4/09/2019

ଦିବ୍ୟଦୃଷ୍ଟିରେ ପ୍ରଫୁଲ୍ଲ ଭାଇଙ୍କ ଦିବ୍ୟବଚନ

ବୈଜୟନ୍ତୀ ସାହୁ
***********************
"ଦିବ୍ୟାଙ୍ଗ ଭାଇଙ୍କ ଦିବ୍ୟବଚନ                                             ମନକର୍ଣ୍ଣ ଦେଇ ଶୁଣ ହେ ଜନ
ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବା ଭୋଟ
ନେବାନାହିଁ ଲୁଚି କା,ଠାରୁ ନୋଟ
ଖଣ୍ତିଏ ଭୋଟ ଅମୂଲ୍ଯ ମୂଲ୍ୟ
ହୁଏ ନାହିଁ କିଛି ତା' ସଙ୍ଗେ ତୁଲ୍ୟ ।"

Blind Prafulla Bhai Singing Song About Election Awareness
            ଦିବ୍ୟାଙ୍ଗପ୍ରଫୁଲ ଭାଇଙ୍କ ଦିବ୍ଯଦୃଷ୍ଟିରେ ସମାଜର ଦୂରାବସ୍ଥାକୁ ସେ ଅତି ନିକଟରୁ ଦେଖି ମହତ୍ତ୍ବପୂର୍ଣ୍ଣ ବାର୍ତ୍ତା ସମାଜକୁ ଦେଇଛନ୍ତି ,ଯାହାକି ସମାଜରେ ଏକ ବିପ୍ଲବାତ୍ମକ ନୂଆ ମୋଡ ସୃଷ୍ଟି କରିବ,ତାହା ନିମ୍ନରେ ପ୍ରଦାନ ହୋଇଛି ।ପ୍ରତ୍ଯେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାବାଳକ  ଭୋଟଦାନ ପ୍ରଥା ପ୍ରଚଳିତ ଏବଂ ରାଜନୀତିଜ୍ଞ ଦଳ ମାନଙ୍କର ଏକ ବିଶେଷ ଭୂମିକା ବିଦ୍ଯମାନ । ସେହି ମାନଙ୍କ କାର୍ଯ୍ଯକଳାପ ଉପରେ ହିଁ ଦେଶର ଭବିଷ୍ଯତ ନିର୍ଭର କରେ । ସେହି ଦୃଷ୍ଟିରୁ ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟରେ ରାଜନୀତିଜ୍ଞ ଦଳ ମାନଙ୍କର ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ସମ୍ବିଧାନ ପ୍ରଣୟନ ସମୟରେ ଭାରତର ସଂସଦୀୟ ସରକାର ବହୁଦଳୀୟ ହେବ ବୋଲି ସ୍ବୀକୃତି ପ୍ରଦାନ କରାଯାଇ ଥିବାରୁ,ବିଶ୍ବରେ ସବୁଠାରୁ ଅଧିକ ରାଜନୈତିକ ଦଳ ଭାରତରେ ଦେଖା ଦେଇଥାନ୍ତି । ସୁସ୍ଥ ଗଣତନ୍ତ୍ର ପାଇଁ ଏହାର ଉପଯୋଗୀତା ଥିଲେ ମଧ୍ଯ ସେମାନେ ଦଳଗତ,ବ୍ଯକ୍ତିଗତ ସ୍ବାର୍ଥରେ ଲିପ୍ତ ରହି ସାମାଜିକ, ମାନବିକ ମୂଲ୍ଯବୋଧ ହରାଉଛନ୍ତି । ଧର୍ମ,ଆଞ୍ଚଳିକ ମନୋଭାବ,ସାମ୍ପ୍ରଦାୟିକ ଜାତିଆଣ ଭାବ,ଅର୍ଥକୁ ପୁଞ୍ଜିକରି ବିଭିନ୍ନ ପ୍ରକାର ଦଳ ଗଠନ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଉଛନ୍ତି । ଜିତିବା,ହାରିବାର ପ୍ରତିଯୋଗିତାରେ ଜନସାଧାରଣଙ୍କର ମତିଭ୍ରାନ୍ତ କରି ସେମାନଙ୍କ ସୁବିଚାର ନୈତିକ ଚିନ୍ତାଧାରାରୁ ପଥଭ୍ରଷ୍ଟ କରୁଛନ୍ତି । ସ୍ବାଧୀନ ଜୀବନ ଯାପନ,ସ୍ବାଧୀନ ମତ ବ୍ଯକ୍ତ, ସ୍ବାଧୀନ ଚଳପ୍ରଚଳ ମଣିଷର ସହଜାତ ପ୍ରବୃତ୍ତି । ମାତ୍ର ସମୟେ ସମୟେ ସ୍ବାଧୀନ ଜୀବନର ପ୍ରବହମାନ ଝରଣାର ଗତିପଥକୁ କିଛି ବାଧାବିଘ୍ନ, ଲୋଭପ୍ରଲୋଭନ ବଦଳେଇ ଦିଏ । ଏହାଦ୍ବାରା ଗଣତାନ୍ତ୍ରିକ ସମାଜରେ ସ୍ବାଧୀନତା ଅଚିରେ କ୍ଷୂର୍ଣ୍ଣ ହୁଏ । ଗଣତାନ୍ତ୍ରିକ ମୂଲ୍ଯବୋଧ ପ୍ରତି ରାଜନିତିକ ଦଳ,ଜନସାଧାରଣ କେତେ ମାତ୍ରାରେ ସଚେତନ ତାହା ହିଁ ଦିବ୍ୟାଙ୍ଗ ପ୍ରଫୁଲ୍ଲ ଭାଇଙ୍କ‐"ନିର୍ବାଚନ ପ୍ରସଙ୍ଗରେ"ତାଙ୍କ କଣ୍ଠର ସୁଲୋଳିତ ସ୍ବର ମାଧୁର୍ଯ୍ଯରୁ ବେଶ୍‌ ବାରି ହୋଇ "ମୂଖ୍ୟ ପ୍ରଶ୍ନହୋଇ ଆମ ଆଖି ଆଗରେ ଠିଆ ହୋଇଛି । ସାମ୍ପ୍ରତିକ ଅବସ୍ଥାରେ ଆଗକୁ ଆସୁଥିବା
ନିର୍ବାଚନକୁ ଆଖି ଆଗରେ ରଖି ଦିବ୍ଯାଙ୍ଗ ପ୍ରଫୁଲ ଭାଇ ଟ୍ରଲି ମାଧ୍ଯମରେ ବୁଲି ବୁଲି କିପରି ସ୍ବଚ୍ଛ -ନିର୍ମଳ ,ସଠିକ ମତ ବ୍ଯକ୍ତ କରିବେ ଓ କଳୁଷିତ ଭୋଟ ପ୍ରଥାରୁ ଦୂରେଇ ରହିବେ, ଆଉ ପଇସା ନ ନେଇ ଭୋଟ ଦେବେ, ଜନସାଧାରଣଙ୍କୁ ସଚେତନ କରାଉଛନ୍ତି,ଏଥିରୁ ତାଙ୍କର ମହନୀୟ ଗୁଣାବଳୀର ପରିଚୟ ମିଳେ । ସେ ଅନ୍ଧ ହେଲେ ମଧ୍ଯ ନିଜ ଦିବ୍ୟଦୃଷ୍ଟିରେ ସ୍ବାଭିମାନ କିପରି ନଷ୍ଟ ହୋଇଯାଉଛି,ତାହା ଜଳ ଜଳ ଦେଖି ପାରୁଛନ୍ତି ।

      ଭାରତୀୟ ଗଣତନ୍ତ୍ର ଶାସନ ବାଖ୍ଯା କରିବା ସମୟରେ ବହୁ ଚିନ୍ତାମଗ୍ନ ଭଙ୍ଗିରେ ଦିବ୍ୟଦୃଷ୍ଟି କୋଣରୁ ଏହାର ରୂପରେଖ ପ୍ରସ୍ତୁତି କରି ଆଦେଶାତ୍ମକ ଭାବେ ଓ ଅନୁରୋଧାତ୍ମକ ଭାବେ ଜନସାଧାରଣଙ୍କର କର୍ତ୍ତବ୍ଯ ଓ ଗରୁତ୍ତ୍ବକୁ ସୂଚାଇ ଦେଇଛନ୍ତି ।ଏକଗଣତାନ୍ତ୍ରିକ ରାଷ୍ଟ୍ରରେ ଜନ ସାଧାରଣଙ୍କର ନିରପେକ୍ଷ ମତଦାନର ଗୁରୁଦାୟିତ୍ବ ଓ କର୍ତ୍ତବ୍ଯ ରହିଛି  । ଏହାକୁ ଆମେ ଭୁଲିଯାଇ ଭୋଟ କିଣାବିକା, ଅର୍ଥ ଲାଳସାର ପ୍ରଲୋଭନରେ ପଡି କିଛି ଟଙ୍କା ବିନିମୟେ କେତେ ଜଣ ସ୍ବାର୍ଥ ପରାୟଣ ଅଯୋଗ୍ୟ ବ୍ଯକ୍ତିଙ୍କୁ ଶାସନ ଗାଦିରେ ବସିବାକୁ ସାବ୍ଯସ୍ତ କରିଥାଉ । ଭାରତର ପ୍ରତ୍ଯେକ ବୟସ୍କବ୍ଯକ୍ତି (୧୮ବର୍ଷରୁଉର୍ଦ୍ଧ)ଭୋଟ ଦେବାର ଅଧିକାରରେ ଭୋଟ ଦେଇ ପ୍ରାର୍ଥୀ ନିର୍ବାଚିତ କରିଥାଏ ।ମାତ୍ର ଆଜି ରାଜନୀତିରେ ରାଜନୈତିକ ବିଭିନ୍ନ ଦଳ ମାନଙ୍କର ଅସାଧୁ କ୍ଷମତା ଓ ଅର୍ଥବଳ କିପରି ପ୍ରାଧାନ୍ଯ ବିସ୍ତାର କରି ମତଦାନରେ ଆମର ମନ ଭାବକୁ ବଦଳେଇ ଦେଇ କଳୁଷିତ କରୁଛନ୍ତି, ତାହା ଅନ୍ଧ ପ୍ରଫୁଲ ଭାଇ ଜାଗ୍ରତ କରି ଦେଇଛନ୍ତି । ଦେଶର ଅବସ୍ଥା ଓ ପରିସ୍ଥିତିକୁ  ସେ ଦିବ୍ଯ ଦୃଷ୍ଟିରେ ଦେଖି ଆଗାମୀ ନିର୍ବାଚନ ପାଇଁ ସତର୍କ ରହିବାକୁ
ସଚେତନ କରାଇଛନ୍ତି ।
 
       ଗଣତନ୍ତ୍ରର ସଫଳତା ଜନସାଧାରଣଙ୍କ ସାଧୁତା, ବିଚାରଶକ୍ତି, ଚରିତ୍ର ବତ୍ତା, ସଚେତନତା ଉପରେ ନିର୍ଭର କରେ  । ଲୋକ ଚରିତ୍ର ସଂଶୋଧନ ହୋଇ ପାରିଲେ ନିର୍ବାଚନ ଗଣତନ୍ତ୍ର ସଫଳ ହୋଇ ପାରିବ ବୋଲି ସେ ସୂଚେଇ ଦେଇଛନ୍ତି । ଟଙ୍କା ଦେଇ ଭୋଟ କିଣିଥିବା ରାଜନେତାମାନେ ଭ୍ରଷ୍ଚାଚାର, ଦୁର୍ନିତିର ଚେରକୁ ତଳକୁ
ଲମ୍ବେଇ ଦେଇଥାନ୍ତି । ଯାହାକି ସମାଜକୁ କଳୁଷିତ କରିବାକୁ ସଦା ଉଦ୍ୟମରତ ଥାନ୍ତି । ମାନବିକ ମୂଲ୍ୟବୋଧର ସମ୍ମାନ ତଥା ଅସହାୟ ମାନବର ଅମାନବିକତା ଜନସାଧାରଣଙ୍କୁ ତାଙ୍କ ନାଗ ଫାଶରେ ଛନ୍ଦି ଦିଅନ୍ତି । ଜୀବନ ଯୁଦ୍ଧରେ ପରାହତ ମଣିଷ ପ୍ରାଣରେ ସୃଷ୍ଟି କରନ୍ତି ଅଳସୁଆ ପରାୟଣତାରେ ବଞ୍ଚିବାର ଉନ୍ମାଦନା । ପରୋକ୍ଷରେ ଖେଳାଇ ଦିଅନ୍ତି ଛଳନାଯୁକ୍ତ ତାଛଲ୍ଯ ପ୍ରୀତିର ଝରଣା ।ବିଶ୍ବ ରାଜନୀତିରେ ଭାରତର ସ୍ଥିତି ଅତ୍ଯନ୍ତ ଦୟନୀୟ ଶୋଷଣ, ଦୁର୍ନୀତି, ଅନ୍ଯାୟ, ଅତ୍ଯାଚାରର ନୈତିକ ଜୀବନର ଅଧୋପତନ ଘଟାଇ ବ୍ଯକ୍ତିଗତ ସ୍ବାର୍ଥ ସାଧନ ନିମିତ୍ତ ଚେଷ୍ଟିତ । ରାଜନୀତିରେ କଳାବଜାରି,ଗୁଣ୍ତା,ବଦମାସ ଓ
ଅସାମାଜିକ ବ୍ୟକ୍ତିତ୍ବ ସ୍ଥାନ ମାଡି ବସିଛନ୍ତି । ବର୍ତ୍ତମାନ ରାଜନୀତିଜ୍ଞ ଦଳ ସରକାରଙ୍କ ଅର୍ଥରେ କେବଳ ନିଜର ନୁହେଁ,ପରିବାର ତଥା ବନ୍ଧୁବାନ୍ଧବଙ୍କ  ସେବାରେ ଲାଗି ପଡିଛନ୍ତି । ପ୍ରଜା ମାନଙ୍କ ତୋଷଣ ନୁହେଁ,ପ୍ରଜା ଶୋଷଣ ହୋଇଛି ଆଜିର ନିର୍ବାଚନ ଇସ୍ତାହାର । ନିଜ ସ୍ବାର୍ଥ ପାଇଁ ଦେଶର ସ୍ବାର୍ଥକୁ ବିକ୍ରି କରି ଦେଉଛନ୍ତି । "ଗରୀବ ହଟାଓ" କେବଳ ଏକ ସ୍ଲୋଗାନ,"ଜୟ ଯବାନ ଜୟ କିଶାନ" କେବଳ ଶ୍ରୁତି ରୋଚକ ଶଦ୍ଦାବଳୀ । "ଜୟହିନ୍ଦ" କେବଳ ଶଦ୍ଦବାଣ  । ପବିତ୍ର ରାଜନୀତିର ଅମୃତ ଭାଣ୍ତରେ ବିଷର ଉଦ୍ଗୀରଣ  । ଅବିଶ୍ବାସର ବାତାବରଣ ଭିତରେ ପ୍ରତ୍ଯେକଟି ମଣିଷ  ଆଜି ସନ୍ତୁଳିତ । ଭାରତୀୟମାନେ ଶାରୀରିକ ପରାଧୀନତାରୁ ମୁକ୍ତିଲାଭ କରିଥିଲେ ହେଁ,ମାନସିକ ପରାଧିନତାରୁ ମୁକ୍ତ ନୁହେଁ । ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ଯତମ ସାରଥି ପଣ୍ତିତ ଜବାହରଲାଲ ନେହେରୁ ଘୋଷଣା କରିଥିଲେ, ଭାରତ ସ୍ବାଧୀନତା ଲାଭ କଲେ, କଳାବଜାରୀ ମାନଙ୍କୁ ନିକଟତମ ଷ୍ଟାମ୍ପ୍‌ ପୋଷ୍ଟରେ ଫାଶି ଦିଆଯିବ । ସ୍ବାଧୀନତା ପରେ ଜଣେ ହେଲେ କଳାବଜାରୀ ଫାଶୀ ପାଇବା ତ ଦୂରର କଥା ବରଂ
ଭାରତର ଶାସନ ବ୍ଯବସ୍ଥା କଳାବଜାରୀଙ୍କ ଦ୍ବାରା ନିୟନ୍ତ୍ରିତ । ସ୍ବଦେଶପ୍ରାଣତା,ସାଧୁତା,ଶୄଙ୍ଖଳା, କର୍ତ୍ତବ୍ଯ ପରାୟଣତା, ସ୍ବାର୍ଥହୀନତା ଆଦି ଶଦ୍ଦ ଗୁଡିକ ରାଜନୀତିର ଅଭିଧାନରୁ ନିର୍ବାସିତ । ବର୍ତ୍ତମାନ ରାଜନୀତି  କରୁଥିବା ବ୍ଯକ୍ତି (ବିଧାନସଭା, ବିଧାନ ପରିଷଦ,ପାର୍ଲିଆମେଣ୍ଟ) ସଦସ୍ଯଙ୍କ ମଧ୍ୟରୁ ପ୍ରାୟ ୫୦ଭାଗରୁ  ଉର୍ଦ୍ଧ୍ବ୍ଯ ବ୍ଯକ୍ତିଙ୍କ ନାମରେ ଅନେକ ମାମଲା ବିଭିନ୍ନ ଅଦାଲତ-ଥାନାରେ ପଡି ରହିଛି । ଭୋରା କମିଟି ରିପୋର୍ଟରୁ ରାଜନୀତିରେ କିପରି ଅପରାଧିକରଣ ବୃଦ୍ଧି ପାଉଛି ସୂଚନା ମିଳିଛି । ଏହା ସତ୍ତ୍ୱେ ଖୁବ୍‌ ଆଡମ୍ବର ସହକାରେ ଗରମ ଗରମ ଭାଷଣଦ୍ବାରା ନିର୍ବାଚନ ପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ଚୋରାରେ ଖର୍ଚକରି ନିର୍ବାଚନ ମଇଦାନରେ ଅକ୍ଲେଶରେ ଜିତୁଛନ୍ତି । ଯାହା ଏହି କୋଟି କୋଟି ଟଙ୍କା ଖର୍ଚର ଭରଣା ଗରୀବ ଖଟିଖିଆ ଭାରତୀୟଙ୍କ ଉପରେ ଶୁଳ୍କ ସ୍ବରୂପ ଲଦି ଦିଆ ଯାଉଛି  । ଭୋଟ ପରେ ଦରଦାମ ହୁ ହୁ ହୋଇ ବଢାଇ ଦିଆଯାଇ  ପରିପୂରଣ କରାଯିବ ।ଭାରତରେ ବର୍ତ୍ତମାନ ନିର୍ବାଚନର ଡେଙ୍ଗୁରା ବାଜି ସାରିଲାଣି ।ବର୍ତ୍ତମାନ ପ୍ରଶ୍ନ ଉଠେ,ଭାରତର ଗଣତାନ୍ତ୍ରିକ ମୂଲ୍ଯବୋଧକୁ ଆମେ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରୁଛେ କି ? ଏହି ବିଶାଳ ଗଣତନ୍ତ୍ର ରାଷ୍ଟ୍ରର ଭବିଷ୍ଯତ କଣ ? ଆମେ ବାସ୍ତବରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ବାସ କରୁଛେ କି ? ଏ ସମ୍ପର୍କରେ ଆମେ ସଚେତନ କି ? ଭାରତର ନିର୍ବାଚନ ବିପଦମୁଖୀ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଗଣତନ୍ତ୍ରକୁ ଲୋକ ମାନଙ୍କର, ଲୋକ ମାନଙ୍କ ଦ୍ବାରା, ଲୋକ ମାନଙ୍କ ପାଇଁ ଏକ ସରକାର ବୋଲି କହିଛନ୍ତି । ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁ ବିଶ୍ବାସ କରୁଥିଲେ କି, ଗଣତନ୍ତ୍ର ଶାସନ ହେଉଛି ‐ ସର୍ବଶ୍ରେଷ୍ଠ ଉପାୟ, ଯାହା ଦ୍ବାରା ଆଲୋଚନା, ଯୁକ୍ତି,ନିଷ୍ପତି ମାଧ୍ଯମରେ ଅନୁକୂଳ ସିଦ୍ଧାନ୍ତରେ ପହଞ୍ଚେ । ମହାତ୍ମାଗାନ୍ଧୀ ଗଣତନ୍ତ୍ରକୁ "ଶକ୍ତିଶାଳୀ ଦୁର୍ବଳ ବ୍ଯକ୍ତିଙ୍କ ସୁଯୋଗର ସରକାର" ବୋଲି କହିଛନ୍ତି । ସେଥିପାଇଁ ଭାରତୀୟ ସମ୍ବିଧାନରେ ପ୍ରସ୍ତାବନାରେ କୁହାଯାଇଛି‐ଆମ ଦେଶ ପାଇଁ ଗଣତନ୍ତ୍ରକୁ ଆମେ ସରକାର ମାଧ୍ଯମ ରୂପେ ନେଇଛୁ । ପୁନରାୟ ଏହାର ପ୍ରସ୍ତାବନାରେ କୁହାଯାଇଛି‐ଭାରତୀୟ ଜନ ସାଧାରଣଙ୍କୁ ସାମାଜିକ, ଅର୍ଥନିତିକ, ରାଜନୀତିକ ସୁରକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମ  ଅଧିକାର ଏବଂ ଚିନ୍ତାଧାରାକୁ ସ୍ବାଧୀନ ଭାବରେ ପ୍ରକାଶ କରିବାକୁ ବାକଅଧିକାର ଦେବା ପାଇଁ ଘୋଷଣା କରାଯାଇଛି ।

          ଭାରତ ସ୍ବାଧୀନତା ଲାଭ କରିବା ଠାରୁ ଆଜି ସୁଧା ୧୪ଟି ନିର୍ବାଚନ ପ୍ରକ୍ରିୟା ଅତିକ୍ରମ କରିସାରିଲାଣି । ସେହି ନିର୍ବାଚନର ରୂପରେଖ କିଛି ମାତ୍ରାରେ ପ୍ରଫୁଲ୍ଲ ଭାଇ ଅନୁଭବ କରିଲେଣି, ତେଣୁ ସେ ସତ୍ଯଟିକୁ ହୃଦୟଙ୍ଗମ କରି ଜନତାଙ୍କୁ ସତର୍କ କରାଉଛନ୍ତି ।   କାହିଁକି ନା‐ଜନତାଙ୍କ ଅଶିକ୍ଷା, ଅଜ୍ଞତାର ଅଭାବ ମୂଳ କାରଣ ।  ଗଣତନ୍ତ୍ର ନିର୍ବାଚନର ମୌଳିକ ତତ୍ତ୍ବ ଓ ଆଦର୍ଶ ବୁଝିବାକୁ ଅସମର୍ଥ । କିଛି ଜନତା ତାଙ୍କର ଭୋଟର ମୂଲ୍ୟ ବୁଝିବାକୁ ଅକ୍ଷମ । ସେଥିପାଇଁ ଅନେକ ସମୟରେ ଶସ୍ତା ପ୍ରଚାର, ସ୍ଲୋଗାନ, ମିଥ୍ୟା ପ୍ରତିଶ୍ରୁତି ଭୁଲି ଯାଇ ଅବାଞ୍ଛିତ ବ୍ଯକ୍ତିଙ୍କ ସପକ୍ଷରେ ଭୋଟ ଦେଇ ମତାଧିକାର ସାବ୍ଯସ୍ତ କରନ୍ତି । ଧୃତ ରାଜନୀତିଜ୍ଞ ସେମାନଙ୍କ ସରଳ ମନ, ଭାବପ୍ରବଣତା, ଅଜ୍ଞତାକୁ ଶୋଷଣ କରିବାର ସୁଯୋଗରେ ଥାଆନ୍ତି  । ଜନ ସାଧାରଣଙ୍କ ତ୍ରୁଟି ହେଉଛି‐ସଂକିର୍ଣ୍ଣ ମନଭାବ, ଅର୍ଥ ପ୍ରତି ଲୋଭାସକ୍ତ ହୋଇ,ସାମ୍ପ୍ରଦାୟିକ ଭାବ ଯାହା ଦ୍ବାରା ଉପଯୁକ୍ତ ପ୍ରାର୍ଥୀଙ୍କ ଅପେକ୍ଷା ଅଯୋଗ୍ୟ ପ୍ରାର୍ଥୀ ନିର୍ବାଚନରେ ନିର୍ବାଚିତ ହୋଇ ଶାସନ କ୍ଷମତାରେ ରହିଥାନ୍ତି ।

      ଏଠାରେ ଦିବ୍ୟଦ୍ରଷ୍ଟା ପ୍ରଫୁଲଭାଇ ଦୂରଦୃଷ୍ଟିରେ ସଚେତନ କରି ଭୋଟ ଉପରେ ସୁଲଳିତ କଣ୍ଠସ୍ବରଟି ସୁପ୍ତ ମଣିଷ ମନରେ ଜାଗ୍ରତ କରିପାରେ ନିଶ୍ଚୟ  । ଗଣତନ୍ତ୍ରର ମୂଳ ଲକ୍ଷ୍ଯ‐ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ, ଭାଷା ନିର୍ବିଶେଷରେ ସମସ୍ତଙ୍କର ସମାନ ସାମାଜିକ ଅଧିକାର ପାଇଁ ସୁଯୋଗ ସୃଷ୍ଟି କରିବ । ମାତ୍ର ବ୍ଯକ୍ତି ଚରିତ୍ରରେ ସଂଙ୍କଟ,ମୂଲ୍ଯବୋଧ ଅବକ୍ଷୟ ଦେଖା ଦେଲେ ନିର୍ବାଚନ ଫଳାଫଳ ବି କଳୁଷିତ ହୋଇଥାଏ ।  ପ୍ରଫୁଲ ଭାଇଙ୍କ ମତରେ -  ଜନତା ନିଜର ଚରିତ୍ରକୁ ବିଶ୍ଲେଷଣ କରିବା ଉଚିତ । ବର୍ତ୍ତମାନ ଆତ୍ମ ବିଶ୍ଲେଷଣର ପ୍ରକୃଷ୍ଚ ସମୟ । କାରଣ‐ଧନୀ ହୋଇଛି ଅଧିକ ଧନୀ, ଦରିଦ୍ରର ଆର୍ଥିକ ଅବସ୍ଥା ଅଧିକ ଶୋଚନୀୟ , ସ୍ବାଧୀନ ଦେଶର ନାଗରିକ ରୂପେ ସବୁ କ୍ଷେତ୍ରରେ ସରକାରଙ୍କ ଉପରେ ବିଶ୍ବାସ ନ ରଖି ଦୁର୍ନୀତିକୁ ମୁକାବିଲା କରିବାର ମନ ଆବଶ୍ଯକ । ରାଜନୀତି ମଇଦାନରେ ଉଭା ହୋଇଥିବା ଲୋକ ଯେ କୌଣସି ଠାରେ ପହଞ୍ଚି ପାରି ମାନବିକ ଅଧିକାର ଲୁଣ୍ଠନ କରି ପାରନ୍ତି ।

            ଭାରତର ମହନୀୟ ଆଦର୍ଶ ନିର୍ବାଚନ ପ୍ରକ୍ରିୟାରେ କଳଙ୍କ ଲାଗିପାରେ । ପ୍ରଫୁଲ୍ଲ ଭାଇ ଅନ୍ଧ ହେଲେ ବି ସୂର୍ଯ୍ଯଙ୍କ ଆଲୋକ ସିନା ଦେଖି ପାରୁନାହାନ୍ତି, ମାତ୍ର ପୁଣ୍ଯମୟୀ ଭାରତ ମାତାର ସ୍ବାଭିମାନକୁ ଦିବ୍ଯଦୃଷ୍ଟିରେ ଦେଖି ପାରୁଛନ୍ତି  । ପଇସା ଲୋଭ ଦେଖାଇ ମୋ ଭାରତ ମାତାର ସ୍ବାଭିମାନ କିପରି ବିକ୍ରି ହୋଇ ଯାଉଛି, ନିର୍ବାଚନ ପ୍ରକ୍ରିୟାରେ କଳଙ୍କ ଲଗା ଯାଉଛି, ତାଙ୍କ ମନରେ ସଚେତନ ଭାବ ଉଦ୍ରେକ ହୋଇ ଆଗେଇ ଆସିଛନ୍ତି ନିଜ ଜୀବନକୁ ବାଜି ଲଗେଇ ସତ୍ୟର ମୁକାବିଲା ପାଇଁ । ଦୁର୍ନୀତି ହଟାଇବାର ପଦକ୍ଷେପ ନେଇ ନିଜର ସୁଲଳିତ ସଂଙ୍ଗୀତ ମାଧ୍ଯମରେ ପଥପ୍ରାନ୍ତେ ଶୁଣାଇ ଚାଲିଛନ୍ତି ଅବିରତ ଭାବେ । ଯାହା ନିହାତି ସ୍ବାଗତଯୋଗ୍ୟ ; ଏହି ପ୍ରସଙ୍ଗରେ ମଧ୍ଯ ସମସ୍ତଙ୍କର ଦୃଷ୍ଟିକୁ ଦିବ୍ୟାଙ୍ଗ ମାନଙ୍କ ଅବହେଳିତ ଅବସ୍ଥାକୁ ଉପସ୍ଥାପନା କରି ସରକାରଙ୍କୁ ଚେତେଇ ଦେଇଛନ୍ତି । ନିଶ୍ଚୟ ତାହା ପ୍ରଣିଧାନ ଯୋଗ୍ଯ । ପ୍ରଫୁଲ ଭାଇଙ୍କ ଏହି ସାହସିକ ପଦକ୍ଷେପ , ଆଦର୍ଶ ଚିନ୍ତାଧାରା ପାଇଁ ତାଙ୍କ ପାଦତଳେ ମୋର କୋଟି ପ୍ରଣାମ ଜଣାଇ ରହୁଛି ।
ତାଙ୍କର ଆହ୍ବାନ,ଆଶା ନିଶ୍ଚୟ ସଫଳ ହେଉ ।

ଶିକ୍ଷୟତ୍ରୀ,ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ଯାଳୟ,
ଶ୍ରୀରାମ ନଗର ,ପିପିଲି,ପୁରୀ  ।

ବନୀକରଣ

କାଦମ୍ବିନୀ ଖୁଣ୍ଟିଆ (କାଜଲ)
         ଚର୍ତୁପାର୍ଶ୍ବ ପଡିଛି ଖାଲି ହୋଇ ଚୋରାବାଲି ।
ନାହିଁ ଆଉ ବଣ ଜଙ୍ଗଲ,ବନୀକରଣ ; ଖୋଜୁଛି ସେଇ ବିତେଇ ଥିବା ବୃକ୍ଷଙ୍କ ସହ ଅଲିଭା ମୂହୁର୍ତ୍ତ ।ଥରୁଟିଏ ବି ଭାବିଲନି ଆମରି କଥା। କେତେ ହସଖୁସିରେ ସମୟ ବିତଉଥିଲେ ଆମେ। ଛୋଟରୁ ନେଇ ବଡ ବୃକ୍ଷ ପର୍ଯ୍ୟନ୍ତ ସବୁଜ ପତ୍ର ହସି ହସି ପିଇ ଯାଉଥିଲେ ବିଷ ଅଙ୍ଗାରକାମ୍ଳକୁ। ଆଉ ଅମୃତର ଅମ୍ଳଜାନକୁ ପୃଥିବୀ ପୃଷ୍ଟେ ବିନା ଦ୍ବିଧାରେ ପରଶି ଦେଉଥିଲୁ। କେତେ ଆଶ୍ବାସନା ଲଭୁଥିଲା ମାଟି ମା। ଆଜି ମାଟି ମା ଉଦାର ହୃଦୟକୁ ମେଲି ଆତ୍ତ୍ରଚିତ୍କାର କରି କହୁଛି ଫେରେଇ ଦିଅ ମୋ ସବୁଜ ବନାନୀକୁ । କାହିଁ ମୋ ଅଁଳା ବୃକ୍ଷ, ମୋ ଦାରୁ ଦିଅଁ ପାଇଁ ନିମ୍ବ ବୃକ୍ଷ, ଶାଳ, ଶାଗୁଆନ୍‌, ପଟାସ୍‌ । ଘରର ସବୁ ବିପଦକୁ କରିଥିଲୁ କେତେ ପ୍ରତିବନ୍ଧକ । ଶାଳ ଚାକୁଣ୍ଡାରୁ କେତେ କରି ଆସୁଥିଲ ଖଟ-ପଲଙ୍କ ଚେୟାର-ବେଞ୍ଚ । ଚାଳଘର କରୁଥିଲ ଦେଇ ରୁଅ ବାଉଁଶ । ଚୂଲି ମୁଣ୍ଡେ ଆମେ ଆମର ପତ୍ରରୁ ଆରମ୍ଭ କରି ଡାଳ ଯାଏଁ ଜଳି ଜଳି ସୁଷମ ଖାଦ୍ୟ ଦେଉଥିଲୁ । ଅମା ଅନ୍ଧାରକୁ ଦୂର କରିବାକୁ ଯାଇ ନିଜକୁ ଜାଳି ସାଜିଥିଲୁ ଆଲୋକ ବତି। ଶୀତ ପ୍ରକୋପରୁ ରକ୍ଷା କରିବା ନିମନ୍ତେ ଆମକୁ ଜାଳି ନିଆଁ ପିଇ ଲଭୁଥିଲ କେତେ ଶାନ୍ତି । ପୂଜାରେ ଶାଳ, ଆମ୍ବ କାଠକୁ ନେଇ ହୋମ କରି ପୂଜା ଉଜ୍ଜାପନା କରୁଥିଲ ଘରର ମଙ୍ଗଳ କାମନା କରି। ସାବିତ୍ରୀ ବ୍ରତରେ ସ୍ବାମୀଙ୍କ ମଙ୍ଗଳ କାମନା ପାଇଁ ନାହିଁ ପଣଷ, ଆତ, ଆମ୍ବ, ସପୁରି, ତାଳ ଇତ୍ୟାଦି ନାହିଁ ପୁଣି ତା ସାଥିରେ ପୂଜିବା ପାଇଁ ଘଞ୍ଚ ଜଙ୍ଗଲ। ନାହିଁ କନ୍ୟାଙ୍କ ରଜ ଦୋଳି ଖେଳ। ଗାଇବା ପାଇଁ "ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ" ବର ଓସ୍ତ ବିଶାଳ ବୃକ୍ଷ। ବନ କାଇଁ ଯେ, ଡାକିବ ଗଜ। ଶୁଭୁନି ପକ୍ଷୀ ମାନଙ୍କ କିଚିରି ମିଚିରି ସୁମଧୁର ସ୍ବର । 
                           

    ଦେଖିବାକୁ ମିଳୁନାହିଁ ରଙ୍ଗ ବେରଙ୍ଗର ପକ୍ଷୀଙ୍କୁ । ମନକୁ ବୁଝେଇବାକୁ ପଡୁଛି ବହିର ଚିତ୍ରକୁ ଦେଖି। ଦେଖିବାକୁ ମିଳୁନାହିଁ ବାଘ-ଭାଲୁ-ଗଜ-ସିଂହ-ସର୍ପ-ମୟୂର - ବିଲୁଆ - ହେଟା-କୋକିଶିଆଳି - ଠେକୁଆ  ; ଲୋପ ପାଇଗଲେଣି । ବଣ ଜଙ୍ଗଲ ନ ଥିବାରୁ କାଁ ଭାଁ ଥିବା ମାଡି ଆସନ୍ତି ଘର ଆଡକୁ କେତେ ଘର ଭାଙ୍ଗି ଛିନ୍ନ ବିଛିନ୍ନ କରିଦିଅନ୍ତି। କେତେ ସରଳ ଜୀବ ବଳି ପଡିଯାଆନ୍ତି ତାଙ୍କ ନିକଟରେ। ନାହିଁ ଆଉ ଝାଉଁ ବଣ । ସମୁଦ୍ର ଲଙ୍ଘିଲାଣି କୂଳ। 

              ବୃକ୍ଷ ଆଣିଦେଉଥିଲେ ଗ୍ରୀଷ୍ମରେ ଉତ୍ତାପ, ଶୀତରେ ହାଡଭଙ୍ଗା ଶୀତ, ବର୍ଷାରେ ନାହିଁ ନଥିବା ବର୍ଷା। ଏବେ ଆଉ ନାହିଁ ଋତୁ ଅନୁସାରେ ଗ୍ରୀଷ୍ମ, ବର୍ଷା କି ଶୀତ। ବର୍ଷା ସମୟରେ ଚାଷି ପୁଅ ଚାହିଁ ରହୁଛି ବର୍ଷା ଆସିଲେ ବୁଣିଦେବ ଧାନ, ରବି ଫସଲ ପନିପରିବା। ଅପେକ୍ଷାରେ ଥାଏ ତୋଳି ନେବ ବର୍ଷକ ଆହାର ଘରକୁ। କିନ୍ତୁ ଅଦିନିଆ ବର୍ଷା ଧୋଇନିଏ ଅକ୍ଳାନ୍ତ ପରିଶ୍ରମରେ ହସୁଥିବା ଧାନ କ୍ଷେତକୁ । ଆସେ ପୁଣି ରବି ଫସଲକୁ । ବୃକ୍ଷରେ ତିଆରି ହେଉଥିଲା କେତେ କାଗଜ ବହି। ମଣିଷ ମୃତ୍ୟୁ ପରେ କୋକେଇ ପାଇଁ ଛଅ ଖଣ୍ଡ ବାଉଁଶ କାଠ ଆଉ ଦାହ ପାଇଁ କେଇ ଖଣ୍ଡ କାଠ ମିଳିବା ହେଇଯିବ ମଣିଷ ପାଇଁ  ଆଗକୁ ଦେଖିବା ସାତ ସପନ ।ଖୋକା ଭାଇଙ୍କ ସୁମଧୁର ଗୀତ- 
"ଏଇ ଯେ ବନ ଲତା ପାହାଡ,
ଆହାଃରେ ଦିଶେ କେଡେ ସୁନ୍ଦର"
ପୁଣୀ ଆଉ ଏକ ଗୀତ-
" ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ,
ଯାଇଛି ସତ ହୋଇ
    ମୁଁ ଭୁଲିବି ନାହିଁ"...।
ସତରେ କଣ ସପନ ହେଇ ରହିଯିବ ! ପୁଣି କଣ ଫେରେଇ ଆଣିପାରିବାନି ସବୁଜ ବନାନୀକୁ ! ଧରଣୀ ରାଣୀର ଓଠରେ ହସ ବୁଣି ପାରିବାନି ! ନିଶ୍ଚିତ ପାରିବା । ଏମିତି କେତେ ମହାନ ବ୍ୟକ୍ତି ମାନେ ପ୍ରକୃତିରାଣୀକୁ ଭଲ ପାଇବା ଦ୍ବାରା ଆଜି ଆମେ ଟିକିଏ ଶାନ୍ତିରେ ନିଃଶ୍ବାସ ପ୍ରଶ୍ବାସ ନେଇ ପାରୁଛେ। ଆସନ୍ତୁନା ଆମ ବସନ୍ତ ମାଆଙ୍କ ପରି ଚାରା କରି ରୋପିବା ଏକ ହାତରୁ ଅନେକ ହାତ କରିବା । ଲୋପ ପାଉଥିବା ବନ ଜଙ୍ଗଲକୁ ନୂତନ ରୂପେ ସୃଷ୍ଟି କରିବା ଦେବା ଆମେ ନାମ ବନୀକରଣ । ହସିବ ସବୁଜ ବନାନୀ,  ହସିବ ଧରଣୀ ରାଣୀ । ହସିବ ଜଗତ ଜନନୀ।
ଅରିମୂଳ, କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

ଗଙ୍ଗଶିଉଳି

ମୋନାଲିସା ନନ୍ଦ  

ଫଗୁଣର ବସନ୍ତ ପବନ ପ୍ରଭାବିତ ହେଉଛି । ଆମ୍ବ ବଉଳର ମହକରେ ଚତୁର୍ଦିଗ ଆଜି ମହକିତ । ସ୍ୱାତୀ ଆଜି ମୁକ ଭଳି ଦଣ୍ଡାୟମାନ । ପ୍ରକାଶ ତା'ର ଶରୀରରେ ହୋଲିର ଅବିର ଢ଼ାଳି ଦେଇଛି କିନ୍ତୁ ମୁକ ଜଡ ପ୍ରାୟ ପାଷାଣ ଭଳି ଛିଡା ହୋଇଥିବା ସ୍ୱାତୀ,ବିଜୁଳି ପ୍ରାୟ ଚମକି ଉଠିଛି ଏବଂ  ବହୁତ ଜୋରରେ ରାଗି ଯାଇଛି । ମୋତି ସଦୃଶ ଦୁଇ ଚକ୍ଷୁରୁ ଅଶ୍ରୁ ନିକ୍ଷିପ୍ତ କରି ଗୃହ ଅଭିମୁଖେ ଚାଲି ଯାଇଛି । ପ୍ରକାଶ ତା'ର ପଛେ ପଛେ ଯାଇଛି,ସେ ଦ୍ଵନ୍ଦ ରେ ପଡିଛି । କାହିଁକି ଆଜି ସ୍ୱାତୀ ଏମିତି ହେଲା ସେ ବୁଝିପାରିନି ।

            ଦିନ ଥିଲା ସ୍ୱାତୀ ଥିଲା ଗୋଟେ ମୁକ୍ତ ଆକାଶର ବିହଙ୍ଗଭଳି । ସମସ୍ତଙ୍କର ପ୍ରିୟ ଝିଅ ; ନାନୀ.. ଭଉଣୀ.. ଗାଁର ଅଲିଅଳୀ ଜେମା... ସମସ୍ତେ ତାକୁ ଭଲ ପାଇଥାନ୍ତି ।।ସବୁ କୁନି ପିଲାଙ୍କ ସାଥିରେ ତାର ବନ୍ଧୁତା, କୋଉଠି ମିଶି ତୋଟାରୁ ଆମ୍ବ ଚୋରେଇବା,ପୋଖରୀରେ ପହଁରିବା, କବାଡି ଖେଳିବା ଇତ୍ୟାଦି ତା'ର ନିତିଦିନ କାମ । ପାଠ ଭଲ ପଢେ ବି ସେ ସ୍ୱାତୀ । ଦୁଷ୍ଟାମୀ କିନ୍ତୁ ବହୁତ କରୁଥିଲା । ମା' ଓ ବାପାଙ୍କର ଗୋଟିଏ ଝିଅ ବୋଲି ଭାରି ଗେଲବସର । ଜମିଦାରଙ୍କ ପୁଅ ପ୍ରକାଶ ସହ ତା'ର ଦେଖା ହେଲା । ସେତେବେଳେ ସେ ଜମିଦାରଙ୍କ ବଗିଚାରୁ ପିଜୁଳି ଆଣୁଥିଲା । ପ୍ରକାଶ ପ୍ରଥମ ଦେଖାରେ ତାକୁ ଭଲ ପାଇଯାଇଥିଲା ।  ତା'ର ବାର୍ତ୍ତାଳାପରେ ଥିବା ସରଳତା ପ୍ରକାଶକୁ ଆକୃଷ୍ଟ କରିଥିଲା ।  ପ୍ରକାଶ ସ୍ଥଳବାହନୀରେ ଜଣେ ସୈନିକ ଥିଲା ।  ସେ ଛୁଟିରେ ଗାଁ କୁ ଆସିଥିଲା । ସେ ଅଜାଣତରେ  ନିଜର ହୃଦୟରେ ସ୍ୱାତୀକୁ ବସେଇ ସାରିଥିଲା । ଏକ ସୁମୁହୂର୍ତ୍ତରେ ସେ ତା'ର ମନର କଥା ସ୍ୱାତୀ ସାମ୍ନାରେ କହିଲା । ସ୍ୱାତୀ ପ୍ରଥମେ ପ୍ରତ୍ୟାଖାନ କଲା । ସେ କହିଲା ତୁମେ ଜମିଦାର ପୁଅ ମୁଁ ସାମାନ୍ୟ ଜଣେ ଚାଷୀର ଝିଅ,କେମିତି ତୁମକୁ....କିନ୍ତୁ ଶେଷରେ ପ୍ରକାଶର ପ୍ରେମ ତାକୁ ଟାଣି ନେଇଗଲା ପ୍ରକାଶ ପ୍ରତି ।  ଦୁହେଁ ଦୁହିଁଙ୍କୁ ଛାଡି ଗୋଟେ ମୁହୂର୍ତ୍ତ ବି ରହି ପାରିଲେନି ।  ଶେଷରେ ପ୍ରକାଶର ଛୁଟି ସରି ଆସିଲା ।  ସେ ସ୍ୱାତୀକୁ କହିଲା ଆଉଥରେ ମୁଁ ଛୁଟି ଆସିଲେ ତୁମକୁ ବଧୂ କରି ନେଇଯିବି । ଆମ ବିଷୟରେ ବାପାଙ୍କୁ ସବୁ କହିଛି,ବ୍ଯସ୍ତ ହେବନି ସେ ତୁମ ଘରକୁ ଆମ ବିବାହ ପ୍ରସ୍ତାବ ନେଇଯିବେ । ଏହିପରି ସ୍ୱାତୀକୁ କହି ସେ ଟ୍ରେନରେ ବସିକି ଚାଲିଗଲା ତା'ର ଗନ୍ତବ୍ୟ ସ୍ଥଳକୁ । ସ୍ବାତୀ ଭିତରେ ଆଉ ଚପଳାମି ନଥିଲା, ସେ କେବଳ ପ୍ରକାଶର ଆସିବା ପଥକୁ ଚାହିଁ ରହିଥିଲା ଚାତକ ପ୍ରାୟ ।  ଦିନ ପରେ ଦିନ ଗଡ଼ିଗଲା ପ୍ରକାଶର କିଛି ଖବର ମିଳିଲାନି ତାକୁ । ତା'ର ଠିକଣାରେ ଚିଠି ଦେଲା । କିନ୍ତୁ ଉତ୍ତର ମିଳିଲାନି.. ଜମିଦାର ବି ଘରକୁ ଆସିଲେନି ପ୍ରସ୍ତାବ ନେଇ । 

    ଦିନକର କଥା ଜମିଦାର ବାବୁ ସ୍ୱାତୀ ଘରକୁ ଆସିଲେ ବହୁତ ମୂଲ୍ୟବାନ ଜିନିଷ ଉପହାର ନେଇ । ତାଙ୍କ ପୁଅ ସହିତ ବିବାହ ପ୍ରସ୍ତାବ ଦେଇକି ତା'ର  ବାପାଙ୍କୁ କୁଣ୍ଢେଇ ପକେଇଲେ । ସ୍ୱାତୀ ଖୁସିରେ ନାଚି ଉଠିଲା । ଯେତେବେଳ ସେ କହିଲେ କି ମୋ ଘରର ବଡ ବଧୂ ତୁମ ଝିଅ ହେବ ସେତେବେଳେ ସ୍ୱାତୀର ପାଦତଳୁ ମାଟି ଖସିପଡିଲା । ଜମିଦାରଙ୍କର ବଡ ପୁଅ ଘୋଡା ମଦୁଆ । ସେ ଦୁଇଥର ବିବାହ କରି ନିଜ ସ୍ତ୍ରୀ ମାନଙ୍କୁ ହତ୍ୟା କରିଛି ।  ସେ ଗୋଟେ ରାକ୍ଷସ ଓ ପଶୁ, ସ୍ୱାତୀ ମରିଯିବ ପଛେ ତାକୁ ବିବାହ କରିବ ନାହିଁ । ବାପାଙ୍କୁ ସବୁ କଥା କହିଲା କି ସେ ଜମିଦାରଙ୍କ ସାନପୁତ୍ରଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ସାରିଛି ।  ସ୍ୱାତୀର ବାପା ବି ନିରୁପାୟ , କ'ଣ କରିବେ ; କିପରି ଜମିଦାରଙ୍କ କଥା ଟାଳିବେ ବୁଝି ପାରୁନଥିଲେ । ତାଙ୍କର ମସ୍ତିଷ୍କର ଶିରା ପ୍ରଶିରା ଗୁଡିକ ବାତ୍ୟା ଭଳି ଧାବମାନ । ତଥାପି ଦମ୍ଭର ସହିତ ଜମିଦାରଙ୍କୁ ସବୁ କହିଲେ ।  ଜମିଦାର ବାବୁ କହିଲେ ମୁଁ ସବୁ ଜାଣିଚି ତୋର ଝିଅ ମୋ ସାନ ପୁଅକୁ ବିବାହ କରିବା କଥା,କିନ୍ତୁ ବଡ ପୁଅକୁ ବିବାହ କରିବାରେ ଅସୁବିଧା କିଛି ନାଇଁ ।  ମୋ ଘରର ବଧୂ ହେବ ।  ଯେତେ ଟଙ୍କା ତୋର ଦରକାର ମୁଁ ଦେବି । ସ୍ଵାତୀର ପିତା ମୁକ ପ୍ରାୟ ଘରକୁ ଫେରି ଆସିଲେ ।  ଝିଅକୁ ଖାଲି ଶାନ୍ତ୍ୱନା ଦବା ଛଡା କୌଣସି ବାଟ ନଥିଲା ତାଙ୍କର ।  କିନ୍ତୁ ସ୍ୱାତୀ ପ୍ରତିଜ୍ଞା କଲା କି ସେ କେବେ ବି ସେ ପଶୁକୁ ବିବାହ କରିବନି ।  ଏସବୁ କଥା ଜମିଦାର ବଡ ପୁଅ କାନକୁ ଗଲା ।  ସେ ପ୍ରତିଶୋଧ ନେବାକୁ ଯୋଜନା କଲା ।

    ସ୍ୱାତୀ ଦିନେ ଆମ୍ବ ତୋଟାରେ ଏକା ଏକା ବୁଲୁଥିଲା । ପ୍ରକାଶର ସ୍ମୃତିରେ ବିମୋହିତ, କୁଆଡେ ଝଡ଼ ଭଳି କେତେଟା ନୃଶଂସ ଲୋକ ମୁଖା ପରିଧାନ କରି ତା' ପାଖକୁ ମାଡି ଆସିଲେ ।  ବାଘ ହରିଣକୁ ଭିଡ଼ି ନେଲା ଭଳି ତାକୁ ଟାଣି ନେଇଗଲେ ।  ସେ ଯେତେ ଚିତ୍କାର କଲା କିଏ ଶୁଣିଲେନି ।  କିଏ ବା ଶୁଣିବ ? ସେଠି କେବଳ ବୁଦା-ତୋଟା ; ସେହିଠାରେ ତା'ର ଆର୍ତ୍ତଚିତ୍କାରର ସାକ୍ଷୀ ହୋଇ ରହିଲେ ବୁଦା ଗହଳ,ଘାସ, ଆଉ ତୋଟା । ଗଙ୍ଗଶିଉଳି ପୁଷ୍ପ ଭଳି ସକାଳର ସୁନେଲି କିରଣ ଦେଖିବା ପୂର୍ବରୁ ଝାଉଁଳି ଗଲା ସ୍ୱାତୀର ସର୍ବସ୍ବ । ସେ ବହୁତ କଷ୍ଟରେ ଗୃହ ଅଭିମୁଖେ ଗଲା । ସେ ତା'ର ଦୁଃଖ କାହାକୁ କହିବ ? ବାପା ମା'ଙ୍କୁ କହିଲେ ସେ ଜିଅନ୍ତା ମରିଯିବେ । ସେ ସେଦିନଠୁ ମୁକ ଜଡ ପାଲଟିଗଲା । କାହା ସହିତ ମିଶେନି । କାହାକୁ କିଛି କୁହେନି । ହୃଦୟରେ ଦୁଃଖ ଚାପି ରଖି ସବୁ ସହିଯାଏ ।  ଏହାର ଦଶ ଦିନ ପରେ ହୋଲି ପଡିଲା ।  ପ୍ରକାଶ ଛୁଟିରେ ଛୁଟି ଆସିଲା । ତା'ର ପ୍ରତୀକ୍ଷା ଆଜି ଶେଷ ହୋଇଛି , ଯୁଦ୍ଧରେ ଥିବାରୁ ସେ ସ୍ୱାତୀର କୌଣସି ଚିଠି ପାଇନି କି ଚିଠି ଦେଇ ପାରିନି ।  ପ୍ରଥମେ ସେ ଅବିର ନେଇକି ସ୍ୱାତୀ ପାଖକୁ ଗଲା ।

        ସ୍ୱାତୀଠୁ ସବୁ ବୃତ୍ତାନ୍ତ ଜାଣିଲା ପରେ ପ୍ରତିଶୋଧର ନିଆଁ ଜଳିଗଲା ତା'ମାନସେ । ନିଜ ଲୋକ ଏତେ ବଡ ଧୋକା ଦେବେ ସେ କେବେ ବି ଭାବି ପାରିନଥିଲା ।  ସେ ସ୍ଵାତୀକୁ ସେଇଦିନ ବିବାହ କରି ଜମିଦାରଙ୍କୁ ଦେଖା କରିବାକୁ ଗଲା ଏବଂ ସେ ରାଜମହଲରେ ନ ରହି ଏକ କୁଟୀରରେ ରହିଲା । ନିଜର ବଡ ଭାଇକୁ ପୋଲିସ୍‌ରେ ଧରାଇ ଦେଲା ।  ସେ ଦୁଇ ପତ୍ନୀଙ୍କ ହତ୍ୟା ଓ ସ୍ୱାତୀ ପ୍ରତି କରିଥିବା ଅତ୍ୟାଚାର ପାଇଁ ଆଜୀବନ କାରାଦଣ୍ଡ ଭୋଗିଲା । ସ୍ୱାତୀ ଭଳି ଗଙ୍ଗଶିଉଳି ଜୀବନରେ ସୁନେଲି କିରଣ ଆଣି ପାରିଲା ପ୍ରକାଶ ।  ଭଗବାନ ଯେପରି ଦୁଇଜଣଙ୍କୁ ଦୁହିଁଙ୍କ ପାଇଁ ଗଢ଼ିଥିଲେ । ଏମାନଙ୍କ ଭଳି ପୁରୁଷଙ୍କୁ କୁହାଯିବ ପ୍ରକୃତ ଦେଶପ୍ରେମୀ । ଯେଉଁମାନେ ନିଜର ଜୀବନ ଦେଶ ପାଇଁ ତିଳ ତିଳ କରି ଜାଳି ଦେଇ ନାରୀ ମାନଙ୍କୁ ପ୍ରକୃତ ସମ୍ମାନ ଦିଅନ୍ତି ; ସାଲ୍ଯୁଟ୍‌ ସେମାନଙ୍କୁ..................


ଜୟ ସାହିତ୍ୟ, ଜୟ ସମାଜ

ଛାତ୍ର ଜୀବନ

ଅରୁଣା କର
କଥାଟିଏ ଆଜି କହୁଅଛି ଶୁଣ
      ଟିକି ଟିକି କୁନା ମୁନା
ଛାତ୍ର ଜୀବନ ସାଧନାର କ୍ଷେତ୍ର 
             ଏ କଥା କେବେ ଭୁଲନା 

ଜୀବନ ର ଏହା ପ୍ରଥମ ସକାଳ 
      ସବୁଠୁ ଗୁରୁତ୍ୱପୂର୍ଣ୍ଣ 
ଶିକ୍ଷା ସହ ବଡ ଚରିତ୍ର ଗଠନ 
         ଏକଥା କୁ ରଖ ଧ୍ୟାନ 

ନମ୍ରତା ଆଉ ଗୁରୁ ଗୁରୁଜନେ ଭକ୍ତି                                  
        କେବେ ମନୁ ନ ଭୁଲିବ 
ଶ୍ରଦ୍ଧା ସମ୍ମାନ ମନେ ସଦା ଥିବ 
        ଆଦର୍ଶମୟ ହୋଇବ 

ଶୃଙ୍ଖଳା ଆଉ ଆଗ୍ରହ ସହିତ 
         ଅଧ୍ୟୟନେ ମନ ଦେବ 
ଆଚରଣ ତୁମ ଉତ୍ତମ ହୋଇଲେ 
          ସଫଳତା ପ୍ରାପ୍ତ ହେବ 

ଛୋଟ ଛୋଟ କଥା ଅତି ମୂଲ୍ୟବାନ 
           ସଦା ରଖିଥିବ ମନେ 
ଭଲ ମଣିଷ ଓ ବଡ଼ ମଣିଷଟେ 
            ନିଶ୍ଚୟ ହେବ ଜୀବନେ 
 ଭୁବନେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ

ହେ ପୁଣ୍ୟାତ୍ମା କୃଷକ

ନାରାୟଣ ଚନ୍ଦ୍ର ସେନାପତି
ଶିକ୍ଷକ
ହେ ନିଷ୍କଳଙ୍କ କର୍ମଠ ସାଧକ                                                                ସୁଖ ସୌନ୍ଦର୍ଯ୍ୟକୁ ଦେଇ ଜଳାଞ୍ଜଳି                            ଯେବେ ଆଦର୍ଶ ଦିନଚର୍ଯ୍ୟାକୁ କର ଆବାହନ
ଶୃଙ୍ଖଳା ଓ ସଂସ୍କାର ପାଇଁ ବିଶ୍ୱହୁଏ ସ୍ତବ୍ଧ
ତୁମ ସତ୍ୟ ନିଷ୍ଠା ଉଦ୍ୟମରେ
ଦରଦ୍ର ବୁଭୁକ୍ଷୁର ଥାଳ ପୁରିଯାଏ
ପ୍ରାଣ ସ୍ପନ୍ଦନ ପୁଲକିତ ହୁଏ
ସ୍ୱଚକ୍ଷୁରେ ଦେଖି ଦିବ୍ୟ ଅନ୍ନପୂର୍ଣ୍ଣା ॥
ହେ ନିଷ୍କପଟ ତପସ୍ୱୀ ସାଧକ
ନିଜ ରକ୍ତ ମାଂସକୁ କରି ସମର୍ପଣ
ଯେବେ ନରକଙ୍କାଳରେ ମହୀ ସାଥେ କର ମଲ୍ଲଯୁଦ୍ଧ
କଳିଙ୍ଗ ଯୁଦ୍ଧ ବି ଓଡିଆ ଭୁଲିଯାଏ
ସଭିଙ୍କ ଚକ୍ଷୁରୁ ବିଗଳିତ ହୁଏ ଆନନ୍ଦାଶ୍ରୁ
ଦରଦୀ କଣ୍ଠେ କରନ୍ତି ପ୍ରଣାମ
ପାଇ ତବ ଅନ୍ନଦାନ
ଅନ୍ତରେ ପୂଜନ୍ତି କହି..
ହେ ଦାନବୀର ପୁଣ୍ୟାତ୍ମା କୃଷକ॥
ହେ ବିଶ୍ୱ-ଜାତିପ୍ରେମୀ କର୍ଣ୍ଣଧାର
ଖରା ବର୍ଷା ଶୀତ କାକରକୁ ନ କରି ଭ୍ରୁକ୍ଷେପ
ଯେବେ କାଦୁଅ ବୋଳି କୁହ ଚନ୍ଦନ
ଗୋଳିଆ ପାଣିକୁ ଭାବ ଗଙ୍ଗାଜଳ
ସଭିଙ୍କ ଆଖିରୁ ଆଳସ୍ୟ ଭୂତ ବି ଅପସରୀ ଯାଏ
ଅହଙ୍କାର ବୈଧବ୍ୟ ଯନ୍ତ୍ରଣା ଭୋଗେ 
 ଦିବ୍ୟଚକ୍ଷୁ ଖୋଲିଯାଏ
ତୁମ ନିଃସ୍ୱାର୍ଥପରତା ନିଷ୍ଠା ଚିତ୍ରପଟରେ
ଭକତିର ମଥାଟେକି ସଭିଏଁ କରନ୍ତି ପୂଜା
କହି..ହେ ଧର୍ମାତ୍ମା ମାଟିର ମଣିଷ ॥
ହେ ଚିରସ୍ରୋତା ମହାଦାନୀ କର୍ଣ୍ଣ
ବିଳାସ ବ୍ୟସନକୁ ଶ୍ରାଦ୍ଧ ଦେଇ
ପରହିତେ ଢାଳ ଯେବେ ଶ୍ରଦ୍ଧା
କୃପଣ ସମ୍ଭ୍ରାନ୍ତମାନେ ପ୍ରମାଦ ଗଣି ଦୌଡନ୍ତି ଶୁଣି ତୁମ ବାଣୀ
"ଶ୍ରମ ମୋର ପୂଜା"
"କର୍ମ ହିଁ ଭଗବାନ"
ସ୍ତବ୍ଧ ହୁଅନ୍ତି ଭଗବାନ
ଦେଖି ତୁମ ନିଃଷ୍କାମ ଭକ୍ତି ଅମର ପ୍ରେମ
ଅବସରେ ତୁମ  ଭଜନ ଓ କୀର୍ତ୍ତନ
ଅବିଳମ୍ବେ ଘୋଷଣା କରନ୍ତି କହି
ହେ ଭକ୍ତ ଶ୍ରେଷ୍ଠ...
ଜାତିପ୍ରେମୀ ବିଶ୍ୱପ୍ରେମୀ  ଦରଦୀ କୃଷକ
ଦୀର୍ଘଜୀବୀ ହୁଅ...॥
ସରକାରୀ ଉ.ପ୍ରା.ବିଦ୍ୟାଳୟ,ଡିମିରିଆ ତେଲକୋଇ,
ଜିଲ୍ଲା-କେନ୍ଦୁଝର,ପିନ୍-୭୫୮୦୧୯
ଜୟ ସାହିତ୍ୟ, ଜୟ ସମାଜ

ଏବେକା ରାଜନୀତି

ସନ୍ଦୀପା ମହାପାତ୍ର
ଏବେକା ରାଜନୀତି ଏବେକା ଭୋଟ୍‌ 
ଯେଉଁଠି ନେତା ମାନଙ୍କ ଜୁଲୁମ୍‌
ଲୋକଙ୍କୁ କହି ପୋଛି
କେଇଟା ଟଙ୍କାରେ ମୁଣ୍ଡ କିଣା....
ଟଙ୍କା ଲୋଭରେ ମୁଣ୍ଡ ବିକିଲା ପରି
ଭୋଟ୍‌ ଦିଅନ୍ତି ସାଧାରଣ ଜନତା 
ସେଇମାନଙ୍କୁ ଯିଏକି ଶୋଷଣ 
ଲୁଣ୍ଠନ କରନ୍ତି ରାଜ୍ଯାଭିଷେକ ପରେ...
ସବୁ ଜାଣି ବି ଅଜଣା ଭୋଟର୍‌ ;
ଅର୍ଥ ଲୋଭରେ ମଥା ବିକ୍ରି..
 ଭୋଜି-ଭାତର ଆୟୋଜନ 
 ଧୂମ୍‌ଧାମ୍‌ରେ ନିର୍ବାଚନ ଆଗରୁ....
ନାହିଁ ତ ପଚାରେ କିଏ କାହାକୁ !                                    
ଆମ ମରିବା-ବଞ୍ଚିବାରେ 
ତାଙ୍କୁ ପଡେନି ଫରକ...
ତାଙ୍କର ଦରକାର ରାଜଗାଦି....
ନିର୍ବାଚନ ଆଗରୁ ସେ ଆମକୁ
ଜରୁରତ ମନେ ପକାନ୍ତି 
ଶୋଷଣର ପନ୍ଥା ପ୍ରାପ୍ତ୍ଯାର୍ଥେ
'ନୋଟ୍‌ ନିଅ ଭୋଟ୍‌ ଦିଅ'ର ଗୁପ୍ତ ନାରାରେ....
ନବୀନ ବାବୁଙ୍କ କାଳିଆ ଯୋଜନାରେ
ସଭିଙ୍କୁ ମିଳି ପାରୁଛି ଅର୍ଥରାଶି 
ଦଶରୁ ବାର ହଜାର ଟଙ୍କା..
ବଣିକର ବାଣିଜ୍ୟ ବୃଦ୍ଧି ଆଉ ଗରିବଙ୍କୁ 
ହାତର କରିବାର ସହଜ ଉପାୟ....
ପାଞ୍ଚ ବର୍ଷ ଆସନ ଅଡ଼ି ବସିବା ପରେ
ଛାଡିବାକୁ ଇଛା ନାହିଁ 
ପୁନରାୟ ପ୍ରଚେଷ୍ଟା ଜାରି 
ପାଇବାକୁ ମନ୍ତ୍ରୀ ଆସନ.....
ଭାବିଛନ୍ତି ସେ କାଳିଆ ଯୋଜନା କରି 
ପାଇଯିବେ କିଛି ଭୋଟ୍‌
ଲୋକଙ୍କୁ ଦେଖାଇ ଆଶା 
ମିଛ ବିଶ୍ବାସର ପ୍ରହେଳିକା.....
ଚାଲିଯିବେ ଭୋଟ୍‌ ନେଇ...
ଏ ହେଉଛି ଏବେକା ରାଜନୀତି ;
ଭୋଟ୍‌ ପାଇବା ପୂର୍ବରୁ ମା'-ମାଉସୀ,
ମଉସା-ଭାଈ-ଭଉଣୀ....
ଭୋଟ୍‌ ପାଇ ସାରିଲା ପରେ 
ହଜାରେ ଥର ଦୌଡ଼ି ଦୌଡି 
ଚପଲ ଘୋରି ହୋଇଯାଏ ସିନା
କେହି ଶୁଣିବାକୁ ନଥା'ନ୍ତି ଆମ କଥା....
ଆହା ପଦେ କୁହନ୍ତିନି କେହି ;
ଭୋଟ୍‌ ପାଇବା ପୂର୍ବରୁ 
ପ୍ରତାରଣାର ଅନେକ ପ୍ରତିଶ୍ରୁତି 
ପରମୁହୂର୍ତ୍ତେ ପାଣିରେ ଗାର
ଏ ହେଉଛି ଏବେକା ରାଜନୀତି....
ଆଜିର ଏ ମଣିଷ କିଛି ବି ବୁଝୁନି
ମଦ,ମାଂସ, ଟଙ୍କା ଯେଉଁଠି 
ଆମେ ଭୋଟ୍‌ ଦେବୁ ସେଇଠି 
କେହି ବୁଝିବାକୁ ନାରାଜ ଠିକ୍‌- ଭୂଲ୍‌....
ସବୁରି ମୂଳରେ ଅର୍ଥର ଲାଳସା
ଆମେ ଭୋଟ୍‌ ଦେବୁ ସେଇଠି 
ଆମକୁ ଟଙ୍କା ମିଳିବ ଯେଉଁଠି 
ଏ ହେଉଛି ଏବେକା ରାଜନୀତି....
ଯେଉଁ ଗଣଦୁଷ୍କର୍ମ କରି ଚାଲିଛନ୍ତି 
 ମା,ମାଉସୀ, ଭଉଣୀଙ୍କୁ 
ସେତେବଳେ ସବୁ କଥା ଭୁଲିଯା'ନ୍ତି 
ଯାହାଙ୍କୁ ଇଲେକ୍ସନ୍‌ ପୂର୍ବରୁ ମା,ମାଉସୀ,ଭଉଣୀ କହୁଛୁ 
ସେ ଇଲେକ୍ସନ୍‌ରେ ସିଲେକ୍ସନ୍‌ ହେଲା ପରେ
 ମା, ମାଉସୀ,ଭଉଣୀଙ୍କ ସହ 
ଏ ଅନ୍ଯାୟ କେମିତି କରି ପାରୁଛନ୍ତି 
ସଜେଇ ଦେଉଛନ୍ତି ତାଙ୍କୁ ଗଣଦୁଷ୍କର୍ମୀ !!
ଏ ହେଉଛି ଏବେକା ରାଜନୀତି.....
କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

ରୂପଚର୍ଯ୍ୟା

ଲୋରୀ ସ୍ୱାଇଁ
                                         

ଫୁଟି ସଞ୍ଜୀବନି ଏ ମରମଣ୍ଡଳେ
ପ୍ରାଣ ବର୍ଣ୍ଣ ମୋହିନିଏ
ଘନ ଅନ୍ଧକାର ଲୋହିତ କିରଣ 
ରୂପଚର୍ଯ୍ୟା ହୋଇଥାଏ ।।

ସିନ୍ଧୁର ଗରଭୁ ଚେଇଁ ଉଠେ ରୂପ
ମେଞ୍ଚା ମେଞ୍ଚା ହୋଇ ଭାସେ
ଧୂସରିତ ଫେଣ ତରଙ୍ଗଙ୍କ ମେଳେ 
(ପୁଣି) ସିନ୍ଧୁ ଗର୍ଭେ ଯାଇ ମିଶେ ।।

ପ୍ରାନ୍ତ ଦିଗବଳୟ ଦ୍ରୁତ ପ୍ରାଚୀର ଧାଇଁ
ଛୁଇଁନିଏ ପଦରାଜି
ଛୁଇଁ ପଦରାଜି ତରଙ୍ଗେ ତରଙ୍ଗେ
ନୀଳିମାରେ ଯାଏ ହଜି ।।

ଘୁ-ଘୁ ଶବ୍ଦ ତା'ର ଫରଚା ଆକାଶେ                          
ଖେଳିଯାଏ ମନତଳେ
ଗୁଞ୍ଜରିତ କରେ ସିନ୍ଧୁ ମଥାମଣୀ
ଥିଲେ ଥାଉ ଯେତେ ଦୂରେ ।।

କରେ ଆକର୍ଷଣ ତା' ରୂପ ଲାବଣ୍ୟ
କୁହୁକ ଚାବୁକ ମାରି
ମାନସେ ଖଞ୍ଜଇ ଅନେକ ବର୍ଣ୍ଣାଳୀ
ରୂପବତୀ ନାରୀ ପରି ।।

ମାତୃତ୍ବ ସ୍ଵଭାଵ କରଇ ଚକିତ
ସୁନୀଳ ପଣତ ଢାଙ୍କି
ଅଙ୍ଗେ ଅଗଣିତ ସନ୍ତାନ ଆଶ୍ରିତ
ସ୍ନେହରେ ରଖିଛି ବାନ୍ଧି ।।

ତଟ ପ୍ରଦେଶରେ ବାଲୁକା କଣିକା 
ଚିକ୍‌ମିକ୍‌ ଔଜଲ୍ଯତା
ସେ ବାଲୁକାରୁ ଜାତ ମଧୁମୟ ଗନ୍ଧ
ବୃଦ୍ଧି କରେ ଆକୃଷ୍ଟତା ।।

ସାଗର ସୈକତ ସୁଲୁସୁଲୁ ବାଆ
ଦେଖଣାହାରୀଙ୍କୁ ମୋହେ
ସସାଗର ନଭ ପ୍ରେମୀ ଯୁଗଳଙ୍କ
ପ୍ରୀତିମନ ମୋହିଯାଏ ।।

ସିନ୍ଧୁ ଦେଶ ଦେଇ ଆକାଶ ବୁକୁରେ
ନାନା ପ୍ରଜାତି ବିହଙ୍ଗ
ଭ୍ରମେ ପକ୍ଷ ଝାଡ଼ି ହୁଏନି ପାଶୋରୀ
ରୂପ ତା'ର ମହରଗ ।।

ସିନ୍ଧୁ ସୌନ୍ଦର୍ଯ୍ୟରେ ବିମୋହିତ କବି
କବିତାରେ ରୂପ ଭରି
କାବ୍ୟ ସଂକଳନ  କରେ ଉନ୍ମୋଚନ
ରୂପଚାର୍ଯ୍ୟା ବର୍ଣ୍ଣେ ଲୋରୀ
ଓସ୍ତପୁର,କାକଟପୁର,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

ସୁଭାଷଚନ୍ଦ୍ର ବୋଷ

ଉଷାରାଣୀ ପଣ୍ଡା 
                       

ମହାନ ଜାତୀୟ ବୀର ନେତାଜୀ କଟକର ଓଡିଆ ବଜାରରେ ୧୮୯୨ ମସିହା ଜାନୁଆରୀ ୨୩ ତାରିଖରେ ପିତା ଜାନକୀନାଥ ଓ ମାତା ପ୍ରଭାବତୀଙ୍କ କୋଳମଣ୍ଡନ କରିଥିଲେ ସୁଭାଷ । ଭାରତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମହାରଥୀ ଶରତ ଚନ୍ଦ୍ର ବୋଷଙ୍କ ଭ୍ରାତା ଥିଲେ । ଏହି ଆଦର୍ଶପ୍ରାଣା ବୀର ସନ୍ତାନ ଖାଲି ଓଡିଶା କାହିଁକିି ସାରା ଭାରତର ଜଣେ ଜାଜ୍ଜଲ୍ୟମାନ ପ୍ରତିଭା ।  ତୁଳସୀ ଦୁଇପତ୍ରରୁ ବାସିଲା ଭଳି ବାଲ୍ୟ କାଳରୁ ହିଁ ଅନେକ ମହାପୁରୁଷଙ୍କ ଜୀବନ କାହାଣୀ ପଢି ଛୋଟରୁ ହିଁ ତାଙ୍କ ହୃଦୟରେ ଦେଶପ୍ରାଣତାର ବୀଜ ରୋପଣ କରିଥିଲେ । ସଂସ୍କୃତର ଗୋଟିଏ ଶ୍ଳୋକ ସର୍ବଦା ତାଙ୍କୁ ହୃଦବଧ କରୁଥୁଲା।

 " ପିତା ସ୍ବର୍ଗ ପିତାଧର୍ମ ପିତା ହିଁ ପରମ ଧର୍ମ
    ପିତରି ପ୍ରୀତି ମାପନ୍ନେ ପ୍ରିୟତେ ସର୍ବ ଦେବତା " ।

ବାଲ୍ୟ ଶିକ୍ଷା ପ୍ରଥମେ ଆଙ୍ଗୋଲ୍ ଭାରତୀୟ ସ୍କୁଲ୍‌ରେ ଆରମ୍ଭ କରି , ତା'ପରେ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷାରେ ୧୯୧୩ ମସିହାରେ ଦ୍ବିତୀୟ ସ୍ଥାନ ଅଧିକାର କରି ଏବଂ କଲିକତାର ପ୍ରେସିଡେନ୍ସି ମହାବିଦ୍ୟାଳୟରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ସ୍କଟିସ୍ ଚର୍ଚ୍ଚ୍ କଲେଜରୁ ଦର୍ଶନ ଶାସ୍ତ୍ରରେ ସମ୍ମାନର ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପିତାଙ୍କ ନିର୍ଦ୍ଦେଶ କ୍ରମେ  ' ଇଣ୍ଡିୟାନ୍ ସିଭିଲ୍ ସର୍ଭିସ ରେ  ତାଲିମ୍ ନିମିତ୍ତ ଲଣ୍ଡନ ଯାଇ ସେଠାରେ ମଧ୍ୟ ଚତୁର୍ଥ ସ୍ଥାନ ଅଧିକାର କରି ବିଜୟ ଦୁନ୍ଦୁଭୀ ବଜାଇଥିଲେ ।

             ଇଂଲଣ୍ଡରୁ ପ୍ରତ୍ୟାବର୍ତ୍ତନ ପରେ ଗାନ୍ଧିଜୀଙ୍କ ନେତୃତ୍ବରେ ଅସହଯୋଗ ଆନ୍ଦୋଳନରେ ସାମିଲ୍ ହେଲେ । ଇଂରେଜୀଙ୍କ ନିର୍ମମ ଶାସନ ଓ ଦେଶର ଦୂରାବସ୍ଥା ତାଙ୍କ ମନରେ ଗଭୀର ଦୁଃଖ ଦେଇଥିଲା । ତା'ପରେ ବଙ୍ଗଳାରେ ଗାଁ ଗାଁ ବୁଲି କୃଷକ ଠାରୁ ସରକାରୀ ଚାକିରିଆ ପର୍ଯ୍ୟନ୍ତ ଏକଜୁଟ କରି ମୁକ୍ତିକାମୀ ଦେଶର ସ୍ବର ଉତ୍ତୋଳନ କରିଥିଲେ । ଦେଶ ପ୍ରେମର ପ୍ରଗଳ୍ଭା ସ୍ରୋତସ୍ବିନୀ ପ୍ରତିଟି ହୃଦୟେ ଛୁଟାଇ ଥିଲେ । ବଙ୍ଗଳାର ପ୍ରାଦେଶିକ ଜାତୀୟ କଂଗ୍ରେସର ଦୈନିକ ସମାଚାରର 'ସଂପାଦକ ' ପଦବୀରେ ରହି ସୁଚାରୁ କାର୍ଯ୍ୟ ନିର୍ବାହ ସହିତ 'ସ୍ବରାଜ୍ୟ ପାର୍ଟି ' ଗଠନ କରିଥିଲେ ।

              କର୍ମମୟ ଜୀବନରେ ସେ ଥିଲେ ଅନନ୍ୟ ପ୍ରତିଭାର ଜାତୀୟବାଦୀ, ସତ୍କାମୀ, ସତ୍ୟନିଷ୍ଠ କର୍ମଠ ବୀର । ଅସହଯୋଗ ଆନ୍ଦୋଳନରେ ଯୋଗପୂର୍ବକ ସେ କହୁଥିଲେ ଯେ ଏ ଦୁର୍ଦ୍ଦାନ୍ତ ଇଂରେଜି ମାନଙ୍କ କବଳରୁ ରକ୍ଷା ପାଇବାକୁ ହେଲେ 'ଯେସାକୁ ତେସା ନୀତି ' ଅବଲମ୍ବନ କରି ରକ୍ତାକ୍ତ ସମର ଆବଶ୍ୟକ । ଯେହେତୁ ଦେଶ ମାତୃକାର ଅସହ୍ୟ ଦୁଃଖ ଏବଂ ଇଂରେଜୀଙ୍କ କଠୋର ଶାସନରେ ତାଙ୍କ ପ୍ରାଣ ମର୍ମେ ମର୍ମେ ଆଘାତ ପାଉଥିଲେ ।"ମୋତେ ରକ୍ତ ଦିଅ ମୁଁ ସ୍ବାଧୀନ ଦେବି " ସ୍ଳୋଗାନରେ ଯୁବଗୋଷ୍ଠୀଙ୍କୁ ଏକତ୍ର କରି ତାଙ୍କ କାର୍ଯ୍ଯଦକ୍ଷତାର ପରିଚୟ ଦେଇଥିଲେ । ତାଙ୍କ ଓଜସ୍ବିନୀ ଭାଷାର ଅଗ୍ନି ବର୍ଷଣ ଭାଷଣରେ ସମସ୍ତଙ୍କ ପ୍ରାଣ ଏବଂ ଲୋମ ଟାଙ୍କୁରି ଉଠୁଥିଲା । ଅନତି କାଳେ ହିଁ ଜଣେ କାର୍ଯ୍ୟଦକ୍ଷ ନେତା ରୂପେ ଜନତାଙ୍କ ହୃଦୟରେ ସ୍ଥାନିତ ହୋଇଥିଲେ ।

       କ୍ରୁର , ନିଷ୍ଠୁର ଇଂରେଜି ସରକାରର ଔଦ୍ଧତ୍ୟର ଶିକାରରେ ଗିରଫ୍ ହୋଇ ମାଣ୍ଡଲ୍ କାରାଗାରକୁ ପ୍ରେରଣ କରିଥିଲେ ବୋଷ୍‌ଙ୍କ ବାରମ୍ବାର କାରାବରଣ ହେତୁ ସ୍ବାସ୍ଥ୍ୟର ଅବନତି ଘଟିଥିଲା । ଚିକିତ୍ସା ନିମିତ୍ତ ସୁଇଜରଲ୍ୟାଣ୍ଡ  ଯାତ୍ରା କଲେ ଓ ସେଠି ଅବସ୍ଥାନ ସମୟରେ  'ଦି ଇଣ୍ଡିୟାନ୍ ଷ୍ଟ୍ରଗଲ୍ ' ନାମକ ଏକ ପୁସ୍ତକ ରଚନା କରିଥିଲେ । ୧୯୩୭ ରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ , ସେତେବେଳକୁ ନେତାଜୀ ଜଣେ ପ୍ରଖ୍ୟାତ ନେତା ଭାବେ ଘୋଷିତ ହୋଇ ସାରିଥିଲେ । ୧୯୩୮ ରେ ହକ୍‌ପୁର କଂଗ୍ରେସ ଅଧିବେଶନରେ ଏବଂ ତ୍ରିପୁରା ଅଧିବେଶନରେ 'ସଭାପତି' ପଦବୀରେ ଅଳଙ୍କୃତ ହୋଇଥିଲେ ।

 ଗାନ୍ଧିଜୀଙ୍କ ସହ ମତଭେଦ ଘଟିବା ଫଳରେ ପଦବୀରୁ ଇସ୍ତଫା ଦେଇ 'ଫରଓ୍ବଡ୍ ବ୍ଳକ୍' ନାମକ ଏକ ଦଳ ଗଠନ କରିଥିଲେ । ଫରଓ୍ବଡ୍ ବ୍ଳକ୍ଳର ଏକ ଲେଖା ପାଇଁ ତାଙ୍କୁ  ବିଚାରାଳୟରେ କୈଫୟତ ଦେବାକୁ ପଡିଥିଲା । ଜାମିନ୍ ରେ ଥାଇ କଲିକତାସ୍ଥ ବାସ ଭବନକୁ ଅନ୍ତର୍ନିହିତ ହୋଇଥିଲେ । ଏକ ଦୁଃସାହସିକ ପଦ ଯାତ୍ରା କରି କାବୁଲ୍ ପହଞ୍ଚି ଥିଲେ । ସେ ସେଣ୍ଟ୍ରାଲ୍ ଏସିଆ ମାସ୍କୋ ଦେଇ ଜର୍ମାନୀର ରାଜଧାନୀ ବେର୍ଲିନ୍‌ରେ ପହଞ୍ଚି ଥିଲେ । ନାଜୀ ସରକାରଙ୍କ ସାହଚର୍ଯ୍ୟରେ ଭାରତୀୟ ସୈନ୍ୟମାନଙ୍କୁ ନେଇ ଇଂରେଜୀ ମାନଙ୍କ ବିରୁଦ୍ଧରେ' ଆଜାଦ୍ ହିନ୍ଦ୍ ଫୌଜ୍ ' ଦଳ ଗଠନ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜୀ ସରକାର ପରାସ୍ତ ହୋଇ ସନ୍ଧି ସ୍ଥାପନ କରିବା  ଫଳରେ ଜାପାନୀଙ୍କ ସହଯୋଗରୁ ବଞ୍ଚିତ ହେବାକୁ ପଡିଲା । ଯାହାଙ୍କ ହୃଦୟରେ ସ୍ବରାଜ୍ୟ ପ୍ରାପ୍ତିର ବୀଜ ଆରୋପଣ ହୋଇଥିଲା ମୁକ୍ତିକାମୀର ଚରମ ଲକ୍ଷ୍ୟ । ସମସ୍ତ କୂଟତନ୍ତ୍ରକୁ ଭ୍ରୁକ୍ଷେପ ନକରି ରକ୍ତାକ୍ତ ସଂଗ୍ରାମ[ ସଶସ୍ତ୍ର] କରିବା ଥିଲା ଚରମ ଉଦ୍ଦେଶ୍ୟ । ଆଜାଦ୍‌ ହିନ୍ଦ୍‌ର ସ୍ବାଧୀନତା ସୈନ୍ୟବାହିନୀ ଇଂରେଜ ସରକାରଙ୍କୁ ଭୀତତ୍ରସ୍ତ କରାଇଥିଲେ ।ଏହା ହିଁ ତାଙ୍କ ଚରମ ନିଦର୍ଶନ ।
      
              ଦୁଃଖର ବିଷୟ ଏହି ଯେ ଭାରତମାତାର ସ୍ବାଧୀନ ପ୍ରାପ୍ତ ଦେଖିବା ସୁଯୋଗ ତାଙ୍କ ଭାଗ୍ୟରେ ନଥିଲା । ୧୯୪୫ ମସିହାରେ ଘନିଷ୍ଠ ବନ୍ଧୁ ହରିବୁର୍ ରହମନଙ୍କ ସହ ଉଡାଜାହାଜରେ ଟୋକିଓ ଅଭିମୁଖେ ଯାଉଥିବା ବେଳେ 'ଫାର୍ମାଜୀ ଦ୍ବୀପ'ରେ ଦୁର୍ଭାଗ୍ୟ ବଶତଃ ଦୁର୍ଘଟଣା ଘଟିଥିଲା । ସାହସୀ ଏବଂ ଅମ୍ଳାନ ପ୍ରତିଭାଧାରୀ ନେତାଙ୍କ ଜୀବନ ରହସ୍ୟ ଅଦ୍ୟାବଧି ରହସ୍ୟାବୃତ । ଅଗଣିତ ସଂଗ୍ରାମୀଙ୍କ ସହଯୋଗ ଦେଶପ୍ରେମୀ ଗଣଙ୍କ ଉତ୍ସର୍ଗିତ ପ୍ରାଣର ଦ୍ବାହିରେ ଭାରତ ମୁକ୍ତିଲାଭ ହେଲା  ସତ କିନ୍ତୁ ଜଣେ ବୀର ,ଶୌର୍ଯ୍ୟ ,ଅହରହ କଠୋର ପରିଶ୍ରମୀ , ନିଃସ୍ବାର୍ଥପର ସତ୍ୟନିଷ୍ଠ କର୍ମୀଙ୍କୁ ହରାଇ ବସିଲା ଭାରତମାତା । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେଇ ଉତ୍କଳର ଯୋଗଜନ୍ମା ତ୍ୟାଗପୂତ ନିଚ୍ଛକ ଜନ ନେତା ଭାରତ ଇତିହାସରେ ଏକ ଅବିସ୍ମରଣୀୟ କୀର୍ତ୍ତି  ଚିର ସ୍ମରଣୀୟ ହୋଇ ରହିଛନ୍ତି ।

           ଭାରତାକାଶର ଏକ ଜାଜ୍ଜଲ୍ୟମାନ ପ୍ରଦୀପ  ଓଡିଶା ନୁହଁ ବରଂ ସାରା ଭାରତବାସୀଙ୍କ ଜନ ହୃଦୟେ ପ୍ରଜ୍ଜ୍ଵଳିତ ହୋଇ ରହିଛନ୍ତି  ।
ସୋମପେଣ୍ଟା (ଆନ୍ଧ୍ରପ୍ରଦେଶ)
ଜୟ ସାହିତ୍ୟ, ଜୟ ସମାଜ

ଶୀତ ସକାଳ

 ଶୁଭସ୍ମିତା ବେହେରା
ଯେବେ ଯେବେ ତୁମେ ମନେ ପଡ଼
ଦୁଃଖ ବଦଳରେ ସୁଖ ହୁଏ ଭାରୀ
କାହିଁକି ଜାଣ ?
ତୁମ ପ୍ରଶ୍ନର ମୁଁ ଏକ ଉତ୍ତର
ତୁମ ଭୁଲ୍‌ର ମୁଁ ଏକ ପରିସମାପ୍ତି ।
ମୋ କୋହର ତୁମେ
 ଏକା ହିଁ ଲାଘବ
ମୋ ସୁନେଲି ସ୍ବାର୍ଥର
ତୁମେ ଗୋଟିଏ ହିଁ କିରଣ  ।
ତୁମ ପ୍ରତାରଣା ସତ୍ତ୍ୱେ 
ମୁଁ ଆଜି ବି ବିରହିଣୀ
ଆଜି ବି ମୁଁ ଅନେଇ ରହିଛି 
ସେ ସୀମାହୀନ ପଥକୁ ମୁଁ
ଝର୍କାରେ ଦେଖେ ଶୀତ ପ୍ରାତଃର ନବ କର ।
ଆଉ ତା' ମଧ୍ୟୁ ତମେ 
ଉଦ୍ଭାସିତ ହୁଅ ଟିକେ ନୁହେଁ 
ଥରେ ଅଧେ ନୁହେଁ ବରଂ ବାରବାର
କହିବ କି ପ୍ରିୟ ଏପରି କାହିଁକି ହୁଏ ?
ଜୟ ସାହିତ୍ୟ, ଜୟ ସମାଜ

-ବୋଉ-

                                           କଣ୍ଡୁରୀ ଚରଣ ରାଉତ

ମନେ ପଡେ ମୋର ସପନ ବିଭୋର
ହସହସ ଛଳଛଳ
ଶୀତୁଆ ରାତିରେ ବୋଉର କୋଳରେ
ଏକ କରିବାର ବେଳ ।
ମନେ ପଡେ ମୋର କୋଳେଇ କାଖେଇ
କଅଁଳେଇ ବାଆଁରେଇ
ମଜା କଥା କହି ଜହ୍ନକୁ ଦେଖେଇ
ବୋଉ ମୋ ଦିଏ ଖୁଆଇ ।
ମନେ ପଡେ ମୋର ବୋଉ ଗାଳି କଥା
ରାଗିକି ଉଠାଏ ହାତ
ମାଡ ନ ମାରି କି ବୁଝେଇ ସୁଝେଇ
ଖୁଅାଏ ବଳେଇ ଭାତ ।
ମନେ ପଡେ ଆଜି ବୋଉ କଥା ମୋର
ହୃଦୟରେ ଭରେ କୋହ
ସିଏ ନାହିଁ ଆଉ ମନେ ପଡିଗଲେ
ବୋଲ ମାନୁନାହିଁ ଲୁହ ।
                    ***
ଶିକ୍ଷକ - ସତ୍ଯବାଦୀ ଉଚ୍ଚବିଦ୍ୟାଳୟ 
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର 

ଜୟ ସାହିତ୍ୟ, ଜୟ ସମାଜ

ପୀଡିତା ହେଉ କି ପତିତା-ସେ ଆମ ସତ୍ତାର ସତ୍ତା

ଶ୍ରୀପତି ସାହୁ

ତାକୁ ଟିକେ ବଞ୍ଚାଇରଖରେ                                                      
ଅଣପୁରୁଷା ବିକାରଗ୍ରସ୍ତଦଳ.... 
ସେ ଜୀବନ, ସେ ଅମୃତର ମୃତ୍ୟୁଞ୍ଜୟ ଜଳ
ତୁମେ ରାମ ହେଲେ ସେ ହେବ ସୀତା
ତୁମେ ରାମାୟଣ ହେଲେ ସେ ହେବ ଗୀତା
ତୁମେ ରାବଣ ହେଲେ ସେ ହେବ ମନ୍ଦୋଦରୀ
ତୁମେ କୃଷ୍ଣ ହେଲେ ସେ ହେବ ରାଧା ପରି
ତୁମେ ନର୍କ ହେଲେ ସେ ହେବ ନର୍ତ୍ତକୀ
ତୁମେ ପାଣ୍ଡବ ହେଲେ ସେ ହେବ ପାଞ୍ଚାଳୀର ପ୍ରୀତି
ତୁମେ ଭୋକ ହେଲେ ସେ ହେବ ତୃପ୍ତି
ତୁମେ ପ୍ରେମ ହେଲେ ସେ ହେବ ଚିରସାଥୀ
ତୁମେ ଗରାଖ ହେଲେ ସେ ହେବ ବେଶ୍ୟା
ତୁମେ ତପି ହେଲେ ସେ ସର୍ବଦା ନମସ୍ୟା
ତୁମେ ପାପୀ ହେଲେ ସେ ହେବ ପାପ
ତୁମେ ପୁଣ୍ଯ ହେଲେ ସେ ହେବ ଏକ ଦୀପ
ସେ ନିଜ ପାଇଁ କିଛି ହୁଏ ନାହିଁ
ସେ ଯାହାହୁଏ... ହୁଏ ଖାଲି ଆମ ସୁଖ ପାଇଁ
ସେ ସତୀ ହେଲେ ହେଉ..
ସେ ବେଶ୍ୟା ହେଲେ ହେଉ...
ସେ ଆମର ନିହାତି ଦରକାର
ସେ ବଞ୍ଚିରହୁ ମର୍ଯ୍ୟାଦାରେ, ସୁରକ୍ଷିତ ଥାଉ
ତା ବିନା ଆମ ସ୍ଥିତି କୁହ କାହିଁ ଆଉ..
ଜୟ ସାହିତ୍ୟ, ଜୟ ସମାଜ

ଜୀବନର ସତ୍ୟ

ନିବେଦିତା ମହାପାତ୍ର

ଦୁଇ ନିଆଁର ମଝିରେ ଦୁନିଆ                                                                     ଏପାଖେ ଏନ୍ତୁଡ଼ି ସେପାଖେ ଜୁଇ
ଜୀବନ ଖେଳୁଛି ମଝିରେ ତାହାର
ମୋହ ମାୟାକୁ ସାଥିରେ ନେଇ। ୧
ଜନମ ଲଭିଲୁ ଏନ୍ତୁଡି ଶାଳରେ
ଆସିଲୁ ତୁ କାନ୍ଦି କୁଆଁ କୁଆଁ
ଆନନ୍ଦିତ ହେଲେ ଘର ପରିବାର
ସଭିଁଙ୍କୁ ତୁ କରିଦେଲୁ କିମିଆଁ। ୨
ବଳୁତ କାଳରେ ସାଙ୍ଗସାଥି ମେଳେ
ଧୂଳିଘର କରି ଖେଳିଲୁ ଖେଳ
ବାନ୍ଧିଲୁ ସଭିଙ୍କୁ ମମତା ବନ୍ଧନେ
ଆନନ୍ଦରେ ସରିଗଲା ତୋ ବେଳ। ୩
ଯୌବନେ ଲାଗିଲା ପୀରତିର ଛୁଆଁ
ମନ ତୋହର ହେଲା ଅମାନିଆ
ଭୁଲିଯାଇ ବାପା ମା' ସ୍ନେହପ୍ରୀତି
ଭାଙ୍ଗିଲୁ ତାଙ୍କର ବିଶ୍ବାସ କୁଡିଆ। ୪
ପତ୍ନୀ ସନ୍ତାନଙ୍କ ମୋହରେ ପଡି
ପର କରିଦେଲୁ ନିଜ ବାପା ମା 
ବୃଦ୍ଧାବସ୍ଥାରେ ହାତ ଛାଡି ଦେଇ
କରିଲୁ ତାଙ୍କୁ  ତୁ ହୀନିମାନିଆ। ୫
ପାସୋରି ଦେଇଛୁ ମାନବିକତା ଗୁଣ
ନାହିଁ ତୋପାଖେ ଆତ୍ମୀୟତା ପଣ
ପରିବାର ବନ୍ଧୁ ଆତ୍ମୀୟ ସ୍ବଜନ
ସଂପର୍କର ମୂଲ୍ୟ ପଡିଛି ମଳିନ। ୬
ଲୋଭ ସମ୍ରାଜ୍ୟରେ କରିଛୁ ଘର
ସ୍ବାର୍ଥରେ ସଜେଇଛୁ ନିଜ ନଅର
ବାନ୍ଧି ଆଖିରେ ତୋର ଅନ୍ଧପୁଟୁଳି
ବିବେକକୁ ତୋର ଦେଇଛୁ ବଳି। ୭
ଅନ୍ଯାୟରେ ଲିପ୍ତ ରହିଛୁ ତୁହି
ଭଲ-ମନ୍ଦ ତତେ ଦିଶଇ ନାହିଁ
ଲୋଭାସକ୍ତ ହୋଇ କରୁ ଅତ୍ୟାଚାର
ଦୟା-କ୍ଷମାର ତୋ ପାଖେ ନାହିଁ ବିଚାର। ୮
ଅସତ୍ ଉପାୟେ ଅର୍ଜିଲୁ ସଂପତ୍ତି
ତୋ ପାଇଁ ସାଜିଲା ସେ ମହାବିପତ୍ତି
ଜ୍ଞାତିକୁଟୁମ୍ବଙ୍କ ସଙ୍ଗେ ହେଲୁ ବାଦି
ଭୁଲିଗଲୁ ସବୁ ଭାବ ପୀରତି। ୯
ଜୀବନଟା  ସାରା କଲୁ କୁକର୍ମ
ମାନିଲୁ ନାହିଁ ତୁହି ଧର୍ମ-ଅଧର୍ମ
ଶେଷ ଜୀବନରେ କଲେ ଅନୁତାପ
କମିଯିବ କଣ ତୋହରି ପାପ । ୧୦
ପଢିଲୁ ନାହିଁ ଗୀତା ଭାଗବତ
କରିଲୁ ନାହିଁ କେବେ ଜପତପ
ପରନିନ୍ଦାରେ ତୋର କଟିଲା ଦିନ
ସତସଂଗ କରିବାରେ ନଦେଲୁ ମନ। ୧୧
ସରିତ ଗଲାଣି ତୋହରି ଖେଳ
ଶ୍ମଶାନ ଯିବାକୁ ହେଲାଣି ବେଳ
ତଥାପି ମନରେ ବାନ୍ଧିଛୁ ଆଣ୍ଟ
ବଞ୍ଚି ରହିବାକୁ ଆଉ କିଛିଦିନ। ୧୨
ଏନ୍ତୁଡି ନିଅାଁର ପାଖରେ ଆରମ୍ଭ 
ଜୁଇ ନିଆଁରେ ଜୀବନ ଶେଷ
ପ୍ରାଣ ଛାଡିଗଲେ ନଶ୍ବର ଶରୀର
ବୋଲିବେ ତୋତେ ସେ ମୃତ। ୧୩
ଜ୍ଞାତି ପରିଜନ ଛାଡି ଚାଲିଯିବେ
ତୋ ସାଥେ ଯିବେନି କେହି
ଅର୍ଜିଲା ସଂପତ୍ତି ରହିଯିବ ସବୁ
କର୍ମଫଳ ଏକା ତୋର ସାଥି। ୧୪
ଅମର ନୁହଁଇ କେହି ଏଭୁବନେ
ମୃତ୍ଯୁ ଯେ ଅଟଇ ଧ୍ରୁବସତ୍ୟ
ଏକଥା ମନରେ ଧରି କର୍ମକଲେ
ସରଳ ହୋଇବ ସବୁ ପଥ। ୧୫
ମୁକୁନ୍ଦ ମିଶ୍ର ନଗର,ପୁରୀ

ଜୟ ସାହିତ୍ୟ, ଜୟ ସମାଜ