4/09/2019

ଆନ୍ତର୍ଜାତୀୟ ମହିଳା ଦିବସର ଅଭିନନ୍ଦନ

ସସ୍ମିତା ରାଉତ 

   ଆଜି ସବୁଆଡେ ଆନ୍ତର୍ଜାତିକ ମହିଳା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ମାନ ଦେଖି ,ଅଜବ ପ୍ରଶ୍ନଟିଏ ଉଙ୍କି ମାରିଥିଲା । ଆଜି ସାରା ବିଶ୍ବରେ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଦିବସର ଆବଶ୍ୟକତା କାହିଁକି ? ଆମ ଭାରତ ବର୍ଷରେ ମୁଖ୍ୟତଃ ନାରୀ ସଶକ୍ତିକରଣ ତଥା ସ୍ବାଧୀନତା ଉପରେ ଗୁରୁତ୍ୱ ଦିଆଯାଉଛି,ଯେବେକି କୋଉ କାଳରୁ ନାରୀକୁ ଆଦିଶକ୍ତି ଭାବରେ ପୂଜା କରାଯାଉଛି ।

  ଆମ ପୁରାଣ କହୁଛି "ଯତ୍ର ନାର୍ଯ୍ୟେଷୁ ପୂଜ୍ୟତେ, ରମ୍ୟନ୍ତେ ତତ୍ର ଦେବତାଃ" । ତିନି ଦେବୀଙ୍କୁ ମୁଖ୍ୟ ଭାବରେ ଦର୍ଶାଇ ଯଥେଷ୍ଟ ସମ୍ମାନ ଦିଆଯାଇଛି । ପାର୍ବତୀ ଶକ୍ତିର,ଲକ୍ଷ୍ମୀ ଧନର, ସରସ୍ବତୀ ବିଦ୍ୟାର ପ୍ରତୀକ । ଶକ୍ତି, ଧନ,ବିଦ୍ୟା, ସମାଜ ଗଠନ ଓ ପରିଚାଳନାର ମୁଖ୍ୟ ସ୍ରୋତ । ଇଏ ତ ଗଲା ପୌରାଣିକ କଥା, ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ନାରୀ ବିନା ସୃଷ୍ଟି ନାହିଁ । ଆମର ମଣିଷ ଶିଶୁଟି ଜନ୍ମ ପୂର୍ବରୁ ନଅ ମାସ ଓ ଜନ୍ମ ପରର ନଅ ମାସ ମା' ରୂପରେ ନାରୀଟିଏ ଉପରେ ନିର୍ଭର କରିଥାଏ । ସାମାଜିକ ଭାବରେ ଦେଖିବାକୁ ଗଲେ ନାରୀର ଆବଶ୍ୟକତା ବହୁତ ଅଧିକ । ଆମ ଦିନ ଚର୍ଯ୍ୟାର ଆରମ୍ଭରୁ ଶେଷ ଯାଏଁ ମା',ଜାୟା, ଭଗିନୀ ରୂପରେ ନାରୀ ଉପରେ ନିର୍ଭର କରିଥାଉ । ଜନ୍ମ ଠାରୁ ବିଦ୍ୟା ଆରମ୍ଭ ପର୍ଯ୍ୟନ୍ତ ମା' ଆମ ପ୍ରଥମ ଶିକ୍ଷା ଗୁରୁ । ଆମେ ତା' ଠାରୁ ହିଁ ଭଲ-ମନ୍ଦ ସବୁ ଶିକ୍ଷା ପାଇଥାଉ । ଆମର ମହାଭାରତରେ ବର୍ଣ୍ଣନା ଅନୁସାରେ ଅଭିମନ୍ୟୁ ତା' ମାଆର ଗର୍ଭରେ ଥାଇ ଚକ୍ରବ୍ଯୁହରେ ପଶିବାର ବିଦ୍ୟା ଶିକ୍ଷା ଲାଭ କରିଥିଲା ।
     
         ଏବେ ମୁଁ ମୋ ମନରେ ଉଙ୍କି ମାରୁଥିବା ପ୍ରଶ୍ନକୁ ଯିବି, ଯା'ର ସମାଧାନ ସନ୍ଧ୍ୟାରେ ଆୟୋଜନ ହୋଇଥିବା ନାରୀ ସଶକ୍ତିକରଣ ସଭାରେ ହୋଇଥିଲା । ସଭାରେ ଆମ ପୁରୁଷ ଅତିଥି ବନ୍ଧୁ ଜଣେ ନିଜ ଭାଷଣରେ ନାରୀ ସଂସ୍କାର, କର୍ତ୍ତବ୍ୟ ଉପରେ କହିବା ସମୟରେ ପ୍ରଶ୍ନଟିଏ ଶ୍ରୋତା ମାନଙ୍କ ଉଦ୍ଦେଶ୍ୟରେ ରଖି ଥିଲେ । ମଞ୍ଚ ସାମ୍ନାରେ ବସିଥିବା ଶ୍ରୋତା ଅଧିକାଂଶ ନାରୀ ଥିଲେ । ଯେହେତୁ ଆଜିର ସଭା ନାରୀ ମାନଙ୍କ ଉଦ୍ଦେଶ୍ୟରେ ଥିଲା ସେଥିପାଇଁ ସେମାନଙ୍କ ସଂଖ୍ୟାଟା ଅଧିକ ଥିଲା । ହଁ ପ୍ରଶ୍ନଟି ଥିଲା ଏହା ଯେ ..... ଅଜିର ସମାଜର ଅବନତି ପାଇଁ ଦାୟୀ କିଏ ?... ନାରୀ ନା ପୁରୁଷ ?     

           ଆଶ୍ଚର୍ଯ୍ୟର କଥା ହେଲା ମଞ୍ଚ ସାମ୍ନାରୁ ଅଧିକାଂଶଙ୍କ ଉତ୍ତର ଥିଲା , ସମାଜ ଅବନତି ପାଇଁ ନାରୀ ଦାୟୀ । ଅବଶ୍ୟ ଆଶ୍ଚର୍ଯ୍ୟ ହବାର କିଛି ନାହିଁ  । କାରଣ କେଉଁ କାଳରୁ ନାରୀ ପୁରୁଷ ସମାଜର ସମସ୍ତ ଦୋଷ , ଆକ୍ଷେପକୁ ମୁଣ୍ଡ ପାତି ସହି ଆସିଛି । କିନ୍ତୁ ଏଠି କଥା ହେଲା ନାରୀ ସଶକ୍ତିକରଣ ହେବା ତଥା ସାମାଜିକ ଓ ଆଇନଗତ ଭାବେ ନାରୀ ସ୍ବୟଂ ସମ୍ପୂର୍ଣ୍ଣା ହେବା କେମିତି ସମ୍ଭବ । ଯେ ପର୍ଯ୍ୟନ୍ତ ନାରୀ ନିଜକୁ ସ୍ବୟଂ ସମ୍ପୂର୍ଣ୍ଣା କରିବାକୁ ଆଗେଇ ନ ଆସିବ, ସେ ପର୍ଯ୍ୟନ୍ତ ଏସବୁ ଦିବସ, ସଭାର ସୁଫଳ ମିଳି ପାରିବ ନାହିଁ ।
ସୋର,ବାଲେଶ୍ବର

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।