ଯଶୋବନ୍ତ ସେଠୀ
ବସ୍ ଚାଲିଥାଏ । ନିରୂପମା ଝରକା କଡ ସିଟରେ ବସିଥିଲା । ଆବଶ୍ୟକ ମୁତାବକ ଝରକା କାଚଖୋଲି ବାହାରକୁ ଚାହିଁ ଥିଲା । ଆଖିଆଗରେ କେତେକଣ ଦୃଶ୍ୟ କ୍ଷଣିକ ଦେଖାଦେଇ ପଛକୁ ହଟିଯାଉଥା'ନ୍ତି । ଜାତୀୟ ରାଜପଥ ଛାଡି ବସ୍ ବର୍ତ୍ତମାନ ଗାଁରାସ୍ତା ଧରିଥିଲା । ଗାଡିର ବେଗ କମି ଗଲା , କିନ୍ତୁ ନିରୂପମା ମନର ବେଗ ବଢି ଯାଇଥିଲା ଘରକୁ ଛଅମାସ ପରେ ଆସୁଥିବାରୁ । ନିରୂପମା ମହାପାତ୍ର ; ରାଜ୍ୟ ସଚିବାଳୟର ଜଣେ କନିଷ୍ଠ କିରାଣୀ । ବୟସ ପାଖାପାଖି ତେତିଶି ; ଅବିବାହିତା । ଦଶହରା ଛୁଟିରେ ଘରକୁ ଆସୁଥାଏ । ଅପରାହ୍ନର ସୂର୍ଯ୍ୟ କ୍ରମଶଃ ପଶ୍ଚିମ ଦିଗବଳୟରେ ବିଦାୟ ନେବାର ସମୟ ପାଖେଇ ଆସୁଥାଏ । ନିରୂପମା ବ୍ୟସ୍ତ ହୋଇପଡୁଥାଏ ସନ୍ଧ୍ୟା ଆଗରୁ ଗାଁରେ ଗାଡି ପହଞ୍ଚିବ ନପହଞ୍ଚିବ ଭାବି । ତେବେ ତାଆଖିରେ ପଡୁଥିବା ଗାଁଗଣ୍ଡାର ମନୋରମ ଦୃଶ୍ୟ , ବିଲବାଡିର ସବୁଜିମା ଆଦିକୁ ଉପଭୋଗ ନକରି ରହିପାରୁ ନଥିଲା । ଆଉ ଦୁଇ ଚାରିଟା ବସଷ୍ଟପ୍ ପାର ହେଲା ପରେ ଛୋଟ ବଜାରଟାଏ ପଡିବ । ନିରୂ ସବାଶେଷ ବସଷ୍ଟେଣ୍ଡରେ ଓହ୍ଲାଇବ । ତା ବୋଉ ଦୁଇତିନିଦିନ ଆଗରୁ ନିଶ୍ଚିତ ଚିଠି ପାଇଥିବ ଆଉ ତାଗୋଡ ତଳେ ପଡୁନଥିବ । ଖାଲି ଖୋଜିଲା ଖୋଜିଲା ଆଖିରେ ଚାହିଁଥିବ । ଗାଁର କୁନି ମୁନି ପିଲାମାନଙ୍କୁ ମଧ୍ୟ ଖବରଟା ଦେଇ ଦେଇଥିବ । ପିଲା ଗୁଡାକ ନିରୂଦିଦି ଆସିଲେକି ନାହିଁ ନିଜ ନିଜ ଘର ଝରକା ଫାଙ୍କରେ ଚାହୁଁଥିବେ । ପୁଣି ଭାବୁଥାଏ ବୋଉ ମୋପାଇଁ ବାଢି ରଖିଥିବା ଭାତ ତରକାରୀ ଥଣ୍ଡା ହୋଇ ଯାଉଥିବାରୁ ମନେ ମନେ ଚିଡି ଯାଉଥିବ । ସତରେ ବୋଉ ଆଉ କାହାକୁ ଅପେକ୍ଷା କରନ୍ତା ! ବାପା ତ ଚାଲିଗଲେଣି ଦଶବର୍ଷ ତଳୁ । ଈଶ୍ବରଙ୍କ କୃପାରୁ ଛୋଟ କିରାଣୀ ଚାକିରୀଟିଏ ପାଇଚି , ଛୋଟ ପରିବାରଟି ସୁରୁଖୁରୁରେ ଚଳିଯାଉଚି । ନିରୂପମା ଚାହିଁଥିଲା ଦିଗନ୍ତବିସ୍ତାରୀ ଧାନକ୍ଷେତ ଆଡେ । ଅଧିକାଂଶ ଧାନଗଛରେ ଥୋର ବାହାରି ନାହିଁ । ଚଢେଇ ଦଳଟେ ବିଲ ଉପରଦେଇ ଉଡି ଯାଉଥିଲେ । ବିଲରେ ସରୁସରୁ ପାଣିର ସୁଅ ଛୁଟିଚାଲିଥିଲା । ଗୋଟେ ଛୋଟ ଷ୍ଟପେଜରେ ଗାଡି ଅଟକିଲା । ପାଖରେ ଦୁଇଚାରିଟା ଦୋକାନ । ଟିକିଏ ପାଖକୁ ଛାଡି ଯୁବ କ୍ଲବଟିଏ । ପୂଜାପାଇଁ ଦୂର୍ଗା , ଲକ୍ଷ୍ମୀ, ଗଣେଶ, କାର୍ତ୍ତିକଙ୍କର ଅଧାଗଢା କାଦୁଅ ଲେସା ମୂର୍ତ୍ତି ତିଆରି ଚାଲିଥାଏ । ପୁଣି ଗାଡି ଆଗକୁ ବଢିଲା । ହେଇ କନ୍ଦରପୁର ବସଷ୍ଟେଣ୍ଡ ଆସିଗଲା । ନିରୂ ବ୍ୟଗ୍ର ହୋଇ ଓହ୍ଲେଇଲା । ନିରୁର କକା ଲେଖାର ଜଣେ ଲୋକ ସାଇକେଲ ନେଇ ଆସିଥିଲେ । ତାଙ୍କ ସହିତ ଘରେ ପହଞ୍ଚିଲା ।
ପରଦିନ ସକାଳେ ନିରୁ ଗାଁ ଆଡେ ବୁଲି ବାହାରିଲା । ତା' ବୟସର ଝିଅ ଆଉ କେହି ଗାଁରେ ନଥିଲେ ; ସବୁ ବିଦା ହୋଇଗଲେଣି । ତା' ବୟସର ବୋହୂ ମାନଙ୍କ ସାଙ୍ଗରେ ସାଙ୍ଗ ହବାକୁ ବାହାରି ପଡିଲା । ହରି ନନାଙ୍କ ବୋହୂ ସୁମତୀ ଭାଉଜ ଭାରି ଚୁଲୁବୁଲିଟାଏ । ନିରୁ ଯେବେ ବି ଘରକୁ ଆସେ ଆଗ ଡାକରା ଆସେ ତାଙ୍କରି ପାଖରୁ । ଗାଁଆରେ ଅନ୍ୟ ଭାଉଜମାନେ ଈର୍ଷା କରନ୍ତି । ସର୍ବୋପରି ନିରୁ ହେଉଛି ଗାଁ ଯାକ ଭାଉଜଙ୍କର ସୁନାନାକୀ ନଣନ୍ଦ । ସବୁ ଭାଉଜଙ୍କୁ ସେ ଏତେ ନିଜର କରି ପକେଇଚି ଯେ ବସରେ ଚଢି ଭୁବନେଶ୍ଵର ବିଦା ହେଲା ବେଳକୁ ସମସ୍ତେ ଆଖିରୁ ଲୁହ ଝରାନ୍ତି । ନିରୁ କିନ୍ତୁ ଆଜି ପର୍ଯ୍ୟନ୍ତ କାହାର ଭାଉଜ ନହୋଇ ସେଇ ନଣନ୍ଦ ହୋଇ ରହିଯାଏ । ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବିନା ସାକ୍ଷାତକାରରେ ଟିପ୍ପଣୀ ବାଢନ୍ତି-- ନିରୁଟା ଦରବୁଢୀ ହେଲାଣି ; ତା' ବାପ ପବନାଟା ବଞ୍ଚିଥିଲେ ଆଜି ଝିଅଟା ଅଭିଆଡୀ ଥାଆନ୍ତା କି ? ଆଉ ଜଣେ କହେ -- କେଜାଣି ରାଜଧାନୀରେ ରହିଛି ଟୋକୀଟା । ରାଜଧାନୀର କୋଉ ଟୋକା ସହିତ ଟାରେନାରେ କରୁନଥିବ ବୋଲି କଣ କିଛି ମାନେ ଅଛି ? ଝିଅ ବେଶି ଦିନ ଘରେ ରହିଲେ ଅଡୁଆ, ଘିଅ ବେଶି ଦିନ ରହିଲେ କଡୁଆଟି ! --- ଏହିପରି କେତେ ଲୋକ କେତେ ମନ୍ତବ୍ୟ ସବୁ ଦିଅନ୍ତି । ନିରୁ ସେମାନଙ୍କ ଚର୍ଚ୍ଚାର ବିଷୟ ହୋଇପଡେ । ଗାଁଟା ଯାକର ଟୋକାଏ ବହୁଦିନ ଧରି ନିରୁକୁ ଲୋଭିଲା ଦୃଷ୍ଟିରେ ଚାହିଁ ରହିଥାଆନ୍ତି । ସମସ୍ତଙ୍କ ଆଶା ଥିଲା ନିରୁର ଉଛୁଳା ଯୌବନ ଉପରେ । ମୂରବୀ ନଥିବା ଘରକୁ କାହାର ଅବା ଡର ଥାଏ ! ନିରୁ ଭୁବନେଶ୍ବରରେ ଚାକିରୀ ପାଇ ପଳେଇଲା ପରେ ସବୁ ଟୋକାଏ ନିଜ ନିଜର ପ୍ରେମର ପସରା ଉପରେ ଘୋଡଣି ପକେଇ ରଖି ଦେଲେ । ନିରୁ ଜାଣେ ଏସବୁ ପାଇଁ ତା' ବୋଉ ସବୁଠାରୁ ବେଶି ମନ କଷ୍ଟ କରେ । କୋହ ଅସମ୍ଭାଳ ହେଲେ ବୋଉ ମଝିରେ ମଝିରେ ଚିଡି ଉଠେ -- ଲୋକେ କଣ କହୁଛନ୍ତି ତୋ କାନକୁ ଟିକିଏ ଶୁଭୁନାହିଁ ? ଏତେବଡ ଝିଅଟେ ହେଲୁଣି ; ସବୁବେଳେ ପିଲାଳିଆମିରେ ମାତିଛୁ । ବାହାଘର କଥା ଯେତେବେଳେ କହିଲେ ମୋ ଉପରେ ଗରମ ଖାଉଛୁ । ସମସ୍ତଙ୍କ ଆଖି କଣ ସମାନ ? ତୋର କଣ ପୋଡି ଯାଉଛି ଯେ ! ସେଇ ତୋ ବାପ ନାଁକୁ ଯୋଡି ଯୋଉ ଅପବାଦ ଲୋକେ ଦଉଚନ୍ତି ସେକଥା ତୋ କାନରେ କାହିଁକି ପଡିବ ? ମୁଁ ଏ ଦୁନିଆରେ କାହିଁକି ଯେ ବଞ୍ଚିଛି ଲୋ ମାଆ......... ବାସ୍ ଆରମ୍ଭ ହେଇଯାଏ ବୋଉର ନାକକାନ୍ଦଣା । ଲୁଗାକାନିରେ ଲୁହପୋଛିବା ପର୍ଯ୍ୟନ୍ତ କଥା ଯାଏ । ବୋଉ ଜାଣେ ନିରୂ ବାହାହେଇ ଚାଲିଗଲେ ବୋଉ ବେସହାରା ହେଇଯିବ ; ତଥାପି ସେ ସ୍ୱାର୍ଥପର ହୋଇ ପାରେନାହିଁ । ମନେ ମନେ କେତେଆଡୁ କେତେ ପ୍ରସ୍ତାବ ଖୋଜିବୁଲେ । ହେଲେ ନିରୂର କି ଗରଜ ପଡିଛି ଯେ କୋଉ ପର ପୁରୁଷକୁ ବାହା ହବ ! ସାହି ପଡିଶା ଗାଁ ଲୋକେ ଯୋଉମାନେ ବାହାରୋଷଣି, ମାଇକ୍ ଶୋଭାଯାତ୍ରା ଦେଖି ଖୁସି ହେଉ ଥାଆନ୍ତି , ସେଇମାନେ ପୁଣି ନାକରେ କାଠି ଦେଇ ହସନ୍ତି ବାହାଘର ପରେ ଯେତେବେଳେ ଦମ୍ପତି ଦ୍ୱୟ ଦୁଃଖ ଦୁର୍ଦ୍ଦିନରେ ଭାସୁ ଥାଆନ୍ତି ।
ଏସବୁ ପରେବି ନିରୁ ହାଡ-ମାଂସରେ ତିଆରି ମଣିଷଟିଏ , ଯୁବତୀଟିଏ । ତାର ରୂପ ଅଛି , ଯୌବନ ଅଛି , ଧନ ମନ ସବୁକିଛି ଅଛି । ସେ ଚାହିଁଲେ ଗୋରାତକତକ ରାଜକୁମାରର ଚେହେରା ଥିବା ଯୁବକଟିଏର ହାତ ଧରି ବାହା ହେଇ ପାରନ୍ତା । ହସଖୁସିର ସଂସାର ଗଢିପାରନ୍ତା । କୁନି ମୁନି ପୁଅ ଝିଅ ଜନ୍ମ କରି ଗେଲ କରନ୍ତା । ସ୍କୁଲ ପଠାନ୍ତା ; ସ୍କୁଲକୁ ଗଲା ବେଳେ ତାଙ୍କ ଗାଲରେ ଚୁମା ଦେଇ ହାତ ହଲାଇ ବାଏ ବାଏ କରନ୍ତା.... । ଧ୍ୟାତ୍...ଏସବୁ ସେ କଣ ଭାବିଯାଉଛି ! ନିରୁକୁ ଲାଜ ମାଡିଲା । ମନେ ମନେ ହସି ଦେଲା ।ସତରେ କଣ ନିରୂ ସୁନ୍ଦରୀଟିଏ ! ତାର ରୂପ ଯୌବନ ଅନ୍ୟ ମନରେ ରୋମାଞ୍ଚ ଆଣିପାରେ ! ତା ପ୍ରତି ଯୁବକଟିଏ ଆକୃଷ୍ଟ ହୋଇପାରେ ! ଏକଥା ସେ ଭଲଭାବରେ ଅନୁଭବ କଲା ସେଦିନ ତା' ଅଫିସରେ ସେକ୍ସନ୍ ଅଫିସର ସନ୍ଦୀପବାବୁଙ୍କ ଲୋଭାତୁର ଚାହାଁଣି ଓ ରସିକିଆ କଥାବାର୍ତ୍ତାରୁ । ଆଉ କିଏ ହେଇଥିଲେ ନିରୁ ହୁଏତ ତାର ସିଧାସଳଖ ଜବାବ ଦେଇ ପାରି ଥାଆନ୍ତା, କିନ୍ତୁ ଖୋଦ୍ ସନ୍ଦୀପ ବାବୁ ଯେ କି ନିରୁ ଡିପାର୍ଟମେଣ୍ଟରେ ପାଦ ଦେବାଠାରୁ ଆଜି ପର୍ଯ୍ୟନ୍ତ ତାକୁ ସମ୍ପୂର୍ଣ୍ଣ ରୂପେ ଗାଇଡେନସ୍ ଦେଇ ଆସିଛନ୍ତି, ତାଙ୍କୁ କିଛି କହିବାକୁ ବିବେକ ବାଧାଦେଲା । କିନ୍ତୁ ସନ୍ଦୀପ ବାବୁଙ୍କ ବିବେକ କେମିତି ବାଧା ଦେଲାନି ଗୋଟିଏ ସାନ ଭଉଣୀକୁ ଅନ୍ୟ ଚକ୍ଷୁରେ ଦେଖିଲା ସମୟରେ ! ଜଏନ୍ କରିବା ପରେ ବର୍ଷେ ପାଖାପାଖି ସବୁ ଠିକଠାକ୍ ଚାଲିଥିଲା । ୟା' ଭିତରେ ଅଫିସରେ ଦୁଇ ତିନି ଜଣ ସିନିୟର୍ ସନ୍ଦୀପ ବାବୁଙ୍କର ମନ କଥାଟା ନିରୁକୁ ଜଣେଇ ମଧ୍ୟ ସାରିଥାନ୍ତି । ଖାଲି ନିରୁର ମତାମତକୁ ଅପେକ୍ଷା ଥିଲା । କଥା ଆଗକୁ ବଢେଇବା ପାଇଁ ମଧ୍ୟ ସମସ୍ତେ ଚେଷ୍ଟା କରୁଥିଲେ । ସନ୍ଦୀପବାବୁ ମଧ୍ୟ ଏ ଭିତରେ ରୂପା ଦିଦିଙ୍କ ମାର୍ଫତରେ ନିରୁ ସହିତ ସାମ୍ନାସାମ୍ନି କଥା ହୋଇ କୌଣସି ଗୋଟାଏ ଶେଷ ନିଷ୍ପତ୍ତି ନେଇ ଯିବାକୁ ପ୍ରସ୍ତାବ ଦେଇଥିଲେ । ବହୁତ କଷ୍ଟରେ ନିରୂ ଶେଷରେ ରାଜି ହୋଇଥିଲା ସନ୍ଦୀପ ବାବୁଙ୍କ ସହିତ ସୋ କଲଡ୍ ସାକ୍ଷାତକାରରେ ଭାଗ ନେବାପାଇଁ ।
ସେଦିନଟି ଥିଲା ରବିବାର । ସନ୍ଦୀପ ବାବୁ ପୂର୍ବ ନିଷ୍ପତ୍ତି ଅନୁସାରେ ନିରୂର ସରକାରୀ କ୍ୱାର୍ଟାରକୁ ବାହାରି ପଡିଲେ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ଶେଷ ସମାଧାନର ସୂତ୍ର ବାହାର କରିବା ଉଦ୍ଦେଶ୍ୟରେ । ନିରୂ ଗତାନୁଗତିକ ଭାବରେ ନିଜର ନିତିଦିନିଆ ପୋଷାକ ପିନ୍ଧି ସନ୍ଦୀପ ବାବୁଙ୍କୁ ଅପେକ୍ଷା କରିଥାଏ । ରୂପସଜ୍ଜା , ଗୃହସଜ୍ଜା , ଖାଦ୍ୟପେୟ ଆଦିରେ କିଛି ବି ସ୍ୱାତନ୍ତ୍ର୍ୟ ନଥିଲା । କାହିଁକି ବା ରୁହନ୍ତା ! ସନ୍ଦୀପବାବୁ ନିରୂର କୋଉ ପସନ୍ଦଯୋଗ୍ୟ ଲୋକ ଯେ ତାଙ୍କପାଇଁ ସବୁକଥାରେ ଗୁରୁତ୍ବ ଦେଇଥାଆନ୍ତା ! ସନ୍ଦୀପ ବାବୁ ଆସିଲେ । ନିରୂ ନିଜର ବୈଠକ ଘରେ ସନ୍ଦୀପ ବାବୁଙ୍କୁ ବସିବାକୁ ଚୌକି ଅଫର କରି ଚା' ପରଶି ନିଜେ ମଧ୍ୟ ସାମ୍ନାରେ ବସିଲା । ବସୁ ବସୁ ନିରୂ ଆରମ୍ଭ କରିଦେଲା --
--- ଆପଣ ଆଜି ଯାହା କିଛି ପଚାରିବେ ମୁଁ ହୁଏତ ଜାଣିଛି । କାରଣ ଅଧିକାଂଶ ପୁରୁଷ ବିବାହପୂର୍ବ କନ୍ୟାଦେଖା ସମୟରେ ସେୟା ହିଁ ପଚାରନ୍ତି । ଏ ସମାଜଟା ପୁରୁଷସର୍ବସ୍ୱ ନୁହେଁ କି ? ତା' ନହେଲେ 'କନ୍ୟାଦେଖା'ରେ ପୁରୁଷଟି ନିଜେ ଆସୁଥିବା ବେଳେ 'ବରଦେଖା' ପାଇଁ ଝିଅଟିଏ ନିଜେ କଣ ପାଇଁ ଯାଇପାରେ ନାହିଁ ? ପ୍ରଥମରୁ ସନ୍ଦୀପ ବାବୁ ଅପ୍ରସ୍ତୁତ ହୋଇପଡିଲେ । ନିରୂପମା କଥାଟାକୁ ଏମିତି ଢଙ୍ଗରେ ଆରମ୍ଭ କରିବ ବୋଲି ସେ ଭାବି ନଥିଲେ । ନିଜକୁ ଯଥା ସମ୍ଭବ ଖାପ ଖୁଏଇ ନେଇ ନିରୂ ସହ ଆଗକୁ ଆଗକୁ ଆଲୋଚନାରେ ଭାଗନେଲେ ।
ନିରୂ ପୁଣି ଆରମ୍ଭ କଲା -- ଦେଖନ୍ତୁ ସାର୍ , ଆମେ ଗୋଟାଏ କାମ କଲେ କିପରି ହୁଅନ୍ତା ! ସବୁ କନ୍ୟାଦେଖା ସାକ୍ଷାତକାରରେ ଝିଅକୁ ବରପକ୍ଷ ଯାବତୀୟ ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରି ପକାନ୍ତି । କିନ୍ତୁ ମୋର କାହିଁକି ଇଚ୍ଛା ହେଉଛି ଆପଣଙ୍କ ପରିବର୍ତ୍ତେ ମୁଁ ମୋ ଆଡୁ ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରନ୍ତି । ଅବଶ୍ୟ ମୁଁ ସେ ଆଈମାଆ କାହାଣୀର ରାଜକୁମାରୀ ନୁହେଁ ,କିମ୍ବା ଆପଣ ବି ରାଜକୁମାର ନୁହଁନ୍ତି ଯେ ସ୍ୱୟମ୍ବରରେ ମୋର ତିନୋଟି ପ୍ରଶ୍ନର ଉତ୍ତର ଦେଇ ନପାରିଲେ ଆପଣ ପରାଜିତ ହୋଇ ଫେରିଯିବେ । ତେବେ ଆପଣ ରାଜି ତ ? ନିରୂ ମୁହଁରେ ସ୍ମିତହାସ୍ୟ । ସନ୍ଦୀପ ବାବୁ ସଙ୍କୁଚିତ ହୋଇ ଯାଉଥିବାର ଅନୁଭବ କଲେ । ହେଲେ ବି ମନର ଭାଷାକୁ ନିରୂକୁ ପଢିବାକୁ ନଦେଇ ସଦର୍ପରେ ହଁ ଭରିଲେ । ନିରୂ ଆରମ୍ଭ କଲା-- ବିବାହ ଠିକ୍ ହୋଇଗଲେ ଆପଣ ଏବଂ ଆପଣଙ୍କ ଘର ତରଫରୁ ଯୌତୁକ ଦାବି କରିବେ କି ନାହିଁ ?
ନିରୂର ଏଇ ଦୁର୍ବଳତା ପ୍ରତି ସନ୍ଦୀପ ବାବୁ ଆଗରୁ ସଚେତନ ଥିଲେ ; ଆଉ ତା' ପାଇଁ ଗୋଟେ ସିଧାସଳଖ ଉତ୍ତର ମଧ୍ୟ ଯୋଗାଡ କରି ରଖିଥିଲେ । ସୁତରାଂ ନିରୂର ପ୍ରଶ୍ନ ସରିବା ମାତ୍ରେ ରୋକଠକ୍ ଉତ୍ତର ରଖିଥିଲେ --
--- ଯେଉଁମାନେ ବିବାହ ପୂର୍ବରୁ ସିଧାସଳଖ କନ୍ୟାପକ୍ଷଠାରୁ ଯୌତୁକ ଦାବି କରନ୍ତି ସେମାନେ ନିର୍ଲଜ୍ଜ । ଆଉ ଯୋଉମାନେ ସିଧାସଳଖ ଦାବି କରିନପାରି ମଧ୍ୟସ୍ଥି ମାଧ୍ୟମରେ ଦାବି କରନ୍ତି ଏବଂ ଦାବି କରାଯାଇଥିବା ଯୌତୁକ କନ୍ୟାପକ୍ଷ ଦେବାରେ ଅସାମର୍ଥ୍ୟ ପ୍ରକାଶ କରିବାରୁ ସମ୍ପର୍କ କଟିଯାଏ , ସେମାନେ ଅତି ନିର୍ଲଜ୍ଜ । ଏଦୁହିଁଙ୍କ ମଝାମଝି ଆଉ ଗୋଟେ ପ୍ରକାର ଲୋକ ଅଛନ୍ତି, ଯୋଉମାନେ କନ୍ୟା ପସନ୍ଦ ହୋଇଥିବାରୁ ଗୋଟେପଟେ ସୁଯୋଗ ହାତଛଡା କରିବାକୁ ଚାହାଁନ୍ତିନି , ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଟଙ୍କାର ଯୌତୁକ ହାତଛଡା ହୋଇ ଯାଉଥିବାର କାରୁଣ୍ୟତା ଭିତରେ ପଡି ଛଟପଟ ହେଉଥା'ନ୍ତି ।
--- ଆପଣଙ୍କ କ୍ୟାଟେଗୋରୀ ଏଥିରୁ ସ୍ପଷ୍ଟ ହେଲାନାହିଁ । ମୋ ହିସାବରେ ସେମାନଙ୍କ ବ୍ୟତୀତ ଆଉ ଏକ ପ୍ରକାର ବିଚିତ୍ର ବ୍ୟକ୍ତି ଅଛନ୍ତି , ଯୋଉମାନେ ବିବାହ ପୂର୍ବରୁ ମୁଖଲଜ୍ଜାରୁ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ଯୌତୁକ ଦାବି କରି ପାରନ୍ତି ନାହିଁ ଅଥଚ ଯୌତୁକ ଲାଳସାର ବହ୍ନି ସେମାନଙ୍କ ମନ ଭିତରେ କୁହୁଳୁଥାଏ , ଯାହାର ଲେଲିହାନ ଶିଖା ବିଚାରୀ ନବବଧୂଟିର ସର୍ବାଙ୍ଗକୁ ତିଳ ତିଳ କରି ଆଜୀବନ ଜାଳିପୋଡି ପାଉଁଶ କରିପକାଏ ।
-- ମୁଁ ଏଥିରୁ କୌଣସି କ୍ୟାଟେଗୋରୀ ଭିତରେ ଯାଏନା । ମୁଁ ସେ ସବୁର ଊର୍ଦ୍ଧ୍ୱରେ । ଆମର କଣ ନାହିଁ ! ମାସକୁ ପଚାଶ ହଜାର ଦରମା, ଘରେ ଆମର ସମ୍ପୂର୍ଣ୍ଣ ଆଭିଜାତ୍ୟ । ବାପା ଚିଫ୍ ଇଞ୍ଜିନିୟରରେ ଅବସର ନେଇଛନ୍ତି, ମା' ମଧ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ଆଉ ଶୁଣିବେ ?
-- ଥାଉ । ମୋର ଦ୍ବିତୀୟ ପ୍ରଶ୍ନ ଶୁଣନ୍ତୁ । ଆପଣଙ୍କର ବୟସ ହୁଏତ ବୟାଳିଶି ପାଖାପାଖି ।
-- ଚାଳିଶି ବର୍ଷ ଆଠମାସ ।
--- ଏପର୍ଯ୍ୟନ୍ତ ବାହା ନହେବାର କାରଣ ! !
-- ଜଣେ ପୁରୁଷ ଠିକ୍ ସମୟରେ ବାହା ନହୋଇ ପାରିବାର ଶହ ଶହ କାରଣ ଥାଇପାରେ । ଯେମିତିକି ମନ ପସନ୍ଦର ଝିଅ ନମିଳିବା , ପରିବାରର ଚାପ , ନିଜର ପ୍ରେମିକା ଧୋକା ଦେଇ ଅନ୍ୟତ୍ର ବିବାହ କରିଯିବା ପରର ଗ୍ଳାନି, ପସନ୍ଦ ହୋଇଥିବା ଝିଅଟି ପୁଅଟିକୁ ପସନ୍ଦ ନକରିବା , ଜାତକ ମେଳ ନଖାଇବା ....
-- ଥାଉ ଥାଉ । ଆପଣଙ୍କ ପାଇଁ ୟାଭିତରୁ କୋଉ କାରଣଟା ପ୍ରଯୁଜ୍ୟ ?
--- ଆପଣଙ୍କ ମନସ୍ତତ୍ବ କହୁଛି ଆପଣ ମୋ ଉତ୍ତରରେ ସନ୍ତୁଷ୍ଟ ହୋଇ ନପାରନ୍ତି ।
-- ସତଭଳି ଲାଗିଲେ କଣ ପାଇଁ ବିଶ୍ୱାସ ନକରିବି ?
-- ଆପଣ ମୋ ବିବାହ ପ୍ରସ୍ତାବରେ ମୋଟେ ରାଜି ନାହାଁନ୍ତି ମୁଁ ଜାଣେ । ଆମ ଭିତରେ ଆଜିର ଏ କଥୋପକଥନ ପରେ ମଧ୍ୟ ମୁଁ ଆପଣଙ୍କୁ ଏ ପ୍ରସ୍ତାବରେ ରାଜି କରେଇ ପାରିବି ବୋଲି ମୋର ବିଶ୍ୱାସ ନାହିଁ । କିନ୍ତୁ ମୁଁ ଆପଣଙ୍କୁ, ତଥା ଆପଣଙ୍କ ବ୍ୟକ୍ତିତ୍ୱକୁ ଭଲଭାବରେ ଚିହ୍ନି ପାରିଛି । ମୋତେ ଉପରେ ଦେଖି ଆପଣ ଯେଉଁ ଧାରଣାରେ ଉପନୀତ ହୋଇଛନ୍ତି, ମୋର ଭିତରେ ହୁଏତ ଅନ୍ୟ ପ୍ରକାରର । ମୁଁ ଉପରେ ପଡି ଆପଣଙ୍କୁ ପ୍ରସ୍ତାବ ଦେଇଥିବାରୁ ମୁଁ ଆପଣଙ୍କ ଉପର ଅଫିସର୍ ବୋଲି ବାଧ୍ୟହୋଇ ଜଷ୍ଟ୍ ଗୋଟାଏ ସୌଜନ୍ୟ ମୂଳକ ସାକ୍ଷାତକାର ଚାଲିଛି, ଏହା ବି ସତ୍ୟ ।
ନିରୂର ମୁହଁରେ ପରିବର୍ତ୍ତନର ଢେଉ ଖେଳିଆସୁଥିଲା । ଧୀରେ ଧୀରେ ସେ ସନ୍ଦୀପ ବାବୁଙ୍କର କଥାକୁ କାହିଁକି କେଜାଣି ବିଶ୍ୱାସ କରିବାକୁ ଆରମ୍ଭ କରୁଥିଲା । ୟାର ବାସ୍ନା ମଧ୍ୟ ନିରୂ ପାଇ ପାରିଥିଲା ଏବଂ ଭାବୁଥିଲା-- ସନ୍ଦୀପ ବାବୁ ମୋତେ ଇମୋଶନଲୀ ଟ୍ରାପ୍ କରିବାକୁ ନିଶ୍ଚୟ ଚେଷ୍ଟା କରୁଛନ୍ତି । ସନ୍ଦୀପବାବୁ ପୁଣି କହି ଚାଲିଥିଲେ--
-- ଏପର୍ଯ୍ୟନ୍ତ ଆପଣ ମୋଠୁଁ ଯଥାର୍ଥ ଉତ୍ତର ପାଇ ପାରୁନଥିବାରୁ ବ୍ୟସ୍ତ ହେଉଛନ୍ତି ନିଶ୍ଚିତ । ତେବେ ଶୁଣନ୍ତୁ , ମୁଁ ଏପର୍ଯ୍ୟନ୍ତ ବାହା ହୋଇ ନ ପାରିବାର କାରଣ -- ନାରୀ ଆଖିର ଅଶ୍ରୁ ।
-- ବୁଝି ପାରିଲିନି .....
-- ମୁଁ ତିନିଚାରି ଜଣ ସାଙ୍ଗଙ୍କ ବାହାଘର ବରଯାତ୍ରୀରେ ଯୋଗ ଦେଇଛି । କନ୍ୟା ବିଦାୟ ବେଳର ସେ ହୃଦୟ ବିଦାରକ ଅଭୁଲା ଦୃଶ୍ୟ ଦେଖିଲେ ମୋ ଆଖିରୁ ବି ପାଣି ନିଗିଡି ପଡେ । ସତରେ କନ୍ୟା 'ଦୁହିତା' ଅଟେ । ଝିଅଟିଏର ଅଶ୍ରୁର ମୂଲ୍ୟ ହୀରା-ନୀଳା -ମୋତି-ମାଣିକ୍ୟ ଠାରୁ ଯଥେଷ୍ଟ ଗୁଣରେ ଅଧିକ ବୋଲି ମୁଁ ଭାବେ । ଏ ସମାଜରେ ଝିଅଟିଏ ଜନ୍ମ ହେଲା ମାତ୍ରେ କାହିଁକି କେଜାଣି ଆଜିବି ଏକପ୍ରକାର ଘୃଣାର ବାତାବରଣ ସୃଷ୍ଟି ହୋଇପଡେ !
ଜେଜେବାପା-ଜେଜେମାଆ -- " କଣ ଆଉ ହେଇଥାଆନ୍ତା ! ନାତୁଣୀଟିଏ ହେଲା ମ !" ବାପା --" ଆଇ ଆମ୍ ଅନଫରଟୁନେଟ୍ , ଝିଅଟିଏ ହେଲା ।" ଡାକ୍ତର, ନର୍ସ୍ , ହସ୍ପିଟାଲରେ ଉପସ୍ଥିତ ଅନ୍ୟ ଷ୍ଟାଫମାନେ " କଙ୍ଗରାଚୁଲେସନସ୍ , ଲକ୍ଷ୍ମୀ ଆସିଛନ୍ତି " କହିଲା ବେଳେ କିନ୍ତୁ ପୁଅଟିଏ ହବାର ଖୁସିଠାରୁ କମ୍ ଉଦ୍ଦୀପନା ଭରିଥାଏ ସେ ଭାଷାରେ । ପ୍ରକୃତରେ ଝିଅଟିକୁ ଜନ୍ମପୂର୍ବରୁ ମଧ୍ୟ କେହି ଚାହିଁ ନଥାନ୍ତି । ଗର୍ଭାବସ୍ଥାରେ ଥିଲା ବେଳେ ବିଭିନ୍ନ ପୂଜାପାଠ କରିବା ସମୟରେ ମାଆଟି ଉଦ୍ଦେଶ୍ୟରେ "ପୁତ୍ରବତୀ ଭବ" ଶବ୍ଦଟା କେତେ ସହଜରେ ବାହାରି ନଆସେ ସତେ ! ତଥାପି ଝିଅଟିଏ ଘରୁ ବିଦା ବେଳେ ଉପସ୍ଥିତ ଶୁଭାକାଂକ୍ଷୀ , ଆତ୍ମୀୟ ସ୍ୱଜନ , ସାଙ୍ଗସାଥୀ, ସାହିପଡିଶା , ସର୍ବୋପରି ବାପା-ମାଆ କାହିଁକି ଲୁହ ଗଡେଇ ଥା'ନ୍ତି ! ପ୍ରକୃତରେ ଝିଅ ଜନ୍ମ ହେଲାଠାରୁ ବାହା ହେଲା ପର୍ଯ୍ୟନ୍ତ ଯେତିକି ଦିନ ବାପଘରେ ଥାଏ ତା'ର ସୁବାସରେ ସମସ୍ତଙ୍କୁ ପୁଲକିତ କରିଥାଏ । ନାରୀ ହେଉଛି 'ଶୃଙ୍ଖଳା'ର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶୃଙ୍ଖଳିତ ଜୀବନ ବିତେଇବାକୁ ନାରୀ ହିଁ ଶିକ୍ଷା ଦେଇଥାଏ । ମଣିଷକୁ ଭଲ ବ୍ୟବହାର, ସ୍ନେହ, ମମତା, ଭଲପାଇବା , ଗୁରୁଜନଙ୍କୁ ଭକ୍ତି, ସଂସ୍କାର, ଅନ୍ୟର ସେବା, ଅତିଥି ସତ୍କାର, ମିତବ୍ୟୟିତା , ଈଶ୍ବର ଭକ୍ତି, ସମୟାନୁବର୍ତ୍ତିତା ଆଦି ସମସ୍ତ ପ୍ରକାର ସକାରାତ୍ମକ ଗୁଣ ଜଣେ 'ନାରୀ' ବା ଜନନୀ ହିଁ ଦେଇଥାଏ । ଏକଥା ଝିଅଟିଏ ଘରୁ ଗୋଡ କାଢି ସବୁଦିନ ପାଇଁ ଚାଲିଯିବା ସମୟରେ ସମସ୍ତେ ଉପଲବ୍ଧି କରୁଥିବାରୁ ସମସ୍ତଙ୍କ ଆଖିରେ ଲୁହ ଆସିଥାଏ । ଆଉ ମୁଁ ବି ସେମାନଙ୍କ ଭିତରୁ ଜଣେ । ନାରୀ ଆଖିରେ ଲୁହ ଦେଖିଲେ ମୋର ଭାବାବେଗ ଅସମ୍ଭାଳ ହୋଇପଡେ । ଆଉ ସେଇଥିପାଇଁ ମୁଁ କୌଣସି ବାହାଘରରେ ଯୋଗଦାନ ଦେଲେ ବି ଝିଅବିଦା ବେଳେ ଅନୁପସ୍ଥିତ ଥାଏ .. l
ନିରୂ ବହୁତ କଷ୍ଟରେ ନିଜର ବାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟାକଲେ ବି ପାରୁନଥିଲା । ଆଖି ପତା ଓଦା ହୋଇ ଆସୁଥିଲା । ତା' ଅଜାଣତରେ ସନ୍ଦୀପ ବାବୁଙ୍କର ବ୍ୟକ୍ତିତ୍ୱ ପ୍ରତି ସମ୍ମାନ ଆସିବାକୁ ଲାଗିଥିଲା । ସନ୍ଦୀପ ବାବୁ କହି ଚାଲିଥିଲେ ---.ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପଦଚାରଣ କରିବା ଆଗରୁ ମୁଁ ଆପଣଙ୍କ ଘରର ଷ୍ଟାଟସ୍ ତଥା ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କିଛି ତଥ୍ୟ ପାଇସାରିଛି । ମୁଁ ଏମିତି ଜଣେ ବ୍ୟକ୍ତିତ୍ୱର ଅନୁସନ୍ଧାନରେ ଥିଲି , ଯୋଉଥି ପାଇଁକି ଜୀବନର ଅଧାରୁ ଅଧିକ ବୟସ ପଛରେ ଫୋପାଡି ଦେଇଆସିଛି , ସେହି ବ୍ୟକ୍ତିର ସନ୍ଧାନ ମୁଁ ଆଜି ପାଇ ପାରିଛି । ଆପଣ ବି ଆଜିପର୍ଯ୍ୟନ୍ତ ବାହା ନହେବାର ବିଭିନ୍ନ କାରଣ ଭିତରୁ ମୁଁ ଭାବୁଚି "ଝିଅଟିଏ" ହିଁ ମୁଖ୍ୟ କାରଣ । ଆପଣ ଜଣେ ଆଦର୍ଶ ଝିଅ ହୋଇଥିବାରୁ ଆପଣ ନିଜ ଜୀବନ ଯୌବନକୁ ଗୁରୁତ୍ବୁ ନଦେଇ ବିଧବା ମାଆଙ୍କୁ ଛାଡି ପରପୂରୁଷର ହାତ ଧରି ଯାଉନାହାନ୍ତି । ଗରିବ ପରିବାରରେ ସାଧାରଣତଃ ଝିଅମାନଙ୍କୁ ପାଠପଢାରୁ ବଞ୍ଚିତ କରୁଥିଲା ବେଳେ ଆପଣ ସେଭଳି ପରିବାର ପାଇଁ ଏକ ମଡେଲ୍ ବା ଆଦର୍ଏଶ ହୋଇ ବାହାରିଛନ୍ତି । ଆପଣ ଶିକ୍ଷାର ମର୍ଯ୍ୟାଦା ବେଶ୍ ରଖି ପାରିଛନ୍ତି । ସବୁ ତ୍ପୁଅ-ଝିଅମାନେ ଆପଣଙ୍କ ଆଦର୍ଶକୁ ଅନୁସରଣ କରନ୍ତେ କି !
-- ଆପଣ ବାହା ହୋଇ ବିଦା ହେଉଥିବା ନାରୀର ଲୁହରେ ବ୍ୟତିବ୍ୟସ୍ତ ହୁଅନ୍ତି । ମୋ ଆଖିରୁ ବି ଲୁହ ଗଡିବ । ମୋର ବିଦାୟରେ କେବଳ ମୋ ମାଆ କାହିଁକି, ମୋ ଗାଁର କୁନିମୁନି ପିଲାମାନେ, ଗାଁ ସାରାର ଭାଉଜମାନେ ସମସ୍ତେ ଲୁହ ଗଡାଇବେ । ମୋ ଅବର୍ତ୍ତମାନରେ ଆମ ଘର କେମିତି ଚଳିବ ? ମୋ ମାଆ ସମ୍ପୂର୍ଣ୍ଣ ଏକୁଟିଆ ତଥା ଅବହେଳିତ ହୋଇଯିବ । ତାର ଅବଶିଷ୍ଟ ଜୀବନର ଦାୟିତ୍ବ ନେବାକୁ କେହି ନାହାଁନ୍ତି ଯେ !
--- ସବୁ ଝିଅଙ୍କର ଭାବନା ଏୟା ହିଁ ହୋଇଥାଏ । କିନ୍ତୁ ସବୁ ପୁଅଙ୍କ ମନରେ ଏଇ ସମାନ ଭାବ ଉଦ୍ରେକ ହୁଏ ନାହିଁ କଣ ପାଇଁ ? ଝିଅଟିଏ ଶ୍ୱଶୁର ଘରକୁ ଗଲେ ମଧ୍ୟ ତା ବାପା-ମାଆଙ୍କୁ ସେଇ ସମାନ ସମ୍ମାନ ଦେଇଥାଏ । ସେଥିରେ କେବେ ଊଣା କରେନାହିଁ । କିନ୍ତୁ ସମାଜରେ ଅଧିକାଂଶ ପୁଅ କାହିଁକି ବାହା ହେଲା ପରେ ପରିବର୍ତ୍ତନ ହୋଇଯାଆନ୍ତି ? ଆଉ ଏସବୁ ସବୁ ବାପା-ମାଆ , ସମାଜର ସବୁ ବର୍ଗର ଲୋକେ ଜାଣି ମଧ୍ୟ ସରକାରଙ୍କ ବେଟି ବଚାଓ ନାରା ପ୍ରତି ଏତେ ବିତସ୍ପୃହ କାହିଁକି ? ଦିନ ଦ୍ବିପ୍ରହରରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରି କନ୍ୟା ସନ୍ତାନମାନଙ୍କୁ ଡଷ୍ଟବିନର ପୂତିମୟ ପରିବେଶରେ ଫୋପାଡି ଦେଇ ଗୋଟେ କାଳଗ୍ରହ ତୁଟିଗଲା ଭାବି ହଜାର ହଜାର ରାକ୍ଷସ ଦମ୍ପତି ଭୃଣହତ୍ୟା ଭଳି ମହାପାପ କରିଚାଲିଛନ୍ତି । ସେମାନେ ଭାବୁନାହାଁନ୍ତି ସେମାନଙ୍କୁ ଏ ସୁନ୍ଦର ପୃଥିବୀରେ ଅସ୍ତିତ୍ଵ ଟିକକ କିଏ ଦେଇଛି ! ସେଇ ନାରୀ ପେଟରୁ ଜନ୍ମ ହୋଇ ସେମାନେ ନାରୀକୁ ହିଁ ବଧ କରୁଛନ୍ତି-- ନରଟିଏର ଆଶାରେ । ଏହାଠାରୁ ବଳି ଦୁଃଖର କଥା ଆଉ କଣ ଥାଇପାରେ !
ନିରୂପମା ଅନୁଭବ କରୁଥିଲା -- ସନ୍ଦୀପ ବାବୁ ତା ମନରେ ଯେଉଁ ସୁସ୍ଥ ଧାରଣା ସୃଷ୍ଟି କରିବାକୁ ସଂକଳ୍ପ ନେଇ ଆସିଥିଲେ ସେଥିରେ ସେ ସଫଳ ହୋଇଛନ୍ତି । ନାରୀଙ୍କୁ ପ୍ରକୃତ ସମ୍ମାନ ଦେଇ ପାରୁଥିବା ପୁରୁଷ ହିଁ ସବୁ ନାରୀଙ୍କର କାମ୍ୟ ହେବା ଚାହି । ଆଉ ମଧ୍ୟ ଆଜିର ଏ ବିସ୍ତୃତ କଥୋପକଥନରୁ ସେ ଶିଖି ପାରିଥିଲା ପୁରୁଷର ବହିଃ ସଂଜ୍ଞା ଭିତରକୁ ପଶି ଖୋଜିଲେ କିଛି କିଛି ପୁରୁଷଙ୍କ କ୍ଷେତ୍ରରେ ଅନ୍ତଃସଂଜ୍ଞା କିଛି ଭିନ୍ନ ପ୍ରକାରର ମିଳିଥାଏ ଏବଂ ସେଥିପାଇଁ ଦରକାର ନାରୀର ବ୍ୟକ୍ତିଗତ ଦୂରଦୃଷ୍ଟିର ସ୍ୱଚ୍ଛ ଲେନସ୍ ।
ଏ ସି ପି ( ନିରାପତ୍ତା )
ପୋଲିସ କମିଶନରେଟ ମୁଖ୍ୟାଳୟ
ଭୁବନେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।