12/31/2021

ଫଟା କପାଳ

ଶ୍ରୀ କୁଞ୍ଜ ବିହାରୀ ସାହୁ

      ଏଇ ଅଗଣା ଏଇ ଘର ଏ ଦାଣ୍ଡ ଦୁଆର
      ମୋତେ କଲା ପର ଆଜି ସାତ ପର.....
       ଗୀତଟି ବାଜୁଥିଲା ଦୀନବନ୍ଧୁ ସାହୁର ଗେଲବରଷର ବଡ ଝିଅ ବାହା ହେଇ ବିଦାହେଲାବେଳକୁ । ବାପ ମା, ବନ୍ଧୁବାନ୍ଧବ, ସାଇପଡୋଶୀ, ସାଙ୍ଗସାଥୀଙ୍କଠୁ ବିଦାୟ ନେଇଯାଉଛି ଅଳିଅଳ ଝିଅଟି । ବାପଘର ଛାଡି ଶାଶୁଘରକୁ ।  ଜଣାରୁ ଆଜଣାକୁ । 
ଗହଳିଚହଳି ପତଳା ହେଇଆସିଲାଣି । ପରିବେଶ କିନ୍ତୁ ଲୁହରେ ଭିଜୁଥିଲା । ମା' ର କାନିପଣତ ଖାଲି ଖାଲି ଲାଗୁଥିଲା । ବାପର ଆକଟ ଫିକା ପଡିଯାଉଥିଲା । ଝିଅର ଅଳିଅର୍ଦ୍ଦଳିକୁ ବାପ ମା'  ସାଉଁଟୁଥୁଲେ । ପିଲାବେଳର ଲୁଡୁ, ରୁମାଲଚୋରି, ପୁଚି, କିତି କିତି, ଖପର ଡିଆଁ ସତେ ଅବା ସାତପର ହେଇଯାଉଥିଲା ବାହାହେଇ ଯାଉଥିବା ଝିଅ ପାଇଁ । ନଈକୁ ଗାଧେଇଯିବାର ମଜା, ନଈବାଲିରେ ଭେଜିବାଇଗଣ ତୋଳିବାର ସରସତା, ତେଣ୍ଡାରୁ ପାଣି ବାହାରକରି ପଦରରେ ଢାଳିଦେବାର ଇଛା କୁଆଡେ ପାଣିଫୋଟକା ହେଇଗଲା ଝିଅଟି ବିଦା ହେଇଗଲାପରେ ।


     ଏଇଟା ତ ପ୍ରଜାପତି ଘଟସୂତ୍ର  । ବିବାହ ତ ଠିକ୍ ହୋଇଥାଏ ସ୍ୱର୍ଗରେ । ପାଳନ ହୁଏ ମର୍ତ୍ତ୍ୟଭୂମିରେ ରୀତି ନୀତିରେ । ବାପ ମା' ସବୁ ଜାଣି କେବଳ ଲୁହଭିଜା ଆଖିରେ ଆଶୀର୍ବାଦ ଦେଉଥିଲେ - "ଅଇଶୁଲକ୍ଷଣୀ ହୋଇ ଥାଆଲୋ ଝିଅ..ତୋ ମଥାର ସିନ୍ଦୂର ଦିକ୍ ଦିକ୍ ହେଇ ଜଳୁଥାଉ । ହାତର ଶଙ୍ଖା ବଜ୍ର ହେଇଥାଉ ।" 

   ଫାଟକ ଡେଇଁ ଝିଅ ବାହାରିଗଲା ଶାଶୁଘରକୁ । ନଟିଆ ଫେରିଆସିଲା ନିଜ ଖପର ଘରକୁ ଭୋଜି ଖାଇସାରିଲା ପରେ । ଲଥ୍ କରି ବସିପଡିଲା ଫିତା ଖଟରେ । ଭୋ.. ଭୋ ..ହୋଇ କାନ୍ଦିଲା ଯେ କାନ୍ଦିଲା । ମନେ ପକାଇଲା କସ୍ତୁରୀକୁ ।  ତା ଭାରିଯାକୁ । ଚାହୁଁ ଚାହୁଁ ଦି ବର୍ଷ ହେଇଗଲାଣି କସ୍ତୁରୀ ଆରପାରିକୁ ଚାଲିଯିବାର । କୁଆଡୁ ଆଇଲା ସମୁଦ୍ର ଜୁଆରଟା ତା ଭାରିଯାକୁ ଭସେଇ ନେଇଗଲା ସୁଅରେ । ଲୋକମାନେ ସିନା ଉଦ୍ଧାର କଲେ ହେଲେ ସେତେବେଳକୁ କସ୍ତୁରୀ ତା ସଂସାର ଦେଖିବାକୁ ନଥିଲା  । 

      ଫଟା କପାଳକୁ ନେଇ ଗୋଟିଏ ବୋଲି ଗେହ୍ଲା ଝିଅ ସରିତାକୁ ନେଇ ଜୀବନ ବିତେଇଲା ନଟିଆ । ହେଲେ ସରିତା କଲା କ'ଣ ? ବାହା ହେବାପାଇଁ ଯେତେ ପ୍ରସ୍ଥାବ ଆସିଲେ ବି ମନ ଊଣା କରିଦେଲା । ଗାଁ ଲୋକେ କହିଲେ ସୁନ୍ଦରୀ ଝିଅକୁ ଅଣ୍ଟିରେ ପୂରେଇ ରଖିଛି ନଟିଆ । ଯେତେବେଳେ ନେଡିଗୁଡ କହୁଣୀକୁ ବୋହିଯିବ , ସେତେବେଳକୁ ଝିଅ ଥିବ ନା ନଟିଆ ଥିବ । ସହିପାରିଲାନି ନଟିଆ ଗାଁ ଲୋକଙ୍କର ନିଉଛଣା କଥା ଶୁଣି । ବହୁତ ବୁଝେଇଲା ଝିଅକୁ ବାହାଦେବା ପାଇଁ ା  ନଟିଆ ବି ଝିଅକୁ ବୁଝେଇଲା । ସରିତାର ଗୋଟେ ଜିଦ୍ ପାଠ ପଢିବ, ବାପକୁ ପାଖରୁ ଛାଡିଯିବନି ।

     ମନେପଡିଗଲା ସେଦିନର ସେ କରୁଣ କାହାଣୀ ।କଳାଦାଗର କଥାଟି । ସତେ କିଏ ଜଣେ ଗାରେଇଦେଇଚି ତା କାନ୍ଥରେ । 

     "ବାପା ..ବାପା...ମୁଁ ଆଜି ପୁରୀ ଯାଉଛି ।  ଜଗନ୍ନାଥଙ୍କୁ ଦର୍ଶନ କରିବି । ନୂଆ ବର୍ଷ ପାଳନ ସାରି ଘରକୁ ଫେରିଆସିବି।। ତୁମେ ବ୍ୟସ୍ତ ହେବନି ।"

      ସରିତା ଦୁଆର ଏରୁଣ୍ଡି ଡେଇଁ ଗଲା ଯେ ଆଉ ଫେରିବାର ବାଟ ଭୁଲିଗଲା । ନଟିଆ ଜାଣିବାକୁ ପାଇଲା ଯେ ତା ଝିଅ ପୁରୀର ଏକ ବିଳାସପୂର୍ଣ୍ଣ ହୋଟେଲରେ କଲେଜ ପିଲାଙ୍କ ସହ ନୂଆବର୍ଷ ପାଳନ କରୁଛି  । ନଟିଆ ସିନା ଗରିବ ଚାଷୀ ।ହେଲେ ତା ମନଟା ଧନୀ ସାହୁକାରଠୁ ଆହୁରି ଧନୀ । ସରିତା କିନ୍ତୂ ଗରିବ ବାପର ସ୍ନେହ ସୋହାଗକୁ ମନେପକାଇପାରିଲାନି ହୋଟେଲରେ । ବିଚରା ବୁଢା ବାପ କ'ଣ ଖାଇଲା ନ ଖାଇଲା ଏକୁଟିଆ କେମିତି ଘରେ ଥିବ, ବୁଝିବାକୁ ବେଳ ପାଇଲାନି । ସୁନ୍ଦରୀ ବୋଲି ତା କଲେଜ ସାଥୀମାନେ  ନିଜର ଦେହ ଭୋକ ମେଣ୍ଟାଇବା ପାଇଁ ସରିତାର ସୁଠାମ ଦେହଟିକୁ ଚାଟିଦେଲେ । ମୃଦୁ ପାନୀୟ ପିଆଇ ମସଗୁଲ କରାଇଦେଲେ । ଆଉ ଝୁଣିଦେଲେ ଶାଗୁଣା ପରି । 
    ଆସନ୍ନବିପଦ ଜାଣି ସରିତାକୁ ଫୋପାଡିଦେଲେ ସମୁଦ୍ର ଢେଉରେ  ସାଥୀମାନେ। ନିଖୋଜ ହେଇଗଲେ ବହୁତ ଦୂରରେ । ପୋଲିସର ଆଖି ପାଇଲାନି ଯେମିତି ।

    ଏମିତି ଅମାନବିକତାକୁ ସହଜରେ ବୁଝିପାରିଲାନି ନଟିଆ । ଗାଉଁଲି ସରଳବିଶ୍ୱାସୀ ମଣିଷଟେ । ମ' କୁ ମାଛି କହୁ ନଥିବା ନୀରିହ ମଣିଷଟେ । ଛାତିକୁ ପଥର କଲା ଏପରି ଘଟଣାରେ ।ଆଖିରୁ ପାଣି ଶୁଖେଇଦେଲା ।
    ସରିତା ବାହା ହେଇ ଘର ସଂସାର କରିଥାନ୍ତା। ସେ ଜେଜେ ହୋଇ ନାତି ନାରୁଣୀକୁ କୋଳରେ ଧରିଥାନ୍ତା । ମା ଛେଉଣ୍ଡ ସରିତା ସୁନ୍ଦରୀ ପାଠୁଆ ବୋଲି ସହରୀ ଝିଅମାନେ ତାକୁ ଖିନଭିନ୍ କରିଦେଲେ ।
    ନଟିଆ ଖଟ ଉପରେ ବସି ଗାଁରେ ବାହାଘରେ ଶୁଣିଥିବା ଗୀତଟିକୁ ଦୋହରାଇଲା । ଝର ଝର ହୋଇ ଝରିଗଲା ଆଖିରୁ ଲୁହ । ପୁରୁଷମାନେ କାନ୍ଦିଲେ ଛାତିରେ କୋହ ଉଠିଯାଏ  । ସେମିତି କାନ୍ଦିଲା କଵାଟ କିଳି । କାଳେ କସ୍ତୁରୀ ଶୁଣିଲେ ତା ମନ ଦୁଃଖ ହେବ । ତା ଅତ୍ମା ଶାନ୍ତି ପାଇବନି । 
     ନଟିଆର ସ୍ୱପ୍ନ ଚୁରମାର୍  ହେଇଗଲା ନିମିଷକରେ । ନିଜେ ନିଜେ ଗାଇଲା ଫଟାକପାଳକୁ ନେଇ ଗୀତଟିଏ - "ଦେଖିଯିବି ନାହିଁ ଚାରିଧାମ/ ପାଖେଇଗଲାଣି ସ୍ୱର୍ଗଧାମ ।"
 ଏଲ୍.ଆଇ.ଜି.  ୧୫,    ନୟାପଲ୍ଲୀ
 ବ୍ରିଟ୍ କଲୋନୀ , ଭୁବନେଶ୍ବର  ୭୫୧୦୧୨
 ୯୪୩୭୯ ୨୯୮୭୯/ ୭୦୦୮୧ ୪୨୦୪୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।