ସରିତା ମହାନ୍ତି (ଶିକ୍ଷୟିତ୍ରୀ)

ହଜିଛି ବସନ୍ତ ଭାଙ୍ଗିଛି ସପନ
ସାଇତା ସ୍ମୃତି ହୋଇଛି,
ରଂଗହୀନ ଏହି ଜୀବନଟି ମୋର
ଅତୀତକୁ ଖୋଜୁଅଛି।
ମୃଦୁମଳୟର ସୁଲୁସୁଲୁ ବାଆ
ବସନ୍ତରେ ହଜିଥିଲା,
ଅଦିନିଆ ଝଡ଼ ତୋଫାନରେ ରଙ୍ଗ
ଉଡ଼ିନେଇଯାଇଥିଲା।
ସପ୍ତରଙ୍ଗକୁ ସେ ଉଡ଼ାଇ ନେଇଣ
ବହୁଦୂରେ ଫିଙ୍ଗି ଥିଲା,
ସପନ ଭାଙ୍ଗିଲା ଖେଳ ତ ସରିଲା
ସମୟ ସାକ୍ଷୀ ରହିଲା।
ବସନ୍ତ ତ କିନ୍ତୁ ଲେଉଟି ଆସିଲା
ସାଥେ ଧରି ସପନକୁ,
ଅଦେଖା ସପନ ଆଣିଅଛି କହି
ପାଖେ ଦେଲା ରଖିବାକୁ।
ବସନ୍ତର ଦାନ ଗ୍ରହଣ କରିଲି
ସପନରେ ସଜାଇଲି,
ସପନ ଦେଖିବା ମୋ ପାଇଁକିମନା
ଉତ୍ତରରେ କହିଥିଲି।
ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ତ
ଦାଣ୍ଡେ ଦାଣ୍ଡେ ଯାଉଥାନ୍ତି,
ସ୍ନେହ ପ୍ରେମ ସବୁ ବାଣ୍ଟୁଥିବା ବେଳେ
ମୋ କଥାକୁ ଭୁଲିଥା'ନ୍ତି।
ପ୍ରେମରୁ ବଞ୍ଚିତ କରିବାର ପାଇଁ
ସପନ ମୋ ଭାଂଗିଥିଲେ,
ପରମ୍ପରା କୁ ସେ ବଜାୟ ରଖିଣ
ଦୋଳ ପର୍ବ ନାମ ଦେଲେ।
ଅଲୋଡ଼ା ହୋଇଛି ଜୀବନ ମୋହର
ଧୋଇଅଛି ସବୁରଙ୍ଗ
ଉଡିବାର ଆଶା ମନରେ ମାରିଣ
ସାଜିଛି ପଙ୍ଗୁ ବିହଙ୍ଗ।
ଦୁଃଖ ଦୁନିଆର କଠୋର ଯାତନା
ପ୍ରଭୁ ଦାନ ଦେଇଛନ୍ତି,
ଆଶାର ଆଲୋକ ଜଳାଇ ବଞ୍ଚିବି
ଵାରତା ପଠାଇଛନ୍ତି।
ବସନ୍ତକୁ ଦୂତ ପଠାଇ ଅଛନ୍ତି
ଫଗୁଣ ମାସରେ ଯିବୁ
ପୃଥିବୀ ମାତାର ସୌନ୍ଦର୍ଯ୍ୟ ରୂପକୁ
ଦରଶନ କରାଇବୁ।
ଧନ୍ୟ ହେଲା ଆଖି ଧନ୍ୟ ମୋ ଜୀବନ
ଆନନ୍ଦେ ସ୍ୱାଗତ କଲି,
ଋତୁରାଜକୁ ମୁଁ ଅତିଥି କରିଣ
ସତ୍କାର ତା'ର କରିଲି ।
ବାଲିଆପାଳ, ବାଲେଶ୍ବର
ବାସୁଦେବପୁର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।