ଆଲେଖ୍ଯ: କେଶବ ଚନ୍ଦ୍ର ନାୟକ
****************
ମହାନ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳି ଗୁମ୍ମା ଠାରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ l ତାଂକ ବାପାଂକ ନାମ ପଦଲାମ ନାୟକ l ପଦଲାମ ନାୟକ ଥିଲେ ତେନ୍ତୁଳି ଗୁମ୍ମା ଅଞ୍ଚଳର ମୁସ୍ତାଦାର ବା ନାୟକ l ଜୟପୁର ରାଜା ୩ୟ ବିକ୍ରମ ଦେଓ ୧୮୮୯ ଠାରୁ ୧୯୨୦ ଶାସନାଧିନ ଥିଲେ,ସେ ପଦଲାମଂକୁ ମୁସ୍ତଦାର ପଦବୀରେ ନିଯୁକ୍ତି ଦେଇଥିଲେ l ପଦଲାମ ତେନ୍ତୁଳି ଗୁମ୍ମା,ବେଜୁଣି ଗୁମ୍ମା,ଲେକି ଗୁଡା,ଅଁଳାଗୁଡା…ଏହି ଚାରି ଗାଁର ଖଜଣା ଆଦାୟ କରି ଦେଉଥିଲା l
ଲକ୍ଷ୍ମଣ ନାୟକ ସେ ଅଞ୍ଚଳରେ ବିଦ୍ଯାଳୟ ନଥିବାରୁ ପାଠ ପଢିବାର ସୁଯୋଗ ପାଇନଥିଲେ l ତାଂକ ବାପା ହିଁ ଥିଲେ ଶିକ୍ଷା ଓ ଦୀକ୍ଷା ଗୁରୁ l କୋଲାବ ନଈର ବାଲୁକା ଶଯ୍ଯା ଥିଲା ସିଲଟ,କାଠି ଥିଲା ଲେଖିବାର ମାଧ୍ଯମ l ତାଂକର ନାଁ ଟି ଲେଖିବା ପରେ ପାଠ ପଢା ହେଲା ଶେଷ l ଲକ୍ଷ୍ମଣ ନାୟକଂକୁ ଯେତେବେଳେ ହେଲା ୧୯ ବର୍ଷ ସେ ସାନଗୁମ୍ମାର ଘାସି ଭୁମିଆଂକ ଝିଅ ମଂଗୁଳି(୧୬) ବର୍ଷଂକ ସହ ବିବାହ କଲେ l ୨୧ ବର୍ଷ ବୟସରେ ସେ ବାପା ହେଲେ l ତାଂକର ପୁଅଟିଏ ଜନ୍ମ ହେଲା/ତା’ ନାଁ ରଘୁନାଥ ରଖାଗଲା l
୧୯୩୦ ମସିହାରେ ପଦଲାମଂକ ବାର୍ଦ୍ଧକ୍ଯ ବୟସ ହେବା ଯୋଗୁଁ ମୁସ୍ତାଦାର ପଦବୀରେ ପୁଅ ଲକ୍ଷ୍ମଣ ନାୟକଂକୁ ଅର୍ପଣ କଲେ lଲକ୍ଷ୍ମଣ ମୁସ୍ତାଦାର ହେଲା ପରେ ବାପାଂକ ସମସ୍ତ କାର୍ଯ୍ଯ ନିର୍ବାହ କଲେ l ୧୯୩୦ ରୁ ୧୯୩୭ ପର୍ଯ୍ଯନ୍ତ ମୁସ୍ତାଦାର କାର୍ଯ୍ଯ ଆନ୍ତରିକ ସହ ତୁଲାଇଲେ l ୧୯୩୬ ମସିହା ଏପ୍ରିଲ ୧ ଓଡିଶା ଏକ ସ୍ବତନ୍ତ୍ର ରାଜ୍ଯର ମାନ୍ଯତା ପାଇଲା l ଜୟପୁର ରାଜ୍ଯ ବିଶାଖା ପାଟଣାରୁ ଅଲଗା ହୋଇ କୋରାପୁଟ ଜିଲ୍ଲାରେ ପରିଣତ ହେଲା l ଜୟପୁର ମହାରାଜା ୪ର୍ଥ ବିକ୍ରମ ଦେଓ ୧୯୩୧ ରୁ ୧୯୫୧ ଶାସନ ଦାୟିତ୍ବରେ ଥିଲେ l
ରାଧା ମୋହନ ବିଶ୍ବାସରାୟ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ l ୧୯୩୭ ମସିହାରେ ଜୟପୁର ଠାରୁ ୭ ମାଇଲ ଦୂରରେ ଥିବା ନୂଆପୁଟ ଠାରେ କଂଗ୍ରସ ତାଲିମ କେନ୍ଦ୍ର ଖୋଲିଲା l ପ୍ରଥମ ଦଫାରେ ୩୫୦ ଜଣ କଂଗ୍ରସ କର୍ମୀଂକୁ ତାଲିମ ଦେବାକୁ ସ୍ଥିର କରାଗଲା l ଏହି ପ୍ରଶିକ୍ଷଣ ଶିବିରରେ ଲକ୍ଷ୍ମଣ ନାୟକ ମଧ୍ଯ ସାମିଲ ଥିଲେ/ସେ ଏହି କେନ୍ଦ୍ରରୁ ୩ ମାସ ପର୍ଯ୍ଯନ୍ତ ପ୍ରଶିକ୍ଷଣ ନେଲେ l
୧.ସତ୍ଯ ୨. ଅହିଂସା ୩.ବ୍ରହ୍ମଚର୍ଯ୍ଯ ୪.ଭଗବତ ବିଶ୍ବାସ ୫.ନିଶା ନିବାରଣ ୬.ଛୁଆଁ ଅଛୁଆଁ ଦୂରିକରଣ ୭.ସ୍ବଦେଶୀ ସାମଗ୍ରୀ ବ୍ଯବହାର ୮.ଶିକ୍ଷା ୯. ପରିମଳ ବା ଗ୍ରାମ ସଫେଇ ୧୦ ନିଜ କାମ ନିଜେ କରିବା l
କଂଗ୍ରେସର ଆଦର୍ଶରେ ଅନୁପ୍ରଣିତ ହୋଇ ଲକ୍ଷ୍ମଣ ନାୟକ ଗାଁ ସାଥିମାନଂକୁ ନେଇ ସୂତା କାଟିବା,ଗାଁ ପରିମଳ,ନିଶା ନିବାରଣ,ଅକ୍ଷର ଶିକ୍ଷା, ସନ୍ଧ୍ଯାରେ ରାମଧୂନ ଗାଇବା ଆଦି କାର୍ଯ୍ଯରେ ନିଜକୁ ନୟୋଜିତ କଲେ l
୧୯୪୨ ମସିହା ଅଗଷ୍ଟ ୭,୮, ୯ ତାରିଖରେ ଭାରତ ଛାଡ ଆନ୍ଦୋଳନ ମହାତ୍ମାଗାନ୍ଧିଂକ ନେତ୍ରୁତ୍ବରେ ବମ୍ବେ ଠାରେ ଅନୁଷ୍ଠିତ ହେଲା l “କର ଅବା ମର”- ମହାତ୍ମାଗାନ୍ଧିଂକ ଡାକରାରେ ଗୋରା ସରକାରଂକ ମୂଳଦୁଆ ଦୋହଲାଇ ଦେଲା l ଅଗଷ୍ଟ ୯ ସକାଳ ୫ ଟାରେ ମହାତ୍ମା ଗାନ୍ଧିଂକୁ ବନ୍ଦୀ କରାଗଲା/ଅଗଷ୍ଟ ୯ ଭାରତ ଛାଡ ଆନ୍ଦୋଳନର ନକଲ ଧରି ରାଧାକ୍ରୁଷ୍ଣ ବିଶ୍ବାସ ରାୟ ଓଡିଶା ଫେରିଲେl ଅଗଷ୍ଟ ୧୧ ତାରିଖରେ ସାଲୁର ରୁ ଜୟପୁରକୁ ଫେରୁଥିବା ସମୟରେ ତାଂକୁ ଗିରଫ କରାଯାଇ କୋରାପୁଟ ଜେଲକୁ ନିଆ ଗଲା/ଶେଷରେ ଭାରତ ଛାଡ ଆନ୍ଦୋଳନର ବାର୍ତ୍ତା ଲକ୍ଷ୍ମଣ ନାୟକଂକ ନିକଟରେ ପହଂଚିଲା l୧୯୪୨ ମସିହା ଅଗଷ୍ଟ ୨୧ ତାରଖ ଦିନ ମାଥିଲି ଥାନା ଘେରାଉ ଲାଗି ଲକ୍ଷ୍ମଣ ନାୟକ ତେନ୍ତୁଳି ଗୁମ୍ମାରୁ ପଦଯାତ୍ରା ଆରମ୍ଭ କଲେ l ଲକ୍ଷ୍ମଣ ନାୟକ ଅସହ ଯୋଗ ଆନ୍ଦୋଳନ ଓ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେବାରୁ ତତ୍କାଳୀନ ଜୟପୁର ରାଜା ତାଂକ ମୁସ୍ତାଦାର ପଦବୀରୁ ବହିସ୍କାର କରିଥିଲେ l ତାଂକର ନାୟକ ପଦବୀ ହରାଇବାକୁ ପଡିଥିଲା l ସେଥିରେ ସେ ତିଳେ ମଧ୍ଯ ବିଚଳିତ ନଥିଲେ l
ମାଥିଲି ଥାନା ଘେରାଉ ଓ ପୋଲିସର ବର୍ବର କାଣ୍ଡ , ଶ୍ରାବଣ ମାସ ମେଘ ପୂର୍ଣ୍ଣ ଗଗନ ସେ ଦିନ ଶକ୍ରବାର ହାଟପାଳି l ଅଗଷ୍ଟ ୨୧ ତାରିଖ ୧୯୪୨ ମାଥିଲି ଥାନା ଘେରାଉ ଲାଗି ଲକ୍ଷ୍ମଣ ନାୟକଂକ ନେତ୍ରୁତ୍ବରେ ଶହ ଶହ ସ୍ବାଧୀନତା ସଂଗ୍ରାମୀ ହାଟପଦା ଠାରେ ଏକତ୍ରୀତ ହେଲେ l ୧୯୪୧ ଜନଗଣନା ଅନୁସାରେ ମାଥିଲିର ଜନସଂଖ୍ଯା ଥିଲା ୧୯୩୪ lସେତେବେଳେ ମାଥିଲି ଠାରେ ଗୋଟାଏ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର, ଗୋଟାଏ ସ୍କୁଲ,ଗୋଟାଏ ଥାନା ପ୍ରତିଷ୍ଠା ହୋଇଥିଲା l ମାଥିଲି ପୋଲିସ ଥାନା ଘେରାଉ ହେବାର ଜାଣି ସୁରକ୍ଷାକୁ ବଢାଇ ଦିଆଗଲା l ସେଦିନ ମାଲକାନଗିରି ଓ ଭେଂକଟ ପଲମ ପୋଲିସ ବଳ ମାଥିଲି ଥାନାରେ ପହଞ୍ଚି ଥିଲେ/ମାଲକାନଗିରି ଥାନା ସବ- ଇନସ୍ପେକ୍ଟର ବି.ଏସ. ନନ୍ଦ,ଭେଂକଟ ପଲମ ସବ-ଇନସ୍ପେକ୍ଟର କେ. ରାମ ମୂର୍ତ୍ତି,ଅବକାରୀ ସବ-ଇନସ୍ପେକ୍ଟର ଏମ.ଏ.ରସିଦ, ଆର.ଆଇ ନର ସିଂହମ,ଫରେଷ୍ଟ ଗାର୍ଡ ଜି.ରାମେୟା, ସବ-ଡେପୁଟି ମାଜିଷ୍ଟ୍ରେଟ ମୁଜିବର ରହମାନ ପ୍ରମୁଖ ମାଥିଲି ଥାନାରେ ପହଞ୍ଚି ଥିଲେ l ମାଥିଲି ଥାନା ଏକ ଚାଳ ଘରେ ଚାଲିଥିଲା l ଥାନା ଚାରିପଟେ ବାଉଁଶ ବାଡ , ଥାନା ନିକଟକୁ ଲାଗି ବଣ lପାଖରେ ନାଳ ପ୍ରବାହିତ ହେଉଥିଲା lନାଳ ଉପରେ ବାଉଁଶ ତିଆରି ପୋଲ l ଥାନାକୁ ଚାରିଆଡୁ ଘେରି ରହିଲେ ପୋଲିସ ବଳ lଅପରାହ୍ନ ସମୟ ..ମେଘାଛନ୍ନ ଆକାଶ ହେତୁ ସୂର୍ଯ୍ଯଂକ ଦେଖା ନାହିଁ l ସଂଗ୍ରାମୀମାନେ ଲକ୍ଷ୍ମଣ ନାୟକଂକ ନେତ୍ରୁତ୍ବରେ ହାତରେ ତ୍ରୀରଂଗା ପତାକା ଧରି “ମହାତ୍ମା ଗାନ୍ଧି କି ଜୟ”- କହି ଥାନା ଆଡକୁ ଅଗ୍ରସର ହେଲେ l ହଜାର କଣ୍ଠରେ ତାହା ପ୍ରତିଧ୍ବନିତ ହେଲା/କଂଗ୍ରେସ କର୍ମୀମାନଂକ ଡାକରେ ଗଗନ ପବନ ମୁଖରିତ ହେଲା l ଥାନା ଭିତରକୁ କଂଗ୍ରେସ କର୍ମୀମାନେ ତ୍ରିରଂଗା ପତାକା ଧରି ପ୍ରବେଶ କରିବାକୁ ଉଦ୍ଯମ କଲା ବେଳେ ପୋଲିସ ବାଧା ଦେଲେ lସଂଗ୍ରାମୀ ମାନେ ଥାନା ଉପରେ ପତକା ଉଡାଇବାକୁ ଶପଥ ନେଲେ l ଶାନ୍ତି ଶ୍ରୁଙ୍ଖଳା ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ମୁଜିବର ରହମନ ଲାଠି ମାଡ କରିବା ପାଇଁ ପୋଲିସକୁ ଆଦେଶ ଦେଲେ/ଫଳରେ ପୋଲିସ ସ୍ବାଧୀନତା ସଂଗ୍ରମୀମାନଂକୁ ନିର୍ମମ ଲାଠି ପ୍ରହାର କଲା l ପୋଲିସ ମାଡରେ ବହୁ ସଂଗ୍ରାମୀଂକ ହାତ ଭାଂଗିଲା, କାହାର ମୁଣ୍ଡ ଫାଟିଲା, କେତେ ଗୁରୁତର ଆହାତ ହେଲା l ସତ୍ଯାଗ୍ରହୀମାନେ ଅହିଂସା ନୀତି ଅବଲମ୍ବନ କରି ଥାନା ପରିସର ମଧ୍ଯକୁ ପ୍ରବେଶ କଲେ l
ଠିକ ଏହି ସମୟରେ ପୋଲିସ ସାମନାରେ ଲକ୍ଷ୍ମଣ ନାୟକ ପିତି ହିଂସା ପରୟଣ ହୋଇ ଉଠିଲା l ଚାରି ଜଣ ପୋଲିସ ଲକ୍ଷ୍ମଣ ନାୟକଂକୁ ଘୋଷାରି ଘୋଷାରି ନେଇ ନିଶକୁ ଧରି ଓପାଡିବା ସହ ପ୍ରବଳ ମାତ୍ରାରେ ଲାଠି ପ୍ରହାର କରି ଲହୁ ଲୁହାଣ କରିଦେଲେ l ଶେଷରେ ପୋଲିସର ବନ୍ଧୁକ ପ୍ରହାର ଯୋଗୁଁ ଲକ୍ଷ୍ମଣ ନାୟକ ଚେତା ହରାଇ ଧରାଶାୟୀ ହୋଇଗଲେ l ସଂଗ୍ରମୀମାନେ ଲକ୍ଷ୍ମଣ ନାୟକଂକ ଦୁରବସ୍ଥା ଦେଖି ମ୍ରିୟମାଣ ହୋଇ ପଡିଲେ …. ସଂଗ୍ରାମୀମାନେ ବଳରାମ ପୂଜାରୀଂକ ନିର୍ଦ୍ଦେଶ କ୍ରମେ ଥାନାର ବାଉଁଶ ଘେରା ଭାଂଗି ଭିତରକୁ ପଶିଲେ/ସବ-ଇନସ୍ପେକ୍ଟର ରାମ ମୂର୍ତ୍ତି, ଜଗା ନାଇକୁଲ ଦୋରା ନିରସ୍ତ୍ର ଜନତାଂକ ଉପରକୁ ଆଖି ବୁଜା ଗୁଳି ଚଳାଇଲା l ବନ୍ଧୁକ ଗୁଳିରେ ଜନତାଂକ ମଧ୍ଯରେ ଆର୍ତ୍ତନାଦ ଗୁଞ୍ଜରିତ ହେଲା l ଏହି ସମୟରେ ଟିମସପୁଟର ଲିଂଗା ଭୂମିଆ ହାତରେ ତ୍ରିରଂଗା ପତାକା ଧରି ଥାନାର ଚାଳିଆ ଉପରେ ବାନ୍ଧିବାକୁ ଉଦ୍ଯମ କଲା ବେଳେ ପୋଲିସର ଗୁଳିରେ ତା’ ମୁଣ୍ଡର ଖପୁରି ଉଡିଗଲା l
ଘଟଣା ସ୍ଥଳରେ ପ୍ରାଣ ତ୍ଯାଗ କଲା l ସର୍ଗି ଗୁଡାର ନକୁଳ ମାଡକାମୀ ସେହି ପତକାକୁ ଧରି ଥାନା ଚାଳିଆରେ ଖୁଞ୍ଚିଲା ବେଳକୁ ପୋଲିସର ଗୁଳି ତା’ଛାତି ଭେଦ କଲା l ସେ ଘଟଣା ସ୍ଥଳରେ ଟଳି ପଡିଲା l ଏହି ପରି ଭାବରେ ମଜଂରିଗୁଡାର ସମରା ନାୟକ, କିଆଁଗର କଂଦା ସାନଝରିଆ, ସାନ ଗୁମ୍ମାର ଗୋପୀ ପୂଜାରା, ଟୁମୁରୁ ପାଲ୍ଲୀର ବଳରାମ ଭୁମିଆ ବଇଁଶୀ ଘାଚର ଉଦୟନାଥ ଓଡି, ଟିମସପୁଟର ଗୁରୁ କୁଟିଆ ପୋଲିସ ଗୁଳି ପ୍ରଣ ହରାଇଥିଲେl କୁଜରା ଗୁଡାର ଅର୍ଜୁନ କୁଟିଆ ଏବଂ ନୂଆ ଗୁଜାର ନରସିଂହ ଡମ୍ବ ଗୁଳି ମାଡରେ ଭିଷଣ ଆହାତ ହୋଇ ମେଡିକଲରେ ମରିଥିଲେ l
ଏହି ସମୟରେ ନିଶାସକ୍ତ ହୋଇ ଫରେଷ୍ଟ ଗାର୍ଡ ଜି.ରାମାୟା ବାଡି ଧରି ଧାଁ ଧପଡ ହେଉଥିବା ବେଳେ ପୋଲିସ ଗୁଳିରେ ଟଳି ପଡିଥିଲା l ରକ୍ତ ରଂଜିତ ହେଲା ମାଥିଲି l ଜ.ରାମାୟାର ମ୍ରୁତ୍ଯୁ ପାଇଁ ପୋଲିସ ଦାୟି କଲା ଲକ୍ଷ୍ମଣ ନାୟକ ଏବଂ ବଳରାମ ପୂଜାରୀଂକୁ l ସଂଧ୍ଯ ହେଲା, ଶୂନଶାନ ହେଲା ମାଥିଲି l ତାପରେ ବର୍ଷା ହେଲା …ନାଳ କଡରେ ସଂଜ୍ଞା ହୀନ ଅବସ୍ଥାରେପଡିଥିବା ଲକ୍ଷ୍ମଣ ନାୟକଂକ ଚେତା ଫେରିଲା/ସେ ରାତାରାତି ମାଥିଲିରୁ ଜୟପୁର ୩୫ ମାଇଲ ବାଟ ଚାଲି ଚାଲି ଆରଣ୍ଯକୁ ଭେଦ କରିଚାଲିଲେ l
୨୨ ଅଗଷ୍ଟ ୧୯୪୨ , ସକାଳ ହେଲା , ପୋଲିସ ନାଳ ନିକଟକୁ ଗଲା-ଦେଖଲା ଲକ୍ଷ୍ମଣ ନାୟକଂକ ଶବ ନାହିଁ l ଜଗା ନାଇକଲୁ ଦୋରା ସ୍ଥାନୀୟ ଡାକ୍ତରଂକୁ ପ୍ରଭାବିତ କରି ଲକ୍ଷ୍ମ ନାୟକଂକ ଠେଙ୍ଗା ମାଡରେ ଜି ରାମେୟାର ମ୍ରୁତ୍ଯୁ ହୋଇଛି ବୋଲି ରିପୋର୍ଚ ପ୍ରସ୍ତୁତ କରାଗଲା l ମାଥିଲି ଥାନାରେ ଲକ୍ଷ୍ମଣ ନାୟକ ନାମରେ କେଶ -୫୮/୧୯୪୨, ୩୦୨, ୧୪୮, ୧୪୯, ୧୨୦-ଖ, ୩୨୩, ୩୨୫ ଦଫାରେ ନର ହତ୍ଯା, ଥାନା ଆକ୍ରମଣ, ଥାନା ଲୁଣ୍ଠନ, କର୍ତ୍ତବ୍ଯରେ ବାଧା ଆଦି ମାମଲା ରୁଜୁ ହେଲା/୩୩ ଜଣଂକୁ ଶାକ୍ଷୀ ରଖାଗଲା l ଏହା ଛଡା ୫୩ ଜଣ ସ୍ବାଧୀନତା ସଂଗ୍ରମୀଂକ ନାମରେ ମାଥିଲି ଥାନାରେ କେଶ ରୁଜୁ ହେଲା l
ଲକ୍ଷ୍ମଣ ନାୟକ କିଛ ଦିନ ପରେ ଗାଁକୁ ଫେରିଲେ l ମାଥିଲି ପୋଲିସ ସୂଚନା ପାଇ ସେପ୍ଟେମ୍ବର ୨ ତାରିଖ ୧୯୪୨ ରେ ତେନ୍କୁଳି ଗୁମ୍ମାରୁ ଗିରଫ କରାଯୀଇ କୋରାପୁଟ ଜେଲକୁ ନିଆ ଗଲା l ଲକ୍ଷ୍ମଣ ନାୟକ ଓ ୫୩ ଜଣ ଅଭିଯୁକ୍ତ ସଂଗ୍ରାମୀଂକ ବିଚାର ତତ୍କାଳିନ ସରକାରୀ ସେନସ୍ସ ଜଜ୍(ବିଚାରପତି) ଭି ରାମ ନାଥନଂକ ମାର୍ଫତରେ ଚାଲିଲା l ଲକ୍ଷ୍ମଣ ନାୟକ ଓ ବଳରାମ ପୂଜାରୀଂକୁ ଫପେଷ୍ଟ ଗାର୍ଡ ରାମେୟାର ମ୍ରୁତ୍ଯୁ ପାଇଁ ଦାୟୀ କରାଗଲା l ୧୩ ନଭେମ୍ବର ୧୯୪୨ ସକାଳ ୧୦ଟା ରେ ରାୟ ପ୍ରକାଶ ପାଇଲା l ଜି ରାମେୟାର ମ୍ରୁତ୍ଯୁ ପୀଇଁ ଲକ୍ଷ୍ମଣ ନାୟକଂକୁ ଦୋଶୀ ସାବ୍ଯସ୍ତ କରା ଯାଇ ଫଶୀ ଦଣ୍ଡରେ ଦଣ୍ଡିତ କରାଗଲା l ୪୯ ଜଣଂକୁ ଥାନା ଉପଦ୍ରବ ଲାଗି ୯ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ l
୧୬.୧୧.୧୯୪୨ ରେ କୋରାପୁଟ କାରାଗାରରୁ ବ୍ରହ୍ମପୁର କାରାଗାରକୁ ଲକ୍ଷ୍ମଣ ନାୟକଂକୁ ନିଆଗଲା/ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିବାରୁ ତାଂକୁ ସେଲ ନଂ:୧୪ ରେ ରଖା ଗଲା/ଏହି ସେଲରେ ୧୦୫ ଦିନ ମ୍ରୁତ୍ଯୁ ଅପେକ୍ଷାରେ ଲକ୍ଷ୍ମଣ ନାୟକ କାଳ କାଟିଲେ l ବ୍ରହ୍ମପୁରର ଜଣେ ବଡ ଓକିଲ ରାଧା ଚରଣ ଦାସ ପାଟଣା ହାଇ କୋର୍ଟରେ ଆବେଦନ କଲେ,ଯେ ଲକ୍ଷ୍ମଣ ନାୟକ ନିର୍ଦୋଶ l ପାଟଣା କୋର୍ଟର ମାନ୍ଯବର ବିଚାର ପତି ଏଚ.ଆର.ମେରିଡିଥ୍ ଓ ପାଟର ଏଚ.ଆର.ବ୍ରୋକଂକ ଖଣ୍ଡପୀଠରେ ଏହା ଶୁଣାଣି ହେଲା lପୀତାମ୍ବର ମାଶ୍ର ଲକ୍ଷ୍ମଣ ନାୟକଂକ ତରଫରୁ ଲଢିଲେ l ମାତ୍ର ତାଂକର ଯୁକ୍ତି ଇଂରେଜ ବିଚାରପତିଂକୁ ସନ୍ତୁଷ୍ଟ କରି ପାରିନଥିଲା l ତଳ କୋର୍ଟର ରାୟକୁ କାଏମ ରଖି ଲକ୍ଷ୍ମଣ ନାୟକଂକ ଫାଶୀ ଦଣ୍ଡକୁ ଅନୁମୋଦନ କଲେ l ୧୩.୦୧.୧୯୪୩ ପାଟଣା ହାଇକୋର୍ଟ ଲକ୍ଷ୍ମଣ ନାୟକଂକ ଆବେଦନକୁ ଖାରଜ କଲେ l
ମାର୍ଚ୍ଚ ୨୯ ତାରିଖ ୧୯୪୩ ମସିହା ଭୋର ୫ଟା ବେଳେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଂକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା l ବୀର ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଇଂରେଜ କବଳରୁ ଦେଶମାତ୍ରୁକାକୁ ମକ୍ତି ପାଇଁ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଶହୀଦ ହେଲେ ସତ,କିନ୍ତୁ ସ୍ବରାଜ ଆସିବ ,ଭାରତ ସ୍ବାଧୀନ ହେବ..ଏହି ସ୍ବପ୍ନ ହେଲା ଚିର ଦିନ ସତ୍ଯ l ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ହେଲା ସ୍ବାଧୀନ/ତେଣୁ ଏ ମାଟିର କବି ଗାଏ:-
“ଲକ୍ଷ୍ମଣ ନାୟକ ହେ ଲକ୍ଷ୍ମଣ ନାୟକ……
ଦେଶଲାଗି ଫାଶୀଖୁଣ୍ଟେ ଝୁଲାଇଲ ବେକ….
ରଖିଗଲ ଓଡିଶାର ଟେକ”
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।