12/31/2021

ମୋ' ଗାଆଁର ଛବି

ନିବେଦିତା ମହାପାତ୍ର 
~~~~~~~~~

ପଲ୍ଲୀ ବିଳାସିନୀ ଏଇ ମୋ' ଉତ୍କଳ ଭୂଇଁ
ପ୍ରାକୃତିକ ସୁଷମା ଯା'ର ତୁଳନା ନାହିଁ।
ଦିଗନ୍ତ ବିସ୍ତାରି ତା' ସବୁଜ ଶସ୍ୟକ୍ଷେତ୍ର
ଅନ୍ନ ଦାନେ ଭରି ଦେଇଥାଏ ଶୂନ୍ୟପାତ୍ର।
ଶ୍ୟାମଳଶ୍ରୀ ମଣ୍ତିତ ତା' ସବୁଜ ବନାନୀ
ଅପରୂପ ଶୋଭା ହୃଦୟ ନିଅଇ କିଣି।
ଆମ୍ବତୋଟା ମାଳେ ଶୁଭେ କୋଇଲିର ସ୍ବନ
ସେ ସଂଗୀତ ମୂର୍ଚ୍ଛନାରେ ଭରିଯାଏ ମନ।
ଶଦ୍ଦ ଭଣ୍ତାରେ ମିଳୁନି ଏମିତି ଉପମା
କିପରି ବର୍ଣ୍ଣି ପାରିବି କୁହ ତା' ଗାରିମା।
ପିଲାଦିନ ମୋ' ବିତିଛି ଯା' ପଣତ ତଳେ
କେତେ ସୁଖ ଦୁଃଖ ପୁଣି ସାଙ୍ଗସାଥି ମେଳେ।
ବୁଢୀ ମା' ର ଅସରନ୍ତି କାହାଣୀ ପେଡିରୁ
ଗପ ନ ଶୁଣିଲେ ନିଦ ହଜେ ଏ ଆଖିରୁ।
ବୋଉ ସହିଅଛି କେତେ ମୋ' ଅଳିଅଝଟ
ଭଲ ବାଟ ଦେଖାଇଛି ବାପାଙ୍କ ଆକଟ।
ମନେପଡେ ପିଲାଦିନ ଚାଟଶାଳୀ ଭାଷା
ସାହିତ୍ୟ ପଣିକିଆ ସହିତ ଅଙ୍କକଷା।
ଢଗଢମାଳି ପୁରାଣ ଆଦର୍ଶର କଥା
ବଦଳାଇ ଦେଇଥିଲା ଜୀବନର ଗାଥା।
କୁଆଁର ପୁନେଇ ସନ୍ଧ୍ୟାରେ ହୋଇ ମିଳିତ
ଗାଉଥିଲୁ ଆନନ୍ଦେ ବଉଳବେଣୀ ଗୀତ।
କାଳିଆ କଷରା ଦୁଇ ବଳଦଙ୍କୁ ଧରି
କୃଷକ ଭାଇ ଯାଏ ବିଲକୁ ହଳକରି।
ନ କରେ ଖାତିର ଖରା ବରଷା କି ଶୀତ
କରୁଥାଏ କର୍ମ ଖୁସିରେ ଗାଇଣ ଗୀତ।
ଗାଆଁ ମୁଣ୍ତ ପୋଖରୀର ନିର୍ମଳ ଜଳରେ
ଧଳା ନାଲି ପଦ୍ମ କଇଁ ଫୁଟି ମନ ହରେ।
କେତେ ପୁନେଇ ପରବ ହୁଅଇ ଏଠାରେ
ପାଳିଥାନ୍ତି ସଭିଏଁ ହରଷିତ ମନରେ।
ଫଗୁଣ ମେଳଣ ଅବା ଦିଆଲି,ଜାଗର
ଭୁଲି ଜାତି ଭେଦ ହୋଇଥାନ୍ତି ଏକାକାର।
ପାଶ୍ଚାତ ଶୃଙ୍ଖଳରେ ବନ୍ଦୀ ଗାଁର ସଭ୍ୟତା
ହଜି ଯାଇଛି ଆଜି ତା' ରୂପର ଦିବ୍ୟତା।
ତଥାପି ମୁଁ ତାକୁ କେବେ ପାରିବିନି ଭୁଲି
ଜନ୍ମଭୂମି ସ୍ବର୍ଗ ଠାରୁ ଗରିୟସୀ ବୋଲି।

ମୁକୁନ୍ଦ ମିଶ୍ର ନଗର , ଗୋପୀନାଥପୁର , ପୁରୀ

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।