12/06/2020

ବର୍ଷା ଏକ ସୁନ୍ଦର ଅନୁଭବ ।

 ସଂଗ୍ରାମ କେଶରୀ ରାଉତରାୟ 
    ସଭାପତି - ଉଦୟ ଭାନୁ
                 ବର୍ଷା ଏକ ସୁନ୍ଦର ଅନୁଭବ । ସୃଷ୍ଟିର ମୂଳାଧାର , କବିର କଳ୍ପନା , ମନର ମିତ । ତାକୁ ନେଇ ରଚନା ଏକ ଆଚମ୍ବିତ ସୃଷ୍ଟି । ସମସ୍ତ ଲେଖା ଗୁଡିକ ମର୍ମସ୍ପର୍ଶୀ । ପ୍ରତ୍ୟେକ ଲେଖା ପଢି ସର୍ବଶ୍ରେଷ୍ଠ ଲେଖାଟିଏ  ଚୟନ କରିବା କଷ୍ଟକର ... ତଥାପି ବିଚାରକ ମଣ୍ଡଳୀ ଦ୍ୱାରା ଚୟନ ହୋଇଛି ଶୁଭ୍ରଜିତା ଶୁଭଦର୍ଶୀନୀ ଙ୍କ ଗଳ୍ପଟି ଯାହା ମାନପତ୍ରର ମାନ୍ୟ ପ୍ରାପ୍ତ କରିଛି ।ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଁ ସାଧୁବାଦ ଜଣାଉଛି। ଆଶା କରୁଛି କେବେ ବି ଜୀବନରେ ହତୋତ୍ସାହିତ ନହୋଇ ସଦା ସର୍ବଦା ପ୍ରତିଯୋଗୀ ମନବୃତି ନେଇ ଆଗାମୀ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିବେ। ଆପଣଙ୍କ ଅଂଶଗ୍ରହଣ ଆମ ପାଇଁ ପ୍ରେରଣା।
ଜୟ ସାହିତ୍ୟ, ଜୟ ସମାଜ

ଏକ ଟିପ୍ପଣୀ

ଦେବଯାନୀ ଦାସ
                      ଥିମ୍‌ 'ବର୍ଷା' କୁ ନେଇ ଏଥର ଗଳ୍ପ ପ୍ରତିଯୋଗିତାରେ ଯେଉଁ ଗଳ୍ପ ସବୁ ଆସିଥିଲା ସେ ମଧ୍ୟରୁ ଅନେକଙ୍କ ପ୍ରୟାସ ଅଭିନନ୍ଦନୀୟ। କେତେଟି  ଗଳ୍ପ ସମାନ୍ତର ମାନ୍ୟତା ରଖୁଥିଲେ। ଏଥି ମଧ୍ୟରୁ ଶୁଭ୍ରଜିତା ଶୁଭଦର୍ଶିନୀଙ୍କର ଗଳ୍ପ "ଶ୍ରାବଣର ଧାରା"କୁ ଶ୍ରେଷ୍ଠ ଗଳ୍ପ ରୂପେ ନିର୍ବାଚିତ କରିଛୁ। ଗଳ୍ପଟିର ବିଷୟବସ୍ତୁ , ଲେଖାର ଶୈଳୀ, ଓ ଗତିଶୀଳତା ବେଶ୍ ଭଲ। ଅଭିନନ୍ଦନ ଶୁଭ୍ରଜିତା ଶୁଭଦର୍ଶିନୀ। ଏବେ ଗୋଟିଏ କଥା ଉଲ୍ଲେଖ ନ କଲେ ବୈଚାରିକ ଧାରା ଅସମାପ୍ତ ହେବ। ଆସିଥିବା ଗଳ୍ପ ମାନଙ୍କ ମଧ୍ୟରୁ "ବର୍ଷା, ମୌସୁମୀ, ଆକାଶ" ଏକ ଉଦ୍ଧାର ଆଣିଥିବା ଗଳ୍ପ। ଏ ଗଳ୍ପଟିର ଲେଖକ Guyde Maupassant , ଗଳ୍ପଟିର ନାମ "The necklace"। ଏ ଗଳ୍ପଟି ନବମ ଶ୍ରେଣୀରେ ୯୮ ବ୍ୟାଚରେ ପଢା ହେଉଥିଲା ଏବଂ +୩ରେ ୨୦୦୧ ରୁ ୨୦୧୦ ପର୍ଯ୍ୟନ୍ତ ଇଂରାଜୀ ବହିରେ ଥାଇ ପିଲାମାନେ ପଢୁଥିଲେ। ବର୍ଷାକୁ ନେଇ ଦୁଇ ଚାରୋଟି ଶଦ୍ଦ ଏଥିରେ ଯୋଡ଼ି ଲେଖକ ଚତୁରତାର ପରିଚୟ ଦେଇଛନ୍ତି। ତେଣୁ ଏ ଗଳ୍ପଟିକୁ ଆମେ ବିଚାରର ପରିସରଭୁକ୍ତ କଲୁ ନାହିଁ। ଏସବୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ସାରସ୍ବତ ସାଧକଙ୍କୁ ଅନୁରୋଧ ଦୟାକରି କାହାରି ଲେଖାକୁ କପି କରନ୍ତୁ ନାହିଁ। ମୌଳିକ ଲେଖା ଲେଖିବାକୁ ଚେଷ୍ଟା କରନ୍ତୁ। କାହାରି ଲେଖା କପି କରି ନିଜ ନାମ ଦେବା ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ନୁହେଁ, ବରଂ ଅପମାନ। ଏଥିପ୍ରତି ସଚେତନ ରୁ‌ହନ୍ତୁ ନଚେତ୍ ଆପଣଙ୍କ ପ୍ରୟାସ ବୃଥା ପ୍ରତିପାଦିତ ହେବ। ସମସ୍ତ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ। ଲେଖନୀ ସମୃଦ୍ଧ ଓ ଶାଣିତ ହେଉ। ସମସ୍ତେ ସୁସ୍ଥ ଓ ନିରାପଦ ଥାଆ
 ଜୟ ସାହିତ୍ୟ, ଜୟ ସମାଜ

12/04/2020

ପ୍ରିୟଦର୍ଶିନୀ ଓ ଜ୍ୟୋତ୍ସ୍ନା ସିଂହଙ୍କ ବ୍ୟଙ୍ଗ କବିତା ଏକ ଆଲୋଚନା

କଣ୍ଡୁରୀ ଚରଣ ରାଉତ
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ସଂପ୍ରତି ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ତଥା ସାହିତ୍ୟିକମାନଙ୍କୁ ଏ ଦିଗରେ ଅନୁପ୍ରେରିତ କରିବାପାଇଁ "ଉଦୟଭାନୁ ସାହିତ୍ୟ ପରିବାର" ପକ୍ଷରୁ ଆୟୋଜିତ ସାପ୍ତାହିକ ସାହିତ୍ୟ ପ୍ରତିଯୋଗିତା ଏକ ପ୍ରଶଂସନୀୟ ପଦକ୍ଷେପ ।ସେଇ କ୍ରମରେ ଏ ସପ୍ତାହର ବିଷୟବସ୍ତୁ ଥିଲା 'ସାଂପ୍ରତିକ ପରିସ୍ଥିତିରେ ରାଜନେତାଙ୍କ ଭୂମିକା'କୁ ନେଇ ବ୍ୟଙ୍ଗ କବିତା । ବ୍ୟଙ୍ଗ କବିତା ମୁଖ୍ୟତଃ ହାସ୍ୟରସଧର୍ମୀ ଓ ଉପହାସମୂଳକ ।ସେଥିପାଇଁ ତାହା ପାଠକମାନଙ୍କୁ ଆକୃଷ୍ଟ କରେ ।ତାହାକୁ ହସେଇ,ରସେଇ,ବାଗେଇ,ଚୁନେଇ ବ୍ୟଞ୍ଜନାମୟ ବାକ୍ୟରେ ଏମିତି ପରିବେଷଣ କରାଯାଏ ଯେ ପାଠକ ନ ହସି ରହିପାରେନି  ।ଏଥିରେ ବ୍ୟକ୍ତି ଓ ସମାଜକୁ ସୁଧାରିବାପାଇଁ ବାର୍ତ୍ତା ବି ରହିଥାଏ ।ପ୍ରତିଯୋଗିତାରେ  ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାଦର ଶୁଭ କାମନା ଓ ଯୁଗ୍ମଭାବେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରିୟଦର୍ଶିନୀ ସାମନ୍ତରାୟ ଓ ଜ୍ୟୋତ୍ସ୍ନା ସିଂହଙ୍କୁ  ଶୁଭ ଅଭିନନ୍ଦନ ।
 ସାଂପ୍ରତିକ ରାଜନେତାମାନେ ନିଜକୁ ଜନତାର ସେବକ ବୋଲି ଯେତେ କୁହାଗଲେ ବି ସେମାନେ ଯେ କେବଳ ନିଜର ବ୍ୟକ୍ତିଗତ ଓ ଦଳୀୟ ସ୍ବାର୍ଥ ସାଧନରେ ବ୍ରତୀ ଏକଥା ଊଣା ଅଧିକେ ସମସ୍ତେ ଅବଗତ । ସାଂପ୍ରତିକ ରାଜନୀତି ଓ ରାଜନେତାଙ୍କ ସଂପର୍କରେ ଜଣେ ପ୍ରାବନ୍ଧିକ ତାଙ୍କ  ପୁସ୍ତକରେ ଲେଖିଛନ୍ତି- "ରାଜନୀତି ଏବେ ଗଳାକଟା ପ୍ରତିଯୋଗିତା ଓ ଶଠତାର ଖେଳ ।ରାଜନୀତି କରିବାକୁ ହେଲେ ମୋଟା ଚମଡ଼ା ଓ ଆପାତ ବୁଦ୍ଧି ଦରକାର ।ସବୁ ମିଥ୍ୟାକୁ ସତ୍ୟରେ, ସବୁ ସତ୍ୟକୁ ମିଥ୍ୟାରେ ପରିଣତ କରିପାରିବାର ଅସାଧାରଣ କ୍ଷମତା ଦରକାର ।ସମସ୍ତ ଜଟିଳ ପରିସ୍ଥିତି ଓ ସମସ୍ୟାକୁ ଅତି ସରଳ ଏବଂ ସରଳ ପରିସ୍ଥିତିକୁ ଅନ୍ୟପାଇଁ ଜଟିଳ କରିପାରିବାର ବ୍ୟୁହ ରଚନା କ୍ଷମତା ନ ଥିଲେ କେହି ବାସ୍ତବରେ ସାର୍ଥକ ନେତା ହୋଇପାରିବ ନାହିଁ ।"ଖୁବ୍ ସୁନ୍ଦର କଟାକ୍ଷ କରିଛନ୍ତି ସେ ରାଜନେତାମାନଙ୍କୁ ତାଙ୍କ ଲେଖାରେ ।
 ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଦୁଇଟିଯାକ କବିତା ସାଂପ୍ରତିକ ରାଜନୈତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟକୁ ନେଇ ରଚିତ ।କବୀ ପ୍ରିୟଦର୍ଶିନୀ ସାମନ୍ତରାୟ ତାଙ୍କ  'ଜୟ ଜୟ ଜୟ ନେତା ହେ' କବିତାରେ ସଂପ୍ରତି ନେତାଙ୍କ ଚରିତ୍ର ଚିତ୍ରଣ କରିଛନ୍ତି ।ରାଜନୀତି ଆଜି ଅସାଧୁ ଓ ଖଳ ଲୋକଙ୍କ ଚରାଭୂଇଁ ପାଲଟିବା ସହିତ ସେମାନଙ୍କ ସ୍ବାର୍ଥାନ୍ବେଷୀ ମନୋଭାବ କବୀଙ୍କୁ ବ୍ୟଥିତ କରିଛି ।ସଚ୍ଚୋଟ ଓ ସାଧୁ ଲୋକ ରାଜନୀତିକୁ ଆସିଲେ ଏ ଅବସ୍ଥାରେ ପରିବର୍ତ୍ତନ ହେବା ସହିତ ସମାଜର କଲ୍ୟାଣ ସାଧିତ ହୋଇପାରନ୍ତା ବୋଲି ସେ  ଆଶାବ୍ୟକ୍ତ କରିଛନ୍ତି ।କବୀ ଜ୍ୟୋତ୍ସ୍ନା ସିଂହ କିନ୍ତୁ ସାଂପ୍ରତିକ କୁଟିଳ ରାଜନୀତି ଉପରେ ଆଲୋକପାତ କରିଛନ୍ତି ।ସେଥିରେ ଦଳୀୟ କର୍ମୀ,ନେତାଙ୍କ ବଚସ୍କର,ଅନୁଗତ,ସମର୍ଥକ ଓ ପ୍ରଶଂସକ ବ୍ୟକ୍ତିଗତ ତଥା ଦଳୀୟ ସ୍ବାର୍ଥ ସାଧନରେ  ବ୍ରତୀ।କଳେବଳେ କୌଶଳେ କୁଚକ୍ରୀ ଦୁର୍ଯ୍ୟୋଧନମାନେ ଶାସନ ଗାଦି ଅକ୍ତିଆର କରିବାରେ ବ୍ୟସ୍ତ ।ଏବେବି ପାଞ୍ଚାଳୀ ରାଜରାସ୍ତାରେ ବିବସନା ହୁଏ ।ଅନ୍ୟାୟ,ଅନୀତି,ଦୁର୍ନୀତି,ଭ୍ରଷ୍ଟାଚାର,ଦାଦାଗିରି,ଲାଞ୍ଛନା,ବଳାତ୍କାର ଆଦିରେ ସାଧାରଣ ଜନତା ତଳିତଳାନ୍ତ । ଦଳୀୟ ରାଜନୀତିରେ ନିର୍ବାଚନ ବୈତରଣୀ ପାରି ହେବାପାଇଁ ନେତା କିଭଳି କଳା କୌଶଳ ଅବଲମ୍ବନ କରନ୍ତି ଓ ଜନତାଙ୍କୁ ଯୋଡ଼ହସ୍ତ ହୋଇ ଭୋଟ୍ ଭିକ୍ଷା କରନ୍ତି ,ସେ କଥା ଦୁଇଟିଯାକ କବିତାରେ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣିତ ।ସାଂପ୍ରତିକ ରାଜନୀତିରେ ଥିବା ଦୋଷଦୁର୍ବଳତାକୁ ଦର୍ଶାଇବାରେ ଭରପୂର ପ୍ରୟାସ କରିଛନ୍ତି ଦୁଇ ସାରସ୍ବତ ସ୍ରଷ୍ଟା ।
ଅବଶ୍ୟ କବିତାକୁ ଆଉ ଟିକେ ରସସିକ୍ତ କରାଯାଇ ପାରିଥାଆନ୍ତା । ଶବ୍ଦ ସଂଯୋଜନା ଓ ଯତିପାତ ଉପରେ ଦୃଷ୍ଟି ଦେଇଥିଲେ କବିତା ଅଧିକ ଶ୍ରୁତିମଧୁର ହୋଇଥାନ୍ତା ।କେତେକ ପାଦର ଅକ୍ଷର ସଂଖ୍ୟା ବି ସମାନ ନୁହେଁ । ତା' ଛଡ଼ା ମୋବାଇଲରେ ଲେଖିଲାବେଳେ କେତେକ ବନାନଗତ ଅଶୁଦ୍ଧି ରହୁଛି ।ପୋଷ୍ଟ କରିବା ପୂର୍ବରୁ ସେ ସବୁକୁ ଭଲ ଭାବେ ଯାଞ୍ଚ କରିନେବା ନିହାତି ଆବଶ୍ୟକ ।ଆଶା କରେ ଏଥିପ୍ରତି ଆଗକୁ ନିଶ୍ଚୟ ସଚେତନ ହେବେ ।ପରିଶେଷରେ ଦୀପାବଳିର ଶୁଭେଚ୍ଛା ସହିତ ପୁଣି ଥରେ କୃତଜ୍ଞତାପୂର୍ଣ୍ଣ  ଅଭିନନ୍ଦନ ଜଣାଇବା ସହିତ ଉଭୟଙ୍କର ସାରସ୍ବତ ଜୀବନର ସମୃଦ୍ଧି କାମନା କରୁଛି ।
ଜୟ ସାହିତ୍ୟ, ଜୟ ସମାଜ

12/03/2020

ବିଚାରଧାରା

ଡକ୍ଟର ଲକ୍ଷ୍ମଣ ସାହୁ 
ଉଦୟ ଭାନୁର ବ୍ଯଙ୍ଗକବିତା ରଚନା ପ୍ରତିଯେଗିତାରେ ଆସିଥିବା ସମସ୍ତ ଆଲେଖ୍ଯ ହୃଦୟଗ୍ରାହୀ ;। କିନ୍ତୁ ବିଷୟକୁ ମେଳ ଖାଇଲା ପରି ଲେଖା ପ୍ରାୟ କମ୍‌ ଆସିଥିଲା । ଥିମ୍‌ ଥିଲା - "ସାମ୍ପ୍ରତିକ ପରିସ୍ଥିତିରେ ରାଜନେତାଙ୍କୁ ଭିତ୍ତି କରି ବ୍ଯଙ୍ଗକବିତା ରଚନା" , କିନ୍ତୁ ପ୍ରାୟ ସମସ୍ତ ଲେଖା ବଳିଷ୍ଠ ଥିଲେ ବି ବ୍ଯଙ୍ଗ ଅଭାବ । ଯେଉଁ କେତୋଟି ଲେଖା ହାତଗଣତିରେ ବ୍ଯଙ୍ଗକବିତା ଭାବେ ଥିଲା ତାହା ଏତେ ଆକୃଷ୍ଟ କରିପାରି ନଥିଲା ଆମମାନଙ୍କୁ । ସେଥିରୁ ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଆଲେଖ୍ଯ "ଜୟ ଜୟ ଜୟ ନେତା ହେ'" ଏବଂ ଜ୍ଯୋତ୍ସ୍ନା ସିଂହଙ୍କ ଆଲେଖ୍ଯ - "ସାମ୍ପ୍ରତିକ ରାଜନୀତି" କିଛି ପରିମାଣରେ ଆକୃଷ୍ଟ କରିପାରିଲା । ଜ୍ଯୋତ୍ସ୍ନା ସିଂହଙ୍କ ଲେଖା ବ୍ଯଙ୍ଗର ସାମାନ୍ୟ ଝଲକ ଥିଲା ହେଲେ ରାଜନୀତି ପାଇଁ ଏକ ସୁନ୍ଦର ଆଲେଖ୍ଯ । ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଆଲେଖ୍ଯ ଶାଣିତ ବ୍ଯଙ୍ଗ ପ୍ରହାର ଆଜିର କୂଟନୈତିକ ରାଜନୀତିର ପ୍ରକୃତ ପ୍ରମାଣ ଦେଉଥିଲା । ତେଣୁ ଉଭୟଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା । 
  ଆଜିକାର ରାଜନୀତି ରଣନୀତି ସଦୃଶ , ସେଇ ରଣନୀତିରେ ବଳି ପଡ଼ିଯା'ନ୍ତି ସାଧାରଣ ଜନତା । ରାଜନେତାଙ୍କ କଥା ପାଣିର ଗାର , ନିର୍ବାଚନ ବେଳର କଥା ସିଂହାସନ ଗାଦି ଚଢ଼ା ପରେ ସଂହାର । ମାଛ ତେଲରେ ମାଛ ଭାଜି ବାଃ ବାଃ ପ୍ରଶଂସା , ଅର୍ଥ ପିପାସୁ ସର୍ବଦା । ଏସବୁର ନିଚ୍ଛକ ଚିତ୍ରଣ ପ୍ରତ୍ଯେକ ଲେଖାର ଶିରିପା ଥିବା ବେଳେ ବିଜୟ ତିଳକ ମଣ୍ଡିତ ଆଲେଖ୍ଯ ଦୁଇଟି କିନ୍ତୁ ବେଶ୍‌ ଦାଢୁଆ । ସବୁ ଦୃଷ୍ଟିରୁ ଉଭୟଙ୍କୁ ବିଜେତା ଘୋଷଣା କରାଯାଇଛି 
ଓଡ଼ିଆ ଭାଷା ସାହିତ୍ଯ ବିଭାଗ ମୁଖ୍ୟ 
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ 
କଟକ-୪
ଦୂରଭାଷ- ୯୪୩୭୭୪୦୨୮୦
ଜୟ ସାହିତ୍ୟ, ଜୟ ସମାଜ

ମୋ କଥା......

ଦେବଯାନୀ ଦାସ 
  (ବିଚାରକ]
ରାଜନେତାଙ୍କ ଉପରେ ବ୍ୟଙ୍ଗ କବିତା ଲେଖିବା ଥିଲା ଏଥରର ଥିମ୍ । ଖୁବ୍ ଆଶା ଜନକ ଭାବେ କବିତା ସବୁ ଆସିଥିଲା । ଅଧିକାଂଶ କବିତାରେ ରାଜନେତାଙ୍କ ଚରିତ୍ର ଉପରେ criticism ଥିଲା । ମାତ୍ର କେତୋଟି କବିତାରେ ବ୍ୟଙ୍ଗ ଥିଲା। ଯେହେତୁ ଆମର ଥିମ୍ ବ୍ୟଙ୍ଗ ଉପରେ ଥିଲା ଆମେ ବ୍ୟଙ୍ଗକୁ ପ୍ରାଧାନ୍ୟ ଦେଇ କବିତା ବାଛିଥିଲୁ। ସେ ମଧ୍ୟରୁ ବିଜେତା ଘୋଷଣା କରାଯାଇଛି।
        ଯେତେବେଳେ ବ୍ୟଙ୍ଗ ରଚନା ପାଇଁ କୁହାଯାଇଛି ସେତେବେଳେ ଵ୍ୟଙ୍ଗାତ୍ମକ ଲେଖା ଲେଖନ୍ତୁ। ଏଥରର କବିତାରେ ପ୍ରାୟ ସମସ୍ତେ ଭଲ ଲେଖିଥିଲେ। ଜଗଦୀଶ ସାହୁ , ସଂଯୁକ୍ତା ସାହୁ, ସଦାନନ୍ଦ ସାହୁ,ଗୀତାଞ୍ଜଳି ପୃଷ୍ଟି , ରଞ୍ଜନ କୁମାର ମହାନ୍ତି, ପ୍ରତାପ କିଶୋର ରାଉତ, ଜ୍ୟୋସ୍ନା ସିଂହ,ଚିନ୍ମୟୀ ମହାପାତ୍ର,ଶିବ ହାତୀ,ପ୍ରତାପ ଚନ୍ଦ୍ର ମିଶ୍ର, କାଙ୍ଗାଳି ଚରଣ ସେଠୀ,ଅଜିତ କୁମାର ତ୍ରିପାଠୀ, ରବିନ୍ଦ୍ର ବେହେରା,ଶିବ ପ୍ରସାଦ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପ୍ରିୟଦର୍ଶିନୀ ସାମନ୍ତରାୟ, ନିବେଦିତା ମହାପାତ୍ର,ଛବିରାଣୀ ପତି,ବିକି ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମସ୍ତେ ପ୍ରଶଂସନୀୟ ଓ ସମସ୍ତଙ୍କୁ ଅଭିନନ୍ଦନ।
     ପ୍ରଥମ କବିତାରେ ଜଗଦୀଶ ସାହୁଙ୍କ ବ୍ୟଙ୍ଗ ,ଚିନ୍ମୟୀ ମହାପାତ୍ରଙ୍କ ସଙ୍ଗୀତ ସମ୍ବୋଧନ ଭିତରେ ବ୍ୟଙ୍ଗ ଖୁବ୍ ଭଲ ଥିଲା। ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ବ୍ୟଙ୍ଗ ଖୁବ୍ ସୁଖପାଠ୍ୟ ଓ ସାବଲୀଳ। ଜ୍ୟୋସ୍ନା ସିଂହ କବିତା ଶାଣିତ। କେତେ ଗୁଡିଏ ପାରାମିଟର ମଧ୍ୟରେ ଆମେ ବିଜେତା ଘୋଷଣା କରିଛୁ। ଅନ୍ୟମାନଙ୍କୁ ମୁଁ ପ୍ରଶଂସା କରୁଛି ।
        ଆସନ୍ତା ପ୍ରତିଯୋଗିତାରେ ସମସ୍ତେ ଆଗ୍ରହର ସହ ଅଂଶଗ୍ରହଣ କରନ୍ତୁ। ପ୍ରତିଯୋଗିତା ନିଜ ଭିତରର ସାହିତ୍ୟାନୁରାଗୀ ମଣିଷକୁ ଜୀବନ୍ତ କରେ । ତାକୁ ସର୍ବଦା ଜୀବନ୍ତ ରଖନ୍ତୁ ।
ଧନ୍ୟବାଦ ସମସ୍ତେ ସୁସ୍ଥ ଓ ନିରାପଦ ଥାଆନ୍ତୁ। 
ଜୟ ସାହିତ୍ୟ, ଜୟ ସମାଜ

କିଛି କଥା କିଛି ବ୍ଯଥା

ଦେବଯାନୀ ଦାସ
(ବିଚାରକ- ଉଦୟ ଭାନୁ)

     ଏଥରର ପ୍ରବନ୍ଧ ପ୍ରତିଯୋଗୀତାର ବିଷୟବସ୍ତୁ "ମାଳିକା ବିଚାର" ସାମ୍ପ୍ରତିକ ପରିସ୍ଥିତି ପାଇଁ ଏକ ଉପାଦେୟ ବିଷୟ ଥିଲା। ବହୁ ସଂଖ୍ୟକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଭାବୁଥିଲୁ ; ହେଲେ ଏତେ ନିରୁତ୍ସାହଜନକ ଥିଲା ପ୍ରତିଯୋଗିତା ଯେ ମାତ୍ର ଦୁଇ ଜଣ ଅଂଶଗ୍ରହଣ କରିଥିଲେ। ଦୁଇ ଜଣ ଯାକଙ୍କର ସୁନ୍ଦର ପ୍ରୟାସ , ଉପାଦେୟ ତଥ୍ୟରେ ପୂର୍ଣ୍ଣ ପ୍ରବନ୍ଧ ଖୁସି ପ୍ରଦାନ କଲା।ସତ କହିବାକୁ ଗଲେ ପ୍ରବନ୍ଧ ଦୁଇଟିରୁ ମୁଁ ବି କିଛି ଜାଣିବାକୁ ପାଇଛି।ତଥ୍ୟ ସଂଗ୍ରହ କରି ସାବଲୀଳତା ଭିତରେ ପ୍ରବନ୍ଧକୁ ସଜେଇଛନ୍ତି ଦୁଇ ପ୍ରବନ୍ଧକାର। ସେମାନଙ୍କ ମଧ୍ୟରୁ ଆମେ ଦେବାଶିଷ ରାଉତଙ୍କୁ ବିଜେତା ଘୋଷଣା କରିଛୁ। ଅଭିନନ୍ଦନ ଦେବାଶିଷ ବାବୁ।
                ତାଙ୍କ ପ୍ରବନ୍ଧଟିରେ ପର୍ଯ୍ୟବେସିତ ପ୍ରତ୍ୟେକ ଧାଡ଼ି ସୁଖପାଠ୍ୟ ଅଟେ। "ମାଳିକା"କୁ ଓଲଟାଇ ଦେଲେ କାଳିମା ଏବଂ "ଜୀବନର ପ୍ରତିଟି କାଳିମା ଅନ୍ଧାର ଅର୍ଥାତ୍ ବିପଦର ପୂର୍ବାଭାଷ ହିଁ ମାଳିକା" ଖୁବ୍ ଭଲ ଲାଗିଲା ଏ ବାକ୍ୟ ଦୁଇଟି। ତାପରେ ସେ ଯେମିତି ବିଜ୍ଞାନ ଓ ମାଳିକାର ସମନ୍ବୟତା ରକ୍ଷା କରିଛନ୍ତି ବେଶ ସୁନ୍ଦର ହୋଇଛି ପ୍ରବନ୍ଧଟି।
                  ସେହିପରି ଅନ୍ୟତମ ପ୍ରତିଯୋଗୀ ପ୍ରତାପ କିଶୋର ରାଉତ ଅଚ୍ୟୁତାନନ୍ଦଙ୍କ ସହିତ ଅନ୍ୟ ମାଳିକାକାରଙ୍କର ତଥ୍ୟ ମଧ୍ୟ ଉଲ୍ଲେଖ କରିଛନ୍ତି। କାବିକ୍ୟ ଶୈଳୀରେ ତାଙ୍କ ପ୍ରବନ୍ଧ ମଧ୍ୟ ଅନେକ ତଥ୍ୟ ଉନ୍ମୋଚନ କରେ। ତାଙ୍କୁ ମଧ୍ୟ ଧନ୍ୟବାଦ ଓ ଅଭିନନ୍ଦନ।
               ଏଥରର ହତୋତ୍ସାହ ସଂଖ୍ୟାକୁ ଦେଖି ସଭାପତି କିଛି ନିୟମ ପ୍ରଣୟନ କରିଛନ୍ତି। ଆଶା କରୁଛି ଉଦୟଭାନୁର ପ୍ରତିଯୋଗୀମାନେ ଏହାକୁ ଧ୍ୟାନ ଦେବେ। ସମସ୍ତଙ୍କ ସୁସ୍ଥତା କାମନା କରି ରହୁଛି।
ଜୟ ସାହିତ୍ୟ, ଜୟ ସମାଜ

12/02/2020

ଧାରା ବିବରଣୀ

ଡକ୍ଟର ଲକ୍ଷ୍ମଣ ସାହୁ 
କଳିଯୁଗର କଥା ଓ ମଣିଷ ମାନଙ୍କ ଚଳଣି ସହିତ ଧର୍ମ ଓ ମୋକ୍ଷ ମାର୍ଗର ବାର୍ତ୍ତାବହ ହେଲା ମାଳିକା , ଯାହା ପଞ୍ଚସଖା ସମୟର ଆଲେଖ୍ଯ । ଆଜିର ବିଜ୍ଞାନ ଯୁଗରେ କିଛି ବିଶ୍ବାସଯୋଗ୍ଯ ତ କିଛି ଲୋକଙ୍କ ଅବିଶ୍ବାସର ମଞ୍ଜି । ମଣିଷ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ ବି ପୂର୍ବର ସେ ଆଲେଖ୍ଯ ଏବେ ବି କିଛି ଲୋକଙ୍କ ମନରେ ଛାପ ହୋଇ ରହିଛି । ମାଳିକାରେ ଲେଖା ଥିବା କଥା ସବୁ କିଛିକାଂଶରେ ସତ୍ଯ ହୋଇଛି ଆଉ ହେଉଛି । କିନ୍ତୁ ଏହା କେବଳ ସଂସାରରେ ଧର୍ମ ବଜାୟ ରଖି ସୁସ୍ଥତାର ସହ ଜୀବନ ଜିଇଁବାର ବାର୍ତ୍ତାବହ । ଯା' ଲିଖିତ ତା' ହିତୋପଦେଶ ବୋଲି ମନେ କରି ସତର୍କତାର ସହ ଚଳମାନ ହେବା ହିଁ ମୂଖ୍ୟାଂଶ । 
   ଉଦୟ ଭାନୁର ପ୍ରବନ୍ଧ ପ୍ରତିଯୋଗିତା ଏଥରକ ନୈରାଶ୍ୟ ପ୍ରଦାନ କଲା । ଏତେ ସୁନ୍ଦର ବିଷୟ ଥାଇ ବି ପ୍ରତିଯୋଗିତା ମନୋଭାବର ଉଦ୍ରେକ କାହାର ବି ହୋଇପାରିଲା ନାହିଁ । ମାତ୍ର ଦୁଇଗୋଟି ଲେଖା ପ୍ରତିଯୋଗିତାର ପଡ଼ିଆରେ ଭଲିବଲ୍‌ ଖେଳି ଚାଲିଥିଲେ , ଯାହା ପ୍ରତିଯୋଗିତାର ରୂପକୁ କଦର୍ଥନ କରିଲା । ଦୁଇଟି ଲେଖାରେ ପ୍ରତିଯୋଗିତା ଉଚିତ ମନେ ନହେଲେ ବି ଆମେ ଗୋଟିଏ ଲେଖାକୁ ବିଜେତା ଘୋଷଣା କରିଲୁ । ଘୋଷିତ ଲେଖାଟି ଏକପ୍ରକାର ସୁନ୍ଦର ତତ୍ତ୍ବ ସମ୍ବଳିତ ଥିଲା , ତେଣୁ ଦେବାଶୀଷ ରାଉତଙ୍କର ସେହି ଆଲେଖ୍ଯ ମାନପତ୍ରର ମାନ୍ୟତା ପାଇବାକୁ ଯୋଗ୍ଯ ବୋଲି ମନେ କରାଗଲା ।
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ 
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ - ୪
ଦୂରଭାଷ- ୯୪୩୭୭୪୦୨୮୦
ଜୟ ସାହିତ୍ୟ, ଜୟ ସମାଜ

12/01/2020

ଦେବାଶିଷ ରାଉତ ଓ ନିବେଦିତା ମହାପାତ୍ରଙ୍କ "ମାଳିକା ବିଚାର": ଏକ ଆଲୋଚନାମୂଳକ ଆଲେଖ୍ୟ

କଣ୍ଡୁରୀ ଚରଣ ରାଉତ
 ପଥଭ୍ରଷ୍ଟ ସମାଜକୁ ସୁସଂସ୍କୃତ କରିବା ଓ ନିପୀଡ଼ିତ ମାନଙ୍କୁ ଆଶା ଓ ଅଭୟ ବାଣୀ ଶୁଣାଇବା ଉଦ୍ଦେଶ୍ୟରେ ମାଳିକାର ସୃଷ୍ଟି । ମାଳିକାକାରମାନେ ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ଜଣେ ଜଣେ ଏକନିଷ୍ଠ ଉପାସକ ।ଶ୍ରୀଜଗନ୍ନାଥଙ୍କ କୃପାରୁ ସେମାନେ ଯେଉଁ ଦିବ୍ୟଦୃଷ୍ଟି ପ୍ରାପ୍ତ ହୋଇଥିଲେ, ସେହି ଆଧାରରେ ସେମାନେ ଭବିଷ୍ୟ ବାଣୀ କରି ଯାଇଛନ୍ତି , ଯାହା ଶହ ଶହ ବର୍ଷ ପରେ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି । ଏହି ଭବିଷ୍ୟ ବାଣୀ ହିଁ ମାଳିକା ।
       ସେଇ 'ମାଳିକା ବିଚାର' ଉପରେ ଉଦୟ ଭାନୁ ସାହିତ୍ୟ ଅନୁଷ୍ଠାନରେ  ହୋଇଥିବା ସାପ୍ତାହିକ ପ୍ରତିଯୋଗିତାରେ ଶ୍ରୀମାନ ଦେବାଶୀଷ ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସର୍ବପ୍ରଥମେ ତାଙ୍କୁ ସାରସ୍ବତ  ଅଭିନନ୍ଦନ ଜଣାଉଛି । ଖୁବ୍ ସୁନ୍ଦର ଆଲୋଚନା କରିଛନ୍ତି ସେ । ସେ ଲେଖିଛନ୍ତି - କୋଟି କୋଟି ଓଡ଼ିଆ ପ୍ରାଣର କେନ୍ଦ୍ରବିନ୍ଦୁ ଭାଗବତ ପରି ମାଳିକା ମଧ୍ୟ ସେମାନଙ୍କ ଆଶା ଓ ଆଶଙ୍କାର କେନ୍ଦ୍ରବିନ୍ଦୁ ।ଏହା ବ୍ୟତୀତ ଜଗନ୍ନାଥ ସଂସ୍କୃତି ଓ ମାଳିକାର ସଂପର୍କ ,ପଞ୍ଚସଖା ଯୁଗର କବି ତଥା ମାଳିକାକାର ଅଚ୍ୟୁତାନନ୍ଦଙ୍କ ଦିବ୍ୟଦୃଷ୍ଟି ସଂପର୍କରେ ଆଲୋଚନା କରିଛନ୍ତି । ଅନେକ ବ୍ୟକ୍ତି ମାଳିକାକୁ ଅବାନ୍ତର ଓ କପୋଳ-କଳ୍ପିତ  ବୋଲି କହିଥା'ନ୍ତି ।କିନ୍ତୁ, ଏଥିରେ ଯେ ଐତିହାସିକ ଓ ବୈଜ୍ଞାନିକ ସତ୍ୟତା ରହିଛି , ଏ କଥାକୁ ଶ୍ରୀ ରାଉତ ସନାତନ ସଂସ୍କୃତି ଓ ସଂସ୍କୃତ ଭାଷାର ପ୍ରାମାଣିକତାକୁ ଭିତ୍ତି କରି ବର୍ଣ୍ଣନା କରିଛନ୍ତି ।
       ଠିକ୍ ସେହିପରି ନିବେଦିତା ମହାପାତ୍ରଙ୍କ ଆଲୋଚନାଟି ମଧ୍ୟ ହୃଦୟକୁ ଛୁଇଁଲା । ଶାସ୍ତ୍ର ପୁରାଣ ଓ ସେଥିରେ ବର୍ଣ୍ଣିତ ସତ୍ୟ,ତ୍ରେତୟା,ଦ୍ବାପର ଓ କଳିଯୁଗରୁ ଆରମ୍ଭ କରି ରହସ୍ୟମୟ ବିଶ୍ବ ପର୍ଯ୍ୟନ୍ତ ପ୍ରଲମ୍ବିତ ତାଙ୍କର ଚିନ୍ତାଧାରା ।ଯୁଗେ ଯୁଗେ ସାମାଜିକ ଚଳଣି ଓ ପରମ୍ପରା ସହିତ ଅତୀତ ଇତିହାସ ଓ ଆଧ୍ୟାତ୍ମବାଦ ଜଡ଼ିତ । ବିଭିନ୍ନ ଯୁଗର ଚଳଣି,ଧର୍ମ ଓ ଅଧର୍ମ,ଗୀତା ବାଣୀ,କଳିର ପ୍ରବେଶ ଓ ରାଜା ପରିକ୍ଷୀତଙ୍କ ମୃତ୍ୟୁ ଆଦି ତଥ୍ୟର ଚମତ୍କାର ଉପସ୍ଥାପନା ମାଧ୍ୟମରେ ବିଷୟ ପ୍ରବେଶ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ହୋଇଛି । ତୁଳସୀ ଦାସଙ୍କ ବାଣୀର ଉଦାହରଣ ସହ ମାଳିକାକାର ଅଚ୍ୟୁତାନନ୍ଦଙ୍କ ବିଭିନ୍ନ ଉକ୍ତିର ଉଦ୍ଧୃତି ଏବଂ ସେଗୁଡ଼ିକର ଯଥାଯଥ ବିଶ୍ଳେଷଣ ପୂର୍ବକ ସାଂପ୍ରତିକ ଘଟଣା ସହିତ ତା'ର ସଂପର୍କକୁ ଅତି ନିଖୁଣ ଭାବେ ଉପସ୍ଥାପନା କରିଛନ୍ତି । କଳିଯୁଗର ଅନ୍ୟାୟ ଅନୀତି ଦେଖି ସ୍ବୟଂ ଜଗନ୍ନାଥ କଳ୍କୀ ଅବତାର ନେଇ ଏ ସବୁର ବିଲୋପ ସାଧନ ତଥା ମହାମାରୀ କରୋନା ବିଷୟରେ ତାଙ୍କ ଲେଖାରେ ସୂଚନା ମିଳେ ।ଲୋକମାନେ ମୁହଁରେ ତୁଣ୍ଡି ଭିଡ଼ିବା କଥାରୁ ତାଙ୍କ ଲେଖାର ସତ୍ୟତା ପ୍ରତପାଦିତ ହୁଏ ବୋଲି ପ୍ରାମାଣିକ ତଥ୍ୟ ଦେଇଛନ୍ତି ଆଲୋଚିକା 
       'ମାଳିକା' ଯେ ଆମ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ସଂପଦ ଏଇ କଥାକୁ  ବଳିଷ୍ଠ ଯୁକ୍ତି ମାଧ୍ୟମରେ ପ୍ରମାଣ କରିବାରେ ଦୁଇ ସାରସ୍ବତ ସ୍ରଷ୍ଟାଙ୍କ ପ୍ରୟାସ ଅଭିନନ୍ଦନୀୟ ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ

ପ୍ରତିକ୍ରିୟା

ଡକ୍ଟର ଲକ୍ଷ୍ମଣ ସାହୁ
  ଉଦୟ ଭାନୁ ସାହିତ୍ୟ ସଂସଦ ସଂଗୋଷ୍ଠୀର ରମ୍ଯରଚନା ପ୍ରତିଯୋଗିତା "ସାରୁ ଭିତରେ ମାରୁ"ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା । ଏଥରର ପ୍ରତିଯୋଗିତାକୁ ନିରସ କି ସରସ କୁହାଯିବନି । ଲେଖା ଗୁଡ଼ିକ ବେଶ୍ ମାର୍ଜିତ ଥିଲା , କିନ୍ତୁ ସୂଚନା ମୁତାବକ ଲେଖାର ଅଭାବତ୍ବ ପରିଲକ୍ଷିତ ହେଉଥିଲା । ଦିଆଯାଇଥିବା ବିଷୟବସ୍ତୁ ଅନୁଯାୟୀ ଲେଖା କିଛି ମିଳି ପାରିନାହିଁ । ଯାହା ବି ଲେଖା ଆସିଥିଲା ସେସବୁ ଥିଲା ରମ୍ଯ ଗଳ୍ପ , ରମ୍ଯରଚନା ମୂଳକ ଲଳିତ ପ୍ରବନ୍ଧ ନୁହେଁ । ଅନ୍ଯର୍ଥରେ କହିବାକୁ ଗଲେ ଏସବୁ ହାସ୍ଯରସାତ୍ମକ କାହାଣୀ । ପ୍ରକୃତ ରମ୍ଯରଚନା ବିଷୟରେ ପ୍ରତିଯୋଗୀ ମାନେ ବୋଧହୁଏ ଅବଗତ ନାହାନ୍ତି । ଆଗରୁ ବୈଚାରିକ ଧାରାରେ କହିଥିଲି ରମ୍ଯରଚନା ବିଷୟରେ । ସାମାଜିକ ବାର୍ତ୍ତା , ମୃଦୁମନ୍ଦ ହାସ୍ୟ ଓ କଟାକ୍ଷରେ ପରିପୂର୍ଣ୍ଣ ଆଲେଖ୍ଯ ହିଁ ରମ୍ଯରଚନା , ଯାହା ଗପ ଓ ନିବନ୍ଧର ପ୍ରତୀକାତ୍ମକ । 
          'ସାରୁ' ଏକ ପ୍ରତୀକାତ୍ମକ ଶବ୍ଦ, ଓଡ଼ିଆ ରୁଢ଼ିଟିଏ । 'ସାରୁ'କୁ ପ୍ରତୀକାତ୍ମକ ଭାବରେ ନେଇ ରଚନା କରିବା ଦରକାର । ଏଥର ଏହାକୁ ଆମେ ରମ୍ଯ ଗଳ୍ପ ଓ ହାସ୍ୟରସାତ୍ମକ ଆଲେଖ୍ଯ ଭାବରେ ବିବେଚନା କରି ବିଚାର ପୂର୍ବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ ବିଜେତା ଘୋଷଣା କରିଛୁ । 
        ଖୁବ୍‌ କମ୍‌ ଲେଖା ଉପସ୍ଥାପନ ହୋଇଛି । ପ୍ରତିଯୋଗିତା ଅନେକ ଗୁଡ଼ିଏ ଲେଖାର ସମାହାରରେ ହେଲେ ପ୍ରତିଯୋଗିତା ପରି ଲାଗେ । ଗୋଟିଏ-ଦୁଇଟି କି ପାଞ୍ଚଟି ଲେଖାରେ ପ୍ରତିଯୋଗିତା କରି ଫଳାଫଳ ଘୋଷଣା କରିବା ହାସ୍ଯାସ୍ପଦ । ଜଣେ ପ୍ରତିଯୋଗୀ ବାରମ୍ବାର ବିଜେତା ହେବା ସାହିତ୍ଯ ପାଇଁ ଏକ କ୍ରୀଡ଼ା ସଦୃଶ । ନୂଆ କିଛି ପ୍ରତିଭାଧାରି ପ୍ରତିଯୋଗୀ ଅଂଶଗ୍ରହଣ କଲେ ତାହା ପ୍ରତିଯୋଗିତା ଭଳି ଲାଗନ୍ତା ଓ ଉତ୍ସାହ ବଢନ୍ତା । ପରିବାରର ନିୟମ ଅନୁସାରେ ଜଣେ ପ୍ରତିଯୋଗୀ ଥରେ ବିଜେତା ହେବା ପରେ ଦୁଇମାସ ପର୍ଯ୍ଯନ୍ତ ପୁନରାୟ ବିଜେତା ହେବାର ପ୍ରତୀକ୍ଷା କରିବାକୁ ହେବ । ନୂଆ କେହି ସେଭଳି କିମ୍ୱା ସମସାମୟିକ ଲେଖା ଲେଖିଥିବା ପ୍ରତିଯୋଗୀଙ୍କୁ ଦିଆଯିବ । କିନ୍ତୁ ବିଜେତା ଅଂଶଗ୍ରହଣ କରିପାରିବେ ଏବଂ ବିଚାରକ ମଣ୍ଡଳୀ ସଂଙ୍ଘକୁ ତାଙ୍କ ଲେଖା ଆସିବ । 
          ସ୍ମିତା ମହାନ୍ତି , ପଦ୍ମାଳୟା ମିଶ୍ର , ନିବେଦିତା ମହାପାତ୍ର , ପ୍ରିୟଦର୍ଶିନୀ ସାମନ୍ତରାୟ , ଅନୁପମା ଦାସ , ଜ୍ଯୋତ୍ସ୍ନା ସିଂହ , ଗୀତାଞ୍ଜଳୀ ପୃଷ୍ଟି , ପ୍ରତାପ କିଶୋର ରାଉତ , ପ୍ରତାପ ଚନ୍ଦ୍ର ମିଶ୍ର ଏ ସଂଖ୍ଯାରେ  ଥିଲେ ପ୍ରତିଯୋଗୀ । ସମସ୍ତଙ୍କର ଲେଖା ଏକପ୍ରକାର ହାସ୍ୟରସାତ୍ମକ ଆଲେଖ୍ଯ ଥିଲା । ସମ୍ଯକ ରମ୍ଯ ରଚିତ ଜ୍ଯୋତ୍ସ୍ନା ସିଂହ , ପ୍ରିୟଦର୍ଶିନୀ ସାମନ୍ତରାୟ ଓ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଲେଖାରେ ଦେଖିବାକୁ ମିଳେ । କିନ୍ତୁ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଲେଖା ଏକ ନିଆରା ଭିତ୍ତିଭୂମି ଉପରେ ପର୍ଯ୍ଯବେସିତ । ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଲେଖା ହୃଦୟସ୍ପର୍ଶୀ ହେଲେ ବି ରମ୍ଯରଚନା ଭାବରେ ଏତେଟା ଗ୍ରହଣୀୟ ନୁହେଁ । ଜ୍ଯୋତ୍ସ୍ନା ସିଂହଙ୍କ ଅନୁଭୂତିର ଆଲେଖ୍ଯ ମୃଦୁ କଟାକ୍ଷରେ ପୂର୍ଣ୍ଣ । ଯଥାର୍ଥ ରମ୍ୟ ରଚନାର ଭାବାର୍ଥ ଖୁବ ସୁନ୍ଦର ଭାବରେ ସେ ଉପସ୍ଥାପିତ କରି ସା଼ଂପ୍ରତିକ ଶିକ୍ଷାନୁଷ୍ଠାନରେ ଚାଲିଥିବା ବାସ୍ତବତାକୁ ଚିତ୍ରଣ କରିବାରେ ସଫଳ ହୋଇଛନ୍ତି । ନିବେଦିତା ମହାପାତ୍ରଙ୍କ ଲେଖା ରମ୍ଯରଚନାର ସମ୍ଯକ ରୂପ ନେଇଥିଲେ ବି ସେ ଉଦୟ ଭାନୁର କାର୍ଯ୍ଯକାରିଣୀ ସଦସ୍ଯା ଭାବରେ ଏକ ଆସନରେ ଅଳଂକୃତ । ତେଣୁ ତାଙ୍କୁ ଦେବା ନିୟମ ବହିର୍ଭୁତ । ନିଜ ପରିବାରରୁ ନିଜେ ସମ୍ମାନୀତ ହେବା ପରି ମନେ ହେବ । ତେଣୁ ସବୁ ଦିଗରୁ ଚିନ୍ତା କରି ଆମେ ବିଜେତା ଘୋଷଣା କରିଛୁ । 
        ଏଥର ବିଚାର କରିବା ଜଟିଳ ଥିଲା । ପ୍ରକୃତରେ ଲେଖାର ଅଭାବ ଥିବାରୁ ଏପରି ଅବସ୍ଥା । ଆଶା କରେ ଆଗକୁ ପ୍ରତିଯୋଗୀ ବିଷୟଟି ଭଲଭାବରେ ବୁଝି ଉପସ୍ଥାପନ କରିବା ହେବେ । କିଛି ନୂଆ ମୁହଁ ଯଦି ଅଂଶଗ୍ରହଣ କରନ୍ତେ ତେବେ ଆମ ପରିବାରର ପ୍ରତିଯୋଗିତାଟି ବେଶ୍‌ ସମୃଦ୍ଧଶୀଳ ହୋଇପାରନ୍ତା । ଆଗକୁ ଆମେ ରମ୍ଯରଚନା ବିଭାଗଟିକୁ ଭିନ୍ନ ଢ଼ଙ୍ଗରେ ରମ୍ୟମୂଳକ କାହାଣୀ ଭାବେ ସଂରକ୍ଷଣ କରିବାକୁ ବଦ୍ଧପରିକର । କାରଣ ରମ୍ଯରଚନାର ସମ୍ବନ୍ଧରେ ଯେଉଁ ସୂଚନା ଦିଆଯାଇଥିଲା , ବୋଧହୁଏ ମୋର ବୁଝାଇବାରେ ତ୍ରୁଟି ବା ମୋ ଅପାରଗ ଦୃଷ୍ଟିରୁ ତାହା କୈାଣସି ପ୍ରତିଯୋଗୀଙ୍କ ହୃଦୟକୁ ସ୍ପର୍ଶ କରିପାରି ନାହିଁ, ସେଥିପାଇଁ ଦୁଃଖିତ । ତଥାପି ଆଶାବାଦୀ, ଚଳିତ ଘଟଣାକୁ ନେଇ ରମ୍ଯମୂଳକ ଲଳିତ କ୍ଷୁଦ୍ର ପ୍ରବନ୍ଧ ଆକାରରେ ଲେଖିବାକୁ ପ୍ରୟାସ ଜାରି ରଖନ୍ତୁ । ପ୍ରତିଯୋଗୀଙ୍କିଯୋଗୀ ମନୋଭାବ ରଖି ଆଗାମୀ ଗଳ୍ପ ବିଭାଗ ପାଇଁ ଲେଖା ପ୍ରସ୍ତୁତିରେ ଲାଗି ପଡ଼ନ୍ତୁ । ସାରସ୍ବତ ସରଣୀ ପରିବୃଦ୍ଧିଲ ଲକ୍ଷ୍ୟ ରଖି ଓଡ଼ିଆ ଭାଷା ସାହିତ୍ଯର ସମୃଦ୍ଧି ପାଇଁ ପ୍ରଚେଷ୍ଟିତ ହେବାକୁ ଉଦୟ ଭାନୁର ଅନୁରୋଧ । ସମସ୍ତଙ୍କୁ ସାଧୁବାଦ ।
      " ତାରା  ନିଳୟ "
     ପ୍ଳଟ ନଂ - ୮୫୪/ ଏ , ଚାଚରା  ଶବରସାହି
     ମୁକୁନ୍ଦ ପ୍ରସାଦ ,  ଖୋର୍ଦ୍ଧା  :୭୫୩୦୦୫୫
     ଦୂରଭାଷ  : ୯୦୪୦  ୧୫୧୪  ୭୫
================================
ଜୟ ସାହିତ୍ୟ, ଜୟ ସମାଜ

ବିଚାର ବିମର୍ଷ


ଦେବଯାନୀ ଦାସ
   (ବିଚାରକ)
    'ସାରୁ ଭିତରେ ମାରୁ' ଥିଲା ଏଥର ପ୍ରତିଯୋଗିତାର ଥିମ୍‌ । ଏ ଥିମ୍‌କୁ ନେଇ ରମ୍ଯରଚନା କରିବାକୁ ଦିଆଯାଇଥିଲା । ଅଂଶଗ୍ରହଣକାରୀ ପ୍ରତିଯୋଗୀ ମାନେ ଉତ୍ସାହ ଜନକ ଭାବେ ପ୍ରୟାସ କରିଛନ୍ତି । 
   ମୁଁ ପୂର୍ବଥର ରମ୍ଯରଚନାର ବୈଚାରିକ ଧାରାରେ କହିଥିଲି ଦିଆଯାଇଥିବା ଥିମ୍‌ ଏକ ପ୍ରତୀକାତ୍ମକ ଅର୍ଥ ବହନ କରେ । ଏ ଥିମ୍‌କୁ ବୁଝନ୍ତୁ , ତା'ପରେ ରମ୍ଯରଚନା କରନ୍ତୁ । ଅବଶ୍ଯ ଅନେକ ଏ ଥିମ୍‌କୁ ସଠିକ୍‌ ବୁଝି ରମ୍ଯ ଗଳ୍ପର ଉପସ୍ଥାପନା କରିଛନ୍ତି ଓ ଆଉ କିଏ ଏହାକୁ ସିଧାସଳଖ ଗ୍ରହଣ କରି ବୁଝିବାରେ ଭ୍ରମ କରିଛନ୍ତି । 
ସଠିକ୍‌ ଧାରା , ଅର୍ଥ , ଭାବମୟତା , ଉପସ୍ଥାପନା ସବୁ ଦୃଷ୍ଟିରୁ ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ଗଳ୍ପ ଅଭିନନ୍ଦନୀୟ ଓ ଧନ୍ଯବାଦାହ । ମହାଶୟାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ପୂର୍ବଥର ସେ ବିଜେତା ଥିବାରୁ ଏଥର ତାଙ୍କ ଗଳ୍ପକୁ ଆମେ ବିଜେତା ଘୋଷଣା କରିପାରିଲୁ ନାହିଁ ଉଦୟ ଭାନୁର ନିୟମାବଳୀକୁ ଅନୁସରଣ କରି । ମାତ୍ର ଏ ନିୟମକୁ ଆମେ ପ୍ରତ୍ଯାହାର କରିବାକୁ ଚିନ୍ତା କରୁଛୁ । ଉପଯୁକ୍ତ ଲେଖାକୁ ବାରମ୍ବାର ମାନ୍ଯତା ମିଳୁ ଅବା ପୂର୍ବଥର ପାଇଥିଲେ ଏଥର ଯଦି ତାଙ୍କ ଲେଖା ସର୍ବୋତ୍କୃଷ୍ଟ ହେଲା ତା'ହେଲେ ସେ ଲେଖାକୁ ଆମେ କୌଣସି ପ୍ରକାରେ ମାନ୍ୟତା ଦେବାର ଚିନ୍ତା କରୁଛୁ । "ସାରୁ ଭିତରେ ମାରୁ"ର ସଠିକ୍‌ ଅର୍ଥ ବହନ କରି ସୁନ୍ଦର ଗଳ୍ପଟିଏ ଭେଟି ଦେଇଥିବାରୁ ଉଦୟ ଭାନୁ ପରିବାର ତରଫରୁ ମୁଁ ତାଙ୍କୁ  ଅଭିନନ୍ଦନ ଜଣାଉଛି । 
    ତା'ପରେ ଆସିବି ଗୀତାଞ୍ଜଳୀ ପୃଷ୍ଟିଙ୍କ ଗଳ୍ପକୁ । ତାଙ୍କ ଗଳ୍ପରେ ମଧ୍ଯ ରହିଛି ରମ୍ଯ ଓ ସଠିକ୍‌ ଅର୍ଥର ପରିପ୍ରକାଶ । ଚରିତ୍ର ମାନଙ୍କର ନାମକରଣକୁ ସେ ରମ୍ଯ ମୁତାବକ କରିଛନ୍ତି । ଧନ୍ୟବାଦ ଓ ଅଭିନନ୍ଦନ । ତାଙ୍କ ଗଳ୍ପଟି ସୁନ୍ଦର ସାମାଜିକ ସନ୍ଦେଶ ବହନ କରେ । 
    ଏବେ ଆସିବି ଅନୁପମାଙ୍କ ଗଳ୍ପକୁ । ମୁଁ ଆଉଥରେ କହୁଛି  ଓଡ଼ିଆ ସାହିତ୍ଯରେ ରୁଢ଼ିର ଅର୍ଥ କେବେ ସିଧାସଳଖ ନଥାଏ । ପ୍ରତ୍ଯେକର ଅର୍ଥ ପ୍ରତୀକାତ୍ମକ । "ସାରୁ ଭିତରେ ମାରୁ" - ଏଠି ସାରୁ ଶବ୍ଦର ଅର୍ଥ ଆମେ ଖାଉଥିବା ସାରୁ ନୁହେଁ । ସେ ତାଙ୍କର ଗଳ୍ପର ଆରମ୍ଭ ଭୁଲ୍‌ ସମୀକରଣରୁ ହିଁ କରିଛନ୍ତି । ସାରୁକୁ ଇଂରାଜୀରେ , ହିନ୍ଦୀରେ , ବଙ୍ଗଳାରେ କ'ଣ କୁହାଯାଏ ଠାରୁ  ଗଳ୍ପ ମଧ୍ଯରେ ମଧ୍ଯ ସେ ଆମେ ଖାଉଥିବା ସାରୁକୁ ହିଁ ଉପସ୍ଥାପନ କରିଛନ୍ତି । କିନ୍ତୁ ପ୍ରକୃତରେ ଦିଆଯାଇଥିବା ଥିମ୍‌ର ଅର୍ଥ ସେଇଆ ନୁହେଁ । ଯଦିଓ ଗଳ୍ପରେ କୌତୁକ ରହିଛି କିନ୍ତୁ ପ୍ରତିଯୋଗିତାରେ ଦିଆ ଯାଇଥିବା ଥିମ୍‌କୁ ସ୍ପର୍ଶ କରିପାରି ନାହିଁ । 
    ଏଥର ପ୍ରତିଯୋଗିତା କେବଳ ଯେହେତୁ ଗଳ୍ପ ନଥିଲା , ରମ୍ଯ ଗଳ୍ପ ଥିଲା । ତେଣୁ ରମ୍ଯକୁ ପ୍ରାଧାନ୍ୟ ଦେଇ ପ୍ରତାପ ମିଶ୍ରଙ୍କୁ ବିଜେତା ଘୋଷଣା କରାଯାଇଛି । ମହାଶୟଙ୍କୁ ଅଭିନନ୍ଦନ ।
   ଅନ୍ଯ ପ୍ରତିଯୋଗୀ ସ୍ମିତା ମହାନ୍ତି , ପଦ୍ମାଳୟା ମିଶ୍ର , ନିବେଦିତା ମହାପାତ୍ର , ଜ୍ଯୋତ୍ସ୍ନା ସିଂହ , ପ୍ରତାପ କିଶୋର ରାଉତ ଏମାନଙ୍କର ରହିଛି ସୁନ୍ଦର ପ୍ରୟାସ ।ସମସ୍ତ ଗଳ୍ପ ସୁଖପାଠ୍ଯ ।
 ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଭିତରେ ଥିବା ସାହିତ୍ୟିକ ପ୍ରତିଭାକୁ ଉତ୍ସାହିତ ଓ ପରିମାର୍ଜିତ କରନ୍ତୁ । 
ଧନ୍ଯବାଦ , ସମସ୍ତଙ୍କର ସୁସ୍ଥତା ଓ ମଙ୍ଗଳ କାମନା ସହ............
ଜୟ ସାହିତ୍ୟ, ଜୟ ସମାଜ

"ସାରୁ ଭିତରେ ମାରୁ" ; ଲେଖକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ସଚେତନତାଧର୍ମୀ ରମ୍ୟ ଗଳ୍ପ

"ସାରୁ ଭିତରେ ମାରୁ" ; ଲେଖକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ  ସଚେତନତାଧର୍ମୀ ରମ୍ୟ ଗଳ୍ପ ================
କଣ୍ଡୁରୀ ଚରଣ ରାଉତ
          'ସାରୁ ଭିତରେ ମାରୁ' ରମ୍ୟ ଗଳ୍ପ ପାଇଁ ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ବିଚାରକ ମଣ୍ଡଳୀଙ୍କଦ୍ବାରା ବିଜୟୀ ଘୋଷିତ ହୋଇଥିବାରୁ ସର୍ବ ପ୍ରଥମେ ତାଙ୍କୁ ସାରସ୍ବତ ଅଭିନନ୍ଦନ ଜଣାଉଛି ।ଅପ୍ରତିହତ ଦୈହିକ କାମନା,ମାତ୍ରାଧିକ ବସ୍ତୁ ସଂପଦ ପ୍ରତି ଲୋଭ ଓ ଅସନ୍ତୁଳିତ ଜୀବନଚର୍ଯ୍ୟାକୁ ନୀଳ ମଉସା ଓ ତନ୍ଦ୍ରା ଚରିତ୍ର ମାଧ୍ୟମରେ ନିଖୁଣ ଅଥଚ ମଜାଦାର ଢଙ୍ଗରେ ଉପସ୍ଥାପିତ କରିଛନ୍ତି ଲେଖକ ।
        ପୁରୁଷ ପ୍ରଭାବିତ ପରିବାରରେ ପତ୍ନୀରୂପକ ନାରୀଟି ଅବହେଳା  ଓ ଅଣହେଳାର ଶିକାର ହେବା କଥାକୁ ଅତ୍ୟନ୍ତ ରୋଚକ ଢଙ୍ଗରେ ବର୍ଣ୍ଣନା କରିଛନ୍ତି ଶ୍ରୀ ମିଶ୍ର ।ଗଳ୍ପର ମୁଖ୍ୟ ଚରିତ୍ର ନୀଳ ମଉସା ।ନିଜ ଝିଅ ବିବାହିତ ।ପୁଅ ବିଦେଶରେ ଚାକିରୀ କରେ ।ନିଜେ ଚାକିରୀରୁ ଅବସର ନେଲା ପରେ ବୟସର ସାୟାହ୍ନରେ ଉପନୀତ ହୋଇ  ନିଜ ଅଫିସ୍‌ର ତରୁଣୀ କର୍ମଚାରୀ ତନ୍ଦ୍ରା ପ୍ରତି ତାଙ୍କର କ୍ରମବର୍ଦ୍ଧିଷ୍ଣ ପ୍ରେମନିଶାକୁ ଏମିତି ହାସ୍ୟରସାତ୍ମକ ଢଙ୍ଗରେ ଦର୍ଶେଇଛନ୍ତି ଯେ ପାଠକ ନ ହସି ରହିପାରିବେ ନାହିଁ ।ଅବସର ପରବର୍ତ୍ତୀ ନିଯୁକ୍ତିରେ କାର୍ଯ୍ୟାଳୟ ଯାଇ ସେଠାରେ ତନ୍ଦ୍ରା ସହିତ ଯେଉଁ ରାସଲୀଳା ଚଳେଇଥିଲେ ନୀଳ ମଉସା ତାହା ଯେତିକି ଅରୁଚିକର ସେତିକି ହାସ୍ୟାସ୍ପଦ । ତନ୍ଦ୍ରା ପରି ଅର୍ଥଲୋଭୀ ତରୁଣୀମାନେ ପଇସାବାଲାଙ୍କ ପଇସାରେ ଫୁର୍ତ୍ତି କରିବାରେ ପଶ୍ଚାତପଦ ହୁଅନ୍ତିନି । ଘରେ ନିଜର ପତ୍ନୀକୁ ଜୀବନକାଳ ଭିତରେ ସୁନା ଅଳଙ୍କାରଟିଏ ଦେଇ ପାରି ନଥିବା ନୀଳ ମଉସା ତନ୍ଦ୍ରା ପଛରେ ଟଙ୍କା ଉଡେଇବାରେ ବ୍ୟସ୍ତ ।ବାହାରେ ହୋଟେଲରେ ଖାଇବାଠାରୁ ଆରମ୍ଭ କରି ଘରେ ପତ୍ନୀଙ୍କ ହାତରନ୍ଧାର ନିନ୍ଦା କରିବା ତାଙ୍କୁ ପ୍ରତ୍ୟହ  ଗାଳିଦେବା ଆଦି ଘଟଣାରୁ ପୁରୁଷର ଖାମଖିଆଲୀ ସ୍ବଭାବ ଓ ଅହଙ୍କାରର ସ୍ପଷ୍ଟ ସୂଚନା ମିଳେ । ଅଫିସ୍‌ର ବାର୍ଷିକୋତ୍ସବକୁ ନିଜ ପତ୍ନୀକୁ ନ ଆଣିବା ଓ ତନ୍ଦ୍ରା ପଛରେ ନୁଙ୍ଗୁରୁପୁଙ୍ଗୁରୁ ହେବା ନୀଳ ମଉସାଙ୍କ ପରି ନାରୀ ମାଂସଲୋଭୀ ଆଇଁଷିଆ ବୃଦ୍ଧଙ୍କ ପ୍ରେମ ନିଶା ଯେ ସାରୁ ଭିତରେ ମାରୁ ଏ କଥା କହିବା ନିଷ୍ପ୍ରୟୋଜନ । ଶେଷରେ ନିଜ ପତ୍ନୀ ସମ୍ମୁଖରେ ଧରାପଡ଼ିଯିବା ଘଟଣାକୁ ଏମିତି ନାଟକୀୟ ଢଙ୍ଗରେ ଉପସ୍ଥାପିତ କରିଛନ୍ତି ଲେଖକ ଯେ ତାଙ୍କୁ ପ୍ରଶଂସା ନ କରି ରହି ହେବନି । ରମ୍ୟରଚନାର ଆଦର୍ଶରୁ ବିଚ୍ୟୁତ ହେଲେ ବି ଲେଖାଟିରେ  ଯେ କିଛି ସାମାଜିକ ବାର୍ତ୍ତା ରହିଛି ତାହା ହିଁ ଆଶ୍ବାସନାର ବିଷୟ ।ଲେଖକଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ଜୟ ସାହିତ୍ୟ, ଜୟ ସମାଜ