4/09/2019

ମୋ ପ୍ରିୟ ସୈନିକ ସ୍ବାମୀ

ମାନସୀ ବେହୁରା
     
ଦେଶ ପାଇଁ ତୁମେ ରକ୍ତର ହୋରି ଖେଳିଥିଲ                                   
    ଚଉଦ ଫେବୃଆରୀ ଫୁଲ୍ଓ୍ବାମାରେ,
ତୁମ ରକ୍ତର ପ୍ରତିଟି ବିନ୍ଦୁର ଧାରା
       ଆଜି ସଜାଇଛି ମୋ ସିନ୍ଥିରେ।୧।
ରକ୍ତ ନହେଁ ସେ ମୋ ପ୍ରେମର ସିନ୍ଦୂର
      ତାକୁ ଭୂଲିବି ନାହିଁ ମୁଁ କେବେ,
ଲୁହ ପିଚକାରୀ ପାଣିରେ ଖେଳୁଛି
   ପ୍ରିୟ ମନେ ପଡି ଯାଏ ତୁମ ସ୍ମୃତି ଯେବେ।୨।
ତୁମ ଚିତ୍ରପଟ୍ଟରେ ରଙ୍ଗ ଅବିର ବୋଳି
    ଦୋଳ ଉତ୍ସବ ମୁଁ ଆଜି ପାଳୁଛି,
ରଖି ଥିବା ତୁମ ବନ୍ଧୁକକୁ ପ୍ରିୟ
    ନୟନ ନୀରରେ ପୋଛୁଛି।୩।
ତୁମ କୁନି ଝିଅ କଣ୍ଢେଇ କାନ୍ଦୁଛି
    ତାକୁ ସମ୍ଭାଳି ମୁଁ ପାରୁ ନାହିଁ,
ଫଗୁ ରଙ୍ଗ ମୋ ଅଙ୍ଗକୁ କରିଛି ବିଷାକ୍ତ
 ପୁନେଇଁ ଜହ୍ନର ଶୀଥିଳତା ଆଉ ପାଉ ନାହିଁ।୪।
ରାସ ନୃତ୍ୟ ସଙ୍ଗୀତରେ ଗାଁ ଦାଣ୍ଡକମ୍ପୁଛି
ଝୁଲି ନାଚୁଛନ୍ତି ରାଧା କୃଷ୍ଣ ଦୋଳ ବିମାନେ
 ବାପା ବୋଉ ଦାଣ୍ଡପିଣ୍ଡାରେ ବସି ତୁମ
ଫେରା ପଥ ଚାହିଁ ରହିଛନ୍ତି ଆକୁଳ ନୟନେ।୫।
ପ୍ରିୟ ତୁମେ ସତେ ଏତେ ଦୁଷ୍ଟ
   ତୁମ ପ୍ରିୟା କଥା ଟିକେ ଭାବିଲ ନାହିଁ,
ତୁମ ରକ୍ତର ହୋରି ଖେଳ ଦେଖି
   କେମିତି ସହିବ ତୁମ ପ୍ରିୟା ଗେହ୍ଲେଇ ?।୬।
ତୁମ କଣ୍ଢେଇ ଯଦି ଜନ୍ମ ଲଭି ନ ଥା'ନ୍ତା ଜୀବନରେ
ତେବେ ଝାସ ଦେଇ ଥା'ନ୍ତି ଏଇ ଅଗ୍ନି ପୂର୍ଣ୍ଣମୀରେ
ତା'ମୁଖକୁ ଚାହିଁ ତୁମ ସ୍ମୃତିକୁ ଭାବି,ଏଇ ଫିକା
   ଫଗୁଣ ରଙ୍ଗକୁ ବୋଳିଛି ମୁଁ ଆଜି ଅଙ୍ଗରେ।୭।
ହେ ମୋ ବୀର ସୈନିକ ପ୍ରିୟ ! ରାଣ ଦେଉଛି ଆଜି
   ସପନରେ ଟିକେ ଆସି ଯିବ ମୋ ପାଖରେ,
ଦେଖିବ କେମିତି ଭିଜିଛି ତନୁ ମୋର ଆଜି
    ଲୁହ ପିଚକାରୀ ରଙ୍ଗ ପାଣିରେ।୮।
ତୁମ ମାନିନୀ ଅଭିମାନିନୀ ପ୍ରିୟାଟି
     ଶତ ଶତ ରାଣ ଦେଉଛି ତୁମକୁ,
ଆସିବ ନିଶ୍ଚୟ,ଦେଖି ଯିବ ଟିକେ
     ମୋ ଜୀବନର ଫିକା ଫଗୁଣ ରଙ୍ଗକୁ,
      ମୋ ଜୀବନର ଫିକା ଫଗୁଣ ରଙ୍ଗକୁ।୯।
ଜୟ ବୀର ସୈନିକ ପ୍ରିୟ ମୋର
       ଶତ ପ୍ରଣାମ କରୁଛି ତୁମକୁ
       ଶତ ପ୍ରଣାମ କରୁଛି ତୁମକୁ
        ଶତ ପ୍ରଣାମ କରୁଛି ତୁମକୁ।୧୦।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।