ଚୋଖୀ
ବୀରକିଶୋର ଶତପଥୀ
ଯାହାର କୋଳରେ ମୁହିଁ ଜନମ ହୋଇଛି ଯହିଁ
ଯାହାର ପାଣି ପବନେ ଗଢ଼ା ଶରୀର,
ଯାହାର ଶାକ ତଣ୍ଡୁଳ ଦେଇଛି ଶରୀରେ ବଳ
ଯା'ର ପରିତ ପୂରିତ ରୂପ ସମ୍ଭାର,
ଚତୁଃପାର୍ଶ୍ଵେ ପ୍ରକୃତି ରାଣୀ,
ଶୋଭାର ଓଢ଼ଣୀ ସତେ ଦେଇଛି ଟାଣି।୧।
କଳ କଳ ନାଦ କରି ଝରଣା ଯାଉଛି ଝରି
ମଥାରେ ଝାଞ୍ଜପାହାଡ ମୁକୁଟ ସରି,
ଏକ ପାର୍ଶ୍ଵେ ପୁଷ୍କରିଣୀ ଅପରେ ଶ୍ଯାମ ବନାନୀ
ଅପରୂପ,କେ' ବର୍ଣ୍ଣିବ ତା'ଶୋଭା ଶିରି,
ପ୍ରକ୍ଷାଳେ ତଟିନୀ ପୟର,
ମୁନି ମନ ଜିଣା ତା'ର ରୂପ ସମ୍ଭାର।୨।
ପାରୁଶେ ସରୋବରର ମହାଦେବଙ୍କ ମନ୍ଦିର
ତା'ସୁନ୍ଦର ଶୋଭା ରାଜି ମନକୁ ମୋହେ,
ଗାଆଁ ମଝିରେ ମନ୍ଦିର ଦଧିବାମନ ଠାକୁର
ପତିତପାବନ ବାନା ଦୂରରୁ ଶୋହେ,
ସେ ମୋ ପ୍ରାଣ ପ୍ରିୟ ଗାଆଁଟି,
ସାରସମଲ ତାହାର ଅଟେ ନାଆଁଟି।୩।
ପାହାଡ଼ର ନାଭି ଦେଶେ ଗ୍ରାମ ଦେବତୀ ହରଷେ
ବିରାଜମାନ, ବୁଢ଼ାରଜା ସଙ୍ଗତେ,
ଯାନି ଯାତରାରେ ଆଗ ତା'ଙ୍କ ପାଇଁ ଭୋଗରାଗ
ନଦେଖିଲେ ତାହା କିଏ ଯିବ ପରତେ,
ହରିବୋଲ ଓ ହୁଳହୁଳି,
ଭକ୍ତିଭାବେ ଗାଆଁ ଦାଣ୍ଡ ପଡ଼େ ଉଛୁଳି ।୪।
ଆମ ଗାଆଁ ପାଠାଗାର ସୁଭାଷ ନାଆଁଟି ତା'ର
ବେଦ, ପୁରାଣ, ଗ୍ରନ୍ଥର ଅଟେ ଭଣ୍ଡାର,
କାବ୍ୟ,ଗଳ୍ପ, ଉପନ୍ୟାସ କରନ୍ତି ତହିଁ ବିଶ୍ଲେଷ
ଗାଆଁର ବିଦ୍ଵାନଗଣ କରି ଆସର,
ଆହରି ସେ ସାହିତ୍ୟ ରସ,
ଗ୍ରାମ ଗ୍ରାମବାସୀ ସର୍ବେ ହ୍ଵନ୍ତି ହରଷ ।୫।
ଜନମ ହୋଇଛି ଏଠି ଏଠି ଅଛି ମୋର ଷଠୀ
ମୋ ଚିତା ଜଳିବ ଦିନେ ଗାଆଁ ଶ୍ମଶାନେ,
ବେଢିଥିବେ ପରିଜନ କାନ୍ଦୁଥିବେ ପ୍ରିୟଜନ
ନଶ୍ବର କାୟା ତେଜିବ ମୋ ଗାଆଁ ଦିନେ,
ଆତ୍ମା ମୋର ବୁଝୁନଥିବ,
(ହେ ପ୍ରଭୁ)ଏ ମାଟିରେ ପୁଣିଥରେ ଜନମ ଦେବ।୬।
ସାରସମାଲ , ବରଗଡ଼
୯୮୬୧୪୯୦୦୩୮

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।