"ସାରୁ ଭିତରେ ମାରୁ" ; ଲେଖକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ସଚେତନତାଧର୍ମୀ ରମ୍ୟ ଗଳ୍ପ ================
କଣ୍ଡୁରୀ ଚରଣ ରାଉତ
'ସାରୁ ଭିତରେ ମାରୁ' ରମ୍ୟ ଗଳ୍ପ ପାଇଁ ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ବିଚାରକ ମଣ୍ଡଳୀଙ୍କଦ୍ବାରା ବିଜୟୀ ଘୋଷିତ ହୋଇଥିବାରୁ ସର୍ବ ପ୍ରଥମେ ତାଙ୍କୁ ସାରସ୍ବତ ଅଭିନନ୍ଦନ ଜଣାଉଛି ।ଅପ୍ରତିହତ ଦୈହିକ କାମନା,ମାତ୍ରାଧିକ ବସ୍ତୁ ସଂପଦ ପ୍ରତି ଲୋଭ ଓ ଅସନ୍ତୁଳିତ ଜୀବନଚର୍ଯ୍ୟାକୁ ନୀଳ ମଉସା ଓ ତନ୍ଦ୍ରା ଚରିତ୍ର ମାଧ୍ୟମରେ ନିଖୁଣ ଅଥଚ ମଜାଦାର ଢଙ୍ଗରେ ଉପସ୍ଥାପିତ କରିଛନ୍ତି ଲେଖକ ।
ପୁରୁଷ ପ୍ରଭାବିତ ପରିବାରରେ ପତ୍ନୀରୂପକ ନାରୀଟି ଅବହେଳା ଓ ଅଣହେଳାର ଶିକାର ହେବା କଥାକୁ ଅତ୍ୟନ୍ତ ରୋଚକ ଢଙ୍ଗରେ ବର୍ଣ୍ଣନା କରିଛନ୍ତି ଶ୍ରୀ ମିଶ୍ର ।ଗଳ୍ପର ମୁଖ୍ୟ ଚରିତ୍ର ନୀଳ ମଉସା ।ନିଜ ଝିଅ ବିବାହିତ ।ପୁଅ ବିଦେଶରେ ଚାକିରୀ କରେ ।ନିଜେ ଚାକିରୀରୁ ଅବସର ନେଲା ପରେ ବୟସର ସାୟାହ୍ନରେ ଉପନୀତ ହୋଇ ନିଜ ଅଫିସ୍ର ତରୁଣୀ କର୍ମଚାରୀ ତନ୍ଦ୍ରା ପ୍ରତି ତାଙ୍କର କ୍ରମବର୍ଦ୍ଧିଷ୍ଣ ପ୍ରେମନିଶାକୁ ଏମିତି ହାସ୍ୟରସାତ୍ମକ ଢଙ୍ଗରେ ଦର୍ଶେଇଛନ୍ତି ଯେ ପାଠକ ନ ହସି ରହିପାରିବେ ନାହିଁ ।ଅବସର ପରବର୍ତ୍ତୀ ନିଯୁକ୍ତିରେ କାର୍ଯ୍ୟାଳୟ ଯାଇ ସେଠାରେ ତନ୍ଦ୍ରା ସହିତ ଯେଉଁ ରାସଲୀଳା ଚଳେଇଥିଲେ ନୀଳ ମଉସା ତାହା ଯେତିକି ଅରୁଚିକର ସେତିକି ହାସ୍ୟାସ୍ପଦ । ତନ୍ଦ୍ରା ପରି ଅର୍ଥଲୋଭୀ ତରୁଣୀମାନେ ପଇସାବାଲାଙ୍କ ପଇସାରେ ଫୁର୍ତ୍ତି କରିବାରେ ପଶ୍ଚାତପଦ ହୁଅନ୍ତିନି । ଘରେ ନିଜର ପତ୍ନୀକୁ ଜୀବନକାଳ ଭିତରେ ସୁନା ଅଳଙ୍କାରଟିଏ ଦେଇ ପାରି ନଥିବା ନୀଳ ମଉସା ତନ୍ଦ୍ରା ପଛରେ ଟଙ୍କା ଉଡେଇବାରେ ବ୍ୟସ୍ତ ।ବାହାରେ ହୋଟେଲରେ ଖାଇବାଠାରୁ ଆରମ୍ଭ କରି ଘରେ ପତ୍ନୀଙ୍କ ହାତରନ୍ଧାର ନିନ୍ଦା କରିବା ତାଙ୍କୁ ପ୍ରତ୍ୟହ ଗାଳିଦେବା ଆଦି ଘଟଣାରୁ ପୁରୁଷର ଖାମଖିଆଲୀ ସ୍ବଭାବ ଓ ଅହଙ୍କାରର ସ୍ପଷ୍ଟ ସୂଚନା ମିଳେ । ଅଫିସ୍ର ବାର୍ଷିକୋତ୍ସବକୁ ନିଜ ପତ୍ନୀକୁ ନ ଆଣିବା ଓ ତନ୍ଦ୍ରା ପଛରେ ନୁଙ୍ଗୁରୁପୁଙ୍ଗୁରୁ ହେବା ନୀଳ ମଉସାଙ୍କ ପରି ନାରୀ ମାଂସଲୋଭୀ ଆଇଁଷିଆ ବୃଦ୍ଧଙ୍କ ପ୍ରେମ ନିଶା ଯେ ସାରୁ ଭିତରେ ମାରୁ ଏ କଥା କହିବା ନିଷ୍ପ୍ରୟୋଜନ । ଶେଷରେ ନିଜ ପତ୍ନୀ ସମ୍ମୁଖରେ ଧରାପଡ଼ିଯିବା ଘଟଣାକୁ ଏମିତି ନାଟକୀୟ ଢଙ୍ଗରେ ଉପସ୍ଥାପିତ କରିଛନ୍ତି ଲେଖକ ଯେ ତାଙ୍କୁ ପ୍ରଶଂସା ନ କରି ରହି ହେବନି । ରମ୍ୟରଚନାର ଆଦର୍ଶରୁ ବିଚ୍ୟୁତ ହେଲେ ବି ଲେଖାଟିରେ ଯେ କିଛି ସାମାଜିକ ବାର୍ତ୍ତା ରହିଛି ତାହା ହିଁ ଆଶ୍ବାସନାର ବିଷୟ ।ଲେଖକଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।