4/09/2019

ନ_ଅରୀ_ଯସ୍ୟା_ସା

ବଳବନ୍ତ ସାହୁ

ଚବିଶ ଘଣ୍ଟିଆ ଦିନଚର୍ଯା ଭିତରୁ
କେବେ କେମିତି କାଢି ପାରେ କିଞ୍ଚିତ ସମୟ
ଦେଖେ  କଥାକୁହା ସେ ଟିଭି ସ୍କ୍ରିନକୁ
ହଠାତ୍ ଟାଙ୍ଗୁରୀ ଉଠେ ମୋ ସର୍ବାଙ୍ଗର ମର୍ଦପଣିଆ 
ସତେକି ସ୍ୱାଧୀନତା ଦିବସରେ ପ୍ୟାରେଡ଼ କଲା ପରି , 
ଦେଖି ଅର୍ଦ୍ଧନଗ୍ନ ଅର୍ଦ୍ଧଜୀବନ୍ତ ନାରୀକୁ
ପୁଣି ତା'ର ଦୃଶ୍ୟ ଅଦୃଶ୍ୟ ଲୁହକୁ ।

ଧିକ୍କାର୍ ଆସେ ନିଜ ମର୍ଦପଣିଆ ପ୍ରତି
ସମାଜର ଶତ ଶତ ସଂସ୍କାର ନୀତି ଗୁଡାକ ପ୍ରତି
ସମ୍ବିଧାନର ସହସ୍ର ସହସ୍ର ଆଇନ କାନୁନ ପ୍ରତି
ଲକ୍ଷ ଲକ୍ଷହୃଦୟ ଗୁଡିକର ଆଃ.. ହା.. ପ୍ରତି ।

ମୋ ମନରେ ଉଙ୍କିମାରେ ପ୍ରଶ୍ନଟିଏ
ବିରାଟ ପ୍ରଶ୍ନବାଚୀ ନେଇ
 "ବାସ୍ତବରେ ନାରୀ କିଏ ?"           
 "ବାସ୍ତବରେ ନାରୀ କିଏ ?"

ସଠିକ୍ ଉତ୍ତର ନପାଇ ଦେଇଚାଲେ ଉଦାହରଣ ଗୁଡିକ
ମାଆ , ଭଉଣୀ , ପତ୍ନୀ ,ଝିଅ , ପ୍ରେମିକା....ଏମିତି କେ..ତେ.. ।
ଏଇଠୁ ବୁଝିପାରେ ନାରୀକୁ..
ତା'ଅସଂଖ୍ୟ ଗୁଣ ଗୁଡିକୁ..
ତା' ହୃଦୟର ଗଭୀରତାକୁ..

ଉତ୍ତର ଦିଏ-
"ଅଗ୍ନି ଯାହାଠୁ ଶିଖିଛି  ଜ୍ବଳନ
 ଆକାଶ ଯାହାଠୁ ଶିଖିଛି ବ୍ୟାପକତା
 ବାୟୁ ଯାହାଠୁ ଶିଖିଛି ଶାଳୀନତା
 ବାରି ଯାହାଠୁ ଶିଖିଛି ନିର୍ମଳତା
 ମାଟି ଯାହାଠୁ ଶିଖିଛି ସହନଶୀଳତା 
ତା'ନାଁ  ପରା ନାରୀ 
କେବେ ବଂଚିନି କି ବଂଚିବନି ଯା' ଅରୀ ।

ସାକ୍ଷୀ ଅଛି ଯୁଗ ଯୁଗ
ସତ୍ୟ ,ଦ୍ୱାପର ,ତ୍ରେତୟା
ସେ ମହାଭାରତ ହେଉକି ରାମାୟଣ 
ସେ ଦ୍ରୋପଦୀ ହେଉକି ସୀତା ।

ଝାର୍ ଖାର୍ କରିଦେଇଛି ମହାପ୍ରତାପୀ ଭୀଷ୍ମ ପରି ଅନେକ ରଥୀକୁ
ଶତ ଭାଇ କୌରବକୁ
ମହାମାନୀ ମହାଜ୍ଞାନୀ ରାବଣକୁ ।
ତଥାପି ଆଜି ଏତେ ଶତ୍ରୁ
କିପରି କରନ୍ତି ଆକ୍ରମଣ
ତା' ଉନ୍ମୁକ୍ତ ମନକୁ , ଯୌବନକୁ , ହୃଦୟକୁ..

ମନେହୁଏ କେହିବି ତିଷ୍ଠିବେ ନାହିଁ
ଯେପରି ତିଷ୍ଠି ପାରିନଥିଲେ ସ୍ୱଂ ଶ୍ରୀକୃଷ୍ଣ
ସହସ୍ର ଗୋପୀଙ୍କ  ଲୁହରେ
ମାତୃ ଆଖିର ଅଶ୍ରୁରେ..
ସମସ୍ତେ ମିଶିଯିବେ ଇତିହାସରେ..
ସେଇ ଧୂସର ପୃଷ୍ଠାରେ..କୌଣସି ଏକ ଲେଖନୀର କାଳିରେ....

ଶେଷରେ ସଠିକ୍ ବସିବ ସେଇ ପୁରୁଣା ସଂସ୍କୃତ ସଂଜ୍ଞା-
    "ନ ଅରୀ ଯସ୍ୟା ସା-ନାରୀ"  

📱 ୯୦୭୮୧୦୨୩୪
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।