4/30/2021

ଆତ୍ମଛବି

ଶ୍ରୀମତୀ ଜ୍ଯୋତ୍ସ୍ନା ପୃଷ୍ଟି 
ପ୍ରତିଟି କବିତା ସାରିପୁତ୍ତ ମୋର ,
ଫେରିବା ପଥକୁ ରହିଅଛି ଚାହିଁ ।
ଜାଣିଛି ଦିନେ ଡାକିବେ ଦ୍ଵାର ଠେଇଁ ,
ଭିକ୍ଷାମ୍ ଦେହୀ ମାଆ ଭିକ୍ଷାମ୍ ଦେହୀ ।
ନୟନୁ ଜ୍ୟୋତି ହଜି ଲିଭି ଆସୁଥିବ ,
କାହା କଣ୍ଠସ୍ଵନ ଶିହରାଇ ଦେଵ ।
ଧିମାଧିମା ଆଲୋକରେ ଅଣ୍ଡାଳି ନେବି ,
ଫେରିଛ କି' ହୃଦୟ ରତ୍ନ ଧନ ଛବି..?
ସେ ଆଉ ସଂସାର ବନ୍ଧନରେ ନାହିଁ ,
ବୁଦ୍ଧ ବୌଦ୍ଧ ବୋଧିସତ୍ତ୍ଵ ପ୍ରାନ୍ତେ ଯାଇ ।
ସ୍ଵତଃରେ ସାବ୍ୟସ୍ତ ଅନ୍ତସ୍ଵର ଛୁଇଁ ,
ଜଗତ ମଙ୍ଗଳ ହେଉ ବୋଲି ବାଣୀ ,
ଝରୁଥିବ କିଛି ଅମୃତ କାହାଣୀ ।
ଯିବେଫେରି ଅଦୃଶ୍ୟପଟର ଶ୍ରେଣୀ ,
କୋହ ଚାପି ସ୍ମିତହାସ୍ୟ ଓଠେ ଜାଣି ।
ସିଦ୍ଧ ସାରିପୁତ୍ତ ସେ କାବ୍ୟ କବିତା ,
ଜୀବନରେ ସିଞ୍ଚିଦେବେ ଚେତନତା ।
ମାଆ ବୋଲି ବାନ୍ଧିବିନି ଆକୁଳତା ,
ଯେଉଁଠାରେ ଥାଉ ସାନ୍ତ୍ଵନା ପ୍ରଣେତା ।
କବିତା ମୋ' ମାନସ ସନ୍ତାନଗଣ ,
ତାଙ୍କ ପାଇଁ ବଞ୍ଚୁଛି ବଞ୍ଚିବି କ୍ଷଣ ।
ଶୁଝିବାକୁ ମାଟି ମାତୃଭାଷା ଋଣ ,
ଲେଖି ଲେଖି ଲେଖନୀ ନିର୍ବାଣ ।

ସୌଭାଗ୍ୟ ନଗର (ଭୁବନେଶ୍ବର)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।