ୍ଯର ରୂପାନ୍ତର । ଯେ ସବୁବେଳେ ନିଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ; ସେ ଆଉ କେହି ନୁହେଁ , ସେ ସାହିତ୍ଯ । ସଂକ୍ଷେପରେ କହିବାକୁ ଗଲେ ସମାଜର ଗୁରୁ , ସମାଜର ହୀତାକାଂକ୍ଷୀ ବନ୍ଧୁ , ମାଜର ସତ୍ ସରଣୀ ପ୍ରଦର୍ଶକ ଭାବରେ ସାହିତ୍ଯ ହିଁ ପରିଚ଼ିତ ।
ସମସ୍ତେ ସାହିତ୍ଯ ଅନୁରାଗୀ ହେବା ଉଚିତ୍ । ସାହିତ୍ଯ ବିନା ଏହି ସମାଜ କେବେ ତିଷ୍ଠି ପାରିବ ନାହିଁ । ସୃଷ୍ଟି ଆରମ୍ଭରୁ ସାହିତ୍ଯ ସମାଜ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସାହିତ୍ଯ ବୈରାଗୀ ହୋଇ କେହି ବି କେବେ ସମାଜରେ ତିଷ୍ଠି ପାରିନି କି ନିଜର ସୁରକ୍ଷା କରି ପାରିନି । ସାହିତ୍ଯ ଅଛି , ରହିଛି ଆଉ ରହିଥିବ ମଧ୍ଯ । ଯେଉଁ ସାହିତ୍ଯ ସମାଜର ହିତ ପ୍ରତି ଉତ୍ସର୍ଗିକୃତ , ସେ ହିଁ କାଳଜୟୀ ସାହିତ୍ଯ ଏବଂ ଉତ୍ତମ ସାହିତ୍ଯ । ଅନ୍ଯ ଅର୍ଥରେ ପ୍ରକୃତ ସାହିତ୍ଯ ସିଏ , ଯିଏ ସମାଜର ମଙ୍ଗଳ ବିଧାନ କରିବାରେ ସକ୍ଷମ । ନିର୍ଭୂଲ୍ ମାତ୍ରାକ୍ଷର , ଉତ୍ତମ ଶବ୍ଦ ସଂଯୋଜନା , ସୁନ୍ଦର ଭାବ , ଉପଯୁକ୍ତ ବ୍ଯଞ୍ଜନା , ଉତ୍ତମ ଓ ନିଃସ୍ବାର୍ଥପର ମନୋଭାବର ଅଳଙ୍କାର , ସମାଜ ମଙ୍ଗଳ ବିଧାନର ବାର୍ତ୍ତା , ଅହଂଭାବର ରହିତ, ସେବା ଓ ସମର୍ପଣର ରଚନା ହିଁ ବାସ୍ତବିକ କାଳଜୟୀ ଓ ପ୍ରକୃତ ସାହିତ୍ଯ । ଯଦି ଏ ସବୁ ନାହିଁ , ତେବେ ସେ ସାହିତ୍ଯର ମୂଲ୍ଯ ହିଁ ନାହିଁ । ନିଜର ସାହିତ୍ଯ ପ୍ରତି ରୁଚି ହିଁ ନିଜକୁ ସାହିତ୍ୟିକର ମାନ୍ୟତା ପ୍ରଦାନ କରେ । ଖାଲି ଗଳ୍ପ - ପ୍ରବନ୍ଧ - କବିତା - ନିବନ୍ଧ ଲେଖିଦେଲେ କି ରମ୍ଯ ରଚନାରେ କାହାକୁ ଇଙ୍ଗିତ କରି କେଇ ଧାଡ଼ି ଗାରେଇ ଦେଲେ କିମ୍ବା ସମାଜର ମଙ୍ଗଳ ପାଇଁ ବାର୍ତ୍ତା ଦେଇ ଲେଖି ନିଜେ ସେଇ ବାର୍ତ୍ତାନୁରାଗୀ ନ ହେଲେ , ସେ କେବେ ସାହିତ୍ୟିକ ପଦବାଚ୍ୟ ହୁଏ ନାହିଁ । ସାହିତ୍ଯିକଟିଏ ହେବାକୁ ହେଲେ ସେତିକି ନିଷ୍ଠା, ସାଧନା ଓ ରୁଚି ଦରକାର । ଲେଖା ମାଧ୍ଯମରେ ସମାଜକୁ ଦେଉଥିବା ବାର୍ତ୍ତାକୁ ଯିଏ ନିଜେ ସୂଚାରୁରୂପେ ପାଳନ କରିପାରେ କିମ୍ବା କୌଣସି ଏକ ସ୍ରଷ୍ଟାଙ୍କର ସୃଷ୍ଟିକୁ ଦେଖି ବା ପଠନ କରି କି ଶୁଣି ଯଦି ଉତ୍ତମ ଜ୍ଞାନ ଆହରଣ କରିପାରନ୍ତି ଯିଏ ଏବଂ ତାକୁ ସେଇ ଅନୁସାରେ ପାଳନ କରନ୍ତି ସେ ହିଁ ପ୍ରକୃତରେ ସାହିତ୍ୟିକ ପଦବାଚ୍ୟ ହୁଅନ୍ତି । ସଂକ୍ଷେପରେ କହିବାକୁ ଗଲେ , ଜଣେ ପାଠକ ବି ଜଣେ ସୁସାହିତ୍ୟିକ ହୋଇପାରିବ ।
ପ୍ରକୃତ ସାହିତ୍ଯ ସାଧକ କେବେ ପଦପଦବୀର ଆଶାୟୀ ନଥାଏ । ପ୍ରତ୍ଯେକ ସାହିତ୍ଯିକ ବି ଜଣେ ଜଣେ ସମାଜ ସେବକ । ସମାଜର ସେବା କରିବା , ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଜଣେ ସାହିତ୍ଯିକର ଲକ୍ଷ୍ୟ ହେବା ଦରକାର । ସମାଜ ପାଇଁ ହିଁ ସାହିତ୍ୟିକର ସୃଷ୍ଟି ; ସମାଜ କଲ୍ଯାଣ ପାଇଁ ହିଁ ସାହିତ୍ୟିକର କଲମ ଚ଼ାଳନା ଅବିଶ୍ରାନ୍ତ ଗତିରେ । ସମାଜର ସେବା କରିବାର ମନୋବୃତ୍ତି ଯା'ର ଥାଏ , ତା'ର ପଦପଦବୀର ଆବଶ୍ୟକତା ନଥାଏ । ଜଣେ ପଦବୀରେ ରହିଲେ ଯେ ସମାଜ ପାଇଁ କିଛି କରିବ , ଏକଥା ଭାବିବା ଭୂଲ୍ । ପଦବୀର ଏଠି କୌଣସି ଆବଶ୍ଯକତା ନାହିଁ । ସେବା ଓ ସମର୍ପଣର ମନୋବୃତ୍ତି ଏବଂ ନିଜର କାର୍ଯ୍ଯକଳାପ ହିଁ ନିଜର ପଦ ମର୍ଯାଦା ବୃଦ୍ଧି କରେ । ହିଂସା , ଦ୍ବେଷ , ଅହଂଭାବ, ସ୍ବାର୍ଥ , ମିଥ୍ୟା , ଅନୀତି ଆଦି ନିଜର ପଦ ମର୍ଯାଦା କ୍ଷୁର୍ଣ୍ଣ କରେ ଏବଂ ସମାଜରେ ନିନ୍ଦା ଓ ଘୃଣାର ଡ଼ିଣ୍ଡିମ ପିଟେ । ସାହାଯ୍ୟ ଓ ସହାନୁଭୂତି ନ ରହିଲେ ଜଣେ ସାହିତ୍ଯିକ ପଦବାଚ୍ୟ କିପରି ହୋଇ ପାରିବ ? ଶବ୍ଦରେ ଅଶାଳୀନତା , ଅଯୌକ୍ତିକ ଯୁକ୍ତି , କାର୍ଯ୍ଯରେ ଅସଂଯମତା ଓ ଅକ୍ଷମତା , ସ୍ବାର୍ଥ ହାସଲ ପାଇଁ ସଦା ପ୍ରଚେଷ୍ଟା , ଶିକ୍ଷା କରିବା ବଦଳରେ ନିଜକୁ ସର୍ବଗୁଣ ସମ୍ପନ୍ନ ମନେ କରି ସର୍ବଦା ଶିକ୍ଷକ ହେବା ମଧ୍ଯ ନିଜକୁ ସାହିତ୍ଯିକ ଆସନରୁ ବିତାଡ଼ିତ କରେ । ଦୀକ୍ଷା ଦେବା ଅପେକ୍ଷା ଦୀକ୍ଷା ଗ୍ରହଣ କରିବା ମନୋବୃତ୍ତି ହିଁ ଜଣେ ବ୍ଯକ୍ତିକୁ ସାହିତ୍ୟିକର ଆସନ ପ୍ରଦାନ କରେ ।
କିନ୍ତୁ ଏବେ ସର୍ବତ୍ର ବିପରୀତ ଦୃଶ୍ୟମାନ । ଅଧୁନା ଯୁଗର କିଛି ସ୍ରଷ୍ଟା ଏବେ ଏସବୁର ଓଲଟା । ଦୀକ୍ଷା ନ ନେଇ ଦୀକ୍ଷା ଦେବା ପାଇଁ ପ୍ରସ୍ତୁତ , ଶିକ୍ଷା ଗ୍ରଣ କରିବା ପରିବର୍ତ୍ତେ ଶିକ୍ଷା ଦେବା ପାଇଁ ପ୍ରସ୍ତୁତ । କାହାର ଉପଦେଶ କଣ୍ଟା ପରି ଫୋଡ଼ି ହୋଇଯାଏ ସର୍ବାଙ୍ଗରେ ; କିନ୍ତୁ ଉପଦେଶ ଦେବାରେ ପାରଙ୍ଗମ । ଦେଉଥିବା ଉପଦେଶକୁ ନିଜେ ହେଲେ ପାଳନ କରନ୍ତେ ; ନା, ସେତକ ନାହିଁ । ପାଳନକାରୀ କେହି ନୁହେଁ ; ପ୍ରଦାନକାରୀ ସମସ୍ତେ । ତା' ଛଡ଼ା ପଦପଦବୀର ଆଶାରେ ମସ୍ଗୁଲ୍ ସମସ୍ତେ । ସମସ୍ତେ ସମ୍ମାନ ପାଇବା ପାଇଁ ଉତ୍ସୁକ, ସମ୍ମାନ ଦେବା ପାଇଁ ନୁହେଁ । ଜାଣିବା ଉଚିତ୍ ସମ୍ମାନ ଦେଇଥିଲେ ସମ୍ମାନ ପାଇ ପାରିବା ; ଯଦି ସମ୍ମାନ ଦେଇ ପାରିବାନି ତେବେ ସମ୍ମାନ ପାଇବାର ଆଶା କରିବା ନିରର୍ଥକ । ପ୍ରଥମେ ନିଜର ମାତୃଭୂମି, ମାତୃଭାଷାକୁ ନିଃସ୍ବାର୍ଥପର ଭାବରେ ଓ ନିର୍ବିକାର ଭାବରେ ଭଲପାଇବା ଦରକାର । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ -
"ମାତୃଭୂମି ମାତୃ ଭାଷାରେ ମମତା
ଯା' ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?"
ତେଣୁ , ଯାହାର ମାତୃଭୂମି - ମାତୃଭାଷା ପ୍ରତି ଶ୍ରଦ୍ଧା-ସମ୍ମାନ ଓ ଭଲପାଇବା ନାହିଁ ସେ ଯଦି ଜ୍ଞାନୀ ପଦବାଚ୍ୟ ହୁଏ , ଅଜ୍ଞାନ ତେବେ କିଏ ? ନିଜକୁ ପ୍ରତିଷ୍ଠିତ କରିବାକୁ ସ୍ବାର୍ଥ ପୂର୍ଣ୍ଣ ଭାବରେ ଭଲପାଇବାର ନାଟକ ରଚନା କଲେ ଜଣେ ପ୍ରକୃତ ସାହିତ୍ଯିକ କି ମାତୃଭକ୍ତ ପାଲଟି ଯାଏନି ।
ସାହିତ୍ଯରେ ସେବା ଓ ସମର୍ପଣର ଭାବ ରହିବା ଦରକାର । ସମାଜ ପାଇଁ ଜୀବନୋତ୍ସର୍ଗ କରିବା ଦରକାର । ଗୋପବନ୍ଧୁ, ମଧୁସୁଦନ, ଫକିରମୋହନ, ଗଙ୍ଗାଧର, ରାଧାନାଥ ; ଏମାନେ ଅନୁକରଣୀୟ ହେବା ଉଚିତ୍ । ସେମାନେ ସମାଜ ସଂସ୍କାର ପାଇଁ ନିଜ ଜୀବନକୁ ତିଳତିଳ କରି ଜାଳି ଦେଇଛନ୍ତି । ତାଙ୍କ କଲମ ମୁନରେ ସୃଷ୍ଟି କରି ଯାଇଛନ୍ତି ଯେଉଁ କାଳଜୟୀ ସାହିତ୍ଯ, ତାହା ଏବେ ବି ସୁଦ୍ଧା ପ୍ରତ୍ଯେକ ପାଠକ ପ୍ରାଣକୁ ମନ୍ତ୍ରମୁଗ୍ଧ କରେ । ଥରାଇ ଦିଏ ଜନତାଙ୍କ ହୃଦତନ୍ତ୍ରୀ । ଖେଳାଇ ଦିଏ ଶିହରଣ ପାଠକ ପ୍ରାଣରେ । ଗୋପବନ୍ଧୁଙ୍କ ଭାଷାରେ :-
"ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚ଼ାଲି ଯାଆନ୍ତୁ ପିଠିରେ
ଦେଶର ସ୍ବରାଜ ପଥେ ଯେତେ ଗାଢ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"
ତେଣୁ ଚିନ୍ତା କଲେ , ସମାଜ ପ୍ରତି ତାଙ୍କର ଏ ତ୍ଯାଗ କେତେ ମହାନ ସତରେ ! ତାଙ୍କର ଏ ରଚନାରେ ସମାଜ ପ୍ରତି ଉତ୍ସର୍ଗୀକୃତ ଜୀବନର ନିଚ୍ଛକ ଛବି ପ୍ରତିଫଳିତ ହେଉଛି । ସେ କେବେ ଗାଦି ଉତ୍ସୁକ ଥିଲେ କି ? ପଦପଦବୀ ଅପେକ୍ଷା ନିଜର କର୍ମମୟ ଜୀବନ ଯାହା ସମାଜକୁ ଉତ୍ସର୍ଗୀକୃତ ; ତା'ରି ଉପରେ ସେ ଚଳଚଞ୍ଚଳ । ସମାଜରେ ଶାନ୍ତି ପ୍ରତିଷ୍ଠା ଥିଲା ତାଙ୍କର ମୂଳ ଲକ୍ଷ୍ୟ । ସେ ଲେଖି ଥିଲେ -
"ମାନବ ଜୀବନ ନୁହଁଇ କେବଳ
ବର୍ଷ-ମାସ-ଦିନ-ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତା'ର
ଜୀବନର ମାନଦଣ୍ଡ ।"
ଏମିତି ଅନେକ ଉଦାହରଣ ଆମ ପାଖରେ ଅଛନ୍ତି । ଆମେ ସେମାନଙ୍କୁ ଅନୁକରଣ କରିବା ଉଚିତ୍ । କିନ୍ତୁ ଆମେ ତାହା ନ କରି ନିଜର ପ୍ରତିଷ୍ଠା ଏବଂ ପ୍ରତିପତ୍ତି ବିସ୍ତାର ପାଇଁ ପ୍ରାଣପଣେ ପ୍ରଚେଷ୍ଟା କରି ସମାଜରେ ହାସ୍ଯାସ୍ପଦ ହେବା ସାର ହେଉଛି । ପଦପଦବୀ ମଣ୍ଡନ ପାଇଁ ରଣ କୌଶଳ ପ୍ରସ୍ତୁତି ଅହରହ । ଖାଲି ସେତିକି ନୁହେଁ ତୁଚ୍ଛା ସମ୍ମାନପତ୍ର ପଛରେ ପାଗଳଙ୍କ ପରି ଧାବନ କରି ମିଛ ସମ୍ମାନ ସାଉଁଟିବାରେ ପାରଙ୍ଗମ ଆମେ । ନିଜେ ତ ନିନ୍ଦିତ ହେଉଛେ , ତାଙ୍କୁ ବି ଅସମ୍ମାନ କରିବାକୁ ପଛାଉ ନାହେଁ । ସେମାନେ ସାହିତ୍ଯ ସୃଷ୍ଟି କରି କେତେ ଅର୍ଥ ଉପାର୍ଜନ କରୁଥିଲେ ? ଟଙ୍କା ଦେଇ କେତେ ମାନପତ୍ର ଗୋଟେଇ ଥିଲେ ସେମାନେ ? କିନ୍ତୁ ଆମେ ଆଜି ଅର୍ଥ ପାଇଁ ଅନର୍ଥର ନର୍କ ଦ୍ବାରରେ ଦଣ୍ଡାୟମାନ । ମାନପତ୍ର ପାଇଁ ଅପର୍ଯ୍ଯାପ୍ତ ଅର୍ଥ ବ୍ଯୟ କରି ଚ଼ାଲିଛେ । ଘରେ ବୁଢ଼ା ବାପ ଔଷଧ ନ ପାଇ ବିଛଣା ଉପରେ ବେଦନାରେ ଛଟପଟ ହୋଇ ମରଣ ସହ ଲଢ଼େଇ କରୁଥିବ, କିନ୍ତୁ ଆମେ ଟଙ୍କା ଦେଇ ମାନପତ୍ର କିଣିବା ପାଇଁ ଦୂରଦୂରାନ୍ତରୁ ସୁଅ ଛୁଟାଇ ଥିବା ମାନପତ୍ର ମିନି ବଜାରକୁ । ବାପ ମଲେ କେତେ ଗଲେ କେତେ ଆମର କ'ଣ ଯାଏ ? ଆମର ସମ୍ମାନ ଦରକାର । ବାପ ବୁଢ଼ା ହେଲାଣି , ରୋଗରେ ପଡ଼ିଲାଣି ; ଅଯଥା ଟଙ୍କା ବ୍ଯୟ କାହିଁକି ହେବ ? ମଲେ ମରୁ ; କିନ୍ତୁ ଆମେ ମାନପତ୍ର ଖଣ୍ଡେ କିଣିବୁ ।
କେହି ବି ବୁଝି ପାରୁନାହାନ୍ତି ମାତୃଭୂମି ଆମ ମାଆ ହେଲେ ମାତୃଭାଷା ତା'ର ମୁଖ ନିଃସୃତ ଭାଷା । ଛୁଆଟିଏ ଜନ୍ମ ନେଲେ ମାଆ ପ୍ରଥମେ ତାକୁ ଶିଖାଏ - "ଧନ ! କହିଲୁ, ମା' ।" ବାରମ୍ବାର କହିବା ଦ୍ବାରା ପିଲାଟି ମା' ଶବ୍ଦ ଶୁଣି ଶୁଣି ପ୍ରଥମେ ମା' ହିଁ କହିଥାଏ । ସେଇ ମାତୃଭାଷା ହିଁ ଆମ ସାହିତ୍ୟ । ମାଆ ଠାରୁ ମାତୃଭାଷା ସୃଷ୍ଟି । ତେବେ ଏଠି ବିଚ଼ରଯୋଗ୍ଯ ମାତୃଭାଷା ଆମ ସମ୍ପର୍କରେ କ'ଣ ହେବ । ମାଆ ଠାରୁ ଜନ୍ମ ସେ , ତେଣୁ ମାଆଠୁ ଜନ୍ମିତ ସନ୍ତାନ ଆମର ଭାଇ-ଭଉଣୀ । ତେବେ ଆମେ କେଇଟା ଅର୍ଥର ଲାଳସାରେ ଭାଇ-ଭଉଣୀଙ୍କୁ ପଣ୍ଯ ଦ୍ରବ୍ଯ ସଜେଇ ବିକ୍ରିବଟା କରିବା କି ପ୍ରକାର ମାନସିକତା ଇଏ ? ମାଆ - ଭଉଣୀ - ଭାଇଙ୍କୁ ନିଲାମ କରିବା କି ପ୍ରକାର ମାନସିକତା ? ଆଜି ଯଦି ଏସବୁ କରି ପାରିଲେ ତେବେ କାଲି ଆମେ ନିଜର ମାଆ - ଭଉଣୀ - ଭାଇଙ୍କୁ କିଛି ଅର୍ଥ ଉପାର୍ଜନ ଆଶାରେ ବଜାରରେ ପଣ୍ଯ ଦ୍ରବ୍ଯ ସଜେଇ ବିକ୍ରି କରିବା କି ନିଲାମ କରିବାକୁ ତ ପଛେଇବାନି । ଏସବୁ କରି ନ ପାରିବା ବୋଲି କିଛି କହି ହେବ କି ? ଏଭଳି କରୁଥିବା ଲୋକ ବିକୃତ ମାନସିକ ରୋଗୀ କି ନା , ଏହି ବିଚ଼ାର ବୁଦ୍ଧିଜୀବୀ ମାନେ କରନ୍ତୁ ।
ଆଉ ଗୋଟିଏ କଥା, ଆମେ ସମ୍ମାନ କ'ଣ ଏଯାଏଁ ବୁଝିନେ । ସମ୍ମାନର ଅର୍ଥ ଯଦି ବୁଝି ଥା'ନ୍ତେ ତେବେ ଟଙ୍କା ଦେଇ ମାନପତ୍ର କିଣିବାକୁ ପୂର୍ଣ୍ଣ ପ୍ରସ୍ତୁତିର ସହ ଆସି ସମ୍ମାନ ସହର ପେଣ୍ଠସ୍ଥଳୀରେ ପହଞ୍ଚି ନଥା'ନ୍ତେ । ନିଷ୍ଠା,ସାଧନା, କାର୍ଯ୍ଯଦକ୍ଷତା ଆଦିକୁ ଉପଯୁକ୍ତ ବିଚ଼ାରକୁ ନେଇ ଜଣଙ୍କୁ ସମ୍ମାନ ଦିଆଯାଏ । ଯିଏ ସମ୍ମାନ ପାଏ ସେ ଆମ ଅତିଥି ପାଲଟି ଯାଏ ; ଆମେ ତା'ର ସେବକ । ଏଠି ବଡ଼-ସାନ, ଜାତିଭେଦର ପ୍ରାର୍ଥକ୍ଯ ନଥାଏ । ଅତିଥିଙ୍କୁ ନିମନ୍ତ୍ରଣ କଲା ପରେ ଆମେ ତାଙ୍କୁ ଯଥାସମ୍ଭବ ସମ୍ମାନ ଦେବା ଉଚିତ୍ । ତାଙ୍କଠୁଁ ଅର୍ଥ ନେଇ ଖଣ୍ଡେ ମାନପତ୍ର ଯାହା କିଛି ସମ୍ମାନ ଜନକ ବାକ୍ଯ ଗାରେଇ ଦେଇଥିବା ଶସ୍ତା କାଗଜ ଖଣ୍ଡେ ଧରେଇ ଦେଲେ, କୋଉ ସମ୍ମାନରେ ଗଣତି ହେଲା ? ବରଂ କୁହାଯିବ ଏଠି ସମ୍ମାନର କିଣାବିକା କରାଗଲା । ଅତିଥିଙ୍କୁ ସମ୍ମାନ ଦେବାକୁ ଡ଼ାକି ଅର୍ଥ ଆଦାୟ କରି ବେସମ୍ମାନ କରିବାର ଅଧିକାର ଆମକୁ କିଏ ଦେଲା ? ଏସବୁ ବିକୃତ ବିକାରଗ୍ରସ୍ତ ମାନସିକତା ନୁହେଁ ତ ଆଉ କ'ଣ ?
ସମସ୍ତେ ଲେଖକ ହେବାକୁ ଚ଼ାହାନ୍ତି , ପାଠକ ହେବାକୁ କେହି ପ୍ରସ୍ତୁତ ନୁହନ୍ତି । ଦଶଟା ଲେଖା ପଢ଼ିବା ପରେ ଯେଉଁ ଗୋଟିଏ ଲେଖା ସୃଷ୍ଟି ହୁଏ , ସେଇ ଗୋଟିଏ ଲେଖା ହିଁ ଉତ୍ତମ ଲେଖାର ମାନ୍ଯତା ପାଏ । କିନ୍ତୁ ଗୋଟିଏ ମାତ୍ର ଲେଖା ପଢ଼ି ବା ମୂଳରୁ ନ ପଢ଼ି ଯେଉଁ ଦଶଟା ଲେଖା ସୃଷ୍ଟି ହୁଏ , ସେହି ଦଶଟା ଯାକ ଲେଖା ଆବର୍ଜନା କୁଣ୍ଡ ଠାରୁ ବି ଆହୁରି ଅଦରକାରୀ ଓ ବର୍ଜ୍ଯ ପାଲଟି ଯାଏ । ଏକଥା ପ୍ରଥମେ ସ୍ମରଣ ରହିବା ଉଚିତ୍ । ଯିଏ ଯାହା ପାରିଲା ଗାରେଇ ଚ଼ାଲିଲା , ଆତ୍ମଘୋଷିତ ଉପାଧି ବହନ କରି ନିଜକୁ ସର୍ବଶ୍ରେଷ୍ଠ ସ୍ରଷ୍ଟା ଭାବରେ ଡ଼ିଣ୍ଡିମ ପିଟି ଚ଼ାଲିଲା । ଏ ହେଉଛି ଅଧୁନା ସ୍ରଷ୍ଟା ମହଲର ଦୁଃସ୍ଥ ମାନସିକତା । ସାମାଜିକ ଗଣମାଧ୍ୟମ ଏବେ ମାଧ୍ୟମ ପାଲଟିଛି ଏଭଳି କିଛି ଦୁଃସ୍ଥ ମାନସିକତା ସମ୍ପନ୍ନ ଶସ୍ତା ସ୍ରଷ୍ଟା ମାନଙ୍କର । ପଣ ପଣ ପରିଦୃଷ୍ଟ ଆତ୍ମଘୋଷିତ ସ୍ରଷ୍ଟା ଆଉ ପୁଳା ପୁଳା ସାହିତ୍ଯ ସଂସଦ ଓ ଆସର । କିଏ ପଞ୍ଜୀକୃତ ତ ପୁଣି କିଏ ବିନା ପଞ୍ଜୀକରଣରେ ପରିଚ଼ାଳିତ । ଅର୍ଥ ଉପାର୍ଜନର ମାଧ୍ୟମ ଏସବୁ କିଲେ କିଛି ଅତ୍ଯୁକ୍ତି ହେବନି ଭାବୁଛି । ପର୍ଯ୍ୟାପ୍ତ ପ୍ରମାଣେ ସାହିତ୍ଯ ପତ୍ରିକା ପ୍ରକାଶିତ , ସୃଷ୍ଟି ସହିତ ଅର୍ଥ ଦିଅ । ହଗିଲା-ମୁତିଲା-ପାଡ଼ିଲା-ଛିଙ୍କିଲା ଯାହା ହେଲେ ବି ଚ଼ଳିବ ; ଆମେ ପ୍ରକାଶ କରିବୁ । ଆମର ଟଙ୍କା ଦରକାର ; ଟଙ୍କା ପାଇଲେ ବିଷ୍ଟାକୁ ଅମୃତ ମାନି ନେଇ ଚ଼ାଟି ପକେଇବୁ । ଏ ସବୁ ଦୁଃସ୍ଥ ମାନସିକତା କି ନୁହେଁ କୁହନ୍ତୁ ତ । ଆଉ କିଛି ସ୍ରଷ୍ଟା ଅଛନ୍ତି ; ଯାହାକୁ ଲେଖା ମାଗିଲେ ଅର୍ଥ ଦାବି କରନ୍ତି । ଅର୍ଥାତ୍ ; ନିଜ ସୃଜନୀ ବିକ୍ରି କରିବା ତାଙ୍କର ମୂଳ ଉଦ୍ଦେଶ୍ଯ । ନିଜ ସୃଜନୀ ନିଜର ସନ୍ତାନ ; ସ୍ରଷ୍ଟା ଏଠି ଜନକ ବା ଜନନୀ । ଯଦି ବାପ-ମାଆ ନିଜ ଛୁଆକୁ ବିକ୍ରି କରନ୍ତି ତେବେ ଏ ଦୁଃସ୍ଥ ମାନସିକତା କି ନୁହେଁ ?
ସରକାରୀ ସ୍ତରରେ ପଞ୍ଜୀକୃତ ହୋଇ ନଥିବା ଅନେକ ସାହିତ୍ଯ ସଂସଦ ବା ଅନୁଷ୍ଠାନର କାର୍ଯ୍ଯନିର୍ବାହୀ ମାନେ ନିଜ ନିଜ ଭିତରେ ମାନପତ୍ର ସାଉଁଟିବାରେ ବେଶ୍ ଧୁରନ୍ଧର । କେଉଁଠି କେବେ ଦେଖିଛନ୍ତି ଅନୁଷ୍ଠାନର କାର୍ଯ୍ଯନିର୍ବାହୀ ମାନେ ନିଜ ଅନୁଷ୍ଠାନରୁ ସମ୍ମାନୀତ ହେବା ? ଧଳା କାଗଜରେ ରଙ୍ଗୀନ କାଳିରେ କିଛି ଗାରେଇ ଦେଇ ନିଜ ନିଜ ଭିତରେ ବାଣ୍ଟି ନେଇ ଏବଂ ଅର୍ଥ ଫୋପାଡ଼ି ଛପା କାଗଜର ମାନପତ୍ର କିଣି ଅନ୍ତର୍ଜାଲରେ ଉପସ୍ଥାପନ କରି ନିଜକୁ ମହାନ କହି ବୁଲୁଥିବା କିଛି ସ୍ରଷ୍ଟା ବିକୃତ ମାନସିକ ରୋଗୀ ବୋଲି ବୁଝିବାକୁ ଆଉ ବାକି କୋଉଠି ରହିଲା ? ଖାଲି ସେତିକି ନୁହେଁ , ଆହୁରି ମଧ୍ୟ ବିକୃତ ବିକାରଗ୍ରସ୍ତର ସୂଚନା ମିଳେ , ଯେତେବଳେ ଆମ ପୂର୍ବ ସ୍ରଷ୍ଟା ତଥା ମହାପୁରୁଷଙ୍କ ମ୍ମାନ ଉପରେ ପ୍ରଶ୍ନବାଚକ ଚିହ୍ନଟିଏ ଲାଗେ । ତାଙ୍କ ନାମକୁ ପାଥେୟ କରି ଅନୁପଯୁକ୍ତଙ୍କୁ ସମ୍ମାନପତ୍ର ପ୍ରଦାନ ବହୁତ ବଡ଼ ଲଜ୍ଜାର ବିଷୟ ନିଶ୍ଚୟ ; ପୁଣି ଅଧିକ ଲଜ୍ଜାକର ଯେତେବେଳେ ସେ ନାମ ସୂଚୀତ ଛପା କାଗଜ ଖଣ୍ଡିକ ପାଲଟି ଯାଏ ପଣ୍ଯ ଦ୍ରବ୍ଯ । ସେହି ପୂର୍ବ ସ୍ରଷ୍ଟା ଏବଂ ସେହି ମହାପୁରୁଷଙ୍କ ଭଳି ସୂଚୀତ ବ୍ଯକ୍ତିଙ୍କୁ ହିଁ ସେମାନଙ୍କ ନାମ ଲଗା ଫଳକ ବା ସମ୍ମାନପତ୍ର ପ୍ରଦାନ କରାଯାଏ । ଅଧୁନା ଯୁଗରେ ସେମାନଙ୍କ ସମସାମୟିକ ହେବା ପାଇଁ ଆମେ ସକ୍ଷମ ହୋଇ ପାରିଛେ କି ? ତାଙ୍କ ବିଷୟରେ ବା ଆମେ କେତେ ଜାଣିଛେ ? ତାଙ୍କୁ ସାରା ଜନସମାଜ ସମ୍ମାନ ଦେଉଥିବା ବେଳେ ପରୋକ୍ଷରେ ଆମେ ତାଙ୍କୁ ଅପମାନିତ କରୁନେ କି ? ଏ କଥାର ବିଚ଼ାର ବୁଦ୍ଧିଜୀବୀ ମହଲରେ ହେବା ଦରକାର ।
ସାହିତ୍ଯ ଆସର କଥା କହିଲେ ଆପେ ଆପେ ମୁଣ୍ଡ ନଇଁ ଯାଏ ଲାଜରେ । ସାହିତ୍ଯ ଆସର ନାମରେ କିଛି ପ୍ରହସନ ଓ ଅର୍ଥ ଉପାର୍ଜନ କରି ନିଜକୁ ପ୍ରତିଷ୍ଠିତ ଓ ନିଜେ ଲାଭବାନ ହେବାରେ ଲାଗିଛନ୍ତି । ନିୟମ କାନୁନ ଜଣା ଥିଲେ ତ ? କେମିତି ଆସର ହୁଏ , ସେ କଥା ଆଗ ପୁଙ୍ଖାନୁପୁଙ୍ଖ ବିଚ଼ାର ବିମର୍ଷ ଓ ଚିନ୍ତନ ପରେ ଆସର ଆୟୋଜନ ହେବା ଉଚିତ୍ । ସ୍ବାର୍ଥ, ହିଂସା ଓ ଅହଂଭାବ ପୂର୍ଣ୍ଣ ଆସର ଏବଂ ଅର୍ଥ ଉପାର୍ଜନର ଲାଳସାରେ ହେଉଥିବା ଆସର ପ୍ରହସନ ନୁହେଁ ତ ଆଉ କ'ଣ ? ଆସରରେ କେଉଁମାନେ ମୁଖ୍ୟ ଆସନ ଅଳଙ୍କୃତ କରନ୍ତି ଏ ଜ୍ଞାନ ଥିଲେ ତ ? ବୟୋଜ୍ୟେଷ୍ଠ ବ୍ଯକ୍ତି ବାପା କିମ୍ବା ମାଆ , ଗୁରୁଜନ ପଦବାଚ୍ୟ ବୋଲି ଶାସ୍ତ୍ର ଅନୁମୋଦିତ ; ଏକଥା ଭୁଲିଯିବା ଅନୁଚିତ । କନିଷ୍ଠ ବ୍ଯକ୍ତି ବୟୋଜ୍ୟେଷ୍ଠଙ୍କୁ ସେତିକି ସମ୍ମାନ ଦେବା ଦରକାର , ଯେତିକି ସନ୍ତାନଟିଏ ଅର୍ଥାତ୍ ପୁଅ-ଝିଅ ମାନେ ତାଙ୍କ ବାପ-ମାଆଙ୍କୁ ଦିଅନ୍ତି । ବାପା-ମାଆ ଘରର ପ୍ରକୃତ ମାଲିକ ଏବଂ ମୂଳଦୂଆ । ଆସରରେ ସେହି ଭାବ ରହିବା ଉଚିତ୍ । ବାପର ଅସମ୍ମାନ ପୁଅର ଅସମ୍ମାନ ନୁହେଁ କି ? ପୁଅର ଅସମ୍ମାନ ବି ବାପର ଅସମ୍ମାନ ନୁହେଁ କି ? ସେ ଜାଗାରେ ଯଦି ନିଜ ବାପା ବସି ଥା'ନ୍ତେ ; କୋଉ ପୁଅ ନିଜ ବାପକୁ ପଛରେ ପକେଇ ନିଜେ ସେଠି ସର୍ବେସର୍ବା ହେବାର ପ୍ରୟlସ କରିଥା'ନ୍ତା କି ? ଜଣଙ୍କୁ ଘରକୁ ଖାଇବାକୁ ଆମନ୍ତ୍ରଣ କରାଗଲା ; ସମସ୍ତଙ୍କୁ କୁହାଗଲା ମୋ' ଘରକୁ ଆଜି ଅମୁକ ବ୍ଯକ୍ତି ମହାଶୟ ଆସୁଛନ୍ତି । ମୁଁ ତାଙ୍କୁ ଭୋଜନାର୍ଥେ ଡ଼ାକିଛି ; ତାଙ୍କ ଠାରୁ କିଛି ଶିକ୍ଷା ପ୍ରାପ୍ତ କରିବା ଉଦ୍ଦେଶ୍ଯରେ ଅଛି । ସେ ଆସିବା ପରେ ହାତ ଧୋଇବାକୁ ପାଣି ନ ଦେଇ ଖାଇବାକୁ ବାଢ଼ି ବସାଇ ଦେବା ; ସେ ପୁଣି ଆନ୍ତରିକତା ହୀନରେ । ୟା' ଅର୍ଥ ତାଙ୍କୁ ଅସମ୍ମାନିତ କରିବା ସହ ସମାନ । ପରୋକ୍ଷରେ ଥାପଡ଼ ମାରିଲନି କି ? କେଉଁମାନେ ମୁରବି ହୁଅନ୍ତି ସେ ଜ୍ଞାନ ଥିବା ଦରକାର । ଯିଏ ଜ୍ଞାନୀ, ଗୁଣୀ ଓ ବୟୋଜ୍ୟେଷ୍ଠ ଏବଂ ନିଜଠୁ ଅଧିକ ଉଚ୍ଚ ପଦାଧିକାରୀ ; ସେଇମାନେ ଆସରରେ ମୁରବି ହୁଅନ୍ତି । କାରଣ ସେମାନଙ୍କ ଠାରୁ ଆମେ କିଛି ଶିଖିବା ଓ ଜାଣିବା । ତାଙ୍କ ବିନାନୁମତିରେ ଆମେ ମନମୁଖୀ ଶାସନ ଚଳାଇବା ନିଜକୁ ଲଜ୍ଜିତ କରୁନି କି ? ଆସର କେମିତି ହୁଏ ଆଗ ଭଲଭାବରେ ଶିକ୍ଷା କରି ଆୟୋଜନ କଲେ ଏସବୁ ଅବ୍ଯବସ୍ଥାରେ ସୁଧାର ଆସି ପାରନ୍ତା । ସବୁ ଦିଗକୁ ଦୃଷ୍ଟି ନିକ୍ଷେପ ପୂର୍ବକ ଉତ୍ତମ ବୁଝାମଣା ଓ ନିୟମାନୁଯାୟୀ ସଚ୍ଚୋଟ ଭାବରେ କାର୍ଯ୍ୟ କଲେ ଆମ ସମାଜ ତଥା ଭାଷା - ସାହିତ୍ଯର ଉନ୍ନତି ହୋଇ ପାରନ୍ତା ।
ମାନପତ୍ର ପଛରେ ଆମେ କାହିଁକି ଗୋଡ଼ାଇବା ? ବରଂ ଆମ ପଛରେ ମାନପତ୍ର ଗୋଡ଼ାଇବା ଦରକାର । ଏ ଶସ୍ତା ଛପା କାଗଜର ମାନପତ୍ର ହଜାର ହଜାର ପ୍ରାପ୍ତ କରି ବା କ୍ରୟ କରି କି ଲାଭ ? ସବୁଠୁ ଦାମିକା ମାନପତ୍ର ତ ନିଜର ଚରିତ୍ର । "character is best certificate of your life." "ଚରିତ୍ର ହିଁ ସବୁଠାରୁ ଭଲ ମାନପତ୍ର ।" ଆଗ ନିଜର ଚ଼ାରିତ୍ରିକ ମାନପତ୍ର ସାଉଁଟିବାକୁ ଚେଷ୍ଟା କର ; ଏ ମାନପତ୍ରର ମୂଲ୍ଯ କିଛି ନାହିଁ । ବୁଦ୍ଧିଜୀବୀଙ୍କୁ ବିନମ୍ର ଅନୁରୋଧ ; ଏ ଦିଗରେ ବିଚ଼ାର କରି ଉପଯୁକ୍ତ ନ୍ଯାୟ ଦିଅନ୍ତୁ । ପଞ୍ଜୀକୃତ ଓ ବିନା ପଞ୍ଜୀକୃତ ସାହିତ୍ଯାନୁଷ୍ଠାନ ସସ୍ର ସସ୍ର ମଥା ଟେକିଛି ; ଅନେକ ସ୍ରଷ୍ଟାଙ୍କୁ ସମ୍ମାନୀତ କରୁଛି । କିନ୍ତୁ ଯୋଉ ସମ୍ମାନର ମୂଲ୍ଯ ନାହିଁ , ସେ ସମ୍ମାନ ପାଇବାକୁ ଧାଉଁଥିବା ସ୍ରଷ୍ଟାଙ୍କର ଅଭାବ ନାହିଁ କି ଦେଉଥିବା ସଂସ୍ଥାର ବି ଅଭାବ ନାହିଁ । ଏସବୁର ମୂଳୋତ୍ପାଟନ କରିବା ଅର୍ଥାତ୍ ସାହିତ୍ଯରେ ଅର୍ଥର ଦେଣନେଣକୁ ଉଚ୍ଛେଦ କରିବା ଆମ ପରି ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନଙ୍କର କ'ଣ କର୍ତ୍ତବ୍ୟ ନୁହେଁ କି ? ଆମ ଭାଷା ସାହିତ୍ଯର ସୁରକ୍ଷା ଓ ତାକୁ ଯଥୋଚିତ ସମ୍ମାନ ଦେଇ ଆମ ଉତ୍କଳର ଶ୍ରୀ ବୃଦ୍ଧି କରିବା ଆମ ପରି ସନ୍ତାନଙ୍କର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ୍ ନୁହେଁ କି ? ହେଇଯାଉ ଆନ୍ଦୋଳନ ; ବଳି ପଡ଼ିବା ଦରକାର ଦୁଃସ୍ଥ ମାନସିକ ବିକାରଗ୍ରସ୍ତ ରୋଗୀ ମାନେ । ଦମନ ହେବା ଦରକାର ଦୁଷ୍ଟ ପ୍ରକୃତିର ଦାନବଗଣ ।
ଏ ସୃଷ୍ଟି ମୋର କାହାକୁ ଆକ୍ଷେପ ମୂଳକ ଭାବରେ ନୁହେଁ ; ବରଂ ସମାଜରେ କିଛି ସୁଧାର ଆଣିବା ଉଦ୍ଦେଶ୍ଯରେ । ସ୍ରଷ୍ଟା-ସ୍ରଷ୍ଟା ମଧ୍ୟେ ଟାଙ୍କ ଟଣାଟଣି, କିଛି ନ ଜାଣି ବା ସତ୍ୟତାର ସନ୍ଧାନ ନ କରି ଅମୂଳକ ଭାବରେ ସାମାଜିକ ଗଣମାଧ୍ୟମରେ କାହାର ଚରିତ୍ର ସଂହାର , ଅର୍ଥ ଦେଇ ମାନପତ୍ର କିଣା, ସାରସ୍ବତ ସୃଷ୍ଟିର ବେପାର ବଣିଜ ଏବଂ ପରିଶେଷରେ ଅଶାଳୀନ ବ୍ଯବହାର ଏସବୁ କ'ଣ ସାରସ୍ବତ ସାଧକର ପରିଚୟ ନଷ୍ଟ କରୁନାହିଁ କି ? ଯୋଡ଼ହସ୍ତରେ ବିନମ୍ର ପ୍ରାର୍ଥନା ବୁଦ୍ଧିଜୀବୀ ମାନଙ୍କର ଶ୍ରୀପୟରେ ; ଏସବୁର ଯଥୋଚିତ ବିଚ଼ାର କରି ଆମ ଭାଷା ସାହିତ୍ଯ ଓ ଆମ ସମାଜର କଲ୍ଯାଣ ପାଇଁ କିଛି ଆଇନ କାନୁନ ହେଉ ଅବା କିଛି ନିୟମ ଯୋଡ଼ି ପାରିଲେ ଆମ ଉତ୍କଳ ମହାନତାର ଶେଷ ସୋପାନରେ ଗର୍ବର ସହ ଛିଡ଼ା ହୋଇପାରନ୍ତା । ଆଶା କରେ ସମସ୍ତ ବୁଦ୍ଧିଜୀବୀ ମୋର ଏହି ବିନମ୍ର ପ୍ରାର୍ଥନାକୁ ହୃଦୟର ସହିତ ସ୍ବୀକାର କରି ମୋ' ଉତ୍କଳ ମାଆ ପାଇଁ ଉଚିତ୍ ପଥଟିଏ ନିର୍ଦ୍ଧାରଣ କରି ପାରିବେ ।
ସମ୍ପାଦକ - ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ)
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।