12/31/2021

ସୁକାନ୍ତି (ଅଭୁଲା ସ୍ମୃତିର ନାୟିକା)

ଅକ୍ଷୟ ଓଝା 
ସ୍ମୃତି ଏକ ରୂପା ଜହ୍ନ -୪୪
ତା ପରଠୁ ଆଉ ସୁକାନ୍ତି ସହିତ ମୋର ଦେଖା ହେଇନି ଆଜିଯାଏ ।ମୁଁ ସମ୍ପୂର୍ଣ ଭୂଲି ଯାଇଥିଲି ସୁକାନ୍ତିକୁ । ଆଜି ହଠାତ ସୁକାନ୍ତି ଫୋନରେ ମୁଁ ପିଲାଦିନ କୁ ଚାଲିଗଲି । ଆଉ ସେ ଦିନ ଗୁଡ଼ିକୁ ମନେ ପକାଇଲି । ଭାବ ବିହ୍ୱଳ ହେଇଗଲି କେତେ ସମୟ । ସୁକାନ୍ତି ଆମ ବଡ଼ ବାପା ପୁଅଙ୍କ ବାହାଘର ରେ ଆସିଥିଲା ରାଉରକେଲାରୁ । ଅଷ୍ଟମରେ ପଢୁଥିଲା ସୁକାନ୍ତି।

  ବାହାଘର  ସାହିରେ ସାହିଟା ଆମର ବନ୍ଧୁବାନ୍ଧବରେ ଭରି ଯାଇଥିଲା । କେତେ ନୂଆ ପୁରୁଣା ବନ୍ଧୁବାନ୍ଧବଙ୍କ ଭିଡ଼ । ଆମ ସାହି ଟାବି ଏକାଠି ହେଇ ପଡ଼ିଥିଲେ । ସେ ସମୟରେ ସାହିରେ ଯଦି ବାହାଘର ଭଳି କିଛି ସାମାଜିକ ଉତ୍ସବ ହେଉଥିଲା ସମସ୍ତେ ସାହି ଟା ଯାକ ଏକାଠି ହେଇ ଯାଉଥିଲେ । ବଡ ମେଳ ମେଳାପ ହସ ଖୁସି ଭରି ଉଠୁଥିଲା ବାହାଘର ସାହି । ସୁକାନ୍ତି ତା ବୋଉ ସହିତ ଆସିଥିଲା ରାଉରକେଲା ରୁ ବଟକୃଷ୍ଣ ଭାଈଙ୍କ ବାହାଘରରେ । 
 
     ସୁକାନ୍ତି ବୋଉ ମୋ ବୋଉର ଦୁର ସମ୍ପର୍କୀୟ ଭଉଣୀ । ବିବାହ ହେଉଥିବା ବଟ ଭାଇଙ୍କ ମାଇଁ ଅଟନ୍ତି । ସୁକାନ୍ତି ବୋଉ ଯେବେ ବି ଗାଆଁ କୁ ଆସିଲେ ଆଗ ଆମ ବୋଉଙ୍କ ପାଖକୁ ଧାଇଁ ଆସନ୍ତି । ଭାରି ଆନନ୍ଦ ର ବାତା ବରଣ ସୃଷ୍ଠି ହେଇଯାଏ ।

     ସୁକାନ୍ତି ଭାରି ଭଲ ଗୀତ ଗାଏ । ସକାଳୁ ସକାଳୁ ବାହାଘର ସାହିର ପିଲାମାନେ ସୁକାନ୍ତି ପଛେ ପଡି ଯାଆନ୍ତି । ଗୀତ ଟିଏ ଗା ସୁକାନ୍ତି । ବାଧ୍ୟ ହେଇ ସେ ଗୀତ ଟିଏ ଗାଏ । ପିଲାମାନେ ଖୁସି ହେଇ ଯାଆନ୍ତି । ପୁଣି ଆଉ ଗୋଟିଏ ଆଉ ଗୋଟିଏ କହି ପଛରେ ପଡ଼ି ଥାଆନ୍ତି ।
 
      ସୁକାନ୍ତି ଗାଏ । ବହୁତ୍ ସୁନ୍ଦର୍ ତା କଣ୍ଠ ସ୍ଵର । ସମସ୍ତେ ବାହାଘର ସାହିରେ ବ୍ୟସ୍ତ ଥିଲେ ବି ସୁକାନ୍ତି ଗୀତରେ ସମସ୍ତଙ୍କ ଧ୍ୟାନ ଥାଏ । 

     ପିଲାଙ୍କ ଭିତରୁ ମୁଁ ସବୁଠୁ ବଡ ଥିଲି । ସେ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ସାରିଥିଲି । ରେଜଲ୍ଟ ଆସି ସାରିଥିଲା । କଲେଜ ପାଇଁ ଫର୍ମ ପକେଇବା କାମ ଚାଲିଥାଏ । ସବୁ ସନ୍ଧ୍ୟାକୁ ପୋଷ୍ଟ ଅଫିସ ଦୌଡେ । କାଳେ କେଉଁ କଲେଜରୁ ଇଣ୍ଟିମେଶନ ଆସି ଥିବ ।
 
     ତା ପରେ ବଡ ବାପାଙ୍କ ପୁଅ ବଡ ଭାଇଙ୍କ ବାହାଘର । ବାହାଘର ସରିଲେ ପୁଣି କଲେଜ ଓ ଆଡ଼ମିଶନ  । ମୁଁ ପୂରା ଫ୍ରୀ ଥାଏ ସେ ଦିନ ଗୁଡ଼ିକରେ । 

     ସୁକାନ୍ତି ର ଗୀତ ମୋତେ ବି ଖୁବ ଆକର୍ଷିତ କରେ । ମୁଁ ଗୋଟାଏ ଜାଗାରେ ଛିଡ଼ା ହୋଇ ନ ଶୁଣିଲେ ବି  କାନ ମୋର ସୁକାନ୍ତି ର ଗୀତ ଆଡ଼େ ଥାଏ । ଭାରି ଭଲ ଗାଉଥିଲା ସୁକାନ୍ତି ।
         
      ବହୁ ପ୍ରକାର ଗୀତ ଗାଇ ଥାଏ ସୁକାନ୍ତି । ପାଠ ପଢିବା ସଙ୍ଗେ ସଙ୍ଗେ ରାଉରକେଲାର ଏକ ସଙ୍ଗୀତ ଅନୁଷ୍ଠାନରେ ଗୀତ ଶିଖିଥିଲା ସୁକାନ୍ତି ବୋଲି ମାଉସୀ କୁହନ୍ତି । ଅତି କମ ବୟସରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଭାରି ନିପୁଣ  ଥିଲା ସେ । ସବୁ ଗୀତ ଗୁଡ଼ିକୁ ଭାରି ପରି ମାର୍ଜିତ କରି ଗାଏ ।

      ମୋ ହୃଦୟକୁ ଛୁଇଁ ଯାଏ ସୁକାନ୍ତି ର ଗୀତ । ମୋତେ ଯାଦୁ ପରି ଲାଗେ । ପୁଣି ବେଳେ ବେଳେ ଲାଗେ ଏ ଗୀତ ଗୁଡିକ ସୁକାନ୍ତି ମୋରି ପାଇଁ ଗାଉଛି । ସକାଳୁ ସକାଳୁ ସବୁ ପିଲାମାନେ ଏକାଠି ହେଇ ଯାଆନ୍ତି ଆମ କୋଠା ଘର ବାରଣ୍ଡାରେ । ସୁକାନ୍ତି ମଝିରେ ବସି ଗୀତ ଗାଏ । ପିଲାମାନେ ଆଧୁନିକ ଗୀତ ପାଇଁ ଅନୁରୋଧ କରନ୍ତି । ସୁକାନ୍ତି ଗାଏ ସେ ସମୟର ଲୋକପ୍ରିୟ ଚଳଚିତ୍ର ଗୌରୀ ସିନେମାର ଗୀତ ।

   "ଏଇ ଗାଆଁ ର ମଉଡ ମଣି ଗୋ
ଆମ ଗୌରୀ ନାନୀ । ସାତ ମରଦ କୁ ସାତ ବେଣ୍ଟି କରି ନାକରେ ପେଇବ ପାଣି ଗୋ । ଆମ ଗଉରୀ ନାନୀ "।

ଭାରି ସୁନ୍ଦର ଲାଗେ ସୁକାନ୍ତି କଣ୍ଠରେ ଏହି ଗୀତଟି । ବାରମ୍ବାର ପିଲା ମାନେ ଅନୁରୋଧ କରନ୍ତି ସୁକାନ୍ତି ବାରମ୍ବାର ଗାଏ । ମୁଁ ଅଭିଭୂତ ହୋଇଯାଏ ତା ଗୀତରେ । ବାହାଘରର ସାହିରୁ ସମସ୍ତେ କାମ ଦାମ ଛାଡ଼ି ଗୀତ ଶୁଣନ୍ତି ଓ ଭାରି ପ୍ରଶଂସା କରନ୍ତି ସୁକାନ୍ତି ର ।

    ସେ ଦିନ ପୋଷ୍ଟ ଅଫିସ ଯାଇ କଲେଜ ଇଣ୍ଟିମେସନ ଲେଟର ଚେକ କରିବାକୁ ସଂଜକୁ ଯାଇ ଫେରିଲା ବେଳେ ମୁଁ ଆସି ଦେଖିଲି ଆମ ଦାଣ୍ଡ ରେ ପିଲାଙ୍କ ଏକ ମେଳା ଲାଗିଛି ଆମ ବାରାଣ୍ଡକୁ ଡେରି ହେଇ ସୁକାନ୍ତି ଗୀତ ଗାଉଛି । ପିଲାମାନେ ଗୋଟିଏ ପରେ ଗୋଟିଏ ଗୀତ ଗାଇ ବାକୁ ଅନୁରୋଧ  କରି ଚାଲିଛନ୍ତି ।ସେ ଅସହାୟ ହେଇ ସମସ୍ତଙ୍କ ଅନୁରୋଧ ପୁରା କରୁଛି । ମୁଁ ସୁକାନ୍ତି ର ଅସହାୟ ଅବସ୍ଥା ବୁଝି ଗଲି । ଟିକେ ମୂରବୀ ପଣିଆ ଦେଖେଇ ତା ହାତ ଟାକୁ ଟାଣି ନେଇ ଦାଣ୍ଡ ପିଣ୍ଡା ରୁ ଉଠେଇ ଦେଲି । ଯା ପଢ଼ିବୁ ଯା। ସବୁ ବେଳ ଗୀତ ଗୀତ । 

     ସୁକାନ୍ତି ଲାଜେଇ ଚାଲି ଗଲା ସେଠାରୁ । ଆଉ ସବୁ ପିଲାଙ୍କୁ ବିରକ୍ତ ହେଇ କହିଲି ସବୁ ବେଳେ କଣ ଗୋଟାଏ ତାମସା ଲଗେଇଛ । ପିଲାମାନେ ଚାଲିଗଲେ ।ତା ପରଦିନ ମାଉସୀ ଆସି ଆମ ଘରେ । ବୋଉକୁ ପଚାରିଲା ପୁଅ କାହିଁ ? ବୋଉ କହିଲା ଦାଣ୍ଡ ଘରେ ବସିଛି । ମାଉସୀ ସୁକାନ୍ତିକୁ ଧରି ଆସିଲା । 
 
     ମାଉସୀ କହିଲେ ଅକ୍ଷୀ । ଏ ପାଠ ସାଠ ଭୁଲି ଗଲାଣି । ରାଉଲକେଲା ଫେରିବା ଯାଏ ସବୁ ଭୂଲି ଯିବ ବୋଧହୁଏ । ତୁ ଟିକେ ତାକୁ ପଢେଇ ଦେ । ଘଣ୍ଟା ଦି ଘଣ୍ଟା ତୋ ପାଖରେ ବସି ପଢୁ । ସବୁ ବେଳେ ଗୀତ ଆଉ ଗୀତ । ସେ ଏଠି ଥିବା ଯାଏ ତୁ ଟିକେ ଆଖି ଦେଖା ତାକି ସେ ଟିକେ ପଢ଼ାରେ ଧ୍ୟାନ ଦେଉ । ଦୁଇ ଖଣ୍ଡ ଅଷ୍ଟମ ଶ୍ରେଣୀ ପଢା ବହି ସୁକାନ୍ତି ହାତରେ ଧରି ଥିଲା। ଦାଇତ୍ୱ ଦେଇ ମାଉସୀ ଚାଲିଗଲେ । 

     ମୋ ଡରରେ ସୁକାନ୍ତି ବହି ଧରି ବସିଗଲା । ନିଜେ ନିଜେ ବସି ପଢିଲା । କଣ ପଢ଼ୁଥିଲା ସେ ଜାଣେ । ବାସ ମୋ ଡରରେ ବହି ଧରି ତଳ ମୁହାଁ ହେଇ ବସୁଥିଲା । ମୋ ଯିବା ଆସିବାରେ ଖାଲି କଣେଇ କଣେଇ ଚାହୁଥିଲା ।
  
    ବାହାଘର ଧୁମ ଧାମ ଭିତର ସୁକାନ୍ତି ପାଠ ପଢୁ ଥିଲା ଓ ମୋ ଅନୁପସ୍ଥିତି ସମସ୍ତଙ୍କ ଅନୁରୋଧରେ ଗୀତ ବି ଗାଉଥିଲା । ସୁକାନ୍ତି ର ଗୀତ ଶୁଣିବାକୁ ମୋର ଇଛା ଥିଲେବି ମୋ ମୂରବୀ ପଣିଆ ନାଟକ ଯୋଗୁଁ ଇଛା ବ୍ୟକ୍ତ କରି ପାରୁ ନଥିଲି ।
    ବଟ ଭାଇଙ୍କ ବାହାଘର ଭଲରେ ଭଲରେ ହେଇଗଲା । ଖୁବ ଆନନ୍ଦ ଥିଲା ଖୁବ୍ ବଂଧୁ ବାନ୍ଧବ ମେଳରେ ବାହାଘର ହେଇଗଲା । ବର ବଧୁ ଘରକୁ ଆସିଲେ । ବଂଧୁ ବାନ୍ଧବ ସାହି ଭାଇ ଖୁସି ଥିଲେ ।  
     ବାହାଘର ସରିଲାରୁ ବନ୍ଧୁ ବାନ୍ଧବ ମାନେ ଗୋଟିଏ ଗୋଟାଏ ହେଇ ଫେରିଲେ । ସୁକାନ୍ତି ବୋଉ ବି ଫେରିବାକୁ ଚାହିଁଲେ । ମୋ ବୋଉ ଆଉ ସପ୍ତାହ  ରହିବାକୁ ଜିଦ କଲା । କିଛି ଦିନ ରହିବା ଫଳରେ ଆହୁରି ପରିଚିତ ଓ ସମସ୍ତଙ୍କ ପ୍ରିୟ ପାତ୍ର ହେଇ ଗଲା ସୁକାନ୍ତି । ଘରେ ଘରେ ଆମ ସାହିରେ ପରିଚିତ ହେଇଗଲା ସେ । ସମସ୍ତେ ଭାଉଜ ମାନେ ଆଦରରେ ଡାକନ୍ତି ସୁକାନ୍ତି କୁ । କଥା ହୁଅନ୍ତି । ସହର କଥା ।

      ଫେରିବାର ବେଳ ଆସିଲା । ମା ଝିଅ ବାହାରି ପଡ଼ିଲେ ଦ୍ୱିପହର ଚାରିଟା ବେଳେ । ଆଗ ତାଂକ ଗାଆଁକୁ ଓ ପରେ ରାଉରକେଲା ଯିବେ । ତାଂକ ପୈତୃକ ଗାଆଁ କୁ ଯିବାକୁ ହେଲେ ପାଦ ଚଲା ରାସ୍ତା । ଦେଢ଼ କିଲୋ ମିଟର ଘେରି ବନ୍ଧ ରାସ୍ତାରେ ଚାଲିଲା ପରେ ନଈ ଘାଟ ଆସେ । ନଈ ପାର ହେଲେ ଦୁଇ କିଲୋ ମିଟର ନିରୋଳା ପାଟ । ପାଟ ପାରି ହେଲେ ତାଙ୍କ ଗାଆଁ ।

    ସୁକାନ୍ତି ଓ ମାଉସୀ ବାହାରିଲା ବେଳକୁ ପୁରା ସାହିର ସ୍ତ୍ରୀ ପିଲାମାନେ  ସମସ୍ତେ ଘେରି ବନ୍ଧ ଗଡାଣି ପର୍ଯ୍ୟନ୍ତ ଆସିଲେ । ସମସ୍ତେ ଲୁହ ଛଳ ଛଳ ଆଖିରେ ବିଦା କଲେ ଦୁହିଁଙ୍କୁ । କିନ୍ତୁ ମୁଁ ବୋଉ ,ବଡ ବୋଉ ,ବଟ ଭାଇ ,ସୁକାନ୍ତି ଓ ମାଉସୀ ସହିତ ଘାଟ ପର୍ଯ୍ୟନ୍ତ ଆସିଲୁ ।
 
   ସତରେ ଲାଗୁ ନଥିଲା ସୁକାନ୍ତି ଆଜି ଚାଲିଯିବ ବୋଲି । ଘାଟ କୂଳରେ ପହଞ୍ଚୁ ପହଞ୍ଚୁ ଏକ ବିଷାଦର ଛାୟା ଖେଳିଗଲା ମନରେ । ଡ଼ଙ୍ଗା ଘାଟରେ ଛଡା ହେଇଥିଲା । ପତଳା ଗଭୀର ନଈ ଟିଏ । ଜୁଆର ଛାଡ଼ି ଘାଟ କୁଳ କାଦୁଅ ହେଇ ଯାଇଥାଏ । ବୋଉ ଓ ମାଉସୀ ବିଦା ହେଲା ବେଳେ ଖୁବ କାନ୍ଦିଲେ ପରସ୍ପରକୁ ଧରି । ଏଇ କେତେଟା ଦିନରେ ଯେମିତି ମାୟା ଲାଗି ଯାଇଥିଲା ।

    କାଦୁଅକୁ ଡରି ସୁକାନ୍ତି ମୋ ଆଡ଼କୁ ହାତ ବଢ଼େଇଲା । ସୁକାନ୍ତିର ହାତ ଧରି ମୁଁ ତାକୁ ଡଙ୍ଗାରେ ଚଢ଼େଇଲି । ଅନିଚ୍ଛା ସତ୍ତ୍ୱେ ସେ ଡଙ୍ଗାରେ ଚଢ଼ିଲା ।ହାତ ଛାଡ଼ୁ ଛାଡ଼ୁ ସୁକାନ୍ତି ଖୁବ ଅସହାୟ ହେଇ କାନ୍ଦୁଥିଲା ସୁକାନ୍ତି ଡ଼ଙ୍ଗା ଉପରେ । ମୁଁ ଅବାକ୍ ହେଇ ଚାହିଁ ଥିଲି ତା ଆଡ଼େ । ବଟ ଭାଇ , ମାଉସୀ ଓ ସୁକାନ୍ତି ଡଙ୍ଗାରେ ବସିଲେ । ଡ଼ଙ୍ଗା ଛାଡ଼ିଲା । ମୁଁ ଜୀବନରେ ପ୍ରଥମ ଥର ପାଇଁ କିଛି ହଜେଇ ଦେବାକୁ ଯାଉଛି ଯେମିତି ଅନୁଭବ କଲି । ଡ଼ଙ୍ଗା ଛାଡ଼ିଲା । ମୁଁ କୂଳରେ ସୁକାନ୍ତି ଡଙ୍ଗାରେ । ରୁମାଲ ରେ ଲୁହ ପୋଛୁ ପୋଛୁ ସୁକାନ୍ତି କହିଲା ଅଖିନା (ଅଖି ନନା ) । ରାଉରକେଲା ନିଶ୍ଚୟ ଆସିବ । ମୁଁ ଜବାବ ଦେଇ ପାରୁ ନଥିଲି ମୁଣ୍ଡ ହଲେଇ ହଁ ର ସମ୍ମତି ପ୍ରଦାନ କଲି ।

        ଡ଼ଙ୍ଗା ଆଗକୁ ପାଣି ସୁଅରେ ବଢ଼ି ଚାଲିଥିଲା । ମୁଁ ଏକ ଲୟରେ ସେମାନଙ୍କୁ ନଦୀ ଏପଟେ ଛିଡ଼ା ହେଇ ଅନେଇ ଥିଲି । ନଈ ସେପଟେ ସେମାନେ ପହଞ୍ଚିଲେ । ନଈ ଘାଟ ଉପରକୁ ଆସିଲେ  । ଆମ ଆଡକୁ ହାତ ହଲେଇ ଚାଲିଲେ ଆଡକୁ । ସୁକାନ୍ତି ପଛକୁ ମୁଁହ କରି ଆଗକୁ ଚାଲୁଥିଲା । ପୁଣି  ନଈ ସେପଟ ରାସ୍ତା କଡ଼ର ଘଞ୍ଚ ବେଣା ବୁଦା ଆଢ଼ୁଆଳରେ ଅଦୃଶ୍ୟହେଇ ଗଲେ  । ସୁକାନ୍ତି ଆଉ ଦିଶିଲାନି ।

    କିଛି ହଜେଇ ଦେଇ ଆଉ ନ ପାଇବାର ଆଶଙ୍କାରେ ମୁଁ ଭୀତତ୍ରସ୍ତ ହେଇ ଗଲି ଘଡ଼ିଏ । ବିଶ୍ୱାସ କରି ପାରୁ ନ ଥିଲି  ଏଇ କେ଼ଇ ଦିନ ଭିତରେ ମନ ରାଇଜରେ କିଛି ନୂଆ ହେଇ ଆସୁ ଆସୁ ତାର ଅନ୍ତ ହେଇଗଲା ? । ବହୁତ ଭାରି ମନରେ ମୁଁ ଫେରିଲି ଘରକୁ ।

     ତା ପରେ କଲେଜ, ପାଠ ପଢା । ଜୀବନ ଜଞ୍ଜାଳ ସଂସାର ସୁଖ ଦୁଃଖ ଭିତରେ ମନରୁ କୁଆଡେ ହଜି ଗଲା ସୁକାନ୍ତି । ଆଉ କେବେ ସୁକାନ୍ତି ସହିତ ଦେଖା ହେଇନି ମୋର । ସମୟ ଚକ୍ରରେ  ସବୁ ଯେମିତି ଭୁଲେଇ ଦେଲା । ସେତେବେଳେ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହେଇ ଯାଇଥିଲୁ ସାମାନ୍ୟ । 

      ମୁଁ ସେଦିନ ରବିବାର ସକାଳେ ମୋ ଡ୍ରଇଂ ରୁମରେ ବସିଥିଲି । ଅଜଣା ନମ୍ବର ରେ ରିଙ୍ଗ ହେଲା ମୋବାଇଲରେ । 

 ଫୋନ୍ ଉଠେଇଲି । 
ହାଲୋ କହିଲି । 

 ଜବାବ ଆସିଲା ।
ଆପଣ ଅକ୍ଷୟ ଓଝା ।
 
 ମୁଁ ହଁ କହିଲି । 
ଆପଣଙ୍କ ଘର ?
କେନ୍ଦ୍ରାପଡା 
କେଉଁ ଗାଆଁ ?
ରାଇଁଲୋ/ବଲୁରିଆ

    ଉତ୍ତର ଆସିଲା 
ନମସ୍କାର ଅଖି ନା ମୁଁ ସୁକାନ୍ତି ।
ଚିହ୍ନି ପାରିଲେ ।

    ମୁଁ ଧିରେ ଧିରେ ଧୁନ୍ଦୂଲା ହେଇ ଯାଇଥବା ପିଲା ଦିନକୁ ମନେ ପକେଇଲି । ହଁ ମନେ ପଡ଼ିଲା । ସୁକାନ୍ତି ଟିକେ ଭାବ ବିହ୍ୱଳ  ହେଇଗଲା ଭଳି ଲାଗିଲା । ମୁଁ ଖୁସି ହେଇ ଗଲି । ଏତେ ବର୍ଷ ପରେ ସୁକାନ୍ତି । ପ୍ରାୟ ଚାଳିଶ ବର୍ଷ ପରେ ।

  ଅଖି ନା କେମିତି ଅଛନ୍ତି ଆପଣ ? 

ମୁଁ ଭଲ ଅଛି କହିଲି । ସୁକାନ୍ତି କହିଲା - ନନା !ମୁଁ ବହୁତ ଖୋଜିଛି ଆପଣଙ୍କୁ । ବହୁତ୍ । ମୁଁ ଆପଣଙ୍କ ଆଡୁ କେହି ରାଉଲକେଲା ଆସିଥିଲେ ମୁଁ ଅଣ ବିଶ୍ବାସୀ ହେଇ ଦୌଡ଼ି ଯାଇ ପଚାରେ । ଆପଣଙ୍କ ବିଷୟରେ । କେହି କେହି ଅନୁମାନରେ କୁହନ୍ତି । ହଁ ସେ ବାଙ୍କୀ କଲେଜ ରେ ପଢୁଥିଲା । ଏବେ କେଉଁଠି କହି ପାରିବିନି । ନିରାଶ ହୁଏ । ଥରେ ଗାଆଁକୁ ଆସିଥିଲି । ଆପଣଙ୍କ ଗାଆଁକୁ ଆସିଲି ଜିଦ୍ କରି ବୋଉ ସହିତ । ଆପଣଙ୍କ ଗାଆଁ ଆଉ ସେ ସ୍ମୃତି ମୋତେ ସବୁ ଅସଜଡା ଲାଗିଲା ଆପଣ ଙ୍କ ବିନା । ସେ ଦିନର ଆନନ୍ଦ ଆଉ ଆପଣଙ୍କ ବିନା ଆପଣଙ୍କ ଗାଆଁ ର ଉଦାସୀନତା ଆପଣଙ୍କ ମୂଲ୍ୟବୋଧ କୁ ସ୍ପଷ୍ଟ କରି ଦେଉ ଥିଲା।  ମାଉସୀ କୁ ପଚାରିଲି ଆପଣଙ୍କ ବିଷୟରେ । ମାଉସୀ କହିଲା ସେ ଏବେ କଲିକତାରେ । ଚାକିରୀ ପାଇଁ ଏପଟ ସେପଟ ହେଉଛି । ଜାଗା ଜାଗା ବୁଲୁଛି । ତାର ଏବେ ଠିକ୍ ଠିକଣା ନାହିଁ । କଲିକତାରେ କାମ ଠିକ ନହେଲେ ଆଉ କେଉଁ ସହରକୁ ଯିବ ବୋଲି ଚିଠି ରେ ଲେଖିଥିଲା । ଏବେ ସେ ତା ବାପା ଙ୍କ ପାଖରେ ଅଛି କଲିକତାରେ ।ଇଛା ହେଉଥିଲା ଠିକଣା ନେଇ କଲିକତା ପଳେଇବି । ଆପଣଙ୍କ ଅନୁପସ୍ଥିତ ରେ ଆପଣଙ୍କ ଗାଁ ମୋତେ ଆଉ ଭଲ ଲାଗିଲାନି । ସେଇ ସନ୍ଧ୍ୟା ରେ ମୁଁ ଆମ ଗାଆଁ କୁ ଫେରିଲି । ଯେତେ ଚେଷ୍ଟା କଲେ ବି ମୁଁ ଆପଣଙ୍କୁ ପାଇ ପାରିଲି ନାହିଁ । ମୁଁ କଲେଜ ପରେ ମିଉଜିକରେ ଡିଗ୍ରୀ ହାସଲ କରି ସାରିଥିଲି । 

   ବାହାଘର ଖୋଜା ଚାଲିଲା । ମୁଁ କେତେ ପ୍ରସ୍ତାବ କୁ ସିଧା ମନା କରିଦେଲି । କାହିଁକି କେଜାଣି ଅନେକ ଦିନ ଆପଣଙ୍କୁ  ଅଜଣା ଅପେକ୍ଷାରେ ବିତେଇଚି । କାଳେ ଆପଣ କେଉଁଠି ମିଳି ଯିବେକି ! ଶେଷରେ ମୁଁ ବୋଉକୁ କହିଲି । ବରଂ ପିଲା କଳା  ହେଉ ଅଖୀ ନା ଭଳି ପିଲା ଦେଖ, ମୁଁ ବାହାହେବି । ବୋଉ ମୋ ମନକଥା ବୁଝିଗଲା । ସେ ବି ମନେମନେ ଖୁବ ଖବର ନେଲା ଆପଣଙ୍କର । ଆପଣଙ୍କ ବୋଉ ସହିତ କଥା ହେଲା । ଆପଣଙ୍କ ବୋଉ କହିଲେ ନା ତା ବାହାଘର ଏବେ ହେଇନି । । ଚାକିରୀ ବାକିରୀ କରୁ ଦେଖିବା । ମାଉସୀ ଉତ୍ସାହିତ ନ ଥିଲେ । ମୁଁ ଆପଣଙ୍କୁ ମିଳି ପାରୁ ନଥିଲି ।ସଠିକ ଭାବରେ ଆପଣଙ୍କ ଖବର ମିଳିଲାନି । ଶେଷରେ ମୋର ବାହାଘର ହେଇଗଲା । 

          ମୋର ପୁଅଟିଏ,ଝିଅଟିଏ । ଝିଅ ଏବର୍ଷ ବାହାଦେଲି । ସେ ଗ୍ରାଜୁଏଟ ଓ ଆକାଶବାଣୀରେ ଉଦ୍ଘୋଷକ । ପୁଅ ମେକାନିକାଲ ଇଂଜିନିୟର । ମିଷ୍ଟର୍ ଏ ବର୍ଷ ଡିସେମ୍ବର ରେ ରିଟାୟର କରିବେ ସରକାରୀ ଚାକିରୀରୁ । ମୁଁ ଏକ ସ୍କୁଲ ରେ ମିଉଜିକ ଟିଚର । 

        ମୁଁ ଶୁଣୁଥିଲି ସୁକାନ୍ତିକୁ ଚାଳିଶ ବର୍ଷ ପରେ । ଚାଳିଶ ବର୍ଷ ତଳେ ମନରେ ବାନ୍ଧି ଥିବା ସ୍ୱପ୍ନର ପଟ୍ଟକଥା । ଏକ ଅକୁହା ପ୍ରେମ କାହାଣୀ । ଏକ ଅବ୍ୟକ୍ତ ଗାଥା ଯାହା ମୁଁ ଆଜି ଯାଏ ଅଜଣା ଥିଲି।

    ଏକ ମୃତ ଅମର ପ୍ରେମ କଥା । ମୁଁ ଅବାକ୍ ଓ ନିଶବ୍ଦ ହେଇ ଶୁଣୁଥିଲି ସୁକାନ୍ତି କୁ ।
ରାଇଁଲୋ, ନୂଆପଡା, 
ଆଳି, କେନ୍ଦ୍ରାପଡା 8851134176
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।