4/09/2019

ଜଲିଉଡ଼ରେ ନଗ୍ନତା -ଏକ ସମନ୍ବୟ ବିଚାର ବିମର୍ଷର ଉଚିତ ସମୟ

ରମେଶ ଚନ୍ଦ୍ର ବହିରା
         ଜଲିଉଡ଼ରେ ନଗ୍ନତା ଧିରେ ଧିରେ କଳେବର ବିସ୍ତାର କରିଚାଲିଛି । ଯାହାକି ଓଡ଼ିଶାର ସଂସ୍କୃତି ଓ ପରମ୍ପରାର କ୍ଷୂର୍ଣ୍ଣ କଲାପରି ମନେ ହୁଏ । ଆଧ୍ୟାତ୍ମିକ ପ୍ରଦେଶ ଓଡିଶା ମାଟିରେ ଯଦିଓ ଆମେ ନଗ୍ନତାର ଛବି କେଉଁ କେଉଁ ମନ୍ଦିର ଗାତ୍ରରେ ଦେଖିବାକୁ ପାଉଥିଲୁ ଯାହା ଥିଲା ପରୋକ୍ଷରେ ସମାଜକୁ ସତ ଶିକ୍ଷା ଦେବା ନିମନ୍ତେ ଉଦ୍ଦିଷ୍ଟ , ମାତ୍ର ଅଧୁନା ସମାଜରେ ବିଶେଷ ଭାବରେ ଜଲିଉଡ଼ରେ ଏହି ନଗ୍ନତା ସୀମା ଲଙ୍ଘନ କରିଛି । ଅର୍ଥ ଉପାର୍ଜ୍ଜନର ଲାଳସାକୁ ପରିପୂରଣ ପାଇଁ ଯୁବପିଢୀକୁ ଆକୃଷ୍ଟ କରିବାକୁ ଯାତ୍ରା ପାର୍ଟିର ମାଲିକ ତଥା ପରିଚାଳକ ମାନେ ଏହି ଶସ୍ତା ଉପାୟକୁ ଅବଲମ୍ବନ କରୁଛନ୍ତି । ଅଶ୍ଳୀଳ ଗୀତର ତାଳେ ତାଳେ ଆଇଟମ ଡ୍ୟାନ୍ସରେ ଶରୀରର ଅର୍ଦ୍ଧ ନଙ୍ଗଳା ରୂପକୁ ପରିଦର୍ଶିତ କରାଯାଉଛି । ଯାହାକି ଯୁବ ପିଢୀକୁ ବେଶ ଅମୋଦିତ କରୁଛି ।

            କେତେକ ଯାତ୍ରା ପାର୍ଟିରେ ନାଟକର ଦୃଶ୍ୟକୁ ହ୍ରାସ କରାଯାଇ ଅଧିକ ସମୟ ମେଲୋଡି ପରିବେଷଣ କରା ଯାଉଛି । ପ୍ରାୟତଃ ଦେଖା ଯାଉଛି ମେଲୋଡି ପରେ ପରେ ଚେୟାର ଖାଲି ହୋଇ ଯାଉଛି । କେବଳ କଳାକାର ଓ ଯାତ୍ରାପାର୍ଟିର ମାଲିକଙ୍କୁ ଦୋଷ ଦେଲେ ହେବ ନାହିଁ ଏଥି ପାଇଁ  ଯୁବପୀଢ଼ିର ଦର୍ଶକ ମଧ୍ୟ ଦାୟୀ । ହୁଏ ତ ଏହି ନଗ୍ନତା ଅର୍ଥ ଉପାର୍ଜ୍ଜନର ମାଧ୍ୟମ ହୋଇପାରେ ମାତ୍ର ଏହାଦ୍ୱାରା ଯାତ୍ରାର ମାନ ଧିରେ ଧିରେ କମିବାରେ ଲାଗିଛି । କେବଳ ନୃତ୍ୟ କଳାକାର ନୁହନ୍ତି ଅଭିନୟ କରୁଥିବା ନାମୀଦାମୀ  କଳାକାର ମଧ୍ୟ ନିଜର ମାଇଲେଜ ପାଇଁ ନଗ୍ନତାକୁ ପ୍ରଶ୍ରୟ ଦେଲେଣି । 

ଆଜିକାଲି ସପରିବାର ଯାତ୍ରା ଦେଖିବା ଅସମ୍ଭବ ହୋଇ ପଡ଼ିଲାଣି । ଯାତ୍ରାରେ ପଶି ଆସିଥିବା ଅପସଂସ୍କୃତି ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାତ୍ରାର ନାଁ ଶୁଣିଲେ ମନରେ ସ୍ଵତଃ ପ୍ରବୃତ୍ତ କୁଭାବନା ଜମାଟ ବାନ୍ଧୁଛି । ଏହିପରି ଭାବରେ ଯଦି ନଗ୍ନତାକୁ ଜଲିଉଡ଼ରେ    ପ୍ରଶ୍ରୟ ଦିଆଯାଏ ତେବେ ନିଶ୍ଚିନ୍ତ ଭାବରେ ଯାତ୍ରାପ୍ରେମୀ ମାନେ ଯାତ୍ରାଠୁ ଦୁରେଇ ନ ଯିବେ ତାହା କିଏ ବା କହିବ ?

ମୋର ବିଶେଷ ଅନୁରୋଧ ଯଦି ଯାତ୍ରାରେ ଦମଦାର କାହାଣୀ, ମନଛୁଆଁ ସଂଳାପ  ଓ ବଳିଷ୍ଠ ଅଭିନୟ ରହିବ ତେବେ ନିଶ୍ଚିନ୍ତ ଯାତ୍ରା ଲୋକାଭିମୁଖୀ ହୋଇ ପାରିବ କିନ୍ତୁ ନଗ୍ନତା ନୁହେଁ । ଓଡ଼ିଆ ଯାତ୍ରା ନାଟକର ସ୍ୱତନ୍ତ୍ରତା ବଜାୟ ରଖିବାକୁ ତଥା ଓଡ଼ିଆ ସଂସ୍କୃତିକୁ ସମ୍ମାନ ଦେବା ନିମନ୍ତେ ଜଲିଉଡ଼ରେ ନଗ୍ନତାକୁ  ସୀମା ଭିତରେ ରଖାଯାଉ । ଯେମିତି କି ସପରିବାର ଯାତ୍ରା ଦେଖିବାର ମଜା ନେଇ ପାରିବେ । ଜଣେ ଦର୍ଶକ ଶେଷ ଦୃଶ୍ୟ ପର୍ଯ୍ୟନ୍ତ ଯାତ୍ରା ଦେଖି ଭରପୁର ଆତ୍ମସନ୍ତୋଷ ଲାଭ କରିବ ।

ଜୟ ଜଲିଉଡ଼ । ଜୟ ଓଡ଼ିଆ ।
ଧନୁହରବେଲାରୀ, ବାଲିକୁଦା
ଜଗତସିଂହପୁର 


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।