4/09/2019

👉କ୍ଷମା👈

ସୌମ୍ୟ ରଞ୍ଜନ ଦାଶ

             ବାସ୍ତବରେ ଶିଶୁମାନେ ହେଉଛନ୍ତି ମାଟି ପିଣ୍ଡୁଳା । ଶୈଶବାବସ୍ଥା ତଥା  ଅ।ଦ୍ୟ ବାଲ୍ୟାବସ୍ଥାରେ ଆମେ ଦେଇ ଥିବା ଶିକ୍ଷା,ସଂସ୍କାର ଓ ନୈତିକତା ରୂପକ ଛାଞ୍ଚ ସେମାନଙ୍କୁ ଏକ ସୁନ୍ଦର ରୂପ ପ୍ରତିମା ରୂପେ ଗଢ଼ି ତୋଳିବ ଏଥିରେ ସନ୍ଦେହ ନାହିଁ । ସେମାନଙ୍କ ଭିତରେ ଅସୀମିତ ସ୍ପୃହା..... ଶିଖିବାର ଆଗ୍ରହ ଆଉ ସମ୍ମାନ ଜ୍ଞାନ ସେମାନଙ୍କ ଉଜ୍ଜ୍ୱଳ ମୟ ଭବିଷ୍ୟତର ସୂଚକାଙ୍କ ।

            ବିଦ୍ୟାଳୟରେ ଦୀର୍ଘ ଏକ  ବର୍ଷ ହେଲା ଏକାକୀ ଶିକ୍ଷକ ରୂପେ କାର୍ଯ୍ୟ କରୁଛି ।  ଶିକ୍ଷାଦାନ ସାଙ୍ଗକୁ ପ୍ରଧାନ ଶିକ୍ଷକର ଅତିରିକ୍ତ ଦାୟିତ୍ୱ ଏବଂ ତା' ସାଙ୍ଗରେ ଶିକ୍ଷାର୍ଥୀଙ୍କ ସୁରକ୍ଷା  ନିରାପତ୍ତାର ଅତ୍ୟଧିକ ଚାପ ଫଳରେ ମୁଁ ସେମାନଙ୍କ ବ୍ୟକ୍ତିଗତତା ଭିତରେ ଅନ୍ତର୍ନିବେଶ କରି ପାରୁନି । କିନ୍ତୁ ସହସା ଆଜି ଜାଣିବାକୁ ପାଇଲି ଯେ ମୋର ଚତୁର୍ଥ ଶ୍ରେଣୀର ଦୁଇ ଜଣ ଶ୍ରଦ୍ଧେୟ ଛାତ୍ର ସରୋଜ ଓ ଗୌତମଙ୍କ ଭିତରେ ଘମାଘୋଟ କଳି ଲାଗିଛି..... । ଯଦିଓ ସେମାନେ ବିଦ୍ୟାଳୟରେ ସବୁଠାରୁ ଉତ୍ତମ ଯୋଡ଼ି ଆଉ ପାଠରେ ବି ସେମାନଙ୍କର ପ୍ରଦର୍ଶନ ଭଲ ।  ତେଣୁ କଳିର କାରଣ କଣ ବୁଝିବାକୁ ସେମାନଙ୍କୁ ମୁଁ ପାଖକୁ ଡାକିଲି ଆଉ ମୁଣ୍ଡ ଆଉଁସି ପଚାରିଲି... ବାପାରେ.... ! ତମେ ଦୁଇ ଜଣ କଣ କଥା ହଉନ..... ଝଗଡ଼ା କରିଛ.... ! ? ?

   ହଠାତ ଦୁଇ ଜଣଙ୍କ ଆଖିରେ ଲୁହ ।।ମୋ ପାଟିରୁ ପଦୁଟିଏ ଶବ୍ଦ ଆସିବା ଆଗରୁ ଦୁଇ ଜଣ ଏକ ସ୍ୱରରେ କହି ଉଠିଲେ ସାର୍‌ ଆମକୁ କ୍ଷମା କରି ଦିଅନ୍ତୁ । ଆମେ ଆଉ କେବେ ଝଗଡ଼ା ଲାଗିବୁନି । ବାସ୍ତବରେ ମୋତେ ସେଦିନ ଭାରି ଖୁସି ଲାଗିଲା । ଏଡ଼ିକି ଟିକେ ଟିକେ ଶିଶୁ ଯଦି କ୍ଷମାର ମହତ ବୁଝି ନିଜ ଭିତରେ ଦ୍ୱେଷ, ହିଂସା,ପରଶ୍ରୀକାତରତା ରୂପକ ଅସୁରକୁ କ୍ଷମାସ୍ତ୍ରରେ ନିହତ କରି ପାରୁଛନ୍ତି ; ବୟସ୍କ ମାନେ ଏତେ ପ୍ରାପ୍ତ ମସ୍ତିଷ୍କ ଆଉ ବୁଝିବାର ଶକ୍ତି ସାମର୍ଥ୍ୟ ହୋଇ ବି ଅନ୍ଧ କାହିଁକି.....?

 ଦେବରୁ ଦୁର୍ଲଭ ସୁଗୁଣଟି ସିଏ
ନାଁ ତାର ଅଟେ କ୍ଷମା
ମାନବକୁ କରେ
ସେ ମହା ମାନବ
ନ ଭୁଲ ବାଳକ ଜମା ।


କ୍ଷମା ଟାଳି ଦିଏ ମୃଦୁ ବିବାଦକୁ
କ୍ଷମା ଦୂର କରେ କଳି
କ୍ଷମାର ସ୍ୱରୂପ ଅସୀମ ଅନନ୍ତ
ଆତ୍ମଗର୍ବ ଦିଏ ଜାଳି ।

କ୍ଷମା ସୃଷ୍ଟି କରେ ମିତ୍ରତା ସମ୍ବନ୍ଧ
ସବୁ ମନାନ୍ତର ଫେଡ଼େ
ଶତ୍ରୁତା ଆକାଶ ବନ୍ଧୁତା ପୃଥିବୀ
କ୍ଷମା ବର୍ଷା ହୋଇ ଯୋଡ଼େ  ।

ଜଳନ୍ଧର ପତ୍ନୀ ମାନୀ ବୃନ୍ଦାବତୀ
ଶ୍ରୀ ହରିଙ୍କୁ କ୍ଷମା ଦେଲେ
ପତିତା ନ ହୋଇ ଯୁଗ ଯୁଗ ପାଇଁ
ସତୀ ଆସନଟି ନେଲେ ।

କ୍ଷମା ଦେଲେ ପୁଣି ପାଞ୍ଚାଳ ନନ୍ଦିନୀ
ପାପୀ ଅଶ୍ଵତ୍ଥାମା ଶିରେ
ପାଞ୍ଚ ପୁତ୍ର ହନ୍ତା ପାପୀକୁ ହୃଦୟୁ
କିଏ ପୁଣି କ୍ଷମା କରେ !!! ?

କ୍ଷମା ଆଚରିଲେ ନାଟୁଆ କାଳିଆ
ସାଗରସୁତାଙ୍କ କୋଳେ
କ୍ଷମାର ମହତ ଅତେ ଅପ୍ରମିତ
ଶ୍ରୀଲକ୍ଷ୍ମୀ ଯେ ବୁଝି ଥିଲେ  ।         

ନିଜ ଅପମାନ ଭୁଲି ଗଲେ ରମା
ସ୍ୱାମୀଙ୍କୁ ଆଦରି ନେଲେ
ଭୃତ୍ୟା ରୂପେ ରହି ନାରୀର ମର୍ଯ୍ୟାଦା
କ୍ଷମା ଗୁଣେ ବୃଦ୍ଧି କଲେ  ।

କ୍ଷମା ଉପାଖ୍ୟାନ କ୍ଷମାର ମହିମା
କେ' ବର୍ଣ୍ଣି ପାରିବ ସେହି
କ୍ଷମା ଦାତା ଆଉ କ୍ଷମାର ଗ୍ରହୀତା
ଜଗତରେ କାଳଜୟୀ  ।

ମିଛ ଅଭିମାନ ମିଛ ରାଗଋଷା
 କାହିଁକି ରଖିବା ସେହି
କ୍ଷମା କମଣ୍ଡଳୁ ପବିତ୍ର ପାବନୀ
ଛିଞ୍ଚି ଦେବା ଅନ୍ୟ ପାଇଁ  ।

ସେହି ହେବ ଆମ ଶେଷ ପରିଚୟ
ଜୀବ ସିନା ଚାଲିଯିବ
କ୍ଷମା ଗୁଣ ପାଇଁ ଅର୍ଜିତ ସୁଦାନ
ସବୁ ନେତ୍ର ଭିଜାଇବ ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ 
ସରକାରୀ ପ୍ରାଥମିକ ବିଦ୍ୟାଳୟ 
ପି.ପାଲି (ବଲାଙ୍ଗିର)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।