ବୈଜୟନ୍ତୀ ସାହୁ
***********************
"ଦିବ୍ୟାଙ୍ଗ ଭାଇଙ୍କ ଦିବ୍ୟବଚନ ମନକର୍ଣ୍ଣ ଦେଇ ଶୁଣ ହେ ଜନଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବା ଭୋଟ
ନେବାନାହିଁ ଲୁଚି କା,ଠାରୁ ନୋଟ
ଖଣ୍ତିଏ ଭୋଟ ଅମୂଲ୍ଯ ମୂଲ୍ୟ
ହୁଏ ନାହିଁ କିଛି ତା' ସଙ୍ଗେ ତୁଲ୍ୟ ।"
| Blind Prafulla Bhai Singing Song About Election Awareness |
ନିର୍ବାଚନକୁ ଆଖି ଆଗରେ ରଖି ଦିବ୍ଯାଙ୍ଗ ପ୍ରଫୁଲ ଭାଇ ଟ୍ରଲି ମାଧ୍ଯମରେ ବୁଲି ବୁଲି କିପରି ସ୍ବଚ୍ଛ -ନିର୍ମଳ ,ସଠିକ ମତ ବ୍ଯକ୍ତ କରିବେ ଓ କଳୁଷିତ ଭୋଟ ପ୍ରଥାରୁ ଦୂରେଇ ରହିବେ, ଆଉ ପଇସା ନ ନେଇ ଭୋଟ ଦେବେ, ଜନସାଧାରଣଙ୍କୁ ସଚେତନ କରାଉଛନ୍ତି,ଏଥିରୁ ତାଙ୍କର ମହନୀୟ ଗୁଣାବଳୀର ପରିଚୟ ମିଳେ । ସେ ଅନ୍ଧ ହେଲେ ମଧ୍ଯ ନିଜ ଦିବ୍ୟଦୃଷ୍ଟିରେ ସ୍ବାଭିମାନ କିପରି ନଷ୍ଟ ହୋଇଯାଉଛି,ତାହା ଜଳ ଜଳ ଦେଖି ପାରୁଛନ୍ତି ।
ଭାରତୀୟ ଗଣତନ୍ତ୍ର ଶାସନ ବାଖ୍ଯା କରିବା ସମୟରେ ବହୁ ଚିନ୍ତାମଗ୍ନ ଭଙ୍ଗିରେ ଦିବ୍ୟଦୃଷ୍ଟି କୋଣରୁ ଏହାର ରୂପରେଖ ପ୍ରସ୍ତୁତି କରି ଆଦେଶାତ୍ମକ ଭାବେ ଓ ଅନୁରୋଧାତ୍ମକ ଭାବେ ଜନସାଧାରଣଙ୍କର କର୍ତ୍ତବ୍ଯ ଓ ଗରୁତ୍ତ୍ବକୁ ସୂଚାଇ ଦେଇଛନ୍ତି ।ଏକଗଣତାନ୍ତ୍ରିକ ରାଷ୍ଟ୍ରରେ ଜନ ସାଧାରଣଙ୍କର ନିରପେକ୍ଷ ମତଦାନର ଗୁରୁଦାୟିତ୍ବ ଓ କର୍ତ୍ତବ୍ଯ ରହିଛି । ଏହାକୁ ଆମେ ଭୁଲିଯାଇ ଭୋଟ କିଣାବିକା, ଅର୍ଥ ଲାଳସାର ପ୍ରଲୋଭନରେ ପଡି କିଛି ଟଙ୍କା ବିନିମୟେ କେତେ ଜଣ ସ୍ବାର୍ଥ ପରାୟଣ ଅଯୋଗ୍ୟ ବ୍ଯକ୍ତିଙ୍କୁ ଶାସନ ଗାଦିରେ ବସିବାକୁ ସାବ୍ଯସ୍ତ କରିଥାଉ । ଭାରତର ପ୍ରତ୍ଯେକ ବୟସ୍କବ୍ଯକ୍ତି (୧୮ବର୍ଷରୁଉର୍ଦ୍ଧ)ଭୋଟ ଦେବାର ଅଧିକାରରେ ଭୋଟ ଦେଇ ପ୍ରାର୍ଥୀ ନିର୍ବାଚିତ କରିଥାଏ ।ମାତ୍ର ଆଜି ରାଜନୀତିରେ ରାଜନୈତିକ ବିଭିନ୍ନ ଦଳ ମାନଙ୍କର ଅସାଧୁ କ୍ଷମତା ଓ ଅର୍ଥବଳ କିପରି ପ୍ରାଧାନ୍ଯ ବିସ୍ତାର କରି ମତଦାନରେ ଆମର ମନ ଭାବକୁ ବଦଳେଇ ଦେଇ କଳୁଷିତ କରୁଛନ୍ତି, ତାହା ଅନ୍ଧ ପ୍ରଫୁଲ ଭାଇ ଜାଗ୍ରତ କରି ଦେଇଛନ୍ତି । ଦେଶର ଅବସ୍ଥା ଓ ପରିସ୍ଥିତିକୁ ସେ ଦିବ୍ଯ ଦୃଷ୍ଟିରେ ଦେଖି ଆଗାମୀ ନିର୍ବାଚନ ପାଇଁ ସତର୍କ ରହିବାକୁ
ସଚେତନ କରାଇଛନ୍ତି ।
ଗଣତନ୍ତ୍ରର ସଫଳତା ଜନସାଧାରଣଙ୍କ ସାଧୁତା, ବିଚାରଶକ୍ତି, ଚରିତ୍ର ବତ୍ତା, ସଚେତନତା ଉପରେ ନିର୍ଭର କରେ । ଲୋକ ଚରିତ୍ର ସଂଶୋଧନ ହୋଇ ପାରିଲେ ନିର୍ବାଚନ ଗଣତନ୍ତ୍ର ସଫଳ ହୋଇ ପାରିବ ବୋଲି ସେ ସୂଚେଇ ଦେଇଛନ୍ତି । ଟଙ୍କା ଦେଇ ଭୋଟ କିଣିଥିବା ରାଜନେତାମାନେ ଭ୍ରଷ୍ଚାଚାର, ଦୁର୍ନିତିର ଚେରକୁ ତଳକୁ
ଲମ୍ବେଇ ଦେଇଥାନ୍ତି । ଯାହାକି ସମାଜକୁ କଳୁଷିତ କରିବାକୁ ସଦା ଉଦ୍ୟମରତ ଥାନ୍ତି । ମାନବିକ ମୂଲ୍ୟବୋଧର ସମ୍ମାନ ତଥା ଅସହାୟ ମାନବର ଅମାନବିକତା ଜନସାଧାରଣଙ୍କୁ ତାଙ୍କ ନାଗ ଫାଶରେ ଛନ୍ଦି ଦିଅନ୍ତି । ଜୀବନ ଯୁଦ୍ଧରେ ପରାହତ ମଣିଷ ପ୍ରାଣରେ ସୃଷ୍ଟି କରନ୍ତି ଅଳସୁଆ ପରାୟଣତାରେ ବଞ୍ଚିବାର ଉନ୍ମାଦନା । ପରୋକ୍ଷରେ ଖେଳାଇ ଦିଅନ୍ତି ଛଳନାଯୁକ୍ତ ତାଛଲ୍ଯ ପ୍ରୀତିର ଝରଣା ।ବିଶ୍ବ ରାଜନୀତିରେ ଭାରତର ସ୍ଥିତି ଅତ୍ଯନ୍ତ ଦୟନୀୟ ଶୋଷଣ, ଦୁର୍ନୀତି, ଅନ୍ଯାୟ, ଅତ୍ଯାଚାରର ନୈତିକ ଜୀବନର ଅଧୋପତନ ଘଟାଇ ବ୍ଯକ୍ତିଗତ ସ୍ବାର୍ଥ ସାଧନ ନିମିତ୍ତ ଚେଷ୍ଟିତ । ରାଜନୀତିରେ କଳାବଜାରି,ଗୁଣ୍ତା,ବଦମାସ ଓ
ଅସାମାଜିକ ବ୍ୟକ୍ତିତ୍ବ ସ୍ଥାନ ମାଡି ବସିଛନ୍ତି । ବର୍ତ୍ତମାନ ରାଜନୀତିଜ୍ଞ ଦଳ ସରକାରଙ୍କ ଅର୍ଥରେ କେବଳ ନିଜର ନୁହେଁ,ପରିବାର ତଥା ବନ୍ଧୁବାନ୍ଧବଙ୍କ ସେବାରେ ଲାଗି ପଡିଛନ୍ତି । ପ୍ରଜା ମାନଙ୍କ ତୋଷଣ ନୁହେଁ,ପ୍ରଜା ଶୋଷଣ ହୋଇଛି ଆଜିର ନିର୍ବାଚନ ଇସ୍ତାହାର । ନିଜ ସ୍ବାର୍ଥ ପାଇଁ ଦେଶର ସ୍ବାର୍ଥକୁ ବିକ୍ରି କରି ଦେଉଛନ୍ତି । "ଗରୀବ ହଟାଓ" କେବଳ ଏକ ସ୍ଲୋଗାନ,"ଜୟ ଯବାନ ଜୟ କିଶାନ" କେବଳ ଶ୍ରୁତି ରୋଚକ ଶଦ୍ଦାବଳୀ । "ଜୟହିନ୍ଦ" କେବଳ ଶଦ୍ଦବାଣ । ପବିତ୍ର ରାଜନୀତିର ଅମୃତ ଭାଣ୍ତରେ ବିଷର ଉଦ୍ଗୀରଣ । ଅବିଶ୍ବାସର ବାତାବରଣ ଭିତରେ ପ୍ରତ୍ଯେକଟି ମଣିଷ ଆଜି ସନ୍ତୁଳିତ । ଭାରତୀୟମାନେ ଶାରୀରିକ ପରାଧୀନତାରୁ ମୁକ୍ତିଲାଭ କରିଥିଲେ ହେଁ,ମାନସିକ ପରାଧିନତାରୁ ମୁକ୍ତ ନୁହେଁ । ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ଯତମ ସାରଥି ପଣ୍ତିତ ଜବାହରଲାଲ ନେହେରୁ ଘୋଷଣା କରିଥିଲେ, ଭାରତ ସ୍ବାଧୀନତା ଲାଭ କଲେ, କଳାବଜାରୀ ମାନଙ୍କୁ ନିକଟତମ ଷ୍ଟାମ୍ପ୍ ପୋଷ୍ଟରେ ଫାଶି ଦିଆଯିବ । ସ୍ବାଧୀନତା ପରେ ଜଣେ ହେଲେ କଳାବଜାରୀ ଫାଶୀ ପାଇବା ତ ଦୂରର କଥା ବରଂ
ଭାରତର ଶାସନ ବ୍ଯବସ୍ଥା କଳାବଜାରୀଙ୍କ ଦ୍ବାରା ନିୟନ୍ତ୍ରିତ । ସ୍ବଦେଶପ୍ରାଣତା,ସାଧୁତା,ଶୄଙ୍ଖଳା, କର୍ତ୍ତବ୍ଯ ପରାୟଣତା, ସ୍ବାର୍ଥହୀନତା ଆଦି ଶଦ୍ଦ ଗୁଡିକ ରାଜନୀତିର ଅଭିଧାନରୁ ନିର୍ବାସିତ । ବର୍ତ୍ତମାନ ରାଜନୀତି କରୁଥିବା ବ୍ଯକ୍ତି (ବିଧାନସଭା, ବିଧାନ ପରିଷଦ,ପାର୍ଲିଆମେଣ୍ଟ) ସଦସ୍ଯଙ୍କ ମଧ୍ୟରୁ ପ୍ରାୟ ୫୦ଭାଗରୁ ଉର୍ଦ୍ଧ୍ବ୍ଯ ବ୍ଯକ୍ତିଙ୍କ ନାମରେ ଅନେକ ମାମଲା ବିଭିନ୍ନ ଅଦାଲତ-ଥାନାରେ ପଡି ରହିଛି । ଭୋରା କମିଟି ରିପୋର୍ଟରୁ ରାଜନୀତିରେ କିପରି ଅପରାଧିକରଣ ବୃଦ୍ଧି ପାଉଛି ସୂଚନା ମିଳିଛି । ଏହା ସତ୍ତ୍ୱେ ଖୁବ୍ ଆଡମ୍ବର ସହକାରେ ଗରମ ଗରମ ଭାଷଣଦ୍ବାରା ନିର୍ବାଚନ ପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ଚୋରାରେ ଖର୍ଚକରି ନିର୍ବାଚନ ମଇଦାନରେ ଅକ୍ଲେଶରେ ଜିତୁଛନ୍ତି । ଯାହା ଏହି କୋଟି କୋଟି ଟଙ୍କା ଖର୍ଚର ଭରଣା ଗରୀବ ଖଟିଖିଆ ଭାରତୀୟଙ୍କ ଉପରେ ଶୁଳ୍କ ସ୍ବରୂପ ଲଦି ଦିଆ ଯାଉଛି । ଭୋଟ ପରେ ଦରଦାମ ହୁ ହୁ ହୋଇ ବଢାଇ ଦିଆଯାଇ ପରିପୂରଣ କରାଯିବ ।ଭାରତରେ ବର୍ତ୍ତମାନ ନିର୍ବାଚନର ଡେଙ୍ଗୁରା ବାଜି ସାରିଲାଣି ।ବର୍ତ୍ତମାନ ପ୍ରଶ୍ନ ଉଠେ,ଭାରତର ଗଣତାନ୍ତ୍ରିକ ମୂଲ୍ଯବୋଧକୁ ଆମେ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରୁଛେ କି ? ଏହି ବିଶାଳ ଗଣତନ୍ତ୍ର ରାଷ୍ଟ୍ରର ଭବିଷ୍ଯତ କଣ ? ଆମେ ବାସ୍ତବରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ବାସ କରୁଛେ କି ? ଏ ସମ୍ପର୍କରେ ଆମେ ସଚେତନ କି ? ଭାରତର ନିର୍ବାଚନ ବିପଦମୁଖୀ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଗଣତନ୍ତ୍ରକୁ ଲୋକ ମାନଙ୍କର, ଲୋକ ମାନଙ୍କ ଦ୍ବାରା, ଲୋକ ମାନଙ୍କ ପାଇଁ ଏକ ସରକାର ବୋଲି କହିଛନ୍ତି । ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁ ବିଶ୍ବାସ କରୁଥିଲେ କି, ଗଣତନ୍ତ୍ର ଶାସନ ହେଉଛି ‐ ସର୍ବଶ୍ରେଷ୍ଠ ଉପାୟ, ଯାହା ଦ୍ବାରା ଆଲୋଚନା, ଯୁକ୍ତି,ନିଷ୍ପତି ମାଧ୍ଯମରେ ଅନୁକୂଳ ସିଦ୍ଧାନ୍ତରେ ପହଞ୍ଚେ । ମହାତ୍ମାଗାନ୍ଧୀ ଗଣତନ୍ତ୍ରକୁ "ଶକ୍ତିଶାଳୀ ଦୁର୍ବଳ ବ୍ଯକ୍ତିଙ୍କ ସୁଯୋଗର ସରକାର" ବୋଲି କହିଛନ୍ତି । ସେଥିପାଇଁ ଭାରତୀୟ ସମ୍ବିଧାନରେ ପ୍ରସ୍ତାବନାରେ କୁହାଯାଇଛି‐ଆମ ଦେଶ ପାଇଁ ଗଣତନ୍ତ୍ରକୁ ଆମେ ସରକାର ମାଧ୍ଯମ ରୂପେ ନେଇଛୁ । ପୁନରାୟ ଏହାର ପ୍ରସ୍ତାବନାରେ କୁହାଯାଇଛି‐ଭାରତୀୟ ଜନ ସାଧାରଣଙ୍କୁ ସାମାଜିକ, ଅର୍ଥନିତିକ, ରାଜନୀତିକ ସୁରକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମ ଅଧିକାର ଏବଂ ଚିନ୍ତାଧାରାକୁ ସ୍ବାଧୀନ ଭାବରେ ପ୍ରକାଶ କରିବାକୁ ବାକଅଧିକାର ଦେବା ପାଇଁ ଘୋଷଣା କରାଯାଇଛି ।
ଭାରତ ସ୍ବାଧୀନତା ଲାଭ କରିବା ଠାରୁ ଆଜି ସୁଧା ୧୪ଟି ନିର୍ବାଚନ ପ୍ରକ୍ରିୟା ଅତିକ୍ରମ କରିସାରିଲାଣି । ସେହି ନିର୍ବାଚନର ରୂପରେଖ କିଛି ମାତ୍ରାରେ ପ୍ରଫୁଲ୍ଲ ଭାଇ ଅନୁଭବ କରିଲେଣି, ତେଣୁ ସେ ସତ୍ଯଟିକୁ ହୃଦୟଙ୍ଗମ କରି ଜନତାଙ୍କୁ ସତର୍କ କରାଉଛନ୍ତି । କାହିଁକି ନା‐ଜନତାଙ୍କ ଅଶିକ୍ଷା, ଅଜ୍ଞତାର ଅଭାବ ମୂଳ କାରଣ । ଗଣତନ୍ତ୍ର ନିର୍ବାଚନର ମୌଳିକ ତତ୍ତ୍ବ ଓ ଆଦର୍ଶ ବୁଝିବାକୁ ଅସମର୍ଥ । କିଛି ଜନତା ତାଙ୍କର ଭୋଟର ମୂଲ୍ୟ ବୁଝିବାକୁ ଅକ୍ଷମ । ସେଥିପାଇଁ ଅନେକ ସମୟରେ ଶସ୍ତା ପ୍ରଚାର, ସ୍ଲୋଗାନ, ମିଥ୍ୟା ପ୍ରତିଶ୍ରୁତି ଭୁଲି ଯାଇ ଅବାଞ୍ଛିତ ବ୍ଯକ୍ତିଙ୍କ ସପକ୍ଷରେ ଭୋଟ ଦେଇ ମତାଧିକାର ସାବ୍ଯସ୍ତ କରନ୍ତି । ଧୃତ ରାଜନୀତିଜ୍ଞ ସେମାନଙ୍କ ସରଳ ମନ, ଭାବପ୍ରବଣତା, ଅଜ୍ଞତାକୁ ଶୋଷଣ କରିବାର ସୁଯୋଗରେ ଥାଆନ୍ତି । ଜନ ସାଧାରଣଙ୍କ ତ୍ରୁଟି ହେଉଛି‐ସଂକିର୍ଣ୍ଣ ମନଭାବ, ଅର୍ଥ ପ୍ରତି ଲୋଭାସକ୍ତ ହୋଇ,ସାମ୍ପ୍ରଦାୟିକ ଭାବ ଯାହା ଦ୍ବାରା ଉପଯୁକ୍ତ ପ୍ରାର୍ଥୀଙ୍କ ଅପେକ୍ଷା ଅଯୋଗ୍ୟ ପ୍ରାର୍ଥୀ ନିର୍ବାଚନରେ ନିର୍ବାଚିତ ହୋଇ ଶାସନ କ୍ଷମତାରେ ରହିଥାନ୍ତି ।
ଏଠାରେ ଦିବ୍ୟଦ୍ରଷ୍ଟା ପ୍ରଫୁଲଭାଇ ଦୂରଦୃଷ୍ଟିରେ ସଚେତନ କରି ଭୋଟ ଉପରେ ସୁଲଳିତ କଣ୍ଠସ୍ବରଟି ସୁପ୍ତ ମଣିଷ ମନରେ ଜାଗ୍ରତ କରିପାରେ ନିଶ୍ଚୟ । ଗଣତନ୍ତ୍ରର ମୂଳ ଲକ୍ଷ୍ଯ‐ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ, ଭାଷା ନିର୍ବିଶେଷରେ ସମସ୍ତଙ୍କର ସମାନ ସାମାଜିକ ଅଧିକାର ପାଇଁ ସୁଯୋଗ ସୃଷ୍ଟି କରିବ । ମାତ୍ର ବ୍ଯକ୍ତି ଚରିତ୍ରରେ ସଂଙ୍କଟ,ମୂଲ୍ଯବୋଧ ଅବକ୍ଷୟ ଦେଖା ଦେଲେ ନିର୍ବାଚନ ଫଳାଫଳ ବି କଳୁଷିତ ହୋଇଥାଏ । ପ୍ରଫୁଲ ଭାଇଙ୍କ ମତରେ - ଜନତା ନିଜର ଚରିତ୍ରକୁ ବିଶ୍ଲେଷଣ କରିବା ଉଚିତ । ବର୍ତ୍ତମାନ ଆତ୍ମ ବିଶ୍ଲେଷଣର ପ୍ରକୃଷ୍ଚ ସମୟ । କାରଣ‐ଧନୀ ହୋଇଛି ଅଧିକ ଧନୀ, ଦରିଦ୍ରର ଆର୍ଥିକ ଅବସ୍ଥା ଅଧିକ ଶୋଚନୀୟ , ସ୍ବାଧୀନ ଦେଶର ନାଗରିକ ରୂପେ ସବୁ କ୍ଷେତ୍ରରେ ସରକାରଙ୍କ ଉପରେ ବିଶ୍ବାସ ନ ରଖି ଦୁର୍ନୀତିକୁ ମୁକାବିଲା କରିବାର ମନ ଆବଶ୍ଯକ । ରାଜନୀତି ମଇଦାନରେ ଉଭା ହୋଇଥିବା ଲୋକ ଯେ କୌଣସି ଠାରେ ପହଞ୍ଚି ପାରି ମାନବିକ ଅଧିକାର ଲୁଣ୍ଠନ କରି ପାରନ୍ତି ।
ଭାରତର ମହନୀୟ ଆଦର୍ଶ ନିର୍ବାଚନ ପ୍ରକ୍ରିୟାରେ କଳଙ୍କ ଲାଗିପାରେ । ପ୍ରଫୁଲ୍ଲ ଭାଇ ଅନ୍ଧ ହେଲେ ବି ସୂର୍ଯ୍ଯଙ୍କ ଆଲୋକ ସିନା ଦେଖି ପାରୁନାହାନ୍ତି, ମାତ୍ର ପୁଣ୍ଯମୟୀ ଭାରତ ମାତାର ସ୍ବାଭିମାନକୁ ଦିବ୍ଯଦୃଷ୍ଟିରେ ଦେଖି ପାରୁଛନ୍ତି । ପଇସା ଲୋଭ ଦେଖାଇ ମୋ ଭାରତ ମାତାର ସ୍ବାଭିମାନ କିପରି ବିକ୍ରି ହୋଇ ଯାଉଛି, ନିର୍ବାଚନ ପ୍ରକ୍ରିୟାରେ କଳଙ୍କ ଲଗା ଯାଉଛି, ତାଙ୍କ ମନରେ ସଚେତନ ଭାବ ଉଦ୍ରେକ ହୋଇ ଆଗେଇ ଆସିଛନ୍ତି ନିଜ ଜୀବନକୁ ବାଜି ଲଗେଇ ସତ୍ୟର ମୁକାବିଲା ପାଇଁ । ଦୁର୍ନୀତି ହଟାଇବାର ପଦକ୍ଷେପ ନେଇ ନିଜର ସୁଲଳିତ ସଂଙ୍ଗୀତ ମାଧ୍ଯମରେ ପଥପ୍ରାନ୍ତେ ଶୁଣାଇ ଚାଲିଛନ୍ତି ଅବିରତ ଭାବେ । ଯାହା ନିହାତି ସ୍ବାଗତଯୋଗ୍ୟ ; ଏହି ପ୍ରସଙ୍ଗରେ ମଧ୍ଯ ସମସ୍ତଙ୍କର ଦୃଷ୍ଟିକୁ ଦିବ୍ୟାଙ୍ଗ ମାନଙ୍କ ଅବହେଳିତ ଅବସ୍ଥାକୁ ଉପସ୍ଥାପନା କରି ସରକାରଙ୍କୁ ଚେତେଇ ଦେଇଛନ୍ତି । ନିଶ୍ଚୟ ତାହା ପ୍ରଣିଧାନ ଯୋଗ୍ଯ । ପ୍ରଫୁଲ ଭାଇଙ୍କ ଏହି ସାହସିକ ପଦକ୍ଷେପ , ଆଦର୍ଶ ଚିନ୍ତାଧାରା ପାଇଁ ତାଙ୍କ ପାଦତଳେ ମୋର କୋଟି ପ୍ରଣାମ ଜଣାଇ ରହୁଛି ।
ତାଙ୍କର ଆହ୍ବାନ,ଆଶା ନିଶ୍ଚୟ ସଫଳ ହେଉ ।
ଶିକ୍ଷୟତ୍ରୀ,ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ଯାଳୟ,
ଶ୍ରୀରାମ ନଗର ,ପିପିଲି,ପୁରୀ ।























