12/03/2018

ମାଟି ତ ମାଟି

କୈଳାସ ଚନ୍ଦ୍ର ପାଢୀ

ମାଟି ତ ମାଟି
         ଇରମ ମାଟି,
ବକ୍ଷେ ଯାହାର
         ରକ୍ତ ଝୋଟି-
ଆଙ୍କି ଦେଇଛି
         ଏମାଟି ପୁଅ,
କୁହରେ କୁହ
ବୀର ଗଉରବେ
ମହୀୟାନ୍ କିବା
         ଏ ମାଟି ନୁହଁ ।।
ଧମନୀରେ ତାର
କର୍ଣ୍ଣ ଡେରି
         ଶୁଣରେ ଶୁଣ,
ଝଂକୃତ ହୁଏ                        
ବଳିଦାନର ତୀର୍ଥ “ଇରମ” ମାଟିକୁ କୋଟି କୋଟି ପ୍ରଣାମ:ଉଦୟ ଭାନୁ
ବୀର ବାଣୀ ତାର
         ବଜ୍ରୁଁ ଟାଣ
ଶତୃ ନାଠି -
ଶଂକିତ ପ୍ରାଣେ
          ପଡେରେ ଫାଟି।
ଏଇଠି ଗୀତାର
ମହିମ୍ନ ଛନ୍ଦ
           ଉର୍ଦ୍ଧେ ଉଠି,
ମହା ଭାରତର
ମହା ଗାଥାକୁଯେ
           ଦେଉଛି ରଟି
ଏଇସେ ମାଟି-
ହକ୍ ଲାଗି ତାର
ସଂତାନ ରକ୍ତ
           ଦେଇଛି ଭେଟି।
ସେଇଥି ପାଇଁ ତ
ପୂଣ୍ୟ ତୀର୍ଥ
ରକ୍ତ ତୀର୍ଥ
           ଆଜି ଏ ମାଟି,
ମାଟି ତ ମାଟି
           ଇରମ ମାଟି।
କୁମାରପୁର,ଭଦ୍ରକ

ଅର୍ଦ୍ଧାଙ୍ଗିନୀ

ଲୋରୀ ସ୍ୱାଇଁ
ବୈଶାଖର ଝାଞ୍ଜି ପବନ...ଅତିଶୟ କରି ପକାଏ ସୁକ୍ଷ୍ମ ଶରୀର ।ଆଖି ଦୁଇଟି ବିଶ୍ଳେଷଣ କରୁଥାଏ ସ୍ୱାମୀଙ୍କ ନିର୍ବାପିତ ଇତିହାସକୁ ।ହାତରେ କଲମ ଧରି ଇଛା କରେ କେଇପଦ ନୂତନ ଦୃଷ୍ଟାନ୍ତକୁ ରଙ୍ଗ ଦେବାକୁ...,ହେଲେ ପଛରୁ ଡାକ ଶୁଭେ..ହୋ ରୂପଶ୍ରୀ !ହଠାତ୍ ଚିହିଁକି ଯାଏ ଆଉ ପଛକୁ ଚାହେଁ....ଯେଉଁ ମଣିଷ ମହାଶୟା ବ୍ୟତୀତ ନାମ ଉଚ୍ଚାରଣ ଦଣ୍ଡେ ମାତ୍ର କରି ନାହାନ୍ତି ଆଜି କିପରି ଉଚ୍ଚାରଣେ "ରୂପଶ୍ରୀ" ।ବିବାହର ଅଠରବର୍ଷ ପୂରି ଗଲାଣି କିନ୍ତୁ କେବେ ନାମ ଉଚ୍ଚାରିବା ଦେଖିନଥିଲି ।ହଉ!ବିଧିର ବିଧାନକୁ କିଏ ବା ଟାଳି ପାରିବ ।।ଆଉ ମୁଁ ବି ଉତ୍ତର ପ୍ରଦାନି କୁହେଁ..ଆଜ୍ଞା! କାଇଁ ଡାକୁଛ..?ପ୍ରତିଉତ୍ତରରେ ଭାସି ଆସେ..ତୁମେ ଜଣେ ଗାଳ୍ପିକା??ତୁମେ ମୋ ଇତିହାସକୁ ରୂପ ଦିଅ ମୁଁ ଦେଖିବାକୁ ଚାହେଁ ତୁମ ସର୍ଜିତ ଗଳ୍ପର ମାଦକତା ।।ମୁଁ ହସିଦିଏ...କିନ୍ତୁ ସେ ମୋ ହସ ଦେଖି ଦୁଇ ଟୋପା କାନ୍ଦି ପକାନ୍ତି ।ପୁଣି ସେ ରୁକ୍ଷ ଓଠକୁ ଥରେଇ କୁହନ୍ତି...ଆରେ ତୁମେ ମଣିଷ ନା ପଥର !!ଅନ୍ୟର ଖୁସି ପାଇଁ କାହିଁକି ବଳି ଦେଇଛ ନିଜର ଜୀବନକୁ ।ନିନ୍ଦା ବ୍ୟତୀତ ମୁଁ କଣ ଦେଇ ପାରିଛି ତୁମକୁ । କେଉଁ ଖୁସି ପାଅ ମୋ ପରି ନିଷ୍ଠୁର ମଣିଷକୁ ନେଇ ।  ଚାଲିଯାଉନ କିଆଁ...? ଆଉ ମୋତେ ମାରି ଦେଉନ କିଆଁ ?? ଆରେ ଆରେ କାହିଁକି ରୁନ୍ଧି ହେଇ ପଡୁଛ? ମୁଁ ଗଳ୍ପ ଲେଖିବି ପରା...ଇତିହାସ ତ ବଖାଣ । ଚାଲିଗଲୁ ବାରି ପଛପଟ ବରଗଛ ପାଖକୁ... ତା'ରି ଚଟାଣେ ଶଉପଟିଏ ପାରି ବସିଗଲୁ ଦୁଇଜଣ ।
                       ପାଖରେ ଥିବା ପାଣିବୋତଲରୁ ପାଣି ଢକ୍ ଢ଼କ୍ କରି ପିଇବାକୁ ଲାଗିଲେ ସ୍ୱାମୀ । ଆଉ ଆରମ୍ଭ କଲେ..ପ୍ରଥମ ଉଚ୍ଚାରଣ "ରଜନୀ"....ମୋ ଆତ୍ମାରେ ରଜନୀ! ମୋ ପ୍ରାଣରେ ରଜନୀ ! ମୋ ରକ୍ତ ଧମନୀରେ ରଜନୀ ! ରଜନୀ ମୋର ସର୍ବସ୍ୱ...ରଜନୀ ମୋର ସ୍ୱପ୍ନ...ଆଉ ରଜନୀ ମୋର ପ୍ରତୀକ୍ଷା । ମୋ ଗ୍ରାମ ଶେଷାନ୍ତରେ ତା'ଘର । ବହୁତ ଚୁଲ୍‌ବୁଲି ଆଉ ଅଭିମାନିନୀଟେ..ଆଖିରେ ତା'ର ଉଙ୍କି ମାରେ ଚଞ୍ଚଳତାର ମଧୁ ଗନ୍ଧ...ଆଉ ସେ ମଧୁ ଗନ୍ଧରୁ ଅଙ୍କୁରିତ ବାସ୍ନା ମୋତେ ମତୁଆଲା କରିପକାଏ ମୋ ଜୀବନ ପରିଧିକୁ ।ଅସ୍ତବ୍ୟସ୍ତ କରିଦିଏ ମୋ ପୌରୁଷତ୍ବକୁ ।ତାକୁ ନେଇ ସ୍ୱପ୍ନ ଦେଖେ ..ମୋ ପାଟରାଣୀ ପାଇଁ ।ଭଲପାଏ ବୋଲି ପ୍ରସ୍ତାବ ଦିଏ...ସେ ବି ହସି ହସି ଗ୍ରହଣ କରିନିଏ।ଆଉ କୁହେ ମୁଁ ବି ହାର ମାନିଛି ତୁମର ବଳିଷ୍ଠ ଶରୀର ଆଗରେ....ହେଲେ ଭରସି କହିପାରେ ନାଇଁ ମୋ ଅବ୍ୟକ୍ତ ବେଦନା ।ମନେ ମନେ ଭାବୁ ଥାଏ...କେମିତି ବା କହିପରିଥାନ୍ତା...ସେ ପରା ଲଜ୍ଜ୍ୟାଳଙ୍କାରରେ ଭୂଷିତା ନାରୀଟିଏ ।ଲୋକ ଲଜ୍ୟାକୁ ସମସ୍ତେ ବସ୍ତ୍ର ଧାରଣ କରିଥା'ନ୍ତି ହେଲେ ସେ କିପରି ଆକ୍ଷେପିତ ସମାଜକୁ ସାମ୍ନା କରିଥା'ନ୍ତା ।।
ଏତିକି ଭାବି ଭିଡ଼ି ଧରେ ମୁଁ ମୋ ଶକ୍ତ ଛାତିରେ...ଭରସା ଉପରେ ଭରସା ଦେଇ ଚାଲେ ବାରମ୍ବାର ।ତୁମେ ମୋ'ର ରଜନୀ...ତୁମେ ମୋ'ର...,ମୁଁ ଆଉ କାହାର ହେବାକୁ ଦେବିନି ତୁମକୁ । 
                  ଏହିପରି ବିତିଗଲା ଦଶବର୍ଷ ।ଭଲ ଚାକିରୀ ଖଣ୍ଡେ ପାଇଁ ସାରା କୋଣ ଅନୁକୋଣ ଘୁରିବୁଲେ ପାଗଳଙ୍କ ପରି ।ମୁଁ କେବେ ଚାହେଁନି ସମାଜ ଓ ପରିବାରର ବିରୋଧୀ ସାଜି ତୁମକୁ ପଳାତକ ଭାବେ ଅନ୍ୟତ୍ର ନେଇ ଯିବାକୁ...ହେଲେ ତୁମେ ଜିଦ୍‌ ଧର ଆମେ ଦୁହେଁ ଚାଲିଯିବା ଅନିତ୍ୟ ଦୂରକୁ ।ଆଉ ମୁଁ ମୋ ଛାତିରେ ଆଉଜାଇ ଦେଇ ବୁଝେଇ ଦିଏ...ହେ ରଜନୀ! ମୁଁ ଚାହେଁନା ତୁମ ଚରିତ୍ରକୁ କିଏ ଅଙ୍ଗୁଷ୍ଠି ଦେଖାଉ ।ତୁମେ ଏତେ ବିବ୍ରତ କିଆଁ....? ତୁମକୁ ମୁଁ କଥା ଦେଉଛି ମୋତେ ଆଉ ପନ୍ଦର ଦିନ ସମୟ ଦିଅ...ମୋ ଘର ଲୋକ ତୁମ ଘରକୁ ଯିବେ ପାଣିଗ୍ରହଣ କାର୍ଯ୍ୟ ନେଇ ଆଉ ମୁଁ ଯିବି ବାଜା,ବାଣ,ରୋଷଣୀ ନେଇ ତୁମ ଅଗଣାକୁ । ତୁମ ହାତ ଧରି ତୁମ ଅଗଣାରେ ସତ୍ୟପାଠ ପୂର୍ବକ ଦଶଦିଗ ଆଉ ଆଠ କଳସ କୁ ସାକ୍ଷୀ ରଖି ଘେନି ଆସିବି ଫୁଲର ସବାରିରେ ବସେଇ ମୋ ଅଗଣାକୁ । ଆଉ ସାରା ସମାଜ ତୁମକୁ ପାଛୋଟି ନେବ ରଜନୀ ।ସତ କହୁଛି ମୋତେ ସମୟ ଦିଅ ।
                     କିନ୍ତୁ ଶେଫାଳି ପରି ଝରି ଯାଉଥାଏ ତା'ମନରୁ ଆତ୍ମ ବିଶ୍ୱାସ ।ବୋଧହୁଏ ସେ ଭାବିନିଏ ମୁଁ ପ୍ରଲୋଭନ ଦେଖାଇ ତା'ସହ ପ୍ରତାରଣା କରୁଚି ...ମୋ ପରିସ୍ଥିତି କୁ ବିଝେଇବା ଏତେ ଗମ୍ଭୀର ହୋଇପଡେ ଯେ...ତାକୁ ଭାଷାରେ ତୁଳନା କରିବା ମୋ ପକ୍ଷେ ଅନିର୍ବାର୍ଯ୍ୟ । ଭାଗ୍ୟର ବିଡମ୍ବନା... ମୋ ବେକାରୀ ଜୀବନ ଦେଖି ସେ ଉପହାସ କରେ ଆଉ ଧିରେ ଧିରେ ମୁହଁ ଫେରାଇନିଏ ରଜନୀ ।ହଠାତ୍ ଦିନେ ଖବର ପାଏ.. ଆର ଗାଁ ମିହିର ବାବୁଙ୍କ ପୁଅ ସହ ସେ କୁଆଡ଼େ ଅନ୍ୟତ୍ର ଚାଲିଯାଇଛି...ବିଶ୍ୱାସ ହେଉନଥାଏ ଦଶବର୍ଷର ପ୍ରେମକୁ କିପରି ସେ ଦଳିଦେଇ ଗଲା ?
                                       ହଁ! ଏଇ ସବୁଜ ବନାନୀ ସାକ୍ଷୀ ଏଇ ସୂର୍ଯ୍ୟ ଚନ୍ଦ୍ର ବି ସାକ୍ଷୀ କେତେ ରାତି ଉଜାଗର ନ'ରହିଛି ତା ପାଇଁ । ଆଜି ବି ଏ ନିଘୁମ ରାତ୍ରୀର ଝିଙ୍କାରୀଙ୍କୁ ପଚାରିଲେ ସେ ହିଁ କହିବେ...ମୋ ଛାତିରେ ଛାତିଏ ତାତି ଉପରେ ଆଉଜି ଯାଇ କେତେ ଅଳି ନ'କରିଛି ଗପ ଶୁଣିବା ପାଇଁ ।ଏଇ ନିଃଶବ୍ଦ ଇଲାକା ହିଁ ଜାଣିଛି...
ମୋ କାମାଗ୍ନିରେ ନିଜେ ହିଁ ଜଳି ପୋଡି ପାଉଁଶ ହେଇଯାଏହେଲେ ସ୍ପର୍ଶ କରେନି ତା' ମସ୍ତକ ବ୍ୟତୀତ ଅନ୍ୟ ଅଙ୍ଗକୁ । କିନ୍ତୁ ସେ ବି ବେଳେବେଳେ ଆଭିମାନ କରିବସେ ମୋ କାମାଗ୍ନିରେ ସମର୍ପି ହେବାକୁ । ହେଲେ ମୁଁ ତା' ମସ୍ତକକୁ ସ୍ନେହ ବୋଳା ଚୁମ୍ବନ ଦେଇ ବୁଝେଇ ଦିଏ....ହେ! ପାଗେଳି...! ମୁଁ ତୁମ ହୃଦୟକୁ ଭଲପାଏ ରେ...ଶରୀର କୁ ନୁହେଁ ।।
ଏହିପରି ବିଟୁଥିଲା ପ୍ରତ୍ୟେକ ମୁହୂର୍ତ୍ତ ,,ମୁଁ ବିଶ୍ୱାସ ନ'କରି ପାଗଳଙ୍କ ପରି ଖୋଜିବୁଲିଲି ପ୍ରତେକ ଗ୍ରାମ ଓ ସହର...ସବୁଠି କେବଳ ନିରାଶାର ଚିହ୍ନ ।ଏହା ଭିତରେ ଏକବର୍ଷ ଗତ ହେଇ ସାରିଥାଏ ।'
                      ପ୍ରତାରିତ ମନକୁ ନେଇ ବସିଥାଏ ...ଅସ୍ତରଙ୍ଗର ଜାହାନିଆ ପୀରଙ୍କ ନିକଟେ ।ପାଦ କାଇଁ ଚାଲିଗଲା ସେଠାରେ ଥିବା ସମୁଦ୍ର ବେଳା ଭୂମିକୁ ।ହଠାତ ସାମ୍ନାକୁ ଆସେ ରଜନୀ! ମନରେ ମୋର ଅପୂରନ୍ତ ଆନନ୍ଦ ..ପାଖକୁ ଯାଇ ଦେଖେ ତ କୋଳରେ ତା'ର କୁନି ପୁଅଟେ... ଆଉ ଆଗତୁରା ପରିଚୟ ଦେଇ କୁହେ..ହେଇ ଦେଖୁଛ ଏ ହେଉଛନ୍ତି ଆମ ପଡିଶାଘର ପୁଅ ମୋର ଭାଇ ହେବ.....ବାଃ ବାଃ କି ଚମତ୍କାର ନାରୀର ଲକ୍ଷଣ । ତଥାପି ନିରୋଳାରେ ପଚାରୁଥାଏ... ହେ ରଜନୀ କି ଦୋଷ କଲି ମୁଁ ? କାହିଁକି ମୋ ସହ ଛଳନା କଲ ମୋ ବିଶ୍ୱାସ କୁ କାହିଁକି ପ୍ରତ୍ୟାଖ୍ୟାନ କଲ କେଉଁ ଅପରାଧ କଲି କୁହ ? ହେଲେ ସେ ମୋ ଗାଲରେ ଶକ୍ତ ଚଟକଣି ମାରି ମୋତେ ଦର୍ଶେଇ ଦେଲା ଯେ...ମୁଁ ଜଣେ ନଂପୁଂଷକ । ବାରମ୍ବାର କହି ଚାଲିଲା ଦଶ ବର୍ଷ ପ୍ରେମରେ ମୋତେ କ'ଣ ଉପହାର ଦେଇଛ...? ହେଇ ଦେଖ ଏକବର୍ଷ ପ୍ରେମର ଉପହାର ମୋ କୋଳରେ ! ଧାର ଧାର ହୋଇ ବହି ଯାଉଥାଏ ମୋ ନେତ୍ରକୁ ଅଶ୍ରୁବାରି । ମୁଁ ଭାବୁଥାଏ...ସତରେ ମୁଁ କେଡେ ବୋକା ମଣିଷ ଟେ । ଏ ସମାଜରେ ଦେହ ଲୋଭୀ ରାକ୍ଷାସର ପ୍ରେମ ହିଁ ଶାଶ୍ୱତ ପ୍ରେମ ମୁଁ କିପରି ବୁଝି ପାରିଲିନି ? ତଥାପି ସରି ନଥାଏ ମୋ ସ୍ୱାମୀଙ୍କର କଳଙ୍କିତ ଇତିହାସ ପୃଷ୍ଠାର ଆଲୋଚନା । ହେଲେ ମୁଁ ଧର୍ଯ୍ୟ ସହକାରେ ଲେଖିଚାଲିଥାଏ.....ହଁ ମୁଁ ଜାଣେ! ରଜନୀର କ୍ଷେପଣାସ୍ତ୍ରେ ମୋ ସ୍ୱାମୀ ଜାଣି ଜାଣି ପାଲଟି ଯାଇଛନ୍ତି ନପୁଂକ। କିନ୍ତୁ ସମାଜର ସମାଲୋଚନାରେ ମୋତେ ସଜେଇ ଦେଇଛନ୍ତି ""ବାଞ୍ଝ""। ତଥାପି ପ୍ରତିବାଦ କରିନି ସ୍ୱାମୀଙ୍କ ଅତୀତକୁ ନେଇ କି ଘୃଣା କରି ସ୍ୱାମୀଙ୍କ ଚରିତ୍ର କୁ ନେଇ। ଆଉ କେବେ ପଶ୍ଚାତାପ କରିନି ନାରୀ ହେବାର କାରଣ କୁ ନେଇ କି ଅବହେଳା କରିନି ପତିଧର୍ମ ରେ ।।
           କାଲି ଦଶ ଦିଗପାଳ ଓ ଆଠ କଳସ କୁ ସାକ୍ଷୀ ରଖି କହିଥିଲି ଆଉ ଆଜି ବି କହୁଛି...ମୋତେ ଏ ନିଷ୍ଠୁର ସମାଜ ଯେଉଁ ନିକୃଷ୍ଟ ପଦରେ ବିଭୂଷିତ କରୁନା କାହିଁକି ମୁଁ ଗୋଟିଏ ଶବ୍ଦରେ ବିଭୂଷିତା ମୁଁ ହେଉଛି....."ଅର୍ଦ୍ଧାଙ୍ଗିନୀ""
ଓସ୍ତପୁର, କାକଟପୁର, ପୁରୀ

ଶୂନ୍ୟ ପଞୁରୀ

ସସ୍ମିତା ମହାପାତ୍ର
ଶୂନ୍ୟ ପଞୁରୀକୁ ଆଦରିଲି,
ଯେବେ ଆନନ୍ଦେ ରହିବା ପାଇଁ ।
ସବୁ ଦ୍ବାର ଖୋଲା ହେଲେ ଯିବାପାଇଁ,
ପଥ କାହିଁ ପାଉ ନାହିଁ ।।
ପୂତି ଗନ୍ଧମୟ ପଞୁରୀ ବାହାରୁ ଦେଖି ଲାଗିଲା ସୁନ୍ଦର ।
ସେ ଲାଗି ମାଗିଣ ପଳାଇ ଆସିଲି ଛାଡି  ସେ ଘନ କନ୍ଦର।।
ତାତ ମାତ କେତେ କରିଲେ ଆକଟ ଯିବାକୁ କୁହନା ତୁହି ।
ଯେ ଲାଗି ଯିବାକୁ ବଳାଇଛୁ ମନ କିଛି ନ ମିଳିବ ତହିଁ ।।
କେତେ ପ୍ରଯତନ କରି ସତକାର ତାତଙ୍କୁ ଗୁହାରୀ କରି ।
ମାତାଙ୍କୁ ସ୍ନେହରେ ବିଦାୟ ମାଗିଣ ଘରୁ ଆସିଲି ବାହାରି ।।
ପ୍ରକୃତିର ଶୋଭା ଅତି ମନଲୋଭା ଦେଖି ଆନନ୍ଦିତ ହୋଇ ।
ଖେଳିଲି ବୁଲିଲି ମଧ୍ୟେ ହଜିଗଲି ମାୟା ରଙ୍ଗ ବୋଳି ହୋଇ ।।
ଖଣ୍ଡି ଉଡା ଦେଲି ଡାଳରୁ ପାହାଡ ଝରଣା ନଦୀର କୂଳେ ।
କେତେ ପ୍ରଜାପତି ସାଥେ କରି ସାଥୀ ଖେଳିଲି ଯେ ସରାଗରେ ।।
ଅଗ୍ନି ହୁତାଶନେ ଜଳିଗଲା ପର ପଡିଲି ଧରଣୀ କୋଳେ ।
ତାତ ମାତା କଥା ଅପରାହ୍ନେ ବସି ଭାବେ ଏକା ପଞୁରୀରେ ।।
କିମ୍ପାଇଁ ଆସିଲି ଛନ୍ଦରେ ଫସିଲି ଥିଲି କେତେ ଆନନ୍ଦରେ ।
ସବୁ ଥିଲା ଶୂନ୍ୟ ଅଭାବରେ ଭାବ ରହିଥିଲି ଗୁପତରେ ।।
କା ଡାକରେ ତେଜି ଆସିଲି ମହନେ ଦହନ ହେବାର ଲାଗି  ।
କାହିଁ ସେ ଗମିବ ଅବା ଘେନିଯିବ ପଞୁରୀକୁ ଦେବ ଭାଙ୍ଗି ।।
ନିତି ମନେ ବତୀ ଜାଳେ ଦିନରାତି ଗଣେ ବସି ଶେଷ ଘଡି ।
ଅଣଚାଶ ବେଗେ ଆସିବ କି ଯୋଗେ ତାତପୁରେ ଯିବି ଉଡି ।।
ଉଡିଛି ଯେତିକି ପଡିଛି ସେତିକି ପାଇଛି ତହୁଁ ଅଧିକା ।
ନିଅ ତାତମାତ କରି ମତେ ମୁକ୍ତ ଡାକେ ପାରା ବସି ଏକା ।।
ରହିଥବି ସୁଖେ ଗାଉଥିବି ମୁଖେ ଚିନ୍ତା ନ କରିବି ଲବେ ।
କରିଦିଅ ମୁକ୍ତ ଯିବାର ଦ୍ବାରଟି ଆଉ ନ ଆସିବି କେବେ ।।
                                                                   ପୁରୁଣା ଭୂବନେଶ୍ବର

ସୃଷ୍ଟି, ସ୍ଥିତି, ସଂହାରିଣୀ-ମାଆ

  କଳ୍ପତରୁ ସାହୁ
ମା' ମହାମାୟାଙ୍କ ଆବିର୍ଭାବ ସଂପର୍କରେ ଦେବୀ ପୁରାଣ, ମହାଭାରତ ଓ ଦେବୀ ଭାଗବତ ପ୍ରଭୃତି ବିଭିନ୍ନ ଶାସ୍ତ୍ର ପୁରାଣରେ ଉଲ୍ଲେଖ ରହିଛି । ଶ୍ରୀଚଣ୍ଡୀର ବର୍ଣ୍ଣନାନୁଯାୟୀ କାଳୀ ଦେବତାମାନଙ୍କର ଜନନୀ । ମା' ଏ ସକଳ ଜଗତ ସୃଷ୍ଟି କରିଛନ୍ତି, ପାଳନ କରୁଛନ୍ତି ଓ ସଂହାର ମଧ୍ୟ କରୁଛନ୍ତି। ମାର୍କଣ୍ଡେୟ ପୁରାଣ ଅନୁଯାୟୀ ମହିଷାସୁରର ସେନାପତି ରକ୍ତବୀର୍ଯ୍ୟକୁ ବଧ କରିବା ପାଇଁ ଚଣ୍ଡୀଙ୍କଠାରୁ ସାହାଯ୍ୟକାରିଣୀ ମା' କାଳୀଙ୍କର ସୃଷ୍ଟି । କାଳିକା ପୁରାଣ ଓ ଯୋଗିନୀ ତନ୍ତ୍ରରେ ବର୍ଣ୍ଣିତ କାଳୀ ଓ କାମାକ୍ଷା ଏକ ଓ ଅଭିନ୍ନ ବୋଲି ବର୍ଣ୍ଣନା କରାଯାଇଛି।

ତିନି ରୂପରେ ବିରାଜିତା
ମହାମାୟାଙ୍କଠାରେ ହିଁ ସମାଗତ ହୋଇଥାଏ- ମହାସରସ୍ୱତୀ, ମହାଲକ୍ଷ୍ମୀ ଓ ମହାକାଳୀ । କହିହେବ,ସୃଜନ କାଳରେ ଯିଏ ମହାସରସ୍ୱତୀ, ପାଳନକର୍ତ୍ତୀ ଭାବେ ସେ ମହାଲକ୍ଷ୍ମୀ ଓ ବିନାଶ କାଳରେ ତାଙ୍କ ପରିଚୟ ମହାକାଳୀ । ମହାକାଳୀ ତମ-ପ୍ରଧାନ ରୌଦ୍ରରୂପ । ଶାସ୍ତ୍ର ଓ ପୁରାଣରେ ଦେବୀଙ୍କୁ ସୃଷ୍ଟିର ଆଧାର ଭାବେ ବର୍ଣ୍ଣନା କରାଯାଇଛି । କାଳୀ ହିଁ ବିଶ୍ବର ପ୍ରସୂତି ଓ ଜୀବଜଗତର ଭକ୍ତିମୁକ୍ତି ପ୍ରଦାୟିନୀ । ଦେବୀଙ୍କ ଦଶମହାବିଦ୍ୟାର ସେ ଅନ୍ୟତମ ରୂପ । ଦେଖିବାକୁ ଅତି ଭୟଙ୍କର । ମାର୍କଣ୍ଡେୟ ପୁରାଣରେ ମହାକାଳୀଙ୍କର ଉତ୍ପତ୍ତି ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି । ପ୍ରଳୟ କାଳରେ ସଂସାର ସଂପୂର୍ଣ୍ଣ ଜଳମଗ୍ନ ଥିବା ବେଳେ ଯୋଗ ନିଦ୍ରାଭିଭୂତ ଭଗବାନ ବିଷ୍ଣୁଙ୍କ କର୍ଣ୍ଣମୂଳରୁ ମଧୁ-କୈଟଭ ନାମକ ଦୁଇ ଦାନବ ସୃଷ୍ଟି ହୋଇ ପିତାମହ ବ୍ରହ୍ମାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ସେ ଯୋଗନିଦ୍ରାଙ୍କୁ ଧ୍ୟାନ କଲେ। ପ୍ରଜାପିତା ବ୍ରହ୍ମାଙ୍କ ସ୍ତୁତିରେ ପ୍ରସନ୍ନ ହୋଇ ମା' ମହାମାୟା ଭଗବାନଙ୍କ ନେତ୍ର, ମୁଖ, ନାସିକା ବାହୁ ଓ ହୃଦୟରୁ ଆବିର୍ଭୂତା ହୋଇ ଖଡ୍ଗ, ପରିଘ, ଧନୁ, ଚକ୍ର, ଗଦା, ତୀର, ଧନୁ, ଶଙ୍ଖ, ତ୍ରିଶୂଳ ଓ ନର ମୁଣ୍ଡ ଧାରଣ କରିଥିଲେ। ଯୋଗନିଦ୍ରା ବିଷ୍ଣୁଙ୍କୁ ତ୍ୟାଗ କରିଥିବାରୁ ତାଙ୍କର ନିଦ୍ରାଭଙ୍ଗ ହେଲା । ସେ ମଧୁ କୈଟଭଙ୍କ ସହିତ ଯୁଦ୍ଧକରି ତାଙ୍କୁ ବଧ କଲେ।ଦୁଷ୍ଟଙ୍କ ବିନାକାରିଣୀ ମହାଶକ୍ତିଙ୍କର ସୃଷ୍ଟି, ସ୍ଥିତି ଓ ପ୍ରଳୟ ତ୍ରିରୂପ ଚିନ୍ତନ ମଧ୍ୟରୁ ପ୍ରଳୟରୂପୀଙ୍କୁ ରାତ୍ରି, କାଳରାତ୍ରି ଓ କାଳୀ ନାମରେ ନାମିତ କରାଯାଇଛି । ନବରାତ୍ରିର ନବଦୁର୍ଗା କ୍ରମରେ ମା'ଙ୍କର ଏହି କାଳରାତ୍ରି ରୂପ । ଶରୀରର ରଙ୍ଗ ଘନକୃଷ୍ଣ । ମୁକ୍ତକେଶା ମା'ଙ୍କର ଗଳାରେ ଲମ୍ବିଥାଏ ନରମୁଣ୍ଡ ମାଳା । ମା' ତ୍ରିନୟନ ଧାରିଣୀ । ସପ୍ତମ ଦିବସରେ ହିଁ ଏହି କାଳରାତ୍ରିଙ୍କୁ ପୂଜା କରାଯାଇଥାଏ । ସେ ହିଁ ଦୁଷ୍ଟଙ୍କ ବିନାଶକାରିଣୀ । ଦାନବ, ଦୈତ୍ୟ, ରାକ୍ଷସ, ଭୂତ ଓ ପ୍ରେତ ଆଦି ଦୁଷ୍ଟଶକ୍ତି । ମା'ଙ୍କ ନାମ ସ୍ମରଣ ମାତ୍ରକେ ଦୂରେଇ ଯାଇଥାନ୍ତି । ମା'ଙ୍କ ଉପାସକଙ୍କୁ ଅଗ୍ନି, ଜଳ, ଜନ୍ତୁ, ଶତ୍ର ଓ ରାତ୍ରିଭୟ ମଧ୍ୟ ନ ଥାଏ । ମା' ଯାହାକୁ କୃପା କରନ୍ତି, ସେ ଭୟମୁକ୍ତ । ହୋଇ ଜୀବନଯାପନ କରେ ।
ସଂହାର କାରିଣୀ
             
ପୁରାଣ କହେ ଦେବତାମାନଙ୍କ ବରରେ ବଳୀୟାନ ଦାନବଗଣ ଅମିତ ପରାକ୍ରମୀ ହୋଇ ସଂସାରରେ ବିଭୀଷିକା ସୃଷ୍ଟି କଲାବେଳେ ଅସୁର ନିଧନ ନିମିତ୍ତ ଦୈବୀଶକ୍ତିର ଆବଶ୍ୟକତା ଦେଖାଦେଇଥିଲା । ଦେବତାଙ୍କ ଅପରିଣାମଦର୍ଶୀ ବର ପ୍ରଦାନ ହେତୁ ସୃଷ୍ଟି ରକ୍ଷାର୍ଥେ ଦେବୀଙ୍କୁ ବସନ ଭୂଷଣ ତ୍ୟାଗ କରି ବିବସନା ହେବାକୁ ମଧ୍ୟ ପଡ଼ିଲା । ଆଉ ସେ ପାଲଟି ଗଲେ ସଂହାର କାରିଣୀ । ମା' ଦୁର୍ଗା ମହିଷାସୁରକୁ ବଧ କରିବା ପରେ ମାତୃଶକ୍ତିର ଅବମାନନା ପାଇଁ ଦେବକୁଳର ବିନାଶ ଓ ସୃଷ୍ଟି ନାଶ ନିମନ୍ତେ ଯୋଗିନୀ କାନ୍ତାନୀମାନଙ୍କୁ ଆଦେଶ ଦେଲେ । ଦେବଦେବ ମହାଦେବ ଯୋଗରେ ଜାଣିଲେ ମା' ଦୁର୍ଗା ମହାକାଳୀ ରୂପରେ ଭ୍ରମଣ କରୁଛନ୍ତି। ଅନନୋପାୟ ହୋଇ ସେ ଦେବୀଙ୍କ ପଥରୋଧ କଲେ । ମା' ମହାଦେବଙ୍କ ବକ୍ଷ ଉପରେ ପାଦ ପକାଇ ଏ ଲୀଳା ଜାଣିପାରିଲେ ଓ ଜିଭ କାମୁଡ଼ି ଦେଲେ। ତା'ପରେ କ୍ରୋଧ ସମ୍ବରଣ କରି ଶାନ୍ତ ହୋଇ ପ୍ରସନ୍ନ ବଦନରେ ଦର୍ଶନ ଦେଲେ । ଅମାବାସ୍ୟାର ଅର୍ଦ୍ଧରାତ୍ରିରେ କାଳୀ ମା'ଙ୍କ କୋପମୂର୍ତ୍ତି ଶାନ୍ତ ହୋଇ ଉଭା ହେଲେ ।ଏହା ଦେଖି ଦେବକୁଳ ଆନନ୍ଦରେ ପୂଜାର୍ଚ୍ଚନା କଲେ । ସେହି ସ୍ମୃତିକୁ ମନେ ପକାଇବା ପାଇଁ ପୂଜା ମଣ୍ଡପ ଓ ଶକ୍ତିପୀଠମାନଙ୍କରେ ଜଗତବାସୀ ଶକ୍ତି ଓ ଶିବଙ୍କୁ । ମହାକାଳୀ ଓ ମହାଭୈରବ ରୂପରେ ପୂଜା କରାଯାଏ। ତନ୍ତ୍ରଶାସ୍ତ୍ରରେ କାଳୀଙ୍କୁ ଆଦ୍ୟାଶକ୍ତି ମହାମାୟା ରୂପେ ଉଲ୍ଲେଖ କରାଯାଇ ତାଙ୍କର ଆଠ ପ୍ରକାର ମୂର୍ତ୍ତିର ଉପାସନା ନିର୍ଦ୍ଧାରିତ ହୋଇଛି । ତନ୍ମରେ ଦକ୍ଷିଣକାଳୀ, ଭଦ୍ରକାଳୀ ଓ ଶ୍ମଶାନକାଳୀ ପ୍ରଭୃତି ବିଶେଷ ପ୍ରସିଦ୍ଧି ଲାଭ କରିଛନ୍ତି  ।  ।  
 ଅସୁରେଶ୍ଵର,କଟକ

ତୁମେ

ଉଷାରାଣୀ ପଣ୍ଡା
ନୈତିକତାର ହେତୁ ବୀଜ ରୋପଣ କର                                                                ଶକ୍ତ ଚାରାଟିଏ ସୃଷ୍ଟି କର ସମ୍ପର୍କର ।

ମୂଲ୍ୟବୋଧର ସତ୍କର୍ମୀ ଆଦର୍ଶଦ୍ୟୋତକ
କର୍ମଠ କର୍ମଚାରୀ ଚରିତ୍ରର ସୁଧାରକ ।

କର୍ତ୍ତବ୍ୟର ପରାକାଷ୍ଠା ବିଶ୍ବାସୀର ବନ୍ଧୁ
ଦୃଢତାର ବତୀଘର  ସାହସର ସିନ୍ଧୁ ।

ଗୁଣବାନ ବିବେକର ଅଭିଚ୍ଛେଦ୍ୟ ଅଙ୍ଗ 
ବିଷାଦର ସହାୟକ  ଅଧର୍ଯ୍ଯର ମଙ୍ଗ।

ସଦାଚାରୀର ଅନ୍ବେଷୀ ବିପନ୍ନର ଆଶା
ଆବେଶର ଆଶ୍ବାସନା   ବ୍ୟସ୍ତର ଭରସା ।                        

ହୃଦୟ ଭାବାବେଶର ସୁମାର୍ଗଦର୍ଶକ
ଧର୍ମର ଆଶ୍ରୟ  ସ୍ବଭାବୀର ବିଜ୍ଞାପକ।


ନୀତି ନିୟମର ପ୍ରେରଣାର ଉତ୍ସର୍ପଣ
ସଚେତନାର ସଂଯମୀ  ସଂସ୍କୃତି ସମ୍ପନ୍ନ । 
ସୋମପେଣ୍ଟା (ଆନ୍ଧ୍ର ପ୍ରଦେଶ )

ନବୀକରଣ

କାଦମ୍ବିନୀ ଖୁଣ୍ଟିଆ

ଦିନର ସବୁ କାମ ସରେଇ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିବା ଜେଜେଙ୍କ ଟିକି ବଗିଚାକୁ ଯାଏ ୮୭ ବର୍ଷର ଜେଜେ ମା। ତା'ର ଜୀବନର ଦୁଃଖ ସୁଖ ସବୁ ବାଣ୍ଟୁଥାଏ ସେଇ ବୃକ୍ଷ ସାଥିରେ। କହୁଥାଏ ତୁମେ ଲଗେଇଥିବା ଟିକି ଟିକି ବୃକ୍ଷ ଆଜି ବିଶାଳ ରୂପ ନେଇଛି। ତୁମେ ବର୍ଷାରେ ରୋପି ମୂଳରେ ଖତ ଦେଇ, ଶୀତରେ ଚାରିପାଖ ସଫାକରି ଚାରିପାଖ ବୁଲେଇଥାଅ ଝଟାର ବାଡ। ନିତି ସକାଳେ ସଞ୍ଜ ଖରା ବେଳେ ଜଗୁଥିଲେ ପୁଅ ଝିଅଙ୍କ ପରି କାଳେ କାହା ଛେଳି ଗାଈ ପାଟିର ଆହାର ହେଇଯିବ ଆଉ କିଏ କାଳେ ଉପାଡି ଫିଙ୍ଗିଦବ ସଦାବେଳେ ନଜର ବନ୍ଦୀ କରି ରଖୁଥିଲେ ବୃକ୍ଷର ସାଥେ ନିଜକୁ। ଯେମିତି ପୁଅଝିଅ ଧିରେ ଧିରେ ବଡ ହୁଅନ୍ତି ଠିକ୍ ସେହିପରି ବୃକ୍ଷ ଗୁଡିକ ବଢିବାରେ ଲାଗିଲେ ଶାଖା ପ୍ରଶାଖା ମେଲି। ଫୁଲ ଫଳ ଦେବା ବେଳକୁ ଜେଜେ ଦେହତ୍ୟାଗ କରିସାରିଥିଲେ। ଆଉ ଜେଜେ ମାଙ୍କୁ କହିଥିଲେ କି ମୋ ବୃକ୍ଷ ସବୁ ଲାଗିଲା। ମୁଁ ଗଲାପରେ ସେ ହିଁ ତୋ ସୁଖ ଦୁଃଖର ସାଥି ତାଙ୍କରି ଦେହରେ ମୋ ଜୀବନ ଅଛି। ମୋ ଅଧା କାମକୁ ତୁ ପୁରଣ କରିବୁ। 
                       କିଛିଦିନ ବିତିଗଲା। ନିତି ସଞ୍ଜ ସକାଳେ ଜେଜେ ମା ଯାଏ ବଗିଚା ଦେଖି କିଏ କେମିତି ଅଛି ପତ୍ର ଝଡା ଦେଲାଣି କି ନାହିଁ.... ଔଷଧ ବୃକ୍ଷ ସବୁ ଠିକ୍ ଭାବେ ଅଛି କି ନାହିଁ...? ଏମିତି ଦିନେ ବିଳମ୍ବ ଘଟିଛି ଘରକୁ ଫେରିବା ପାଇଁ ଆଉ ଘରର କାମ ହେଇ ପାରିନି ପୁଅ ପଚାରିଲା ବୋଉ ତୁ ଆଜି କାହିଁ ଡେରିକଲୁ ତୁ କଣ ପାଇଁ ପ୍ରତ୍ୟେକ ଦିନ ସକାଳେ ସଞ୍ଜେ ଯାଉଛୁ କଣ ପାଉଛୁ ସେଥିରୁ? ଆଉ କାଲିଠାରୁ ବନ୍ଦ କର ଯିବା।ବୋହୂ ବି ଟିକେ ସାହାସ ପାଇଗଲା ସ୍ବାମୀ ମୋର ଏତେ ଦିନେ ଆଜି କଥା ପଦେ କହିଲେ। ବୋହୂ କହିଲା ଘରେ କେତେ କାମ ପଡିଛି କାମ କରିଥିଲେ ତ ଆମେ ଯାଇପାରିଥାନ୍ତୁ ପାର୍କ। ଜେଜେ ମା ଶୁଣି ଆଖିରେ ଲୁହ ଟଳମଳ ଓଠରେ ଏକ ଭିନ୍ନ ଦର ଫୁଟା ହସ। ଲୁହର କାରଣ ହେଉଛି ଯୋଉ ପୁଅକୁ ଖୁଆଇ ପିଆଇ ଛୋଟରୁ ବଡ କଲି ଯିଏ ଏ ବୟସରେ ଆହାଃ ପଦେ କହିବା ବଦଳରେ ଆଜି ମରମ କଥା କହିଲା। ସେ କାହୁଁ ଜାଣିବ ଏ ସ୍ନେହ ଭଲପାଇବାର ବନ୍ଧନ। ଦର ଫୁଟା ହସର କାରଣ ହେଉଛି କି କଥା କହିପାରୁନଥିବା କୋମଳ ବୃକ୍ଷଙ୍କ ପାଖେ ସ୍ନେହ ଭଲପାଇବା ମମତାର ବନ୍ଧନ ଯାହାକି ଆପେ ଆପେ ମତେ ତାଙ୍କ ବନ୍ଧନର ଛତ୍ର ଛାଇତଳକୁ ଟାଣିନିଏ। ଏଠି କଥା କୁହା ମଣିଷ କରିଦିଏ ପର। କିନ୍ତୁ ଦୁନିଆ ଆଖିରେ କଥା କହିପାରୁନଥିବା କୋମଳ ବୃକ୍ଷ ତା ବକ୍ଷରେ କୋଳେଇ ନିଏ। ଜେଜେ ମା ତା'ର ଘରର ସବୁ କାମ ସାରି ଦେଇ ପୁଣି ଚାଲିଗଲା ଟିକି ବଗିଚାକୁ ଆସି ବାହୁନି ବାହୁନି ତା ମନରେ ଚାପି ରଖିଥିବା ଦୁଃଖକୁ କ୍ରନ୍ଦନ ସ୍ବରରେ ଗାଇଚାଲିଲା। ଯେମିତି ତା ଦୁଃଖକୁ ବୋଧେ ଦୂର କରିଦେବେ ସ୍ବାମୀ ରୋପି ଥିବା ବୃକ୍ଷ ଗୁଡିକ। ନାତି ନାତୁଣୀକୁ ନେଇ ପୁଅ ବୋହୂ ଘରକୁ ଫେରିଲେ। ଘରେ ପହଞ୍ଚି ଦେଖନ୍ତି କି ଘର ପରିଷ୍କାର ହେବା ସହ ରୋଷେଇ ସରିଛି ସମସ୍ତେ ଖୁସିରେ ଖାଇ ବସିଲେ। ନାତି ନାତୁଣୀ ମନେ ମନେ ଜେଜେ ମାଙ୍କୁ ଖୋଜୁଥାନ୍ତି କିନ୍ତୁ ବାହାରକୁ ଭୟରେ ପ୍ରକାଶ କରି ପାରୁନଥିଲେ। ଖାଇ ସାରିଲା ପରେ ବୋହୂ କହିଲା ବୋଉ କାହିଁ ଦେଖାଯାଉନାହାନ୍ତି। 
                                     ରାତି ୯ଟା ହେବ ପୁଅ କହିଲା ହଁ ତ ବୋଉ କାଇଁ ଯେ, ବହୁତ ଡାକିଲା ପରେ ବୋଉ ଶୁଣୁ ନାହିଁ। କୁଆଡେ ଗଲା ଏତେ ରାତିରେ। ମଣିଷ ଟିକେ ଶାନ୍ତିରେ ଶୋଇବ କି କ'ଣ ହେ ତେରିକି... ନାତି କହିଲା ପାପା ଜେଜେ ମା ତାଙ୍କ ପୁଅ ପାଖକୁ ଯାଇନାହାନ୍ତି ତ! ତାଙ୍କ ପୁଅ! ତାଙ୍କ ପୁଅ ଆଉ କିଏ ମୁଁ ତ ତା ପୁଅ। ନାତୁଣୀ କହିଲା ପାପା ସବୁଦିନ ଯେଉଁଠି କି ଯାଆନ୍ତି ଆସିଲା ପରେ ଗାଳି ଶୁଣନ୍ତି। ମାନେ ସୁନ୍ଦର ପ୍ରାକୃତିକ ସ୍ନେହ ବନ୍ଧନର ଟିକି ବଗିଚାକୁ ହୁଏତ ଯାଇଥାଇ ପାରନ୍ତି। ହଉ ଚାଲିଲ ଦେଖିଆସିବା। ବୋଉ ବୋଉ ଡାକି ଡାକି ବଗିଚାରେ ଦେଖେ ତ ବୋଉ ଏକ ଗଛ ମୂଳରେ ଶୋଇଛି। ଦେହ ସାରା ପୁଷ୍ପପତ୍ରରେ ସାରା ଶରୀର ଘୋଡେଇ ହେଇଯାଇଛି ଯେମିତି ଶୀତୁଆ ରାତିର ମୋଟା କମ୍ବଳ ପରି। ତୁ ଏଇଠି ଶାନ୍ତିରେ ଶୋଇଛୁ ଡାକିଲେ ଜବାବ ଦବାର ନାହିଁ। ମଣିଷ ବିଶ୍ରାମ ନବା ବଦଳରେ ଆସି ଖୋଜିବାକୁ ପଡୁଛି। ଡାକିଲା ବୋଉ ବୋଉ ତୁ ଉଠୁନୁ କଣ କେତେ ଶୋଇବୁ? ପୁଅ ହଲେଇ ଦେଇ ଦେଖେ କି ବୋଉ ଆଉ ଦୁନିଆରେ ନାହିଁ କାନ୍ଦି ଉଠିଲେ ପୁଅ ଆଉ ବୋହୂ ନାତି ନାତୁଣୀ ଦେଖୁଥାନ୍ତି। ଆଖିରୁ ଝରୁନି ଟୋପେ ଲୁହ। ପାପା ମାମା କହିଲେ ଆଖିର ଲୁହ ଟୋପେ ଝରେଇ ଦିଅ ତୁମ ଦୁହିଁଙ୍କୁ ବୋଉ କେତେ ଭଲ ପାଉଥିଲା। ପାପା ମାମା ଆମ ଆଖିରୁ ସବୁଦିନ ଲୁହ ଝରୁଛି କଏ କହିଲା ଲୁହ ଝରୁନି? ଆଜି ତମ ମାନଙ୍କ ଆଖିରୁ ଲୁହ ଝରୁଛି କିନ୍ତୁ ଆଜି ଆମ ଆତ୍ମା କାନ୍ଦୁଛି। ଏ ମିଛିମିଛିକା ଲୁହ ଆମ ଆଖିରେ ନାହିଁ। ଜେଜେ ମାଙ୍କ ଶବ ସତ୍କାର ପାଇଁ ନାଁ ନେଲେ ସ୍ବର୍ଗଦ୍ବାର ନା ନେଲେ ମଶାଣୀ ନା ତିଆରି କଲେ କୋକେଇ। ଯେମିତି ଜେଜେ ମା ଶୋଇଥିଲେ ସେଇଥିରେ କିରୋସିନୀ ଢାଳି ନିଆଁ ଦେଲେ। ଜେଜେ ମା ଜଳିବା ସାଥେ ସାଥେ ଜଳିଗଲା ଫଳ ପୁଷ୍ପଭରା ଟିକି ବଗିଚା। ଜେଜେ ଆଉ ଜେଜେ ମା ସ୍ନେହ ମମତା ସମୟ ଝାଳ ବୁହାଇ ସୁନ୍ଦର ପ୍ରକୃତିର ଟିକି ବଗିଚା କରିଥିଲେ। ପାପା ଉଜାଡି ଦେଲେ କ୍ଷଣକ ଭିତରେ। 
                        ସେପଟେ ରାସ୍ତା କଡରେ ବଡ ବଡ ଚାକୁଣ୍ଡା ବର ଓସ୍ତ ବୃକ୍ଷରେ ଯାନ ବାହାନ ପିଟି ହେଇ କେତେ ଜୀବନ ନେଉଥାଏ। ସରକାରଙ୍କ ଦ୍ବାରା ବୃକ୍ଷକୁ କାଟି ରାସ୍ତାକୁ କରନ୍ତି ଚଉଡା ଯାହାକି ଅନେକ ସଡକ ଦୁର୍ଘଟଣାରୁ ପାଉଛି ରକ୍ଷା। ନୁତନ ରୋପଣ ହୁଏ ପୁଷ୍ପର ବୃକ୍ଷ ଯାହା ସେଥିରେ ସେଇ ନାତି ନାତୁଣୀ କଲେ ରାସ୍ତା କଡରେ ବୃକ୍ଷ ରୋପଣ। ଜେଜେ ଜେଜେ ମାଙ୍କ ଅଧୁରା ସ୍ବପ୍ନକୁ କରିଲେ ପୁରଣ। ଫୁଟୁଥିବା ପୁଷ୍ପକୁ ନେଇ ଅର୍ପିଲେ ତାଙ୍କରି ଚରଣ। ରୋପି ନୂତନ ବୃକ୍ଷ ନାମ ଦେଲେ ନବୀକରଣ। ରାସ୍ତା ଯେ ଆମର ସବୁଜ ପତ୍ର ସହିତ ରଙ୍ଗ ବେରଙ୍ଗର ଫୁଟି ପୁଷ୍ପ ରାସ୍ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ବଢାଏ। ପଥିକ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଭରଇ। ଏଇ ବୃକ୍ଷ ଅଙ୍ଗାରକାମ୍ଳ ବିଷକୁ ପିଇ ଅମ୍ଳଜାନର ଅମୃତ ପରଶି ଦିଅଇ। ନୂତନ ପଲ୍ଲବୀତ ହୋଇଉଠଇ। ଖରା ବର୍ଷା ଶୀତ କାକରରୁ ରକ୍ଷା କରଇ। ଏଇ ବୃକ୍ଷ ବଡ ହୋଇ ଆମ ଖାତା ବହି ସାଜଇ। ଚୁଲି ମୁଣ୍ଡେ ଜାଳେଣି ହୁଅଇ। ଲାଇନ୍ ଗଲେ ଆଲୋକ ବିତରଣ କରଇ। ଆସ ମିଳିମିଶି ବୃକ୍ଷ ରୋପିବା ଆଉ ଏକ ନୂଆ ଇତିହାସ ସୃଷ୍ଟି କରିବା।
ଅରିମୂଳ, କେନ୍ଦ୍ରାପଡା

ଓଡ଼ିଶାର ଐତିହାସିକ ପରମ୍ପରା - ନୌବାଣିଜ୍ୟ

                                                                                                    ମନେଶ୍ଵର ପ୍ରଧାନ                                           
ଆମ ଓଡ଼ିଶାର , କଳା , ସୌନ୍ଦର୍ଯ୍ୟ, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ବିଶ୍ଵବିଖ୍ୟାତ। ତନ୍ମଧ୍ୟରୁ ଓଡ଼ିଶା ମାଟିର ଓଡ଼ିଆ ପୁଅର ବାଣିଜ୍ୟ ପରମ୍ପରାର ଚିତ୍ର ଇତିହାସ ପୃଷ୍ଠାରେ ସୁବିମଣ୍ଡିତ । ତେର ନଇ ସାତ-ସମୁଦ୍ର ପାର ହୋଇ ବିଦେଶରେ ବାଣିଜ୍ୟ କରି ସେ' ବ୍ୟବସାୟୀକ ଇତିହାସକୁ ସମୃଦ୍ଧ କରି ପାରିଛି । ଆମ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣମୀର ଶୁଭ୍ର ସକାଳ ରେ ଆ କା ମା ବୈ- ବୋଲି ବୋଇତ ବନ୍ଦାପନା/ ଭସାଣପ୍ରଥା କାହିଁକି ,କେବେଠାରୁ, ପ୍ରଚଳିତ ଏ କଥା କହିବାକୁ ଇତିହାସ ମଧ୍ୟ ଆଜି ମୂକସାକ୍ଷୀ । କିନ୍ତୁ ଏହା ଯେ' ଅତୀତ ଓଡ଼ିଶାର ଐତିହାସିକ ନୌବାଣିଜ୍ୟ ପରମ୍ପରାର ଜ୍ୱଳନ୍ତ ଦୃଷ୍ଟାନ୍ତ ଏହା ନିଃସନ୍ଦେହ । ବିଭିନ୍ନ ତାଳପତ୍ର ପୋଥି ଏବଂ ନୌ-ଶାସ୍ତ୍ର ଆଦି ଅଧ୍ୟୟନ ରୁ ଜଣାଯାଏ ଯେ 'ଏଠାକାର ବଣିକମାନେ ସୂକ୍ଷ୍ମ ପଟ୍ଟବସ୍ତ୍ର , ଉଚ୍ଚକୋଟିର ପଣ୍ୟଦ୍ରବ୍ୟ ଆଦି ପାଲ ଟଣା ବୋଇତରେ ଦୂର ଦେଶକୁ ବୋହି ନେଇ ବ୍ୟବସାୟ କରୁଥିଲେ। ନୌବାଣିଜ୍ୟ ସକାଶେ ଓଡ଼ିଆ ପୁଅ ଆଷାଢ଼ମାସ ଠାରୁ ବୈଶାଖମାସ ପର୍ଯ୍ୟନ୍ତ ଝଡ଼ବର୍ଷ।କୁ ଖାତିର ନକରିବା କଥା, ସାରଳା ସାହିତ୍ୟରେ - ଆ କା ମା ବୈ ; ଏବଂ ଭଞ୍ଜ କବିଙ୍କ - ଲାବଣ୍ୟବତୀରୁ ସ୍ପଷ୍ଟ ଜଣାପଡ଼େ। ତା'ଛଡ଼ା ଆ - ଆନାମ ବା ଭିଏତନାମ ,କା - କାମ୍ବୋଡ଼ିଆ, ମା - ମାଳୟ ଓ ବୈ- ବୈବଶ୍ଵାନ ଅର୍ଥାତ୍ ବୋର୍ଣ୍ଣଓ ଓ ବାଲି ଦ୍ଵୀପ ଆଦି ସହିତ ଅତୀତରେ ବାଣିଜ୍ୟିକ ସମ୍ବନ୍ଧ ଥିବାର ଅନୁମାନ କରାଯାଏ ।
                      ଓଡ଼ିଆ ପୁଅର ବ୍ୟବସାୟିକ ଯାତ୍ରା ଆରମ୍ଭ ହେଉଥିଲା ସାମୁଦ୍ରିକ ବନ୍ଦରରୁ | ଗ୍ରୀକ୍ ଏୗତିହାସିକଙ୍କ ମତରେ ଭାରତର ୯ଟି ବନ୍ଦର ମଧ୍ୟରୁ କେବଳ ଓଡ଼ିଶାର ୫ଟି ବନ୍ଦର ବିଶେଷ ଉଲ୍ଲେଖଯୋଗ୍ୟ । ସେଗୁଡ଼ିକ ହେଲା - ନନିଗେନ (ପୁରୀ ), କଟିମର୍ଦ୍ଦମ (କଟକ), କୋଶଗର ( କୋଣାର୍କ), କୋଶମ୍ବ (ବାଲେଶ୍ଵର) ଓ କଳିଙ୍ଗନଗର । ତା'ଛଡ଼ା ଓଡ଼ିଶା ଇତିହାସରେ ଅନେକ ବନ୍ଦରମାନଙ୍କର ଉଲ୍ଲେଖ ରହିଛି । କମିଶନର ରେଭେନ୍ସାଙ୍କ ବିବରଣୀରୁ ଜଣାଯାଏ ଯେ 'ଅତୀତରେ ଚାନ୍ଦବାଲି ବନ୍ଦର ନୌବାଣିଜ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ଆଗାମୀ ଦିନରେ ଧାମରା - ଚାନ୍ଦବାଲି ; ଏକ ବନ୍ଦରର ମାନ୍ୟତା ପାଇଲେ ଆଧୁନିକ ନୌବାଣିଜ୍ୟ କ୍ଷେତ୍ରରେ ଏସିଆ ମହାଦେଶର ଏକ ପ୍ରମୁଖ ବନ୍ଦର ଭାବେ ଖ୍ୟାତି ଲାଭ କରିପାରେ । ଉପରୋକ୍ତ ବିଭିନ୍ନ ବନ୍ଦରରୁ ଯାତ୍ରା ଆରମ୍ଭ କରି ଓଡ଼ିଆ ନାବିକପୁଅ ପାଲଟଣା ନୌକା ସାହାଯ୍ୟରେ ଜଳପଥ ଦେଇ ବିଦେଶରେ ବ୍ୟବସାୟ ବାଣିଜ୍ୟ କାରବାର କରୁଥିଲା। ଇତିହାସ କହେ, ସେସମୟରେ ବାଣିଜ୍ୟ ପାଇଁ ବିଭିନ୍ନ ପ୍ରକାରର ବୋଇତ ବ୍ୟବହୃତ ହେଉଥିଲା । ଖ୍ରୀ.ଅ.୧୨୨୫ ରେ ତତ୍କାଳୀନ ଚୀନ୍ ଦେଶର ବୈଦେଶିକବାଣିଜ୍ୟ ଅଧ୍ୟକ୍ଷ -ଚାଉଜୁ କୁଆ, ଚୋ-ଫୋନ୍ ଚି ନାମକ ଗ୍ରନ୍ଥରେ ସେସମୟର ବଣିଜ, ଜାହାଜ ତଥା ନାବିକମାନଙ୍କର ପରିଚାଳନା ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ସେହିପରି ପାଇକ ଖେଦା ପୋଥିରେ ଅତୀତର ବାଣିଜ୍ୟ ଓ ବାଣିଜ୍ୟ ପାଇଁ ବ୍ୟବହୃତ ୯ପ୍ରକାର ପୋତର ବର୍ଣ୍ଣନା ରହିଛି । ନୌ-ଶାସ୍ତ୍ର ସମେତ ପ୍ରସ୍ତାବସିନ୍ଧୁ, ମନସାମଙ୍ଗଳ, ଜଗମୋହନ ରାମାୟଣ, ବ୍ରହ୍ମାଣ୍ଡପୁରାଣ ଆଦି କାବ୍ୟରେ ଅତୀତର ନୌ-ଜାହାଜ , ନିର୍ମାଣ ଶୈଳୀ, ନୌକାର ବିଭିନ୍ନ ଆକାର-ପ୍ରକାର ଓ ଗମନ କୁଶଳତା ଆଦିର ବର୍ଣ୍ଣିତ ବିଶଦ ବିବରଣୀ ଦେଖିବାକୁ ମିଳେ । ସେ ଯାହା ବି ହେଉ, ଅତୀତର ଓଡ଼ିଆ ଜାତି ଅତଳ ସାଗର ଲଂଘନ କରି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଦ୍ଵୀପଠାରୁ ଆରମ୍ଭ କରି ସୁଦୂର ରୋମ୍, ମଧ୍ୟପାରସ୍ୟ ଉପକୂଳ, ସିମିଳି ଓ ଲଙ୍କା ଆଦି ଦ୍ଵୀପ କୁ ଯାଇ ବାଣିଜ୍ୟ ବ୍ୟବସାୟ କରି ପ୍ରଚୁର ଧନରତ୍ନ ନେଇଁ ଫେରି ଆସୁଥିଲା ;ଏକଥା ପ୍ରାଚୀନ ତାଳପତ୍ର ପୋଥି ଏବଂ ପ୍ରସ୍ତର ଚିତ୍ର ଆଦି ଆମକୁ କହିଥାଏ । କବି କର୍ଣ୍ଣଙ୍କ-ଅଭିନ୍ନ ମଦନ ପାଲାରେ ମରହଟ୍ଟାମାନଙ୍କ ସହିତ ତତ୍କାଳୀନ ଉତ୍କଳୀୟଙ୍କ ବାଣିଜ୍ୟ କାରବାରର ଚିତ୍ର ଦେଖିବାକୁ ମିଳେ । ସେହିପରି ବ୍ରହ୍ମାଣ୍ଡ ପୁରାଣରେ-ଚିଲିକା ଦ୍ବୀପରୁ ଜାଭା, ମାଳୟ, ସିଂହଳ ପ୍ରଭୃତି ଦ୍ବୀପସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ବର୍ଣ୍ଣିତ । ପ୍ରାୟ ୧୦୦୦ ଖ୍ରୀ.ଅ. ବେଳକୁ ଓଡ଼ିଶାର ବଣିକମାନେ ମୋଟୁପଲ୍ଲୀ ବନ୍ଦରରୁ ଚୀନ୍ ଓ ଦକ୍ଷିଣ ପୂର୍ବ ଏସିଆ ସହିତ ବାଣିଜ୍ୟ କାରବାର କରୁଥିଲେ ବୋଲି ଐତିହାସିକ ମାନେ କୁହନ୍ତି।

                                            ସେହିପରି ଚୀନ ଦେଶ ସହ ବହୁ ପ୍ରାଚୀନ କାଳରୁ କଳିଙ୍ଗର ବାଣିଜ୍ୟ ଚାଲି ଆସୁଥିବା ବିଷୟରେ ଗ୍ରୀକ୍ ପରିବ୍ରାଜକ ମେଘାସ୍ଥିନିସ୍ କହିଛନ୍ତି । ସମ୍ଭବତଃ ଗଙ୍ଗରାଜତ୍ଵ କାଳରେ ଆଫ୍ରିକା ସହିତ ଉତ୍କଳର ନୌବାଣିଜ୍ୟ ସମ୍ପର୍କ ଥିବା କଥା କୋଣାର୍କ ମନ୍ଦିରରେ ଖୋଦିତ ଜିରାଫ ଚିତ୍ରରୁ ଅନୁମାନ କରାଯାଏ  ଏବଂ ପୁରୀ ଜଗନ୍ନାଥ ମନ୍ଦିରରେ ଖୋଦିତ ଜାହାଜ ଚିତ୍ର ମଧ୍ୟ ,ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରମାଣ ବହନ କରେ । ଆଜିର ଓଡ଼ିଶା ଏକ ମହାନ ଐଶ୍ଵର୍ଯ୍ୟମୟ ଇତିହାସ ପୃଷ୍ଠାରେ ଦଣ୍ଡାୟମାନ । ସେହି ଅତୀତ ଓଡ଼ିଶାର ଐତିହାସିକ ନୌବାଣିଜ୍ୟ-ପରମ୍ପରା ର ସ୍ମୃତିରେ ଆଜି କଟକର ଗଡ଼ଗଡ଼ିଆଘାଟରେ ପାଳିତ ହୁଏ, ଐତିହାସିକ "ବାଲିଯାତ୍ରା" । ସେହି ସ୍ମୃତିର ଅନୁଶୀଳନ ନିମିତ୍ତ ଆମେ ପିଲାମାନଙ୍କୁ ଗାଇବାକୁ କହିଥାଉ :- ଭାସିଯା ' ମୋର କାଗଜ ଡଙ୍ଗା, ଭାସିଯାଅା ... ... ...
   ଆଧୁନିକ ବିଜ୍ଞାନ ଓ କାରିଗରୀ କୌଶଳ ଦ୍ଵାରା ଆଜିର ନୌବାଣିଜ୍ୟ କ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇ ସାରିଛି । ତଥାପି ଆଜି ସମଗ୍ର ଓଡ଼ିଶାର ପୁରପଲ୍ଲୀ ସହରରୁ ଅତୀତର ସ୍ମୃତି ବହନକରି ହୁଳହୁଳି ହରିବୋଲ ସହ ଭାସିଆସେ କାର୍ତ୍ତିକ ପୂର୍ଣ୍ଣମୀର କୁହୁଡ଼ିଆ ସକାଳରେ, ଆ କା ମା ବୈ ର ସ୍ମୃତିମୟ ସୁମଧୁର ସ୍ୱର ...
     ମାଡ଼ିଦୁବା (ସାରଙ୍ଗଡ଼)
           କନ୍ଧମାଳ

ମୁଁ ପାଗଳ କହୁଛି

ରୁତେନ୍ଦ୍ର ସିଂ 
ମୁଁ ପାଗଳ କହୁଛି !                                    
ନାଁଟି ମୋହର ମତେ ତ ଅଜଣା
ସମସ୍ତେ ଡାକନ୍ତି ମତେ ପାଗଳ
ଚିରା- ପ୍ୟାଣ୍ଟ, ଫଟା-ସାର୍ଟ
ମୁଣ୍ଡେ ମୋ ମେଞ୍ଚେ କୁଂଚୁ କୁଂଚି ବାଳ
ଏଇ ରୁପେ ବେଶେ ମୁଁ ସଭିଙ୍କୁ ତ ଜଣା  ।।

ଲୋକେ କୁହନ୍ତି  !
ବୁଲା କୁକୁର ଙ୍କ ସାଥୀ ଯେ ମୁହିଁ
ଜାଣେନା କଣ ପାଈଁ ? କୁହନ୍ତି ଯେ କାଇଁ...
ଦୁର-ଦୁର,ଯା-ଯା ଶବ୍ଦ ଅଛି ମୋ ପାଈଁ ଯହିଁ
ହୀନ ମନ୍ୟତାର ଶିକାର ଯେ ମୁହିଁ  ।।


ହେଲେ ବି ଶିକାର ନାହି ମୋ ଦୁଃଖ
କାହିଁ କି ନା ଯେ ମୁଁ ଅଟେ ପାଗଳ
ନା ଅଛି ମୋ ପାଖେ ଘର-ଠିକଣା
ନା ଅଛି ମୋ ପାଖେ ଚିନ୍ତା-ପାଉଣା  ।।

ବାର ବୁଲା ଅଟେ ଏଇ ଫକୀର
ତା ପାଈଁ ନାହାନ୍ତି କଉ ସରକାର
ରାତି ପାଖେଈଲେ ,ରୋଡ-ସାଇଡ,ପାଖ-ଷ୍ଟେଶନ,ବସ -ଷ୍ଟାଣ୍ଡ ପାଲ୍ଟେ ତା ଘର  ।।


ହେ ଭଗବାନ !
ସୁଖ-ଦୁଃଖ ଭରା ଏଇ ଦୁନିଆ
ଉଚ୍ଚ ନୀଚ୍ଚ ,ଭେଦ-ଭାବ ,ଆପଣା-ପର
ମୁଁ କିଛି ତ ଜାଣେନା
ଦିନ କି ରାତି,ଖରା କି ବରଷା ,ଡର ଅବା ଭୟ କିଛି ତ ମାନେ ନା  ।।


ମୁଁ ମାନୁଛି  !                                                
କେବଳ ତମର ଅସ୍ତିତ୍ଵ କୁ
ତମର ଲୀଳା କୁ
ଯେଉଁଠି ମୁଁ ଆସିଛି ଅଳପ ଦିନ ର
ହେଇ କୁନିଆ  ।।
ମିତ୍ରପୁର ,ବାଲେଶ୍ୱର

ଈଶ୍ୱରଙ୍କ ମୃତ୍ୟୁ ପରେ ପରେ

କିଶୋର ପଣ୍ଡା
!!୧!!
ଈଶ୍ୱରଙ୍କ ମୃତ୍ୟୁ ପରେ ପରେ
ଧୂସର ହେଇଯିବ ପୃଥିବୀ
ଲୋପ ପାଇଯିବେ ସତ୍ୟ,ନ୍ୟାୟ, ଅହିଂସା                                           
ଆଦି, ଅଚଳ ପଇସା ପରି ଶବ୍ଦମାନେ
ଲିଭିଯିବ ନିଜ ତଳକୁ ଅନ୍ଧାର କରି 
ଦୀପ ପରି ଦିକିଦିକି ଜଳୁଥିବା ଧର୍ମର ଶିଖା !!

!!୨!!
ଆଛା କୁହ ତ 
ଏବେ କଣ ମଣିଷରକ୍ତକୁ
ଚଁ ଚଁ କରି ପିଇ ଯାଉନି ଧର୍ମ ?
ଧ୍ୱଂସ ହେଇ ଯାଇନି ଶାନ୍ତି ?
ହଜି ଯାଇନି ଐଶ୍ୱରୀୟ ସତ୍ତା ?
ବିପର୍ଯ୍ୟସ୍ତ ହେଇ ପଡିନି କି ମାନବତ୍ଵ ?
ଦେବତ୍ଵ ତ କେବେଠୁ ଭିନ୍ନକ୍ଷମ ।।

!!୩!!
ହେ ଈଶ୍ୱର !
ତୁମ ଅସ୍ତିତ୍ୱକୁ ବାରମ୍ବାର
ପୋଷ୍ଟମର୍ଟମ୍ କରି ସାରି
ଆମେ ଗାଇ ପାରୁ ସ୍ତୋତ୍ର                        
ଦେଖେଇ ପାରୁ ବ୍ରହ୍ମ
ମାଗିପାରୁ ତୁମ ନାମରେ ଚାନ୍ଦା
ବଖାଣି ପାରୁ ତୁମ ମହିମା ।।
ଆଉ ତୁମେ !
ଗୋଟେ ଅତୃପ୍ତ ଆତ୍ମା ପରି
କେବଳ ଘୂରି ବୁଲୁଥାଅ ଯାହା ।।

!!୪!!
ହଁ, ମୁଁ ଏବେ ନିଶ୍ଚିତ
ତୁମେ ମରି ସାରିଛ
ଅତୃପ୍ତ ଆତ୍ମା ପରି ଘୂରି ବୁଲୁଛ
ଡହଳବିକଳ ହେଇ,
ଆଉ ଆମେ ବଞ୍ଚୁଛୁ
ଈଶ୍ୱରଙ୍କ ମୃତ୍ୟୁ ପରର ପୃଥିବୀରେ ।।

ବାଲିକୁଦା,ଜଗତସିଂହପୁର

ବୋଉ ଓ ବହି

              କାମଦେବ ମହାରଣା 
                                      ଅନେକ ଦିନପରେ ଆଜି ବୋଉ କଥା ମନେ ପଡ଼ିଲା।ଇଚ୍ଛା ନଥାଇ ବି ଅନେକଙ୍କୁ ଭୁଲିବାକୁ ହୁଏ। ସୁଖରେ ଦୁଃଖରେବି।ମନେ ପଡ଼ିବା ଆଉ ଭୁଲିଯିବା,ସମୟର ଦୁଇଟି ସ୍ଵତଃ ଘଟିତ ଘଟଣା। କେହି ସ୍ନେହୀ ସନ୍ଦେହୀ ପ୍ରଶ୍ନ କରିପାରେ। କିଓ କଣ ହେଲା! ଘର ଭିତରର ପାଣି ପାଗ ଭଲ ନାହିଁ କି? ଫେସ୍ ବୁକ୍ ରେ ତୁମେ ରେଣୁଏ ବାଲି ପକେଇଲେ ପାହାଡ଼ଟିଏ ପାପୁଲିରେ ବୋହିବା ସାର । ଛାଡନ୍ତୁ.....ହଁ,ବୋଉ କଥା।

ବୋଉ ଥିଲା ଆମ ଗାଁ ର ବିଚିତ୍ର ପ୍ରାଣୀଟିଏ।ସପ୍ତାହକୁ ଛ' ଦିନ ଓଷା କରିବ । ତା' ପୂଜା ପାଠ ପାଇଁ  ପତ୍ର - ଫୁଲ - ଫଳ ଖୋଜି ଖୋଜି ମୋ ପିଲାଦିନଟା ଗଲା । ସେଥିରେ ପୁଣି ଗାଈ ଗୋବରର କାମ । ଯୋଗୀ ଭିକରୀଙ୍କୁ ନେଇ ତା'ର ଗୋଟେ ବିଚିତ୍ର ଉତ୍ସୁକତା । ତା' ଘରୁ କେହି ଖାଲି ହାତରେ ଫେରିବେନି। ତା' ସାଙ୍ଗକୁ ବହିପଢ଼ା ଓ ଗୀତବୋଲା । ପଚାଶ ଦଶକରେ ସେ ବାହା ହୋଇ ଆସି ଥିଲା ବାଲିଦୋକାନରୁ ବଡଗୋଲା । ପାଲା ଗାୟକ ବାପର ସାନ ଝିଅରୁ ଭଗିଆ ମହାରଣାର ସାନ ବୋହୂ ।
        କେତେ ପାଠ ପଢି ଥିଲା କେଜାଣି । ଯୋଡାଏ କାଳିଆ ଭୁସୁଣ୍ଡା ବୋଝିଆ ଅନ୍ୟ ଜାନି- ଯୌତୁକ ସାଙ୍ଗରେ ବୋହି ଆଣିଥିଲେ ପେଡିଏ ବହି । ସେଥିରେ ଛୁଞ୍ଚି କାମର କାନ୍ଥ ପଟି ସାଙ୍ଗରେ ଖୁଲଣା ସୁନ୍ଦରୀ,ସାହାଡ଼ା ସୁନ୍ଦରୀ, ଦାଢ୍ୟତା ଭକ୍ତି,ସୀତା ଚୋରି,ରାମ ବନବାସ,  ଜାତକ କାହାଣୀ ଇତ୍ୟାଦି ଇତ୍ୟାଦି ବହି। ସେ ନିଜେ ଥିଲା ଗୋଟେ ଗୀତ କ୍ୟାସେଟ୍ । ଥରେ ଚାଲୁ କରିଦେଲେ ଗଲା ।ବୋଉର ଟିକିଏ ଉଛୁର ହେଲେ କୁଆଁର ପୁନେଇଁ ରାତିିରେ ନାହାକ ଘର ବଡ ବୁଢ଼ା ପଚାରେ ତା' ସାନ ବୋହୂକୁ, ମା'- ବଢେଇ ଘର ସାନ ବୋହୂ
ଆଜି ଜହ୍ନ ଦାଣ୍ଡକୁ ଅାସିନି କି  !! ଆଜି ବୋଉ କାହିଁକି ମନେ ପଡ଼ିଲା କେଜାଣି !! 

ବୋଉ ଥିଲା ଆମ ଗାଁ ର ବିଚିତ୍ର ପ୍ରାଣୀ ଟିଏ।ସପ୍ତାହକୁ ଛ' ଦିନ ଓଷା କରିବ।ତା ପୂଜା - ପାଠ ପାଇଁ  ପତ୍ର - ଫୁଲ - ଫଳ ଖୋଜି ଖୋଜି ମୋ ପିଲାଦିନ ଟା ଗଲା।ସେଥିରେ ପୁଣି ଗାଈ ଗୋବର ର କାମ। ଯୋଗୀ ଭିକରୀଙ୍କୁ ନେଇ ତାର ଗୋଟେ ବିଚିତ୍ର ଉତ୍ସୁକତା।ତା ଘରୁ କେହି ଖାଲି ହାତରେ ଫେରିବେନି।
            ତା ସାଙ୍ଗକୁ ବହିପଢ଼ା। ଗୀତବୋଲା।
ପଚାଶ ଦଶକରେ ସେ ବାହା ହୋଇଆସିଥଲା ବାଲିଦୋକାନରୁ ବଡଗୋଲା।ପାଲା ଗାୟକ ବାପର ସାନ ଝିଅ ରୁ ଭଗିଆ ମହାରଣା ର ସାନ ବୋହୁ ।
        କେତେ ପାଠ ପଢିଥିଲା କେଜାଣି।ଯୋଡାଏ କାଳିଆ ଭୁସୁଣ୍ଡା ବୋଝିଆ ଅନ୍ୟ ଜାନି- ଯୌତୁକ ସାଙ୍ଗରେ ବୋହି ଆଣିଥିଲେ ପେଡିଏ ବହି।ସେଥିରେ ଛୁଞ୍ଚି କାମ ର କାନ୍ଥ ପଟି ସାଙ୍ଗରେ ଖୁଲଣା ସୁନ୍ଦରୀ,ସାହାଡ଼ା ସୁନ୍ଦରୀ, ଦାଢ୍ୟତା ଭକ୍ତି,ସୀତା ଚୋରି,ରାମ ବନବାସ,  ଜାତକ କାହାଣୀ ଇତ୍ୟାଦି ଇତ୍ୟାଦି ବହି।
      ସେ ନିଜେ ଥିଲା ଗୋଟେ ଗୀତ କ୍ୟାସେଟ୍।ଥରେ ଚାଲୁ କରିଦେଲେ ଗଲା।ବୋଉର ଟିକିଏ ଉଛୁର ହେଲେ କୁଆଁର ପୁନେଇ ରାତିିରେ ନାହକ ଘର ବଡବୁଢ଼ା ପଚାରେ ତା ସାନ ବୋହୂକୁ, ମା'- ବଢେଇଘର ସାନ ବୋହୁ 
ଆଜି ଜହ୍ନ ଦାଣ୍ଡ କୁ ଅାସିନି କି!!

          ଆଜି ବୋଉ କାହିଁକି ମନେ ପଡ଼ିଲା କେଜାଣି!!

ତିନି ଠାକୁର

 ରୀତା ଅପରାଜିତl ମହାନ୍ତି

ବେଳେ ବେଳେ ଭାରି ଅବାକ୍‌ ଲାଗେ                      
ଯଦି ଏଇ ତିନି ଠାକୁର ନ ଥା'ନ୍ତେ
ଆମେ ବୋଧେ ମଣିଷ ରୂପରେ ଜନ୍ମ ହେଇ ନଥାନ୍ତୁ
ବ୍ରହ୍ମl ତିଅlରି କଲେ ଭଗବାନ ବିଷ୍ଣୁ ପାଳନ କଲେ
ମହେଶ୍ବର ଦୁଷ୍ଟ ମାନଙ୍କୁ ଶେଷ କଲେ
ମୁଁ ଯେବେ ଛୋଟ ମୋ ମl' 
ମତେ ଶିଖେଇ ଥିଲେ ତିନୋଟି ଗୋଲ
ବଡ଼ ହେଲା ପରେ ବୁଝେ 
କେତେ ବ୍ୟlପକ ୟା'ର ଅର୍ଥ
ପ୍ରଭୁମାନେ ବି ଆମ ପରି 
ଭକ୍ତ ପାଇଁ କଷ୍ଟ ସହିଛନ୍ତି
ଯେବେ ଧରାକୁ ବିପଦ ଆସୁଛି
ସେ ବାରମ୍ବାର ଜନ୍ମ ନେଇଛନ୍ତି
ନାନା ରୂପରେ
ସବୁଠି ଏହି ତିନି ଠାକୁର ଅଛନ୍ତି
ଆମ ଆଖ ପାଖରେ
ସ୍ୱର୍ଗ ନର୍କରେ ବି
ଆମ କର୍ମ ଆମ ଭଲ ମନ୍ଦ ଠିକ୍‌ କରେ
ଏଇ ତିନି ଠାକୁରଙ୍କ ପାଖରେ ରୀତାର ଏତିକି କାମନl
ସମସ୍ତଙ୍କ ପୀଡ଼l ହରଣ କର

ଆମ୍ରପଲ୍ଲୀ, ଭୁବନେଶ୍ବର 

ମାଇପ ବୋଲିଆ ମୁଇଁ ??

ବ୍ୟଙ୍ଗ ଗୋସେଇଁ -ଅମ୍ଳାନ ପ୍ରହରାଜ
ଶାଶୁ ମାଆଙ୍କ ର     ମୁଣ୍ଡ ବଥେଇଲେ 
          ଦଉଡି ଯାଉଛି ମୁଇଁ।
ନିଜ ମାଆ ବୁଢ଼ୀ    ଜର ରେ କମ୍ପିଲେ
          ମୁହଁ ତାର ଚାହୁଁ ନେଇଁ।
          ଏମିତି ହଉଚି କାଇଁ,
ଲୋକେ ବୋଲୁଛନ୍ତି ମାଇପ ବୋଲିଆ
          ଗଲିଣି କୁଆଡେ ହୋଇ।
ନିଜ ଭାଇ ଯେବେ    ବେକାର ବସିଲା
          କରିଦେଲି ତାକୁ ଭିନ୍ନ।
ଶଳା ଟା କୁ ମୋର     ଚାକିରୀ ମିଳୁନି
          ଚିନ୍ତା ମୋର ରାତିଦିନ।
          ଏମିତି କାଇଁକି ମନ,
ଲୋକେ ବୋଲୁଛନ୍ତି ମାଇପ ବୋଲିଆ
          ଗୁଣ ବଢେ ଦିନୁଁ ଦିନ।
ବତିଶି ବର୍ଷିଆ           ଭଉଣୀ ବସିଛି
          ଘରେ ଅଭିଆଡୀ ହୋଇ।
ଶାଳୀ ଟା କୁ ମୋର     ଅଠର ପୂରିଲା
          ଆଖିରେ ମୋ ନିଦ ନାଇଁ।
          ତା ପେଇଁ ଖୋଜୁଛି ଜୋଇଁ,
ଲୋକେ କହୁଛନ୍ତି    ମାଇପ ବୋଲା ଙ୍କ
          ଚରମ ଲକ୍ଷଣ ଏଇ।
ବୁଢା ବାପା ଟା କୁ        ବ୍ରେନ ଟିଉମର
         ଜମା ନିଘା ନାଇଁ ମୋର।
ଶଶୁର ଙ୍କୁ ମୋର    ପାଇଲିସ ହୋଇଛି
        ଖୋଜେ ଏଫ.ଆର.ସି ଡାକ୍ତର।
        ଦେଖି ମତିଗତି ମୋର,
ଲୋକେ ବୋଲୁଛନ୍ତି   ମାଇପ ବୋଲିଆ
        କଲୋନୀ ରେ ମୋର ଘର।
ଭାଉଜ ଟା ମୋର       ଘରେ ଖଟି ଖଟି
        ପିନ୍ଧେ ସାତ ସିଆଁ ଶାଢ଼ୀ।
ଶଳା ଭାଉଜ ମୋ    ଅଟୋ ରେ ଯାଉଚି
        ଦୁଃଖ ପଡୁଅଚି ମାଡି।
        କିଣିଦେବି ସ୍କୁଟି ଗାଡି,
ଲୋକେ ବୋଲୁଛନ୍ତି    ମାଇପ ବୋଲିଆ
        ହେବା ପାଇଁ ସଦା ରେଡି।
ବାହା ହେଲା ପରେ      ନିଜ ଘର ଦୁଃଖ
         ସୁଖେ ହୁଏ ନାହିଁ ଭାଗୀ।
ଶଶୁର ଘର ଟା           ଗୋଟାକ ନିଜର
         କୁତ୍ତା ପରି ଅଛି ଜଗି।
         ଈଶ୍ୱର ଙ୍କୁ ବରମାଗି,
ଶାଶୁ,ଶଳା,ଶାଳୀ          ଶଶୁର ବୁଢ଼ାଙ୍କୁ
         ଘଣ୍ଟ ଘୋଡାଇବା ଲାଗି।
ଶଶୁର ଆଖିରେ           ଆଦର୍ଶ ଜ୍ବାଇଁ ମୁଁ
         ବାପ ଆଗେ କୁଳାଙ୍ଗାର।
ଭାରିଜା ମତରେ      ମୋତେ ଯେ ଖୁଣିବ
         ସେଟା ନପୁଂସକେ ସାର।
         ବୋଉ କହେ ବାରମ୍ବାର,
ମୁଁ କାଇଁପାଇଁ               ଝିଅ ହେଲିନେଇଁ
         ଦୁଃଖ ଘୁଞ୍ଚିଥାନ୍ତା ତା'ର ?
ଡ଼ିଆ, ନିରାକାରପୁର, ଖୋର୍ଦ୍ଧା 

ମା’ ତୁମ ହାତର ସ୍ପର୍ଶରେ

ବିକେଶ ସାହୁ 

ସତରେ ମା’
କି ଜାଦୁ ଅଛି କେଜାଣି 
ତୁମ ବାସନ ମଜା ,ଘର କାମକରା, ବେଶର ବଟା
ଯାବତିୟ କର୍ମ ଜଞ୍ଜାଳରେ ରାତିଦିନ ଅବିଶ୍ରାନ୍ତ 
ମାନଚିତ୍ରରେ ବିଛେଇ ହୋଇ ପଡିଥିବା ରେଖା ସବୁ ପରି ଦିଶୁଥିବା 
ଫାଟେଳି ନୁଖୁରା ହାତ ଦୁଇଟିରେ । 

ତା'ରି ସ୍ପର୍ଶରେ କାହିଁ ଉଭାନ ହୋଇଯାଏ 
ମୋ ମନର ପ୍ରତିଟି ଦୁଃଖ ଓ ଯନ୍ତ୍ରଣା
ଦିନ ତମାମର ସବୁ ମାନସିକ ବୋଝ 
ଲାଗେ ଯେମିତି ଏକା ସାଙ୍ଗରେ ଓହ୍ଲେଇ ପଡେ 
ପୁଣି ବିଶ୍ରାମ ଲୋଡୁଥିବା ମୋ ସର୍ବାଙ୍ଗ ଶରୀର
କୋଉଠୁ  କେଜାଣି ଶତ ସିଂହର ବଳ ପାଇ ଯାଏ । 

ଆଉ ମୁଁ 
ଫେରିଯାଏ ଧୀରେ ଧୀରେ 
ମୋର ସେଇ ଅତୀତର ପିଲା ଦିନକୁ 
ଆଉ ସାଜି ଯାଏ ସବୁ କିଛି ଭୁଲି ତୁମ ଠାରେ 
ତୁମ ସେଇ ଜିଦିଆ , ଅବୁଝା  ଚଗଲା ପୁଅଟେ 
ଯିଏ ଖେଳୁଥିଲା ,ହସୁ ଥିଲା 
କେତେ ଯେ ପିଲାଳିଆମି  ଆଉ ଦୁଷ୍ଟାମିର  
ସୀମା ରେଖା ପାର କରିଯାଉଥିଲା  .। 

ହେଲେ ତୁମେ 
ସବୁ କିଛିକୁ ସହି ଯାଇ  ହସି ଦଉଥିଲ
ପୁଣି ମୋ ମୁଣ୍ଡକୁ ତୁମ କୋଳରେ ଥୋଇ 
ବୋଲି ଦଉଥିଲ ତୁମ ଅସରନ୍ତି ସ୍ନେହ ,ପ୍ରେମ ଆଉ ମମତା 
ଏଇ ହାତରେ । 

ସତରେ ମା’
ଆଜି ପୁଣି ଫେରିଯିବାକୁ ଇଚ୍ଛା ହୁଏ 
ସେଇ ଅତୀତର ପିଲା ଦିନକୁ 
ତୁମ ସେଇ ଚିରା ପଣତ କାନିର  ଛାଇକୁ 
ସେଇ ସ୍ନେହ , ପ୍ରେମ ଆଉ ଭଲପାଇବାରେ ଭରପୁର 
ନାଆ ନ ଥିବା ଟିକି ରାଇଜକୁ 
ଯଉଠି ଥିବ ତୁମେ 
ଆଉ ତୁମ କୋଳରେ ମୋ ମୁଣ୍ଡ ରଖି 
ଶୋଇ ପଡିଥିବି ମୁଁ 
ସେମିତି ଚିର ନିଦ୍ରାରେ 
ଯେ ଯାଏଁ କୋଳେଇ ନ ନେଇଛି ମୃତ୍ୟୁ ମୋତେ । 

ମା’ଙ୍କ ଚରଣ କମଳରେ