12/03/2018

ଶୂନ୍ୟ ପଞୁରୀ

ସସ୍ମିତା ମହାପାତ୍ର
ଶୂନ୍ୟ ପଞୁରୀକୁ ଆଦରିଲି,
ଯେବେ ଆନନ୍ଦେ ରହିବା ପାଇଁ ।
ସବୁ ଦ୍ବାର ଖୋଲା ହେଲେ ଯିବାପାଇଁ,
ପଥ କାହିଁ ପାଉ ନାହିଁ ।।
ପୂତି ଗନ୍ଧମୟ ପଞୁରୀ ବାହାରୁ ଦେଖି ଲାଗିଲା ସୁନ୍ଦର ।
ସେ ଲାଗି ମାଗିଣ ପଳାଇ ଆସିଲି ଛାଡି  ସେ ଘନ କନ୍ଦର।।
ତାତ ମାତ କେତେ କରିଲେ ଆକଟ ଯିବାକୁ କୁହନା ତୁହି ।
ଯେ ଲାଗି ଯିବାକୁ ବଳାଇଛୁ ମନ କିଛି ନ ମିଳିବ ତହିଁ ।।
କେତେ ପ୍ରଯତନ କରି ସତକାର ତାତଙ୍କୁ ଗୁହାରୀ କରି ।
ମାତାଙ୍କୁ ସ୍ନେହରେ ବିଦାୟ ମାଗିଣ ଘରୁ ଆସିଲି ବାହାରି ।।
ପ୍ରକୃତିର ଶୋଭା ଅତି ମନଲୋଭା ଦେଖି ଆନନ୍ଦିତ ହୋଇ ।
ଖେଳିଲି ବୁଲିଲି ମଧ୍ୟେ ହଜିଗଲି ମାୟା ରଙ୍ଗ ବୋଳି ହୋଇ ।।
ଖଣ୍ଡି ଉଡା ଦେଲି ଡାଳରୁ ପାହାଡ ଝରଣା ନଦୀର କୂଳେ ।
କେତେ ପ୍ରଜାପତି ସାଥେ କରି ସାଥୀ ଖେଳିଲି ଯେ ସରାଗରେ ।।
ଅଗ୍ନି ହୁତାଶନେ ଜଳିଗଲା ପର ପଡିଲି ଧରଣୀ କୋଳେ ।
ତାତ ମାତା କଥା ଅପରାହ୍ନେ ବସି ଭାବେ ଏକା ପଞୁରୀରେ ।।
କିମ୍ପାଇଁ ଆସିଲି ଛନ୍ଦରେ ଫସିଲି ଥିଲି କେତେ ଆନନ୍ଦରେ ।
ସବୁ ଥିଲା ଶୂନ୍ୟ ଅଭାବରେ ଭାବ ରହିଥିଲି ଗୁପତରେ ।।
କା ଡାକରେ ତେଜି ଆସିଲି ମହନେ ଦହନ ହେବାର ଲାଗି  ।
କାହିଁ ସେ ଗମିବ ଅବା ଘେନିଯିବ ପଞୁରୀକୁ ଦେବ ଭାଙ୍ଗି ।।
ନିତି ମନେ ବତୀ ଜାଳେ ଦିନରାତି ଗଣେ ବସି ଶେଷ ଘଡି ।
ଅଣଚାଶ ବେଗେ ଆସିବ କି ଯୋଗେ ତାତପୁରେ ଯିବି ଉଡି ।।
ଉଡିଛି ଯେତିକି ପଡିଛି ସେତିକି ପାଇଛି ତହୁଁ ଅଧିକା ।
ନିଅ ତାତମାତ କରି ମତେ ମୁକ୍ତ ଡାକେ ପାରା ବସି ଏକା ।।
ରହିଥବି ସୁଖେ ଗାଉଥିବି ମୁଖେ ଚିନ୍ତା ନ କରିବି ଲବେ ।
କରିଦିଅ ମୁକ୍ତ ଯିବାର ଦ୍ବାରଟି ଆଉ ନ ଆସିବି କେବେ ।।
                                                                   ପୁରୁଣା ଭୂବନେଶ୍ବର

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।