12/31/2021

ସ୍ୱାର୍ଥୀ ମଣିଷ

ତପନ କୁମାର ଦାଶ
ବିରହ ବେଦନା ଅନ୍ତର ଯାତନା
ଯନ୍ତ୍ରଣା ଅସହ୍ୟ ହୁଏ
ପ୍ରକୃତିରେ ପ୍ରକୃତ ନିଜ ଆତ୍ମୀୟ
ହୃଦୟ ଜାଣେନା କିଏ ।।

ନିଷ୍ଠୁର ସମାଜ ଓ ସ୍ୱାର୍ଥୀ ମନୁଷ୍ୟ
ସ୍ୱାର୍ଥ ନନ୍ଦିଘୋଷ ଚଢ଼େ
ନିଜ ସ୍ୱାର୍ଥ ପାଇଁ ରକ୍ତପାତ ସମ
ଘୃଣ୍ୟ ପାପ ପଥେ ବଢେ ।।

ଅର୍ଥ ପିପାସୁ ଲାଳାୟିତ ହୋଇଣ
ଶ୍ୱାନ ସମ ଭକ୍ତିପୂତ
ମହାନ ଗୌରବ ଇତିହାସ ଭୁଲି
ସ୍ୱାଭିମାନ ଭାରାକ୍ରାନ୍ତ ।।

ଅଭିମାନ ଭରା ଅହଂକାର ଚିତ୍ତେ
ଆତ୍ମୀୟ ସ୍ଵଜନ ଭୁଲି
ପୂର୍ବ ସଂସ୍କୃତିକୁ ପକ୍ଷାଘାତ କରି
ଭୁଞ୍ଜୁଛି ଜହର ପୁଳି ।।

ପୂରୁବ ଗୌରବ ପୂରୁବ ମହିମା
ଦୀପଶିଖା ଭଳି ଜଳେ
ଅଚିରେ ଧ୍ବଂସ ବିଲୁପ୍ତ ହୋଇବ
ଶ୍ମଶାନ - ସିନ୍ଧୁର ଜଳେ ।।

ଶିକ୍ଷା,ସାହିତ୍ୟ,ସଂସ୍କୃତି,ଧରମ
ଚିତ୍କାରେ ରୁଗ୍ଣ ଅବସ୍ଥା
ବିଜ୍ଞାନ ନାମରେ ଡିଣ୍ଡିମ ପିଟିଣ
ବୃଥା କଳଙ୍କିତ ପ୍ରଥା ।।

ସ୍ୱାର୍ଥକୁ ବିତାଡ଼ି ପ୍ରେମକୁ ଆଦରି
ସଂସ୍କୃତିର ପଥ ଧରି
ଧୈର୍ଯ୍ୟ ,ସାହସ , ଜ୍ଞାନ ,ସୁଖ ଲଭି
ରାଗ, ଲୋଭ ଯିବ ସରି ।।
ଶିକ୍ଷକ , ରାମପୁର , କଳାହାଣ୍ଡି 
ଦୂରଭାଷ - ୯୪୩୮୪୧୫୯୫୫
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।