ଶିବ ପ୍ରସାଦ ବାହିନୀପତି
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
ଫୋ-୯୫୫୬୧୩୭୧୨०
Email-sibacool12@gmail.com
ଜୟ ସାହିତ୍ୟ, ଜୟ ସମାଜ
ମୁଁ ଜଣେ ଯୱାନ । ମୋ ତୁଣ୍ଡେ ଦେଶ ସୁରକ୍ଷାର ମନ୍ତ୍ର । ନିର୍ଦ୍ଧିଷ୍ଟ ଏକ ପୋଷାକ ପରିଧାନ କରି କାନ୍ଧରେ ବନ୍ଧୁକ ଝୁଲାଇ ସୀମାନ୍ତେ ସାଜଛି ଜାଗ୍ରତ ପ୍ରହରୀଟିଏ । ମୋ ଦେଶ ମୋ ମାଆ, ଦେଶବାସୀଏ ମୋର ଆତ୍ମୀୟ । ମୋ ମାଆ ଓ ମୋ ଆତ୍ମୀୟଙ୍କ ସୁରକ୍ଷା ପାଇଁ ସର୍ବଦା ମୁଁ ପ୍ରାଣପଣେ ଚେଷ୍ଟିତ । ମୋ ଦେଶର ସୀମାନ୍ତକୁ ଲମ୍ଫ ମାରି କୌଣସି ବାହ୍ୟ ଶତ୍ରୁର ପ୍ରବେଶକୁ ମୁଁ ବରଦାସ୍ତ କରିପାରିବି ନାହିଁ । ପ୍ରଥମେ ମୋତେ ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ମୋ ଉପସ୍ଥିତିରେ ମୋ ଦେଶର ସୀମା ଡ଼େଇଁ ପ୍ରବେଶ କରିବା ସହଜ କଥା ନୁହେଁ । ମନେ ପଡ଼ିଯାଏ ମହାଭାରତର ମହାମାନୀ ଦୁର୍ଯ୍ୟୋଧନର ପଦିଏ କଥା - "ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ଯଗ୍ରେ ମୃତ୍ତିକା ।" ମନେପଡ଼େ ପୁଣିଜନେ କବି ଗୋଦାବରୀଶ ମହାପାତ୍ରଙ୍କର କାଳଜୟୀ ରଚନାଟିଏ -
"ପଛଘୁଞ୍ଚା ନାହିଁ ବୀରର ଜାତକେ
ନମରେ ସେହୁଁ ପରାଣ ଆତଙ୍କେ ।"
ଓଡ଼ିଆ ଲୋକ ପ୍ରବାଦନୁସାରେ - "ଜାନ୍ ଯାଉ ମାନ୍ ଥାଉ" । ମୋ ମାଆର ସମ୍ମାନ ହିଁ ମୋର ସମ୍ମାନ । ମୋ ଆତ୍ମୀୟଙ୍କ ଖୁସିରେ ମୋର ଖୁସି । ମୋ ମାଆ କି ମୋ ଆତ୍ମୀୟଙ୍କର ମନ କ୍ଷୁର୍ଣ୍ଣରେ ମୋର ମଧ୍ଯ ସମ୍ମାନ ହାନି । ମୋ ଜୀବନ ପଛେ ଚ଼ାଲିଯାଉ, ଟିକେ ବି ଶୋଚନୀ ନାହିଁ ମୋର । ହେଲେ ମୋ ମାଆ କି ମୋ ଆତ୍ମୀୟଙ୍କ ଅସମ୍ମାନ ମୋ ପାଇଁ ସହିବା ସମ୍ଭବ ନୁହେଁ ।
ଅବିକା ମୋ ମାଆର ଲୁଣ୍ଠନ ପାଇଁ ଅନେକ ଅଜାତଶତ୍ରୁଙ୍କର ପ୍ରାଣପଣେ ପ୍ରଚେଷ୍ଟା ; ଯାହାକି ମୋର ଶୀରପୀଡ଼ାର କାରଣ । ପ୍ରତ୍ଯକ୍ଷରେ ହେଉ କି ପରୋକ୍ଷରେ, ଲୁଣ୍ଠିବାକୁ ବ୍ଯଗ୍ର ଅନେକ ଶତ୍ରୁ । ବାରମ୍ବାର ଚେତାବନୀ ସତ୍ତ୍ୱେ ବି ପୂର୍ବବତ୍ ପ୍ରଚେଷ୍ଟା ତାଙ୍କର । ମନରୁ ଲିଭିନି କାର୍ଗିଲ୍ ସମରର ସେ ଦୃଶ୍ୟ । କିଛିଦିନର ନିରବତା ପରେ ପୁନର୍ବାର ଲୋଲୁପ ଦୃଷ୍ଟି ନିକ୍ଷେପ ବେଲଜ୍ଜା ସଦୃଶ । ଏବେ ଜାମ୍ମୁ ଓ କାଶ୍ମୀରକୁ ହାତେଇବାକୁ ପ୍ରଚେଷ୍ଟା । ସନ୍ତ୍ରାସବାଦୀଙ୍କ ତୁମୁଳ କାଣ୍ଡ ଯାହା ବିଷମ ପରିସ୍ଥିତି ଆଡ଼କୁ ଅଗ୍ରଗତି । ଲାଗୁଛି ଦ୍ବିତୀୟ କାର୍ଗିଲ୍ ଯୁଦ୍ଧର ଅୟମାରମ୍ଭ । ହେଉ, ଯାହା ହେଲେ ବି ମୁଁ ଅଚଳ ଅଟଳ ମହାମେରୁ ମୋ ଦେଶମାତୃକା ନିମିତ୍ତ । ହେଉ ପୁନର୍ବାର ସେଭଳି ସମର । ହେଉ ପଛେ ତୃତୀୟ ବିଶ୍ବଯୁଦ୍ଧ । ମୁଁ କିନ୍ତୁ ସର୍ବଦା ନିର୍ଭୀକ ଓ ଦାମ୍ଭିକ ।
ଦୂରରେ ଛାଡ଼ି ଆସିଛି ମୋ ପରିବାର । କଥା ହେବାକୁ ବି ସମୟ ଅଭାବ ସେମାନଙ୍କ ସହ । ମାନସେ ମୋର ନାହିଁ ବିଷାଦ । କାହିଁକି ଜାଣନ୍ତି କି ? ମୁଁ ଜାଣେ ଏ ସାରା ଦେଶ ହିଁ ମୋ ଘର । ସମସ୍ତ ଭାରତୀୟ ମୋ ଆତ୍ମୀୟ । ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ଆତ୍ମୀୟଙ୍କ ସୁରକ୍ଷାରେ ମୁଁ ଯୱାନ୍ । ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ - "ମୋର ଗୋଟେ ପୁଅ ମରିଗଲେ ଦୁଃଖ ନାହିଁ, ଶହ ଶହ ପୁଅଙ୍କ ଜୀବନ ସଙ୍କଟ ଘେରରେ ଦେଖି ମୁଁ ଚୁପ୍ ହୋଇ ବସିବି କେମିତି ?" ଠିକ୍ ସେହିପରି ମୁଁ ବି ଜଣେ ବ୍ଯକ୍ତି ଯିଏକି ହଜାର ହଜାର ଆତ୍ମୀୟଙ୍କ ସୁରକ୍ଷା କବଚ ।
ନେତାଜୀଙ୍କ ଭାଷାରେ ଅସ୍ତ୍ରର ଜବାବ୍ ଅସ୍ତ୍ରରେ ଦିଅ । ଆଉ ଶାନ୍ତିର ବାର୍ତ୍ତାର ପ୍ରୟୋଜନ ନାହିଁ । ଶାନ୍ତି ବାର୍ତ୍ତା ପ୍ରେରଣ କରି କରି ନୟାନ୍ତ । ଏବେ ନେତାଜୀଙ୍କ ନୀତିର ପ୍ରୟୋଗ ବାଧ୍ୟତାମୂଳକ । ମୋ ଦେହରେ ଶେଷ ରକ୍ତବିନ୍ଦୁ ଥିଲା ପର୍ଯ୍ଯନ୍ତ ମୁଁ ଲଢ଼ିବି । ମୋ ଦେଶମାତୃକାର ସେବାରେ ଉତ୍ସର୍ଗୀକୃତ ଏ ଜୀବନ, ଏଇଠି ଇନ୍ତୁଡ଼ି ଏଇଠି ଶ୍ମଶାନ । ମୁଁ ବୀର ଯୱାନ୍ ।
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
ଫୋ-୯୫୫୬୧୩୭୧୨०
Email-sibacool12@gmail.com
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।