4/09/2019

ସଲାମ ସାର୍‌

ଭାରତୀ ରଥ
ଶହୀଦ ମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଚାଲିଥାଏ ଶ୍ରଦ୍ଧାଞ୍ଜଳି ସଭା । କବିତା ମାଧ୍ୟମରେ ବୀର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ନିଆରା ପ୍ରୟାସ ସ୍ୱାଗତ ଯୋଗ୍ୟ ଥିଲା । ଦୁଇ ମିନିଟ୍‌ର ନିରବ ପ୍ରାର୍ଥନା ପରେ ଆରମ୍ଭ ହୋଇଯାଇ ଥିଲା ଶହୀଦଙ୍କ ଉଦେଶ୍ୟରେ କବିତା ପଠନ । ପ୍ରାୟ  ଚାରି, ପାଞ୍ଚ ଜଣଙ୍କ ପରେ ମୋର ନାମ ଘୋଷଣା କରାଗଲା । ମୋ କବିତାର ଶୀର୍ଷକ ଥିଲା "ସଲାମ ଶହୀଦ "। କବିତା ପଢିବାକୁ ଆରମ୍ଭ କରିଛି କି ନାହିଁ ହଠାତ ଆସର ଭିତରେ ଶୁଭିଲା କୋଳାହଳ ।  "ବନ୍ଦ କର, ବନ୍ଦ କର, ବନ୍ଦ କର  ତୁମର ଏ କବିତା ଆସର"। କିଛି ବୁଝବା ଆଗରୁ ହଠାତ ମୋ ହାତରୁ ମାଇକ୍ରୋ ଫୋନ ଛଡାଇ ନେଲେ ଭଦ୍ର ବ୍ୟକ୍ତି । ଆଶ୍ଚର୍ଯ୍ୟ ! ଏ କଣ ? ଦୁଇଦିନ ତଳେ ଯେଉଁ ମାଧବ ସାର୍‌ ଶହୀଦଙ୍କ ଉଦେଶ୍ୟରେ ଅଶ୍ରୁଳ ଶରଞ୍ଜଳି ପୂର୍ବକ ଭାଷଣ ଦେଉଥିଲେ ତାଙ୍କର ଆଜି ଏ କି ରୂପ ?
         
       ପିଲାଟି ଦିନ ରୁ ମାଧବ ସାରଙ୍କୁ ଭଲ ଭାବେ ଜାଣିଛି । ନିଜ ସଚ୍ଚୋଟ ପଣିଆ ତଥା ନୀତି ଆଦର୍ଶ ଯୋଗୁଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାବେ ଅବସର ଗ୍ରହଣ କରିଛନ୍ତି ।  ହଠାତ ମୁଣ୍ଡ ଭିତରେ କିଛି ପଶୁ ନ ଥାଏ । ସେମିତି କହି ଚାଲିଛନ୍ତି ଅନର୍ଗଳ ।  "ବନ୍ଦ କର ଏ କବିତା ଆସର ।  ଏଠି କେହି ଶହୀଦ ହୋଇ ନାହାନ୍ତି । କାହା ଶ୍ରଦ୍ଧାଞ୍ଜଳି ଦରକାର ନାହିଁ । ଯଦି ପାରୁଛ ନିର୍ଭୟରେ ଘୂରି ବୁଲୁଥିବା ଦେଶଦ୍ରୋହୀ ମାନଙ୍କୁ ଧରି ଦଣ୍ଡ ଦିଅ । ତେବେ ଯାଇ ସେମାନଙ୍କ ଆତ୍ମା ଶାନ୍ତି ପାଇବ । ନଚେତ ଏମିତି କେତେ ଭାରତୀୟ ଶହୀଦ ହେଉଥିବେ ଆଉ ତୁମେମାନେ ଶ୍ରଦ୍ଧାଞ୍ଜଳି ସଭା କରି କରି ଦେଶ ସାରା ଘୁରି ବୁଲୁଥିବ ।"
       
      ତଥାପି ଘଟଣାକୁ ଠିକ୍‌ ଭାବରେ ବୁଝି ପାରୁ ନଥିଲି ମୁଁ ।  ହଠାତ ନଜର ପଡିଲା ସାର୍‌ଙ୍କ ପନ୍ଦର ବର୍ଷୀୟା ଝିଅ ମାନସୀ ଉପରେ । ଆଉ ତା'ଠୁ ଯାହା ଶୁଣିଲି ହତବାକ୍‌ ହୋଇଗଲି ମୁଁ । ଗତ ରାତିରେ ଏତେ ସବୁ ଘଟଣା ଘଟି ଯାଇଛି ଅଥଚ ମୁଁ କିଛି ଜାଣି ପାରିନି ।  ରାତ୍ରି ଭୋଜନ ସରିଲା ପରେ ନିଜ ନିଜ କୋଠରୀକୁ ଶୋଇବାକୁ ଗଲେ ସମସ୍ତେ । ମାଧବ ସାର୍‌ଙ୍କ ସବୁଠୁ ଭଲ ଅଭ୍ୟାସ ହେଲା ଶୋଇବା ପୂର୍ଵରୁ ସେ ପୁଅ ଓ ଝିଅ ଉଭୟଙ୍କ ରୁମକୁ ଯାଇ ଭଲ-ମନ୍ଦ ବୁଝନ୍ତି ।  ଗତ କାଲି ବି ସେଇଆ ହିଁ ଘଟିଥିଲା । ନିଜର ଏକ ମାତ୍ର ପୁଅ ଶୋଭନର କାର୍ଯ୍ୟକଳାପ ପ୍ରତି ହଠାତ କାହିଁକି ତାଙ୍କର ସନ୍ଦେହ ସୃଷ୍ଟି ହେଲା । କଡା ନଜର
ରଖିଥା'ନ୍ତି ତା' ଉପରେ । ରାତିର ନିସ୍ତବ୍ଦତା ଭିତରେ ଜାଣିବାକୁ ପାଇଲେ ପୁଅ ତାଙ୍କର ଦେଶ ଦ୍ରୋହ କାର୍ଯ୍ୟରେ ଲିପ୍ତ ରହି ସନ୍ତ୍ରାସବାଦୀ ମାନଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରୁଛି । ପ୍ରତ୍ୟେକ୍ଷ ପ୍ରମାଣ ପାଇଲା ପରେ ନିଜକୁ ସମ୍ଭାଳି ପାରିଲେନି ସେ । ପୁଅକୁ ପଚାରିବାର ଅବକାଶ ହିଁ ଦେଇ ନ ଥିଲେ । ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କରି ଶୋଭନକୁ ପୋଲିସ ଜିମାରେ ଦେଇ ଦେଇଥିଲେ ।  ଆଉ ସକାଳୁ ଆରମ୍ଭ କରି ଦେଇଛନ୍ତି ଦେଶଦ୍ରୋହୀଙ୍କୁ ଧରିବାର ଅଭିଯାନ ।

          "ବନ୍ଦ କର, ବନ୍ଦ କର " କହି ଚେତା ଶୁନ୍ୟ ହୋଇ ପଡିଲେ ମାଧବ ସାର ।  ମାନସୀ ତଥା ଆସରରେ ଉପସ୍ଥିତ ସଦସ୍ୟଙ୍କ ସାହାଯ୍ୟରେ ତାଙ୍କୁ ଘରକୁ ନେବାର ବନ୍ଦୋବସ୍ତ କରାଗଲା ।  ମୁଁ କାହାକୁ ଦେଖୁଥିଲି ? ଜଣେ ଅସହାୟ ବାପା ନା ଜଣେ ସଚ୍ଚୋଟ ଦେଶ ପ୍ରେମୀକୁ ? ଆଖିରେ ଲୁହ ଜକେଇ ଆସିଲା । ବାକ୍ୟ ଶୁନ୍ୟ ହୋଇ ଯାଇଥିବା ମୋର ପାଟିରୁ କେବଳ ଗୋଟିଏ ବାକ୍ୟ ଉଚ୍ଚାରିତ ହେଉଥାଏ -"ସଲାମ ସାର, ସଲାମ ଆପଣଙ୍କ ଅଭିଯାନକୁ ।"

  ରଗଡ଼ି,ବାଙ୍କୀ(କଟକ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।