ଜଗନ୍ନାଥ ଜେନା
ଭାରତ ହେଉଛି ପୁଣ୍ୟ ପ୍ରଦାୟିନୀ ବୀର ପ୍ରସବିନୀର ତୀର୍ଥସ୍ଥଳ । ତା'ର କଳା ସଂସ୍କୃତି ଭାସ୍କର୍ଯ୍ୟର କାହାଣୀ ଯେମିତି ସୁନ୍ଦର ତା'ଠାରୁ ଅସ୍ତିତ୍ବ ଅସ୍ମିତାକୁ ଫେରି ପାଇବା ପାଇଁ ସ୍ୱାଧୀନତା ଓ ସଂଗ୍ରାମର କାହାଣୀ ଆହୁରି ରୋମାଞ୍ଚକର ଓ ସଙ୍ଘର୍ଷମୟ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶକୁ ସ୍ୱାଧୀନତା ମିଳିଥିଲା । ସେହିଦିନ ଆମ ମାନଙ୍କର ମୁଣ୍ଡ ଉପରକୁ ହୋଇଥିଲା ।ଶୋଷଣର କଳାବାଦଲ ଆମ ମଥା ଉପରୁ ହଟି ଯାଇଥିଲା । ଆମଦେଶକୁ ସ୍ୱାଧୀନତା ଦେବାପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ ।ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଆମେ ଆଜି ଖୋଲାଖୋଲି ଭାବେ ନୀଳ ଆକାଶ ତଳେ ବୁଲି ପାରୁଛନ୍ତି ସେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଗତ ସିଂହ । ମାତ୍ର ୨୩ ବର୍ଷ ବୟସରେ ଫାଶୀଖୁଣ୍ଟରେ ଝୁଲାଇ ଦିଆ ଯାଇଥିଲା ତାଙ୍କୁ ।
୧୯୦୭ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ଭଗତ ସିଂହଙ୍କ ଜନ୍ମ ପଞ୍ଜାଵର ବମ୍ବୁ ଗ୍ରାମରେ ଏକ ଶିଖ୍ ପରିବାରରେ ହୋଇଥିଲା । ସେତେବେଳେ ଆମ ଦେଶ ଇଂରେଜ ମାନଙ୍କ କବଳରେ ଥିଲା । ଲୋକ ମାନଙ୍କୁ କଥା କହିବାର ମଧ୍ୟ ଅଧିକାର ନଥିଲା । ଭଗତ ସିଂହ ଜନ୍ମ ନେବା ପୂର୍ବରୁ ତାଙ୍କ ବାପା ସର୍ଦ୍ଦାର କିଷାନ ସିଂହଙ୍କୁ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼ିବାରୁ ଜେଲରେ ରଖା ଯାଇଥିଲା ।ତାଙ୍କ ମା'ଙ୍କ ନାମ ବିଦ୍ୟାବତୀ କୌର ଥିଲା । ଭଗତ ସିଂହ ଯେଉଁ ଦିନ ଜନ୍ମ ହୋଇଥିଲେ ,ସେଇଦିନ ତାଙ୍କ ବାପାଙ୍କୁ ଜେଲରୁ ମୁକ୍ତ କରା ଯାଇଥିଲା । ଖାଲି ତାଙ୍କ ପରିବାର ନୁହେଁ ସାରା ଦେଶର ଆଲୋକର ସୂର୍ଯ୍ୟ ସେଇଦିନ ଉଦିତ ହୋଇଥିଲା । ସେହି ସମୟରେ ପ୍ରାୟ ପିଲା ଲାହୋରରେ ଅବସ୍ଥିତ ବ୍ରିଟିଶ ସ୍କୁଲକୁ ପଢିବାକୁ ଯାଉଥିଲେ । କିନ୍ତୁ ଭଗତ ସିଂହ ବ୍ରିଟିଶ ସ୍କୁଲ ପଢିବାକୁ ଗଲେ ନାହିଁ, କାରଣ ସେ ଇଂରେଜ ମାନଙ୍କୁ ବହୁତ ଘୃଣା କରୁଥିଲେ । ସେ ଦୟାନନ୍ଦ ଦୈନିକ ସ୍କୁଲରେ ନିଜର ସ୍କୁଲିଙ୍ଗ ଶେଷ କରିଥିଲେ ।ଯେତେବେଳେ ତାଙ୍କୁ ୧୨ବର୍ଷ ହୋଇଥିଲା ସେତେବେଳେ ଜାଲିବାନାବାଗରେ ହଜାର ହଜାର ଲୋକ ମାନଙ୍କୁ ଗୁଳି କରି ହତ୍ୟା କରିଦିଆ ଯାଇଥିଲା । ଏଇ ଘଟଣା ଶୁଣିବା ପରେ ଭଗତ ସିଂହ ୨୦କିମି ରାସ୍ତା ଦଉଡି ଦଉଡି ଯାଇଥିଲେ ଓ ଘଟଣା ସ୍ଥଳରେ ପହଁଚି ଥିଲେ । ଏଇସବୁ ଦେଖି ତାଙ୍କ ରକ୍ତ ଗରମ ହୋଇ ଯାଇଥିଲା । ସେ ନିର୍ଣ୍ଣୟ ନେଇଥିଲେ କି ଏହାର ପ୍ରତିଶୋଧ ମୁଁ ନିଶ୍ଚିତ ଭାବରେ ନେବି ଏବଂ ମାତ୍ର ୧୨ବର୍ଷ ବୟସରେ ଇଂରେଜ ମାନଙ୍କୁ ମାରିବା ଆରମ୍ଭ କରିଦେଇଥିଲେ ।
୧୯୨୦ ମସିହା ଅଗଷ୍ଟ ଏକ ତାରିଖରେ ମହାତ୍ମାଗାନ୍ଧୀଙ୍କ ଦ୍ଵାରା ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିରେ ମଧ୍ୟ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।୧୯୨୨ ଫେବ୍ରୁଆରୀ ୫ ତାରିଖରେ ଗୋରଖପୁର ଜିଲ୍ଲା ଅନ୍ତର୍ଗତ ଚୌରିଚୌରା ଠାରେ ଗୋଟିଏ ପୋଲିସ ଷ୍ଟେସନରେ ଉତ୍ୟକ୍ତ ଜନତା ପୋଲିସ ଉପରେ କ୍ରୋଧ ରଖି ପୂରା ଷ୍ଟେସନରେ ନିଆଁ ଲଗେଇ ଦେଇଥିଲେ । ଯାହା ଫଳରେ ପ୍ରାୟ ୨୨ଜଣ ପୋଲିସ ଜୀବନ୍ତ ଜଳି ଯାଇଥିଲେ । ଏସବୁ ଘଟଣା ପରେ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନ ବନ୍ଦ କରିଦେଇ ଥିଲେ । ମହାତ୍ମା ଗାନ୍ଧୀଙ୍କର ଏପରି ନିଷ୍ପତ୍ତିରେ ଭଗତ ସିଂହ ବହୁତ ରାଗି ଯାଇଥିଲେ ଓ ମହାତ୍ମା ଗାନ୍ଧୀଙ୍କୁ ବିରୋଧ କରି ନିଜର ଗୋଟିଏ ଦଳ ତିଆରି କରିଥିଲେ । ସେ ବ୍ରିଟିଶ ସହ ଯୁଦ୍ଧ କରିବା ପାଇଁ ହିଂସାର ବାଟ ଅପଣେଇ ଥିଲେ । ସେ ଚନ୍ଦ୍ରଶେଖର ,ସୁଖଦେଵ ଏବଂ ରାଜଗୁରୁ ପରି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ନିଜର ଗୋଟିଏ ଦଳ ତିଆରି କଲେ ।
୧୯୨୫ ମସିହା ଅଗଷ୍ଟ ନଅ ତାରିଖରେ ଭଗତ ସିଂହ କାକୋରି କାଣ୍ଡରେ ମଧ୍ୟ ଯୋଗ ଦେଇଥିଲେ ।୧୯୨୮ ମସିହା ଅକ୍ଟୋବର ତିରିଶ ତାରିଖରେ ସାଇମନ କମିଶନକୁ ମଧ୍ୟ ବହିଷ୍କାର କରିବା ପାଇଁ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ୧୯୨୮ ଡିସେମ୍ବର ସତରରେ ଭଗତ ସିଂହ, ଚନ୍ଦ୍ରଶେଖର ଏବଂ ରାଜଗୁରୁ ଲାହୋର ଠାରେ ଜଣେ ପୋଲିସ କର୍ମଚାରୀଙ୍କୁ ମାରି ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲେ ଓ ସେଠୁ ଭଗତ ସିଂହ ବେଶ-ପୋଷକ ବଦଳାଇ ମୁଣ୍ଡରୁ ବାଳ କାଟି ନିଜର ଚେହେରା ପରିବର୍ତ୍ତନ କରି ଦେଇଥିଲେ କେହି ଚିହ୍ନି ପରିବେ ନାହିଁ ବୋଲି । ୧୮୨୯ ଏପ୍ରିଲ ଆଠ ତାରିଖରେ ବିନା କୌଣସି କାରଣରେ ବ୍ରିଟିଶ କୋର୍ଟକୁ ବୋମା ଫିଙ୍ଗିବା କାରଣରୁ ଭଗତ ସିଂହ ଏବଂ ତାଙ୍କ ସାଥି ମାନଙ୍କୁ ଗିରଫ କରାଯାଇଥିଲା । ଜେଲରେ ତାଙ୍କୁ ବହୁତ ଅତ୍ୟାଚାର କରାଯାଉଥିଲା । ଖୋଲା ଦେହରେ ବରଫ ଉପରେ ଶୁଆଇ ଲାଠିରେ ପିଟୁଥିଲେ । ସେ ଜେଲରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାର ଦେଖି ନଖାଇ ନପିଇ ଜେଲରେ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ୧୯୨୯ ସେପ୍ଟେମ୍ବର ତେର ତାରିଖରେ ଅନଶନ କରି ଜିତେନ୍ଦ୍ର ଦାସଙ୍କର ମୃତ୍ୟୁ ହୋଇଥିଲା ଜେଲ ଭିତରେ । ସେ ୬୩ ଦିନ କିଛି ବି ନଖାଇ ଅନଶନ କରିଥିଲେ । ଏହାପରେ ଭଗତ ସିଂହଙ୍କୁ ଇଂରେଜ ମାନେ ଡରିବାକୁ ଲାଗିଲେ ଓ ତାଙ୍କର ସବୁ ସର୍ତ୍ତ ମାନି ନେଇ ଥିଲେ । ଭଗତ ସିଂହ ୧୧୬ ଦିନ ଧରି ଅନଶନରେ ବସିଥିଲେ ।
ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଥିବାରୁ ୧୯୩୦ ମସିହା ଅକ୍ଟୋବର ସାତ ତାରିଖ ଦିନ ଭଗତ ସିଂହ , ସୁଖଦେଵ ଏବଂ ରାଜଗୁରୁଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୧୯୩୧ ମସିହା ମାର୍ଚ୍ଚ ତେଇଶି ତାରିଖ ଦିନ ପ୍ରାୟ ସନ୍ଧ୍ୟା ୭ଟା ୩୩ରେ ଭଗତ ସିଂହ,ସୁଖଦେଵ ଏବଂ ରାଜଗୁରୁଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ।ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ନେବାବେଳେ ସେମାନେ ଏକସ୍ୱରରେ କହୁଥିଲେ ଇନକ୍ଲବ - ଜିନ୍ଦାବାଦ., ଇନକ୍ଲବ - ଜିନ୍ଦାବାଦ । ସମଗ୍ର ଦେଶ ପୁରାପୁରି ସ୍ତବ୍ଧ ହୋଇ ଯାଇଥିଲା । ଭାରତ ମା' ଏକାଥରେ ତିନିଟି ସନ୍ତାନକୁ ହରେଇ ଦୁଃଖରେ ଭାଙ୍ଗି ପଡିଥିଲା । କିନ୍ତୁ ସେମାନଙ୍କର ତ୍ୟାଗ ଓ ପ୍ରଚେଷ୍ଟା ବିଫଳ ଯାଇ ନଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନତା ଲାଭ କରିଥିଲା।ଏଭଳି ନିର୍ଭିକ ବୀର ମାନଙ୍କୁ ମୋର କୋଟି ପ୍ରଣାମ ।
ଆନନ୍ଦପୁର - କେନ୍ଦୁଝର
ଯୋଗାଯୋଗ - ୮୯୧୭୫୮୧୨୫୫
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।