ଶ୍ରୀ କୁଞ୍ଜ ବିହାରୀ ସାହୁ
ଏଇ ଅଗଣା ଏଇ ଘର ଏ ଦାଣ୍ଡ ଦୁଆର
ମୋତେ କଲା ପର ଆଜି ସାତ ପର.....
ଗୀତଟି ବାଜୁଥିଲା ଦୀନବନ୍ଧୁ ସାହୁର ଗେଲବରଷର ବଡ ଝିଅ ବାହା ହେଇ ବିଦାହେଲାବେଳକୁ । ବାପ ମା, ବନ୍ଧୁବାନ୍ଧବ, ସାଇପଡୋଶୀ, ସାଙ୍ଗସାଥୀଙ୍କଠୁ ବିଦାୟ ନେଇଯାଉଛି ଅଳିଅଳ ଝିଅଟି । ବାପଘର ଛାଡି ଶାଶୁଘରକୁ । ଜଣାରୁ ଆଜଣାକୁ ।
ଗହଳିଚହଳି ପତଳା ହେଇଆସିଲାଣି । ପରିବେଶ କିନ୍ତୁ ଲୁହରେ ଭିଜୁଥିଲା । ମା' ର କାନିପଣତ ଖାଲି ଖାଲି ଲାଗୁଥିଲା । ବାପର ଆକଟ ଫିକା ପଡିଯାଉଥିଲା । ଝିଅର ଅଳିଅର୍ଦ୍ଦଳିକୁ ବାପ ମା' ସାଉଁଟୁଥୁଲେ । ପିଲାବେଳର ଲୁଡୁ, ରୁମାଲଚୋରି, ପୁଚି, କିତି କିତି, ଖପର ଡିଆଁ ସତେ ଅବା ସାତପର ହେଇଯାଉଥିଲା ବାହାହେଇ ଯାଉଥିବା ଝିଅ ପାଇଁ । ନଈକୁ ଗାଧେଇଯିବାର ମଜା, ନଈବାଲିରେ ଭେଜିବାଇଗଣ ତୋଳିବାର ସରସତା, ତେଣ୍ଡାରୁ ପାଣି ବାହାରକରି ପଦରରେ ଢାଳିଦେବାର ଇଛା କୁଆଡେ ପାଣିଫୋଟକା ହେଇଗଲା ଝିଅଟି ବିଦା ହେଇଗଲାପରେ ।
ଏଇଟା ତ ପ୍ରଜାପତି ଘଟସୂତ୍ର । ବିବାହ ତ ଠିକ୍ ହୋଇଥାଏ ସ୍ୱର୍ଗରେ । ପାଳନ ହୁଏ ମର୍ତ୍ତ୍ୟଭୂମିରେ ରୀତି ନୀତିରେ । ବାପ ମା' ସବୁ ଜାଣି କେବଳ ଲୁହଭିଜା ଆଖିରେ ଆଶୀର୍ବାଦ ଦେଉଥିଲେ - "ଅଇଶୁଲକ୍ଷଣୀ ହୋଇ ଥାଆଲୋ ଝିଅ..ତୋ ମଥାର ସିନ୍ଦୂର ଦିକ୍ ଦିକ୍ ହେଇ ଜଳୁଥାଉ । ହାତର ଶଙ୍ଖା ବଜ୍ର ହେଇଥାଉ ।"
ଫାଟକ ଡେଇଁ ଝିଅ ବାହାରିଗଲା ଶାଶୁଘରକୁ । ନଟିଆ ଫେରିଆସିଲା ନିଜ ଖପର ଘରକୁ ଭୋଜି ଖାଇସାରିଲା ପରେ । ଲଥ୍ କରି ବସିପଡିଲା ଫିତା ଖଟରେ । ଭୋ.. ଭୋ ..ହୋଇ କାନ୍ଦିଲା ଯେ କାନ୍ଦିଲା । ମନେ ପକାଇଲା କସ୍ତୁରୀକୁ । ତା ଭାରିଯାକୁ । ଚାହୁଁ ଚାହୁଁ ଦି ବର୍ଷ ହେଇଗଲାଣି କସ୍ତୁରୀ ଆରପାରିକୁ ଚାଲିଯିବାର । କୁଆଡୁ ଆଇଲା ସମୁଦ୍ର ଜୁଆରଟା ତା ଭାରିଯାକୁ ଭସେଇ ନେଇଗଲା ସୁଅରେ । ଲୋକମାନେ ସିନା ଉଦ୍ଧାର କଲେ ହେଲେ ସେତେବେଳକୁ କସ୍ତୁରୀ ତା ସଂସାର ଦେଖିବାକୁ ନଥିଲା ।
ଫଟା କପାଳକୁ ନେଇ ଗୋଟିଏ ବୋଲି ଗେହ୍ଲା ଝିଅ ସରିତାକୁ ନେଇ ଜୀବନ ବିତେଇଲା ନଟିଆ । ହେଲେ ସରିତା କଲା କ'ଣ ? ବାହା ହେବାପାଇଁ ଯେତେ ପ୍ରସ୍ଥାବ ଆସିଲେ ବି ମନ ଊଣା କରିଦେଲା । ଗାଁ ଲୋକେ କହିଲେ ସୁନ୍ଦରୀ ଝିଅକୁ ଅଣ୍ଟିରେ ପୂରେଇ ରଖିଛି ନଟିଆ । ଯେତେବେଳେ ନେଡିଗୁଡ କହୁଣୀକୁ ବୋହିଯିବ , ସେତେବେଳକୁ ଝିଅ ଥିବ ନା ନଟିଆ ଥିବ । ସହିପାରିଲାନି ନଟିଆ ଗାଁ ଲୋକଙ୍କର ନିଉଛଣା କଥା ଶୁଣି । ବହୁତ ବୁଝେଇଲା ଝିଅକୁ ବାହାଦେବା ପାଇଁ ା ନଟିଆ ବି ଝିଅକୁ ବୁଝେଇଲା । ସରିତାର ଗୋଟେ ଜିଦ୍ ପାଠ ପଢିବ, ବାପକୁ ପାଖରୁ ଛାଡିଯିବନି ।
ମନେପଡିଗଲା ସେଦିନର ସେ କରୁଣ କାହାଣୀ ।କଳାଦାଗର କଥାଟି । ସତେ କିଏ ଜଣେ ଗାରେଇଦେଇଚି ତା କାନ୍ଥରେ ।
"ବାପା ..ବାପା...ମୁଁ ଆଜି ପୁରୀ ଯାଉଛି । ଜଗନ୍ନାଥଙ୍କୁ ଦର୍ଶନ କରିବି । ନୂଆ ବର୍ଷ ପାଳନ ସାରି ଘରକୁ ଫେରିଆସିବି।। ତୁମେ ବ୍ୟସ୍ତ ହେବନି ।"
ସରିତା ଦୁଆର ଏରୁଣ୍ଡି ଡେଇଁ ଗଲା ଯେ ଆଉ ଫେରିବାର ବାଟ ଭୁଲିଗଲା । ନଟିଆ ଜାଣିବାକୁ ପାଇଲା ଯେ ତା ଝିଅ ପୁରୀର ଏକ ବିଳାସପୂର୍ଣ୍ଣ ହୋଟେଲରେ କଲେଜ ପିଲାଙ୍କ ସହ ନୂଆବର୍ଷ ପାଳନ କରୁଛି । ନଟିଆ ସିନା ଗରିବ ଚାଷୀ ।ହେଲେ ତା ମନଟା ଧନୀ ସାହୁକାରଠୁ ଆହୁରି ଧନୀ । ସରିତା କିନ୍ତୂ ଗରିବ ବାପର ସ୍ନେହ ସୋହାଗକୁ ମନେପକାଇପାରିଲାନି ହୋଟେଲରେ । ବିଚରା ବୁଢା ବାପ କ'ଣ ଖାଇଲା ନ ଖାଇଲା ଏକୁଟିଆ କେମିତି ଘରେ ଥିବ, ବୁଝିବାକୁ ବେଳ ପାଇଲାନି । ସୁନ୍ଦରୀ ବୋଲି ତା କଲେଜ ସାଥୀମାନେ ନିଜର ଦେହ ଭୋକ ମେଣ୍ଟାଇବା ପାଇଁ ସରିତାର ସୁଠାମ ଦେହଟିକୁ ଚାଟିଦେଲେ । ମୃଦୁ ପାନୀୟ ପିଆଇ ମସଗୁଲ କରାଇଦେଲେ । ଆଉ ଝୁଣିଦେଲେ ଶାଗୁଣା ପରି ।
ଆସନ୍ନବିପଦ ଜାଣି ସରିତାକୁ ଫୋପାଡିଦେଲେ ସମୁଦ୍ର ଢେଉରେ ସାଥୀମାନେ। ନିଖୋଜ ହେଇଗଲେ ବହୁତ ଦୂରରେ । ପୋଲିସର ଆଖି ପାଇଲାନି ଯେମିତି ।
ଏମିତି ଅମାନବିକତାକୁ ସହଜରେ ବୁଝିପାରିଲାନି ନଟିଆ । ଗାଉଁଲି ସରଳବିଶ୍ୱାସୀ ମଣିଷଟେ । ମ' କୁ ମାଛି କହୁ ନଥିବା ନୀରିହ ମଣିଷଟେ । ଛାତିକୁ ପଥର କଲା ଏପରି ଘଟଣାରେ ।ଆଖିରୁ ପାଣି ଶୁଖେଇଦେଲା ।
ସରିତା ବାହା ହେଇ ଘର ସଂସାର କରିଥାନ୍ତା। ସେ ଜେଜେ ହୋଇ ନାତି ନାରୁଣୀକୁ କୋଳରେ ଧରିଥାନ୍ତା । ମା ଛେଉଣ୍ଡ ସରିତା ସୁନ୍ଦରୀ ପାଠୁଆ ବୋଲି ସହରୀ ଝିଅମାନେ ତାକୁ ଖିନଭିନ୍ କରିଦେଲେ ।
ନଟିଆ ଖଟ ଉପରେ ବସି ଗାଁରେ ବାହାଘରେ ଶୁଣିଥିବା ଗୀତଟିକୁ ଦୋହରାଇଲା । ଝର ଝର ହୋଇ ଝରିଗଲା ଆଖିରୁ ଲୁହ । ପୁରୁଷମାନେ କାନ୍ଦିଲେ ଛାତିରେ କୋହ ଉଠିଯାଏ । ସେମିତି କାନ୍ଦିଲା କଵାଟ କିଳି । କାଳେ କସ୍ତୁରୀ ଶୁଣିଲେ ତା ମନ ଦୁଃଖ ହେବ । ତା ଅତ୍ମା ଶାନ୍ତି ପାଇବନି ।
ନଟିଆର ସ୍ୱପ୍ନ ଚୁରମାର୍ ହେଇଗଲା ନିମିଷକରେ । ନିଜେ ନିଜେ ଗାଇଲା ଫଟାକପାଳକୁ ନେଇ ଗୀତଟିଏ - "ଦେଖିଯିବି ନାହିଁ ଚାରିଧାମ/ ପାଖେଇଗଲାଣି ସ୍ୱର୍ଗଧାମ ।"
ଏଲ୍.ଆଇ.ଜି. ୧୫, ନୟାପଲ୍ଲୀ
ବ୍ରିଟ୍ କଲୋନୀ , ଭୁବନେଶ୍ବର ୭୫୧୦୧୨
୯୪୩୭୯ ୨୯୮୭୯/ ୭୦୦୮୧ ୪୨୦୪୦


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।