ମରେ ମଧ୍ଯବିତ୍ତ ମହାବିପଦରେ
ଦୁଃଖ ଅନାଣ୍ଟନେ ପଡିି
ଯେତେ କଲେ ଶ୍ରମ ନ ମିଳଇ ଅନ୍ନ
ଅଭାବ ଆସଇ ମାଡି...!!
ଭିକ୍ଷା ମାଗିବାକୁ ଲଜ୍ଜା ମାଡେ ବୋଲି
କର୍ମକୁ ସେ କରେ ଗୁରୁ
ସ୍ବାଭିମାନ ଅଭିମାନ ତା' ଧର୍ମ
ସଂଗ୍ରାମୀ ସେ ନୁହେଁ ଭୀରୁ...!!
ନୁଖୁରା ମାଟିରେ ଫଳାଏ ଫସଲ
ଲଙ୍ଗଳ ମୁନରେ ଚିରି
ପାହାଡ ଫଟାଇ ନିର୍ଝର ଝାରାଏ
ମନରେ ସାହସ ଭରି...!!
ଶ୍ରମ ଦାନ କରି ବାନ୍ଧେ ବନ୍ଧ କେତେ
ନଦୀ ମହା ନଦୀ ତୀରେ
କଳକାରଖାନା ଚଳାଏ ନିଷ୍ଠାରେ
ଜଗତ ମଙ୍ଗଳ କରେ...!!
ଶ୍ରମଜୀବୀ ସେହି ମଧ୍ଯବିତ୍ତ ଜନ
ଭିଟା ମାଟି ଛାଡି ଯାଏ
ଗଢେ କୋଠା ବାଡି,ରାସ୍ତା ଘାଟ ସେତୁ
ସବୁ କର୍ମେ ଯୋଗ ଦିଏ...!!
ସହର ନଗର ଚାକଚକ୍ଯ ଯେତେ
ସୌନ୍ଦର୍ଯ୍ଯର ପରିପାଟି
ଶ୍ରମିକର କର ସ୍ପର୍ଶେ ଜୀବନ୍ଯାସ
ପ୍ରାପ୍ତି ସକଳ ସ୍ମୃତି...!!
କରୋନା କବଳେ କବଳତ ଏବେ
ମଧ୍ଯବିତ୍ତ ପରିବାର
ହାତେ ନାହିଁ କାମ ପାଶେ ନାହିଁ ଧନ
ଅଚଳ ତା'ର ସଂସାର...!!
ଫେରି ଆସିଛି ଦୂର ରାଇଜରୁ
ଗାଁ-ଘର ବନ୍ଦୀଗୃହ
ଅଭାବ ରାକ୍ଷସ ଗ୍ରାସ କରେ ସଦା
ତୁଟିଲାଣି ମନୁ ମୋହ....!!
ବଡ ନିର୍ଯାତନା ସଂସାର ଜଞ୍ଜାଳ
ମଡିଆସେ ଦୁଃଖ ଚିନ୍ତା
ସରକାର ଦିନେ ଧ୍ଯାନ ନଦିଅନ୍ତି
ମଧ୍ଯବିତ୍ତଙ୍କ କଥା...!!
ସବୁତ ଯୋଜନା ଗରିବ ପାଇଲେ
ମଧ୍ଯବିତ୍ତଙ୍କୁ କାହିଁ
ମଧ୍ଯବିତ୍ତ କି ଗଣତନ୍ତ୍ର ନ୍ଯାୟେ
କିଛି ଅଧିକାର ନାହିଁ...?
ନେତାଏ ପାଇଲେ ପୁଳା ପୁଳା ଟଙ୍କା
ରାଜ୍ଯ ରାଜକୋଷ ଲୁଟି...
କିଏତ ମରୁଛି ଭୋକ ଓପାସରେ
ନ ଛାଡି ସ୍ବ-ଭିଟା ମାଟି...!!
ଅମଲାତନ୍ତ୍ରକୁ ତିଳେ ଚିନ୍ତା ନାହିଁ
ସରକାରଙ୍କର ଜ୍ବାଇଁ
ଆଦେଶ ଦିଅନ୍ତି ଶାସନ କରନ୍ତି
ଶୋଷଣର ସୀମା ନାହିଁ...!!
ମାସ ସରିଗଲେ ମିଳଇ ଦରମା
ତାଙ୍କ ଘରେ ମାଂସ ଭାତ
ମଧ୍ଯବିତ୍ତ ମରେ ଘର କୋଣେ ବସି
ନେତ୍ରୁ ଅଶ୍ରୁ ବିଗଳିତ...!!
ପୁଞ୍ଜିପତିଙ୍କର କଚେ ପୁଅ ବାର
ମହାନନ୍ଦେ ଦିନ ସରେ
ଆମୋଦ ପ୍ରମୋଦେ ସମୟ ବିତଇ
ନକରେ ଶୋଚନା ଥରେ...!!
ଆକାଶ ଛୁଅଁଇ ଖାଉଟି ସାମଗ୍ରୀ
ଅଣ୍ଟାରେ ନାହିଁଟି ଧନ
ବିଷାଦେ କାଟଇ ମଧ୍ଯବିତ୍ତ ପ୍ରାଣୀ
ଆଶା-ଦିବସ-ସପନ...!!
ଶୁଣ ସରକାର ମଧ୍ଯବିତ୍ତ ପାଇଁ
କିଛି ବି ଯୋଜନା କର
ଲକ୍ ଡାଉନ୍ ସମୟ ପାର କରିବାକୁ
କିଛି ଅର୍ଥ ଦାନ କର...!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।