ଦୁଷ୍ମନ୍ତ ସାହୁ
"""''''''''''""""""""""
ରାଗ - ବଙ୍ଗଳାଶ୍ରୀ
ଆଜି ଦିନ ଭଲ, ତୁମେ ଆସିଗଲ, ହେଇଟି ଦେଖ ମୋ ଗାଁ,
ଜାଣିନାହିଁ ମୁହିଁ, ଜାଣେ କେବା କାହିଁ, ଲେଖା ଅଛି ତାର ନାଆଁ
ଆଜି ଦିଶେ ଯାହା, ନୁହଇଁଟି ତାହା, ମୋ ଗାଁ ପ୍ରତ୍ୟକ୍ଷ ରୂପ,
ଯଦି ଅବା ଅଛି, ବିଗିଡି ଯାଇଛି, ସହି ବିକାଶର ଚାପ "
ଏହି ଗାଆଁ ପାଣି, ପବନ ଚଳଣି, ଥିଲା କେତେ ଶୁଦ୍ଧ ପୁତ,
କନା ସିନା ଅଛି, କର୍ପୁର ଯାଇଛି, ସୁବାଷଟା କଳଙ୍କିତ "
ଶୁଭୁନି ଏହାର, ପ୍ରକୃତି ସମ୍ଭାର, ପ୍ରଭାତୀ କୁକ୍କୁଟ ରାବ,
ହମ୍ବା ରଡି ଅବା, ବଂଶୀ ସ୍ଵନ କିବା, ନଭଚାରି କଳରବ"
କିଛି ଯଦି ଅଛି, ଲିଭି ଯାଇଅଛି, ଆତ୍ମୀୟ ମମତ ସବୁ
ବଡ଼ କିବା ସାନ, ହୁଏ ସମ୍ବୋଧନ, ନାମ ସଂଗେ ରହେ ବାବୁ "
କାହିଁ ସେ ସୁଦିନ, ନାମ ସଂକୀର୍ତ୍ତନ, ଟୁଙ୍ଗି ଭାଗବତ ରୀତି,
ନ୍ୟାୟ ଧର୍ମ ଭାବେ, ନିଷ୍ପକ୍ଷ ସ୍ୱଭାବେ, କଳହ ହୁଏ ନିଷ୍ପତ୍ତି "
ଶୁଭୁନାହିଁ ଏଠି, ଘଣ୍ଟ କିବା ଘଣ୍ଟି, ଦେବାଳୟେ ଶଙ୍ଖସ୍ଵନ,
ପରବ ଯାତରା, ଥିଲା ଭାଇଚାରା, ଆଜି ସେ ସାତ ସପନ "
ଆଜି ମୋ ଗାଆଁର, ଖାଦ୍ୟ ପାନୀୟର, ବିଗିଡି ଯାଇଛି ଦଶା,
ଛେନା ଘିଅ ଦୁଧ, ହେଲାଣି ଦୁର୍ଗନ୍ଧ, ପାନୀୟ ମାଦକ ନିଶା "
ଶଗଡ଼ ଗାଡ଼ିଟା, ବୁଜେ ଆଖି ଦ୍ବିଟା, ସାଇକେଲ ଅଧା ଜୀଆଁ,
ଡିଜେଲ ପେଟ୍ରୋଲ, ଗନ୍ଧେ କଲବଲ, ପ୍ରଗତି ପଥେ ମୋ ଗାଆଁ "
ବିରାଟ ପ୍ରକଳ୍ପ, ଶ୍ରମର ବିକଳ୍ପ, ଥିଲା ଗାଆଁ କ୍ଷେତ ବାଡ଼ି,
ବିକାଶ ଗତିଟା, କଲା ହଟହଟା, ଗାଆଁ ପୁଅଟା ଅଗାଡି "
ଆଗେ ଏ ଗାଆଁରେ, ଅଳପ ଶିକ୍ଷାରେ, ମିଳୁଥିଲା ରୋଜଗାର,
ଶିକ୍ଷାର ବିକାଶ, ହୋଇଛି ବିଶେଷ, ଫଳଟା ଶୁଦ୍ଧ ବେକାର "
ଧୋତି ପିନ୍ଧା ଲୋକେ, ପ୍ରଗତିର ଡାକେ, ଚିପା ଜିନ ପ୍ୟାଣ୍ଟ ପିନ୍ଧା,
ଜୀବନ ଜୀବିକା, ହୋଇଲାଣି ଫିକା, କାର ନାହିଁ ମୁଣ୍ଡ ବିନ୍ଧା "
ବିକାଶର ପଥେ, କୁଳବଧୁ ମାତେ, ଅସଲ ବିକାଶ ଭୁଲି,
ଗାଆଁ ଖାନା ପିନା, ହୋଇଲାଣି ମନା, ଏକାଦଶୀ କରେ ଚୁଲି "
ବୁଢ଼ା ମାନଙ୍କର, ନିଷ୍ପତ୍ତି ନେବାର, ଯୁବଗୋଷ୍ଠୀ ମନ ଊଣା,
ଶାଶୁ ମାଆ ବୁଢ଼ୀ, ଉପଦେଶ ହୁଡ଼ି, ବୋହୁ ଝିଅ ବାଟ ବଣା "
ଆଜି ମୋ ଗାଆଁର, ପିନ୍ଧା ଶାଢ଼ୀଟାର, ଅଧା ଗଲାଣି ହୁଗୁଳି,
ଆଧୁନିକ ଶିକ୍ଷା, ସହରୀ ସଭ୍ୟତା, ଟାଣୁଛନ୍ତି ଅଣ୍ଟାଡୋରି "
ମୋର ଗାଆଁ ଭାଇ, ଆଗ ପରି ନାହିଁ, ନାହିଁ ତାର ସ୍ୱାଭିମାନ,
ରାସ୍ତା ଗୃହ ବାସ, ପ୍ରଗତି ଅବଶ୍ୟ, ସଂସ୍କାର ସଭ୍ୟତା ଶୂନ୍ୟ "
ମୋ ଗାଆଁ କୋଳରେ, ଜୀବନ କାଳରେ, ବିତାଇଛି ଯେତେ ଦିନ,
ସେ ସୁଦିନ ଯଦି, ଆସନ୍ତା ବାହୁଡ଼ି, ମୋ ଜୀବ ହୁଅନ୍ତା ଧନ୍ୟ "
ମୋର ଗାଆଁ ସ୍ଥିତି, ହୋଇଯାଏ ଇତି, ଇତିହାସ ହେବ ଲେଖା,
ବିଭୁ ନକରନ୍ତୁ, ଶତ୍ରୁ ନହୁଅନ୍ତୁ, ପ୍ରଗତି ସଭ୍ୟତା ଶିକ୍ଷା "
ବାରଗୌଣିଆଁ , ବନ୍ତଳା , ଅନୁଗୁଳ
ଫୋ- ୭୭୩୫୮୨୬୫୦୦


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।