ମୋନାଲିସା ନନ୍ଦ
ଫଗୁଣର ବସନ୍ତ ପବନ ପ୍ରଭାବିତ ହେଉଛି । ଆମ୍ବ ବଉଳର ମହକରେ ଚତୁର୍ଦିଗ ଆଜି ମହକିତ । ସ୍ୱାତୀ ଆଜି ମୁକ ଭଳି ଦଣ୍ଡାୟମାନ । ପ୍ରକାଶ ତା'ର ଶରୀରରେ ହୋଲିର ଅବିର ଢ଼ାଳି ଦେଇଛି କିନ୍ତୁ ମୁକ ଜଡ ପ୍ରାୟ ପାଷାଣ ଭଳି ଛିଡା ହୋଇଥିବା ସ୍ୱାତୀ,ବିଜୁଳି ପ୍ରାୟ ଚମକି ଉଠିଛି ଏବଂ ବହୁତ ଜୋରରେ ରାଗି ଯାଇଛି । ମୋତି ସଦୃଶ ଦୁଇ ଚକ୍ଷୁରୁ ଅଶ୍ରୁ ନିକ୍ଷିପ୍ତ କରି ଗୃହ ଅଭିମୁଖେ ଚାଲି ଯାଇଛି । ପ୍ରକାଶ ତା'ର ପଛେ ପଛେ ଯାଇଛି,ସେ ଦ୍ଵନ୍ଦ ରେ ପଡିଛି । କାହିଁକି ଆଜି ସ୍ୱାତୀ ଏମିତି ହେଲା ସେ ବୁଝିପାରିନି ।
ଦିନ ଥିଲା ସ୍ୱାତୀ ଥିଲା ଗୋଟେ ମୁକ୍ତ ଆକାଶର ବିହଙ୍ଗଭଳି । ସମସ୍ତଙ୍କର ପ୍ରିୟ ଝିଅ ; ନାନୀ.. ଭଉଣୀ.. ଗାଁର ଅଲିଅଳୀ ଜେମା... ସମସ୍ତେ ତାକୁ ଭଲ ପାଇଥାନ୍ତି ।।ସବୁ କୁନି ପିଲାଙ୍କ ସାଥିରେ ତାର ବନ୍ଧୁତା, କୋଉଠି ମିଶି ତୋଟାରୁ ଆମ୍ବ ଚୋରେଇବା,ପୋଖରୀରେ ପହଁରିବା, କବାଡି ଖେଳିବା ଇତ୍ୟାଦି ତା'ର ନିତିଦିନ କାମ । ପାଠ ଭଲ ପଢେ ବି ସେ ସ୍ୱାତୀ । ଦୁଷ୍ଟାମୀ କିନ୍ତୁ ବହୁତ କରୁଥିଲା । ମା' ଓ ବାପାଙ୍କର ଗୋଟିଏ ଝିଅ ବୋଲି ଭାରି ଗେଲବସର । ଜମିଦାରଙ୍କ ପୁଅ ପ୍ରକାଶ ସହ ତା'ର ଦେଖା ହେଲା । ସେତେବେଳେ ସେ ଜମିଦାରଙ୍କ ବଗିଚାରୁ ପିଜୁଳି ଆଣୁଥିଲା । ପ୍ରକାଶ ପ୍ରଥମ ଦେଖାରେ ତାକୁ ଭଲ ପାଇଯାଇଥିଲା । ତା'ର ବାର୍ତ୍ତାଳାପରେ ଥିବା ସରଳତା ପ୍ରକାଶକୁ ଆକୃଷ୍ଟ କରିଥିଲା । ପ୍ରକାଶ ସ୍ଥଳବାହନୀରେ ଜଣେ ସୈନିକ ଥିଲା । ସେ ଛୁଟିରେ ଗାଁ କୁ ଆସିଥିଲା । ସେ ଅଜାଣତରେ ନିଜର ହୃଦୟରେ ସ୍ୱାତୀକୁ ବସେଇ ସାରିଥିଲା । ଏକ ସୁମୁହୂର୍ତ୍ତରେ ସେ ତା'ର ମନର କଥା ସ୍ୱାତୀ ସାମ୍ନାରେ କହିଲା । ସ୍ୱାତୀ ପ୍ରଥମେ ପ୍ରତ୍ୟାଖାନ କଲା । ସେ କହିଲା ତୁମେ ଜମିଦାର ପୁଅ ମୁଁ ସାମାନ୍ୟ ଜଣେ ଚାଷୀର ଝିଅ,କେମିତି ତୁମକୁ....କିନ୍ତୁ ଶେଷରେ ପ୍ରକାଶର ପ୍ରେମ ତାକୁ ଟାଣି ନେଇଗଲା ପ୍ରକାଶ ପ୍ରତି । ଦୁହେଁ ଦୁହିଁଙ୍କୁ ଛାଡି ଗୋଟେ ମୁହୂର୍ତ୍ତ ବି ରହି ପାରିଲେନି । ଶେଷରେ ପ୍ରକାଶର ଛୁଟି ସରି ଆସିଲା । ସେ ସ୍ୱାତୀକୁ କହିଲା ଆଉଥରେ ମୁଁ ଛୁଟି ଆସିଲେ ତୁମକୁ ବଧୂ କରି ନେଇଯିବି । ଆମ ବିଷୟରେ ବାପାଙ୍କୁ ସବୁ କହିଛି,ବ୍ଯସ୍ତ ହେବନି ସେ ତୁମ ଘରକୁ ଆମ ବିବାହ ପ୍ରସ୍ତାବ ନେଇଯିବେ । ଏହିପରି ସ୍ୱାତୀକୁ କହି ସେ ଟ୍ରେନରେ ବସିକି ଚାଲିଗଲା ତା'ର ଗନ୍ତବ୍ୟ ସ୍ଥଳକୁ । ସ୍ବାତୀ ଭିତରେ ଆଉ ଚପଳାମି ନଥିଲା, ସେ କେବଳ ପ୍ରକାଶର ଆସିବା ପଥକୁ ଚାହିଁ ରହିଥିଲା ଚାତକ ପ୍ରାୟ । ଦିନ ପରେ ଦିନ ଗଡ଼ିଗଲା ପ୍ରକାଶର କିଛି ଖବର ମିଳିଲାନି ତାକୁ । ତା'ର ଠିକଣାରେ ଚିଠି ଦେଲା । କିନ୍ତୁ ଉତ୍ତର ମିଳିଲାନି.. ଜମିଦାର ବି ଘରକୁ ଆସିଲେନି ପ୍ରସ୍ତାବ ନେଇ ।
ଦିନକର କଥା ଜମିଦାର ବାବୁ ସ୍ୱାତୀ ଘରକୁ ଆସିଲେ ବହୁତ ମୂଲ୍ୟବାନ ଜିନିଷ ଉପହାର ନେଇ । ତାଙ୍କ ପୁଅ ସହିତ ବିବାହ ପ୍ରସ୍ତାବ ଦେଇକି ତା'ର ବାପାଙ୍କୁ କୁଣ୍ଢେଇ ପକେଇଲେ । ସ୍ୱାତୀ ଖୁସିରେ ନାଚି ଉଠିଲା । ଯେତେବେଳ ସେ କହିଲେ କି ମୋ ଘରର ବଡ ବଧୂ ତୁମ ଝିଅ ହେବ ସେତେବେଳେ ସ୍ୱାତୀର ପାଦତଳୁ ମାଟି ଖସିପଡିଲା । ଜମିଦାରଙ୍କର ବଡ ପୁଅ ଘୋଡା ମଦୁଆ । ସେ ଦୁଇଥର ବିବାହ କରି ନିଜ ସ୍ତ୍ରୀ ମାନଙ୍କୁ ହତ୍ୟା କରିଛି । ସେ ଗୋଟେ ରାକ୍ଷସ ଓ ପଶୁ, ସ୍ୱାତୀ ମରିଯିବ ପଛେ ତାକୁ ବିବାହ କରିବ ନାହିଁ । ବାପାଙ୍କୁ ସବୁ କଥା କହିଲା କି ସେ ଜମିଦାରଙ୍କ ସାନପୁତ୍ରଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ସାରିଛି । ସ୍ୱାତୀର ବାପା ବି ନିରୁପାୟ , କ'ଣ କରିବେ ; କିପରି ଜମିଦାରଙ୍କ କଥା ଟାଳିବେ ବୁଝି ପାରୁନଥିଲେ । ତାଙ୍କର ମସ୍ତିଷ୍କର ଶିରା ପ୍ରଶିରା ଗୁଡିକ ବାତ୍ୟା ଭଳି ଧାବମାନ । ତଥାପି ଦମ୍ଭର ସହିତ ଜମିଦାରଙ୍କୁ ସବୁ କହିଲେ । ଜମିଦାର ବାବୁ କହିଲେ ମୁଁ ସବୁ ଜାଣିଚି ତୋର ଝିଅ ମୋ ସାନ ପୁଅକୁ ବିବାହ କରିବା କଥା,କିନ୍ତୁ ବଡ ପୁଅକୁ ବିବାହ କରିବାରେ ଅସୁବିଧା କିଛି ନାଇଁ । ମୋ ଘରର ବଧୂ ହେବ । ଯେତେ ଟଙ୍କା ତୋର ଦରକାର ମୁଁ ଦେବି । ସ୍ଵାତୀର ପିତା ମୁକ ପ୍ରାୟ ଘରକୁ ଫେରି ଆସିଲେ । ଝିଅକୁ ଖାଲି ଶାନ୍ତ୍ୱନା ଦବା ଛଡା କୌଣସି ବାଟ ନଥିଲା ତାଙ୍କର । କିନ୍ତୁ ସ୍ୱାତୀ ପ୍ରତିଜ୍ଞା କଲା କି ସେ କେବେ ବି ସେ ପଶୁକୁ ବିବାହ କରିବନି । ଏସବୁ କଥା ଜମିଦାର ବଡ ପୁଅ କାନକୁ ଗଲା । ସେ ପ୍ରତିଶୋଧ ନେବାକୁ ଯୋଜନା କଲା ।
ସ୍ୱାତୀ ଦିନେ ଆମ୍ବ ତୋଟାରେ ଏକା ଏକା ବୁଲୁଥିଲା । ପ୍ରକାଶର ସ୍ମୃତିରେ ବିମୋହିତ, କୁଆଡେ ଝଡ଼ ଭଳି କେତେଟା ନୃଶଂସ ଲୋକ ମୁଖା ପରିଧାନ କରି ତା' ପାଖକୁ ମାଡି ଆସିଲେ । ବାଘ ହରିଣକୁ ଭିଡ଼ି ନେଲା ଭଳି ତାକୁ ଟାଣି ନେଇଗଲେ । ସେ ଯେତେ ଚିତ୍କାର କଲା କିଏ ଶୁଣିଲେନି । କିଏ ବା ଶୁଣିବ ? ସେଠି କେବଳ ବୁଦା-ତୋଟା ; ସେହିଠାରେ ତା'ର ଆର୍ତ୍ତଚିତ୍କାରର ସାକ୍ଷୀ ହୋଇ ରହିଲେ ବୁଦା ଗହଳ,ଘାସ, ଆଉ ତୋଟା । ଗଙ୍ଗଶିଉଳି ପୁଷ୍ପ ଭଳି ସକାଳର ସୁନେଲି କିରଣ ଦେଖିବା ପୂର୍ବରୁ ଝାଉଁଳି ଗଲା ସ୍ୱାତୀର ସର୍ବସ୍ବ । ସେ ବହୁତ କଷ୍ଟରେ ଗୃହ ଅଭିମୁଖେ ଗଲା । ସେ ତା'ର ଦୁଃଖ କାହାକୁ କହିବ ? ବାପା ମା'ଙ୍କୁ କହିଲେ ସେ ଜିଅନ୍ତା ମରିଯିବେ । ସେ ସେଦିନଠୁ ମୁକ ଜଡ ପାଲଟିଗଲା । କାହା ସହିତ ମିଶେନି । କାହାକୁ କିଛି କୁହେନି । ହୃଦୟରେ ଦୁଃଖ ଚାପି ରଖି ସବୁ ସହିଯାଏ । ଏହାର ଦଶ ଦିନ ପରେ ହୋଲି ପଡିଲା । ପ୍ରକାଶ ଛୁଟିରେ ଛୁଟି ଆସିଲା । ତା'ର ପ୍ରତୀକ୍ଷା ଆଜି ଶେଷ ହୋଇଛି , ଯୁଦ୍ଧରେ ଥିବାରୁ ସେ ସ୍ୱାତୀର କୌଣସି ଚିଠି ପାଇନି କି ଚିଠି ଦେଇ ପାରିନି । ପ୍ରଥମେ ସେ ଅବିର ନେଇକି ସ୍ୱାତୀ ପାଖକୁ ଗଲା ।
ସ୍ୱାତୀଠୁ ସବୁ ବୃତ୍ତାନ୍ତ ଜାଣିଲା ପରେ ପ୍ରତିଶୋଧର ନିଆଁ ଜଳିଗଲା ତା'ମାନସେ । ନିଜ ଲୋକ ଏତେ ବଡ ଧୋକା ଦେବେ ସେ କେବେ ବି ଭାବି ପାରିନଥିଲା । ସେ ସ୍ଵାତୀକୁ ସେଇଦିନ ବିବାହ କରି ଜମିଦାରଙ୍କୁ ଦେଖା କରିବାକୁ ଗଲା ଏବଂ ସେ ରାଜମହଲରେ ନ ରହି ଏକ କୁଟୀରରେ ରହିଲା । ନିଜର ବଡ ଭାଇକୁ ପୋଲିସ୍ରେ ଧରାଇ ଦେଲା । ସେ ଦୁଇ ପତ୍ନୀଙ୍କ ହତ୍ୟା ଓ ସ୍ୱାତୀ ପ୍ରତି କରିଥିବା ଅତ୍ୟାଚାର ପାଇଁ ଆଜୀବନ କାରାଦଣ୍ଡ ଭୋଗିଲା । ସ୍ୱାତୀ ଭଳି ଗଙ୍ଗଶିଉଳି ଜୀବନରେ ସୁନେଲି କିରଣ ଆଣି ପାରିଲା ପ୍ରକାଶ । ଭଗବାନ ଯେପରି ଦୁଇଜଣଙ୍କୁ ଦୁହିଁଙ୍କ ପାଇଁ ଗଢ଼ିଥିଲେ । ଏମାନଙ୍କ ଭଳି ପୁରୁଷଙ୍କୁ କୁହାଯିବ ପ୍ରକୃତ ଦେଶପ୍ରେମୀ । ଯେଉଁମାନେ ନିଜର ଜୀବନ ଦେଶ ପାଇଁ ତିଳ ତିଳ କରି ଜାଳି ଦେଇ ନାରୀ ମାନଙ୍କୁ ପ୍ରକୃତ ସମ୍ମାନ ଦିଅନ୍ତି ; ସାଲ୍ଯୁଟ୍ ସେମାନଙ୍କୁ..................

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।