4/30/2021

ପଦ୍ମମାଳିର ମହାତ୍ମ୍ୟ

ପଙ୍କଜିନୀ ଭୋଇ 
ମାର୍ଗଶିର ମାସ । ମାଣବସା ଗୁରୁବାର ସମୟ । ବୀଣା ଦିଦି ତ ସେମିତି ବି ମା' ମହାଲକ୍ଷ୍ମୀଙ୍କ ପରମ ଭକ୍ତ । ପ୍ରତି ଗୁରୁବାର ତାଙ୍କ ପାଇଁ ଓଷା ଆଉ ବ୍ରତ । ପ୍ରତି ଗୁରୁବାର କୁ ଉପାସନା କରି ବହୁତ ଭକ୍ତି ର ସହିତ ପୂଜା କରନ୍ତି ଦେବୀ ଲକ୍ଷ୍ମୀ ଆଉ ନାରାୟଣଙ୍କର । ଏବେ ମାଣବସା ଗୁରୁବାରକୁ ଆନନ୍ଦ ଉତ୍ସବ ର ସହିତ ଖିରି ଖେଚୁଡ଼ି ଆଦି କରି ପୂଜା କରୁଛନ୍ତି ସେ । ଦୂରରୁ ସବୁଦିନ ଲକ୍ଷ୍ୟ କରେ ମିକି ଏଇସବୁକୁ । ଦିଦି ସବୁବେଳେ ତାକୁ ଡାକନ୍ତି ପ୍ରସାଦ ଖାଇବାକୁ । ପ୍ରସାଦ ଖାଇବାକୁ ଯାଏ ଆଉ ବୀଣା ଦିଦି ଙ୍କ ଭକ୍ତି ମନୋଭାବ ଶାନ୍ତ ସରଳତା ବ୍ୟବହାର କୁ ଦେଖି ମିକିର ମଧ୍ୟ ମନ ଲାଗିଯାଏ ଭଗବାନ ଙ୍କ ପାଖରେ । ଏଇ ପୂଜା ପାଠ ବାହାନାରେ ଯିବା ଆସିବା ଲାଗି ରହିବା ସହିତ ବୀଣା ଦିଦି ଆଉ ମିକିର ଗୋଟେ ଭଲ ସମ୍ପର୍କ ବି ଗଢି ଉଠିଥିଲା । ସେ ସେମିତି ବି ବହୁତ ସ୍ନେହୀ ଆଉ ପରୋପକାରୀ । କେବେ କେତେବେଳେ ବି କେହି କିଛି ମାଗିଲେ ମନା କରନ୍ତିନି । ମୁକ୍ତ ହସ୍ତରେ ଦେଇଦିଅନ୍ତି ।

ମାଁ ଛେଉଣ୍ଡ ପିଲାଟା ମିକି । ବାପାଙ୍କର ଦ୍ଵିତୀୟ ବିବାହ । କୋଉ ସାବତ ମାଁ ତା ପିଲାକୁ ସ୍ନେହ କରିଚି ଯେ ସେ କରିବ । ସାତ ବରଷର ଝିଅ ମିକି ମୁହଁ ଲୁଚେଇ ଲୁଚେଇ କାନ୍ଦେ ସାନ ମାଁ ର ବ୍ୟବହାର ରେ ଅତିଷ୍ଠ ହେଇ । ବୀଣା ଦିଦି ଙ୍କ ପାଖକୁ ଯାଇ କେବେ କେବେ କୁହେ । ଦିଦି ତାକୁ କିଛି ଖାଇବା ଦେଇଦିଅନ୍ତି । ଖୁସିରେ ଖାଇଦେଇ ଡିଆଁ ଡେଇଁ ହେଇ ପୁଣି କୁଆଡେ ଉଭେଇ ଯାଏ ।


ମିକି ଦିନେ ସଞ୍ଜ ବେଳେ ଦେଖିଲା ସୁନ୍ଦର ସତେଜ ପଦ୍ମ ଫୁଲ ଥୁଆ ହେଇଚି ବୀଣା ଦିଦିଙ୍କ ଘରେ । ତର ତର ହେଇ ଯାଇପଚାରିଲା,
-"ଏଇ ଫୁଲରେ କଣ ହବ ଦିଦି ?"
ହସି ହସି କି ସେ ଉତ୍ତର ଦେଲେ,
-"ଆରେ ହୁଣ୍ଡି, କାଲି ପରା ଗୁରୁବାର, ଏଇ ଫୁଲରେ ମହାଲକ୍ଷ୍ମୀ ଙ୍କର ପୂଜା କରିବି ।"
-"ଏଇ ଫୁଲ କାହିଁକି, ଆଉ ଅଲଗା ଫୁଲରେ କରିବନି ।"
ପଚାରିଲା ମିକି ।
-"ଅଲଗା ଫୁଲ ରେ ବି କରିବି, ହେଲେ ପଦ୍ମ ଫୁଲରେ ପୂଜା କଲେ ମାଁ ଲକ୍ଷ୍ମୀ ବହୁତ ଖୁସି ହୁଅନ୍ତି ।"
-"ସତରେ, ତମେ ଆଗରୁ ତାଙ୍କୁ ପଦ୍ମଫୁଲ ଦେଇଛ, ସେ ତମକୁ ଖୁସି ହେଇ କଣ କହିଲେ ?"
-"ଆରେ ବାୟାଣୀ, ତୁ ବୁଝିପାରିବୁନି, ଆଉ ଟିକେ ବଡ ହେଇଯା ସବୁ ବୁଝିବୁ ହେଲା, କାଲି ସକାଳେ ଗାଧେଇ ପାଧେଇକି ଆସିବୁ, ପୂଜା କରିବା, ପ୍ରସାଦ ଖାଇକି ଯିବୁ ।"
-"ହଉ ଦିଦି ମୁଁ ଆସିଲି ।" ଏତକ କହି ଗାଏବ ହେଇଗଲା ସେ କୁଆଡେ ।


ସମୟ ଗଢି ଚାଲିଥାଏ । ମିକି ବି ବଡ ହେବାରେ ଲାଗିଥାଏ । ଯାହା କିଛି ସୁବିଧା ଅସୁବିଧା ହେଲେ ଦିଦି ଙ୍କ ପାଖକୁ ଆସି ସୁଖ ଦୁଃଖ ଟିକିଏ ବାଣ୍ଟିକି ଯାଏ । ମନ ବି ଟିକେ ହାଲ୍କା ହେଇଯାଏ । ଦିଦି କୁହନ୍ତି ମାଁ ଙ୍କ ଉପରେ ଭରଷା ରଖ । ସବୁ ଠିକ୍ ହେଇଯିବ । ମିକି ମଧ୍ୟ ମାଁ ଲକ୍ଷ୍ମୀ ଙ୍କର କନିଷ୍ଠ ଭକ୍ତ ହେଇଗଲାଣି ।

ଜମିଦାର ପରିବାରର ଝିଅ । କିନ୍ତୁ ସୁଖ ତା ଭାଗ୍ୟରେ ହିଁ ନାହିଁ । ବିଲ ଆଡକୁ ବୁଲିବାକୁ ଗଲେ ସ୍ୱାମୀ ସ୍ତ୍ରୀ ଦି'ଜଣ ତବାପ ଆଉ ସାବତ ମାଁ ତାଙ୍କ ଚାରି ବରଷର ପିଲାଙ୍କୁ ଛାଡି । ଗଲାବେଳେ କହିକି ଗଲେ, ଜଲଦି ରୋଷେଇ କରିବୁ ଆଉ ଖାଇବାକୁ ଦବୁ ମୋ ଝିଅକୁ । ରୋଷେଇ ଆରମ୍ଭ କଲା । ପନିପରିବା କାଟିବ ପାଇଁ ବାହାର କଲା । କିଛି କାମ ପାଇଁ ବାହାରକୁ ବାହାରି ଗଲା ବେଳେ ତା ସାନ ଭଉଣୀ ଟା ପରିବା କାଟିବା ପାଇଁ ଛୁରୀ ଧରିଲା ବେଳେ ତା ନିଜ ଆଙ୍ଗୁଳି କୁ ହିଁ କାଟି ଦେଇଛି । ରଡି ଛାଡିଲା । ଧାଇଁ ଆସିଲା ମିକି । ତା ରକ୍ତ ବାହାରିବା ଦେଖି ବ୍ୟସ୍ତ ହେଇ ବାନ୍ଧିଦେଲା ତା ହାତରେ କନା ଖଣ୍ଡେ । ଲେଡି ହିଟଲର୍ ଯେତେବେଳେ ଫେରିଲେ ବିଲରୁ, ନିଜ ପିଲାର ଏମିତି ଅବସ୍ଥା ଦେଖି ରାଗରେ ପ୍ରଚଣ୍ଡ ମୂର୍ତ୍ତି ଧାରଣ କଲେ,
-"ରୋଷେଇ କରିବାକୁ କହିଲି ବୋଲି ମୋ ପିଲାକୁ ତୁ କାମ କରେଇଲୁ, ମୋ ପିଲାକୁ କରେଇଲୁ" କହିକି ଚାପୁଡ଼ା ଆଉ ବିଧା ସବୁ ବସେଇଦେଲେ ମିକି ପିଠିରେ,
-"ମାଁ, ନାଇଁ ମାଁ ମୁଁ ତାକୁ କାମ କରେଇନି ମାଁ, ଆଆଆ...।"
-"ଏବେ କେମିତି ହେଲା, କେମିତି ହେଇଚି ତା ହାତ, ତୁ ମରିଗଲୁନୁ", ଛୁରୀ କୁ ଧରି ତାକୁ କାଟିଲା ଭଳି କରିକି ଏମିତି କହିଲେ ।
-"ମାଁ ମତେ ଛାଡିଦିଅ ମାଁ, ମୁଁ କିଛି କରିନି ମାଁ, ମୁଁ ତାକୁ କାମ କରେଇନି ମାଁ, ମୁଁ ତାକୁ ପରିବା କାଟିବାକୁ କହିନି ମାଁ, ମାଁ ମତେ ଛାଡିଦିଅ ମାଁ ", ବିକଳ ହେଇ କାନ୍ଦି କାନ୍ଦି କହୁଥାଏ ମିକି । ଏମିତି କହିଲା ବେଳେ ହାତରେ ଯାହା ଆସିଲା ଠେଙ୍ଗା କି ବାଡ଼ି ସେଥିରେ ଆହୁରି ବସେଇ ଦେଉଥିଲେ ମିକି ଦେହରେ । ମାଁ ମାଁ କହି କହି କାନ୍ଦି ପକାଉଥାଏ ପିଲାଟା । ବାପା କହିଲେ,
-"ମାରିଦବୁ ନା କଣ ପିଲାଟା କୁ ।"
-"ହଁ ତମକୁ ତ ୟାର ଚିନ୍ତା ଲାଗିଛି, ଦେଖୁନ ଦେଖ କେତେ ଖଣ୍ଡିଆ ହେଇଚି ମୋ ଝିଅର ।"
ରାଗରେ ଗରଗର ହେଇ ଉତ୍ତର ଦେଇ ଘର ଭିତରକୁ ଟାଣି ନେଇଗଲେ ତାଙ୍କ ଛୁଆକୁ । ଦିନଟା ଯାକ ମିକି ଖାଇବାକୁ ଆସିଲାନି । ଗୋଟେ କୋଠରୀରେ ଭର୍ତ୍ତି ହେଇକି କାନ୍ଦିଲା । ମିକି ଖାଇଦେ ଝିଅ ବୋଲି ବାପା ଖାଇବାକୁ କହିଲେ ଆଉ ବାହାରକୁ ପଳେଇଲେ ତଥାପି ଖାଇଲାନି ଖାଲି କାନ୍ଦିଲା ବସିକି । ଶେଷରେ ଭୋକ ବିକଳ ଆଉ ଦୁଃଖ ବିକଳ ସହି ନ ପାରି ଶୋଇ ବି ପାରୁ ନଥିଲା । ପଖାଳ ଦି ମୁଠା ସହ ତୋରାଣି ଟିକେ ପିଇ ପୁଣି କୋଠରୀ ଭିତରେ ବନ୍ଦ ହେଇଗଲା ।

ଏ ବର୍ଷ ମିକିର ଦଶମ ଶ୍ରେଣୀ । ଏତେ ଲୁହ ଆଉ କଷ୍ଟ ଭିତର କଣ ପାଠ ପଢିବ ସେ । ସାନ ଭଉଣୀ ପୁଣି ସତ ମିଛ କରି କଣ କହିଦେଲେ ସବୁ ରାଗ ଆସି ତା ଉପରେ ଝାଡ଼ିଦେବେ ହିଟଲର୍ ମମ୍ମି । କେତେ କଷ୍ଟ ଆଉ ଲୁହରେ ସମୟ କାଟୁଚି ସେ । ଏଥିରେ ପୁଣି ସ୍କୁଲ ର ପ୍ରୋଗ୍ରେସ୍ ରିପୋଟ୍ ଆସିବ ଆଉ ମିକି ନାଁ ରେ କମ୍ପ୍ଲେନ୍ ଆସିଲେ ଦିହେଁ ମିଶି ସୋଧିବେ । ହିଟଲର କହିବେ,
-"ସେ ଦିଦି ଘରେ ତ ଯାଇକି ମରିଚି ସବୁବେଳେ, କଣ ପାଠ ପଢିବ, କି ଯାଦୁ କରିଦେଇଛିକି ସେ, ଯେତେବେଳେ ହେଲେ ତ ତାଙ୍କ ଘରେ ମଲା ଆଉ ।"
ବାପା ବି ତାଙ୍କ କଥାକୁ ସମ୍ମତି ଦେଇ କହିବେ,
-"ପଢିଲେ ସିନା ହବ ଖାଲି ଘର ଘର ବୁଲୁଥିଲେ ପାଠ ଆପେ ଆପେ ବୁଝିଯିବ କି, ତା ଝିଅ ଏତେ କମ୍ ନମ୍ବର୍ ରଖୁଛି ବୋଲି ଅଲଗା ପିଲାଙ୍କ ବାପା ମତେ ସ୍କୁଲ ମିଟିଂ ରେ କହୁଛନ୍ତି, କଣ କହିବି, କେତେ ଖରାପ ଲାଗୁଚି ମତେ ।" କାନ୍ଦିବା ଛଡା କିଛି ଆଉ ନାହିଁ ମିକି ପାଖରେ ।

ମିକିର ଦଶମ ଶ୍ରେଣୀ ସରିଲା । ଭଲ ରେଜଲ୍ଟ୍ ବି ରଖିଲା କିନ୍ତୁ । ବାପାଙ୍କୁ ଯାଇକି କହିଲା ବାପା ମୋର କଲେଜ୍ ରେ ନାଁ ଲେଖେଇ ଦିଅ । ସାବତ ମାଁ କହିଲେ, କଣ ଉଖାଡିପକେଇବୁ କଲେଜ୍ ପଢିଲେ, ଥାଉ ଥାଉ ତୋ ବୋପାର ବେଶୀ ନାଁ କଲୁଣି । ଖାଲି ପାଠ ପଢିବ, ଘର କାମ କଣ ତୋ ବୋପା କରିବ । ତୋ କଲେଜ୍ ପଢ଼ାରେ କେତେ ଟଙ୍କା ସରିବ ଆଉ ମୋ ଝିଅ ଭାଗରେ କଣ ରହିଲା । ଘର କାମ ଶିଖେ । ଶାଶୂଘର ଗଲେ କାମ ନ ଜାଣି କଣ ଏଠିକି ପୁଣି ଚାଲି ଆସିବୁ । ବାପା ବି କିଛି କହିଲେନି ଚୁପ୍ ରହିଲେ । ମୁହଁ ତଳକୁ କରି ଛଳ ଛଳ ଆଖିରେ ପଳେଇ ଆସିଲା ମିକି ।

ବୀଣା ଦିଦି ଙ୍କ ପାଖରେ ଯାଇକି କୋହ ଭରା କଣ୍ଠରେ କହିଲା ଏସବୁ କଥା । ଦିଦି ଶୁଣିଲେ କହିଲେ କାଲିକି ଗାଧେଇ ଯିବା ପଦ୍ମ ପୋଖରୀକି ଘରେ ଗାଧେଇବୁନି ହେଲା । ମିକି ଚୁପ୍ ରହିଲା ପ୍ରଶ୍ନବାଚୀ ଚାହାଣୀରେ ଦିଦି ଙ୍କୁ ଚାହିଁ ସେ କହୁଛି କଣ ଆଉ ଦିଦି କହିଲେ କଣ ବୋଲି ।

ସକାଳ ହେଲା ଦିହେଁ ଗଲେ ପଦ୍ମ ପୋଖରୀକି ଗାଧେଇବାକୁ । ଦିଦି କହିଲେ ପାଖରୀରୁ କିଛି ପଦ୍ମ ଫୁଲ ତୋଳିବାକୁ । ସେ ତୋଳିଲା, କହିଲା,
-"କାଲି କଣ ପୂଜା ଅଛିକି ଦିଦି, କାଲି ଗୁରୁବାର ବି ତ ନୁହଁ !"
-"ତୁ ଚୁପଚାପ ଘରକୁ ଚାଲେ ହେଲା, ତୋ ଉପରେ ମାଁ ରାଗିଛନ୍ତି, କେତେଦିନ ହେଲାଣି ପୂଜା କରୁନୁ ତୁ, ଜାଣିଚୁ ।"
-"ମତେ ଘର ଘର ବୁଲୁଛି କହୁଛନ୍ତି ଦିଦି, ଆଉ ପାଠ ପଢୁନି କହୁଛନ୍ତି ।"
-"ହଉ କିଛି ନାଇଁ ଛାଡ଼, ସବୁ ଠିକ୍ ହେଇଯିବ ।"


ପଦ୍ମଫୁଲର ପାଖୁଡା ସବୁ କାଢ଼ିଦେଲା ବେଳକୁ ମିକି କହିଲା,
-"ଦିଦି ଏ କଣ କରୁଛନ୍ତି, ଏତେ କଷ୍ଟରେ ଫୁଲ ତୋଳିକି ଆଣିଲେ, ସେଥିପାଇଁ ଏତେ ଧୂର ପଦ୍ମ ପୋଖରୀକି ଗାଧେଇ ଗଲେ ଆଉ....??"
-"ଆରେ ବାୟାଣୀ, ଆଉ ବେଶି 0କଥା କହନା, ଆ ମତେ ସାହାଯ୍ୟ କର", ଦିଦି କଥାକୁ କାଟିକି କହିଲେ ।
-"ଦିଦି ଏ କଣ ମଞ୍ଜି ମଞ୍ଜି ପରିକା ବାହାରୁଚି ।" କିଛି ସମୟ ପରେ ପୁଣି କହିଲା ।
-"ହଁ ଏ ମଞ୍ଜି କୁ ବାଟିକି ତତେ ପିଏଇବି ଯେ ତୋ ପାଟି କରିବା ବନ୍ଦ ହବ ବୁଝିଲୁ", ଚିଡି ଯାଇକି କହିଲେ ଦିଦି ।
-"ଆଉ, ମୁଁ ଜାଣିନି, ପଚାରିବିନି କି।"
-"ଯା ନେ ଏ ମଞ୍ଜିରୁ ଶହେ ଆଠ ମଞ୍ଜି ଗଣିକି ଆମ ଛାତରେ ସୁଖେଇ ଦେ, ଆଉ ଘରକୁ ଯିବୁ ଯଦି ଯା ।"

ଦିଦି ସେଇ ମଞ୍ଜିକୁ ଗୋଟେ ଦିନ ପରେ କଣା କଣା କରିକି ପୁଣି ସୁଖେଇଦେଲେ । କିଛି ଦିନ ପରେ ସେଇଟା ସମ୍ପୂର୍ଣ ଶୁଖିଗଲା ଓ କଳା କଳା ହେଇ ବାହାରିଲା । ତାକୁ ମାଳି କରି ଏକ ଶହ ଆଠ ମଞ୍ଜି ଗଣି ଗୁନ୍ଥି ପକେଇଲେ ଦିଦି । ଏବେ ପ୍ରସ୍ତୁତ ହେଇଗଲା ପଦ୍ମମାଳି । ପଦ୍ମଫୁଲ ଲକ୍ଷ୍ମୀଙ୍କର ଯେତିକି ପ୍ରିୟ ପଦ୍ମମାଳି ମଧ୍ୟ ସେମିତି । ଏହାକୁ ଜପ କରିବା ଦ୍ବାରା ଏହାକୁ ଗଳା ରେ ଧାରଣ କରିବା ଦ୍ବାରା ସର୍ବ ରିଷ୍ଟ ଖଣ୍ଡନ ହେଇଥାଏ । ମନସ୍କାମନା ପୂର୍ଣ୍ଣ ହୁଏ । ଦାରିଦ୍ର୍ୟତା ନାଶ ହୁଏ । ପରିବାରରୁ ରୋଗ ଦୁଃଖ ନାଶ ହେଇ ସୁଖ ସମୃଦ୍ଧି ବଢେ ।

ତା ଆର ଦିନ ମିକିକୁ ଡାକିଲେ । ମାଁ ମହାଲକ୍ଷ୍ମୀ ଙ୍କ ଗୋଟେ ମୂର୍ତ୍ତି ଗୋଟେ ଜାଗାରେ ସ୍ଥାପନ କଲେ ମିକିକୁ ପାଖରେ ବସେଇ ପୂଜା କରେଇଲେ । ପ୍ରଥମେ ପଞ୍ଚାମୃତ ରେ ତାପରେ ଗଙ୍ଗା ଜଳରେ ପଦ୍ମମାଳିକୁ ଶୁଦ୍ଧ କଲେ । ଏହାପରେ ମିକିକୁ ସଂକଳ୍ପ କରାଇଲେ । ତାକୁ ମହାଲକ୍ଷ୍ମୀ ଙ୍କ ମନ୍ତ୍ରରେ ଦୀକ୍ଷିତ କରାଇଲେ । ପୂଜା ପାଠ କରେଇକି ଏକୋଇଶି ଦିନ ପର୍ଯ୍ୟନ୍ତ ମନ୍ତ୍ର ଜପ କରିବାକୁ କହିଲେ ।
ଜପ ମନ୍ତ୍ର: ଓଁ ଶ୍ରୀଂ ଭ୍ରୀଂ କ୍ଳୀଂ ମହାଲକ୍ଷ୍ମୀ ସ୍ୱହାଃ ।।
ଲକ୍ଷ୍ମୀ ଗାୟତ୍ରୀ ମନ୍ତ୍ର: ଓଁ ମହାଲକ୍ଷ୍ମୀଚ ବିଦ୍ମହେ ବିଷ୍ଣୁପତ୍ନୀଚ ଧୀମହି ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ ।।

ତା ପରଦିନ ପ୍ରତ୍ୟୁଷରୁ ଶୌଚ ସ୍ନାହାନ ସାରି ମନ୍ତ୍ର ଜପ ନିମନ୍ତେ ପ୍ରଥମେ ମହାଲକ୍ଷ୍ମୀ ଙ୍କୁ ପ୍ରଣାମ କରି ସଂକଳ୍ପ ଅନୁସାର ମନ୍ତ୍ର ଜପ କରିବା ଆରମ୍ଭ କରିଦେଲା ମିକ ମହାଲକ୍ଷ୍ମୀ ଙ୍କ ମୂର୍ତ୍ତି ଆଗରେ ଆସୀନ ହେଇ । ଦୈନିକ ଯେତିକି ଥର ମନ୍ତ୍ର ଜପ କରିବାର ସଂକଳ୍ପ କରିଥିଲା ଏକାଗ୍ରତାର ସହ ମନ ପ୍ରାଣ ଏକ କରି ଜପ କଲା । ଦିନ ପରେ ଦିନ ଗଢିଚାଲିଲା । ଏକୋଇଶି ଦିନ ଯେଉଁଦିନ ସମାପ୍ତ ହେଲା ଶୁଦ୍ଧ ନଦୀ ଜଳରେ ସେଇ ପଦ୍ମମାଳିକୁ ପ୍ରବାହ କରିଦେଇ ପବିତ୍ର ଜଳରେ ସ୍ନାହାନ କରି ଏକ ମୁହାଁ ହେଇ ଘରକୁ ଫେରିଲା ।

××××××××××××××××××××××××××××

ସେଦିନ ମିକି ସାଙ୍ଗ ମାନଙ୍କସହ ଟାଉନ୍ ଆଡେ ବୁଲିବାକୁ ଯାଇଥିଲା । କିଛି ପାରିବ ପତ୍ର କିଣିବ ବଜାର କରିକି ଆସିବା ବୋଲି । ବାଟରେ ଦେଖିଲା ଚିକିମିକି ଜାରି ବନ୍ଦ ଗୋଟେ ଗିଫ୍ଟ୍ ପ୍ୟାକ୍ । ନେମ୍ ପ୍ଲେଟ୍ ଲେଖା ହେଇଥିଲା ହାପିପି ବର୍ଥଡେ ବେଟା, ଫମ୍ ୟୋର୍ ଫାଦର୍ ଇନ୍ ଲ । ମିକି ଆଉ କଣ କରିବ ସେଇଟା କୁ ଘରକୁ ନେଇ ଆସିଲା ଦିଦି ଙ୍କୁ ଦେଖେଇଲା । ଦିଦି କହିଲେ ତାକୁ ଖୋଳିକି ଦେଖିବାକୁ । ଖୋଳିକି ଯେମିତି ଦେଖିଛନ୍ତି ଦି'ଜଣ ଯାକ ପୁରା ଆଁ ହେଇକି ରହିଗଲେ । ସେ ଭିତରେ ଗୋଟେ ଚେକ୍ ଥିଲା ଏକ ଲକ୍ଷ ଟଙ୍କାର । ଆଶ୍ଚର୍ଯ୍ୟ ହେଇଗଲେ ଦିହେଁ । କାହାର, କାହାକୁ, କାହା ପାଖକୁ ଯାଉଥିଲା ଏ ଗିଫ୍ଟ ପୁଣି କେମିତି ବାଟରେ ପଡିଲା । ଭାଗ୍ୟକୁ ସେଠି ଗୋଟିଏ ଫୋନ ନମ୍ବର ଥିଲା । ଯୋଉଥିରେ ସେମାନେ ସାଙ୍ଗେ ସାଙ୍ଗ ଫୋନ ଲଗେଇଲେ । ଫୋନ ଯାଇକି ପହଁଚିଲା । ସେ ଶୁଣିଲେ ଆଉ ଘଣ୍ଟାଏ ଭିତରେ ସେ ଠିକଣା ରେ ପହଞ୍ଚିବେ ବୋଲି କହିଲେ ।

ସେଇ ଫାଦର ଇନ୍ ଲ ଥିଲେ ଓଡ଼ିଶାର ଜଣେ ବିଶିଷ୍ଟ ଶିଳ୍ପପତି ଅନୁପମ ଚୌଧୁରୀ । ଆଉ ସେ ବର୍ଥ ଡେ ଗାର୍ଲ ଥିଲେ ତାଙ୍କର ଭାବି ବୋହୁ । ଯାହାର ଜନ୍ମ ଦିନରେ ସେ ଏକ ଲକ୍ଷ ଟଙ୍କାର ଗୋଟେ ଚେକ୍ ଗିଫ୍ଟ କରିଥିଲେ । କିନ୍ତୁ ତାଙ୍କ ପିଲାମାନେ ଟାଉନ ରେ ପଶି କେକ୍ ନେଲା ବେଳକୁ ଟିକେ ଅସାବଧାନତାରେ ସେ ଗିଫ୍ଟ ପ୍ୟାକ୍ ଟା କୋଉଠି ଗଲି ପଡିଲା ।
ଯେତେବେଳେ ସେମାନେ ମିକି ପାଖରେ ପହଞ୍ଚିଲେ ଆଉ ଗିଫ୍ଟ ପ୍ୟାକ୍ ଟା ନେଇ ଚୌଧୁରୀ ବାବୁ ଙ୍କୁ ଫୋନ କଲେ ସେ ମିକି ବିଷୟରେ ଫୋନ ରେ ହିଁ ପଚାରି ବୁଝିଲେ । ତାର ସବୁ କଥା ଶୁଣି ସାରିକି ତା ଘରକୁ ଯାଇକି କଥା ହେଲେ ଆଉ ତାକୁ ସାଙ୍ଗରେ ନେଇଗଲେ । ଦିଦି ବି ଯିବାକୁ କହିଲେ । କରନା ଚୌଧୁରୀ ବାବୁ ଙ୍କ ଏକମାତ୍ର ପୁଅ ସଞ୍ଜୟ ଚୌଧୁରୀ । ସେ ମିକି ଉପରେ ବହୁତ ଖୁସି ହେଇଗଲେ ଆଉ ତାକୁ ଝିଅ ବୋଲି ଭାବି ତାକୁ ଦ୍ଵଖ କରିବାକୁ ଚାହିଁଲେ । ମିକି ସେଠିକି ଗଲା ପରେ ତା ପାଇଁ ନୂଆ ଡ୍ରେସ୍ । ବ୍ୟାଗ୍, ଜୋତା, ସ୍ମାର୍ଟ ୱାଚ୍ ଗୋଟେ ସାଇକେଲ୍ ସବୁ ଆସିଲା । ମିକି ଏତେ ସାରା ଜିନିଷ ଦେଖି ବିଶ୍ୱାସ ବି କରିପାରୁନ ଥିଲା । ସମସ୍ତେ ତାକୁ ଝିଅର ଆଦର କଲେ । ସେ ଏତେ ଦିନର କଷ୍ଟ କୁ ଭୁଲି କିଛି ଦିନ ତା ଜୀବନର ସବୁ ଖୁସି ର ମୁହୂର୍ତ୍ତ ଏକ ସହିତ ହି ବିତେଇଥିଲା । ତାକୁ ସଞ୍ଜୟ ନିଜେ ନେଇକି ଗୋଟେ ଭଲ କଲେଜ ରେ ତାର ନାଁ ଲେଖେଇଦେଇଥିଲା । ମିକି କୁ ସବୁ ମ୍ୟାଜିକ୍ ଲାଗୁଥିଲେ ବି ସବୁ ସତ ଥିଲା ।
××××××××××××××××××××××××××××
ମିକି ମଝିରେ ମଝିରେ ଘରକୁ ଆସେ । ଦିଦି ଙ୍କ ସହ ବସି କିଛି ସମୟ ଗପେ ଅର ଦିନ ସକାଳେ ପୁଣି ହଷ୍ଟେଲ କୁ ଫେରି ଆସେ । ଆଉ ଯାହା ସୁବିଧା ଅସୁବିଧା ସଞ୍ଜୟ ଭାଇକି କୁହେ । ଚୌଧୁରୀ ବାବୁ ସହ ବି କଥା ହୁଏ । ସେ ଏବେ କଲେଜ ହଷ୍ଟେଲ ରେ ରହୁଛି। ଯୁକ୍ତ ଦୁଇ ସାରି ଯୁକ୍ତ ତିନି ର ଶେଷ ବର୍ଷ । ଏଇ ଚାରି ବର୍ଷ ତା ଜୀବନ ର ଅମୂଲ୍ୟ ସମୟ ଯାହା ତା ଜୀବନ ଗଢିବାରେ ଭବିଷ୍ୟତ ବନେଇବାରେ ସାହାଯ୍ୟ କରିଛି । ଦିଦି ଙ୍କୁ ହଷ୍ଟେଲ ରୁ ମଝିରେ ମଝିରେ ଫୋନ କରିକି କଥା ହୁଏ । ଚୌଧୁରୀ ବାବୁ କହୁଛନ୍ତି ମୋ ଝିଅ ମିକୁ ଏବେ ହାଇୟର ଷ୍ଟଡି ପାଇଁ ଦିଲ୍ଲୀ ଯିବ ।

କିଏ ଜାଣିଥିଲା ସାବତ ମାଁ ର ଗୋଡ ତଳେ ଦଳି ଚକଟି ହେଉଥିବା ନିର୍ବୋଧ ଶିଶୁ ଟି ଆଜି ଏତେ ବଡ କଲେଜ ରେ ପାଠ ପଢି ଏତେ ସୁନ୍ଦର ଜୀବନ ଅତିବାହିତ କରୁଛି ପୁଣି ତା ପାଇଁ ଦିଲ୍ଲୀ ଯିବାର ଟିକେଟ କଟା ହେଉଛି । କିଏ ଜାଣେ ଏ ପଦ୍ମମାଳିର ଚମତ୍କାର ନା ଆଉ କଣ ...!!!
✏ ଲାଞ୍ଜି, କେଗାଁ, କଳାହାଣ୍ଡି ✏

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।