12/03/2018

ବମ୍ବେଇ ଲଡ଼ୁ

ସତ୍ୟଜିତ ସ୍ୱାଇଁ
"ବମ୍ବେଇ ଲଡ଼ୁ, ବମ୍ବେଇ ଲଡ଼ୁ"

ଏଇ ଡ଼ାକ ଶୁଣିବାମାତ୍ରେ "ସାଗରୀକା" ଦାଣ୍ଡକୁ ଧାଇଁଯାନ୍ତି | ବାପା ମା'ଙ୍କର ଗୋଟିଏ ବୋଲି ଝିଅ, ଭାରି ଗେଲ୍ହା, ପୁରା ରାଜଜେମା ପରି ବଢ଼ିଛନ୍ତି | ମନ ଭରି ଲଡ଼ୁ ଖାଇବାପରେ ବେପାରୀକୁ ଛାଡ଼ନ୍ତି | ବେପାରୀବି ଜାଣିଛି, ଏଇ ଘରକୁ ଆସିଲେ ଭଲ ବେପାର ହେବ | ଗାଁ'ସ୍କୁଲରେ ପାଠ ପଢ଼ିସାରିବାପରେ ସାଗରୀକା ସହରରେ ଯାଇ କଲେଜରେ ପଢ଼ିଛନ୍ତି ଆଉ ସେଠି ଜଣେ ଶିଳ୍ପପତିଙ୍କୁ ବିବାହ କରିଛନ୍ତି |

  ସମୟ ତ' ଆଖି ପିଛୁଳାକେ ବିତିଯାଏ | ସାଗରୀକାଙ୍କ' ଝିଅ "ସାନ୍ୟା" ଏବେ ଚାରି ବର୍ଷର ହୋଇଗଲାଣି | ପ୍ଲେ ସ୍କୁଲରେ  ପଢ଼ୁଛି | ଆଜିକାଲିର ଧାଁ ଧଉଡ ଭରା ଜୀବନରେ ପିଲାମାନଙ୍କୁ ସମ୍ଭାଳିବାକୁ ବାପା ମାଆଙ୍କ'ପାଖରେ ଆଉ ସମୟ ନାହିଁ | ସେମାନଙ୍କ ଯାଗା ନେଇଛି ପ୍ଲେ ସ୍କୁଲ | ସବୁଦିନ ଝିଅକୁ କାରରେ ନେଇ ସ୍କୁଲରେ ଛାଡ଼ିବା ଆଉ ଆଣିବା କାମ କରନ୍ତି ସାଗରୀକା | ଦିନେ ଝିଅକୁ ଧରି ଫେରିବାବେଳେ ଗାଡ଼ି କାଚବାଟେ ରାସ୍ତାକୁ ଦେଖି ସାଗରୀକା ଭାବୁଥିଲେ, "ସତରେ ସମୟଟା କେତେ ଜୋରରେ ଧାଉଁଛି ଆଉ ତା'ସାଥିରେ ଏଇ ଲୋକମାନେ |" ଖୋଜୁଛନ୍ତି ସୁଖ ଓ ଶାନ୍ତିରେ ବଞ୍ଚିବାର ରାହା, କିନ୍ତୁ ଟଙ୍କାପଇସାରେ କ'ଣ ମିଳିପାରେ ସୁଖ? ଗାଁ'ର ସେଇ ଆମ୍ବତୋଟା, ସାଙ୍ଗହୋଇ ନଈକୁ ଯାଇ ଗାଧୋଇବା, ପର୍ବପର୍ବାଣୀରେ ବନ୍ଧୁବାନ୍ଧବ ଘରକୁ ଯିବା, ପିଠାପଣା, କୁଆଁର ପୁନେଇଁରେ ସେଇ ପୁଚିଖେଳ ଆଉ ରଜଦୋଳି, ସବୁ ଯେମିତି ସମୟ ସାଥିରେ ହଜିଯାଇଛି, ଆଉ ମଣିଷ ମେସିନ ସାଥିରେ ମେସିନ ପାଲଟିଯାଇଛି ଆଉ ସିମେଣ୍ଟ କଂକ୍ରିଟରେ ତିଆରି ବହୁତଳ କୋଠାରେ ଖୋଜୁଛି ସୁଖ | ହଠାତ ଟ୍ରାଫିକ ସିଗନାଲରେ ରେଡ ଲାଇଟ ଜଳିବାରୁ ଗାଡ଼ି ଅଟକି ଗଲା | ଗାଡ଼ି ଅଟକିବାରୁ ସାଗରୀକା ସପନର ରାଇଜରୁ ବାସ୍ତବ ଦୁନିଆଁକୁ ଫେରି ଆସିଲେ |

   ଏଇ ସମୟରେ ଘଣ୍ଟି ଶବ୍ଦ ସହ ଶୁଣାଗଲା, "ବମ୍ବେଇ ଲଡ଼ୁ, ବମ୍ବେଇ ଲଡ଼ୁ " | ପାଗେଳୀ ପରି ଗାଡ଼ିରୁ ଓଲ୍ହେଇ ଧାଇଁଗଲେ ସାଗରୀକା | ଡ୍ରାଇଭର ଆଉ ସାନ୍ୟା ତାଙ୍କୁ ବଲବଲ ହୋଇ ଚାହିଁଥାନ୍ତି | ହାତରେ ଦୁଇଟି ବମ୍ବେଇ ଲଡ଼ୁର ପ୍ୟାକେଟ ଧରି ଗାଡ଼ିରେ ଆସିବସିଗଲେ ସାଗରୀକା | ଓଠରେ ହସର ଜୁଆର ଖେଳିଯାଉଥାଏ | ଛୋଟ ଝିଅ ସାନ୍ୟା ବଲବଲ ହୋଇ ମା'ଙ୍କ ମୁହଁକୁ ଚାହିଁପଚାରିଲା, "ମାମା', ଏଇଟା କ'ଣ? " ସାଗରୀକା ଭାବବିହ୍ୱଳ ହୋଇ କହିଲେ, "ଏଇ ତ' ତୋ' ମାମାର ସବୁଠୁ ପ୍ରିୟ, ତା' ପିଲାଦିନର ସାଥି " ବମ୍ବେଇ ଲଡ଼ୁ"  | ନିଜେ ଖାଇ ଝିଅ ପାଟିକୁ ବଢ଼ାଇଦେଲେ ସାଗରୀକା | "ମାମା,ଇଟ ଇଜ ସୋ ୟମୀ" | ସାଗରୀକା ହସି ଉଠିଲେ | ସିଗନାଲ ଗ୍ରୀନ ହୋଇଯାଇଥିଲା ଆଉ ଗାଡ଼ି ଘରକୁ ଯିବା ପାଇଁ ଆଗକୁ ବଢ଼ିଗଲା  |
ଅଡ଼ଶପୁର, କଟକ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।