4/09/2019

🔯ଶୁଭଲଗ୍ନାର ଶୁଭପରିଣୟ🔯

ରଶ୍ମି ରଞ୍ଜନ ବେହେରା 
                    ଅନ୍ଧକାର ରାତିଟା ପାହି ପାହି ଆସୁଥିଲା । ପୂର୍ବ ଆକାଶରେ ଧୃବତାରା ଜଳଜଳ କରି ଚାହିଁଥାଏ । ଗଛ ଡାଳରେ ରାତିଯାକ ଚୁପଚାପ୍ ବସିଥିବା ପକ୍ଷୀମାନେ କିଚିରିମିଚିରି କରିବା ଆରମ୍ଭ କରି ଦେଇଥା'ନ୍ତି । ବୋଧହୁଏ ସକାଳର ଅଗମନ ହେବ । ଆମ୍ବ ବଉଳର ବାସ୍ନା ଭୁରୁଭୁରୁ ହୋଇ ବାସିବା ଆରମ୍ଭ କଲାଣି,ବସନ୍ତର ଆଗମନ ହେବ । ଏଇ ବସନ୍ତରେ ଶୁଭଲଗ୍ନାର ଶୁଭ ପରିଣୟ ହେବ । ଆଉ ଅଳ୍ପ କେଇ ଦିନରେ ଶୁଭମ୍ ଫେରିବ ଗାଁକୁ । ଗୋଟିଏ ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗୁଥାଏ । ନିତି କାନ୍ଥଘଣ୍ଟା ଆଉ କ୍ଯାଲେଣ୍ଡରଙ୍କୁ ବୁହେ ଗାଳି ଦିଏ ଶୁଭଲଗ୍ନା । "ତମେ ଦୁହେଁ ମୋ ସହ ବୈରି କରିଛ । ନା ତୁ (ଘଣ୍ଟା) ଟିକେ ଶିଘ୍ର ଚାଲୁଛୁ ନା ଏ କେଲେଣ୍ଡର...." । କାହିଁକି  ଗାଳି କରନ୍ତା ନି ଯେ... ଗତ ଫଗୁଣରୁ ଅପେକ୍ଷା ଯେ କରିଛି ଏ ଫଗୁଣ ଯାଏଁ ଶୁଭମକୁ । 
    
        ଶୁଭମ ଆଉ ଶୁଭଲଗ୍ନା ଗୋଟିଏ ଶ୍ରେଣୀରେ ଗାଁ ସ୍କୁଲରେ ପଢୁଥିଲେ । କେଉଁ ପରୀକ୍ଷାରେ ଶୁଭମ ପ୍ରଥମ ହୁଏ ତ କେଉଁ ପରୀକ୍ଷାରେ ଶୁଭଲଗ୍ନା । ଶୁଭଲଗ୍ନା ନାକ କନ୍ଦୁରୀଟା । ଯଦି ପରୀକ୍ଷାରେ ପ୍ରଥମ ନ ହେଲା ମାସେ ଯାଏଁ ଶୁଭମ ଆଡ଼େ ରାଗ ଗରଗର ହୋଇ ନାକ ଛିଞ୍ଚାଡ଼ି ଚାଲିଯାଏ । ମାସେ କି ଦୁଇ ମାସ ପରେ ପୁଣି ଯୋଉ କଥାକୁ ସେଇ କଥା  । ସବୁ ରାଗ ଋଷାକୁ ପଛରେ ପକାଇ ଶୁଭମକୁ କହେ "ତୁ କାହିଁକି ମୋ ସହ କଥା ହେଉ ନାହୁଁ କି ? " ଶୁଭମ ହସିଦେଇ  କହେ " ସରି ,ଏମିତି ଭୁଲ୍ ଆଗକୁ ଆଉ କେବେ କରିବିନି " । ଏମିତି କେତେ ଝଗଡ଼ା ରାଗ ଋଷାରେ ଚାଲିଗଲା ହାଇସ୍କୁଲ୍ ପାଠ ପଢ଼ା । ଗାଁ ପାଖ କଲେଜରେ ଦୁହେଁ ନାମ ଲେଖାଇଲେ । ସାଙ୍ଗରେ କ୍ଲାସ୍ ଯିବା , ସାଙ୍ଗ ହୋଇ ଘରକୁ ଫେରିବା  ,ବାଟରେ ପ୍ରଧାନ ମାଷ୍ଟ୍ରେଙ୍କ ବାଡ଼ିରୁ ବରକୋଳି ଆଉ ଆମ୍ବ ଚୋରେଇ ଖାଇବା ,ଚୋରା ଚଇତିର ବୋହୂ ଚୋରୀ ସାଙ୍ଗକୁ ତେନ୍ତୁଳି- ସାଲମା ପାଣି, ବର୍ଷାରେ ରଫ୍ ଖାତାରୁ କାଗଜ ଚିରି କାଗଜର ଡଙ୍ଗା । ଏମିତି ଅନେକ ଭାସି ଉଠୁଛି ମନ ଆଇନାରେ ।
             
         ଦୁଇ ଜଣଙ୍କ ମଧ୍ୟରେ ପ୍ରଗାଢ଼ ଭଲପାଇବା ଥିଲେ ମଧ୍ୟ କେହି କାହାକୁ କହି ପାରନ୍ତିନି । +୨ ପରୀକ୍ଷା ସରୁ ସରୁ ଶୁଭମ ଭାରତୀୟ ସେନା ବାହିନୀରେ ଚାକିରୀଟିଏ ପାଇଗଲା । ଶୁଭଲଗ୍ନା ଖବର ପାଇ ଶୁଭମ ଘରକୁ ଦୌଡ଼ି ଯାଇ ଦେଖେ ତ ଶୁଭମ  ସକାଳ ଟ୍ରେନରେ ପଳାଇ ଯାଇଛି  । ବାପା ଛାଡ଼ିବାକୁ  ଯାଇଛନ୍ତି ଯେ ଫେରି ନାହାଁନ୍ତି । ଶୁଭଲଗ୍ନା ଥମ୍ କରି ବସି ପଡ଼ିଲା ଶୁଭମର ଘର ପିଣ୍ଡାରେ । ବୁହେ କାନ୍ଦିଗଲା ସେ । ଶୁଭମର ମା' ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ ଶୁଭଲଗ୍ନା । "କାହିଁକି  ମୋତେ ନ କହି ପଳାଇଗଲା  ?" "କାଲି ସଂଧ୍ୟାରେ ଡାକ ପିଅନ ଚିଠି ଆଣି ଦେଲା ଆଉ ଆଜି ସକାଳେ ଶୁଭମକୁ ଯିବାକୁ ହେବ । ନହେଲେ ପହଞ୍ଚିବାରେ ବିଳମ୍ବ ହୋଇଯିବ । ହଠାତ୍ ସବୁ ଜିନିଷ ଯୋଗାଡ଼ରେ ତୋତେ ଦେଖା କରିବାକୁ ଯାଇ ପାରିଲାନି । କାନ୍ଦ୍‌ନି, ସେ ଟ୍ରେନରେ ବସି ତୋତେ ଫୋନ୍ କରି ଦେବନି ।" ଏମିତି ଆଶ୍ବାସନା ଦେଇ ଶୁଭଲଗ୍ନାକୁ ଘରକୁ ପଠେଇ ଦେଲେ ଶୁଭମର ମା' ।
କାନ୍ଦି କାନ୍ଦି ଘରକୁ ଫେରିଲା ଶୁଭଲଗ୍ନା । ଘରେ ପହଞ୍ଚି ରାଗରେ ମୋବାଇଲଟିକୁ ଦୁମ୍‌କରି ମଝିଘର ପିଣ୍ଡାରେ କଚାଡ଼ି ଦେଲା । ମୋବାଇଲ ଖଣ୍ଡ ବିଖଣ୍ଡ ହୋଇ ପଡ଼ିଲା । ବାପା ମା' ଦୌଡ଼ି ଅସି ଦେଖନ୍ତି ଭୋ' ଭୋ' ହୋଇ କାନ୍ଦୁଛି ଶୁଭଲଗ୍ନା । କଣ ହୋଇଛି ଆମ ମା'ର  ? ବାପା ମା'ଙ୍କୁ ଦେଖୁ ଦେଖୁ ଆହୁରି ଜୋର୍‌ରେ କାନ୍ଦିବାକୁ ଲାଗିଲା ଶୁଭଲଗ୍ନା । ଯେତେ ବୁଝାଇଲେ ବି ବୁଝିବାକୁ ନାରାଜ । "ଶୁଭମ ମୋତେ ନ କହି କେମିତି ପଳେଇଗଲା  ?" ବାପା ମୋବାଇଲଟିକୁ ଯୋଡ଼ା ଯୋଡ଼ି କଲେ । ଶୁଭମ ନମ୍ବରକୁ ଫୋନ୍ ଲଗାଇଲେ , ହେଲେ "ଏ କଣ ମୋବାଇଲ୍ ବନ୍ଦ ଅଛି କିମ୍ବା ଅପହଞ୍ଚ ଦୂରତାରେ ଅଛି !'' ଶୁଭଲଗ୍ନାର ଖାଇବା ପିଇବା ଏକ ରକମର ବନ୍ଦ ହୋଇଯାଏ । ମା' ବାଧ୍ୟକରି ଛତୁଆ ଟିକେ କେତେବେଳେ ପାଣି ଗ୍ଲାସଟେ ବହୁ କଷ୍ଟରେ ପେଇ ଦିଅନ୍ତି । ବାପା କୁହନ୍ତି " କିଛି ଅସୁବିଧା ହୋଇଥିବ ଫୋନ୍ ଲାଗୁନାହିଁ ।" କାଳେ ଶୁଭମ ମା'ଙ୍କ ପାଖକୁ ଫୋନ୍ କରୁଥିବ , ସେ କଥା ଭାବି ବାରମ୍ବର ଦୌଡ଼ି ଯାଉଥାଏ । ଶୁଭମ କଥା ଛଳରେ କେବେ କହେ ମା'-ବାପା ମୋ ଜୀବନ । ହେଲେ ମା'-ବାପାଙ୍କୁ ବି ଫୋନ୍ କରୁନି । କି ଚାକିରୀଟେ ପାଇଲା ଯେ ସଭିଙ୍କୁ ଭୁଲିଗଲା ! ଶୁଭମର ମା' ବି ଦୁଇ ଦିନ ହେଲା ଖାଇବା ପିଇବା ଛାଡ଼ି ଦେଲେଣି । କଥାରେ ଅଛି -''ପଥ ହୁଡ଼ିଗଲେ କି କରେ ନାଆ,ଡେଣା ଲାଗିଗଲେ କି କରେ ମା' ।'' "ସତରେ କ'ଣ ଶୁଭମ ଭୁଲିଗଲା ସମସ୍ତଙ୍କୁ  ? ସେ ଏତେ ସ୍ବାର୍ଥପର ହେଲା କେମିତି  ?"  

           
         ଦୁଇଟି ଘର ପ୍ରାୟ ଶବ୍ଦ ଶୂନ୍ୟ । ଶୁଭମକୁ ପ୍ରତ୍ୟେକ ସକାଳୁ ଖତେଇ ହେଉଥିବା 'ମିଟୁ' ଆଜିବି ନିରବ । ନିରବି ଯାଇଛି ମଳୟ ପବନ । ଆମ୍ବ ବଉଳର ବାସ୍ନା  ଆଉ ମହ ମହ ବାସୁନି । କୋଇଲିର କୁହୁ ତାନ କାନକୁ ଶୁଭୁନି । ଦୁଇଟି ପରିବାରକୁ ଯେମିତି  କାଳଚକ୍ର ଟାଣି ନେଇଛି ଏକ ନିଷ୍ଠୁର ସମୟକୁ । ଠିକ ସେହି ସମୟରେ ଶୁଭଲଗ୍ନାର ମୋବାଇଲ ବାଜି ଉଠିଲା , ଉତ୍ତର ଆସିଲା - "ଆ...ରେ ଶୁଭଲଗ୍ନା ମୁଁ ଶୁଭମ ।"
-ଯା'.... ମୁଁ ଯମାରୁ କଥା ହେବିନି । ଦୁଇ ଦିନ ହେଲା ଗଲଣି ମୋ କଥା କଛି ମନେ ପଡ଼ୁନି ନା । ମୁଁ ସିନା ତୁମକୁ ଭଲପାଏ ,ତମେ କଣ ମୋତେ ଭଲ ପାଅ କି ?  
-ଆ...ରେ... ସରି , ମୁଁ ଘରୁ ଆସିଲା ବେଳେ ପାଓ୍ବାର ବ୍ୟାଙ୍କଟା ଭୁଲିଗଲି । ଆଉ ଟ୍ରନର ଜେନେରାଲ୍ ବଗିରେ ଯୋଉ ଭିଡ଼... କୁହନି ଆଉ । ସତରେ ଶୁଭଲଗ୍ନା , ତୁମେ ମତେ ଭଲ ପାଅ ତ  ? 
-କଣ କିଛି ସନ୍ଦେହ କି  ? ଏକଥା ତ ଆଗରୁ କେବେ କହିନ । ଝିଅମାନେ କ'ଣ କିଏ ଆଗ କୁହେ କି  ? ହଁ ଶୁଭମ, ତୁମେ କୁହ ତ ମୋତେ ଭଲ ପାଅ କି ନାହିଁ । ଆରେ ମୁଁ ବି ତୁମକୁ ଭଲ ପାଏ, କିନ୍ତୁ କହି ପାରେନି । ଛି.... ସବୁ ପୁଅଗୁଡ଼ା ଅନାଡ଼ି...
-ଏଇ କଥାକୁ ପାଞ୍ଚ ଫଗୁଣ ବିତି ଗଲାଣି , ହେଲେ ମନ କାନଭାସରେ କାଲି ପରି ଲାଗୁଛି ।
        
          ସମସ୍ତ ନିରବତାକୁ ଭଙ୍ଗକରି ଶୁଭଲଗ୍ନା ଘରର କଲିଙ୍ଗ୍ ବେଲ୍ ବାଜି ଉଠିଲା । ଶୁଭଲଗ୍ନା ନିଜକୁ ସଜାଡ଼ି ନେଇ  କବାଟ ଖୋଲି ଦେଖେ ତ ଶୁଭମ । ନିଜକୁ ସମ୍ଭାଳି ପାରିଲାନି, କୁଣ୍ଢେଇ ପକାଇଲା ।
- ଆରେ ତମେ  ! ତମେ ପରା ଆହୁରି ତିନି ଦିନ ପରେ ଆସିଥା'ନ୍ତ । ହଠାତ୍ ପୁଣି ଏତେ ରାତିରେ..... ? ଆରେ ତୁମେ ଖାଲି ଗୋଟେ ପଲିଥିନଟେ ହାତରେ ଧରି ଫେରିଛ ଆଉ କିଛି ନାହିଁ  ?
-ଆରେ ସେ ବହୁତ କଥା ,ବହୁ ଦୂରରୁ ଆସିଲିଣି , ପାଣି ଗ୍ଲାସଟେ ତ ଦିଅ । 



        ପାଣି ଦିଏ ଶୁଭଲଗ୍ନା,ପାଣି ପିଇ ସାରି ହାତକୁ ବଢ଼ାଇ ଦିଏ ଗ୍ଲାସ ଆଉ ତା' ସହିତ ପଲିଥିନଟା । ପଲିଥିନରେ ଲାଲ ଆଉ ସୁନେଲି ରଙ୍ଗର ପାଟ ଶାଢ଼ୀଟେ, ତା' ସହିତ ରାଣୀହାର, ଝରାଲଗା କାନଫୁଲ ,ମଙ୍ଗଳ ସୂତ୍ର , ଚୁଡ଼ି ଦୁଇ ପଟ ,ମେଞ୍ଚାଏ ଘୁଙ୍ଗୁର ଥିବା ପାଉଁଜି  ଆଉ ତା' ସହିତ ସିନ୍ଦୂର ଭର୍ତ୍ତି ଫରୁଆଟେ ।

- ଓ୍ବା.....ଊ... ଏ ସବୁ ମୋ ପାଇଁ !
- ହଁ ଶୁଭଲଗ୍ନା ତୁମ ପାଇଁ । ପ୍ଲିଜ୍ ଟିକେ ପିନ୍ଧି ଆସନା...... 
-ଏ ସବୁ ମୁଁ ବାହାଘର ଦିନ ପିନ୍ଧିବି । 
-ନା...ଇଁ..... ପ୍ଲିଜ୍ ଏଇନେ.... 

-ହଉ ଠିକ୍ ଅଛି ବାବା....
          
        ଶୁଭଲଗ୍ନା  ଆଉ ଗୋଟେ ବଖରାକୁ ଯାଇ ସବୁ ବସ୍ତ୍ରାଳଙ୍କାର ପିନ୍ଧି ଶୁଭମ ଆଗକୁ ଆସେ । ଗାଢ଼ ଚୁମ୍ବନଟେ ଆଙ୍କି ଦିଅନ୍ତି କପାଳରେ ଶୁଭମ । ଶୁଭମର କୋଳରେ ମଥା ଥାପି ଶୋଇପଡ଼େ ଶୁଭଲଗ୍ନା । 
          
            ଭାରତ ମାତାକୀ ଜୟ....ବନ୍ଦେ ମାତରମ୍....ବୀର ଯବାନ ଅମର ରହେ.. ଅମର ରହେ..... ଭାରତୀୟ ସେନା ଜିନ୍ଦାବାଦ....ଜିନ୍ଦାବାଦ ....ବୀର ଯବାନ ଶୁଭମ ଅମର ରହେ.... ଅମର ରହେ..... ଭାରତୀୟ ସେନା ଜିନ୍ଦାବାଦ... ଜିନ୍ଦାବାଦ..... ବୀର ଯବାନ ଶୁଭମ ଅମର ରହେ.... ଅମର ରହେ..........ହଠାତ୍ ନିଦ ଛାଡ଼ିଯାଏ  ଶୁଭଲଗ୍ନାର । ଝରକା ଖୋଲି ଦେଖେ ତ ଗାଁ ରାସ୍ତା ଆଜି ଏତେ ଭିଡ଼ ! କ'ଣ ପାଇଁ.......!! ?? ତ୍ରିରଙ୍ଗା ପତାକା ମାଳମାଳ, ଏମିତି  ଜନ ସମୁଦ୍ର କାହିଁ କେବେ ତ ଆଗରୁ ଦେଖି ନାହିଁ ! ଆଜି ସ୍ବାଧୀନତା ଦିବସ କି ସାଧାରଣତନ୍ତ୍ର ଦିବସ ନୁହଁତ ! ନାଁ..... ତେବେ ମା ଭାରତୀର  ଜୟ ଜୟକାର କଣ ପାଇଁ  ? ଏମିତି ଅନେକ ପ୍ରଶ୍ନ ବ୍ୟତିବ୍ୟସ୍ତ କରୁଥିଲା ବେଳେ ଶୁଭଲଗ୍ନାର ଆଖିରେ ପଡ଼ିଲା ଏକ ତ୍ରିରଙ୍ଗା ଘୋଡ଼ା ଯାଇଥିବା କଫିନ୍ ଉପରେ । କେଇ ଜଣ ଭାରତୀୟ ଯବାନଙ୍କ କାନ୍ଧରେ ଥାଏ କଫିନ୍ । ଶତ ସିଂହକୁ ପରାଜୟ କରିବାର ଅଦମ୍ୟ ସାହସ ରଖୁଥିବା ଯବାନଙ୍କ ମୁଁହ ଆଜି ମଳିନ ! କ'ଣ ପାଇଁ.... କଣ ପାଇଁ....?
             
            ନିଜକୁ ସମ୍ଭାଳି ନ ପାରି ଭିଡ଼ ଭାଙ୍ଗି କେତେବେଳେ ପହଞ୍ଚି ଯାଇଛି ଶୁଭଲଗ୍ନା ସେ କଫିନ୍ ପାଖରେ  । ଜନ ଗହଳି ବଢ଼ି ବଢ଼ି ଚାଲିଥାଏ । କଫିନ୍ କାନ୍ଧେଇ ଚାଲୁଥିବା  ସୈନ୍ୟ ମାନଙ୍କର ପାଦ ଥମିଯାଏ ଶୁଭମର ଘର ଆଗରେ । "ଶୁଭ..... ବାବା ଶୁଭ...." ଡାକି ଦୌଡ଼ି ଆସିଲେ ଶୁଭମର ମା' । ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । ଶୁଭମର ବାପା ନିର୍ଜୀବ ପ୍ରାୟ ଛିଡ଼ା ହୋଇଥା'ନ୍ତି ଖୁଣ୍ଟକୁ ଧରି । କିଛି ବୁଝା ପଡ଼ୁ ନଥାଏ ଶୁଭଲଗ୍ନାକୁ । ହତବାକ୍ ହୋଇ ଅନାଉଥାଏ ଥରେ ଶୁଭମର ମା' ବାପାଙ୍କୁ ଆଉ ଭିଡ଼କୁ ଥରେ ନିଜକୁ । ଜନ ଗହଳି ନୀରବି ଯାଇଥାଏ । କଫିନର ଉପରୁ ତ୍ରିରଙ୍ଗା ପତାକା କାଢ଼ି ନେଲେ ଓ କଫିନର ଉପର ପାଖ ଓ ଚାରିପାଖ ଖୋଲି ଦେଲେ ଯବାନମାନେ । ଦେଖୁ ଦେଖୁ ଶୁଭମର ମା' ଚେତା ଶୂନ୍ୟ ହୋଇଗଲେ । ବାପା କାନ୍ଦି କାନ୍ଦି ସଲାମ କଲେ । 
                
        "ଆରେ ଏ ତ ଶୁଭମ । କେମିତି ସମ୍ଭବ  ? ରକ୍ତ ଜୁଡ଼ୁବୁଡ଼ୁ ଶରୀର ! ଏ ଯଦି ଶୁଭମ , ତେବେ ଭୋରୁ ମୋ ପାଖକୁ ଆସିଥିବା ଲୋକ କିଏ  ? ଶାଢୀ , କାନ ଝରା , ହାର, ଚୁର୍ ଓ ସିନ୍ଦୁର କିଏ ଦେଲା ମୋତେ  ? କିଏ ମୋତେ ଗାଢ଼ ଚୁମ୍ବନରେ ବସିଭୁତ କରିଥିଲା ? କାହାର କୋଳରେ ମଥା ଥାପି ଶୋଇ ପଡ଼ିଥିଲି ମୁଁ ? ମନ ବୁଝୁ ନଥାଏ । ଏବେ ବି ମୁଁ ସେଇ ଶାଢୀ , କାନଝରା, ହାର ଆଉ ପାଉଁଜି ପିନ୍ଧିଛି ।"ଧିରେ ଧିରେ ଶୁଭଲଗ୍ନାର ଆଖି ଭିଜି ଗଲା ଆଉ ନିଜକୁ ସମ୍ଭାଳି ପାରିଲାନି । "ଶୁଭମ..... ଫେରିଅlସ ଶୁଭମ....... ଏ...ଇ.... ଦେଖନା , ତୁମେ ଦେଇଥିବା ଶାଢୀ ଆଉ ଗହଣା ସବୁ ପିନ୍ଧିଛି ।  ଏଇ ଫଗୁଣ ୧୩ ଦିନରେ  ଆମେ ଯେ ବିବାହ କରିବୁ...  ଉଠି ଯାଅନା ଶୁଭମ , ....ଏ....ଇ.... ଶୁଭମ ! ଶୁଣନା....!!" ଶୁଭମର ଛାତିରେ ମଥା ପଟି କାନ୍ଦୁଥାଏ ଶୁଭଲଗ୍ନା....
             
               କିଛି ଗଣମାଧ୍ୟମର ପ୍ରତିନିଧି ଘେରିଗଲେ  ଶୁଭଲଗ୍ନାକୁ । "ତୁମେ ଶୁଭଲଗ୍ନା  ?" କାନ୍ଦ କାନ୍ଦ ପାଟିରେ ଶୁଭଲଗ୍ନା ଉତ୍ତର ଦେବା ଆରମ୍ଭ କଲା - "ହଁ.... ମୁଁ ଶୁଭଲଗ୍ନା ।"
- ତୁମେ ସରକାରଙ୍କୁ କଣ କହିବ ?
- ପାକିସ୍ଥାନକୁ ଉଚିତ ଜବାବ ଦିଅନ୍ତୁ । ଲଭ୍ ୟୁ ଶୁଭମ.... ଲଭ୍ ୟୁ.... ଜୟ ହିନ୍ଦ୍    ଜୟ... ହିନ୍ଦ୍........

  ସରସତିଆ,ଖନ୍ତାପଡ଼ା
         ବାଲେଶ୍ବର
    ୯୪୩୯୪୪୩୩୯୪

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।